Unknown

ସ୍ୱରାଜ୍ୟ ସଂହିତା

ମହାତ୍ମାଗାନ୍ଧୀଙ୍କ ‘ହିନ୍ଦ୍ ସ୍ୱରାଜ’ର ପଦ୍ୟାନୁକୃତି

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

 

‘ସ୍ୱରାଜ୍ୟ ସଂହିତା’ର ରଚୟିତା ହେଉଛନ୍ତି ମହାତ୍ମାଗାନ୍ଧୀ। ଏହି ଗ୍ରନ୍ଥ ଗୁଜରାଟୀ ଭାଷାରେ ପ୍ରଥମେ ପ୍ରକାଶିତ ହୋଇଥିଲା ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ସୁସାହିତ୍ୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ଭାଗବତ ନବାକ୍ଷରୀ ବୃତ୍ତରେ ତାର ଅନୁବାଦ କରିଥିଲେ। ଓଡ଼ିଆାରେ ଏହି ଗ୍ରନ୍ଥ ପ୍ରଥମେ୧୯୪୮ କଟକସ୍ଥିତ ଭାରତୀ ବିହାର ନାମକ ଏକ ପ୍ରକାଶନ ସଂସ୍ଥା କର୍ତ୍ତୃକ ପ୍ରକାଶିତ ହୋଇଥିଲା। ବର୍ତ୍ତମାନ ସେହି ଗ୍ରନ୍ଥ ଦୁଷ୍ପ୍ରାପ୍ୟ।

 

ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ , ଦେଶ ପ୍ରୀତିର ବାଣୀ, ଗାନ୍ଧୀଜୀଙ୍କର ଅନୁସୃତ ଅହିଂସ ପନ୍ଥା ଓ ଆଦର୍ଶ ଏହି ଗ୍ରନ୍ଥରେ ଅତ୍ୟନ୍ତ ସାବଲୀଳ ଶୈଳୀରେ ଲିପିବଦ୍ଧ ହୋଇଛି। ଆଜି ମଧ୍ୟ ତାର ଉପଯୋଗିତା ରହିଛି। ଆଶା ସହୃଦୟ ପାଠକ-ମାନଙ୍କ ଦ୍ୱାରା ଏହି ପୁସ୍ତକଟି ଆଦୃତି ଲାଭକରିବ।

 

ଶ୍ରୀ ରାଜକିଶୋର ମିଶ୍ର      

ସଚିବ, ଓଡ଼ିଶା ସାହିତ୍ୟଏକାଡେମୀ

 

ଅଭିମତ

୧୯୪୮ର କଥା। ଗାନ୍ଧିଜୀ ମହାପ୍ରୟାଣ କଲେ। ତାହାର ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ବ୍ରହ୍ମପୁର ଜେଲରେ ମହାତ୍ମାଗାନ୍ଧୀଙ୍କର ‘ହିନ୍ଦ୍ ସ୍ୱରାଜ’ ବହି ପଢ଼ିଲି। ସେ ବହି ମୋତେ ଏତେ ଦୂର ଅଭିଭୂତ କରିଦେଲା ଯେ ମୁଁ ତାହାକୁ ଏ ଯୁଗର ଭାଗବତ ବୋଲି ମନେକରି ଓଡ଼ିଆରେ ଭାଗବତ ବୃତ୍ତରେ ଅନୁବାଦ କରି ପକାଇଥିଲି। ତାହା ଯେ କେବେ ଛାପା ହେବ ଏ ଆଶା ମୋର ନ ଥିଲା। ଦିନେ କଟକରେ କଲେଜ୍ ବାଟେ ଯାଉଥିଲା ବେଳେ ଭାରତୀ ବିହାର ବୋଲି ଗୋଟିଏ ବହି ଦୋକାନ ଦେଖିବାକୁ ଗଲି। ତାଙ୍କୁ ପଚାରିଲି ଗାନ୍ଧିଙ୍କ ‘ହିନ୍ଦ୍ ସ୍ୱରାଜ’ର ଅନୁବାଦ ମୋ ପାଖରେ ଅଛି, ତାକୁ ଛାପିବେ କି? ସେ ରାଜି ହୋଇ ମୋ ପାଖରୁ ପାଣ୍ଡୁଲିପି ନେଇ ଛାପି ଦେଲେ। କିନ୍ତୁ ତା ପରେ ସେ ଦୋକାନଟା ଭାଙ୍ଗିଗଲା। ସେ ଦୋକାନବାଲାଙ୍କର ମୋର ଆଉ ଦେଖା ହେଲା ନାହିଁ। ବହୁଦିନ ପରେ ଭୁବନେଶ୍ୱରରେ ମୋର ପଡ଼ୋଶୀ ପ୍ରସିଦ୍ଧ ଲେଖକ ଗୋପୀନାଥ ମହାନ୍ତି ତାଙ୍କ ପାଖରେ ଥିବା ସେହି ବହିରୁ ଖଣ୍ଡେ ମୋତେ ଉପହାର ଦେଲେ।

 

ଏବେ ଗାନ୍ଧିଜୀଙ୍କ ସମ୍ବନ୍ଧରେ ସରକାରଙ୍କ ତରଫରୁ ବହୁ ଉତ୍ସବପାଳନ ହେଉଥିବା ହେତୁ ମୋର ସେ ବହିଟିକୁ ପୁନର୍ମୁଦ୍ରଣ କରିବା ପାଇଁ ଇଚ୍ଛା ହେଲା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବାରୁ ସେ ‘‘ଓଡ଼ିଶା ସାହିତ୍ୟ ଏକାଡେମୀ’’କୁ ଛାପିବା ପାଇଁ ଦେଲେ। ମୁଁ ସେଥିପାଇଁ ଆନ୍ତରିକ ଧନ୍ୟବାଦ ଦେଉଛି।

 

ନିତ୍ୟାନନ୍ଦ ମହାପାତ୍ର

 

ପ୍ରସ୍ତାବନା

ସ୍ୱରାଜ୍ୟ ବୋଲି ଯେ ଶବଦ

ଦୁଃଖୀ ଭାରତ ମୋକ୍ଷପଦ

ତାହାର ଯେବା ରୂପରେଖା

ବିଂଶ ଅଧ୍ୟାୟେ ହେଲା ଲେଖା

ଶୁଣ ପାଠକେ ଦେଇ ମନ

କରଇଁ ଏଥେଁ ନିବେଦନ

ପାଉଁଶ ତଳେ ଅଗ୍ନି ଥାଇ

ସେ ଯେହ୍ନେ ବାରଣ ନୁହଇ

ସ୍ୱରାଜ ଚିନ୍ତା ସେ ପ୍ରକାର

ଦହିଲା ହୃଦ ବାରବାର

ତେଣୁଟି କଲି ମୋ ମାନସ

ଭାଷା ପ୍ରବନ୍ଧେ ପରକାଶ

ଏହାର ଦୋଷାଦୋଷ ଗୁଣି

ପଢ଼ି ବିଚାରି ପୁଣି ପୁଣି

ତା’ ପୁଣି ପଢାଇ ଶୁଣାଇ

ଦେଶୀ ବିଦେଶୀ କେତେ ଭାଇ

ଏବେ ହୋ କରୁଛି ପ୍ରକଟ

ପାଠକେ ତୁମ୍ଭର ନିକଟ

ଏଥିରେ ଯେବଣ ବିଚାର

ଦୁଇ ପ୍ରକାର ରୂପତାର

ଆପଣା ପର ଦୁଇମତ

ଉଭୟେ ମୋହର ସମ୍ମତ

ଆପେ ଯେ ଉଦେ ହୃଦଗତେ

ଆପଣା ମଣଇଁ ସେ ମତେ

ଅନେକ ପଠନ ପାଠନ

ଅନ୍ତେ ଯେ ମତଟି ଗଠନ

ହେଲେହେଁ ଉଦେ ନିଜ ଚିତ୍ତେ

ପର ବୋଲିବା ତା’ଉଚିତେ

ଏମନ୍ତେ ଦୁଇ ପରକାର

ପର ଆପଣା ମତ ସାର

ଯେଣୁ ସେ ମୋହର ଅନ୍ତରେ

ବିଳାସ କରେ ନିରନ୍ତରେ

ତେଣୁ ତା’ କାର୍ଯ୍ୟେ ପରିଣତି

କରିବି ବଳାଇଛି ମତି

ସେ ଯେଣୁ ମୋହରି ଭିଆଣ

ମୋ ଭାବ ତହୁଁ ନୁହେଁ ଆନ

ମନ ଯେ ଉର୍ଣ୍ଣନାଭ ସରି

ସେ ସୂକ୍ଷ୍ମଭାବ ଅଛି ଧରି

ପୁସ୍ତିକାକାରେ ତା ପ୍ରକାଶ

କରିବି ବୋଲି କଲି ଆଶ

 

 

 

 

ଏ ମୋର ଯେତେ ଅନୁଭବ

ନୁହଇ ସେ ତ ଅଭିନବ

ଭାରତ ଖଣ୍ଡରେ ଅନେକ

ଛନ୍ତି ସୁଜାଣ ସୁବିବେକ

ପାଶ୍ଚାତ୍ୟ ସଭ୍ୟତା ଚକ୍ରରେ

ପଡ଼ି ନାହାନ୍ତି ଯେଉଁ ନରେ

 

ଆପଣା ଧର୍ମେ ମତି ରଖେ

ତାହାଙ୍କୁ ସିଦ୍ଧ ଏ ପ୍ରତ୍ୟକ୍ଷେ

 

 

 

 

ପଶ୍ଚିମଖଣ୍ଡ ମଣ୍ଡଳରେ

ଅଛନ୍ତି ପୁଣି ବହୁ ନରେ

ତାହାଙ୍କ ସଂଖ୍ୟା ଅଗଣନ

କରନ୍ତି ଏ ମତ ପୋଷଣ

ଏହାର ସତ୍ୟାସତ୍ୟ ବାଣୀ

ମୁଁ ତାହା କହିବି ବଖାଣି

ତାଙ୍କର ଏମନ୍ତ ଉକତ

ହୋଇଛି ବହୁ ପୋଥିଗତ

 

 

 

 

ପଢ଼ିଲେ ଅବସର ବେଳେ

ଜାଣିପାରିବେ ଅବହେଳେ

କେତେକ ତୁମ୍ଭର ଅଗ୍ରତେ

ବାଢ଼ିବି ମୋ ସୁବିଧା ମତେ

ସତ୍ୟକୁ ଅନ୍ୱେଷଣ କରି

ସତ୍ୟର ପଥେ ଅନୁସରି

ଆଚର ସ୍ୱଦେଶର ସେବା

ଉଦ୍ଦେଶ୍ୟ ଏହାକୁ ଲେଖିବା

 

 

 

 

 

 

 

 

ତେଣୁ ଏ ମୋର ମତବାଦ

ନୁହଇ ପୂର୍ଣ୍ଣ ଅପ୍ରମାଦ

ସତ୍ୟ ଆରାଧି ସତ୍ୟ ସାଧି

ମିଳିବ ଯେବା ଭ୍ରମ ଆଦି

ହେଲେ ହେଁ ଆପଣାର ତ୍ରୁଟି

ରହିବି ନାହିଁ ମୁଁ ନିକୁଟି

ଏତିକି ମାତ୍ର ଅନୁରୋଧ

ଏ ଯେବେ ସତ୍ୟ ହୁଏ ବୋଧ

 

 

 

 

ଦେଶର ସେବା ଦେଶ ହିତେ

ଘେନିବ ସାଧୁଜନେ ଚିତ୍ତେ

କରିବ ପୁଣି ଆଚରଣେ

ମାଗୁଣି ମୋର ଶ୍ରୀଚରଣେ

ଜଟିଳ ଏହି ଭାବରାଶି

ସରଳ ଭାବେ ପରକାଶି

ସରଳ ସହଜ ଏ ଛାନ୍ଦ

ସରଳ ଭାଷା ଅନୁବନ୍ଧ

 

 

 

 

ପାଠକ ପୁଣି ସମ୍ପାଦକ

ସଂବାଦ ଛଳେ ଏ ଆଲେଖ୍ୟ

ମୋହନ ଦାସ ଗାନ୍ଧି ଭଣେ

ଶୁଣ ସକଳ ଗୁଣୀ ଗଣେ

 

ପ୍ରଥମ ଅଧ୍ୟାୟ

କଂଗ୍ରେସ ଓ କଂଗ୍ରେସର କର୍ମକର୍ତ୍ତା

ଶୁଣ ହେ ଏବେ ସାଧୁଜନ

ଗାନ୍ଧିଙ୍କ ଶ୍ରୀମୁଖ ବଚନ

ଗାନ୍ଧିଜୀ ସଂପାଦକ ରୂପେ

ଭାଷନ୍ତି ପାଠକ ସମୀପେ

ଏ ଗୁରୁ ଶିଷ୍ୟର ସମ୍ବାଦ

ଶୁଣିଲେ ମନୁ ଯିବ ଖେଦ

ଭାରତ କିମ୍ପା ପରାଧୀନ

କି କଲେ ହୋଇବ ସ୍ୱାଧୀନ

କି ଅବାରୂପ ସ୍ୱରାଜ୍ୟର

ପଠନେ ଦିଶିବ ଉଜ୍ଜ୍ୱଳ

ଊଣାଇଶି ଶ’ ନଅ ସାଲେ

ଲଣ୍ଡନୁ ଫେରିବାର କାଳେ

ଜାହାଜ ପରେ ବସି ଗାନ୍ଧି

ଏ ଗ୍ରନ୍ଥ ନିଜେ ଥିଲେ ବାନ୍ଧି

ମୂଳ ତା ଗୁଜରାତୀ ଭାଷ୍ୟ

ତହିଁରୁ ଓଡ଼ିଆ ପ୍ରକାଶ

ଗଲାଣି କେତେ ଯେ ଦଶନ୍ଧି

ତେବେ ଯା’ ଲେଖିଥିଲେ ଗାନ୍ଧି

ଆଜ ହିଁ ରହିଛି ସେ ସତ୍ୟ

ସ୍ଥିର ଉଜ୍ଜ୍ୱଳ ଅବିକୃତ

ଏବେ ହୋ ଶୁଣ ସୁଧୀ ଜନ

ଅମୃତସମ ଏ ବଚନ

ଗାନ୍ଧିଜୀ ସଂପାଦକ ରୂପେ

ବସିଣ ଅଛନ୍ତି ସମୀପେ

ପାଶେ ପାଠକ ଧୀର ମତି

ଗାନ୍ଧିଙ୍କୁ ପ୍ରଶ୍ନ ପଚାରନ୍ତି

 

 

ପାଠକ ଉବାଚ

ଭୋ ସମ୍ପାଦକେ ସୁଧୀ ଧୀର

ଶୁଣିବା ହେଉ ମୋର ଗିର

ସମ୍ବାଦପତ୍ରରେ ସତତ

ଆଲୋକ ତୁମ୍ଭେ ଦେଉଛ ତ

ତୁମ୍ଭଙ୍କୁ ଜଣା ତଥ୍ୟମାନ

ଦେଶକାଳ ଯେ ପାତ୍ର ଜ୍ଞାନ

କହିବା ହେଉ କରି ଥୟ

ଯେଣେ ମୋ ଫିଟିବ ସଂଶୟ

ଭାରତ ମଣ୍ଡଳରେ ଆଜ

ଚହଳ ପଡ଼ିଛି ସ୍ୱରାଜ୍ୟ

ଦେଶର ସ୍ୱାଧୀନତା ପାଇଁ

ଭାରତବାସୀ ହେଲେ ବାଇ

ଯେ ଅବା ଭାରତରୁ ଆସି

ହେଲେ ଆଫ୍ରିକା ଦେଶବାସୀ

ଭାଗ୍ୟକୁ ନେଲେ ସଙ୍ଗତରେ

ରହିଲେ ହୀନ ହତାଦରେ

ତହିଁ ବିଲାତ ଦେଶୁଁ ଆସି

ହୋଇଲେ ତାଙ୍କ କାଳଫାଶି

ସେଠାରେ ଏସନ ଚହଳ

ଲାଗିଛି ସଦା କୋଳାହଳ

ଆଜି ଭାରତବାସୀ ମନ

ସ୍ୱରାଜ୍ୟ ପାଇଁକି ଉଚ୍ଛନ୍ନ

ଦେଶ ବିଦେଶେ ଯହିଁ ଥାଏ

ଚାହିଁଛି ଚାତକ ପରାଏ

କହି ଏଥିର ମୂଳକଥା

କି ହେତୁ ଏହି ଆକୁଳତା

କି ଅବା କାରଣ ଏହାର

ବିଚାର ତବ କହ ସାର

 

 

 

ଗାନ୍ଧି ଉବାଚ

ପାଠକେ ପଚାରିଲି ଯାହା

ସତ୍ୟ ମୁଁ ଦେଖୁଅଛି ତାହା

ତାହାର ଉଚିତ ଉତ୍ତର

ସହଜ ନୁହଇ ମାତର

ତଥାପି ସମ୍ପାଦକ ପଣେ

କହୁଛି ତୁମ୍ଭର କାରଣେ

କର୍ତ୍ତବ୍ୟ ସମ୍ୱାଦପତ୍ରର

ଅଟଇ ଅତି ଗୁରୁତର

ତିନୋଟି ଶାଖା ସେ ବିସ୍ତାରେ

ଶୂଳୀ ତ୍ରିଶୂଳ ପରକାରେ

ପ୍ରଥମେ କରଇ ସେ ଠାବ

ଲୋକଙ୍କ ଯାହା ମନଭାବ

ତାହା ସେ କରଇ ସେ ପ୍ରକାଶ

ଦିବସେ ଯେମନ୍ତେ ଆକାଶ

ସେ ପୁଣି ଯାଇ ଦ୍ୱିତୀୟରେ

ଲୋକଙ୍କ ମଧ୍ୟେ ଲକ୍ଷ୍ୟ କରେ

କି ଭାବ ଭାବନା ଅଭାବେ

ବସନ୍ତି ଜନେ ହୀନ ଭାବେ

ସେ ଭାବ କରିବ ସନ୍ଧାନ

କରିବ ତା’ର ଅନୁମାନ

ତା ପୁଣି ଜଗାଇ ହୃଦରେ

ଦ୍ୱିତୀୟ କାର୍ଯ୍ୟ ପୂର୍ଣ୍ଣ କରେ

ତୃତୀୟ କର୍ତ୍ତବ୍ୟଟି ତାର

ବହିବା ଅତି ଗୁରୁଭାର

ଲୋକରେ ଯେତେ ଅବଗୁଣ

ତାହା ସେ ଦେଖାଏଟି ପୁଣ

ସେ ପାଇଁ ତିଳେ ନାହିଁ ଭୟ

ମନେ ତା ଲେଶ ହିଁ ସଂଶୟ

ଏମନ୍ତେ ତିନୋଟି କର୍ତ୍ତବ୍ୟ

ସଂପାଦକଟି ପାଳୁଥିବ

ଏ ପ୍ରଶ୍ନ ଉତ୍ତର ମୁଁ କଲେ

ଏ ତିନି କାର୍ଯ୍ୟ ହେବ ଭଲେ

ତୁମ୍ଭର ଏହି ପରସଙ୍ଗେ

ଏ ତିନି ପ୍ରଶ୍ନ ଅଛି ସଙ୍ଗେ

ତାର ଉତ୍ତର ଦେବା ଛଳେ

ସେ କାର୍ଯ୍ୟ ହୋଇବଟି ବଳେ

ପ୍ରଥମେ ଯାହା ଲୋକମତ

କେତେକେ କରିବ ପ୍ରକଟ

ଦିଜେ ଯେ ଭାବର ଅଭାବ

ସେ ଯେହ୍ନେ ହୁଏ ଉଦଭବ

 

 

 

 

ତୁମ୍ଭଙ୍କୁ ଦେବାରେ ଉତ୍ତର

ପ୍ରଯତ୍ନ କରିବଇଁ ତାର

ତୃତୀୟେ ଯାହା ଯାହା ଦୋଷ

ଲୋକରେ ରହିଛି ବିଶେଷ

ଦେଖାଇ ଦେବି ଏହି ସ୍ଥଳେ

ତୁମ୍ଭରି ପ୍ରଶ୍ନର ଉତ୍ତରେ

ପାଠକ ଉବାଚ

କହ ଫିଟାଇ ଆଗ ମୋତେ

ସତ୍ୟ ସତ୍ୟ କି ଏ ଭାରତେ

ବଳିଛି ସ୍ୱରାଜ୍ୟ ବାସନା

ତୁମ୍ଭଙ୍କୁ କିବା ଯାଏ ଜଣା

ସଂପାଦକ ଉବାଚ

ଏହାର ପ୍ରଥମ ପ୍ରମାଣ

ଦେଶେ କଂଗ୍ରେସ ସଂସ୍ଥାପନ

ଜାତୀୟ ମହାସଭା ନାମେ

ବିସ୍ତାରି ଅଛି ନଗ୍ରେ ଗ୍ରାମେ

ସେ ଅଟେ ସ୍ୱରାଜ୍ୟ ସୂଚକ

ସ୍ୱରାଜ୍ୟ ଭାବେ ଉଦ୍ଦୀପକ

ଭାରତେ ଯେତେ ଦୁଃଖୀ କୁଳ

ସ୍ୱରାଜ୍ୟ ପାଇଁକି ବ୍ୟାକୁଳ

 

 

 

 

ଭେଇଲେ ଜାତିଆଣ ସଭା

ଯେମନ୍ତ ସ୍ୱରାଜ୍ୟ ପାଇବା

ଏହି ଯେ ଶବ୍ଦ ଜାତିଆଣ

ଦେଉଛି ତାହାର ପ୍ରମାଣ

ପାଠକ ଉବାଚ

ତୁମ୍ଭେ ଯେ କହିଲିଟି ଖୋଲି

ମୁଁ ତାହା ମଣେ ଭ୍ରମ ବୋଲି

ଭାରତେ ନବଯୁବା ଦଳ

ସେ ତ ଦେଶର ଦମ୍ଭ ବଳ

କଂଗ୍ରେସ ନାମ ସେ ଶୁଣନ୍ତି

ଅଙ୍ଗୁଳି ଅଗ୍ରେ ନଗଣନ୍ତି

ମଣନ୍ତି ବ୍ରିଟିଶ ସମ୍ରାଜ୍ୟ

ରକ୍ଷା ହିଁ କଂଗ୍ରେସର କାର୍ଯ୍ୟ

ବିଦେଶୀ ଶାସନକୁ ସ୍ଥାୟୀ

କେବଳ କରିବାର ପାଇଁ

ତାଙ୍କରି ହାତେ ହତିଆର

ହେବାହିଁ ହେଉଅଛି ସାର

ଗାନ୍ଧି ଉବାଚ

ପାଠକ ଯେ କଥା ପଚାର

ଏ ଅତି ଅନ୍ୟାୟ ବିଚାର

ଏ ଭାବ ଯୁବକର ଚିତ୍ତେ

ଉଚିତ ନୁହେଁ କଦାଚିତେ

ବିଦେଶୀ ଶାସନକୁ ସ୍ଥାୟୀ

କଂଗ୍ରେସ କେଭେ କରେ ନାହିଁ

ଦାଦା ଭାଇ ଯେ ଥିଲେ ଜାଣ

ମହତ ଆତ୍ମା ମହାପ୍ରାଣ

ପିତାମହ ସେ ଭାରତର

ସ୍ୱାଧୀନତାର ସୁତ୍ରଧର

ସ୍ୱରାଜ୍ୟ ପାଇଁକି ଆପଣ

କରିନଥିଲେ କରଷଣ

ଆଜି ଯେ ସ୍ୱରାଜ୍ୟ ସମ୍ଭନ୍ଧେ

କଥା କହୁଛ ପଦେ ଅଧେ

ହୋଇ ନଥାନ୍ତା ତା ସମ୍ଭବ

ଏହାକି ମନରେ ନଭାବ

ହିଉମ ସାହେବ ଆବର

ଥିଲେ ବ୍ରିଟିଶ ନଉକର

ଗୋରା ରକତ ଗୋରା ଦେହ

ତଥାପି ହୃଦ ବହି ସ୍ନେହ

ହକାରୀ ଦେଶବାସୀ ଗଣେ

କଲେ ଏକାଠି ଜଣେ ଜଣେ

ଆଣିଲେ ନବ ଜାଗରଣ

ନବଉତ୍ସାହ ନବପ୍ରାଣ

ସେକି କଦାପି ନିନ୍ଦିବାର

ସେ ପଦେ ଶତେକ ଜୁହାର

ୱେଡର ବରନ ସାହେବ

କିଏ ବା ତାଙ୍କ ସରି ହେବ

ଆପଣା ଧନ ମନ ପ୍ରାଣ

କଲେ ସେ ଆମ୍ଭ ପାଇଁ ଦାନ

ବ୍ରିଟିଶ ରାଜ୍ୟ ସମ୍ବନ୍ଧରେ

ଅତି ନିର୍ମଳ ପ୍ରବନ୍ଧରେ

ସେ ଯାହା ଲେଖିଗଲେ ହସ୍ତେ

ପଢ଼ିବା ଯୋଗ୍ୟଟି ସମସ୍ତେ

ତାହାଙ୍କୁ ନିନ୍ଦାଟି ନଦିଅ

ସେତ ଅତୀବ ମହନୀୟ

ଗୋଖଲେ ଦେବର୍ଷି ପ୍ରତୀମ

ତାହାଙ୍କ ଗୁଣଟି ଅସୀମ

ଦେଶକୁ କରିବେ ତିଆରି

ଏମନ୍ତେ ବିଚାର ସେ କରି

ଭୂଷଣ କରି ଦରିଦ୍ରତା

କେ ହେବ ତାଙ୍କ ସମ ନେତା

କୋଡ଼ିଏ ବର୍ଷକାଳ ବୟ

ଏ କାର୍ଯ୍ୟେ ତାଙ୍କ ହେଲା କ୍ଷୟ

ବଦରୁଦ୍ଦିନ ତୟାବ ଜୀ

ଯା ନାମ ଦେଶ ହୁଏ ଭଜି

ସ୍ୱରାଜ୍ୟ ବୀଜର ବପନ

କଲେ ସେ କଂଗ୍ରେସ ହସ୍ତେଣ

କେତେ ଯେ ନେତା ଏହି ଭାବେ

ବଙ୍ଗଳା ମାନ୍ଦ୍ରାଜ ପଞ୍ଜାବେ

କଂଗ୍ରେସ ତଥା ଭାରତର

କଲେଟି ନାନା ଉପକାର

ଏ ଯେତେ ଦେଶର ହିତୈଷୀ

ଦେଶୀ ଅଥବା ପରଦେଶୀ

ଇଂରାଜୀ ଅବା ଭାରତୀୟ

ସକଳେ ଏ ଦେଶର ପ୍ରିୟ

ତାଙ୍କର ଯେତେ ଉପକାର

ନୁହେଁ କଦାଚ ଭୁଲିବାର

ପାଠକ ଉବାଚ

ପୁଛନ୍ତି ପୁଣି ସେ ପାଠକ

ରହିବା ହେଉ ସମ୍ପାଦକ

ମୋହର ପ୍ରସଙ୍ଗକୁ ଛାଡ଼ି

ବହୁତ ଦୂର ଯାଅ ବଢ଼ି

ମୁଁ ଯେ ସ୍ୱରାଜ୍ୟ ବିଷୟରେ

ପଚାରିଥିଲି ପ୍ରଥମରେ

ତୁମ୍ଭେ ବଖାଣ ପରରାଜ୍ୟ

ମୋହର ତହିଁ ନାହିଁ କାର୍ଯ୍ୟ

ସାହେବୀ ନାମର ବରଷା

ସାହେବଙ୍କର ପରଶଂସା

ଶୁଣିଲେ ମୋର ଡ଼ିଏଁ ନାହି

ତହିଁ ମୋ ପ୍ରୟୋଜନ ନାହିଁ

ମୋହୋର ପ୍ରଶ୍ନ ଅଟେ ଏକ

ତୁମ୍ଭେତ କହୁଛ ଆରେକ

ମୋ ମତ ସଙ୍ଗେ ମତ ତବ

ମିଳିବା ନୁହଇ ସମ୍ଭବ

ମୋତେ ସ୍ୱରାଜ୍ୟ କଥା କହ

ଚତୁର ବାକ୍ୟେ ନ ଭୁଲାଅ

ଏ ଯେତେ ବୁଦ୍ଧପୂର୍ଣ୍ଣ ଭାଷ

ନ ହେବି ତହିଁରେ ସନ୍ତୋଷ

ସଂପାଦକ ଉବାଚ

ଶୁଣି ବୋଲନ୍ତି ସମ୍ପାଦକ

କିପାଇଁ ମନେ ଏତେ ଦକ

ଚଞ୍ଚଳ ଭାବକୁ ନ ବହି

ଅଳପ କ୍ଷଣ ଗଲେ ରହି

ତୁମ୍ଭର ଯାହା ଅଭିଳାଷ

ସ୍ୱଚ୍ଛନ୍ଦେ ପାଇବ ପ୍ରକାଶ

ଏକଇ ଦିନେ ବୀଜେ ବୁଣି

ଫଳିବାର କି ଅଛ ଶୁଣି

ଦେଶର ହିତକାରୀ ଜନ

ଗୁଣ ମୁଁ କରିଲି କୀର୍ତ୍ତନ

ତୁମ୍ଭେ ତ ତାହାକୁ ବାରଣ

କରୁଛ ଏବେ ଅକାରଣ

ଏଥରୁ ମୋତେ ଯାଏ ଜଣା

ତୁମ୍ଭେ ହୋଇଛ ପଥ ବଣା

ସ୍ୱରାଜ ଏହି ଅବିଚାରୁ

ବହୁତ ଦୂରେ ତୁମ୍ଭଠାରୁ

ତୁମ୍ଭ ସଦୃଶ ଆଉ ଥୋକେ

ଭାରତେ ଯଦି ଥିବେ ଲୋକେ

ଏ ଦେଶ ବହୁଦିନ ପାଇଁ

ଆଗକୁ ନପାରିବ ଯାଇ

ମୋତେ ତ ଲାଗୁଅଛି ଭୟ

ଏ ଅତି ଚିନ୍ତାର ବିଷୟ

ପାଠକ ଉବାଚ

ଏ ଅତି ଗୋଳିଆ ଉତ୍ତର

ଏଣୁ ମୋ ହେଉଅଛି ଡର

ମୁଁ ଯେଉଁ ପ୍ରଶ୍ନ ପଚାରିଛି

ଉତ୍ତର ନଦେଇ ତା କିଛି

ଉଡ଼ାଇ ଦେବ ବାଏଁ ବାଏଁ

ଶିଶୁକୁ ଖେଳଣା ପରାଏ

ତୁମ୍ଭେ ଯାହାଙ୍କ ନାମ ଧର

ହିତୈଷୀ ବୋଲି ଭାରତର

ତୁମ୍ଭର ହେଉ ଯେଉଁ ମତ

ମୁଁ ତାଙ୍କୁ ନମଣେ ତେମନ୍ତ

ତେବେ କିପାଇଁ ତୁମ୍ଭ କଥା

ଶୁଣିବି ମୁହଁଟି ଅଯଥା

ଯେ ବା ଭାରତ ପିତାମହ

ବୋଲି ହୋ ବାର ବାର କହ

ସେ କିସ କହ କଲେ ହିତ

କହନ୍ତି ସେତ ବିପରୀତ

ଇଂରେଜୀ ଏ ଦେଶ ଶାସକ

ସେତ ତାଙ୍କର ଉପାସକ

ଇଂରାଜେ ବଡ଼ ନ୍ୟାୟବନ୍ତ

ନ୍ୟାୟଟି କରିବେ ଆମ୍ଭନ୍ତ

ତାହାଙ୍କ ସଙ୍ଗେ ସହଯୋଗ

ଆମ୍ଭେ ହେ କରିବା ପ୍ରୟୋଗ

ଏମନ୍ତେ କହନ୍ତି ସେ ବାଣୀ

କିପରି ନପାରେ ମୁଁ ଜାଣି

ଗାନ୍ଧି ଉବାଚ

ଘେନିଣ ତୁମ୍ଭ ଅନୁମତି

କହୁଛି କରି ମୁଁ ବିନତି

ନିନ୍ଦିବା ଏ ମହାପୁରୁଷେ

ନିର୍ଲଜ ପଣ ମୋତେ ଦିଶେ

ଏ ଯେ ଭାରତ ବର ସୁତ

ଦେଖ ତାଙ୍କର ପୁଣ୍ୟକୃତ

ସେ ତାଙ୍କ ନିଜର ଜୀବନ

ଦେଶ ସେବାରେ କଲେ ଦାନ

ଆମ୍ଭର ଯାହା କିଛିସବୁ

ତାଙ୍କରି ଠାରୁ ଶିକ୍ଷା ଲଭୁଁ

ଇଂରାଜୀ ଆମ ଦେଶେ ପଶି

ନିଅନ୍ତି ଆମ ରକ୍ତ ଶୋଷି

ଏକଥା ସେହି ଦାଦାଭାଇ

ଆମ୍ଭଙ୍କୁ ଦେଲେଟି ବତାଇ

ଯେବେ ଆମ୍ଭର ଶିକ୍ଷାଦାତା

ରଖିଲେ ଇଂରାଜୀରେ ଆସ୍ଥା

ଇଂରାଜ ଉପରେ ବିଶ୍ୱାସ

କିଅବା ହେଲା ସର୍ବନାଶ

ଆମ୍ଭେ ହୋ ଯୁବା ଉତ୍ସାହରେ

ଚାଲିବା ବୋଲି ଆଗଭରେ

ଯଦ୍ୟପି କାଢ଼ିଥାଉଁ ପାଦ

ସେକି ଅଳପ ପୂଜାସ୍ପଦ

ନିଜକୁ ମଣି ବୁଦ୍ଧିମାନ

ତାଙ୍କୁ କି ବୋଲିବା ସାମାନ୍ୟ

 

 

 

 

ଉଠିଛୁ ଯେ ନିଶୁଣି ବଳେ

ତାହାକୁ ଫିଙ୍ଗିଦେଲେ ତଳେ

କି ବୁଦ୍ଧିମତ୍ତା ପରିଚୟ

ତହିଁରେ ରହିଅଛି କହ

ସାରା ନିଶୁଣି ଯିବ ଭାଙ୍ଗି

ଭୋଗିବା ଆମ୍ଭେ ତାହା ଲାଗି

ବାଳୁତ କାଳ ହେଲେ ଅନ୍ତ

ଯେବେ ଯୁବକ ବଳବନ୍ତ

 

 

 

 

ଦେବାକି ତାରେ ତିରସ୍କୃତି

ସେ ସିନା ମଧୁମୟ ସ୍ମୃତି

ଯେ ଗୁରୁ ଗୃହେ ବିଦ୍ୟାଧ୍ୟାୟୀ

ଛାତ୍ର ଅବସ୍ଥା ଅତିବାହି

ଆଜ ହୋ ହୋଇଲୁ ସୁଜାଣ

ଗୁରୁ-ବଳକା ହେଲା ଜ୍ଞାନ

ତା ବୋଲି ଆମ୍ଭେକି ବିଚାରୁ

ବେଶୀ ବୁଦ୍ଧିଆ ତାଙ୍କଠାରୁ

 

 

 

 

ସେ ଆଦିଗୁରୁ ଆମ୍ଭେ ଶିଷ୍ୟ

ସେ ଚିର ଆମ୍ଭର ନମସ୍ୟ

ଦାଦାଭାଇଙ୍କି ସେହିପରି

ଗୁରୁ ସମାନ ଜ୍ଞାନ କରି

ଯଥା ଉଚିତ ଦେବା ମାନ୍ୟ

ସେ କେଭେ ନୁହନ୍ତି ସାମାନ୍ୟ

ତାଙ୍କ ଅଶେଷ କୃପାବଳେ

ହୋଇଛି ଭାରତ ମଣ୍ଡଳେ

ଜାତୀୟ ଭାବର ସଞ୍ଚାର

କେ କରେ ତାହା ଅସ୍ୱୀକାର

ପାଠକ ଉବାଚ

ଯାହାଟି କହିଲା ଉଚିତ

ଘେନିଲା ତାହା ମୋର ଚିତ୍ତ

ଦାଦାଭାଇଙ୍କୁ ନମସ୍କାର

ବିହିତ କଲିଟି ସ୍ୱୀକାର

ବୁଝିଲି ମୁଁହିଁ ହୃଦଗତେ

ଯେ ଭାବ ଖେଳେ ଏ ଭାରତେ

ସେଭଳି ସୁପୁରୁଷ ବିନା

ଅସମ୍ଭବଟି ଅଟେ ସିନା

 

 

 

 

କିନ୍ତୁଟି ଲାଗିଲା ସଂଶୟ

ପୁଷ୍କଳ ଭାବେ ଏବେ କହ

ଗୋଖଲେଙ୍କର ଯେ ବୃତ୍ତାନ୍ତ

ମୁଁ ତାହା ମଣୁଅଛି ଭ୍ରାନ୍ତ

ସେ କେଭେ ତେମନ୍ତ ନୁହନ୍ତି

ଇଂରାଜୀ ପ୍ରୀତି ତାଙ୍କ ଅତି

ଗାଇ ଇଂରାଜୀ ଗୁଣ ଗାଥା

କରନ୍ତି ତାଙ୍କ ସହାୟତା

ଗାନ୍ଧି ଉବାଚ

କହନ୍ତି ସେହି କେଉଁ ମୁଖେ

ରାଇ ଆପଣାଦେଶ ଲୋକେ

ସ୍ୱରାଜ୍ୟ ଦାବୀ ପୂରୁବରୁ

କର ହେ ଇଂରାଜୀଙ୍କି ଗୁରୁ

ତା ରାଜନୀତି ବୁଦ୍ଧି ବଳ

ଶିଖ ହେ ତାର କଉଶଳ

ଗୋଖଲେଙ୍କର ଏ ଭାଷଣ

ଶୁଣିଲେ ଚଟି ଯାଏ ମନ

 

 

 

 

କହନ୍ତି ଗାନ୍ଧି ସମ୍ପାଦକ

ଶୁଣ ହେ ସୁଧୀର ପାଠକ

ଉଚ୍ଛନ୍ନ ଯେବେ ହୁଏ ମନ

ସେ ତୁମ୍ଭ ଅଧୈର୍ଯ୍ୟ ଲକ୍ଷଣ

ପିତାମାତାଙ୍କୁ ଶାନ୍ତ ଧୀର

ଦେଖି ଯେ ଯୁବକ ଅସ୍ଥିର

ସେ ଯେବେ ଯୁବକର ସମ

ଚାଲିବା ପାଇଁକି ଅକ୍ଷମ

ଦେଖି ତାଙ୍କର ଅକ୍ଷମତା

ଯେ ଯୁବା କ୍ରୋଧେ କହେ କଥା

ସେତ ଅମାନ୍ୟ ଅନାଦାର

କରଇ ଜନନୀ ପିଅର

 

 

 

 

ଜନନୀ ଜନକ ସମାନ

କରିବ ଗୋଖଲେଙ୍କୁ ଜ୍ଞାନ

ଆମ୍ଭ ସରିକି କ୍ଷିପ୍ର ଗତି

ସେ ଯେବେ ଚାଲି ନ ପାରନ୍ତି

ତାହାଙ୍କୁ ମଣିବା କି ସାନ

ସେ ପରା ଦେବତା ସମାନ

ବଡ଼ ବଡ଼ଙ୍କୁ ତିରସ୍କାର

ଏମନ୍ତ ମନ୍ଦ ବୁଦ୍ଧି ଯାର

 

 

 

 

ସେ ଦେଶ ସ୍ୱରାଜ୍ୟ ଅଯୋଗ୍ୟ

ସ୍ୱରାଜ୍ୟ ତାର ନୁହେଁ ଭାଗ

ନିଜର ଗୁରୁ ଗୁରୁଜନ

ତାହାଙ୍କୁ କରିବ ପୂଜନ

ଯେ ଏହି କର୍ତ୍ତବ୍ୟକୁ ଟାଳେ

ଅକର୍ମା ହୋଇଯାଏ କାଳେ

ଯା ବୁଦ୍ଧି ଧୀର ପରିପକ୍ୱ

ସେହିଟି ସ୍ୱରାଜ୍ୟକୁ ଶକ୍ୟ

 

 

 

 

ଚଞ୍ଚଳ ଉତ୍ସୃଙ୍ଖଳ ଜୀବ

ସେ କାହିଁ ସ୍ୱରାଜ୍ୟ ପାଇବ

ବିଚାର କର ଏବେ ପୁଣ

ଗୋଖଲେଙ୍କର ଯେତେ ଗୁଣ

ଏ ଦେଶ ଶିକ୍ଷାପାଇଁ ହେଳେ

ବୀର ଗୋଖଲେ ଯେତେବେଳେ

ସୁଖ ସଂଭୋଗ ଦେଲେ ଦଳି

କିଏ ବା ଥିଲା ତାଙ୍କ ଭଳି

 

 

 

 

ମୋହର ବିଶ୍ୱାସ ଏମନ୍ତ

କରନ୍ତି ସେ ଯା ଗୁଣବନ୍ତ

ସେ ସର୍ବ ଅତି ଶୁଦ୍ଧ ଚିତ୍ତେ

କରନ୍ତି ସ୍ୱଦେଶର ହିତେ

ତାହାଙ୍କ ହୃଦେ ଦେଶ ଭକ୍ତି

ଏଡ଼େ ପ୍ରବଳ ଧରେ ଶକ୍ତି

ପଡ଼ିବ ଯେବେ ପ୍ରୟୋଜନ

ଦେବାକୁ ପ୍ରାଣ ବିସର୍ଜନ

 

 

 

 

ସେ ତିଳେ ନ ହେବେ କୁଣ୍ଠିତ

ନିନ୍ଦିବା ତାଙ୍କୁ ଅନୁଚିତ

ସେ ଯାହା ନ୍ୟାୟ ବିଚାରନ୍ତି

ନିର୍ଭୟେ ପ୍ରକାଶ କରନ୍ତି

ତାଙ୍କର କୌଣସି ଶବଦ

ନୁହଇ କେବେ ତୋଷାମଦ

ତେଣୁ ସେ ପୂଜ୍ୟଟି ଆମ୍ଭର

ତାହାଙ୍କୁ ନମସ୍କାର କର

ପାଠକ ଉବାଚ

ତେବେ କି ଗୋଖଲେଙ୍କ କଥା

ଆମ୍ଭେ ହେ ପାଳିବୁ ସର୍ବଥା

ସଂପାଦକ ଉବାଚ

ମୋହର କହିବା ଉଦ୍ଦେଶ୍ୟ

କଦାପି ନୁହଇ ତା ଲେଶ

ନିର୍ମଳ ହୃଦେ ମତ ଭେଦ

ଥିବାରେ ତିଳେ ନାହିଁ ଖେଦ

ଯେ ଯାର ଅନ୍ତରର ବାଣୀ

ମାନି ଚଳନ୍ତୁ ସର୍ବପ୍ରାଣୀ

ତହିଁରେ ନାହିଁ ଦୋଷାଦୋଷ

ସେ ଦେବେ ଏହି ଉପଦେଶ

 

 

 

 

 

 

 

 

ତେଣୁ ତାଙ୍କର କାର୍ଯ୍ୟମାନ

ନିନ୍ଦା ନ କର କଦାଚନ

ସେ ଆମ୍ଭଠାରୁ ବହୁ ବଡ଼

ଏ କଥା କରିବା ସ୍ୱୀକାର

ତାଙ୍କର ଯେତେ ଦେଶସେବା

କି ତାର ତୁଳନା ହିଁ ଦେବା

ତାଙ୍କର ଦେଶସେବା ସଙ୍ଗେ

ଆମ୍ଭର ନ ଯିବ ପାସଙ୍ଗେ

କେତେକ ପତ୍ର ଯେ ପତ୍ରିକା

କରନ୍ତି ତାଙ୍କ ନାମେ ଟୀକା

ଲେଖନ୍ତି ଅଶିଷ୍ଟ ବଚନ

ଉଚିତ ନୁହେଁ କଦାଚନ

ଏମନ୍ତେ ଯେତେ ଯେତେ ଲେଖା

ପଡ଼ିବ ଆମ୍ଭ ଆଗେ ଦେଖା

କରିବା ତାର ପ୍ରତିବାଦ

ତେଣେ କର୍ତ୍ତବ୍ୟ ହେବ ସାଧ

ଆବର କର୍ତ୍ତବ୍ୟ ଆମ୍ଭର

ଏ ଯେତେ ଯେତେ ଗୁଣନ ର

ଗୋଖଲେ ସଦୃଶ ମାନବ

ମଣିବା ସ୍ୱରାଜ୍ୟର ସ୍ତମ୍ଭ

ଆପଣା ମତଟିକୁ ସାର

ମୂଢେ ହିଁ କରନ୍ତି ବିଚାର

ଭ୍ରମ ଅଟଇ ଅନ୍ୟ ମତ

ଭାବିବା ନୁହଇ ସଙ୍ଗତ

ଯେ ଅବା ଅନ୍ୟ ମତ ପୋଷେ

ଦେଶର ଶତ୍ରୁ ହୋଇ ବସେ

ଏମନ୍ତେ ଆତ୍ମବଡ଼ୀ ପ୍ରାୟ

ଭାବିବା ଅଟଇ ଅନ୍ୟାୟ

ପାଠକ ଉବାଚ

ଏବେ ତୁମ୍ଭର କଥାତକ

ବୁଝି ମୁଁ ପାରୁଛି କେତେକ

ତଥାପି ସେହି ବିଷୟରେ

ବିଚାରି ଦେଖିବି ମୁଁ ପରେ

ଏବେ ହୋ ବୁଝାଇଣ କହ

ମୋ ମନ ହେଉଛି ସନ୍ଦେହ

ହିଉମ ସାହେବଙ୍କ ଭଲ

ଗୁଣ ଯେ ତୁମ୍ଭେ ଗାଇଗଲ

ଆବର ବେଡର ବରନ

କହିଛି ଯେତେ ଗୁଣଗ୍ରାମ

ସେ ସବୁ ନୋହେ ହୃଦବୋଧ

ବୁଝାଇ କହ ହେ ବିଶଦ

ଗାନ୍ଧି ଉବାଚ

ଗୋଖଲେ ଦାଦାଭାଇଙ୍କର

ବିଷୟ ତୁମ୍ଭଙ୍କୁ ଗୋଚର

ହିଉମ ବେଡର ବରନ

ସମ୍ବନ୍ଧେ ସମ ଆଚରଣ

ଯେ ହିତକାରୀ ଆମ୍ଭ ପାଇଁ

ଦେଶୀ ବିଦେଶୀ ଭେଦ ନାହିଁ

ଯେ ସତ୍ୟ ଆମ୍ଭ ତୁଲେ ଖଟେ

ସେହିଟି ତାହାଙ୍କ ନିକଟେ

 

 

 

 

ଇଂରାଜ ମାତ୍ରକେ ଦୁର୍ଜନ

ଏ କଥା ନୁହେଁ କଦାଚନ

ଅନେକ ଇଂରାଜ ଅଛନ୍ତି

ଆମ୍ଭ ସ୍ୱରାଜ ସେ ଇଚ୍ଛନ୍ତି

ଅବଶ୍ୟ ଇଂଲଣ୍ଡ ନିବାସୀ

ଅଧିକ ସ୍ୱାର୍ଥର ପ୍ରୟାସୀ

ଏ ଦୋଷ ତାଙ୍କ ଜାତିଗତ

ଅଟଇ ସରବ ସମ୍ମତ

 

 

 

 

ସବୁ ଇଂରାଜୀ ସେଥିଲାଗି

ନୋହିବେ କେବେ ଦୋଷଭାଗୀ

ପ୍ରତ୍ୟେକ ଲୋକ ଇଂଲଣ୍ଡର

ନୁହନ୍ତି ମନ୍ଦ ସ୍ୱାର୍ଥପର

ଯେ ଜନ ନ୍ୟାୟ ଆଶା କରେ

ଆପଣେ ନ୍ୟାୟହିଁ ଆଚରେ

ତେଣୁଟି ବିଦେଶୀଙ୍କ ପ୍ରତି

ଧରିବା ଆମ୍ଭେ ନ୍ୟାୟ ନୀତି

ଯେମନ୍ତେ ସେହି ଆମ୍ଭ ତୁଲେ

ନ୍ୟାୟ ହିଁ ଆଚରିବେ ଭଲେ

ଯେ ହିତ ବେଡର ବରନ

କଲେ ହୋ ଆମ୍ଭରି କାରଣ

ଯେବେ ତା ନ କରି ବିଚାର

ଏତିକି ସ୍ୱୀକାର ହୋ କର

ସେ କେବେ ହୃଦେ ବହି ଛନ୍ଦ

ପାଞ୍ଚି ନାହାନ୍ତି ଆମ୍ଭ ମନ୍ଦ

ବହୁତ ହେଲା ଉପକାର

ଏହାତ କରିବା ସ୍ୱୀକାର

ନୋହିଲେ ହୋଇବ ଅନ୍ୟାୟ

କୃତଘ୍ନ ମାନବର ପ୍ରାୟ

ସର୍ବଦା ନ୍ୟାୟ ଆଚରଣ

କରିବା ଅଟେ ବୀରପଣ

ସ୍ୱରାଜ ସିଦ୍ଧି ପାଇଁ ନ୍ୟାୟ

ଅଟଇ ଉତ୍କୃଷ୍ଟ ଉପାୟ

ଧରିଲେ ସତ୍ୟ ନ୍ୟାୟପଥ

ସ୍ୱରାଜ ତୁରିତେ ପ୍ରାପତ

ଏହା ଯେମନ୍ତେ ହିତକାରୀ

କହିବି ଅନ୍ୟତ୍ର ବିସ୍ତାରି

ଏବେ ହୋ କହୁଛି ମୁ୍ଁ ଠିକେ

ଯଦ୍ୟପି ଇଂରାଜ ମାତ୍ରକେ

କରିବ ନିଜ ଶତ୍ରୁଜ୍ଞାନ

ସ୍ୱରାଜ୍ୟ ହେବେ ଅନ୍ତର୍ଦ୍ଧାନ

ଯେବେଟି ମିତ୍ର ପରକାରେ

ତୋଷିବ ନ୍ୟାୟ ବ୍ୟବହାରେ

ସେ ତୁମ୍ଭ ସ୍ୱରାଜ୍ୟ ସାଧନେ

ସାହାଯ୍ୟ ହେବେ ସ୍ୱଚ୍ଛମାନେ

ପାଠକ ଉବାଚ

ସ୍ୱରାଜ୍ୟ ସାଧନେ ଇଂରାଜ

ଆମ୍ଭଙ୍କୁ ହୋଇବେ ସାହାଯ୍ୟ

ଏ ଅଟେ ଅତି ବାଜେ କଥା

ଏଥି ନପଣେ ମୋର ମଥା

ଆମ୍ଭର ସ୍ୱରାଜ୍ୟ ପ୍ରାପତି

ତାଙ୍କ ସାହାଯ୍ୟ ତହିଁ ପ୍ରତି

କିପରି ରହୁଛି ସମ୍ବନ୍ଧ

ଉଭୟେ ବିପରୀତ ପଦ

ଏକଥା ଏହିଠାରେ ଥାଉ

ସମୟ ବ୍ୟୟ ନୋହୁ ଆଉ

ଯେବେ ସ୍ୱରାଜ୍ୟ ଲାଭ ପାଇଁ

ଉପାୟ କହିବ ବୁଝାଇ

ତେବେ ତା ପାରିବ ବା ବୁଝି

ସେ କଥା ଏବେ ରଖ ଆଜି

ଇଂରାଜୀଙ୍କର ସହାୟତା

ସମ୍ବନ୍ଧେ କହିଲି ଯେ କଥା

ମୋ ମନେ ହେଉଛି ସନ୍ଦେହ

ସେ କଥା ଆଉ ନଉଠାଅ

ଗାନ୍ଧି ଉବାଚ

ଇଂରାଜୀମାନଙ୍କ ପ୍ରସଙ୍ଗ

ଏବେ ମୁଁ କରୁଅଛି ସାଙ୍ଗ

ତୁମ୍ଭ ମନରେ ଯେ ସନ୍ଦେହ

ସେ ପାଇଁ ମୋର ନାହିଁ ଭୟ

ଅପ୍ରିୟ ସତ୍ୟ ଯେ ବଚନ

ଆଦ୍ୟେ ମୁଁ କରି ସମାପନ

ସେ ସବୁ ଧୀରେ ଧୀରେ କ୍ଷୟ

କରିବି ମୁହଁଟି ନିଶ୍ଚୟ

ପାଠକ ଉବାଚ

ଯାହା କହିଲି ତୁମ୍ଭେ ସାର

ମୁଁ ତାହା କରୁଛି ସ୍ୱୀକାର

ଏଥର ପାଇଲି ସାହସ

ମିଳିଲା ମୋତେ ଅବକାଶ

ମୋ ମନ କହିବି ଫିଟାଇ

ଆଉ ମୋହୋର ଭୟ ନାହିଁ

ମୋତେ ଯା’ ଦିଶୁଅଛି ଭଲ

କହିବି ଏବେ ସେ ସକଳ

ଆବର ଏହି କଥା ଗୋଟି

ମେ ମନେଉଠୁଛି ଲେଉଟି

କଂଗ୍ରେସ ହୋଇଲା ଆରମ୍ଭ

ତା ସଙ୍ଗେ କେଉଁପରି ଦମ୍ଭ

ପଡ଼ିଲା ସ୍ୱରାଜ୍ୟର ନିଅଁ

ବୁଝାଇ ମୋତେ କହି ଦିଅ

କଂଗ୍ରେସ ସଙ୍ଗେ ସ୍ୱରାଜ୍ୟର

ସମ୍ବନ୍ଧ କିବା ପରସ୍ପର

ମୋ ମନେହେଉଛି ସନ୍ଦେହ

ବୁଝାଇ ମୋତେ ତାହା କହ

ଗାନ୍ଧି ଉବାଚ

କଂଗ୍ରେସ ଆରମ୍ଭେ କିପରି

ସ୍ୱରାଜ ନିଅଁଗଲା ପଡ଼ି

ମୁଁ ତାହା କରୁଛି ବୟାନ

ପାଠକେ କର ଅନୁଧ୍ୟାନ

ଭାରତେ ବିଭିନ୍ନ ପ୍ରଦେଶ

ବିଭିନ୍ନ ଭାଷା ବେଶ ବାସ

ସଭିଙ୍କୁ କଂଗ୍ରେସର ବାଣୀ

ଜାତୀୟ ଭାବ ଦେଲା ଆଣି

ସଭିଙ୍କି କଲା ଏକ ମେଳ

ସରକାରଙ୍କୁ ହେଲା ଶେଳ

ପଡ଼ିଲା ତାଙ୍କ କୋପଦୃଷ୍ଟି

ତେଣୁଟି ପ୍ରତିକ୍ରିୟା ସୃଷ୍ଟି

କଂଗ୍ରେସ ଏଣେ ଧରି ଟାଣ

ବାଢ଼ିଲା ନିଜ ଦାବୀମାନ

ମାଗିଲା ଆମ୍ଭ ଆୟବ୍ୟୟ

ଆମ୍ଭେଟି କରିବୁଁ ନିର୍ଣ୍ଣୟ

କାନେଡ଼ା ରାଜ୍ୟପରି ଆଜ

ଆମ୍ଭର ଦାବୀଟି ସ୍ୱରାଜ୍ୟ

ସଦା ସର୍ବଦା ଏହି ଦାବୀ

କଂଗ୍ରେସ କହିଛି ଆହବି

ହେଉ ବା ନ ହେଉ ସେ ଲାଭ

ସେତ ଅଟଇ ଅନ୍ୟ ଭାବ

ଆମ୍ଭେ ତା ଚାହୁଁକି ନ ଚାହୁଁ

ସେ କଥା ଉଠୁଅଛି କାହୁଁ

?

ତା ତହୁଁ ଉତ୍ତମ ଶାସନ

ହୋଇଛି କାହିଁ ସଂସ୍ଥାପନ

?

ଏ ସବୁ କଥା ଥାଏ ଉଠି

ସ୍ୱରାଜ୍ୟ ଭାବନା ଯେଉଁଠି

ମାତର ଏହାର ଉତ୍ତର

ଦେବାର କିବା ଦରକାର

ମୁଁ ଖାଲି ହେଉଛି ଦେଖାଇ

ତୁମ୍ଭ ସନ୍ଦେହ ଦୂର ପାଇଁ

କଂଗ୍ରେସ ସଙ୍ଗେ ସ୍ୱରାଜ୍ୟର

କିବା ସମ୍ବନ୍ଧ ପରସ୍ପର

କର ହେ ତୁମ୍ଭେ ଅନୁଧ୍ୟାନ

ମହତ କଂଗ୍ରେସର ଦାନ

ଆଜି ଭାରତେ ପ୍ରାଣେ ପ୍ରାଣେ

ନୂତନ ଧର୍ମର ପ୍ରମାଣେ

ଦେଇଛି ନବୀନ ଉତ୍ସାହ

ଲଗାଇ ସ୍ୱରାଜ୍ୟ ମୋହ

କଂଗ୍ରେସ ବିନା କହ କିଏ

ସ୍ୱରାଜ୍ୟ ଭାବ ଆଣିଦିଏ

କଂଗ୍ରେସର ଏ ଉପକାର

ଅବଶ୍ୟ କରିବା ସ୍ୱୀକାର

ତାହାର ଏହି ବାହାଦୂରୀ

ଅନ୍ୟକେ ଯଦି କରେ ଚୋରି

ଅତି ଅନ୍ୟାୟ ସେହିକଥା

ସେ ବଡ଼ ଘୃଣ୍ୟ କୃତଘ୍ନତା

ସ୍ୱରାଜ ପଥରେ ଏ ଜାଣ

ଅଟଇ କଣ୍ଟକ ସମାନ

ଆମ୍ଭର ଯେବେ ହୁଏ ପ୍ରତେ

କଂଗ୍ରେସ ସ୍ୱରାଜର ପଥେ

ଅଟଇ ମହା ବିଘ୍ନକର

ଭ୍ରମଟି ହୋଇବ ଆମ୍ଭର

ତେବେ ଏ କଂଗ୍ରେସକୁ ଧରି

ସ୍ୱରାଜ ଲଭିବୁ କିପରି

 

 

 

 

ଏମନ୍ତେ ରହିଥିଲେ ଭାବ

ନୋହିବ ତାର ଉପଯୋଗ

କଂଗ୍ରସ ସ୍ଥାପନା ହିଁ ବ୍ୟର୍ଥ

ହେବା ସ୍ୱରାଜ୍ୟେ ଅସମର୍ଥ

ଘେନ ଏ ମୋହନର ବାଣୀ

ଅକାଟ୍ୟ ସତ୍ୟ ପ୍ରାୟ ମଣି

 

ଦ୍ୱିତୀୟ ଅଧ୍ୟାୟ

ବଙ୍ଗ ଭଙ୍ଗ

ପାଠକ ଉବାଚ

ଯଦି ସ୍ୱରାଜ ମୂଳଦୁଆ

କଂଗ୍ରେସ ହାତେ ହେଲା ଦିଆ

ଏ ମୂଳ ଭିତ୍ତିର ସ୍ଥାପନ

ନୁହେଁ ପ୍ରକୃତ ଜାଗରଣ

ପ୍ରକୃତ ଜାଗୃତି ଏ ଦେଶେ

ଆସିଲା କେବେ କେଉଁ ବେଶେ

ସେ କଥା କହ ସ୍ଥିର କରି

ଯାଉଁ ମୋ ଭ୍ରମ ଅପସରି

ଗାନ୍ଧି ଉବାଚ

ବୀଜର ମଧ୍ୟେ ଥାଏ ବୃକ୍ଷ

ସେ କେଭେ ନୁହଇ ପ୍ରତ୍ୟକ୍ଷ

ଭୂମି ମଧ୍ୟରେ ବୀଜ ଥାଏ

ଭୂମି ମଧ୍ୟରେ ଲୋପ ପାଏ

ସେ ପୁଣି ବୃକ୍ଷର ଆକାରେ

ପ୍ରକାଶି ଅନ୍ୟରୂପ ଧରେ

ତେମନ୍ତେ କଂଗ୍ରେସକୁ ଜାଣ

ସ୍ୱରାଜ ବୀଜର ପ୍ରମାଣ

 

 

 

 

ଜାଗରଣର ମୂଳ ସେହି

ଏଥିର ସନ୍ଦେହଟି ନାହିଁ

ପ୍ରକୃତ ଜାଗରଣ ବୋଲି

ତୁମ୍ଭେ ଯାହା କହୁଛ ବୁଝିଲି

ବଙ୍ଗର ଅଙ୍ଗ ଭଙ୍ଗ କାଳେ

ଜନମ ତାର ଏ ଶୟଳେ

କର୍ଜନ ନାମେ ଥିଲେ ଲାଟ

ତାଙ୍କରି ଲାଗି ଏ ବିଭ୍ରାଟ

 

 

 

 

ଏ ଯେଉଁ ନବୀନ ଜାଗୃତି

ଅଟଇ ତାହାଙ୍କର କୃତି

ତେଣୁଟି ଆମ୍ଭେ ତାଙ୍କଠାରେ

କୃତଜ୍ଞ ଥିବା କାଳେ କାଳେ

ଏ ମହାପ୍ରଭୁ ପରଚଣ୍ଡ

ବଙ୍ଗକୁ କଲେ ବେନି ଖଣ୍ଡ

ବଙ୍ଗ ଦେଶର ନର ନାରୀ

ଯେତେହେଁ କଲେକ ଗୃହାରି

 

 

 

 

କ୍ଷମତା ମଦେ ହୋଇ ମତ୍ତ

ଶୁଣିଲେ ନାହିଁ ସେ ସମସ୍ତ

ଭାବିଲେ ଏ ଭାରତବାସୀ

ଅଯଥା ଦମ୍ଭ ପରକାଶି

କରନ୍ତୁ ଯେତେ ହୁରି ହାରି

ଶୁଣିବି ନାହିଁ ମୁଁ କାହାରି

ବଳେ ସେ ପଡ଼ିଯିବେ ତୁନି

ଏ ଭାବେ ରହିଲେ ମଉନି

 

 

 

 

ଗ୍ରାସିଲା ଅହଂକାର ମନ୍ଦ

ନ ମାନି କାହାରି ନିଷେଧ

ସକଳ କରିଣ ଅବଜ୍ଞା

ଦେଲେ ନାଦିରସାହୀ ଆଜ୍ଞା

ବଙ୍ଗକୁ ଦୁଇଖଣ୍ଡ କର

ସବୁ କନ୍ଦଳ ହେଉଦୂର

ମାତର ଇଂରାଜୀ ରାଜତ୍ୱ

ସେ ଦିନୁ ହେଲା ଅସ୍ତବ୍ୟସ୍ତ

 

 

 

 

ତାଙ୍କରି ଶାସନର ଦଣ୍ଡ

ହୋଇଲା ଜାଣ ବେନି ଖଣ୍ଡ

ଏ ବଙ୍ଗ ଭଙ୍ଗ ପରିଣାମ

କଲା ଇଂରାଜ ଭାଗ୍ୟ ବାମ

ସର୍ପ ହୁଳରେ ମାରି ହାତ

ସର୍ପକୁ କରିଲେ କୁପିତ

ସେ ଯେହ୍ନେ ଗାଳଇ ଗରଳ

ତେମନ୍ତ ତାର ହେଲା ଫଳ

 

 

 

 

ଏ ବଙ୍ଗ ଭଙ୍ଗ ପରୁଆନା

କଲା ଇଂରାଜ ରାଜ୍ୟ ଚୁନା

ଏ ବଙ୍ଗଭଙ୍ଗର ସଦୃଶ

ଆଉବା ଯେତେ ଯେତେ ଦୋଷ

କାହିଁରେ ଏଡ଼େ ପରଚଣ୍ଡ

ପାଇ ସେ ନଥିଲେ ତ ଦଣ୍ଡ

ତାଙ୍କର ରାଜଛତ୍ର ମାଥେ

ଏ ଯେହ୍ନେ କରିଛି ଆଘାତେ

 

 

 

 

ଏମେନ୍ତ ଆନ କର୍ମେ ଫଳ

ପାଇ ନଥିଲେ ଅବିକଳ

ପାଠକେ ଏହା ବୋଲି ମନେ

ନ ଭାଳ ତୁମ୍ଭେ କଦାଚନେ

ବଙ୍ଗର ଅଙ୍ଗ ଛେଦୁଁ ବଳି

ଅନ୍ୟାୟ ନାହାନ୍ତି ସେ କରି

ଲବଣ ଆଇନର ପ୍ରାୟ

କି ଅଛି ଅଧିକ ଅନ୍ୟାୟ

 

 

 

 

ତା ତହୁଁ ବଳି ବଳି ପାପ

ଇଂରାଜେ କରନ୍ତି ଅମାପ

ତାହାର ନାହିଁଟି କଳନା

ଆଗେ ତା ବଳେ ଯିବ ଜଣା

ସେ ସବୁ ଅନ୍ୟାୟର ପାଇଁ

ଏମନ୍ତ ନିଆଁ ଜଳି ନାହିଁ

କିନ୍ତୁ ଏ ବଙ୍ଗଭଙ୍ଗ ବେଳେ

ପ୍ରଳୟ ପର୍ବ ହେଲା ହଲେ

 

 

 

 

ଏହାର ଅଟେ ମୂଳ ତଥ୍ୟ

ଜନତା ଥିଲାଟି ଉଦ୍ୟତ

ଅନ୍ୟାୟ ମାତ୍ରେ ପ୍ରତିବାଦ

କରିବା ପାଇଁ ଥିଲା ସାଧ

ଦେହରେ ଓଜ ତେଜ ବଳ

ଅପମାନର ହଳାହଳ

ତେଣୁଟି ହୋଇଲା ସମ୍ଭବ

ଏ ଆନ୍ଦୋଳନ ଉଦଭବ

 

 

 

 

 

 

 

 

ପ୍ରସ୍ତୁତ ହେଲେ ନେତୃବର୍ଗ

କରିବେ ଜୀବନ ଉତ୍ସର୍ଗ

ନିଜ ଶକ୍ତିରେ ରଖି ଆସ୍ଥା

ସୃଜିଲେ ବିଷମ ଅବସ୍ଥା

ତେଣୁ ବିସ୍ପୋଟ ହେଲା ଜାତ

ସେତ ନୁହଇ ନିର୍ବାପିତ

ଏ ଆଜ୍ଞା ଯେବେ ରଦ୍ଦ ହେବ

ତେବେ ସେ ଅନଳ ଲିଭିବ

ଏ ଆଜ୍ଞା ନିଶ୍ଚେ ହେବ ରଦ୍ଦ

ଯହିଁ ଏମନ୍ତ ପ୍ରତିରୋଧ

ବଙ୍ଗଳା ପୁଣି ହେବ ଏକ

ରହିବ ବଙ୍ଗଳାର ଟେକ

କିନ୍ତୁ ଏ ଆନ୍ଦୋଳନ ଫଳରେ

ଇଂରାଜୀ ବୋଇତରେ ତଳେ

ଫିଟିଲା ଯେଉଁ ଝର ମୁହଁ

ସେତ ସୁଧୁରିବାର ନୁହଁ

ବଢ଼ିବ ଦିନୁ ଦିନୁବ୍ୟାଧି

ଶେଷ ତା ଜଳରେ ସମାଧି

ଜାଗିଛିଏ ଭାରତ ଭୂଇଁ

ସେ ଆଉ ନ ପାରିବ ଶୋଇ

ବଙ୍ଗ ଭଙ୍ଗର ରଦ୍ଦ ଦାବୀ

ସ୍ୱରାଜ ଦାବୀ ବୋଲି ଭାବି

ବଙ୍ଗନେତାଏ ଆନ୍ଦୋଳନ

କରୁ ଯେ ଅଛନ୍ତି ଚାଳନ

ଆବର ଇଂରାଜୀ ସାହାବେ

ବୁଝନ୍ତି ଏହା ଭଲ ଭାବେ

ତେଣୁ ସେ ଗଣନ୍ତି ପ୍ରମାଦ

ଏ ଆଜ୍ଞା ନ କରନ୍ତି ରଦ୍ଦ

ଏଣେ ହୋ ଦିନୁ ଦିନୁ ଟାଣ

ହୁଅଇ ଜାତି ସଂଗଠନ

ବଢ଼ିଇଜାତୀୟ ଶକତି

ଦୂର ହୁଅଇ ଭୟଭ୍ରାନ୍ତି

ଏ ଯେଉଁ ସଂଗଠନ ବଳ

ଦିନକେ ନ ହୁଏ ସଫଳ

ବିତଇ ବରଷେ ବରଷେ

ସଫଳ ପୁଣି ହୁଏ ଶେଷ

ପାଠକ ଉବାଚ

ବଙ୍ଗ ଭଙ୍ଗର ଫଳାଫଳ

ମଙ୍ଗଳ ଅବା ଅମଙ୍ଗଳ

କି ତୁମ୍ଭେ କରିଅଛ ଲକ୍ଷ୍ୟ

ମୋତେ ତା କହିବ ପ୍ରତ୍ୟକ୍ଷ

ସଂପାଦକ ଉବାଚ

ଗାନ୍ଧିଜୀ ସମ୍ପାଦକ ମତେ

କହନ୍ତି ପାଠକ ଅଗ୍ରତେ

ବଙ୍ଗ ଭଙ୍ଗର ଫଳେ ଯାହା

ହେଲାଟି ଏବେ ଶୁଣ ତାହା

ବଙ୍ଗ ଭଙ୍ଗର ଆଗ ଆଗ

ଆମ୍ଭ ଅଭାବ ଅଭିଯୋଗ

ବ୍ରିଟିଶ ସମ୍ରାଟଙ୍କ ପଦେ

ଗୃହାରି କରୁଥିଲୁଁ ଆଦ୍ୟେ

 

 

 

 

ଆରତସ୍ୱରେ ଦେଉଁ ଡାକ

ହେ ନରନାଥ ରଖ ରଖ

 

ତୁମ୍ଭ ବିହୁନୁ ନରପତି

ନାହିଁ ଆମ୍ଭର ଅନ୍ୟ ଗତି

ତୁମ୍ଭେ ହେ ମୁକତି କାରଣ

କର ଆମ୍ଭକୁ ପରିତ୍ରାଣ

ସେ ଡ଼ାକ ଯାଏ ଅକାରଣେ

ନ ପଡ଼େ ତାହାର ଶ୍ରବଣେ

 

 

 

 

ଆପଣା କରମ ଆଦରି

ନୀରବେ ରହୁଁ ଜଡ଼ ପରି

ମଧ୍ୟ ମଧ୍ୟରେ ଘନ ଘନ

ଜଣାଉଥାଉଁ ନିବେଦନ

ଏ ଯେତେ ନିଷ୍‌ଫଳା ବିନତି

ନ ଥିଲାତହୁଁ ଅନ୍ୟ ଗତି

ବଙ୍ଗ ଭଙ୍ଗହିଁ ଦେଲାକହି

ଭିକ୍ଷାରେ କିଛି ହିଁ ନ ମିଳଇ

 

 

 

 

ଯେତେ ଗୃହାରି ନିବେଦନ

ସେ ସବୁ ଅରଣ୍ୟ ରୋଦନ

ଦୁର୍ବଳ ଲୋକର ଗୁହାରି

ନ ପଡ଼େ କର୍ଣ୍ଣରେ କାହାରି

ସମର୍ଥ ଲୋକର ମାଗୁଣି

ସମସ୍ତେ ଥାଆନ୍ତିଟି ଶୁଣି

ତେଣୁ ଯେ ନିବେଦନ ମୂଳେ

ଶକତି ରହିଥାଏ ଠୁଳେ

 

 

 

 

ଯେ ହେବ ନିବେଦନକାରୀ

ସେ ଯେବେ ହୁଏ ଶକ୍ତିଶାଳୀ

କଷ୍ଟ ସହିବାପାଇଁ ତାର

ଥିବଟି ସାମର୍ଥ୍ୟ ଆବର

ଦେବାକୁ ପୁଣି ବଳିଦାନ

ପ୍ରସ୍ତୁତ ଥିବ ଯାର ପ୍ରାଣ

ତା ନିବେଦନ ହୁଏ ଘେନା

କେ ତାକୁ କରିପାରେ ମନା

 

 

 

 

ଏ ନୂଆନୂଆ ବଳ

ବଙ୍ଗ ଭଙ୍ଗର ଜାଣ ଫଳ

ଏ ଭାବ ପତ୍ରପତ୍ରିକାରେ

ପ୍ରକାଶ ପାଇଲା ଲେଖାରେ

ଯେ କଥା ଗୁପତରେ କାହିଁ

କହି କେ ପାରୁଥିଲା ନାହିଁ

ତା ଏବେ କହିଲେ ପ୍ରକଶ୍ୟେ

ସ୍ପଷ୍ଟ ଭାବରେ ସ୍ପଷ୍ଟଭାଷେ

 

 

 

 

ଲୋକଙ୍କ ମଧ୍ୟରେ ଏ ବଳ

ଅଟଇ ବଙ୍ଗ ଭଙ୍ଗ ଫଳ

ପୁଣି ସ୍ୱଦେଶୀ ଆନ୍ଦୋଳନ

ହୋଇଲା ଏକାଳେ ଜନମ

ଏହା ପୂର୍ବରୁ ଯେ ଅବସ୍ଥା

କହିବା କିସ ସେହି କଥା

କିଅବା ବଡ଼ ସାନ ଯେତେ

ରହିଣ ଥିଲେ ଭୟଭୀତେ

 

 

 

 

 

 

 

 

ଇଂରାଜୀ ଦେଖିଲା ମାତ୍ରକେ

ହୃଦୟ ଥରହର କମ୍ପେ

ସେ ଡର ଘୁଞ୍ଚିଲା ଏଥର

ବଙ୍ଗ ଭଙ୍ଗର ଜାଣ ଫଳ

ମାରପିଟର ଡର ଗଲା

କାରାର ଭୟ ହିଁ ଭାଜିଲା

କେତେ ଯେ ଭାରତ ଦୁଲାଳ

ନିର୍ବାସନରେ କଟେ କାଳ

 

 

 

 

ନିଜ ଦେଶରୁ ତଡ଼ା ଖାଇ

ତଥାପି ତିଳେ ଚିନ୍ତା ନାହିଁ

ଏ ଭାବ ଯାଉଛି ପ୍ରସାରି

ଏ ନୁହେ ନେହୁଲା ଗୁହାରି

ଏ ଅଟେ ଏକନବ ବଳ

ବଙ୍ଗ ଭଙ୍ଗର ଜାଣ ଫଳ

ଏ ଯେ ନବୀନ ଜାଗରଣ

ଖାଣ୍ଡବ ଦହନ ସମାନ

 

 

 

 

ଏ ନିଆଁ କ୍ଷଣେ ବ୍ୟାପିଗଲା

ଉତ୍ତରେ ପଞ୍ଜାବ ଗ୍ରାସିଲା

ଦକ୍ଷିଣେ କୁମାରିକା ଯାଏ

ବ୍ୟାପି ସେ ଗଲା ନିଜ ଛାଏଁ

ପାଠକ ଉବାଚ

ଅସ୍ଥିର ହୋଇଣ ପାଠକ

ପୁଛନ୍ତି ଶୁଣ ସମ୍ପାଦକ

ଏଥୁ ଅଧିକ ଆଉ କିବା

ଘଟିଲା ହେଉ ହେ କହିବା

ଗାନ୍ଧି ଉବାଚ

ଏହାର ଆଉ ଯେବା ଫଳ

କହିବ ଶୁଣ ଅବିକଳ

ଇଂରେଜୀ ଜାହାଜରେ କଣା

ଯେମନ୍ତେ ହେଲା ତୋତେ ଜଣା

ସେ ଏହି ବଙ୍ଗ ଭଙ୍ଗ ଫଳ

ମୁଁ ତାହା କହିଛି ସକଳ

ତେମନ୍ତେ ତାର ପରିଣାମ

ହୋଇଲା ଆମ୍ଭଙ୍କୁ ବିଷମ

ଆମ୍ଭ ଜାତୀୟ ଏକତାରେ

ତେମନ୍ତେ ଫାଙ୍କ ହେଲା ତଳେ

ଏଭଳି ଯେତେ ବଡ଼ କାମ

ବଡ଼ଟି ତାର ପରିଣାମ

 

 

 

 

ଅବଶ୍ୟ ଅନେକ ମଙ୍ଗଳ

କରିଛି ବଙ୍ଗ ଭଙ୍ଗ ଫଳ

ତଥାପି ଏକ ମହା ହାନି

କଲେ ସେ ଏହା ରଖ ଜାଣି

ଆମ୍ଭର ଯେତେ ନେତା ଥିଲେ

ଫାଟି ସେ ଦୁଇ ଫାଙ୍କ ହେଲେ

ଥୋକେ ଗରମ ପନ୍ଥାପନ୍ଥୀ

ଆରେକେ ନରମ କହନ୍ତି

 

 

 

 

ଗରମ ଦଳକୁ ସାହସୀ

କେହିବା କହୁଥାନ୍ତି ବସି

ନରମେ ମାନ୍ଦା ଭୀରୁ କହି

ଦିଅନ୍ତି ଅବା କେହିକେହି

ଯେ ଯାହା ଚିନ୍ତା ଅନୁସାରେ

ଏହି ଶଦ୍ଦରେ ଅର୍ଥ କରେ

ତେଣେ ନେତାଙ୍କ ଦୁଇ ଦଳ

ମଧ୍ୟରେ ଲାଗିଛି କନ୍ଦଳ

 

 

 

 

ପରସ୍ପରରରେ ଅବିଶ୍ୱାସ

ଗାଳିରେ ନ ରଖନ୍ତି ବାସ

ସୁରାଟ କଂଗ୍ରେସ ସଭାରେ

ଉଭୟ ଦଳ ରୋଷଭରେ

ହୋଇତ ଗଲେ ହାତାହାତି

କେ କାହା ଶୁଭ ନ ଚାହାନ୍ତି

ଏମନ୍ତେ ଦଳାଦଳି ଗୋଳ

ଦେଶ ପକ୍ଷରେ ଅମଙ୍ଗଳ

 

 

 

 

କିନ୍ତୁ ଭରସା ଅଛି ମୋର

ଅଚିରେଏହା ହେବ ଦୂର

କେତେ କାଳ ଯେ ଏହିପରି

ଚାଲିବ ନ ପାରୁଛି କଳି

ନେତାଙ୍କ ଉପରେ ନିର୍ଭର

କରେ ସେ ଶୁଭ ଅବସର

 

Unknown

ତୃତୀୟ ଅଧ୍ୟାୟ

ଅଶାନ୍ତିଓ ଅସନ୍ତୋଷ

ପାଠକଉବାଚ

ଏ ବଂଗ ଭଙ୍ଗର କାରଣ

ଯଦି ହୋଇଲା ଜାଗରେଣ

ତହୁଁ ଉତ୍ପନ୍ନ ଯେ ଅଶାନ୍ତି

ଭଲ କି ମନ୍ଦ କହୁଛନ୍ତି

ସେ କଥା ମୋତେ ଖୋଲି କହ

ତୁଟୁ ମୋ ମନରୁ ସନ୍ଦେହ

ଗାନ୍ଧି ଉବାଚ

ମନୁଷ୍ୟ ଥାଏ ନିଦ୍ରାଗତ

ସେ ଯେବେ ହୁଅଇ ଜାଗ୍ରତ

ହୁଏ ସେ କେତେ ମୋଡ଼ିଭଡ଼ି

ହାଇ ଉପରେ ହାଇ ଛାଡ଼ି

ଅଳସ ହେଉଥାଏ ଭାଙ୍ଗି

ରହେ ଅଶାନ୍ତି ଭାବଭଙ୍ଗୀ

ବଙ୍ଗଭଙ୍ଗର ଜାଗରଣ

ତେମନ୍ତେ ଅଶାନ୍ତି କାରଣ

 

 

 

 

ନିଦୁଁ ଉଠିଲେ ଦେଶବାସୀ

ଆଳସ୍ୟ ତାଙ୍କୁ ଅଛି ଗ୍ରାସି

ତେଣୁ ଅଶାନ୍ତି ଯାଇ ନାହିଁ

ଅବଶେ ଛାଡ଼ୁଛନ୍ତି ହାଇ

ଯେହୁ ବା ନିଦ୍ରାଗତୁଁ ଉଠେଁ

ଏ ଭାବ ତାଠାରେ ପ୍ରକଟେ

ଏ ତେଣୁ ସ୍ୱାଭାବିକ କଥା

ଜାଗୃତି ପ୍ରଥମ ଅବସ୍ଥା

 

 

 

 

ତେମନ୍ତେ ଆଜିଏ ଭାରତ

ଜାଗିବା ଅବସ୍ଥାରେ ରତ

ତେଣୁଟି ରହିଛି ଅଶାନ୍ତି

ଏ ଅଟେ ସ୍ୱାଭାବିକ ଗତି

ଏ ପୁଣି ଯିବଟି ଉଭାଇ

ଅଳସ ଚିର ରହେ ନାହିଁ

ଥରେଟି ଗଲେ ନିଦ ଭାଜି

କେ କି ଅଳସେ ରହେ ମଜ୍ଜି

 

 

 

 

ଅଳସ ଅବଶର ଭାବ

କାହାକୁ ସୁଖ ବା ଲାଗିବ

ଅଚିରେ ତାହା ଯିବ ଛାଡ଼ି

ଉଠିବେ ସବୁ ଅଣ୍ଟା ଭିଡ଼

ଅଶାନ୍ତି ଦେଶୁ ଦୂର ହେବ

ନବଭାରତ ପ୍ରକାଶିବ

ପାଠକ ଉବାଚ

ଅଶାନ୍ତିର ଯେ ଅନ୍ୟରୂପ

କହ ହୋ ଅଟେ ସେ କିରୂପ

ଅଶାନ୍ତି ବୋଲି ଯାହା ଭାଷ

ବସ୍ତୁତଃ ତାହା ଅସନ୍ତୋଷ

କେହି ବା କହେ ଅସନ୍ତୋଷ

ଏ ଅସନ୍ତୋଷ ନାହିଁ ଦୋଷ

ଇଂରେଜ ସାହେବ ଆବର

କହୁ ଅଛନ୍ତି ବାରବାର

 

 

 

 

ମରତେ ବ୍ୟାପୁ ଅସନ୍ତୋଷ

ସ୍ୱରାଜ୍ୟ ହୋଇବ ଅବଶ୍ୟ

ଅସନ୍ତୋଷର ଏହି ବୀଜ

ଅଟଇ ବଡ଼ ଦାମୀ ଚିଜ

ଏ ଅସନ୍ତୋଷ ଭାବ ବିନୁ

ଉନ୍ନତି କାହିଁ ଦିନୁ ଦିନୁ

ସେ ନର ରହ କଷ୍ଟେମଷ୍ଟେ

ତଥାପି ଚଳଇ ସନ୍ତୁଷ୍ଟେ

 

 

 

 

 

 

 

 

ସେ ପୁଣି ଯେତେ ଦିନ ଯାଏ

ସେ ଅବସ୍ଥାକୁ ସୁଖପାଏ

ଯେତେହେଁ ବୁଝାଇଲେ ତାକୁ

ସେ ମୋହ ଜାଲୁ ଫିଟିବାକୁ

ହେଜେ ନ ବୁଝଇ ସେହି

ସେ ଭାବେ ପଡ଼ିଥାଏ ରହି

ତେଣୁଟି ସୁଧାର ସଂସ୍କାର

ପୂର୍ବରୁ ହୋଇ ହୁସିଆର

 

 

 

 

ବୁଣିବ ଅସନ୍ତୋଷ ବୀଜ

କାର୍ଯ୍ୟଟି ହୋଇବ ସହଜ

ସ୍ୱଭାବେ ନର ମୋହ ବଶେ

ଭଙ୍ଗା ପୁରୁଣା ଧରିବସେ

ଜଡ଼ତା ତାକୁ ଥାଏ ଘୋଟି

ତେଣୁ ସେ ପାରେନାହିଁ ଉଠି

ନର୍କହିଁ ତାକୁ ଭଲ ଲାଗେ

ତଥାପି ବିରକ୍ତି ନଜାଗେ

 

 

 

 

ନିଜ ପଦାର୍ଥଠାରେ ମୋହ

ଏଡ଼ିବା ବଡ଼ହିଁ ଦୂରୁହ

ନ ଗଲେ ମନ ତହୁଁଛାଡ଼ି

ସେ କି ତା ପାରଇ ଫୋପାଡ଼ି

କିନ୍ତୁଟି ଭାଗ୍ୟ ବଳେ ଆଜି

ସେ ଅସନ୍ତୋଷ ଭାବରାଜି

ହୋଇଛି ଆମ୍ଭର ଉଦୟ

ଦେଖ ହେ ସାରା ଦେଶମୟ

 

 

 

 

ଇଂଲଣ୍ଡ ତଥା ଭାରତରେ

ଅଛନ୍ତି ମହାପ୍ରାଣ ନରେ

ତାଙ୍କ ଆଲେଖ୍ୟ ମାନ ପଢ଼ି

ଏ ଭାବ ଗଲାଟି ସଞ୍ଚରି

ଏ ଅସନ୍ତୋଷରୁ ଅଶାନ୍ତି

ଅନଳ ସମାନ ତା କାନ୍ତି

ଏ ଯେଉଁ ଅଶାନ୍ତି ଅନଳ

ଜଳଇ ଭାରତେ ପ୍ରବଳ

 

 

 

 

 

 

 

 

ତହିଁରେ ପତଙ୍ଗ ସମାନ

ହୁଅନ୍ତି କେତେ ଦହ୍ୟମାନ

କାହାରି ଗଲା ଘର ଦ୍ୱାର

ଅଥବା ପ୍ରାଣ ଗଲା କାର

ସତେ କେ କାରା ଅନ୍ଧକୂପେ

ଏ ଅସନ୍ତୋଷ ଫଳରୂପେ

କାହାକୁ ଅବା ସରକାର

ରାଜ୍ୟରୁ କଲେଣି ବାହାର

 

 

 

 

ଜନନୀ ପୁଣି ଜନ୍ମଭୂଇଁ

ଆଉ ସେ ଦେଖିବେ ବା କାହିଁ

ଏ ମନ୍ତ ଅଶାନ୍ତିର ଫଳ

ଏଥୁଟି ଉପୁଜେ ମଙ୍ଗଳ

ଏହି ଅଶାନ୍ତି ଅସନ୍ତୋଷ

ଜଳୁଛି ଜଳିବ ଏ ଦେଶ

ଏ ପୁଣି ଜଳିବ ଉଚିତ

ଯାବତ ପର ପଦାନତ

 

 

 

 

ଆହୁରି କହିଥାଏଁ ପଦେ

ଏଥିରେ ଅଛଇ ବିପଦେ

ଏଯେ ଅଶାନ୍ତି ଅସନ୍ତୋଷ

ଏଥୁ ଉପୁଜିପାରେ ବିଷ

ଏ ଯେହ୍ନେ ସମୁଦ୍ର ମନ୍ଥନ

ଗରଳ କରେ ଉଦ୍‌ଗୀରଣ

 

ଚତୁର୍ଥ ଅଧ୍ୟାୟ

ସ୍ୱରାଜ୍ୟ କଅଣ?

ପାଠକ ଉବାଚ

ତୁମ୍ଭ ଦୟାରୁ ସଂପାଦକେ

ବୁଝିଲି ମୁହିଁ ଏକେ ଏକେ

ବିଶାଳ ଏ ଭାରତ ଦେଶ

ତହିଁରେ ନାନାଦି ପ୍ରଦେଶ

ବିହାର ଓଡ଼ିଶା ତୈଲଙ୍ଗ

ପଞ୍ଜାବ ମହାରାଷ୍ଟ୍ର ବଙ୍ଗ

ତାମିଲ ପୁଣି ଗୁଜରାଟ

ଏମନ୍ତେଏ ଦେଶ ବିରାଟ

 

 

 

 

ପୁଣି ହେ ନାନା ଧର୍ମ ଜାତି

ଏ ଦେଶେ ବାସ କରୁଛନ୍ତି

ମୁସଲମାନ ହିନ୍ଦୁ ଶିକ

ଜୈନ ଖ୍ରୀଷ୍ଟାନ ପାରଶିକ

ସକଳେ କରି ଏକାକାର

ଭେଦର ନକରି ବିଚାର

ବାନ୍ଧି ହୋଇଲେ ଏକ ରାଷ୍ଟ୍ର

ଭାରତ ହୋଇଲା ବିରାଟ

 

 

 

 

କଂଗ୍ରେସ ଏଥିପାଇଁ ଯାହା

କରିଛି ବୁଝିଲି ମୁଁ ତାହା

ପୁଣି ହୋ ବୁଝିଲେ କାରଣ

ବଙ୍ଗଭଙ୍ଗୁ ଯେ ଜାଗରଣ

ତହୁଁ ଉପୁଜି ଅସନ୍ତୋଷ

କିପରି ବ୍ୟାପିଗଲା ଦେଶ

ସେ ସବୁ ଭଲେ ମୁଁ ବୁଝିଲି

ଏବେ ହୋ ମୋତେ କହ ଖୋଲି

 

 

 

 

ସ୍ୱରାଜ୍ୟ ସଂବନ୍ଧରେ ମତ

କି ଅବା କରିଛ ମନସ୍ଥ

ଏ ଘେନି ଆମ୍ଭ ମତ ଭେଦ

ହେବାର ହେଉଅଛି ବୋଧ

ତେଣୁଟି ତୁମ୍ଭର ବିଚାର

କହେ ହେ କରି ପରିଷ୍କାର

ଗାନ୍ଧି ଉବାଚ

ମୋ ମତ ସଙ୍ଗେ ମତ ତବ

ଭେଦ ନୁହଇ ଅସମ୍ଭବ

ସ୍ୱରାଜ୍ୟ ସମ୍ବନ୍ଧେ ଧାରଣା

କାହାକୁ ଠିକେ ନାହିଁ ଜଣା

ସ୍ୱରାଜ୍ୟ ପାଇବାର ପାଇଁ

ସକଳେ ରହିଛୁ ଅନାଇ

ସ୍ୱରାଜ୍ୟ ପଦ ହେଉ ଭଜି

ଅର୍ଥ ତାହାର ନାହୁଁ ବୁଝି

 

 

 

 

ଏହାର ବାସ୍ତବ ଆକାର

ଅଟଇ କେଉଁ ପରକାର

କେହି ସେ କଥା ନାହିଁ ଭାବି

ସକଳେ କରୁଛନ୍ତି ଦାବୀ

କେହିବା କହଇ ଆଷ୍ଫାଳି

ଗୋରାଙ୍କୁ ଦେଶୁ ଦେବା କାଢ଼ି

ନରହୁ ତାଙ୍କ ଚିହ୍ନବର୍ଣ୍ଣ

ତେବେ ସନ୍ତୋଷ ହେବ ମନ

 

 

 

 

ଯଦି ହେ ପଚାରିବ, ଭାଇ

ତଡ଼ିବା ତାଙ୍କୁ କାହିଁ ପାଇଁ

ଉତ୍ତର ଆଉ ନାହିଁ ତାର

କିଏବା କରିଛି ବିଚାର

ତୁମ୍ଭଙ୍କୁ ଏବେ ପଚାରୁଛି

ତୁମ୍ଭର କିବା ଅଭିରୁଚି

ଗୋରା ଇଂରାଜମାନେ ଯେବେ

ଆମ୍ଭର ଦାବୀ ଦେଇ ଦେବେ

 

 

 

 

 

 

 

 

ଆମ୍ଭର ଯାହାକି ପାଉଣା

କିଛି ସେ ନ କରନ୍ତି ଊଣା

ତଥାପି ବିଚାର ନକରି

ତେବେ କି ତାଙ୍କୁ ଦେବା ତଡ଼ି

ହେବ କି ତାର ଆବଶ୍ୟକ

ବିଚାରି କହି ହେ ପାଠକ

ପାଠକ ଉବାଚ

ମୁଁ ଖାଲି ତାଙ୍କୁ ଏକପଦ

କହି ଘେନିବି ପ୍ରତିଶୋଧ

କହିବି, ବାବୁ ଦୟା କରି

ଏ ଦେଶୁଁ ଯିବଟି ବାହାରି

ସେ ଯେବେ ଆମ୍ଭ କଥା ମତେ

ଛାଡ଼ିବେ ଏ ଦେଶ ସମସ୍ତେ

ତାଙ୍କର ଏହି ଯିବା କଥା

କେ ଯଦି ବୁଝଇ ଓଲଟା

ଅର୍ଥକୁ କରିଣ ଅନର୍ଥ

କହିବ ତାଙ୍କୁ ଯିବା ବ୍ୟର୍ଥ

କହଇ ସେହି ଯାଇ କରି

ହୋଇଛି ନ ଯିବାର ପରି

ଆମ ଉପରେ ଗୋରାଭୂତ

ମାଡ଼ି ବସିଛି ଅଦଭୁତ

ଗୋରାଙ୍କ ଶିକ୍ଷା ହାବଭାବ

ରହିଛି ତାଙ୍କର ପ୍ରଭାବ

ଗୋରାଏ ଯାଇ ଗୋରା ମତି

ରହିଲେ ହେଲା କେଉଁ ଗତି

ଯିବା ନ ଯିବା ସମ ଜାଣ

ଏମନ୍ତେ କଲେଟି ବଖାଣ

ମୁଁ କିମ୍ପା କରିବି ଆପତ୍ତି

ତା ବୁଦ୍ଧି ଥାଉ ତାହା କତି

ଯିବାର ଅର୍ଥ ହିଁ ଅଥବା

ହେଲାଣି ଏବେ ରହିଯିବା

କେହି ବା ଚାଲିଗଲେ କାହିଁ

ବୁଝିବା ସେହି ଯାଇ ନାହିଁ

ଏମନ୍ତ ଯୁକ୍ତିକୁ ମାତର

ନାହିଁ ତ ମୋଠାରେ ଉତ୍ତର

ସଂପାଦକ ଉବାଚ

ଆହେ ପାଠକେ କହ ମୋତେ

ଯଦ୍ୟପି ଇଂରାଜ ସମସ୍ତେ

ଭଲେଟି ଆମ୍ଭବୋଲ କରି

ଏ ଦେଶୁ ଯାନ୍ତି ଅପସରି

କିସ କର୍ତ୍ତବ୍ୟ ତାହାପରେ

କହ ହେ ତୁମ୍ଭର ବିଚାରେ

ପାଠକ ଉବାଚ

ଯାହା ହେ ତୁମ୍ଭେ ପୁଚ୍ଛା କର

ତାହାର କି ଦେବା ଉତ୍ତର

ଗୋରାଏ କେବେ କେଉଁ ଭାବେ

ଯାଆନ୍ତୁ ଯିବାର ସେ ଯେବେ

ତାହାଙ୍କ ଯିବାର ଧରଣ

ଆଗ ମୁଁ କଲେ ଦରଶନ

ତେବେ ବା ଦେବି ତା ଉତ୍ତର

ଏବେ କି ପାଇଁ ତରତର

 

 

 

 

ନେଲେ ମୁଁ ତୁମ୍ଭ କଥା ମାନି

ତୁମ୍ଭେ ଯା ଅଛ ଅନୁମାନି

ସେ ଯେବେ ଧୀର ଶାନ୍ତ ଭାବେ

ଫେରିଣ ଯିବେ ନିଜ ଠାବେ

ତାଙ୍କର ଯିବା ସାଥେ ସାଥେ

ଶାସନ ଡୋରି ଦେବା ହାତେ

ତାଙ୍କର ଶାସନ ପଦ୍ଧତି

ତାଙ୍କରି ଢଙ୍ଗରଙ୍ଗ ନୀତି

 

 

 

 

ସେ ସବୁ ଲଗାଇବା କାମେ

କରି କରାଉଥିବା ଆମେ

ସତେ ସେ ଯେବେ ସିଧାସିଧା

ପଳାନ୍ତି ଆମ୍ଭରି ସୁବିଧା

ତାଙ୍କର ଫଉଜ ସଇନି

ସଙ୍ଗତେ ନ ଯିବେ ତ ଘେନି

ନେବା ହୋ ତାହାର ସାହାଯ୍ୟ

ଚଳିବ ସୁଖେ ରାଜକାର୍ଯ୍ୟ

ଗାନ୍ଧି ଉବାଚ

ଯାହା କହିଲ ତୁମ୍ଭ ମତ

ତହିଁରେ ନୁହେଁ ମୁଁ ସମ୍ମତ

ସେ ସବୁ ଆଲୋଚନା ପାଇଁ

ଏଠାରେ ଅବସର ନାହିଁ

ତୁମ୍ଭେ ଯେ ମୋତେ ପ୍ରଶ୍ନ କର

ପ୍ରଥମେ ଦେବି ତା’ ଉତ୍ତର

ମୁଁ ତୋତେ କେତେ ପ୍ରଶ୍ନ କରି

ମୋ କାର୍ଯ୍ୟ ମୁହିଁ ଦେବିସାରି

 

 

 

 

ତୁମ୍ଭେ ହୋ ଯା ଦେବ ଉତ୍ତର

ସେ ହେବ ଉତ୍ତର ହିଁ ମୋର

ତୋହ ଉତ୍ତର ତୋହ ମୁଖେ

ବୁଝିହେ ପାରିବ ସମ୍ମୁଖେ

କହ ହୋ ଆଗ କେଉଁ ହେତୁ

ଗୋରାଙ୍କୁ ତଡ଼ି ଦେବ ଏଥୁଁ

ପାଠକ ଉବାଚ

ଗୋରାଙ୍କୁ ତଡ଼ିବା କାରଣ

ଜାଣନ୍ତି ସର୍ବସାଧାରଣ

ଏହାଙ୍କ ଶାସନର କାଳ

କରିଛି ଆମ୍ଭଙ୍କୁ କାଙ୍ଗାଳ

ଆମ୍ଭ ଦେଶରୁ ବହୁ ଧନ

ବହି ନିଅନ୍ତି ଘନ ଘନ

ତାଙ୍କର ଭାଇ ବନ୍ଧୁ ଆଦି

ମାଡ଼ି ବସନ୍ତି ଉଚ୍ଚ ଗାଦି

 

 

 

 

ଆମ୍ଭଙ୍କୁ ଗୋଲାମ ରୂପରେ

ଖଟାନ୍ତି ରହି ସେ ଉପରେ

ଯାହା ବା କାମନା ଆମ୍ଭର

କଲେ ଉପେକ୍ଷା ଅନାଦାର

ପୁଣି ନିଷ୍ଠୁର ଆଚରଣ

ଅତି ଦାୟିତ୍ୱ-ହୀନ ପଣ

ଗାନ୍ଧି ଉବାଚ

ତୁମ୍ଭେ ହୋ କହିଅଛି ଭଲ

ଏବେ ତୁମ୍ଭର ମତେ ବୋଲ

ଆମ୍ଭର ଧନ ଦଉଲତ

ସେ ଯେବେ ନ ଦିଅନ୍ତି ହାତ

ମଧୁର ବିନୟ ବଚନ

କହି ତୋଷନ୍ତି ଆମ୍ଭ ମନ

ଆମ୍ଭଙ୍କୁ ଥାପି ଉଚ୍ଚସ୍ଥାନେ

ରହନ୍ତି ଯେବେ ମାନେ ମାନେ

ତେବେ କି ତାଙ୍କୁ ତଡ଼ି ଦେବ

ଏ ଦେଶେ ଦେବ ନାହିଁ ଠାବ

ପାଠକ ଉବାଚ

ବିଚିତ୍ର ଏହି ପ୍ରଶ୍ନ ଅତି

ତୁମ୍ଭେତ କରୁଛି ଇଙ୍ଗିତି

ବ୍ୟାଘ୍ର ହେ ଯଦ୍ୟପି ସହଜେ

ଆପଣା ହିଂସା ଭାବ ତେଜେ

ସେ ଯେବ ଛାଡ଼େ ତା’ ସ୍ୱଭାବ

ତା ସଙ୍ଗେ କରିବା କି ଭାବ

ତୁମ୍ଭର ପ୍ରଶ୍ନ ସେହିପରି

ଉତ୍ତର ଦେବି ବା କିପରି

 

 

 

 

ହଜାରେ ଧୋଇଲେ ଅଙ୍ଗାର

ନ ଯାଏ କଳା ରଙ୍ଗ ତାର

ତେସନ ଗୋରାଙ୍କ ପ୍ରକୃତି

ତାହାର ନୋହିବା ସଂସ୍କୃତି

ବ୍ୟାଘ୍ର ଛାଡ଼ିଲେ ଜୀବ ହିଂସା

ଛାଡ଼ନ୍ତା ଅବା ତାଙ୍କ ନିଶା

ତେଣୁ ହେ ଏହି ପ୍ରଶ୍ନ ତବ

ଅଟଇ ପୂର୍ଣ୍ଣ ଅସମ୍ଭବ

ମନୁଷ୍ୟ ସ୍ୱଭାବ ବିରୁଦ୍ଧ

ମୋତେ ଏ ହେଉଅଛି ବୋଧ

 

ଗାନ୍ଧି ଉବାଚ

ନ ଯାନ୍ତୁ ନ ଯିବେ ସେ ଯେବେ

ଆନ କଥାଏ ପୁଚ୍ଛେ ଏବେ

ଜାଣତ ଏହି ଗୋରା ଜାତି

ନାନାଠିଁ କରନ୍ତି ରାଜୁତି

ଆଫ୍ରିକା ନାମେ ମହାଦେଶ

ତାହାର ଯେ ଦକ୍ଷିଣ ଅଂଶ

ମାର୍କିନ ରାଜ୍ୟର ଉତ୍ତରେ

ଯେବା କାନେଡ଼ା ନାମ ଧରେ

 

 

 

 

ଏ ଦୁଇ ସ୍ଥାନେ ଏହାଙ୍କର

ଥିଲାଟି ପୂର୍ଣ୍ଣ ଅଧିକାର

ଏବେ ହୋ ଅକଳରେ ପଡ଼ି

ବହୁ କ୍ଷମତା ଦେଲେ ଛାଡ଼ି

ତେଣୁ ସେ ନିଜଘର ପ୍ରଭୁ

କରତା ବିଧାତାଟି ସବୁ

ତାଥାପି ବ୍ରିଟିଶ କବଳେ

ବ୍ରିଟିଶ ବାହୁଛାୟା ତଳେ

 

 

 

 

ମାନି ବ୍ରିଟିଶ ରାଜଛତି

ଏ ରାଜ୍ୟ ବାଧ୍ୟେ ଚଳୁଛନ୍ତି

ଆମ୍ଭର ସ୍ୱରାଜ୍ୟ ଆକାର

ହୁଅନ୍ତା ଯେବେ ସେ ପ୍ରକାର

କି ଅବା ତହିଁ ଅସୁବିଧା

କହ ହେ ନ କରିଣ ଦ୍ୱିଧା

ପାଠକ ଉବାଚ

ପୁଣି ଅଲଣା ପ୍ରଶ୍ନ କର

ଏଥିକି କି ଅଛି ଉତ୍ତର

କାନେଡ଼ା ଦକ୍ଷିଣ ଆଫ୍ରିକା

ହେବାକୁ ତାଙ୍କ ତୁଲେ ଲେଖା

ତାଙ୍କର ଯେତେ ଶକ୍ତି ବଳ

ସୈନ୍ୟସାମନ୍ତ ଅବିକଳ

ଆମ୍ଭ ଆୟତ୍ତ ଯେବେ ହେବ

ସେ ସିନା ସମ୍ଭବ ହୋଇବ

 

 

 

 

ତା ଯେବେ ହୋଇବ ଆୟତ୍ତ

ହେବା ଜାପାନ ଦେଶବତ

ସାଜି ପଦାତି ନଉସେନା

ଉଡ଼ାଇ ଦେବା ନିଜ ବାନା

ନିଜର ମାନ ଗଉରବ

ଫେରାଇ ଆଣିବା ସରବ

ପୁଣି ଭାରତ ଜୟଧ୍ୱନି

ଗୁଞ୍ଜିବ ଅଖିଳ ଅବନୀ

ଗାନ୍ଧି ଉବାଚ

ସୁନ୍ଦର କଳ୍ପନାତ ତବ

ଏ ଯେବେ ହୋଇବ ସମ୍ଭବ

ଗୋରାଏ ଛାଡ଼ିବେ ଆସନ

ରହିବ ମାତ୍ର ସେ ଶାସନ

ବ୍ୟାଘ୍ର ପାଇବ ପରାଭବ

ରହିବ ବ୍ୟାଘ୍ରର ସ୍ୱଭାବ

ଭାରତ ହୋଇବ ବିଲାତ

ସୁନ୍ଦର ଏହା ଦିଶିଲା ତ

 

 

 

 

ଭାରତ ହିନ୍ଦୁସ୍ଥାନ ନାମ

ଲିଭି ହୋଇବ ଇଂଲିସ୍ଥାନ

ଏମନ୍ତ ସ୍ୱରାଜକୁ ମୋର

ଦୂରରୁ କୋଟିଏ ଜୁହାର

ପାଠକ ଉବାଚ

ମୋହର ଜ୍ଞାନ ଧାରଣାରେ

ସ୍ୱରାଜ୍ୟ ଯେବଣ ପ୍ରକାରେ

ମୁଁ ତାହା କରିଲି ବଖାଣ

ତୁମ୍ଭେ ତା ମାନ ବା ନମାନ

ଅନେକ ଶ୍ରମ ସାଧ୍ୟ କଲୁଁ

ସେ ବିଦ୍ୟା ଆମ୍ଭେ ଅଭ୍ୟାସିଲୁ

ସେହି ସଭ୍ୟତା ସେଇ ଶିକ୍ଷା

ଯଦ୍ୟପି ଅଟଇ ଦାମିକା

 

 

 

 

ତେବେତ ଇଂରାଜୀ ନକଲ

ଅଟଇ ଆମ୍ଭ ପକ୍ଷେଭଲ

ସୁଆଟ୍‌ ମିଲ୍‌ ସ୍ପେନସର

ପାଶ୍ଚାତ୍ୟ ପଣ୍ଡିତପ୍ରବର

ସେ ଯାହା ଯାଇଛନ୍ତି ଭଣି

ସେ ତ ଅମୂଲ୍ୟ ରତ୍ନ ଖଣି

ଯେବେ ହୋ ତାହାଙ୍କ ବଚନ

ବ୍ୟର୍ଥ ନୁହଇ କଦାଚନ

 

 

 

 

ତେବେ ହୋ ଇଂରାଜଙ୍କ ପଥେ

ଯିବା ଉଚିତ ମୋର ମତେ

ବିଲାତେ ଅଛି ପାର୍ଲିମେଣ୍ଟ

ଯହିଁ ମୁଖିଆ ଲୋକେ ମେଣ୍ଟ

ବିଲାତ ଆଇନ କାନୁନ

କରନ୍ତି ଯହିଁ ପ୍ରଣୟନ

ଅନ୍ୟାନ୍ୟ ଯେଉଁ ଯେଉଁ ଦେଶେ

ଏଭଳି ପ୍ରଜା ସଭା ବସେ

 

 

 

 

ସବୁରି ଜନନୀ ସମାନ

ଯେ ପାର୍ଲିମେଣ୍ଟ ସନମାନ

ପ୍ରଜାତନ୍ତ୍ରର ମୂଳଦୁଆ

ଯହିଁ ପ୍ରଥମେ ହେଲା ଥୁଆ

ତାକୁଟି କଲେ ଆଦରଶ

କି ଅବା ହୋଇଯିବ ଦୋଷ

ତାହାଙ୍କୁ ଆମ୍ଭେ ଅବିକଳ

ଅବଶ୍ୟ କରିବୁଁ ନକଲ

 

 

 

 

ତାଙ୍କରି ପଥେ ଆମ୍ଭେ ଚଳି

ତାଙ୍କୁଟି ପୁଣି ଯିବୁ ବଳି

ସେ ଯେହ୍ନେ ନିଜ ଜନ୍ମସ୍ଥାନେ

ବସାଇ ନ ଦିଅନ୍ତି ଆନେ

ତେସନେ ଭାରତେ ବସତି

ନ ଦେବ କାରେ ଅନୁମତି

ଯେ କାର୍ଯ୍ୟମାନ ନିଜ ଦେଶେ

କରି ସେ ଅଛନ୍ତି ବିଶେଷେ

 

 

 

 

ତେସନେ ଆଉ ଅନ୍ୟ କାହିଁ

ହେବାର କେହି ଦେଖି ନାହିଁ

ତେଣୁ ସେ ଭାବ ଆଚରଣ

କରିବା ତା’ ଅନୁକରଣ

ତାଙ୍କର ଯାହା ଅଟେ ଶୁଭ

ନିଶ୍ଚେ ସେ ଶୁଭଫଳ ଦେବ

ଏବେ ହୋ କହ ତୁମ୍ଭ ମତ

ତୁମର ବିଚାର ସମସ୍ତ

ଗାନ୍ଧି ଉବାଚ

ପାଠକେ ଧର ଧଇରଜ

ମୋ ମତ ହୋଇବସହଜ

ଏ ଆଲୋଚନା ପ୍ରସଙ୍ଗରେ

ପ୍ରକାଶ ପାଇବଟି ବଳେ

ତୋତେ ସ୍ୱରାଜ୍ୟ ରୂପ ରେଖା

ଯେତିକି ସ୍ପଷ୍ଟଯାଏ ଦେଖା

ସେତିକି ମୋତେ ସେ ଜଟିଳ

ତ ଅଛିତିଳ ତିଳ

 

 

 

 

ତାହା ମୁଁନ କହିବି ଆଉ

ସେ କଥା ଏହିଠାରେ ଥାଉ

ତୁମ୍ଭର ସ୍ୱରାଜ୍ୟର ଟୀକା

କିଭଳି ମାୟା ମରୀଚିକା

ନୁହେଁ ସେ ପ୍ରକୃତ ସ୍ୱରାଜ

ପ୍ରମାଣ କରିବି ତା ଆଜ

 

ପଞ୍ଚମ ଅଧ୍ୟାୟ

ଇଂଲଣ୍ଡର ଅବସ୍ଥା

ପାଠକ ଉବାଚ

ତୁମ୍ଭେ କହିଲ ଯେ ପ୍ରକାରେ

ତୁମ୍ଭର କଥା ଅନୁସାରେ

ବିଲାତ ଶାସନ ପଦ୍ଧତି

ଆମ୍ଭର ଅଯୋଗ୍ୟ ସେ ଅତି

ଗାନ୍ଧି ଉବାଚ

ତୁମ୍ଭର ଅନୁମାନ ସତ୍ୟ

ଶୁଣ କହୁଛି ତାର ତଥ୍ୟ

ଦେଖିଲେ ବିଲାତ ଅବସ୍ଥା

ଲାଗଇ ପ୍ରାଣେ ଗୁରୁ ବ୍ୟଥା

ସେ ଦଶା ନ ହେଉ ଭାରତେ

ପ୍ରାର୍ଥନା ମୋର ଅବିରତେ

ପ୍ରଜା ସଭାର ଯେ ଜନନୀ

ବୋଲି ହୋ ତୁମ୍ଭର ଅଛ ମଣି

 

 

 

 

ସେ ପାର୍ଲିମେଣ୍ଟଟି ଏପରି

ଯେସନେ ବନ୍ଧ୍ୟା ବାରନାରୀ

ଏ ଦୁଇ ଶଦ୍ଦର ବ୍ୟବହାର

ଜାଣେ ମୁଁ ବଡ଼ଇ କଠୋର

ମାତ୍ର ଯେ ଯେଉଁ ଗୁଣବନ୍ତ

ତାହାକୁ ବୋଲିବା ତେମନ୍ତ

ତେଣୁଏ ଶବ୍ଦରେ ପ୍ରୟୋଗ

ପାର୍ଲିମେଣ୍ଟର ଯଥାଯୋଗ୍ୟ

 

 

 

 

 

 

 

 

ଏ କେବେ କେଉଁ ଉପକାର

ଜୀବନେ କରି ନାହିଁ କାର

ଏମନ୍ତ ଏହାର ବ୍ୟବସ୍ଥା

ନ ହେଲେ ବାଧ୍ୟବାଧକତା

ନ ହେଲେ ଉପରେ ପାହାର

ନ କରେ କାର ଉପକାର

ତେଣୁ ଏ ବାଂଝ ଅତି ରୁକ୍ଷ

ଯେସନେ ଅଫଳନ୍ତି ବୃକ୍ଷ

ଏ ଯେ ବିଟପୀ ବାର ନାରୀ

କିପରି କହେଁ ତା ବିସ୍ତାରି

କ୍ଷଣକେ ଆନ ଆନ ବେଶ

ନବ ନାଗର ପରବେଶ

ଆଜି ଏସ୍କ୍ୱିଥ ମନ୍ତ୍ରୀବର

କାଲିକି ହେବେ ବେଲଫୋର

ଯେଉଁ ସ୍ୱାମୀର ଯେଉଁ ମତ

ଏ ଘେନେ ରୂପଟି ତେମନ୍ତ

ଆଜି ଯାହାକୁ କରେ ସ୍ୱାମୀ

କାଲିକି ହୁଏ ଅନ୍ୟ କାମୀ

ଯେ ଯେତେବେଳେ ଦଣ୍ଡଧରେ

ଏହାକୁ ସେହି ବଶ୍ୟ କରେ

ପାଠକ ଉବାଚ

ତୁମ୍ଭେ ତ କରୁଛ ଟାହୁଲି

କିପରି କହି ବାଂଝ ବୋଲି

ପ୍ରଜାଏ ନିଜ ଭୋଟ ବଳେ

ଏ ସଭା ସଂସ୍ଥାପନ କଲେ

ସେ ଦେଶ ଜନସାଧରଣ

ପାର୍ଲିମେଣ୍ଟର କର୍ତ୍ତାଗଣ

ତାଙ୍କର କବଳରେ ଏହା

ରହିବା ନୁହେଁଟି ଦୁରେହା

ଏ ଯେବେ ପ୍ରଜାଙ୍କ ଇଙ୍ଗିତେ

ଚାଲଇ ପ୍ରଜାଙ୍କର ହିତେ

ଡରଇ ପ୍ରଜାଙ୍କ ଅଙ୍କୁଶ

ଗୁଣ ସେ ତାର ନୁହେଁ ଦୋଷ

ଗାନ୍ଧି ଉବାଚ

କହନ୍ତି ସଂପାଦକ ବର

ଭ୍ରମ ଧାରଣା ଏ ତୁମ୍ଭର

ଏ ଯେବେ ନୋହି ଥାନ୍ତା ବାଂଝ

କିମ୍ପାଇଁ ଏ ସଭ୍ୟ ସମାଜ

ହୁଅନ୍ତେ ଭଣ୍ଡ ସ୍ୱାର୍ଥପର

ସର୍ବଦା କର୍ମକୁ କାତର

ପ୍ରକୃତ ଯେବେ ଫଳପ୍ରଦ

ହୋଇ ଥାଆନ୍ତା ଏ ସଂସଦ

 

 

 

 

ଦେଶର ଯେତେ ଶ୍ରେଷ୍ଠଜନେ

ବଛା ହୁଅନ୍ତେ ନିର୍ବାଚନେ

ବେତନ ଜୀବିକା ନ କରି

ଦେଶମଙ୍ଗଳ ବ୍ରତଧରି

ସେ ସଭ୍ୟେ କରୁଥାନ୍ତେ କାମ

ତେଣୁଟି ହୁଅନ୍ତା ସୁନାମ

ଏ ଶ୍ରେଷ୍ଠ ନରେ ବୁଦ୍ଧିମାନ

ଯେଣୁ ସେ ଶିକ୍ଷିତ ସୁଜାଣ

 

 

 

 

ନ ଥାନ୍ତା ତାଙ୍କ ଭ୍ରମଭ୍ରନ୍ତି

ଦେଶେ ବିରାଜୁଥାନ୍ତା ଶାନ୍ତି

ଏମନ୍ତ ହେଲେ ପାର୍ଲିମେଣ୍ଟ

ରହନ୍ତା ନିଜ ସ୍ଥାନେ ଆଣ୍ଟ

ଆପଣା କାମ ଯା’ନ୍ତା କରି

ଦେଶ ମଙ୍ଗଳ ଲକ୍ଷ୍ୟଧରି

ତେବେ କିମ୍ପାଇଁ ଲୋକଙ୍କର

ରହନ୍ତା ଆପତ୍ତି ଉଜାର

 

 

 

 

କେ କିମ୍ପା କରନ୍ତାଟି କଳି

ଅଯଥା ଅଳି ଅରଦଳି

ଏମନ୍ତ କରନ୍ତା ସେ କାର୍ଯ୍ୟ

ଜଗତ ହୁଅନ୍ତା ଆଶ୍ଚର୍ଯ୍ୟ

ଦିନକୁ ଦିନତାର ବଳ

ହେଉଁ ଯେ ଥାଆନ୍ତା ପ୍ରବଳ

ଲୋକଙ୍କ ପରେ ତା ପ୍ରଭାବ

ପଡ଼ି ହୁଅନ୍ତା ବହୁ ଲାଭ

 

 

 

 

କିନ୍ତୁ ଏହାର ସତ୍ୟକଥା

ଜଣାତ ଯାଉଛି ଉଲଟା

ପାର୍ଲିଆମେଣ୍ଟର ସଭ୍ୟଗଣେ

ସ୍ୱାର୍ଥ କପଟ ଭଣ୍ଡ ପଣେ

ଏକୁ ଆରେକ ବଳିଆର

ଆପଣା ସ୍ୱାର୍ଥକୁ ତିଆର

ଯେବେ ବା ଭୟ ଥାଏ ମନେ

ଆସନ୍ତା ଭୋଟର କାରଣେ

 

 

 

 

ତେବେ ସେ କରଥାନ୍ତି କିଛି

ପୁଣି ତା ଦିଅନ୍ତି ନାକଚି

ପାର୍ଲିମେଣ୍ଟର ଏହି ନୀତି

କ୍ଷଣକୁ କ୍ଷଣ ଆନ ରୀତି

ଗୋଟିଏ ହେଲେ କାର୍ଯ୍ୟ ଏହି

ମୁଣ୍ଡ ଲଗାଇ ପାରୁ ନାହିଁ

ବିଷମୁଁ ବିଷମ ବ୍ୟାପାର

ଏ ଯେବେ କରଇ ବିଚାର

 

 

 

 

ସଭା ମଧ୍ୟରେ ଥାଇ ଥୋକେ

ଆରାମ ଟାଣୁଥାନ୍ତି ସୁଖେ

କିଏ ବା ଘୁମାଇ ଘୁମାଇ

ଅଳସେ ଛାଡ଼ୁଥାଏ ହାଇ

କେବେ ବା ଏତେ ଗୋଳମାଳ

ଶ୍ରୋତାଙ୍କୁ ହୁଅଇ ଜଞ୍ଜାଳ

କାଇଲାଇଲ ନାମେ ଜଣେ

ପ୍ରସିଦ୍ଧ ସୁଲେଖକ ପଣେ

 

 

 

 

ଇଂଲଣ୍ଡେ ହେଲେହେଁ ଜନମ

ତାହାଙ୍କୁ କର ନମୋନମ

ଏହି ଯେ ପାର୍ଲିମେଣ୍ଟ ଗୁଣ

ସେ ଯାହା କହିଛନ୍ତି ଶୁଣ

ଏ ସଭା ବତ୍କୃତାର ହାଟ

ଏଠି କେବଳ ହରିଲୋଟ

ଅଥବା କହି ଗୁଲିଖଟି

କାମତା ଚଢ଼ାଇବା ପଟି

 

 

 

 

ଏହାର ଯେତେ ସଭାସଦେ

ତୁଚ୍ଛାରେ ଥାନ୍ତି ସଭ୍ୟପଦେ

ନ ବୁଝି ଭେଲ ଅବା ଭଲ

ଦଳ ପଛରେ ମେଣ୍ଢା ପଲ

ହାଁ ଜୀ ମାରନ୍ତି ଆଖି ବୁଜି

କିଛି ହିଁ ନ ପାରନ୍ତି ବୁଝି

ତେଣୁ ଏ ସଭା ସଭ୍ୟଯାକ

ହରାନ୍ତି ଆପଣା ବିବେକ

 

 

 

 

ଦଳରୁ ମତରୁ ବାହାର

ହେବାକୁ ନାହିଁ ଅଧିକାର

କଦବା କେହି କଲେ ଏହା

ଦଳର ହୁଅଇ ଦୋରେହା

ଦଗଲବାଜ ନାମ ପାଏ

କଳଙ୍କ ପସରା ମୁଣ୍ଡାଏ

ଏହାର ଏଡ଼େ ନାମଡାକ

ବସିବା କାଳୁଁ ଆଜଯାକ

 

 

 

 

ହେଲାଣି ଯେତେ ଅର୍ଥ ବ୍ୟୟ

ପୁଣି ସମୟ ଅପଚୟ

ତାହାର ଭାଗେ ଅଂଶେସୁଦ୍ଧା

ମିଳନ୍ତା ଯେବଟି ସୁବିଧା

ଅଳପ କେତେ ସାଧୁ ଲୋକେ

ଚଳାଇ ଶାସନ ମୁଲକେ

କରି ପାରନ୍ତେ ଲୋକଙ୍କର

ବହୁ ଗୁଣରେ ଉପକାର

 

 

 

 

ଏବେ ଏ ସଭା ପଉରୁଷ

ଅଟଇ ଖେଳଣା ସଦୃଶ

ଏହି ଏ ଖେଳଘର ତୋଳି

ଅଣ୍ଟାରୁ ସାରିଲେ କଉଡ଼ି

ରଖନ୍ତି ଏହାକୁ ସମ୍ଭାଳି

ଘୋଡ଼ାକୁ ଦାନାଯାଏ ବଳି

ଏ ମୋର ନୁହେଁ ମନଗଢ଼ା

ମୁଁ ଏହା କହୁଛି ଦୋହରା

 

 

 

 

 

 

 

 

ଏହି ସଭାର ସଭ୍ୟମାନେ

ଏ କଥା କହିଥିଲେ ଦିନେ

ଆରେକ ସଭ୍ୟଟି ଏହାର

କହି ସେ ଦଲେ ପରିଷ୍କାର

ସାଧୁ ସୁଧୀର ନର ପାଇଁ

ପାର୍ଲିମେଣ୍ଟରେ ଠାବ ନାହିଁ

କହି ଅଛନ୍ତି ସଭ୍ୟେ ଆର

ଏ ସଭା ଅତି ସୁକୁମାର

କଅଁଳା ଦୁଧଖିଆ ଶିଶୁ

ପରାଏ ଆମ୍ଭେ ତାକୁ ପୋଷୁଁ

ଶୁଣ ପାଠକ ଦେଇମନ

ପାର୍ଲିମେଣ୍ଟର ଏ ଲକ୍ଷଣ

ସକଳ ପାର୍ଲିମେଣ୍ଟ ମାତା

ତାହାର ପୁଣି ଏ ଅବସ୍ଥା

ସାତଶ ବରଷର ଅନ୍ତେ

ସେ ଯେବେ କୁଆଁରୀ ଏମନ୍ତେ

କେବେ ସେ ସିହାଣ ବା ହେବ

ପାଠକ ମୋତେ କହିଦେବ

ପାଠକ ଉବାଚ

ହେ ସମ୍ପାଦକ ତୁମ୍ଭ ଗିରେ

ପଡ଼ିଲି ଚିନ୍ତା ଭଉଁରୀରେ

ତୁମ୍ଭେ ଯେ କହିଲ ପ୍ରସଙ୍ଗେ

ନ ମାନି ପାରେ ସଙ୍ଗେ ସଙ୍ଗେ

ନ ଥିବ ତୁମ୍ଭେ କରି ଆଶା

ବାଢ଼ି ଏ ବିଚିତ୍ର ସମସ୍ୟା

ଅପୂର୍ବ ତୁମ୍ଭର ବିଚାର

ମୋତେ ସେ ହେଲା ଗୁରୁଭାର

ଲାଗିବ ମୋତେ କେତେ କ୍ଷଣ

ତେବେ ବା ହେବ ସେ ହଜମ

ତେବେ ବା ପାରିବି ତା ଧରି

ଏବେ ହୋ ଥାଉ ସେ ସେପରି

ଏ ପାର୍ଲିମେଣ୍ଟରେ ସଂସଦେ

ଥାପିଲ ବାରନାରୀ ପଦେ

ତାର କାରଣ କହ କିସ

ନିର୍ମଳ ହେଉ ମୋ ମାନସ

ଗାନ୍ଧି ଉବାଚ

କହିଲି ଯେତେ ମୋର ମତ

ଏକାବେଳେକେ ସେ ସମସ୍ତ

ମାନି ପାରିବ କେଉଁପରି

କେହିତ କେବେ ନାହିଁ ପାରି

ଏହି ବିଷୟେ ବହିମାନ

ଅଛଟି ରହି ଆନ ଆନ

ସେ ସବୁ ପଢ଼ିଲେ ଶୁଣିଲେ

ବୁଝିପାରିବ ତିଳେ ତିଳେ

 

 

 

 

ଏ ପାର୍ଲିମେଣ୍ଟ ବାରନାରୀ

କିପରି କହିବି ବିସ୍ତାରି

ଏ ନାରୀ ବଡ଼ ଅସକତ

ନାହିଁ ତା ଆପଣା ଗିରସ୍ତ

କାହାରି ହାତ ନାହିଁ ଧରି

ତେଣୁ ଛତରଖାଈ ପରି

ବୁଲଇ ବାରଓଳି ହୋଇ

ଗ୍ରାହକୀ ମନକୁ ମନୋଇ

 

 

 

 

ଯେ ଯେବେ ହେଉଥାଏ ମନ୍ତ୍ରୀ

ଏ ତାର ପତ୍ନୀ ସେହି ମନ୍ତି

ତାଙ୍କର ପୁଣି ଘନ ଘନ

ବଦଳି ଯାଉଥାଏ ମନ

ମନ୍ତ୍ରୀଏ ପୁଣି ବଦଳନ୍ତି

ତାହାର ନ ସରେ ଦୁର୍ଗତି

ଯେ ଅବା ହୁଏ ତା’ ଗ୍ରହୀତା

ପତ୍ନୀର ପାଇଁ ନାହିଁ ଚିନ୍ତା

 

 

 

 

ସେ ପତି ତାର ସବୁବେଳେ

କ୍ଷମତା ରକ୍ଷାର ବିକଳେ

ଆପଣା ସ୍ୱତ୍ୱ ଅଧିକାର

ଚିନ୍ତାରେ କାଟୁଥାଏ କାଳ

ଆଉ ତା ଅବସର କାହିଁ

ପତ୍ନୀର ଭଲମନ୍ଦ ପାଇଁ

ଆପଣା ଦଳର ବିଜୟ

ପାଇଁ ସେ ନ ଧରଇ ଥୟ

 

 

 

 

ପାର୍ଲିମେଣ୍ଟର ନୀତି ନିଷ୍ଠା

ଅଥବା ସୁନାମ ପ୍ରତିଷ୍ଠା

ତହିଁକି ନ ଥାଏ ଭାବନା

ସେ ଯେଣୁ ଅଟେ ବାରାଙ୍ଗନା

କେବଳ ଦଳର ବଢ଼ନ୍ତି

ବିଷୟ ଚିନ୍ତା କରୁଥାନ୍ତି

ଦଳର ବଳ ବୃଦ୍ଧି ପାଇଁ

କିସ ସେ ନ କରନ୍ତି ନାହିଁ

 

 

 

 

ନ୍ୟାୟକୁ ଦେଇ ଜାଳାଞ୍ଜଳି

ଯାବତ ପାପ ଯାନ୍ତି କରି

ଏ ବଡ଼ ଚିନ୍ତାର ବିଷୟ

ପାଠକେ ଏବେ କର ଥୟ

ପାଠକ ଉବାଚ

ବର୍ଣ୍ଣିଲ ତୁମ୍ଭେ ଯେ ଚରିତ

ମୋତେ ତ ଲାଗେ ବିପରୀତ

ତୁମ୍ଭେ ଯାହାଙ୍କ ନିନ୍ଦା କଲ

ଆମେ ତ ମଣୁଥିଲୁଁ ଭଲ

ସେ ବଡ଼ ସାଧୁ ଦେଶଭକ୍ତ

ବିଚାରୁ ଥିଲୁଟି ଏମନ୍ତ

ତୁମ୍ଭେ ତାହାଙ୍କୁ ଏକାଥରେ

ଫିଙ୍ଗି ନ ଦିଅ ରସାତଳେ

ସଂପାଦକ ଉବାଚ

ଯାହା ମୁଁ କହିଲି ମୋ ମତ

ଅକ୍ଷରେ ଅକ୍ଷରେ ତା ସତ

ଏ ଯେତେ ପ୍ରଧାନମନ୍ତ୍ରୀଏ

ମୋର ବଇରୀ ନୁହେଁ କିଏ

କିନ୍ତୁ ମୁଁ ଭଲରୂପେ ଜାଣେ

ଦେଶଭକ୍ତ କେ ନାହିଁଜଣେ

ଏ ମୋର ନିଜ ଅନୁଭବ

ତୁମ୍ଭେ ହୋ ମନେ ଯାହା ଭାବ

 

 

 

 

ଅବଶ୍ୟ ନ ନିଅନ୍ତି ଘୁଷ

ତେଣୁ କି ଗଲା ସବୁ ଦୋଷ

ନିଅନ୍ତି ନାହିଁ ଅଣ୍ଟାଗୁଞ୍ଜା

ବୋଲି କି ପାଇବେ ସେ ପୂଜା

ହୋଇକି ଯିବେ ତେଣୁ ସାଧୁ

ତ୍ରାହି ପାଇବେ ଅପବାଦୁ

ପୁଣି ଏହାଙ୍କୁ ଗୁଣ ଶୁଣ

ଏ ବଡ଼ ଚତୁର ନିପୁଣ

 

 

 

 

ଉତ୍କୋଚ ନ ନିଅନ୍ତି ହାତେ

ଅନ୍ୟକୁ ଦିଅନ୍ତି ପଶ୍ଚାତେ

ଦିଅନ୍ତି ଉପାଧି ବରଷି

ଅନୁଗତଙ୍କୁ ସୁପାରିସି

ଏହାଙ୍କୁ ଶୁଭ ଅନୁଗ୍ରହେ

ସାର୍ ନାଇଟ୍‌ ହୁଏ କିଏ

କିଏ ବା ପାଏ ଉଚ୍ଚସ୍ଥାନ

ଧନ ସମ୍ପତ୍ତି ସନମାନ

 

 

 

 

ଏ ଯେବେ ପ୍ରକାରର ଲାଞ୍ଚ

ଲୋକଙ୍କୁ ଭଲାଇବା ପାଞ୍ଚ

ଏମନ୍ତେ ଅଣ୍ଟାଗୁଞ୍ଜା ଭରି

ନିଅନ୍ତି ଲୋକେ ହାତକରି

ଦେଇଣ ଏଭଳି ଉତ୍କୋଚ

ବୋଲାଉ ଥିବେ କି ସେ ଉଚ୍ଚ

ତେଣୁ ମୁଁ ପୋଷୁଛି ଏ ବାଣୀ

ଏ ଯେତେ ଯେତେ ମନ୍ତ୍ରୀମଣି

ଗୋଟିଏ ହେଲେ ନାହିଁ କେହି

ସାଧୁ ବା ଶୁଦ୍ଧ ଭାବେ ରହି

ପାଠକ ଉବାଚ

ପାର୍ଲିମେଣ୍ଟର କଥା ଗଲା

ଏବେ ହେ ମୋତେ କହ ଭଲା

ପାର୍ଲିମେଣ୍ଟର ବିଧାୟକ

ଅଟନ୍ତି ଯେଉଁ ଗୋରା ଲୋକ

ଯାହାଙ୍କ ନାମେ ଏଇ ସଭା

ସଦମ୍ଭେ ହୋଇଅଛି ଉଭା

ସେ ଗୋରା ଜନସାଧାରଣ

ତାଙ୍କର କିବାଆଚରଣ

ତାଙ୍କର ସ୍ୱରାଜ୍ୟର ପତା

ପାଇବି ଜାଣିଲେ ସେ କଥା

ଗାନ୍ଧି ଉବାଚ

ଇଂରେଜ ଜନସାଧରଣ

ସେ ପୁଣି ଭୋଟ ଦାତାଗଣ

କହନ୍ତି ସର୍ବେ ଭଜ ଭଜ

ଭଜ ହୋ ଖବରକାଗଜ

ଗାଧେଇ ଗଲା ବାଇବେଲ

ପଢ଼ିବା ପାଇଁ କାହିଁବେଳ

ଖବର କାଗଜେ ପୁରାଣ

ସମାନ କରୁଛନ୍ତି ଜ୍ଞାନ

 

 

 

 

ଖବରକାଗଜର ଗିର

ଶୁଣି କରନ୍ତି ମତ ସ୍ଥିର

ନିଜେ ଯେ ଅଟେ ପଥବଣା

ନ ଥାଏ ମତର ଠିକଣା

ସଦା ସତ୍ୟର ଅପ୍ରଳାପ

ପ୍ରଚାର ଯାହାର ପ୍ରଳାପ

ଯେ ତାହା କରନ୍ତି ବିଶ୍ୱାସ

ଭାସିଲେ ଯେହ୍ନେ ବେଦବ୍ୟାସ

 

 

 

 

ସେ କାହୁଁ ପାରିବେ ବା ଜାଣି

ସତ୍ୟ ଅସତ୍ୟ ସାଧୁ ବାଣୀ

ସମ୍ବାଦପତ୍ର ମାଳ ମାଳ

ତିଳକୁ କିଏ କରେ ତାଳ

ତାଳକୁ କିଏ ତିଳ କରେ

ଆପଣା ଦଳର ଫିକରେ

ଖବରକାଗଜ ଖବର

ଏକକୁ ଆରେକ ଅନ୍ତର

 

 

 

 

ସର୍ବମୁଖରେ ସତ୍ୟଭାଷା

ପାଇବା କେବଳ ଦୁରାଶା

ଗୋଟିଏ କାଗଜରେ ଯେବେ

କାହାକୁ ଉଚ୍ଚେ ଟେକିଦେବେ

କହି ସେ ସତ୍ୟ ଅବତାର

ତା ନାମ କରିବେ ପ୍ରଚାର

ତାହାରି ସେହି ସୁଚରିତ

ଅନ୍ୟ କାଗଜେ ବିପରୀତ

 

 

 

 

ଏକ କାଗଜେ ଏକ ନେତା

ହୋଇଲା ଯେବେ ସର୍ବବେତ୍ତା

ଆନ କାଗଜେ ସେ ସୁଜାଣ

ଅଜ୍ଞ ହିଁ ହୋଇବ ପ୍ରମାଣ

ଖବରକାଗଜ ଯାହାର

ଏମନ୍ତ ତୁଚ୍ଛା ମିଥ୍ୟାଚାର

ସେ ଦେଶ ଲୋକଙ୍କ ଦୁର୍ଦ୍ଦଶା

କହିବା ପାଇଁ କାହିଁ ଭାଷା

ପାଠକ ଉବାଚ

କୃପା କରିଣ ତାହା ମୋତେ

କହିବା ହେଉ ହେ କେମନ୍ତେ

ଇଂଲଣ୍ଡବାସୀଙ୍କ ଦୁର୍ଦ୍ଦଶା

ଜାଣିବା ପାଇଁ ବଳେ ଆଶା

ଗାନ୍ଧି ଉବାଚ

ଏହାଙ୍କ ମତିଗତି ଜାଣ

କ୍ଷଣକ୍ଷଣକୁ ଅନୁଆନ

ପ୍ରତ୍ୟେକ ସାତ ବରଷରେ

ଏହାଙ୍କ ରଙ୍ଗଟି ବଦଳେ

ଏହାତ ହେଲାଣି ପ୍ରବାଦ

ନୁହଇ ମିଥ୍ୟା ଅପବାଦ

ଘଡ଼ିର ଥାଏ ଲଟକଣ

ଦେଖିଛ ତାହାର ଝୁଲଣ

 

 

 

 

ସେ ଯେହ୍ନେ ନୁହଇ ଅଟକ

ଦୁଇ ପଟରେ ଠକ ଠକ

ତେମନ୍ତେ ଏହାଙ୍କ ପ୍ରକୃତି

ଏ ପାଖ ସେପାଖର ବୃତ୍ତି

 

 

 

 

କ୍ଷଣକ୍ଷଣକେ ପଛଘୁଞ୍ଚା

ଚାଲିଣ ଆଗେ ଗୁଳପୁଞ୍ଚା

କେ ଯେବେ ଲମ୍ବାଲମ୍ବା କଥା

ବତାଇ ଝାଡ଼ିଲା ବତ୍କୃତା

ଅଥବା କରି ନିମନ୍ତ୍ରଣ

ଦେଲା କେ ଆକଣ୍ଠ ଭୋଜନ

ତାହାରି ପକ୍ଷ ଏ ଢଳନ୍ତି

କ୍ଷଣକେ ଆନ ଆଚରନ୍ତି

 

 

 

 

ଯେସା ଲୋକକୁ ତେସା ସଭା

ଅଧିକ ହୁଅନ୍ତା କି ଅବା

ଯେମନ୍ତେ ବିଲାତ ବାସିନ୍ଦା

ତେହ୍ନେ ତାହାର ଅପନିନ୍ଦା

ତଥାପି ଏହି ଗୋରାଙ୍କର

ଗୋଟିଏ ଗୁଣଟି ସୁନ୍ଦର

ମାତୃଭୂମିକୁ ଶତ୍ରୁ ହାତେ

ନ ଦେବେ ଟେକି କଦାଚିତେ

 

 

 

 

ସୂଚ୍ୟଗ୍ର ପରିମିତ ଭୂଇଁ

ନ ପାରେ ତହିଁ କେହି ଛୁଇଁ

ଯଦି ବା କାର ପାପ ଆଖି

ସେ ଭୂମିପରେ ଯାଏ ଲାଖି

ଉପାଡ଼ି ଆଣିବେ ତା ଡୋଳା

କ୍ଷଣେ ନ କରି ଅବହେଳା

ତା ବୋଲି ନୁହନ୍ତି ଏ ଜନ

ସକଳ ଗୁଣରେ ସମ୍ପନ୍ନ

 

 

 

 

ତେଣୁ ସେ ଯାହା ଆଚରିବେ

ଇତରେ ତାହାକି କରିବେ

ମୋହର ଏହା ଦୃଢ଼ମତ

ଯେବେ ଆମ୍ଭର ଏ ଭାରତ

ସେ ଯାହା ପ୍ରମାଣ କରିବେ

ସେ ପଥେ ଯଦି ପ୍ରବର୍ତ୍ତିବେ

ହୁଡ଼ିବେ ଆପଣା ବିଶ୍ୱାସ

ଭାରତେ ହେବ ସର୍ବନାଶ

ପାଠକ ଉବାଚ

ଇଂଲଣ୍ଡ ଦୁର୍ଦ୍ଦଶା କାରଣ

କହିବା ହେଉହେ କେବଣ

ଗାନ୍ଧି ଉବାଚ

ସେଭଳି କଉଣସି ଦୋଷ

ନ ଦିଶେ ତାଙ୍କର ବିଶେଷ

ନୂତନ ସଭ୍ୟତା ଆସିଲା

ସେହିତ ସଭିଙ୍କି ଗ୍ରାସିଲା

ଖାଲି ଇଂଲଣ୍ଡ ନୁହେଁ ଏକ

ସାରା ୟୁରୋପ ଯାକ ଦେଖ

ନୂଆ ସଭ୍ୟତା ନେଲେ ବରି

ପ୍ରକୃତ ଦୋଷଟି ତାହାରି

 

 

 

 

ଏ ଯେ ସଭ୍ୟତା ଆଧୁନିକ

ନାଶର ହେତୁ ସେହି ନିକ

ଏବେ ହୋ ଏହାର କବଳେ

ୟୁରୋପ ରାଷ୍ଟ୍ର ଦଳେ ଦଳେ

ପଡ଼ି ସେ ଭୋଗ ଆତ୍ମସୂଖେ

ଯାଆନ୍ତି ଚାଲି ଧ୍ୱଂସ ମୁଖେ

 

Unknown

ଷଷ୍ଠ ଅଧ୍ୟାୟ

ସଭ୍ୟତା

ପାଠକ ଉବାଚ

ଆମ୍ଭେ ଯା ବୋଲୁଛୁ ସଭ୍ୟତା

ତୁମ୍ଭକଥାରେ ବର୍ବରତା

ତୁମ୍ଭେତ କର ନୂଆ ଅର୍ଥ

ବୁଝିବାକୁ ମୁଁ ଅସମର୍ଥ

ତେବେ ସଭ୍ୟତା ଅଭିପ୍ରାୟ

ମୋତେ ହଁ ସଂକ୍ଷେପେ ବୁଝାଅ

ଗାନ୍ଧି ଉବାଚ

ଏ ଅଟେ ଅସଭ୍ୟ ସଭ୍ୟତା

ଏ ନୁହେଁ ଏକା ମୋର କଥା

ଅନେକ ଇଂରାଜୀ ଲେଖକ

ଅଟନ୍ତି ଏ ମତ ପୋଷକ

ଏହାର ବିରୁଦ୍ଧରେ ମତ

ଦେଇ ଲେଖିଲେ ବହୁଗ୍ରନ୍ଥ

ସଭ୍ୟତାର ଏ ମାୟା ମୋହେ

ପଡ଼ିଣ ଦେଶ ଧ୍ୱଂସ ହୁଏ

 

 

 

 

ତାହାର କବଳୁଁ ଉଦ୍ଧାର

ପାଇବ ସେହିକି ପ୍ରକାର

କରିବା ପାଇଁ ତା’ ବିଧାନ

ହେଲାଣି କେତେ ଅନୁଷ୍ଠାନ

ଏହି ସଭ୍ୟତା ବିରୁଦ୍ଧରେ

ଅଛନ୍ତି କେତେ ନାରୀନରେ

ଲେଖକ ଏକ ସୁବିଖ୍ୟାତ

ଇଂଲଣ୍ଡ ଦେଶରେ ସେ ଜାତ

 

 

 

 

ପୋଥିଏ କଲେକ ରଚନା

ଶୁଣ ହେ ତାର ଶିରୋନାମା

ସଭ୍ୟତା ତଥା ତା’ କାରଣ

କିଭଳି ହେବ ନିବାରଣ

ଏ ନାମେ ଲେଖିଲେ ପୋଥିଏ

ସେ ଆମ୍ଭ ଆଖି ଖୋଲି ଦିଏ

ସଭ୍ୟତା ଏକ ମହାବ୍ୟାଧି

ବୋଲି ସେ ଛନ୍ତି ପ୍ରତିପାଦି

ରୋଗ ବୋଲି ତା କରି ଜ୍ଞାନ

ଦେଇ ସେ ଅଛନ୍ତି ନିଦାନ

ପାଠକ ଉବାଚ

ସଭ୍ୟତା ମୂଳ ଏତେ କଥା

ଆମ୍ଭଙ୍କୁ କିମ୍ପା ସେ ଉଲଟା

ସେ ଏଡ଼େ ବଡ଼ ବ୍ୟାଧି ବୋଲି

ଆମ୍ଭେ କିମ୍ପାଇ ଯାଉ ଭୁଲି

କି ହେତୁ ପାରୁ ନାହୁଁ ବୁଝି

ଆମ୍ଭେକି ଅଛୁଁ ଆଖି ବୁଜି

ଗାନ୍ଧି ଉବାଚ

ଆପଣା ଆଖିରେ କି କେହି

ଆପେ ଅଙ୍ଗୁଳି ପାରେ ଦେଇ

ଆପଣା ଦୋଷ ଯେବା ଦେଖେ

ଏପରି ଥାଆନ୍ତି କେତେକେ

ସଭ୍ୟତାର ଏ ମାୟାଜାଲେ

ପଡ଼ି ଯେ ସ୍ୱର୍ଗ ସୁଖ ଭାଳେ

ଅମୃତ ମଣି ଖାଏ ବିଷ

ଶୂକର ଯେସନେ ପୁରିଷ

ସେକି ନିନ୍ଦନ୍ତା ଏ ସଭ୍ୟତା

ଓଲଟା ଟେକିବାର କଥା

କରି ତାହାର ସମର୍ଥନ

ଦେଖାନ୍ତି ନାନାଦି ପ୍ରମାଣ

ସେତ ଅତ୍ୟନ୍ତ ମୂଢ଼ିମତି

ଅଜ୍ଞାନୁ ସବୁ ପାଶୋରନ୍ତି

ଯାବତ ନ ତୁଟଇ ଆଶ

ତାବତ ତହିଁରେ ବିଶ୍ୱାସ

 

 

 

 

ତେଣୁ କରନ୍ତି ଯଶଗାନ

ମଣି ତା’ ସରଗ ସମାନ

ନିଦ୍ରା ଅଚେତେ ଯେହ୍ନେ ପ୍ରାଣୀ

ସ୍ୱପ୍ନକୁ ସତ୍ୟ ପରମାଣି

ଯାବତ ଭାଜେ ନାହିଁ ନିଦ

ତାବତ ମୋହର ଆବଦ୍ଧ

ସେ ନିଦନିଶା ଗଲେତୁଟି

ଉଠିସେ ବୁଝେ ନିଜ ତ୍ରୁଟି

 

 

 

 

ତେମନ୍ତେ ସଭ୍ୟତା ଫେରରେ

ଯେ ପଡ଼େ ସେହି ଭ୍ରମକରେ

ଆମ୍ଭେ ଯେ ପୋଥି ନୀତି ପଢ଼ୁ

ପଢ଼ି ଯେ ସବୁ ମତ ଗଢ଼ୁଁ

ଏ ସଭ୍ୟତାର ଆରାଧକ

ଅଟନ୍ତି ତାହାର ଲେଖକ

ଅନେକ ବିଦ୍ୱାନ ମନିଷୀ

ଲେଖିଛନ୍ତି ଏ ମତପୋଷି

 

 

 

 

ଯେସନେ ଇନ୍ଦ୍ରଜାଲୀଗଣ

ଚକ୍ଷୁକୁ କରନ୍ତି ବନ୍ଧନ

ତେସନେ ଏହି ଲେଖାଲେଖି

ଲଗାଇ ଦିଅନ୍ତି ଭେଳକୀ

ତେଣୁ ଏ ପୋଥିମାନ ପଢ଼ି

ମାୟାଚକ୍ରରେ ଯାଉଁ ପଡ଼ି

ସମସ୍ତେଏହି ଭଉଁରୀରେ

ପଡ଼ି ଯାଆନ୍ତି ଧୀରେ ଧୀରେ

ପାଠକ ଉବାଚ

ତୁମ୍ଭେ ଯେ କହିଲ ବଚନ

ମାନି ତ ଗଲା ମୋର ମନ

ତେଣୁ ସଭ୍ୟତା ସମ୍ବନ୍ଧରେ

ବିଚାର ଯାହା ତୋ ମନରେ

ପୁସ୍ତକେ ଅବା ଅଛ ପଢ଼ି

ମୋତେ ହୋ ତାହା କହ ଫେଡ଼ି

ସଂପାଦକ ଉବାଚ

ସଭ୍ୟତା ବୋଲି ଯେ ପଦାର୍ଥ

କରନ୍ତି ଲୋକେ ଯେବା ଅର୍ଥ

ଯେଭଳି ଅବସ୍ଥାର ଲୋକ

ସଭ୍ୟ ବୋଲିଣ କରେ ଟେକ

କାହାକୁ ସଭ୍ୟ ବୋଲି କହି

ଶୁଣ ହେ କହିବି ବୁଝାଇ

ଦେହ ବିନ୍ୟାସ ପରିପାଟି

ଅଟେ ସଭ୍ୟତା ମାପକାଠି

 

 

 

 

କେବଳ ଭୋଗରେ କାରଣ

ଯେ କରେ ଶରୀର ଧାରଣ

ଶରୀର ସୁଖ ଭୋଗ ସାର୍ଥ

ଜୀବନ ମଣେ ପୁରୁଷାର୍ଥ

ସଭ୍ୟ ବୋଲିଣ ସେ ବୋଲାଏ

ସଂସାରେ ବହୁ ମାନ୍ୟ ପାଏ

ମୁଁ ଏବେ ଦେଇଣ ନଜିର

କରିବ ତାହା ପରିଷ୍କାର

 

 

 

 

ଆଜ ୟୁରୋପ ମହାଦେଶ

ତାହାର ଯେ ରୂପ ଯେ ବେଶ

ଯାହା ସେ ଅଛି ଏହି ଲାଗେ

ନ ଥିଲା ଶହେ ବର୍ଷ ଆଗେ

ସେ କାଳେ ଲୋକଙ୍କର ଘର

ନ ଥିଲା ଏମନ୍ତ ସୁନ୍ଦର

ଏବେ ରହନ୍ତି ରମ୍ୟବାସେ

ଅଧିକ ଶରୀ ସୁଖ ଆଶେ

 

 

 

 

ତେଣୁ ଏ କାଳ ଜନ ଗଣେ

ଲେଖା ହୁଅନ୍ତି ସଭ୍ୟ ପଣେ

ଆଦିମ ଯୁଗର ମାନବେ

ଅର୍ଦ୍ଧ ଅସଭ୍ୟ ଥିଲେ ଯେବେ

କଟି ବସନ ବୃକ୍ଷ ଛାଲ

ହସ୍ତେ ବରଛା ବର୍ମ ଭାଲ

ତେମନ୍ତ ଆଉ ନାହିଁ ଏବେ

ଲୋକେ ହେଲେଣି ସଭ୍ୟ ଯେବେ

 

 

 

 

ତେଣୁ ଅଶେଷ ଶୋଭାବନ

ମଣ୍ଡାଣ ଅଙ୍ଗର ବସନ

ସଭ୍ୟତା ଯେତେ ଯାଏ ବଳି

ପୋଷାକ ପିନ୍ଧା ଭଳି ଭଳି

ହାତରେ ପୁଣି ଗୁଳି ଭରା

ଘେନନ୍ତି ବନ୍ଧୁକ ଜମ୍ବୁରା

ଯେ ଅସ୍ତ୍ର ଏକା ଏକା ଥରେ

ବହୁ ମାନବପ୍ରାଣହରେ

 

 

 

 

ଭାଲ ବରଛା ସ୍ଥାନନେଲା

ଲୋକଙ୍କୁ ସଭ୍ୟପଦ ଦେଲା

ଯଦିକେ ଶଉରା ଶବର

ଏକାନ୍ତ ବାସେ କରି ଘର

ଅଥବା କୋଲ୍‌ହ କନ୍ଧ ଜାତି

ଏ ଆଡ଼ମ୍ବରୁଁଦୂରେଥାନ୍ତି

ସେ ସବୁ ଅସଭ୍ୟ ଅରଣା

ବୋଲିଣ ହୋଇଥାନ୍ତି ଗଣା

 

 

 

 

ସେ ଯେବେ ଜାମା ପାଇଜମା

ଲାଗାନ୍ତି ନାହିଁନା ଉପମା

ପାଦରେ ଚର୍ମର ପାଦୁକା

ଅଧରେ ଧରି ଧଳା ପିକା

ମସ୍ତକେ ଶୋଲର ଟୋପର

ଗଳାରେ ଝାଲର କଲର

ସାଜନ୍ତି ଫିରିଙ୍ଗ ସାହେବ

ଏଣେ ସେ ବୋଲାଇବେ ସଭ୍ୟ

 

 

 

 

ଅରଣା ଦୋଷ କ୍ଷଣେ କଟେ

ମୁକତି ନିକଟୁ ନିକଟେ

ପୂର୍ବେ ୟୂରୋପ ଲୋକ ଯେତେ

ହଳ ଲଙ୍ଗଳ ଧରି ହାତେ

କର୍ଷଣ ଚାଷ ବେଉଷଣ

ଏମନ୍ତ ଉଦର ପୋଷିଣ

(ଆଦାମ କରୁଥିଲା ଚାଷ

ଇଭ୍‌ଟି କାଟିଲା କପାସ)

 

 

 

 

ସେ ଯୁଗ ଏବେ କାହିଁଗଲା

ଏଣିକି ଦେଶ ସଭ୍ୟ ହେଲା

ଆସିଲା ମହା ମହା କଳ

ମହୀକି ହୋଇଲା ସେ କାଳ

ଏ କଳ ହୋଇଲା ରାକ୍ଷସ

କ୍ଷଣେ ଧରିତ୍ରୀ କଲା ଗ୍ରାସ

ସହସ୍ରେ ଲୋକଙ୍କ ଖଟଣି

ଏକା ଏକଳନିଏ ଟାଣି

 

 

 

 

ସହସ୍ର ଲୋକ ଏକ ପଟ

ହେଲେହେଁ କଳକୁ ନିଖଟ

(ପୁରାକାଳରେ ଏକ ରାଜା

ସ୍ୱଚ୍ଛନ୍ଦେ ପାଳୁଥିଲା ପ୍ରଜା

ପ୍ରଜାଙ୍କ ହିତ ସୁଖ ଲାଗି

ସେ ଥିଲେ ଗୃହ କର୍ମତ୍ୟାଗୀ

ସୁଖେ ରହିବେ ପ୍ରଜାକୁଳ

ସେ ଲାଗି ସର୍ବଦା ବ୍ୟାକୁଳ

 

 

 

 

ଏମନ୍ତ ସମୟରେ ଆସି

ରାକ୍ଷସେ କାହୁଁ ପରବେଶି

ବୋଇଲେ ଶୁଣିମା ମଣିମା

ବଳରେ ନାହିଁନା ସେ ସୀମା

ମୁଁ ତୋତେ ହେଲି ପରାପତ

ତୋ ପାଦେ ଖଟିବି ନିରତ

ଯେବେ ଯା କହିବ ହେ ତୁମ୍ଭେ

କରିବି ତାହା ଅବିଳମ୍ବେ

 

 

 

 

ନାହିଁ ମୋ ଦରମା ବେତନ

କେବଳ ସେବା ପାଇଁମନ

ଏକଇ ଅଛି ମୋର ଖୋଇ

ଅଳସେ ନ ପାରଇ ରହି

ସର୍ବଦା ଯୋଗାଇବ କାମ

ନୋହିଲେ ଜାଣ ଭାଗ୍ୟ ବାମ

ମୁହୂର୍ତ୍ତେ ବସିଲେ ଅଳସେ

ତୋତେ ମୁଁ ଭକ୍ଷିବି ସବଂଶେ

 

 

 

 

 

 

 

 

ଶୁଣିଣ ରାକ୍ଷସ ବଚନେ

ରାଜାବିଚାର କଲେ ମନେ

ଆସିଛି ଏ ତ ଶୁଭଯୋଗ

ମର୍ତ୍ତ୍ୟକୁ କରିବି ସ୍ୱରଗ

ଏବେ ମୋର ଏ ରାଜୁତିରେ

ଅଭାବ ନ ରହିବ ତିଳେ

ପ୍ରଜାଏ ମୋର ଲକ୍ଷ ଲକ୍ଷ

ଅଭାବ ତାଙ୍କର ଅସଂଖ୍ୟ

 

 

 

 

ଏକା ରାକ୍ଷସ ଅଟେ ଏହି

କାମ ମୁଁ ପାରିବି ଯୋଗାଇ

ତେଣୁ ସେ ଦେଲେକ ବଚନ

ସତ୍ୟ କରିଲେ ତତ୍‌କ୍ଷଣ

ଶୁଣ ହେ ଏଥୁ ଅନନ୍ତରେ

ରାକ୍ଷସ ଯାହା ଯାହା କରେ

ଅଦ୍ଭୁତ ତାର କରାମତି

ଆଶ୍ଚର୍ଯ୍ୟ ତାହାର ଶକତି

 

 

 

 

ରାଜା ଆଦେଶ ଦେଲା ମାତ୍ରେ

ସେ ତାହା କରଇ ମୁହୂର୍ତ୍ତେ

ରାଜାଙ୍କ ଆଜ୍ଞା ନବ ନବ

କ୍ଷଣକେ କରଇ ସମ୍ଭବ

ରାଜା ହୋଇଲଷ ସ୍ତମ୍ଭୀଭୂତ

ରାକ୍ଷସ ସାଧଇ ଅଦ୍ଭୂତ

ବୋଇଲେ ମୋ ଗ୍ରାମଗହଳ

ହେଉ ହେ ସୁନ୍ଦର ସହର

 

 

 

 

ତକ୍ଷଣେ ଗ୍ରାମ ଶତ ଶତ

ନଗରେ ହେଲା ପରିଣତ

ବିଶାଳ ପ୍ରାସାଦ ଆବଳି

ଆଖି ପିଞ୍ଛାକେ ଦେଲା ତୋଳି

ରାଜା ବୋଇଲେ ପ୍ରଜାଙ୍କର

ସର୍ବ ଅଭାବ ଦୂର କର

ଇନ୍ଦ୍ର ବରୁଣ ଅଗ୍ନି ଆଦି

ଖଟିବେ ନ ହୋଇ ବିବାଦୀ

 

 

 

 

 

 

 

 

କହୁଁ ନ କହୁଁ ଏ ବଚନ

ସକଳ କାର୍ଯ୍ୟ ସମାପନ

ରାଜନ ହୋଇଲେ ଚକିତ

ଏତ ହୋଇଲା ବିପରୀତ

ଭାଷିଲେ କର ହୋ ଅସୁର

ନଗର ମୋର ସ୍ୱର୍ଗପୁର

ରାକ୍ଷସ ଚକ୍ଷୁର ପଲକ

ମାତ୍ରେ ତା କଲା ସ୍ୱର୍ଗଲୋକ

 

 

 

 

ରାକ୍ଷସ ବୋଇଲାକ ତହୁଁ

କହ କି କାର୍ଯ୍ୟଅଛି ଆଉ

ରାଜା ତ ନ ପାରିଲେ ଭାଳି

ମଗଜ ଗଲା କି ପିଗଳି

ତହୁଁ ଅସୁର ଉଭା ହେଲା

ସବଂଶ ଗିଳିବି ବୋଇଲା

ରାଜାର କି ଅଛି ଉପାୟ

ଏବେ ତ ହେଲେ ନିରୁପାୟ

 

 

 

 

ତେମନ୍ତେ ଏ ଯନ୍ତ୍ରରାକ୍ଷସ

କରିବ ଅବନୀକି ଗ୍ରାସ

ଯାହା ଅଧୀନେ ରହେ କଳ

ସେଇଟି ହୁଅଇ ସବଳ

ପୀଡ଼ି ଦୁର୍ବଳେ ଇଚ୍ଛାମତେ

ମହତ ବୋଲାଏ ଜଗତେ

ତେଣୁ ଏ କଳ ଯାର ଥାଏ

ଆଦର୍ଶ ସଭ୍ୟ ସେ ବୋଲାଏ

 

 

 

 

ଅସଂଖ୍ୟ ଲୋକଙ୍କୁ ବେକାର

କରି ସେ ହୁଏ ସାହୁକାର

କରଇ ଦେଶେ ପ୍ରଭୁପଣ

ଏହାଟି ସଭ୍ୟତା ଲକ୍ଷଣ

ପୁଣି ଏ ସଭ୍ୟ ଯୁଗେ ଦେଖ

ଅସଂଖ୍ୟ ଅସଂଖ୍ୟ ଲେଖକ

ବରଷାକାଳ ଛତୁପରି

ଅସଂଖ୍ୟ କବିନାମ ଧରି

 

 

 

 

 

 

 

 

ଯାହାର ଯାହା ହେଲା ରୁଚି

କାବ୍ୟ କବିତା ଗଲା ରଚି

ଇନ୍ଦ୍ରିୟ ସୁଖେ ଭାବ ଭାବି

ବୋଲାନ୍ତି ମହା ମହା କବି

ପୁସ୍ତକ ମାନ ମାଳମାଳ

ଲୋକଙ୍କୁ ହେଲେ ସେ ଜଞ୍ଜାଳ

ଲେଖାରେ ନଥାଏ ସଂଯମ

କେବଳ କରୁଥାନ୍ତି ଢିମ

 

 

 

 

ଅସଂଖ୍ୟ ପୁସ୍ତକ ଛପାଇ

ବିଚାରେ ଗୁଣ ଦୋଷନାହିଁ

ଲେଖକେ ମତଟି ଗୋଟିଏ

ସତ୍ୟ ଅସତ୍ୟ ବୁଝେ କିଏ

ପୂର୍ବରେ ନ ଥିଲା ଏମନ୍ତ

ଅଳପ ଲୋକେ ଶୁଚିମନ୍ତ

କରି ସାଧନ ଧ୍ୟାନବଳେ

କବି ବୋଲାଉ ଥିଲେ ଫଲେ

 

 

 

 

ଲେଖୁ ଯେ ଥିଲେ ସାର କଥା

କ୍ଷୀର ସଂଗ୍ରହେ ହଂସ ଯଥା

ଥିଲାଟି ପାପ ପୁଣ୍ୟ ଜ୍ଞାନ

ତେଣୁ ଲେଖାରେ ସାବଧାନ

ସେ ଯେଣୁ ବାଣୀ ବରପୁତ୍ର

ଶୁଦ୍ଧ ପବିତ୍ର ସୁଚରିତ୍ର

ସର୍ବଦା ନୀତି ବାକ୍ୟ ଘୋଷି

ଲୋକଙ୍କ ମନ ଥିଲେ ତୋଷି

 

 

 

 

ଯେବା ଅନୀତି କଥା କହେ

ଅସତ୍ୟ ମାର୍ଗରେ ଭୁଲାଏ

ତାହାକୁ ମନ୍ଦ କବି ବୋଲି

ନରକ ଦ୍ୱାର ଦିଏ ଖୋଲି

ସେ ଯୁଗ ଏବେ ନାହିଁ ଆଉ

ମନ୍ଦ କବିଙ୍କ ବଢ଼େ ଦାଉ

ଯାବତ ପୁସ୍ତକର ବୃଦ୍ଧି

ଯାବତ କବିଙ୍କ ସମୃଦ୍ଧି

 

 

 

 

 

 

 

 

ତାବତ ଦେଶହୁଏ ସଭ୍ୟ

ତାବତ ହେବ ସ୍ୱର୍ଗ ଲଭ୍ୟ

ଏମନ୍ତ ବିଚାର ଏ ଯୁଗ

ଏହିଟି ସଭ୍ୟତାର ରୋଗ

ସେ ଯୁଗେ ଥିଲା ଗୋରୁଗାଡ଼ି

ଅଥବା ପାଲିଙ୍କି ସବାରୀ

ଦିନକେ ଗଲେ କୋଶବାର

ସରଇ ଦିନକ ସଫର

 

 

 

 

ଏବେ ହୋ ଲୋକ ଦିନକରେ

ଶହଶ’ କୋଶ ଗତିକରେ

ରେଳ ମୋଟର ପରେ ଚଢ଼ି

ସଭ୍ୟତା ଯାଉଅଛି ବଢ଼ି

ଆସିବ ପୁଣି ବ୍ୟୋମଜାନ

ସେ ମନ ପବନ ସମାନ

କ୍ଷଣକେ ଶୂନ୍ୟ ମାର୍ଗେ ଘୂରି

ଦେଶକୁ ଦେଶ ଯିବ ଉଡ଼ି

 

 

 

 

ଏ ଅଟେ ସଭ୍ୟତାର ଅଙ୍ଗ

କେତେ କହିବି ତାର ରଙ୍ଗ

ଲୋକେ ଅଧିକ ସଭ୍ୟ ହେବେ

ହାତ ଗୋଡ଼କୁ ପାଶୋରିବେ

ଇଚ୍ଛା ମାତ୍ରକେ ତତ୍‌କ୍ଷଣ

ସକଳ ଅଭିଷ୍ଟ ପୂରଣ

ଯନ୍ତ୍ରଦାନବ ରହି ପାଶ

ପାଳିବ ସକଳ ଆଦେଶ

 

 

 

 

ବିଜୂଳି ବତୀ ଟିପା ପ୍ରାୟେ

ବଟିନ ଥିବା ଠାଏ ଠାଏ

ଏକ ବଟନେ ହେଲେ ହସ୍ତ

ପୋଷାକ ଆସିବ ସମସ୍ତ

ଅନ୍ୟ ବଟନେ ହସ୍ତ ଦ୍ୟନ୍ତେ

ଖବର କାଗଜ ଅଗ୍ରତେ

ଆବର ଏକ ଦେଲେ ମୋଡ଼ି

ଖଟୁଣ ଥିବ ହାଓ୍ୱା ଗାଡ଼ି

 

 

 

 

 

 

 

 

କେ ଦେବ ଛପନ ବ୍ୟଞ୍ଜନ

ଷଡରସରେ ପଞ୍ଚୁବର୍ଣ୍ଣ

ଏମନ୍ତେ ଯନ୍ତ୍ରର ସାହାଯ୍ୟ

କରାଇ ଦେବ ସବୁକାର୍ଯ୍ୟ

ଯନ୍ତ୍ରର ହୋଇ ଯିବେ ଦାସ

ସରିବ ମନୁଷ୍ୟ ପ୍ରୟାସ

କରଚରଣ ନ ଚଳିବ

ସଭ୍ୟତା ଯହୁଁ ବଳିଯିବ

 

 

 

 

ଆବର କର ହୋ ଶ୍ରବଣ

ସେ କାଳ ହେଉଥିଲା ରଣ

ସମାନ ସମାନ ଶକତି

ବଳାନ୍ତି ସମରରେ ମତି

ଦେହର ବଳ କସାକସି

ହୁଅନ୍ତେ ରଣାଙ୍ଗନେ ପଶି

କରନ୍ତି ବାହୁବାହୁ ଯୁଦ୍ଧ

ଦୁର୍ବଳେ ଜିଣିବା ନିଷିଦ୍ଧ

 

 

 

 

ଏବେ ତ ରହି ଆଡ଼ୁଆଳେ

ବଣ ଖମାଣ ହୁଡ଼ି ତଳେ

ଗୋଟିଏ ଲୋକ ଗୁଳି ଘାତ

ସହସ୍ର ଜୀବ ପ୍ରାଣଘାତ

ଏହି ତ ମଣିଷ ପଣିଆ

ସଭ୍ୟତା ବୋଲେ ଯା ଦୁନିଆ

ଆଗେ ଆମର ଚଷାଭାଇ

ହିଡ଼ର ମାଟି ହିଡ଼େ ଦେଇ

 

 

 

 

କରୁ ଯେ ଥିଲା ଦେହଶ୍ରମ

ଆକାଶେ ଯେହ୍ନେ ବିହଙ୍ଗମ

ନ ଥିଲା ବାଧ୍ୟ ବାଧକତା

ଯାହାର ଯେତିକି କ୍ଷମତା

ପୁନିଅ ମଙ୍ଗଳ ବାସର

ଥିଲା ଆରାମ ଅବସର

ମୁକ୍ତ ଆକାଶ ମୁକ୍ତ ବାୟୁ

ବଢୁ ଯେ ଥିଲା ପରମାୟୁ

 

 

 

 

 

 

 

 

ଏବେ ହୋ ହେଲା ସଭ୍ୟ ଯୁଗ

ସେ କାଳ ଖାଇଗଲା ବାଘ

ଶତ ସହସ୍ର ନରନାରୀ

ବାଳୁତ କୁଆଁର କୁଆଁରୀ

ଗୃହ ବିହୀନ ବିଶ୍ୱନାସ୍ତି

ହା ଅନ୍ନ ହା ଅନ୍ନ ଡାକନ୍ତି

ଯାବତ ନ ପୂରେ ଉଦର

ତାବତ ଜ୍ଞାନ କାହିଁ ଆର

 

 

 

 

ଜୀବନ ଦେଉଛନ୍ତି ବିକି

ମୁଠିଏ ଦାନାର ପାଇଁକି

ଅଯଥା ହୋଇ ବୁଲି ବୁଲି

ଶେଷରେ କାରଖାନା କୁଲି

କିଏ ବା ଖଟେ ଖଣି ତଳେ

କେବଳ ପେଟର ବିକଳେ

ତହିଁ ଅନେକ ଲୋକ ମିଳି

ପଶୁ ହୁଁ ଦଶା ଯାଏ ବଳି

 

 

 

 

ଗୁହାଳ ସମ ବସା ବାନ୍ଧି

ରହନ୍ତି ତହିଁ ହୋଇ ରୁନ୍ଧି

ପାଣି ଛଡ଼ାଇ ଜୀବନକୁ

ଖଟନ୍ତି ଅଧିକ ଅଧିକୁ

ମୁଣ୍ଡର ଝାଳ ତୁଣ୍ଡେ ମାରି

ସେ ପୁଣି ନୁହନ୍ତି କାହାରି

କଳ ମାଲିକ କୋଟିପତି

ତାଙ୍କର ବଢୁଥାଏ ଥାତି

 

 

 

 

ଗରିବ ଖଟି ଖଟି ମରେ

ଧନପତିର ଅଣ୍ଟା ଭରେ

ନ ପୂରେ ଗୋଟିଏ ଉଦର

ବଞ୍ଚିବେ କାହୁଁ ପରିବାର

କ୍ରମେ ତ ମୂଲ ହେଲା ଶସ୍ତା

ଦିନକୁ ଦିନ ହୀନାବସ୍ଥା

କଷ୍ଟ ଅର୍ଜିତ ତାଙ୍କ ଧନ

ଖାମିଦ କରଇ ଶୋଷଣ

 

 

 

 

 

 

 

 

ତାର ଅର୍ଜନେ ଯେହୁଁ ବଞ୍ଚେ

ସଭ୍ୟ ବୋଲାନ୍ତି ସେ ପ୍ରପଞ୍ଚେ

ଅସଭ୍ୟ ଯୁଗରେ ମନୁଷ୍ୟ

ମନୁଷ୍ୟେ କରୁଥିଲା ଦାସ

ସବଳ ଲୋକେ ଶରୀବଳେ

ଦୁର୍ବଳେ ପକାଇ କବଳେ

ନିଷ୍ଠୁର ଭାବେ ମାରି ପିଟି

ଗୋଲାମ କରିଣ ଖଟାନ୍ତି

 

 

 

 

ଏ ଯୁଗେଏହି ସବୁ ଦୋଷ

ବିଶେଷ ନ କରେ ମନୁଷ୍ୟ

କିନ୍ତୁ ଏ ଯୁଗ ରୀତି ଦେଖ

ସବଳେ ନେଲେ ନୂଆ ଭେକ

ଗୋଲାମ କିଣିବାର ପାଇଁ

ମାର ପିଟର ଲୋଡ଼ା ନାହିଁ

ନ ହୁଏ ବୃଥା ବଳ କ୍ଷୟ

ମିଳିଲା ସହଜ ଉପାୟ

 

 

 

 

ବଡ଼ ବଡ଼ିଆ ପୁଞ୍ଜିବାଦୀ

ଭିଆଇ ବ୍ୟସନ ନାନାଦି

ଦେଖାଇ ତାର ପ୍ରଲୋଭନ

କିଣି ନିଅନ୍ତି ଲୋକମନ

ଭୋଗ ବିଳାସ ଦ୍ରବ୍ୟ ଯେତେ

ସୁଲଭେ ଆସି ପଡ଼େ ହାତେ

କ୍ଷଣକ ଆରାମ ଅଏସ

ସେ ଆଶା ନ ହୁଅଇ ଶେଷ

 

 

 

 

ସେ ଜାତି ଯେତେ ଦ୍ରବ୍ୟ ପାଇଁ

ସକଳେ ହୋଇ ଯାନ୍ତି ବାଇ

ଏ ଯେତେ ବିଳାସ ସମାଗ୍ରୀ

ଅମଳୁ ବଳି ହୁଏ ଉଗ୍ରୀ

ଲୋକେ ତା’ଇଚ୍ଛି ନ ପାରନ୍ତି

ସେ ମୋହେ ଘାରି ହେଉଥାନ୍ତି

ମୋଟର ଶୂନଗାଡ଼ି ବିନେ

ଚରଣ ନ ଚଳଇ କ୍ଷଣେ

 

 

 

 

 

 

 

 

ନ ହେଲେ ବିଜୁଳିର ବତୀ

ନ କଟେ ଘରେ ଘୋର ରାତି

ପାଦେ ପାଣ୍ଡୋଇ ଯେବେ ନାହିଁ

ଭୂମିର ତାପ ହୁଏ ଦାହୀ

ଝର କଲମ ନାହିଁ ହାତେ

ଅକ୍ଷର ଲେଖିବା କେମନ୍ତେ

ହାତରେ ବନ୍ଧା ନାହିଁ ଘଡ଼ି

କାମତ ଯାଉଛି ବିଗିଡ଼ି

 

 

 

 

ଆଖିରେ ନାହିଁ ପରଚକ୍ଷୁ

ନ ଦିଶେ କିଛି ଦେଖୁଁ ଦେଖୁଁ

ସାବୁନ ବିନା ଦେହ କାନ୍ତି

ମଳିନ ଦିଶଇ ନିହାତି

ବାସ ତଇଳ କେଶ ପାଶେ

ମଗଜ ଶୀତଳ ସକାଶେ

ଧନେ ପ୍ରାପତେ ଯେ ବିଳାସ

ଏମନ୍ତେ ତାରହେଲେ ଦାସ

 

 

 

 

ତେଣୁ ବଢ଼ଇଦାସ ସଂଖ୍ୟା

ବଢ଼ଇ ମାନବର କକ୍ଷା

ଏ ଯେଣୁ ହେଲା ସଭ୍ୟ ଯୋଗ

ମହୀକୁ ଏହି ଦଶା ଭୋଗ

ଏ ଯେତେ ସଭ୍ୟତାର ଦାସ

ସହଜେ ରୋଗ କରେ ଗ୍ରାସ

ଶରୀର ଶ୍ରମ ଅଭାବରେ

ଦୁର୍ବଳ ହୋଇଯାନ୍ତି ନରେ

 

 

 

 

ନାନାଦି ଅଖାଦ୍ୟ ଆଶନ

କୃତ୍ରିମ ବିଳାସ ବ୍ୟସନ

ଆୟୁଷ ଦିନୁ ଦିନୁ ଘଟେ

ଜଳ ଯେସନେ ଛିଦ୍ରଘଟେ

ଦିନକୁ ଦିନ ଦେହ କ୍ଷୀଣ

ତୃଣ ଯେସନେ ସାର ହୀନ

ଏବେ ହୋ ଦେଖ ଏ ଜଗତେ

ରୋଗ ଉଦ୍ଭବ ନାନାମତେ

 

 

 

 

 

 

 

 

ଏ ଯେତେ ନବ ନବ ବ୍ୟାଧି

ନାହିଁ ତାହାର ଅନ୍ତ ଆଦି

ନ ଥିଲା ଦେଖି କେ ସ୍ୱପନେ

ଏହାଙ୍କ ରୂପେ କେବେ ଦିନେ

ଏ ରୋଗ ନିରୋଗ ନିମନ୍ତେ

ଡାକତରଙ୍କ ସଂଖ୍ୟା କେତେ

ହାସପାତାଳ ମାଳମାଳ

ସେ ପୁଣ ଚିହ୍ନ ସଭ୍ୟତାର

 

 

 

 

ପୋଷିବା ପାଇଁ ମନ୍ଦବୈଦ୍ୟ

ବିକିବା ପାଇଁକି ଔଷଧ

ବ୍ୟାଧିକି କରନ୍ତି ସଜନ

ବ୍ୟବସ୍ଥା ପୁଣି କଷାୟନ

ସେ ବ୍ୟାଧିଜଡ଼ୁଁ ନୁହେଁ ଶେଷ

ଜନ୍ମଇ ବିକାର ଅଶେଷ

ବ୍ୟାଧି ନାଶନ ଅଉଷଧି

ସେ ପୁଣି ଉପୁଜାଏ ବ୍ୟାଧି

 

 

 

 

ଯେତେ ଅଧିକ ବ୍ୟାଧି ଗ୍ରାସ

ସେତିକି ସଭ୍ୟତା ବିକାଶ

ସେକାଳେ ଥିଲା ହରକରା

ନ ଥିଲା ତାଙ୍କ ଖରାତରା

ବହୁତ ବ୍ୟୟଶ୍ରମ ସାଧ୍ୟ

ଥିଲାଟି ପେଶିବା ସମ୍ବାଦ

ଏଣିକି କାର୍ଡ଼ ଯେ ଲଫାପା

ବାଟ ତ ହୋଇଗଲା ସଫା

 

 

 

 

ପଇସାକରେ ଚିଠି ଖଣ୍ଡେ

ଶହଶ କୋଶ ବୁଲେଦଣ୍ଡେ

ଆବର ତାର ଟେଲିଫୋନ

କରଇ ବାରତାବହନ

ସେହିଟି ହେଲେ ଅନ୍ତର୍ଯ୍ୟାମୀ

ସ୍ତିରୀର ମନ ବୁଝେ ସ୍ୱାମୀ

ସ୍ୱାମୀର ମନ ବୁଝେ ସ୍ତିରୀ

ଲଫାପା ଖଣ୍ଡେ ଦେଲେ ଚିରି

 

 

 

 

 

 

 

 

ଏବେ ଧରିଲେ ପ୍ରିୟା ପ୍ରୀତି

ଭାଷାରେ ସ୍ନେହ ଦେବା ରୀତି

ଆଦର କେବଳ ଭାଷାରେ

ସେ ଯେତେ ଭାବେ ଲେଖିପାରେ

ସେ ଯେତେ ପାରେ ଦେବ ଗାଳି

ଅଥବା ହେବ ନିଉଛାଳି

ସକଳ କହି ନେବ ଚିଠି

ବୃଥା କିମ୍ପାଇଁ ଭେଟା ଭେଟି

 

 

 

 

ଏ ଭାଷା ବିନା ଆପତ୍ତିରେ

ବାରତା ଯୋଗାଏ କତିରେ

ମୁଫତ ହେଲା ଆଶୀର୍ବାଦ

ଦେବ ବା ଯେ ଅଭିସମ୍ପାଦ

ଏ ଭାଷ ଦିଏ ନିଏ ଆଣି

ଏହାଟି ସଭ୍ୟତା ନିଶାଣି

ପୂର୍ବେ ଆହାର ଅନ୍ମଶାକ

ସ୍ୱହସ୍ତେ କରି ପରିପାକ

 

 

 

 

ଶୁଚି ଶଉଚ ପରିଷ୍କାର

ଭୋଜନମାତ୍ର ଦୁଇବାର

ଏବେ ତ ଯୁଗ ଲେଉଟିଲା

ସଭ୍ୟତା ମାତ୍ରା ତ ଉଠିଲା

ସଭ୍ୟ ମାନବ ଏ ଯୁଗରେ

ଘଡ଼ିକ ପହଡ଼କେ ଥରେ

କରନ୍ତି ରସ ଆସ୍ୱାଦନ

ଚର୍ବଣ ଚୋଷଣ ଲେହନ

 

 

 

 

ଯାହା ତାହା ବା ଯହିଁତହିଁ

ଗର୍ଭରେ ଦିଅନ୍ତି ପକାଇ

ଶଉଚ ଆଚାର ବିଚାର

ନିମନ୍ତେ ତର ନାହିଁ କାର

ଜିହ୍ୱା ମଧୁର ରସ ପାଇଁ

ଲାଳସା ଛାଡ଼ିପାରେ ନାହିଁ

ଜିହ୍ୱା ସେବାରେ ଦିନସରେ

ସେବା ଧରମ ରଖ ଘରେ

 

 

 

 

 

 

 

 

ନ ହେଲେ ନ ରହିବ ମାନ

କୃପଣ ବୋଲି ଅପମାନ

ଯେ ଯେତେ ଖାଇବ ଖୋଇବ

ସେ ସେତେ ସଭ୍ୟ ବୋଲାଇବ

ଏ ସଭ୍ୟତାର ଗୁଣମାନ

କେତେ ମୁଁ କରିବି ବଖାଣ

ଏ ନୁହେଁ ଖାଲି ମୋର ମତ

ଅଟେ ଏ ପ୍ରମାଣିତ ସତ୍ୟ

 

 

 

 

ଅନ୍ୟାନ୍ୟ ସାର ଗ୍ରନ୍ଥ ମଧ୍ୟେ

ଏ ତଥ୍ୟ ପାଇବ ବିଶଦେ

ଯାହା କହିଲି ଠିକେ ଠିକେ

ସତ୍ୟ ଘଟଣା ଊଣାଧିକେ

ଏ ସବୁ ସଭ୍ୟତାର ଚିହ୍ନ

ସଭ୍ୟତା ଠାରୁ ଏ ଅଭିନ୍ନ

ଏ ଯେଉଁ ସଭ୍ୟତାର ରୀତି

କେ ପାରେ କହି ତା ଅନୀତି

 

 

 

 

ମହୀ ମଣ୍ଡଳେ ନାହିଁ ଜନ

ଏହାକୁ କରିବ ଖଣ୍ଡନ

ଯେହୁ ବା କରେ ପ୍ରତିବାଦ

ତା ଭାଲେ ଅଜ୍ଞ ଅପବାଦ

ନାହିଁ ତ ଏହି ସଭ୍ୟତାର

ଧର୍ମ ବା ଅଧର୍ମ ବିଚାର

ନୀତି ଆଚାର ନାହିଁ କିଛି

ତେଣୁ ସଭ୍ୟତା ବୋଲାଇଛି

 

 

 

 

ଏହାର ବଡ଼ ବଡ଼ପଣ୍ଡା

କହନ୍ତି ହୋଇ ପରଚଣ୍ଡା

ଧର୍ମ ଚରଚା ଧର୍ମ ଶିକ୍ଷା

ଅଥବା ଧର୍ମର ପରୀକ୍ଷା

ସଭ୍ୟ ଲୋକର ନୁହେଁ କାମ

ଯେ କରେ ତାର ବୁଦ୍ଧି ବାମ

ଅନ୍ଧ ବିଶ୍ୱାସ ବୋଲି ଭାଳି

କିଏ ଧର୍ମକୁ ଦିଏ ଗାଳି

 

 

 

 

 

 

 

 

ଧର୍ମକୁ ମଣନ୍ତି ପେଖଣା

ଧର୍ମପାଳନେ କରି ମନା

ଏମନ୍ତେ ଥାଆନ୍ତି କେତେକ

ଧର୍ମର ଧରି ମିଥ୍ୟା ଭେକ

କରନ୍ତି ନୀତି ପରଚାର

ସେସବୁ ଅଲଣା ଅସାର

ଆଉ କେତେକ ଲୋକ ଥାନ୍ତି

ମିଥ୍ୟା ଆଚାର ଆଚରନ୍ତି

 

 

 

 

ଏ ଲୋକ ଅଟନ୍ତି ବିଷମ

ଯେହ୍ନେ ବିରାଡ଼ି ବଇଷମ

ନୀତି ଶାସ୍ତ୍ରର ବାକ୍ୟ ଘୋଷି

ହୁଅନ୍ତି ସେ ଭଣ୍ଡତପସ୍ୱୀ

ଧର୍ମର ନାମେ ଅଧର୍ମର

ପ୍ରଚାର କରନ୍ତି ପାମର

ଦେଇ ସେ ଧର୍ମକୁ ଦୁହାଇ

ଯାବତ ଅକର୍ମକୁ ଦାହୀ

 

 

 

 

କରନ୍ତି ସଭ୍ୟତାର ଟେକ

ବୋଲାନ୍ତି ପୁଣି ବଡ଼ ଲୋକ

ସଭ୍ୟତାର ଏ ରୀତିମାନ

ମୁଁ ଯାହା କରିଲି ବୟାନ

ସବୁ ନୀତିର ପ୍ରତିବନ୍ଧ

ଧର୍ମର ନାହିଁ ନାମ ଗନ୍ଧ

ବିଂଶ ବରଷ ଅଭିଜ୍ଞତା

ଅନ୍ତେ ମୁଁ କହୁଛି ଏ କଥା

 

 

 

 

ସଭ୍ୟତା ଚକ୍ରରେ ଯେ ପଡ଼େ

ଆଚାର ପଥ ସେହୁ ହୁଡ଼େ

ନୀତିର ସ୍ଥାନ ନାହିଁ ତହିଁ

ବାଳୁତ ହେଲେହେଁ ଜାଣଇ

ଶରୀ କୁଶଳେ ସର୍ବ ସିଦ୍ଧି

ଅଟଇ ସଭ୍ୟତାର ବିଧି

ସଭ୍ୟ ମାନବ ଏହି ମଞ୍ଚେ

ଶରୀର ସୁଖେ ଦିନ ବଞ୍ଚେ

 

 

 

 

 

 

 

 

ବିଷୟ ବିଷେ ଭୋଳ ହୋଇ

କେହି କି ନୀତି ଆଚରଇ

କଣ୍ଡୁ ଯେସନେ ନଖ ମୁନେ

ନିମିଷେ କୋଟି ସୁଖ ମଣେ

କଣ୍ଡୂ ନାଶବେ ମହା ଦୁଃଖ

ତା ଭାଗ୍ୟେ ନାହିଁ ନାହିଁ ସୁଖ

ଶରୀ ସଂଭୋଗେ ଦେହ ବହି

ସେ ଦେହ ଭୋଗିନ ପାରଇ

 

 

 

 

ସୁଖ ଗହନେ ଦୁଃଖଆସେ

ପ୍ରାଣୀଏ ମରନ୍ତି ନିରାଶେ

ଏ ସଭ୍ୟତାର ଅନ୍ୟ ନାମ

ଅଟଇ ଧର୍ମର ବନାମ

ଏ ପୁଣି ଏମନ୍ତ ପ୍ରବଳ

ଦୃଢ଼େ ସେ କଲାଣି କବଳ

ଯେତେ ୟୁରୋପ ଦେଶବାସୀ

ପାଗଳ ସର୍ବେ ହେଲେ ଆସି

 

 

 

 

ବୁଡ଼ି ବା ଯାଇଅଛି ହୋସ

କାର୍ଯ୍ୟରେ ନାହିଁ ସାମଞ୍ଜସ୍ୟ

ଦେହରେ ନାହିଁ ଶରୀବଳ

ଅଥବା ସାହସ ସମ୍ବଳ

କର୍ମ ସାଧନେ ଶକ୍ତି ନାହିଁ

ତେଣୁ ହୁଅନ୍ତି ମଦ୍ୟପାୟୀ

ରହନ୍ତି ସଦା ନିଶାଭୋଳେ

କାର୍ଯ୍ୟକରନ୍ତି ନିଶାବଳେ

 

 

 

 

ଗହନ ନିକାଞ୍ଚନ ସ୍ଥାନ

ନ ହୁଅ ଏହାଙ୍କ ରୋଚନ

ହାଟ ବଜାର ସଭାସ୍ଥଳ

ତାମସା ନାଟରେ ଗହଳ

ହାଟରେ ମଧ୍ୟ ବହ୍ମଜ୍ଞାନ

ସମ୍ଭବ ନୁହେଁ କଦାଚନ

ସଦା ସଙ୍ଗତେ ଘେନି ନାରୀ

ହୁଅନ୍ତି ଅଶିଷ୍ଟ ଆଚାରୀ

 

 

 

 

 

 

 

 

ଗୃହର ଲକ୍ଷ୍ମୀ ଯେଉଁ ନାରୀ

ଗୃହରୁ ଯାଆନ୍ତି ବାହାରି

ସେ ପୁଣି ଦାଣ୍ଡ ବଜାରରେ

ବୁଲନ୍ତି ଶହ ହଜାରରେ

କାରଖାନାରେ ତାଙ୍କୁ ଆଣି

କରନ୍ତୁ କୁଲି ମୂଲିଆଣୀ

ଘରଘରଣୀ କୁଳନାରୀ

ହୁଅନ୍ତି ପର ପରିଚାରୀ

 

 

 

 

ପର ଅଧୀନେ ପରିଶ୍ରମ

ଛାଡ଼ିଲେ ସରମ ଭରମ

ଚାଲିଶ ଲକ୍ଷ ଗୃହସ୍ତିରୀ

ଖଟନ୍ତି ଇଂଲଣ୍ଡେ ମଜୁରୀ

ପେଟ ବିକଳେ ଗୃହ ତେଜ୍ୟା

ତୁଟିଲା ସବୁ ଲୋକଲଜ୍ଜା

ଅତି ଗଲିଜି ଗୃହଲାଗେ

ଖଟନ୍ତି ଯାଇଁକାଳ ଆଗେ

 

 

 

 

ରହନ୍ତି ଅତି କଷ୍ଟ ମଷ୍ଟେ

ଦିନ ନ ସରେ ଦୁଃଖକଷ୍ଟେ

ଏ ନିର୍ଯ୍ୟାତନା ଫଳେ ଆଜ

ଜାଗିଛି ରମଣୀ ସମାଜ

ତେଣୁ ଇଂଲଣ୍ଡେ ନାରୀ ତାର

ମାଗଇ ଭୋଟ ଅଧିକାର

କରଇ ଘୋର ଆନ୍ଦୋଳନ

ବଢ଼ଇ ତାହାର ଜ୍ୱଳନ

 

 

 

 

ଏମନ୍ତ ଅଟେ ଏ ସଭ୍ୟତା

ସଜାଏ ବସି ନିଜ ଚିତା

ସେ ନିଆଁ କୁହୁଳି କୁହୁଳି

ଉଠିବ ଦିନେ ପୁଣି ଜଳି

ଏ ସଭ୍ୟ ମାନବ ସମାଜ

ଦହ୍ୟ ହୋଇବେ ଧର ଧୈର୍ଯ୍ୟ

ଯେହୁ ବା ସଭ୍ୟତାର ନିଆଁ

ଜାଳୁ ଅଛନ୍ତିଏ ଦୁନିଆ

 

 

 

 

 

 

 

 

ସମସ୍ତେ ତହିଁ ହେବେ ଧ୍ୱଂସ

ଏରକା ବନେ ଯଦୁବଂଶ

ଦେଖିଏ ସଭ୍ୟତାର ମଦ

କହି ଅଛନ୍ତି ମହମ୍ମଦ

ସଇତାନିଆ ଏ ସଭ୍ୟତା

ଏହାର ନାହିଁମୁଣ୍ଡ ମଥା

ହିନ୍ଦୁ ମତରେ ଘୋର କଳି

ତେଣୁଟି ଘଟୂଛି ଏଭଳି

 

 

 

 

ଏ ସଭ୍ୟତାର ଅନ୍ଧକୂପ

ପ୍ରକୃତର ତାର ଯେଉଁ ରୂପ

ବର୍ଣ୍ଣିକି ପାରିବି ସେ କଥା

ମୁଁ କାହୁଁ ହେବି ସାମରଥା

କିନ୍ତୁ ଏ ସଭ୍ୟତା ରାକ୍ଷସ

କଲାଣି ଇଂରେଜଙ୍କୁ ଗ୍ରାସ

ତା ତହୁଁ ଗରଳ ନିକିଳି

ଜାତୀୟ ଶକ୍ତିଦିଏ ଜାଳି

 

 

 

 

ଇଂରାଜୀ ଜାତି ଦେହେ ଘୁଣ

ଲଗାଇ ଦେଇଛି ଏ ପୁଣ

ଅରଣ୍ୟେ ଅନଳ ସମାନ

ଏ ନାଶକାରୀ ନାଶବାନ

ନିଜେ ଏ ଜଳି ହେବଖାର

ଆନଙ୍କୁ କରି ନାରଖାର

ଏଥିରୁ ଯେ ପାରେ ବରଜି

ସେହି ସୁଜାଣ ସାଧୁମତି

 

 

 

 

ଏଥିରୁ ଉଦ୍ଧରିଲେ ଜାଣ

ହୋଇବ ଅଶେଷ କଲ୍ୟାଣ

ଇଂଲଣ୍ଡେ ପାର୍ଲିମେଣ୍ଟ ସଭା

ଅନ୍ୟ ଦେଶେ ଯେ ଅଛି ଅବା

ଏହି ଏ ସଭ୍ୟତା କାରଣ

ହେଲେଣି ସବୁ ଅକାରଣ

କେବଳ ଚିହ୍ନି ଗୋଲାମିର

ହୋଇ ସେ ରହିଛନ୍ତି ବୀର

 

 

 

 

 

 

 

 

ତୁମ୍ଭେ ହୋ ଭଲେ କଲେଚିନ୍ତା

ବୁଝିବ ଏହାର ସତ୍ୟତା

ତେଣୁ ଗୋରାଙ୍କ ନାହିଁ ଦୋଷ

ସେତ ଏ ସଭ୍ୟତାର ବଶ୍ୟ

ସେତ ଅଟନ୍ତି ଅଣାୟତ୍ତ

ସଭ୍ୟତା ଆୟତ ସମସ୍ତ

ତେଣୁ ସେ ଦୟାର ଭାଜନ

ନ ନିନ୍ଦ ତାଙ୍କୁ କଦାଚନ

 

 

 

 

କିନ୍ତୁ ଏ ଜାତି ନାରୀନର

ଅଟନ୍ତି ବଡ଼ ହୁସିଆର

ତୁଟାଇ ଦେବେ ମାୟାପାଶ

ମୋହର ଏମନ୍ତ ବିଶ୍ୱାସ

ଏ ଜାତି ବଡ଼ ପରିଶ୍ରମୀ

ସାହସୀ ପୁଣି ସତ୍ୟ ଧର୍ମୀ

ଏହାଙ୍କ ଭାବନାରେ ମୂଳେ

ଅନୀତି ବୋଲି ନାହିଁ ଠୁଳେ

 

 

 

 

ହୃଦେୟ ନିର୍ମଳ ସୁନ୍ଦର

ତେଣୁ ଶରଧା ଅଛି ମୋର

ଏ ଯେଉଁ ସଭ୍ୟତାର ରୋଗ

ସେତେ ନୁହଇ ଦୁରାରୋଗ୍ୟ

ତେଣୁ ଭରସା ଅଛି ମୋର

ଏଥିରେ ହେବ ସେ ନିସ୍ତାର

ତଥାପି ଏ ଇଂରାଜ ଜାତି

ଏ ରୋଗେ ପଡ଼ି ସଢ଼ୁଛନ୍ତି

 

 

 

 

ବିନା ଯନ୍ତ୍ରରେ ରୋଗ ନାଶ

ହେବାର ନ ହୁଏ ବିଶ୍ୱାସ

ଏ କଥାଯିବ ନାହିଁ ଭୁଲି

ସତ୍ୟ ପ୍ରମାଣେ ମୁଁ ବୋଇଲି

ଏକଥା ମନେରଖ ବାନ୍ଧି

କହେ ମୋହନ ଦାସ ଗାନ୍ଧି

 

ସପ୍ତମ ଅଧ୍ୟାୟ

ପରାଧୀନତାର କାରଣ

ପାଠକ ଉବାଚ

ଏହି ସଭ୍ୟତା ସମ୍ବନ୍ଧରେ

ଯାହା ହୋ କହିଲ ବିସ୍ତାରେ

ମୋତେ ତ ଲାଗିଲା ସଂଶୟ

କରି ମୁଁ ନ ପାରିଛି ଥୟ

ଯେ ଆଦରଶ ଇଉରୋପେ

ରହିଛି ଆମ୍ଭର ସମୀପେ

ତହୁଁ କି କରିବୁ ଗ୍ରହଣ

କାହାକୁ ଅବା ବରଜନ

 

 

 

 

ଏବେ ମୁଁ ପଡ଼ିଛି ସଙ୍କଟେ

କହ ହୋ ସ୍ଥିର କରି ମୋତେ

କହିଲି ସଭ୍ୟତାର କଥା

ସେ ଯେବେ ତୁଚ୍ଛା ଅସଭ୍ୟତା

ଯଦି ସେ ହୋଇଥାଏ ବ୍ୟାଧି

ମନୁଷ୍ୟ ଜାତିର ସମାଧି

ଯଦି ସେ ରୋଗର ପ୍ରକୋପ

ଗ୍ରାସିଛି ସାରା ଇଉରୋପ

 

 

 

 

ୟୁରୋପବାସୀ ଇଂରାଜୀଏ

ଅଟନ୍ତି ରୋଗଗସ୍ତ ଯିଏ

ସେ କେହ୍ନେ କଲେ ଅଧିକାର

ଭାରତଭୂମି ସୁବିଶାଳ

ଦୁର୍ବଳ ହୋଇ ସେ କିପରି

ହେଲେ ଭାରତ ଦଣ୍ଡଧାରୀ

 

 

ଗାନ୍ଧି ଉବାଚ

ବୋଲନ୍ତି ଗାନ୍ଧି ସଂପାଦକ

ଶୁଣ ହେ ସୁଧୀର ପାଠକ

ଏଣିକି ହୋଇଲା ସହଜ

ତୁମ୍ଭ ଉତ୍ତର ମନେ ହେଜ

ଏ ପ୍ରଶ୍ନ ଉତ୍ତର ସଙ୍ଗତେ

କହିବି ଏବେ ମୋର ମତେ

ସ୍ୱରାଜ୍ୟ ରୂପ କି ପ୍ରକାର

କାଳେ ଉତ୍ତର ଦେବି ତାର

 

 

 

 

ପୁଚ୍ଛିଲ ପ୍ରଥମେ ଯାହା କି

ସେ କଥା ରହିଅଛି ବାକି

ଶେଷେ ଯା ମାତ୍ର କଲ ପୁଚ୍ଛା

ଆଗ ଉତ୍ତର ଦେବା ଇଚ୍ଛା

ସଭ୍ୟତା ଗ୍ରସ୍ତ ଗୋରା ଜାତି

କିପରି ରାଜ୍ୟ କରିଯାନ୍ତି

ଦୁର୍ବଳ ହୋଇକି ପ୍ରକାର

କଲେ ଭାରତ ଅଧିକାର

 

 

 

 

କହିବି ଏବେ ତାର ତଥ୍ୟ

ଶୁଣ ପାଠକେ ସାର ତତ୍ତ୍ୱ

ଇଂରାଜୀ ନିଜେ ଏ ଭାରତ

କରି ନାହାନ୍ତି ହସ୍ତଗତ

ଆମ୍ଭେ ତ ସ୍ୱଇଚ୍ଛାରେ ଡ଼ାକି

ଦେଇଛୁଁ ତାଙ୍କୁ ହାତେ ଟେକି

ତାଙ୍କର ଅବା କେତେ ବଳ

କରନ୍ତେ ଭାରତେ କବଳ

 

 

 

 

ଆମ୍ଭେ ତ ଖୁସିରେ ତାହାଙ୍କୁ

ଦେଇଛୁଁ ଏଥେ ରହିବାକୁ

ଏହାର ସତ୍ୟାସତ୍ୟ ବାଣୀ

ମୁଁ ତାହା କହିବି ପ୍ରମାଣି

ବଣିଜ କରିବା ଉଦ୍ଦେଶ୍ୟ

ଇଂରାଜେ ଆସିଲେ ଏ ଦେଶେ

ସେବେ ତ କମ୍ପାନୀ ଅମଳ

ତାଙ୍କ ଅବସ୍ଥା ଟଳମଳ

 

 

 

 

ସ୍ୱପ୍ନରେ ଭାବି ସେ ନଥିଲେ

ରାଜୁତି କରିବାକୁ ତିଳେ

ପାଇ ସେ ଆମ୍ଭରି ଆଦର

ହେଲେ କମ୍ପାନୀ ବାହାଦୂର

କମ୍ପାନୀ ସାହେବଙ୍କୁ ଡ଼ାକି

ସାହାଯ୍ୟ କଲୁ ଡ଼ାକିହାକି

ଦେଖି ତାଙ୍କର ରୂପା ଚାନ୍ଦି

ଆମର ମନ ହେଲା ବନ୍ଦୀ

 

 

 

 

ତାଙ୍କର ଚକଚକୀ ମାଲ

କିଣିଲୁ ଆମେ ମଣି ଭଲ

ସର୍ବସ୍ୱ ଟେକିଦେଲୁ ଡ଼ାକି

ଇତିହାସ ହିଁ ତାର ସାକ୍ଷୀ

ତୁରନ୍ତେ ଧନୀ ହେବା ଆଶେ

ଧାଇଲୁଁ ଆମ୍ଭେ ତାଙ୍କ ପାଶେ

କରିଲୁ ଆନନ୍ଦେ ସ୍ୱାଗତ

ସାଜିଲୁଁ ଆମେ ଦେଶଭକ୍ତ

 

 

 

 

ଆମ୍ଭଙ୍କୁ କରିବାକୁ ଜୟ

ହୋଇଲୁଁ ତାହାଙ୍କୁ ସହାୟ

ଯଦି କେ ପାଚକର ପାଣି

ଅମଳ କରି ପିଏ ଆଣି

ଆପେ ସେ ଆପଣାର ବାଦୀ

ଶୁଣ୍ଢୀ ତ ନୁହେଁ ଅପରାଧୀ

ଦେଲେ ହେଁ ବିକ୍ରେତାର ଦୋଷ

ଛାଡ଼ିଯିବ କି ସେ ଅଭ୍ୟାସ

 

 

 

 

ଏକ ବିକ୍ରେତା ଗଲେ ଚାଲି

ଆନେ ପସରା ଦେବ ମେଲି

ଅକର୍ମା ହୋଇ ଭୂମି ନିନ୍ଦା

କଲେ ପ୍ରାପତ ନୁହେଁ ଫନ୍ଦା

କରି କେ ଆକଣ୍ଠ ଭୋଜନ

ହୁଅଇ ଯେବେ ବାତାଜୀର୍ଣ୍ଣ

ଜଳକୁ ନିନ୍ଦିଲେ ସେ ମଳୁ

ହେବ କି ନିରୁଜ ରୋଗରୁ

 

 

 

 

ଉତ୍ତମ ବୈଦ୍ୟ ଯେବେ ଥିବ

ରୋଗର ଜଡ଼ ସେ ଦେଖିବ

ପ୍ରକୃତ ଦେଶ ଭକତ ଯେ

ବିଷୟ ମୂଳକୁ ସେ ଖୋଜେ

ଭାରତ ବର୍ଷର ଯେ ବ୍ୟାଧି

କରିବ ଯଦି ତା ଔଷଧି

ଉଚିତ ରୋଗର କାରଣ

କରିବା ଆଗ ନିର୍ଦ୍ଧାରଣ

ପାଠକ ଉବାଚ

ତୁମ୍ଭେ ତ କହୁଅଛ ସତ

ମୁଁ ନୁହେଁ ତହିଁ ରେ ଅମତ

କରିବା ପାଇଁ ତା ପ୍ରମାଣ

କି ହେବ ବାଢ଼ି ଯୁକ୍ତିମାନ

ମୁଁ ତ ପାରିଛି ସବୁ ବୁଝି

କି ହେବ ବୃଥା ଯୁକ୍ତି ଖୋଜି

ତୁମ୍ଭର ଯାହା ଯାହା ମତ

ଶୁଣିବ ମୁହଁ ସେ ସମସ୍ତ

ଚିତ୍ତରଞ୍ଜକ ଏ ପ୍ରସଙ୍ଗ

ଏ ରସ ନ କରନ୍ତୁ ଭଙ୍ଗ

ଚାହିଁଛି ମୁହିଁ ଉନମୁଖେ

କହିବା ହେଉ ଠିକେ ଠିକେ

ତୁମ୍ଭେ ହୋ ଯାଉଥାଅ କହି

ମୁଁ ତାହା ବୁଝୁଥିବି ଧ୍ୟାୟି

ଯହିଁ ବା ଶଙ୍କା ହେବ ମନେ

ପୁଚ୍ଛିବି ପୁଣି ତତ୍‌କ୍ଷଣେ

ଗାନ୍ଧି ଉବାଚ

ଏଣିକି ଭିନ୍ନ ଭିନ୍ନ ମତ

ହେବାର ହେଉଛି ପ୍ରତୀତ

ଯେ ହେବ ମୋହର ବିଚାର

ତୁମ୍ଭର ଅନ୍ୟ ପରକାର

ହେବାର ହେଉଛି ସମ୍ଭବ

ଉଭୟ ଭିନ୍ନ ଅନୁଭବ

ତଥାପି କହୁଛି ମୁଁ ଧୀରେ

ଶୁଣ ହେ ପାଠକ ସୁଧୀରେ

 

 

 

 

ଯହିଁ ବା ଲାଗିବ ଖଟକା

ମନରେ ସନ୍ଦେହ ବା ଶଙ୍କା

ପୁଚ୍ଛିଲେ ମୋତେ ତତକ୍ଷଣ

କହିବି ପ୍ରମାଣ ବଚନ

ଏ ଦେଶେ ଇଂରାଜୀ ବେପାରୀ

ସାତ ସମୁଦ୍ର ହୋଇ ପାରି

ବସିଲେ ଆସନ ଜମାଇ

କହିଛି ତାହା କାହିଁ ପାଇଁ

 

 

 

 

ପାଇଣ ଆମ୍ଭର ପ୍ରଶ୍ରୟ

ଏ ଦେଶ ଲଭିଲେ ସେ ଶ୍ରେୟ

ଥିଲେ କମ୍ପାନୀ ବାହାଦୁର

ବଣିଜେ ଅତି ଧୂରନ୍ଧର

ନିପୁଣ ରଣ କଉଶଳେ

ନପୁଣ କେହି ମହୀତଳେ

ନୀତି ଅନୀତି ନ୍ୟାୟାନ୍ୟାୟ

ବିଚାରେ କିବା ଅଭିନୟ

 

 

 

 

ଧନ ଅର୍ଜନ ମୁଖ୍ୟ ପଦ

ବାଣିଜ୍ୟ ପସାରେ ସଂପଦ

ଏମନ୍ତେ କମ୍ପାନୀର ଲୋକେ

ଚାହିଁ ସେ ଥିଲେଟି ଉନ୍ମୁଖେ

ପାଇ ଆମ୍ଭର ସହାୟତା

ବଢ଼ିଲା ତାଙ୍କ ମାଲମତା

ବଢ଼ିଲା ଲାଭ ମୂଳ ପାଣ୍ଠି

ଗଢ଼ିଲେ ଯେତେ କୋଠିବାଟି

 

 

 

 

ସେ ପାଣ୍ଠି ରକ୍ଷା ପାଇଁ ପୁଣି

ବଢ଼ିଲା ସଇନ ଛାଉଣୀ

ବଢ଼ିଲା ତାଙ୍କ ଥାଟପାଟ

ଆମ୍ଭଙ୍କୁ ମିଳିଗଲା ବାଟ

ଭାଇ ଭାଇରେ କଳିଲାଗି

ସାହାଯ୍ୟ ତାଙ୍କୁ ଗଲୁଁ ମାଗି

ନ ସହି ଭାଇ ସୁଖ ଶିରୀ

ହିଂସାରେ ବରିଲୁଁ ବଇରି

 

 

 

 

ରାଜା ରାଜାରେ ହେଲା ଯୁଦ୍ଧ

କମ୍ପାନୀ ହୋଇଲା ଆୟୂଧ

ତେଣୁ ହୋଇଲୁ ସର୍ବନାଶ

ତାଙ୍କର ଅବା କେଉଁ ଦୋଷ

ହିନ୍ଦୁ ମୁସଲମାନ ଭେଦ

ତାହାଙ୍କୁ ହୋଇଲା ବଉଦ

ଏମନ୍ତେ ଆମ୍ଭେ ଏ ଭାରତେ

ଟେକି ଦେବାକୁ ତାଙ୍କ ହସ୍ତେ

ଦେଲୁ ସୁବିଧା ସରଞ୍ଜାମ

ତେଣୁଟି ଆମ ଭାଗ୍ୟ ବାମ

ଆପଣା ହସ୍ତେ ଜିହ୍ୱା ଛେଦି

କେ ପୁଣି ତାର ପ୍ରତିବାଦୀ

ଏ ନିଜ ଦୁଷ୍କୃତିର ଫଳ

ଭାଗ୍ୟକୁ ମିଛେ ନିନ୍ଦାକର

ତେଣୁ ନ କହ ଏ ଭାରତ

ହୋଇଲା ପର ପଦାନତ

ଆମେଇ ତାକୁ ପର ପଦେ

ସଅଁପି ଦେଇଅଛୁଁ ସାଧେ

ପାଠକ ଉବାଚ

ତେବେ ଇଂରାଜେ ଆଜଯାଏ

କହ ହେ କେବଣ ଉପାୟେ

ରଖି ଅଛନ୍ତି କାହା ବଳେ

ଭାରତେ ଆପଣା କବଳେ

ଆମେ ତ ଦେଇଥିଲୁ ଟେକି

କିପରି ପାରିଲା ସେ ରଖି

ଗାନ୍ଧି ଉବାଚ

ଯେଉଁ କାରଣେ ଗୋରାଦଳ

ଏ ଦେଶ କରିଲେ ଦଖଲ

ସେଇ କାରଣେ ସେ ଇଂରାଜ

ଶାସନ କରୁଛନ୍ତି ଆଜ

ଯେଉଁ ଦୋଷରୁ ଦେଶବାସୀ

ବରିଲେ ନିଜ କାଳଫାଶୀ

ଶତ୍ରୂକୁ କରିଣ ଆଦର

ଯାଚି ଭରିଲୁ ଅଧିକାର

 

 

 

 

ସେହି କାରଣେ ଦମ୍ଭଧରି

ଶାସନ ଯାଉଛନ୍ତି କରି

କହନ୍ତି କେତେକ ଇଂରେଜ

କରି ଅଲଣା ଢିମ ତେଜ

ଖଣ୍ଡାର ମୁନେ ଏ ଭାରତ

କରୁଛୁଁ ଆମେ କରଗତ

ଖଣ୍ଡାରେ କରିଅଛୁ ସାଧ୍ୟ

ଖଣ୍ଡାହିଁ ଆମର ଆରାଧ୍ୟ

 

 

 

 

ମିଥ୍ୟା ଅଟଇ ଏ ବଚନ

ଖଣ୍ଡାର କିବା ପ୍ରୟୋଜନ

ଖଣ୍ଡାକୁ ଖୋଳେ ରଖି ରଖି

ଶେଷରେ ଲାଗିବ କଳଙ୍କି

ଭାରତ ଶାସିବାର ପାଇଁ

ଅସ୍ତ୍ରର ଆବଶ୍ୟକ ନାହିଁ

ଆମେଇ ତାଙ୍କୁ ମଣି ପ୍ରଭୁ

ସବୁ ସୁବିଧା କରି ଦେବୁଁ

 

 

 

 

ଆଣିଛୁଁ କରି ନିମନ୍ତ୍ରଣ

ମାନିବୁ ତାଙ୍କ ପ୍ରଭୁପଣ

ଏମନ୍ତେ ଥିବେ ସେ ଶାସକ

ନୋହିବ ଅସ୍ତ୍ର ଆବଶ୍ୟକ

ଫରାସୀ ବୀର ନେପୋଲ୍ୟନ

ଶୁଣ ହୋ ତାଙ୍କର ବଚନ

ଚିପି ସେ ଇଂରାଜଙ୍କ ନାଡ଼ି

କହି ଅଛନ୍ତି ସ୍ଥିର କରି

 

 

 

 

ଏ ଜାତି ନିପଟ ବଣିଆ

ନାହିଁ ନ ଥିବ ଏ ଦୁନିଆଁ

ୟାଙ୍କର ନାହିଁ ଅନ୍ୟ ପେଶା

ଭରସା କେବଳ ବେଉସା

ଯେ ଦେଶ କଲେ ଅଧିକାର

ଉଦ୍ଦେଶ୍ୟ ବେଉସା ପ୍ରସାର

ପୋଷନ୍ତି ସେନାଦଳ ଦଳ

କରି ବେପାର ଜଗୁଆଳ

 

 

 

 

ଯେତେ ପଦାନି ନଉବାହୀ

ସବୁ ବାଣିଜ୍ୟ ରକ୍ଷା ପାଇଁ

ଆଫ୍ରିକା ଭୂଖଣ୍ଡରେ ଜାଣ

ଟ୍ରାନ୍‌ସଭାଲର ଅବସ୍ଥାନ

ୟୁରୋପୁ ନାନା ଗୋରାଜାତି

ଏ ଦେଶେ କରନ୍ତି ବସତି

ନ ଥିଲା ଏଠାରେ ଗହଳି

ବାଣିଜ୍ୟ ପ୍ରସାରିବା ଭଳି

 

 

 

 

ତେଣୁ ଇଂଲଣ୍ଡ ମନ୍ତ୍ରୀବର

ଗ୍ଲାଡ଼ାଷ୍ଟୋନ ନାମ ତାଙ୍କର

ଏ କଥା ତାଙ୍କୁ ଥିଲା ଜଣା

ତେଣୁ ସେ କରିଲେ ଘୋଷଣା

ଟ୍ରାନ୍‌ସଭାଲକୁ ଚିରଦିନ

ଅନ୍ୟାୟେ ରଖିବା ଅଧୀନ

ଏହାକୁ କରିବା ମୁକତ

ଅଟଇ ଯୁକତି ଯୁକତ

 

 

 

 

ଏଥୁ ଅନ୍ତରେ ଦିନାକେତେ

ଗଲା ହୋ ବହି କାଳସ୍ରୋତେ

ଏହି ଯେ ଟ୍ରାନ୍‌ସଭାଲ ଧରା

ଧନ ଧାନ୍ୟରେ ହେଲା ଭରା

ପଡ଼ିଲା ସୁନା ହୀରା ଖଣି

ଗୋରାଏ ଭାବିଲେ ତକ୍ଷଣି

ଏହାକୁ ରଖିବାଟି ହାତେ

କାଳ ନ ଟାଳି ଅଚିରାତେ

 

 

 

 

ଜିଭରୁ ଗଡ଼ିଲାକ କାଳ

ଏବେ ଖୋଜିଲେ ନାନାଆଳ

କେମନ୍ତେ କରିଣ ଆୟତ୍ତ

ଲୁଟିବେ ତାର ଦଉଲତ

କି କହ କେଉଁ ବାହାନାରେ

ଗିରାସ କରିବେ ତାହାରେ

ଦେଖାଇ ନାନାଦି କାରଣ

ତେଣୁ ସେ ଆରମ୍ଭିଲେ ରଣ

 

 

 

 

 

 

 

 

ଥୋଇ ଦଲିଲ ଦସ୍ତାବିଜ

ପ୍ରମାଣ କଲେକ ଇଂରାଜ

କହିଲେ ଏ ଆମ୍ଭ ଆୟତ୍ତ

ଆମ୍ଭର ପଇତୃକ ସ୍ୱତ୍ୱ

ଇଂଲଣ୍ଡ ବୈଦେଶିକ ମନ୍ତ୍ରୀ

ଚେମ୍ବରଲେନ ବଡ଼ମନ୍ତ୍ରୀ

ଅନ୍ୟାୟେ ଆରମ୍ଭିଲେ ଯୁଦ୍ଧ

କରିବା ପାଇଁ ସ୍ୱାର୍ଥସିଦ୍ଧ

 

 

 

 

ମାର୍କିନ ଦେଶ ରାଷ୍ଟ୍ରପତି

କ୍ରୁଗର ନାମ ସେ ଧରନ୍ତି

ତାହାଙ୍କୁ କିଏ କେବେ ଥରେ

ପୁଚ୍ଛିଲା ଅତି ଆଗ୍ରହରେ

ଚନ୍ଦ୍ରମା ଦେହରେ ସବୁର୍ଣ୍ଣ

ଅଛି କି ନାହିଁ ବିଦ୍ୟମାନ

ଏ କଥା ଶୁଣିଣ କ୍ରୁଗର

ତକ୍ଷଣେ ଭାଷିଲେ ଉତ୍ତର

 

 

 

 

କହିଲେ ଶୁଣ ପାରିଷଦ

ଚନ୍ଦ୍ରରେ ନାହିଁ ସେ ସଂପଦ

ଚନ୍ଦ୍ରମା ଦେହରେ ସୂବର୍ଣ୍ଣ

ଥିଲେ ତହିଁରେ ଗନ୍ଧବର୍ଣ୍ଣ

ଇଂରେଜମାନେ ତାକୁ ଜୟ

ନ କରି ଧରନ୍ତେ କି ଥୟ

ଏହାଙ୍କ ସବୁ ଗୁଣତକ

ଏକ କଥାରେ ମନେରଖ

 

 

 

 

ଧନ ହିଁ ପରମ ଈଶ୍ୱର

ଗତି ମୁକତି ଜୀବନର

ଧନ ଶୋଷଣେ ଏ ସମସ୍ତେ

ଆସି ବସିଲେ ଭୂ-ଭାରତେ

ଆମ୍ଭେ ତ ତାଙ୍କୁ ଦେଲୁ ବାସ

ଆପଣା ସ୍ୱାର୍ଥର ଲାଳସ

ତାଙ୍କ ପସରା ମନିହାରୀ

ଆମ୍ଭର ମନ ନେଲା ହରି

 

 

 

 

 

 

 

 

ତାଙ୍କର ମାଲ ଝଲଝଲ

କିଣିଲୁ ଆମେ ମଣି ଭଲ

ତାଙ୍କ ଆଟୋପ ଆଡ଼ମ୍ବରେ

ଆମ୍ଭେ ହୋ ଭୁଲିଲୁଁ ସତ୍ୱରେ

ତେଣୁ ତାଙ୍କରି ଇଚ୍ଛାମତେ

ଚଳିଲୁ ଆମ୍ଭେଟି ସମସ୍ତେ

ଏହି କାରଣୁ ବହି ରୋଷ

ଆମ୍ଭେ ତାଙ୍କର ଦେଲେ ଦୋଷ

 

 

 

 

ଓଲଟି ଆମ୍ଭ ଭ୍ରମ ଲାଗି

ତାଙ୍କର ଚେର ଯିବ ଲାଗି

ତାଙ୍କର ସାମ୍ରାଜ୍ୟର ମୂଳ

ଅଧିକ ହୋଇଯିବ ଦୃଢ଼

ପୁଣିଟି ଆପେ ଆପେ ଲଢ଼ି

ଆପୋଷେ ମରୁଛୁଁ ଝଗଡ଼ି

ଆମ୍ଭର ଏ ଦୋଷ ସକଳ

ବଢାଇ ଦିଏ ତାଙ୍କ ବଳ

 

 

 

 

ଏବେ ହୋ ସୁଧୀର ପାଠକ

ଶୁଣିଲ ମୋର କଥାତକ

ଏହାକୁ ସତ୍ୟ କଲେ ଜ୍ଞାନ

ବୁଝିତ ପାରିବ ଏମାନ

କି ହେତୁ ଭାରତେ ଇଂରାଜୀ

ରହି ସେ ପାରିଛନ୍ତି ଆଜି

କେବଳ ବଣିଜ ଉଦ୍ଦେଶ୍ୟ

ଆସି ସେ ଥିଲେ ଏହି ଦେଶେ

 

 

 

 

ଅଛନ୍ତି ସେହି ପେଶା ପାଇଁ

ଆମ୍ଭରି ସହାୟତା ପାଇଁ

ଏହା ତ କରିବ ସ୍ୱୀକାର

ଅନ୍ୟ କାରଣ ନାହିଁ ଆର

ଗୋଳାବାରୁଦ ଅସ୍ତ୍ର ଶସ୍ତ୍ର

ଅକାମୀ ହୋଇଲା ସମସ୍ତ

ଇଂରାଜୀ କେଭେ ତାହା ବଳେ

ରହି ନାହାନ୍ତି ଭାରତରେ

 

 

 

 

 

 

 

 

ଆବର କହିବି କଥାଏ

ଶୁଣିଛ ତୁମ୍ଭେ ଆଜି ଯାଏ

ସ୍ୱାଧୀନ ଅଟଇ ଜାପାନ

ତପନ ସମ ତେଜିୟାନ

କିନ୍ତୁ ହେ ତହିଁ ଦେଖ ମଜା

ନ ଉଡ଼େ ସେ ଦେଶର ଧ୍ୱଜା

ଇଂରାଜୀ ବଣିକ ନିଶାଣ

ଉଡ଼ି ପାଉଛି ସନମାନ

 

 

 

 

ଧୂର୍ତ୍ତ ଏ ଇଙ୍ଗିରାଜି ଜାତି

ଧୂର୍ତ୍ତ ବଣିଆ ବୋଲି ଖ୍ୟାତି

ବଣିଜ ପାଇଁ କରି ଫନ୍ଦି

କଲେ ଜାପାନ ସଙ୍ଗେ ସନ୍ଧି

ଯଦି ଏ ତାଙ୍କ କଉଶଳ

ହୁଅଇ ସେଠାରେ ସଫଳ

ଦେଖିବ ଆଉ କେତେଦିନ

ଜାପାନ ତାଙ୍କର ଅଧୀନେ

 

 

 

 

ବଣିଜ ଚିଜ ଭରି ନାନା

ଉଡ଼ାଇ ଦେବେ ନିଜ ବାନା

ସେତ ଚାହାନ୍ତି ଏ ସଂସାର

ହୁଅନ୍ତା ତାଙ୍କର ବଜାର

ସମ୍ଭବ ନୋହିବ ଅବଶ୍ୟ

ତଥାପି କିଏ ଦେବ ଦୋଷ

ସେ ତାଙ୍କ କର୍ତ୍ତବ୍ୟରେ ତ୍ରୁଟି

କରିବେ ନାହିଁଟି କେଉଁଠି

 

 

 

 

ଯତ୍ନ କୃତରେ ଯଦି ସନ୍ଧି

ନ ହୁଏ ସେହି ଅପରାଧୀ

ପାଠକ ଶୁଣ ଦେଇ ମନ

କହନ୍ତି ମହାତ୍ମା ମୋହନ

 

Unknown

ଅଷ୍ଟମ ଅଧ୍ୟାୟ

ଭାରତର ଅବସ୍ଥା

ପାଠକ ଉବାଚ

କେଉଁ କାରଣେ ଏ ଭାରତ

ହେଲା ବ୍ରିଟିଶ କରଗତ

ସେ ସବୁ ମୁହିଁ ବୁଝିଗଲି

ଏବେ ହୋ ମୋତେ କହ ଖୋଲି

କିବା ଏ ଭାରତ ଅବସ୍ଥା

ଧରିଛି ସେହି କେଉଁ ପନ୍ଥା

ଗାନ୍ଧି ଉବାଚ

କି କହୁଁ ଭାରତ ଦୁର୍ଦ୍ଦଶା

ଦେଖିଲେ ଉଡ଼ିଯାଏ ହଁସା

ସେ ଦଶା ଏବେ ମନେ କରି

ଆଖିରେ ଲୁହଯାଏ ଭରି

ଯାଉଛି ମୋର କଣ୍ଠ ରୁନ୍ଧି

ହଜିତ ଯାଉଅଛି ବୁଦ୍ଧି

ହୃଦୟ ଖୋଲି ମୁଁ ବୁଝାଇ

ନ ଜାଣେ ପାରିବି କି ନାହିଁ

 

 

 

 

ଶୁଣ ହେ ଏବେ ମୋର ମତ

କହିବି ଯେତିକି ସମର୍ଥ

ପ୍ରକୃତ ନୁହେଁ ଏ ଭାରତ

ଇଂରାଜ ପଦେ ଅବନତ

ସେ ନବ ସଭ୍ୟତାର ତଳେ

ପେଷିତ ହୁଏ ବଳେ ବଳେ

ସେ ପକ୍ଷ କବଳରେ ପଡ଼ି

ଆରତେ ଛାଡ଼ୁ ଅଛି ରଡ଼ି

 

 

 

 

ଏବେ ହୋ ହୋଇନାହିଁ ଡେରି

ଚେତନା ଆସିଲେଟି ଫେରି

ଏ କାଳ ସଂକଟୁ ଉଦ୍ଧାର

ଅସାଧ୍ୟ ନୋହିବଟି ଭାର

ମାତ୍ର ସମୟ ଦେଲେ ଟାଳି

ବେଳୁ ବେଳ ସେ ଯିବ ବଳି

ନେଡ଼ିରୁ ଗଲେ କହୁଣୀକି

ଆଉ କି ପାରିବ ତେଣିକି

 

 

 

 

ଧର୍ମହିଁ ମୋର ପ୍ରିୟ ଅତି

ଧର୍ମ ନାଶନେ ମୋ ଆପତ୍ତି

ଭାରତ ବୁଡ଼ିଲା ଅଧର୍ମେ

ଭୁଲିଲା ତପ ଦାନ ଧର୍ମେ

ଯେ ଧର୍ମ କଥା ମୁହିଁ କହେଁ

ଗୋଟିଏ ଧର୍ମ କେଉଁ ନୁହେଁ

ହିନ୍ଦୁ ନୁହେଁ କି ଇସିଲାମ

ପାରସି ଅଥବା ଖ୍ରୀଷ୍ଟାନ

 

 

 

 

ଯେ ଧର୍ମ ସବୁ ଧର୍ମ ଇଷ୍ଟ

ସେ ଧର୍ମ ହେଉଛି ସେ ଭ୍ରଷ୍ଟ

ସକଳ ଧର୍ମ ଯା ଚରଣ

ସେ ପ୍ରଭୁ ଅନାଦି କାରଣ

ତାହାଙ୍କଠାରେ ହୁଏ ଦ୍ରୋହୀ

ତେଣୁ ଏ ଅଧୋଗତି ହୋଇ

ପାଠକ ଉବାଚ

କିପରି ହୁଏ ଅଧୋଗତି

ବୁଝାଇ କହହେ ତଡ଼ତି

ସଂପାଦକ ଉବାଚ

କହନ୍ତି ଗାନ୍ଧି ତା ଉତ୍ତର

ଶୁଣ ହୋ ପାଠକ ପ୍ରବର

ଆମେ ଏ ଭାରତୀୟ ମାନେ

କୁହାଯାଉଛି ଆମ କାନେ

 

 

 

 

କାମରେ ଆମେ ବଡ଼ ମଠ

ୟୁରୋପ ବାସୀଏ କର୍ମଠ

ଆମେ ଆଳସ୍ୟ ପରାୟଣ

ଇଂରାଜେ କର୍ମରେ ନିପୁଣ

ଯେଣୁ ଏ କଥା ନେଲୁ ମାନି

ବେଦର ବାକ୍ୟ ପ୍ରାୟ ମଣି

ତେଣୁ ଆମର ହେଲା ମନ

ହେବାକୁ ତାହାଙ୍କ ସମାନ

 

 

 

 

ତାଙ୍କ ସହିତେ ଦେଲୁଁ ପଟ

ନ କଲେ ଯେସନେ ମର୍କଟ

ଆପଣା ସ୍ଥିତିକି ବିଗାଡ଼ି

ଶିଖିଲୁଁ ତାଙ୍କ ଧାଡ଼ି ଶାଢ଼ୀ

ଈଶ୍ୱରଠାରେ କଲୁଁ ଦ୍ରୋହ

ବିଷୟା ବିଷରେ ଆଗ୍ରହ

ଧନ ଅର୍ଜନ ହେଲା ଧର୍ମ

ଧନହିଁ ସାଧନ ପରମ

 

 

 

 

କି ହିନ୍ଦୁ କିରସ୍ତାନ ଶିକ

ମୁସଲମାନ ପାରସିକ

ସଂସାରେ ଧର୍ମ ଯେତେଯେତେ

ଜାଣିତ ଅଛନ୍ତି ସମସ୍ତେ

କୌଣସି ଧରମର ଲକ୍ଷ୍ୟ

ନୁହେଁ ବିଷୟ ଭୋଗ ସୁଖ

ସଂସାର ପ୍ରତି ଉଦାସୀନ

ହୋଇଣ କାଟୁଥିବ ଦିନ

 

 

 

 

ଧର୍ମ କର୍ମରେ ଥିବ ମତି

ସର୍ବ ଧର୍ମର ଏ ନୀତି

ସଂସାର ବାସନାକୁ ରୁନ୍ଧି

ସ୍ଥିର ଯେ କରିପାରେ ବୁଦ୍ଧି

ଧର୍ମରେ ମତିକୁ ବଳାଏ

ଧର୍ମ ମାର୍ଗରେ ଚାଲିଥାଏ

ଏମନ୍ତେ ଯେବଣ ପୁରୁଷ

ସକଳ ଧର୍ମ ଆଦରଶ

 

 

 

 

ତେଣୁଟି ଆମ୍ଭର ଉଚିତ

ସଂସାର ସୁଖୁଁ ଆଣି ଚିତ୍ତ

କାମିନୀ କାଞ୍ଚନ ବରଜି

ଧର୍ମରେ ଯାଉଥିବା ମଜ୍ଜି

ପାଠକ ଉବାଚ

ଏମନ୍ତ କହି ଶଠପଣେ

ପ୍ରଶ୍ରୟ ଦେଉଛ ଆପଣେ

ଏଭଳି ଭଣ୍ଡକଥା କହି

କେତେ ଯେ ଗଲେଣି ଠକେଇ

ପୁଣି ଅନେକ ଶଠ ନର

ଠକାଉଛନ୍ତି ଏ ପ୍ରକାର

ଗାନ୍ଧି ଉବାଚ

ଏ ତୁମ୍ଭ ଅନ୍ୟାୟ ଆରୋପ

ଧର୍ମର ଏହା ନୁହେଁ ରୂପ

ଧର୍ମ ଧର୍ମକେ ଖଳ ଲୋକେ

ଅଛନ୍ତି ଏପରି ଅନେକେ

ଧର୍ମକୁ ତାଙ୍କ ଇଚ୍ଛାମତେ

ଅର୍ଥ କରନ୍ତି ସ୍ୱାର୍ଥ ଗତେ

ଅନ୍ଧାର ଦୀପ ତଳେ ଥାଇ

ପଦାର୍ଥ ପଛେ ପଛେ ଛାଇ

 

 

 

 

ତେଣୁଟି ତୁମ୍ଭର ଏ ଚିତ୍ର

ମୋତେ ତ ନ ଲାଗେ ବିଚିତ୍ର

ସଂସାରେ ଥାନ୍ତି ଦୁଇ ଦଳ

ଠକାମି ତାଙ୍କର ସମ୍ବଳ

ଦଳେ ଥାଆାନ୍ତି ଧର୍ମ ବକ

ଆରକ ସାଂସାରିକ ଠକ

ଧର୍ମରୁ ସାଂସାରିକ ଠକ

ଅଟଇ ବେଶୀ ମାରାତ୍ମକ

 

 

 

 

 

 

 

 

ଛଳେ ବା ବଳେ କଉଶଳେ

ସଂସାରୀ ଠକ ଦିନଚଳେ

ସତ୍ୟ ଆଚରି ସାଧୁପଣେ

ସଂସାରେ ଜୀବନ ଯାପନେ

ଏ ଯେତେ ସାଂସରିକ ଭଣ୍ଡ

ଧର୍ମ ଭଣ୍ଡହୁ ପରଚଣ୍ଡ

ସଭ୍ୟତା ନାମେ ଯେ ଭଣ୍ଡାମି

ଜାଣନ୍ତି ତାହା ଅନ୍ତର୍ଯ୍ୟାମୀ

 

 

 

 

ଉଚ୍ଛନ୍ନ କରେ ଲୋକବାସ

ମୁଁ ତାର ଦେଲିଟି ଆଭାସ

ଧର୍ମ ଭଣ୍ଡାମି ତାହାଠାରୁ

ମଙ୍ଗଳ ବୋଲହିଁ ବିଚାରୁ

ଏହି ସଭ୍ୟତା ଆଢୁଆଳେ

କେତେ ଯେ ଅତ୍ୟାଚାର ଚାଲେ

ରକ୍ଷଣ ନାମରେ ଭକ୍ଷଣ

ସଭ୍ୟ ଠକଙ୍କ ଏ ଲକ୍ଷଣ

 

 

 

 

ଏ ଯେତେ ସାଂସାରିକ ଠକ

ସଭ୍ୟତା ଏହାଙ୍କର ଭେକ

ନାହିଁ ନା ଚିତା ଚଇତନ

କେବଳ ଭୂଷଣ ଭାଷଣ

ପିନ୍ଧନ୍ତି କୋଟ ପେଣ୍ଟ ଜୋତା

କହନ୍ତି ବଡ଼ ବଡ଼ କଥା

ସଭ୍ୟତା କୃଷ୍ଟି ମାନବିକ

ଭାବର ବୋଲାନ୍ତି ପ୍ରତୀକ

 

 

 

 

ଏହି ଏ ଆଡ଼ମ୍ବର ତଳେ

କେତେ ଯେ ବିଭୀଷିକା ଚଳେ

ଏ ଠକ ସଭ୍ୟତାର ଚକେ

କୀଟ ପତଙ୍ଗପରି ଲୋକେ

ପେଷିତ ହୋଇଯାନ୍ତି ନିତି

ଦେଖ ଏ ସଭ୍ୟତାର ରୀତି

ନିର୍ଦୋଷ ଲୋକ ରକ୍ତ ପିଇ

ଏଇ ସଭ୍ୟତା ଅଛି ଜୀଇଁ

ଧର୍ମର ଭଣ୍ଡତା କଦାପି

ନୁହଇ ଏଡ଼େ ପରତାପୀ

ପାଠକ ଉବାଚ

ଧର୍ମର ବାଡ଼ ଯେ ବଡ଼ିମା

ମୋତେ ତ ଦିଶୁ ନାହିଁ ଜମା

ଏହି ଧର୍ମର ନାମ ଧରି

ହିନ୍ଦୁ ମୁସଲମାନ କଳି

ଏ ଧର୍ମ ପାଇଁ କିରସ୍ତାନେ

ଲଢ଼ିଲେ କେତେ ଆନୁଆନେ

ଗୋଷ୍ଠୀ ଯେ ଗୋଷ୍ଠୀର ସହିତେ

ଯୁଝିଲେ କେ ମିତେ ମିତେ

 

 

 

 

ସେ ଦେଶେ କେତେ କେତେ ଯୁଦ୍ଧ

ଧର୍ମ ପାଇଁକି ପରସିଦ୍ଧ

କେତେ ନିରପରଧୀ ନରେ

ସଂହାର ହୋଇଲେ ସମରେ

କେତେ ସୁଜ୍ଞାନୀ ସୁବିବେକୀ

ତାହାଙ୍କୁ ଅଗ୍ନିରେ ନିକ୍ଷେପି

ଧର୍ମର ନାମେ କଲେ ହତ

ଏହାତ ଜାଣିଛ ସମସ୍ତ

 

 

 

 

ସଭ୍ୟତାଠାରୁ ଧର୍ମଭାବ

କରେ ଅଧିକ ଉପଦ୍ରବ

ତୁମ୍ଭେ ତ କହ ବିପରୀତ

ତୋଷ ନୋହିଲା ମୋର ଚିତ୍ତ

ସଂପାଦକ ଉବାଚ

କହନ୍ତି ଗାନ୍ଧି ସଂପାଦକ

ଉଚିତ ଭାଷିଲ ପାଠକ

ତୁମ୍ଭେ ତ କହୁନାହଁ ମିଥ୍ୟା

ଧର୍ମ ନାମରେ ବହୁ ହତ୍ୟା

ମର୍ତ୍ତ୍ୟରେ କରିଛି ମାନବ

ସତ୍ୟବଚନ ଅଟେ ତବ

କିନ୍ତୁ ଏ ସଭ୍ୟତାକୁ ଧିକ

ତା ତହୁଁ କହୁ ଗୁଣାଧିକ

 

 

 

 

ମୁଁ ଏବେ ବ୍ୟାଖ୍ୟା କରେ ତାର

ସତ୍ୟର ଯେତେ ଅତ୍ୟାଚାର

ଧର୍ମ ନାମରେ ଯେତେ ପାପ

ସହିବା ସହଜ ସେ ତାପ

ସହୁଅଛନ୍ତି ଅକାତରେ

ବହୁ ମାନବ ଏ ମର୍ତ୍ତ୍ୟରେ

କିନ୍ତୁ ଏ ସଭ୍ୟତାର ଦାଉ

ସହିବା ବିଷମଟି ତହୁଁ

 

 

 

 

ଧର୍ମ ଦୁହାଇ ଦେଇ ଯେତେ

ଅନ୍ୟାୟ ଘଟୁଛି ଜଗତେ

ନୁହେଁ ସେ ଧର୍ମ ଅନ୍ତର୍ଗତ

କେବଳ ଧର୍ମର କଦର୍ଥ

ସମ୍ବନ୍ଧ ଧର୍ମର ସହିତେ

ନାହିଁ ତାହାର କଦାଚିତେ

ଏକଥା ଯେ ଜନେ ବୁଝନ୍ତି

ତାଙ୍କର ନାହିଁ ଭୟଭ୍ରାନ୍ତି

 

 

 

 

ଧର୍ମର ଉଦ୍ଦେଶ୍ୟ ନବୁଝି

ଯେ ମୂର୍ଖଚାଲେ ଆଖି ବୁଜି

ତାହାର ନାହିଁ ଅନ୍ୟ ଗତି

ଏ ତୃଷାନଳେ ସେ ଦହନ୍ତି

ଏ ଘାନ୍ତି ମୂଢ଼ ରୁଢ଼ଦଳେ

ଯାବତ ଥିବେ ଏ ଶୟଳେ

ତାବତ ଏହି ଅବିବେକୀ

ଏହାକୁ ରଖିଥାନ୍ତି ଟେକି

 

 

 

 

କେବଳ ଏହାଙ୍କ କାରଣ

ବଞ୍ଚିଛି ଧର୍ମବକ ପଣ

ଧର୍ମ ନାମରେ ଅତ୍ୟାଚାର

ଏହାଙ୍କ କାରଣେ ପ୍ରଚାର

ଏହାଙ୍କ ମୂଢ଼ି ଅନ୍ଧଭାବ

ବଢ଼ାଏ ଭଣ୍ଡତା ପ୍ରଭାବ

ଘୁଞ୍ଚିଲେ ଏ ଅନ୍ଧ ବିଶ୍ୱାସ

ବଳେ ସେ ହୋଇଯିବ ନାଶ

 

 

 

 

 

 

 

 

ଧର୍ମର ଯେତେ ଦୁରାରୋପ

ଏହାର ଲୋପେ ହେବ ଲୋପ

ତେଣୁଟି ଏହା ଚିରସ୍ଥାୟୀ

ହୋଇଣ ରହି ନପାରଇ

ଏବେ ପାଠକ ସୁଧୀବର

ତେଣିକି ଫେରାଅ ନଜର

ଅନ୍ୟ ଦିଗକୁ ଦେଖ ଚାହିଁ

ସଭ୍ୟତା ଅନଳ ଜଳଇ

 

 

 

 

ମନୁଷ୍ୟ ଯେସନେ ପତଙ୍ଗ

ଧାବନ୍ତି ହୋଇ ଉଦବେଗ

ଅସଂଖ୍ୟ ସଂଖ୍ୟାରେ ପ୍ରବେଶ

ଅମୃତ ଜ୍ଞାନ କରି ବିଷ

ପ୍ରଥମେ ଦିଶଇ ଉତ୍ତମ

ପରିଣାମେ ସେ ବିଷୋପମ

ଯେ ଆସେ ତାର ସମ୍ପରକେ

ଟାଣଇ ତାକୁ ସେ ନରକେ

 

 

 

 

ତେଣୁଏ ସଭ୍ୟତା ଅମଳ

ଅଟଇ ମହାକାଳ ଫଳ

ଯାବତ ନ ତୁଟଇ ଆଶ

ନିରତେ ସୁଖ ଦୁଃଖ ପ୍ରାସ

ବେଳୁଁ ବେଳୁଁ ତା’ ମତିଭ୍ରମ

ସଂସାରେ ଭୋଗ ହିଁ ସ୍ୱପନ

ଶରୀ ସଂଭୋଗେ ଅଶକତ

ଅଜଗରକୁ ହସ୍ତୀବତ

 

 

 

 

ଛାଡ଼ିଲେ ଛାଡ଼ି ନ ହୁଅଇ

ନ ଛାଡ଼ି ଅନ୍ୟଗତି ନାହିଁ

ସାପକୁ ଚୂଚୁନ୍ଦ୍ରା ସମାନ

ଇହଜଗତେ ହୀନିମାନ

ଆଶା ନ ଥାଏ ଏ ସଂସାରେ

ତେମନ୍ତ ପୁଣି ପର ପାରେ

ଯେଣୁ ଅଧର୍ମେ ଦିଏ ମତି

ଆତ୍ମାର କାହିଁ ସଦଗତି

 

 

 

 

 

 

 

 

ଏଣୁ ସଭ୍ୟତା ହଳାହଳ

ନାଶଇ ଇହ ପରକାଳ

ମୂଷିକ ଯେହ୍ନେ ମାଟି ତଳେ

ଖୋଳି କନ୍ଦର ଖୋଳକରେ

ତେସନେ ଜାଣ ଏ ସଭ୍ୟତା

ନାଶ କରଇ ମନୁଷ୍ୟତା

ଏହାର ଶେଷ ପରିଣାମ

ବୁଝିପାରନ୍ତି ବୁଦ୍ଧିମାନ

 

 

 

 

ତହିଁକି କଲେଟି ବିଚାର

ଦିଶଇ ସବୁ ପରିଷ୍କାର

ଧର୍ମର ଅନ୍ଧ ବିଶ୍ୱାସରୁ

କିପରି ଏହା ଅଟେ ଗରୁ

କିପରି ଏ ନବ୍ୟ ସଭ୍ୟତା

ବିନାଶେ ଅତି ବଳବତ୍ତା

କିନ୍ତୁ ହେ ମୋର ନାହିଁ ପ୍ରୀତି

ବିରାଡ଼ି ବଇଷିମ ନୀତି

 

 

 

 

ମୁଁ ତାକୁ ନ ଦିଏ ପ୍ରଶ୍ରୟ

ଏ କଥା ଜାଣ ନିସଂଶୟ

ତହିଁରୁ ପାଇବା ଉଦ୍ଧାର

କର୍ତ୍ତବ୍ୟ ଆମ୍ଭରଟି ସାର

ଯାବତ ଏ ଅନ୍ଧ ବିଶ୍ୱାସ

ତାବତ ସତ୍ୟ ଅପ୍ରକାଶ

ମେଘ ଆବୃତ ସୂର୍ଯ୍ୟବତ

ଅନ୍ଧାର ଦିଶଇ ଜଗତ

 

 

 

 

ତେଣୁ ଏ ଶଠତା ଧର୍ମର

ଉଚିତ କରିଦେବା ଦୂର

ମାତର ଏହାର କାରଣ

ନକର ଧର୍ମ ସଙ୍ଗେ ରଣ

ଧର୍ମକୁ କଲେଟି ଉପେକ୍ଷା

 

ତହିଁରୁ ନ ମିଳିବ ରକ୍ଷା

ଯଦି କେ କରଇ ବିଚାର

 

ଧର୍ମରୁ ଜନମହିଁ ତାର

 

 

 

 

 

 

 

 

ଧର୍ମ ଥିବାରୁ ଧର୍ମ ଅନ୍ଧ

 

ଭାବହିଁ ହୁଏ ପ୍ରତିବନ୍ଧ

ତେଣୁ ଏ ଧର୍ମ ହେଲେ ଲୋପ

 

ନ ଥିବ ଶଠତା ପ୍ରକୋପ

ଧର୍ମେ ମାଇଲେ ଯିବ ସରି

 

ଶଠତା ସଙ୍ଗେ କିପାଁ କଳି

ଏମନ୍ତ ବିଚାର ଯାହାର

 

ଅଟଇମତି ଭ୍ରମ ତାର

ଧର୍ମାନ୍ଧ ଭାବନାକୁ ଡରି

 

ଧର୍ମକୁ ଦେଲେ ଦୂର କରି

ମିଥ୍ୟା ଦୁର୍ନୀତି ଦୁରାଚାର

 

ଗ୍ରାସିବ ସମସ୍ତ ସଂସାର

ତେଣୁ ହେ ଚାଲ ଧର୍ମେପଥେ

 

ସତ୍ୟକୁ ରଖିଣ ଅଗ୍ରତେ

ପ୍ରକୃତ ଧର୍ମର ପାଳନ

 

ଧର୍ମାନ୍ଧ ଭାବ ପ୍ରକ୍ଷାଳନ

ଅନ୍ଧ ବିଶ୍ୱାସ କରେ ଦୂର

 

ମର୍ତ୍ତ୍ୟେ ବିରାଜେ ସ୍ୱର୍ଗପୁର

ପାଠକ ଉବାଚ

ଇଂରାଜୀ ଶାସନେ ଭାରତ

ଯେ ସୁଖଶାନ୍ତି ଭୋଗେ ରତ

ତୁମ୍ଭେ ତା’ କହିବ ଅଯଥା

ମୁଁ ତ ବୁଝୁଛି ତୁମ୍ଭ କଥା

ଏ ଯେ ଇଂରାଜ ଛତ୍ର ତଳେ

ଭାରତ ରହିଛି ନିଶ୍ଚଳେ

ତାହାକୁ ଅଣ ଆବଶ୍ୟକ

ବୋଲି କି ବୋଲି ସମ୍ପାଦକ

ଗାନ୍ଧି ଉବାଚ

କି ସୁଖ କହ କେଉଁ ଶାନ୍ତି

ଇଂରାଜୀ ଶାସନେ ପାଆନ୍ତି

ତୁମ୍ଭେ ତା’ ଦେଖିଥାଇପାର

ମୋତେ ତ ଆନ ପରକାର

ଏହାଙ୍କ ଛତ୍ର ଛାୟା ତଳେ

ଶାନ୍ତିର ଗନ୍ଧ ନାହିଁ ତିଳେ

ପାଠକ ଉବାଚ

ଠଗ ପିଣ୍ଡାରୀ କୋଲ ଭୀଲ

ଆବର ମରଠା ମୋଗଲ

ପୀଡ଼ୁ ଯେ ଥିଲେ ପ୍ରଜାକୁଳ

ସକଳେ ଆତଙ୍କେ ଆକୁଳ

ହେବାରୁ ଇଂରାଜୀ ଶାସନ

ସେ ଭୟ ହେଳା ବିମୋଚନ

କହିବ କିହେ ନାହିଁ କ୍ଷତି

ତହିଁରେ ଉଜର ଆପତ୍ତି

ଗାନ୍ଧି ଉବାଚ

କହନ୍ତି ଗାନ୍ଧି ସମ୍ପାଦକ

ବିଚାର କର ହୋ ପାଠକ

ଦେଖିବ ଏହି କନ୍ଧ କୋଲ

ପୀଡ଼ନ ବହୁଗୁଣେ ଭଲ

ପିଣ୍ଡାରୀ ଠଗଙ୍କ ଆତଙ୍କ

ସତ୍ୟ ସେ ଯେବେ ପ୍ରାଣାନ୍ତକ

ଇଂରାଜେ ଆସିବାର ଆଗେ

ଆମ୍ଭେକି ଥାଆନ୍ତେ ଭୂଭାଗେ

ଏବେତେ ଆସିଲେ ଇଂରେଜ

ତା ପୂର୍ବେ ଥିଲେ ଏହି ରାଜ୍ୟ

ତାହାଙ୍କ ଛତ୍ରଛାୟାଧୀନେ

ନ ଥିଲୁ ଆମ୍ଭେ ଚିରଦିନେ

ଥୋଇ ନ ଥିଲେ ସେହି ପଦ

ତଥାପି ଥିଲୁ ନିରାପଦ

ଏ ଠଗ କୋଲ ବା ପିଣ୍ଡାରୀ

ଏ ଯେବେ ଏଡ଼େ ଅତ୍ୟାଚାରୀ

ସକଳେ ହୋଇଥାନ୍ତୁ ନାଶ

କେବଳ ତାଙ୍କ ଅଧିବାସ

ଆଜି ଯେ ଦେଶ ଜନପୂର୍ଣ୍ଣ

ସେ ସେବୁ ହୋଇଥାନ୍ତା ଶୂନ୍ୟ

ତେବେ ହୋ କିପାଇଁ ଇଂରାଜ

ଏ ଦେଶେ ରହିଥାନ୍ତେ ଆଜ

ଏବେ ଯେ ଶାନ୍ତି ବିରାଜଇ

ନାମକୁ ଶାନ୍ତି ମାତ୍ର କହି

 

 

 

 

ଯେ ଶାନ୍ତ ଦିଶେ ଶବଦେହେ

ତାହକୁ ଶାନ୍ତି କି କେ କହେ

ଏ ଶାନ୍ତି ଅଟେ ଅକାରଣେ

ଆମ୍ଭରି ମରଣ କାରଣ

ନିର୍ଜୀବ ଭୀରୁ କାପୁରୁଷ

ହୋଇ ହାରିଲୁଁ ପଉରୁଷ

ଯେମନ୍ତେ ବଳିବର୍ଦ୍ଦିଗଣ

କେବଳ ବନ୍ଧନେ ଭାଜନ

 

 

 

 

ଏହି ନିଷ୍କର୍ମା ଶାନ୍ତି ପାଇ

ତେମନ୍ତେ ଆମ୍ଭେ ହେଲୁ ଭାଇ

ଏ ଠକ ପିଣ୍ଡାରୀଏ ଯେତେ

ଏବେ ବି ଅଛନ୍ତି ଭାରତେ

ତାହାଙ୍କ ପ୍ରକୃତ ମୋଚନ

ହୋଇବ ନାହିଁ କଦାଚନ

ଇଂରାଜୀମାନେ ତାଙ୍କୁ ଶାନ୍ତ

ନ କରି ରହିଛନ୍ତି କ୍ଷାନ୍ତ

 

 

 

 

କେବଳ ତାଙ୍କୁ ଛନ୍ତିଜଗି

ଆମର ନିରାପଦ ଲାଗି

ଆଜି ଇଂରାଜୀ ଗଲେଚାଲି

ସେ ମାଡ଼ି ଆସିବେ ଟି କାଲି

ତେଣୁ କି କୋହ୍ଲ ଭୀଲ ଡରେ

ଯେତେ ଭାରତ ନାରୀନରେ

ରହିବା ଆମେ ଚିରଦିନ

ଇଂରାଜୀ ଶାସନ ଅଧୀନ

 

 

 

 

ଅନ୍ୟର ବାହୁ ଛାୟା ତଳ

ଆମ୍ଭର ଯେବେ ଆଶ୍ରାସ୍ଥଳ

ଏ ଅତି କାପୁରୁଷ ପଣ

ତହିଁରୁ ଶ୍ରେୟଟି ମରଣ

ଚିର ପରର ମୁଖାପେକ୍ଷା

ପର ଆଶ୍ରୟେ ଆତ୍ମରକ୍ଷା

ତାତହୁଁ ଅଟେ ଶ୍ରେୟସ୍କର

ଠକ ପିଣ୍ଡାରୀ ଅତ୍ୟାଚାର

 

 

 

 

ଏଡ଼େ ଭୀରୁତା ମୋର ଯେହୁ

ଭୀଲର ଶରେ ପ୍ରାଣ ଯାଉ

ମେକେଲ୍‌ ନାମକ ଇଂରାଜ

ଏ ଦେଶେ କରୁଥିଲେ କାର୍ଯ୍ୟ

ପାଶ୍ଚାତ୍ୟ ବିଦ୍ୟାରେ ପ୍ରବୀଣ

କୂଟ ନୀତି କି ଦୂରବୀଣ

ଆପଣା ସ୍ୱଭାବ ଦୃଷ୍ଟିରୁ

ଆମ୍ଭଙ୍କୁ କହିଗଲେ ଭୀରୁ

 

 

 

 

ଭାରତେ ପୁଣି ଭୀରୁ ପଦ

ଦେଲେ ଏମନ୍ତ ଅପବାଦ

ଏ ଅଟେ ପୂର୍ଣ୍ଣ ମିଥ୍ୟା କଥା

ବୁଝାଏ ତାଙ୍କର ଅଜ୍ଞତା

ଭାରତ ରମଣୀ ପୁରୁଷ

ନୁହନ୍ତି କେଭେଁ କାପୁରୁଷ

ଟାଣୁଆ ପାହାଡ଼ିଆ ଜାତି

ଯେ ଦେଶେ ବସତି କରନ୍ତି

 

 

 

 

ବ୍ୟାଘ୍ର ଶାର୍ଦ୍ଦୁଳ ଯେଉଁ ଦେଶେ

ପ୍ରବଳ ଅଟନ୍ତି ବିଶେଷେ

ସେ ଦେଶେ କାପୁରୁଷ ହୋଇ

କେହି ତ ନ ପାରିବେ ରହି

ବ୍ୟାଘ୍ର ଭଲ୍ଲୁକ ମୁଖେ ଯିବେ

ଅଥବା ଶବରେ ନାଶିବେ

ତେଣୁଟି ଏ ଦେଶେ ମୁନଷ୍ୟ

ନ ଥିଲେ କେବେ କାପୁରୁଷ

 

 

 

 

ମୁଁ ଏହା ଜାଣିଛି ନିଶ୍ଚିତ

ତିଳ ପ୍ରମାଣେ ନୋହି ଭୀତ

ବିଲ ମଝିରେ ଚଷା ଭାଇ

ଏକାକୀ ରହିଥାଏ ଶୋଇ

ନିକାଞ୍ଚନରେ ଜଗିଥାନ୍ତି

ନିଦକେ ପାହିଯାଏ ରାତି

ତୁମ୍ଭର ଅଥବା ମୋହର

କି ଅବା ବୀର ଇଂରାଜର

 

 

 

 

 

 

 

 

ସରନ୍ତା ସବୁ ଲମ୍ପ ଝମ୍ପ

କ୍ଷଣକେ ହୁଅନ୍ତା ହୃତ୍‌କମ୍ପ

ତେଣୁ ଏ ଭାରତେ ସମସ୍ତ

ନୁହନ୍ତି ଭୀରୁ ଭୟଗ୍ରସ୍ତ

ଶରୀର ହୋଇଲେ ମାଂସଳ

କେବେ କି ବଢ଼ିଯାଏ ବଳ

ନରର ନିର୍ଭୟ ସ୍ୱଭାବ

ପ୍ରକୃତ ବଳ ବୋଲି ଭାବ

 

 

 

 

ସାହାସ ନ ଥାଇ ଯେ ବଳ

ସେ ବଳ ଗୋଡ଼କୁ ଗୋଦର

ଶରୀର ପେଶୀ ଥାଇ ଶକ୍ତ

ସେ ଯେବେ ହୁଏ ଭୀତ ତ୍ରସ୍ତ

ସେ ଶରୀ ବଳେ କେଉଁ କାର୍ଯ୍ୟ

ନାଶ ଯାହାର ଅନିବାର୍ଯ୍ୟ

ତୁମ୍ଭେ ହୋ କ୍ଷଣେ କଲେ ଚିନ୍ତା

ବୁଝି ପାରିବ ଏହି କଥା

 

 

 

 

ଏବେ ତୁ କର ହୋ ଶ୍ରବଣ

ଏ ଯେତେ ଭୀଲ କୋହ୍ଲ ଗଣ

ସେତ ଆମ୍ଭର ଦେଶବାସୀ

ବିଦେଶୁ କେହି ନାହିଁ ଆସି

ନକରି ତାଙ୍କ ହୃଦ ଜୟ

ସଦା କି କରୁଥିବା ଭୟ

ତାଙ୍କର ଏ ହୀନ ପ୍ରକୃତି

ଚୋରି ବା ଡକାଏତି ବୃତ୍ତି

 

 

 

 

ଛଡ଼ାଇ କହିବା ଉଚିତ

ପ୍ରକୃତ ନ୍ୟାୟ ସତ୍ୟ ପଥ

ଶୁଣ ମୁଁ କହୁଛି କଥାଏ

ପ୍ରକୃତ ସ୍ୱରାଜ୍ୟ ଯେ ଚାହେଁ

ସେ ଯେବେ ପ୍ରତିବେଶୀ ଜନେ

ଡରି ରହନ୍ତି ଭୀତମନେ

ରଖନ୍ତି ସଦା ଭୟେ ଭାବ

ସ୍ୱରାଜ୍ୟ ପାଇ କେଉଁ ଲାଭ

 

Unknown

ନବମ ଅଧ୍ୟାୟ

ଭାରତ ଓ ରେଳଗାଡ଼ି

ପାଠକ ଉବାଚ

ଭାରତେ ଶାନ୍ତିର ସପନ

ଦେଖୁ ଯେ ଥିଲା ମୋର ମନ

ତୁମ୍ଭ ବଚନ କର୍ଣ୍ଣେ ବାଜି

ସେ ମୋହ ମୋର ଗଲା ଭାଜି

କିସ ବା ଅଛି ମୋହ କତି

ବାଢ଼ିବି ମୁଁ ଆଉ ଯୁକତି

ଗାନ୍ଧି ଉବାଚ

ପାଠକ ଧର ଧର ଥୟ

ଆରମ୍ଭ ମାତ୍ର ଏ ବିଷୟ

କେବଳ ଧର୍ମର ବ୍ୟବସ୍ଥା

ଘେନି ମୁଁ କହିଅଛି କଥା

କହିବି ଏବେ ଏକ ଏକ

ଭାରତ କିପରି ନିରେଖ

ତାର ଦାରିଦ୍ର୍ୟ ସମ୍ବନ୍ଧରେ

ଶୁଣି କେ ଅବା ଧୈର୍ଯ୍ୟ ଧରେ

 

 

 

 

ମୁଁ ଯେବେ ଦେବି ମୋର ମତ

ଶୁଣିଲେ ହୋଇବ ବିରକ୍ତ

ଭାରତ ପକ୍ଷରେ କଲ୍ୟାଣ

ବୋଲି ଯେ ହେଉଥିଲା ଜ୍ଞାନ

ସେ ଅଟେ ଘୋର ଅଭିଶାପ

ଏମନ୍ତେ ମୋହର ଆକ୍ଷେପ

ତେଣୁଟି ଏହା ଜଣା ଶୁଣା

ମୋ ମତେ କରିବ ହୋ ଘୃଣା

 

 

ପାଠକ ଉବାଚ

କିବା ସେ ଅଦଭୁତ ମତ

କହହେ ମୋହର ଅଗ୍ରତ

ସଂପାଦକ ଉବାଚ

ଗାନ୍ଧିଜୀ ପାଠକ ଅଗ୍ରତେ

କହନ୍ତି ଶୁଣ ଧୀର ଚିତ୍ତେ

ଭାରତ ଶୋଷଣ କାରଣ

ଅଟଇ ତିନି ଗୋଟି ଜାଣ

ରେଲ ଓକିଲ ଡାକତର

ଦାରିଦ୍ର୍ୟ ହେତୁ ଭାରତର

ଏଣେ ବିପଦ କରି ଜ୍ଞାନ

ନ ହେବ ଯେବେ ସାବଧାନ

ଅଚିରେ କରିବେ ଏ ଗ୍ରାସ

ହୋଇବ ଦେଶ ସର୍ବନାଶ

ପାଠକ ଉବାଚ

ତୁମ୍ଭେ ଯା ବୋଲୁଛ ଉଚିତ

ମୋତେ ତା ଲାଗେ ବିପରୀତ

ଯେ ସବୁ ଆମେ ଆଜଯାଏ

ମଣିଲ ବରଦାନ ପ୍ରାୟେ

ସେ ସବୁ ତୁମ୍ଭେ କର ତୁଚ୍ଛ

ଏ ଅଛି ଅଦ୍ଭୂତ ବୋଲୁଛ

ରେଳ ଓକିଲ ଡାକତର

ଏ ତିନି ଯୁଗର ମଙ୍ଗଳ

ତୁମ୍ଭେ ତ ତାର ନିନ୍ଦା କର

ମୁଁ ଭାବେ ଅନ୍ୟ ପରକାର

ଏ ବଡ଼ ଦ୍ୱନ୍ଦ୍ୱର ବିଷୟ

ମୋତେ ତ ଲାଗିଲା ସଂଶୟ

ତୁମ୍ଭର ମୋର ମତ ମେଳ

ନ ହେବ କେଭେ କାଳ କାଳ

ଗାନ୍ଧି ଉବାଚ

ଆହେ ପାଠକେ ଧର ଧୈର୍ଯ୍ୟ

ନ ହୁଅଏପରି ଆଶ୍ଚର୍ଯ୍ୟ

ଭିତର ରୂପ ସଭ୍ୟତାର

ଦିଶଇ ନାହିଁ ପରିଷ୍କାର

ଏହାର ଯେତେ ମନ୍ଦ ଗୁଣ

ଦେଖିବା ବଡ଼ଇ କଠିଣ

ଏ ଯେହ୍ନେ ଅଟେ କ୍ଷୟକାଶ

ଅଦୃଶ୍ୟେ କରୁଥାଏ ନାଶ

 

 

 

 

ଯେ ଜନ ଏହି ରୋଗେ ପଡ଼େ

ଜୀବନ ମାୟା ତାର ବଢ଼େ

ପବନ ବହେ ଅଣଞ୍ଚାଶ

ତଥାପି ନ ତୁଟଇ ଆଶ

ଶେଷ ନିଃଶ୍ୱାସ ଥିବାଯାଏ

ଜୀଇବା ଆଶା ରଖି ଥାଏ

ତେସନେ ସଭ୍ୟତାର ବଶ୍ୟ

ବିଳାସେ ବଳାଏ ଲାଳସ

 

 

 

 

ଭୋଗରେ ରହେ ନାହିଁ ଶକ୍ତି

ତଥାପି ଭୋଗେ ଅନୁରକ୍ତି

ଏମନ୍ତେ ଏ ରୋଗର ଗୁଣ

ଭିତରେ ଖାଇଯାଏ ଘୁଣ

ଉପରେ ନ କରଇ କ୍ଷତି

ବଢ଼ାଏ ରୋଗୀ ରୂପକାନ୍ତି

ସେ କାନ୍ତି ଦେଖି ବଢ଼େ ଆଶା

ଜୀବନେ ହୁଅଇ ବିଶ୍ୱାସ

 

 

 

 

ରୋଗର ଛଳନାରେ ଭୋଳା

ରୋଗକୁ କରେ ଅବହେଳା

ମଜ୍ଜଇ ରୋଗୀ ଆତ୍ମ ସୁଖେ

ଶେଷେ ପଡ଼ଇ ମୃତ୍ୟୁମୁଖେ

ସଭ୍ୟତା ଏ ରୋଗ ସମାନ

ଏଥକୁ ଥିବ ସାବଧାନ

ପାଠକ ଉବାଚ

କିପରି ତେବେ କହ ରେଳ

ଆମ୍ଭକୁ କରଇ କାଙ୍ଗାଳ

ହେ ସଂପାଦକେ ତୋ ବଚନ

ଶୁଣିଲେ ତୋଷ ହେବ ମନ

ସମ୍ପାଦକ ଉବାଚ

ଗାନ୍ଧିଜୀ ଏବେ ବୋଲୁଛନ୍ତି

ଶୁଣ ପାଠକ ଧୀର ମତି

ତୁମ୍ଭେ ତ ଏହା ଭଲେ ଜାଣ

ଏ ରେଳଗାଡ଼ି କଲା ଟାଣ

ଇଂରାଜ ଶାସନ ଭାରତେ

ବିଚାରି ଦେଖ ହୃଦ ଗତେ

ତାଙ୍କର ଶାସନ ନିଗଡ଼

ଏହିଟି ତାର ହେଲା ଜଡ଼

 

 

 

 

ବିରାଟ ଭାରତ ବରଷ

ସହଜେ କେ କରନ୍ତା ବଶ୍ୟ

ତେଣୁ ବସାଇ ରେଳଗାଡ଼ି

ଇଂରାଜେ ଦେଶେ ଗଲେ ମାଡ଼ି

କୁମାରୀକାରୁ ହିମଆଦ୍ରି

ବ୍ରହ୍ମପୁତ୍ରରୁ ସିନ୍ଧୁନଦୀ

କ୍ଷଣକେ ଗମନାଗମନ

ରେଳ ହୋଇଲା ସୁବାହନ

 

 

 

 

ବସିଣ ଦିଲ୍ଲୀ ସିଂହାସନେ

ଚଳାନ୍ତି ସମଗ୍ର ଶାସନେ

ଅଙ୍ଗୁଳି ମାତ୍ରର ଯେ ବଳ

ସାରା ଭାରତ ଟଳମଳ

କାହିଁ ଦେଶରେ ହେଲେ ମେଳି

ଦଣ୍ଡକେ ସବୁ ଯାନ୍ତି ମିଳି

ସୈନ୍ୟ ସାମନ୍ତ ଘନଘନ

ଘେନି ତା କରନ୍ତି ଦମନ

 

 

 

 

ଶୁଣ ହେ କହୁଛିଆହୁରି

ଆଉ ପ୍ରମାଣ ଅଛି ଭରି

ଏ ରେଳ ଗାଡ଼ିର ବିକାଶ

କେମନ୍ତେ କରେ ସର୍ବନାଶ

ପ୍ଳେଗ ନାମକ ମହାମାରୀ

ଏହାର ଯୋଗୁଁ ବଢେ ଭାରି

ଦେଶେ ଦେଶେ ଏ ରେଳ ପୁଣି

ଏ ରୋଗ ବୀଜଗଲା ବୁଣି

 

 

 

 

ଆବର କେତେ ସଂକ୍ରାମକ

ରୋଗର ଏ ଅଟେ ବ୍ୟାପକ

ରେଳେ ଅଧିକ ହୁଏ ଗସ୍ତ

ଏ ରୋଗ ବ୍ୟାପଇ ସମସ୍ତ

ଏକ ଦେଶରୁ ଅନ୍ୟଦେଶ

ରୋଗ କରଇ ପରବେଶ

ଏ ରେଳ ଯଦ୍ୟକି ନ ଥାନ୍ତା

ଯାତ୍ରାର ମାତ୍ରା କମିଯାନ୍ତା

 

 

 

 

ତେଣୁଟି ଏ ରୋଗ କଦାପି

ସହଜେ ନ ପାରନ୍ତା ବ୍ୟାପି

ଯେତେକ ଡ଼ିଆଁ ଉଡ଼ା ରୋଗ

ଏମନ୍ତେ ନ ହୁଅନ୍ତା ଭୋଗ

ଏ ରେଳ ହୋଇବାର ଆଗେ

ଲୋକେ ଯେ ଥିଲେ ଯାଗେ ଯାଗେ

ଅଳପ ଥିଲା ଯାତାୟତ

ତେଣୁ ଅଧିକ ଶୁଚିବନ୍ତ

 

 

 

 

ସ୍ୱଭାବେ ନିଆରା ନିର୍ମଳ

ରୋଗର ଖଟେ ନାହିଁ ବଳ

ତେଣୁଟି ଅକାଳ ମରଣ

ହେଉ ନ ଥିଲା ଘନଘନ

ଆବର କହିବି କଥାଏ

ଏ ରେଳ ଯୋଗେ ଠାଏ ଠାଏ

ପଡ଼େ ଅକାଳ ଅନାଟନ

ଗ୍ରାମ ଗହଳେ ନାହିଁ ଅନ୍ନ

 

 

 

 

 

 

 

 

ରେଳର ସୁବିଧାକୁ ଜାଣି

ଫସଲ କରନ୍ତି ରପ୍ତାନୀ

ମିଳଇ ଚଢ଼ା ଦର ଯହିଁ

ସେ ସ୍ଥାନେ ମାଲ ଯାଏ ବହି

ଅଳପ ପଡ଼ଇ ମାସୁଲ

ଦଣ୍ଡକେ ହୁଏ ପାରସୁଲ

ଅଧିକ ଲାଭେ ଲୋଭକରି

ଫସଲ କରନ୍ତି ବିକିରି

 

 

 

 

ଛାଡ଼ି ଦିଅନ୍ତି ଦାନା ହାତୁଁ

ମରନ୍ତି ଦୁର୍ଭିକ୍ଷ ବିତ୍ପାତୁ

ପୁଣି ଏ ରେଳକଥା ଶୁଣ

ବଢ଼ାଏ ଲୋକଙ୍କ ଦୁର୍ଗୁଣ

ଦୁଷ୍ଟ ଦୁର୍ମତି ଖଳ ନରେ

ଅନିଷ୍ଟ କରନ୍ତି ସତ୍ୱରେ

ଭାରତେ ଯେତେ ଯେତେ ତୀର୍ଥ

ହେଲାଣି ଏବେ କଳୁଷିତ

 

 

 

 

ପୂର୍ବେ କରିବା ତୀର୍ଥାଟନ

ଥିଲାଟି ବହୁତ କଠିନ

କେବଳ ଭକ୍ତ ସାଧୁସନ୍ଥେ

ବହୁ ଆୟାସେ କହୁ କଷ୍ଟେ

ଆସୁ ଯେ ଥିଲେ ତୀର୍ଥବାସେ

ଈଶ୍ୱର ପ୍ରାପତି ପ୍ରୟାସେ

ଏବେ ତ ବହୁ ଭଣ୍ଡ ଦୁଷ୍ଟ

ଘଟାନ୍ତି ସହଜେ ଅନିଷ୍ଟ

 

 

 

 

ପାଇଣ ରେଳର ସୁବିଧା

ଚାଲନ୍ତି ତୀର୍ଥ ଧାମେସିଧା

ଠକିବା ହୁଏ ତାଙ୍କ କାମ

ସାଜନ୍ତ ବିରାଡ଼ି ବୈଷିମ

ସରଳ ଧର୍ମ ପରାୟଣ

ଲୋକଙ୍କୁ କରନ୍ତି ପୀଡ଼ନ

ନାନା କୁକର୍ମ ଅତ୍ୟାଚାର

ଏଣୁଟି ତୀର୍ଥରେ ପ୍ରଚାର

ଏଣୁ ସକଳ ତୀର୍ଥ ଧାମ

ସୁନାମ ହୋଇଲା ଦୁର୍ନାମ

ପାଠକ ଉବାଚ

ଦେଲେ ଯେ ରେଳର ଦୃଷ୍ଟାନ୍ତ

ଏତ ତୁମ୍ଭର ପକ୍ଷପାତ

ଦୂର୍ଜନ ଜନେ ଯେଉଁପରି

ତୁରିତେ ତୀର୍ଥ ଯାତ୍ରା କରି

ଭରି ଦିଅନ୍ତି ତୀର୍ଥ ଧାମ

କରନ୍ତି ନାନାଦି କୁକର୍ମ

ସାଧୁଏ ତେମନ୍ତ ସହଜେ

କରନ୍ତି ତୀର୍ଥ ଧାମେ ବିଜେ

 

 

 

 

ଭୋଗନ୍ତି ସେ ସେହି ସୁବିଧା

ନ ଦିଏ ତାଙ୍କୁ କେହି ବାଧା

ଭଲର ନିମନ୍ତେ ଯେମନ୍ତେ

ମନ୍ଦପାଇଁ କି ସେଇ ମତେ

ତୀର୍ଥଭୂମିରେ ଅଛି ସ୍ଥାନ

ଉଭୟ ପାଇଁକି ସମାନ

ଗାନ୍ଧି ଉବାଚ

ମୁଁ ତାର କରୁଅଛି ଟୀକା

ଭଲକୁ ଜାଣ ପିପୀଲିକା

ତେଣୁ ତା’ ଅତି ଧୀର ଗତି

ବାଲୁକା ମଧ୍ୟେ ଯେହ୍ନେ ମୁକ୍ତି

ସେ ଚାଲେ ଧୀରେ ନିଜ ମାର୍ଗେ

ନ ଯାଏ ଧାଇଁ ଧାଇଁ ଆଗେ

ତେଣୁ ଏ ଦ୍ରୂତଗାମୀ ରେଳ

ସଙ୍ଗତେ ତାର କାହିଁ ମେଳ

 

 

 

 

ରେଳ ତ ଚାଲେ ଝଟଝଟ

ଭଲର ନ ପଡ଼ଇ ପଟ

ଯେ ଜନେ କରୁଥାଏ ଭଲ

ସେ କେଭେ ନୁହଇ ଚଞ୍ଚଳ

 

ସେ ଯେଣୁ ବଞ୍ଚେ ପରହିତେ

ସ୍ୱାର୍ଥ ଭାବନା ନାହିଁ ଚିତ୍ତେ

ତେଣୁ ନୁହନ୍ତି ତରବର

ଗମନ ତାଙ୍କର ମନ୍ଥର

 

 

 

 

 

 

 

 

ସ୍ୱଭାବେ ଭଲ ମନ୍ଦ ଦୁଇ

ପ୍ରାଣୀର ମନକୁ ଆଶ୍ରଇ

ଭଲକୁ ମାର୍ଗହିଁ ଦୁର୍ଗମ

ଖଣ୍ଡା ଧାରରେ ଗତିସବ

ବିଜୁଳି ସମାନ ସେ ଦିଶେ

ସହଜେ ମନରେ ନ ବସେ

ବୁଢ଼ିଆଣୀର ସୂତା ସରି

ଭଲକୁ ନ ହୁଅଇ ଧରି

 

 

 

 

ଅଭ୍ୟାସ ବଳେ ସେ ଆୟତ୍ତ

ଏ ଭଲ ଲୋକଙ୍କର ମତ

ପୁଣି ଏ ଅଭ୍ୟାସ ସାଧନେ

ନ ଲାଗେ ଦଣ୍ଡେ ଅବା କ୍ଷଣେ

ତେଣୁଟି ସାଧୁସନ୍ଥ ଜନ

ଚଞ୍ଚଳ ନ କରନ୍ତି ମନ

ଧୀର ହେଲେ ହେଁ ସୁନିଶ୍ଚିତ

କରନ୍ତି ଜଗତର ହିତ

 

 

 

 

ମନ୍ଦର ବିହଙ୍ଗମ ପକ୍ଷ

ମନ୍ଦକୁ କେବା ସମକକ୍ଷ

ସହଜେ ମନ ତହିଁ ରସେ

ଶିକାର ଯଥା ବ୍ୟାଧ ପାଶେ

ମନ୍ଦର ମୋହିନୀ ଶକତି

ତେଣୁ ତା’ଗତି ଦ୍ରୂତ ଅତି

ତେଣୁଟି ସ୍ୱଭାବ ସଂଯୋଗେ

ଗତି କରଇରେଳ ସଙ୍ଗେ

 

 

 

 

କେତେ କଠିନ ଶ୍ରମ ଫଳେ

ମନୁଷ୍ୟ ନିଜ ବାସ ତୋଳେ

ଏମନ୍ତେ ତୋଳି ବାସ ଘର

ଭାଙ୍ଗିବା କେତେକ ମାତର

ଯେ କର୍ମ ଅଟଇ ଉତ୍ତମ

ତହିଁକି ସିନା ପରିଶ୍ରମ

ସହଜ କୁକର୍ମ ସାଧନ

ଲଗାଇ ଅବା କେତେକ୍ଷଣ

 

 

 

 

 

 

 

 

ଏଣୁ ଏ ଦ୍ରୂତଗାମୀ ରେଳ

ନ ପାଏ ଉତ୍ତମକୁ ବେଳ

ଅଧମ କର୍ମକୁ ମାତର

ଏ ରେଳ ଗତି କ୍ଷିପ୍ରତର

ପୁଣି ଏ ରେଳଗାଡ଼ି ଦେଖ

ଯେମନ୍ତେ ଭିଆଏ ଦୁର୍ଭିକ୍ଷ

ଯୁକ୍ତି ସାପେକ୍ଷ ଅଟେ ସେହି

କେ କହେ ସତ ମିଛ କେହି

 

 

 

 

ସପକ୍ଷ ବିପକ୍ଷ ଏମନ୍ତ

ଅଛଇ ଏଥେ ବେନି ମତ

କିନ୍ତୁ ଏ ରେଳର ସକାଶେ

ପାପ ଯେ ବେଳୁଁ ବେଳ ଗ୍ରାସେ

ଏଥେ ସନ୍ଦେହ ନାହିଁ କାର

ମୁଁ ଏହା କେହେ ବାରମ୍ବାର

ପାଠକ ଉବାଚ

ଏକ ମହତ ଉପକାର

ଏ ରେଳ କରଇ ଆମ୍ଭର

ତୁମ୍ଭେ ହୋ ଯେତେ ଦୋଷବାଛ

ତା ଆଗେ ସବୁ ଅଟୁ ତୁଚ୍ଛ

ବିଭିନ୍ନ ଭାଷାଭାଷୀ ଦେଶ

ଭାରତେ ଅଛଇ ଅଶେଷ

ସୂତ୍ରରେ ମଣି ଗଣ ପରି

ଏ ରେଳ ଯୋଗ ସୂତ୍ର ପରି

 

 

 

 

ରଖିଚି ସର୍ବେ ଏକ ଠାବେ

ଏକ ପ୍ରକାର ଏକ ଭାବେ

ଏମନ୍ତେ ଏକ ରାଷ୍ଟ୍ରଭାବ

ଅଟଇ ଏ ରେଳପ୍ରଭାବ

ଏହି ଗୋଟିଏ ଗୁଣ ସଙ୍ଗେ

ଦୋଷ ତା’ ନପଡ଼େ ପାସଙ୍ଗେ

ତେଣୁ ରେଳର ଆଗମନ

ଆମ୍ଭର ମଙ୍ଗଳ କାରଣ

ସଂପାଦକ ଉବାଚ

କହନ୍ତି ଗାନ୍ଧି ସଂପାଦକ

ଶୁଣ ହୋ ସଧୀରେ ପାଠକ

ରେଳର ଏହା ନୁହେଁ ଧର୍ମ

ତୁମ୍ଭର ବୁଝିବା ହିଁ ଭ୍ରମ

ଏତ ଇଂରାଜୀଙ୍କର ଲଟ

କହନ୍ତି ବଚନ କପଟ

ଅନ୍ଧ ପୁଟୁଳୀ ଦେଇ ବାନ୍ଧି

ଭୁଲାନ୍ତି ନାନା କଥା ଫାନ୍ଦି

 

 

 

 

ଭାରତେ ନଥିଲା ଏକତା

ସେହି କହନ୍ତି ଏହି କଥା

ଭାରତ ନୁହ ଏକ ଜାତି

ନିସଙ୍କୋଚେ ସେ କହିଯାନ୍ତି

ଭାରତ ହୋଇବାକୁ ଏକ

ବିତିବ କଳପ କଳପ

ଏମନ୍ତେ ମିଥ୍ୟା କଥା କହି

ଦିଅନ୍ତି ସେ ପଟି ଚଢ଼ାଇ

 

 

 

 

ତହିଁରେ ଆମ୍ଭର ବିଶ୍ୱାସ

ତେଣୁ ହେଉଛି ସର୍ବନାଶ

ଇଂରାଜୀମାନଙ୍କ ଆଗମ

ଆଗରୁ ଥିଲା ଅନୁପମ

ସାରା ଭାରତେ ରାଷ୍ଟ୍ରୀୟତା

ଏକଇ ଜାତି ଏକ କଥା

ଏକଇ ଚିନ୍ତା ଏକ ମନ

ଏକଇ ଚଳନ ଚାଳନ

 

 

 

 

ହେଲେହେଁ ବିଭିନ୍ନ ପ୍ରଦେଶୀ

ମଣନ୍ତି ଯେହ୍ନେ ପ୍ରତିବେଶୀ

ଭାଇ ସମାନେ କରି ଜ୍ଞାନ

ସକଳେ ଭାରତ ସନ୍ତାନ

ତେଣୁଟି ହୋଇଲା ସହଜ

ଇଂରାଜୀ ଏକଛତ୍ର ରାଜ୍ୟ

ଧୀବର ଜାଲେ ପଡ଼େ ପକ୍ଷୀ

ଆନ ପକ୍ଷିଏ ଦେଖି ଦୁଃଖୀ

 

 

 

 

ପଡ଼ନ୍ତି ପୁଣି ସେଇ ଜାଲେ

ସଙ୍ଗର ଦୁଃଖେ ସଙ୍ଗୀ ତୁଲେ

ତେମନ୍ତେ ଆମ୍ଭେ ଦଳେ ଦଳେ

ପଡ଼ିଲୁ ଇଂରାଜ କବଳେ

ଆମ୍ଭର ଏକ ଗୋତ୍ରୀ ଭାବ

କରିଲା ସାମ୍ରାଜ୍ୟ ଉଦ୍ଭବ

ସୁଯୋଗ ପାଇଣ ଇଂରାଜ

ସ୍ଥାପିଲେ ଏଥେ ନିଜ ରାଜ୍ୟ

 

 

 

 

ପୁଣି ସେ ଏବେ ନିଜ ସ୍ୱାର୍ଥେ

ସୃଜିଲେ ଭେଦଭାବ ଏଥେ

ଲଗାଇ ଭାଇ ଭାଇ କଳି

ନିଜକୁ ଭଲଲୋକ କରି

ମଝିରେ ମାରୁଚନ୍ତି ଲାଭ

ଏଣୁ ଭିଆନ୍ତି ଭେଦ ଭାବ

ପାଠକ ଉବାଚ

ମୁଁ ଏହା ବୁଝି ପାରୁନାହିଁ

ବିସ୍ତାରି କହ ହୋ ଗୋସାଇଁ

ଗାନ୍ଧି ଉବାଚ

ନବୁଝି ନ ବିଚାର କିଛି

ନ ଭାବ ମୁଁ ଏହା କହିଛି

ମୁଁ ଯେ କହିଲି ଏ ଭାରତ

ଅଟେ ଏକଇ ରାଷ୍ଟ୍ରଗତି

ଏକଇ ଗୋତ୍ର ଏକ ଗୋଷ୍ଠୀ

ସବଳ ଏକଇ ସମଷ୍ଟି

ତା ବୋଲି ନ କହିବି ମୁଁହିଁ

ନ ଥିଲା ଭେଦ ଭାବ ରହି

 

 

 

 

 

 

 

 

 

 

 

 

ହସ୍ତ ଯେସନେ ମୁଷ୍ଠିବଦ୍ଧ

ଦୃଢ଼େ ସେ ରହଇ ଆବଦ୍ଧ

ତଥାପି ପାଞ୍ଚୋଟି ଆଙ୍ଗୁଳି

ନୁହନ୍ତି କେଭେ ଏକାଭଳି

ତେମନ୍ତେ ଭାରତ ବରଷ

ହେଲେହେଁ ଏକ ଜାତି ଦେଶ

ବିଭିନ୍ନ ମତବାଦୀ ଲୋକ

ରହିବା ତହିଁ ସ୍ୱାଭାବିକ

 

 

 

 

ଏକଇ ଥାଏ ପରିବାର

ସୌହାର୍ଦ୍ୟେ ଚଳଇ ସଂସାର

ତଥାପି ସମସ୍ତଙ୍କ ଚିତ୍ତ

ମିଳିବା ଦିଶଇ କ୍ୱଚିତ

ତେମନ୍ତେ ଭିନ୍ନ ମତ ଥାଇ

ଭାରତ ଥିଲା ଏକା ହୋଇ

ଦେଶ ଦେଶକେ ଥିଲା ଫାଙ୍କ

ନଈ ଯେସନେ ବାଙ୍କ ବାଙ୍କ

 

 

 

 

ତା ଜାଣି ଶୁଣି ଗୁଣି ଗଣ

କରୁ ଯେ ଥିଲେ ପର୍ଯ୍ୟଟନ

ପାଦରେ ଅଥବା ଶକଟେ

ଭ୍ରମି ସୁଦୂର ସନ୍ନିକଟେ

ଯେକାଳେ ଯେଉଁ ଦେଶେ ଯାନ୍ତି

ସେ ଦେଶାଚାର ଆଚରନ୍ତି

ଶିଖନ୍ତି ସେ ଦେଶର ଭାଷା

ପରସ୍ପରରେ ଭଲବାସା

 

 

 

 

ଦୂର ଦୂରରେ କରି ଘର

ସମ୍ପର୍କ ଥିଲା ପରସ୍ପର

ନ ଥିଲା ଆତ୍ମାପର ଭେଦ

ସୁଖଦୁଃଖରେ ସମ ହୃଦ

ଦେଖ ହେ କେଡ଼େ ଦୂରଦର୍ଶୀ

ଥିଲେ ପୂର୍ବେ ଏ ଦେଶବାସୀ

ଦକ୍ଷିଣେ ଥାପି ରାମେଶ୍ୱର

ଉତ୍ତରେ ବଦ୍ରି ହରଦ୍ୱାର

 

 

 

 

 

 

 

 

ପୂର୍ବରେ ଜଗନ୍ନାଥ ପୁରୀ

ପଶ୍ଚିମେ ଦ୍ୱାରକା ନଗରୀ

ଚାରି ଦିଗରେ ଚାରି ଧାମ

କଲେଟି ତୀର୍ଥର ବିଧାନ

ଆମ୍ଭର ପିତୃ ପିତାମହ

କି ହେତୁ କରିଥିଲେ କହ

ଏ କଥା ତୁମ୍ଭେ ଭାବି ଦେଖ

ସେ ତ ନ ଥିଲେ ଗଣ୍ଡମୂର୍ଖ

 

 

 

 

ଈଶ୍ୱର ସର୍ବ ଘଟେ ବିଜେ

ଏ କଥା ଯେହୁ ଭଲେ ବୁଝେ

ସକଳ ତୀର୍ଥ ତା ଚରଣେ

ବଦ୍ରିକା ଯିବି କି କାରଣେ

ଏମନ୍ତେ ଯାହାର ବିଚାର

ତୀର୍ଥରେ କି କାରଣ ତାର

ମନ ଯାହାର ଥିବ ଚେଙ୍ଗା

ଗୋବର ଟୁବ ତାରଗଙ୍ଗା

 

 

 

 

ଏ କଥା ପୂରୁବ ପୁରଷେ

କହି ଅଛନ୍ତି ଉପଦେଶେ

ସେ ପୁଣି ମୋତେ କହ ଭଲେ

ତୀର୍ଥ ବ୍ୟବସ୍ଥା କିମ୍ପା କଲେ

ଦୂରଦରଶୀ ଯେଣୁ ସେହି

ତେଣୁ ସେ ଏହା ଛନ୍ତି ବିହି

ଏ ଦେଶ ପ୍ରକୃତି ଭିଆଣ

ଅଖଣ୍ଡ ଅବିଭକ୍ତ ଜାଣ

 

 

 

 

ତେଣୁ ଏ ସମଗ୍ର ଭାରତ

ଉଚିତ ଏକ ଜାତି ବ୍ରତ

ଏକଇ ଗୋତ୍ର ଏକ ଗୋଷ୍ଠୀ

ଏକଇ ଶ୍ରେଣୀର ସମଷ୍ଟି

ନାନା ପ୍ରଦେଶ ନାନା ଭାଗ

ତଥାପି ଉଚିତ ସଂଯୋଗ

ହେଲେ ହେଁ ଭିନ୍ନ ଭିନ୍ନ ଭାଷା

ଉଚିତ ଅଟେ ମିଳାମିଶା

 

 

 

 

 

 

 

 

ଏମନ୍ତ ବିଚାରି ସେ ମନେ

ତୀର୍ଥ ସ୍ଥାପିଲେ ସ୍ଥାନେ ସ୍ଥାନେ

ଯେମନ୍ତେ ହେବ ଏକଭାବ

ମହୀରେ ନାହିଁ ନା ନଥିବ

ଯେମନ୍ତେ ପ୍ରତି ଘରେ ଘରେ

ଜାତୀୟ ଭାବନା ସଞ୍ଚରେ

ଏମନ୍ତେ ମନରେ ସଂକଳ୍ପି

ଏ ତୀର୍ଥ ମାନ ଥିଲେ ଥାପି

 

 

 

 

ଆଜି ତାହାର ଦେଖ ଫଳ

ଆମ ଭିତରେ ଯେତେ ମେଳ

ହେଲେହେଁ ଭିନ୍ନ ଭିନ୍ନ ଭାଷୀ

ଏକ ଏ ଭାରତ ନିବାସୀ

ଆମ୍ଭର ଏକତା ସମାନ

ସଂସାରେ ନାହିଁ ନାଟି ଆନ

ଇଂରାଜୀ ଲୋକଙ୍କ ଭିତରେ

ଏମନ୍ତ ନାହିଁ ପରସ୍ପରେ

 

 

 

 

ପୁଣ ଏ ଇଂରାଜଙ୍କ ଗୋହି

ଦୁଇ ଲୋକରେ ମତ ଦୁଇ

ଦୁହିଁଙ୍କ ମୁଖ ଦୁଇଆଡ଼େ

ତେମନ୍ତ ନାହିଁ ଆମ୍ଭଠାରେ

ଭାରତ ଭାରତର ଲୋକେ

ସାଥି ଯେମନ୍ତେ ଦୁଃଖେ ସୁଖେ

ଦୁଇ ଇଂରାଜ ଲୋକମାଝେ

ସେ ପ୍ରେମ ଭାବ ନ ବିରାଜେ

 

 

 

 

ଆମ୍ଭ ମଧ୍ୟରେ ଆନୁଆନେ

ଯେ ମୈତ୍ରୀ ପ୍ରୀତି ଚିରଦିନେ

ରହି ଆସିଛି ଅଛି ରହି

ତେମନ୍ତେ କାହାଠାରେ ନାହିଁ

ଯେ କହେ ଭାରତ ବରଷ

ନୁହଇ କେଭେ ଏକ ଦେଶ

ନାନାଦି ଭାଷାନାନା ଜାତି

ନାନାଦି ପ୍ରକାରରେ ଥାନ୍ତି

 

 

 

 

 

 

 

 

ଏମନ୍ତେ କହନ୍ତି ଯେ କଥା

ନାହିଁ ତାଙ୍କର ଅଭିଜ୍ଞତା

ଏ ଯେତେ ଶିକ୍ଷିତ ମାନବ

ବୋଲନ୍ତି ଆପଣାକୁ ସଭ୍ୟ

ତୁମ୍ଭେ ଅଥବା ମୋହ ପରି

ସେମାନେ ବୋଲନ୍ତି ଏପରି

ଅଲାତ ଚକ୍ର ପ୍ରାୟ ହୋଇ

ସଭ୍ୟତା ଚକ୍ର ଘୂରୁଥାଇ

 

 

 

 

ତହିଁରେ ପଡ଼ି ବୁଦ୍ଧି ଭ୍ରଷ୍ଠ

ମଣେ ଯେ ଆପାଣାକୁ ଶ୍ରେଷ୍ଠ

ଭାରତ ଜନସାଧାରଣ

ଯାହାକୁ ଘୂଣାର କାରଣ

ଲୋକଙ୍କଠାରୁ ରହି ଦୂରେ

ନିଜକୁ ଯେ ବଡ଼ ବିଚାରେ

ସେମାନେ କହନ୍ତିଏ କଥା

ସେ ତାଙ୍କ ନିରାଟ ଅଜ୍ଞତା

 

 

 

 

ପ୍ରକୃତ ଭେଦଭାବ କେବେ

ନ ଥିଲାଏ ଦେଶରେ ଲବେ

ଆସି ଏ ଖଳରୂପୀ ରେଳ

ଲଗାଇଦେଲା କଳି ଗୋଳ

କାହିଁ ଗଲା ସେ ମୈତ୍ରୀଭାବ

ଏବେତେ ହୋଇଲା ଅଭାବ

ଏହି ରେଳରେ ପ୍ରଚଳନ

ହେଲା ସେ ଅଭାବ କାରଣ

 

 

 

 

ଏ ରେଳ ବାହନ ଉପରେ

ଶଏର ସଫର ଯେ କରେ

ଫେରି ଆସନ୍ତି ପରକ୍ଷଣେ

ରେଳର ଚଞ୍ଚଳ ଚଳନେ

ଆଜି ଏଠାରେ କାଲି ସେଠି

ବସିଲାଠାରୁ ଯାନ୍ତି ଉଠି

ପୁଣି ସେ ତହିଁ ଆରଦିନେ

ଆସି ମିଳିରେ ନିଜସ୍ଥାନେ

 

 

 

 

 

 

 

 

ତେଣୁ ସେ ଯେଉଁ ଦେଶେ ଯାନ୍ତି

ସେ ଦେଶ ଫଳ ସେ ନଖାନ୍ତି

ସେ ଦେଶ ସୁଖ ଦୁଃଖ ଯେତେ

ସେ ଅବା ବୁଝିବେ କେମନ୍ତେ

ବୃକ୍ଷର ମୂଳେ ଯେହ୍ନେ ଆସି

ପଥୁକୀ ବିଶ୍ରାମନ୍ତେ ବସି

ପୁଣି ଚଳନ୍ତି ଶ୍ରମ ସାରି

ସେ ବୃକ୍ଷ ନୁହଇ କାହାରି

 

 

 

 

ତେମନ୍ତେ ମଣି ପରଦେଶ

ବାହୁଡ଼ି ଯାନ୍ତି ନିଜ ବାସ

କମଳ ଦଳେ ଜଳ ପ୍ରାୟେ

ବିଦେଶେ ମମତା ନ ଥାଏ

ସେ ଯେଣୁ ଦି ଦିନର ସାଥି

ଯହୁଁ ଆସନ୍ତି ତହିଁ ଯାନ୍ତି

ତେଣୁ ଏ ଆତ୍ମ ପରଭେଦ

ଦେଶକୁ ଦେଶ ଭେଦାଭେଦ

 

 

 

 

କାହାରି ସୁଖ କେ ନ ଦେଖି

ହୁଅନ୍ତା ନାକ ଟେକା ଟେକି

ରେଳହିଁ ତାର ମୂଳ ହେତୁ

ଭାଙ୍ଗଇ ଏକାତାର ସେତୁ

ତଥାପି ଯଦି କହ ରେଳ

ଅମେଳ କରୁଅଛି ମେଳ

ନ କରି ସେହି ଭେଦ ସୃଷ୍ଟି

ଆଶିଷ କରୁଅଛି ବୃଷ୍ଟି

 

 

 

 

ମୁଁ ଅବା କି ଦେବି ଉତ୍ତର

ମୋତେ ତହିଁରୁ ତ୍ରାହି କର

ଅଫିମଖୋର ଲୋକ ଯଥା

ଅଫିମ ମୋହେ କହେ କଥା

ଜାଣି ଅଫିମ ମନ୍ଦ ଫଳ

ତାରିଫ କରେ ଅଫିମର

କହେ ସେ ଆସୁଖିଆ ଗୁଣ

ସେ ଜାଣେ ଯେ ତହିଁ ନିପୁଣ

 

 

 

 

 

 

 

 

ଯେ ଦୋଷାଦୋଷ ଅଫିମର

କହଇ ଅଫିମା କେବଳ

କରି ମୁଁ ଅଫିମ ଅମଳ

ବୁଝିଲି ତାର ମନ୍ଦଫଳ

ଅଫିମା ଏହା କହେ ବୋଲି

ଆମେ କି ତହିଁଯିବୁ ଭୁଲି

ତେଣୁ କି ଅହିଫେନ ସେବା

ଉଚିତ ବୋଲି ହେ କହିବା

ବିଷକୁ ବୁଝିବାକୁ ବିଷ

ବିଷପାନେ କି ନାହିଁ ଦୋଷ

ନରକ ଭୋଗର କଷଣ

କେମନ୍ତେ ଜାଣିବାକୁ ମନ

ତେଣୁ କି ନରକର ଭୋଗ

ବରଣକରି ନେବେ ଲୋକ

ରେଳର ଯେତେ ଅମଙ୍ଗଳ

ଜାଣିବା ପାଇଁ ସେ ସକଳ

ରେଳହିଁ ଚଳିବା ଉଚିତ

ତେଣୁ ସେ କରୁଅଛି ହିତ

କେହିତ ନ କହେ ଏ କଥା

ମହାର୍ଘ ଏ ବହୁଦର୍ଶିତା

ମୁଁ ଯାହା କହେ ଏକ ଏକ

ବିଚାରି ବୁଝି ତୁମ୍ଭେ ଦେଖ

ପ୍ରଥମେ ଲାଗିବ ଖଟକା

କ୍ରମେ ଘୁଞ୍ଚିବ ସେହି ଦକା

ସ୍ଥିର ନିର୍ମଳ କଲେ ମନ

ନିଜେ ତା କରିବ ଖଣ୍ଡନ

ପାଠକ ଉବାଚ

ମୁଁ ତାହା କରିବି ବିଚାର

ଶୁଣ ହୋ ପଚାରୁଛି ଆର

ମୋହର ନ ହୁଏ ବିଶ୍ୱାସ

ଭାରତ ହେବ ଏକ ଦେଶ

କିପରି ଏ ଦେଶ ବିରାଟ

ହୋଇବ କହ ଏକ ରାଷ୍ଟ୍ର

ମୁସଲମାନ ଯେଉଁ କାଳେ

ନ ଥିଲେ ଭାରତ ମଣ୍ଡଳେ

 

 

 

 

କହୁଛ ସେ କାଳର କଥା

ସେକାଳେ ଥିଲାଟି ଏକତା

ସେକଥା ଆଉ ନାହିଁ ଏବେ

ନାହାନ୍ତି ଲୋକ ସେହି ଭାବେ

ହିମାଳୟରୁ ମହା ସିନ୍ଧୁ

କେବଳ ରହିଥିଲେ ହିନ୍ଦୁ

ଏବେ ମୁସଲମାନ ଆସି

ତା ସଙ୍ଗେ ଖ୍ରୀଷ୍ଟାନ ପାରସି

 

 

 

 

କେତେ ଯେ ଜାତି କେତେ ଧର୍ମ

ହେଲାଣି ଅବସ୍ଥା ବିଷମ

ସଭିଙ୍କୁ ଘେନି ଏକ ଭାବେ

ରହିବା ଅସମ୍ଭବ ଲାଗେ

ହିନ୍ଦୁ ମୁସଲମାନ କଳି

ସାରା ଶତ୍ରୁହୁଁ ଗଲା ବଳି

ବହୁତ ଦିନୁ ହୋଇ ବାଦ

ସେ ବାଦ ହେଲାଣି ପ୍ରବାଦ

 

 

 

 

କେତେ ପହଳି କେତେ ଛଟା

କରିଣ କହନ୍ତି ସେ କଥା

ନଣ୍ଡା ପଣ୍ଡାରେ କାହିଁ ମେଳ

ନୋହିବ କେବେ କାଳ କାଳ

ଏମନ୍ତେ କହନ୍ତି ଲଗାଇ

ତେଣୁ କୀର୍ତ୍ତିତ ଗଲା ହୋଇ

ଦୁହିଁଙ୍କ ଆଚାର ନିୟତ

ଦୁହିଁଙ୍କଠାରୁ ବିପରୀତ

 

 

 

 

ହିନ୍ଦୁଙ୍କ ପୂଜା ଉପାସନା

ପୂର୍ବ ମୁଖରେ ହୁଏ ଘେନା

ମୁସଲମାନର ନମାଜ

ପଶ୍ଚିମ ଦିଗେ କରେ ସାଜ

ହିନ୍ଦୁର ଦେବତା ଗୋମାତା

ମୁସଲମାନ କରେ ହତ୍ୟା

ହିନ୍ଦୁର ପ୍ରତିମା ପୂଜନ

ମୁସଲମାନ ମଣେ ଘୃଣ୍ୟ

 

 

 

 

 

 

 

 

ହିନ୍ଦୁଯେ ପାଳଇ ଅହିଂସା

ମୁସଲମାନ କରେ ହିଂସା

ଏକ ଯା ମାନୁ ଅଛି ଆଜି

ଅନ୍ୟ ତା ପକାଉଛି ଭାଜି

କାଶିଆ କପିଳାର ଭେଟ

ହେବାକୁ ନାହିଁ କାହିଁ ବାଟ

ଏମନ୍ତେ ପ୍ରତି ପଦେ ପଦେ

ଆମେ ପଡ଼ିଲୁ ମତଭେଦେ

 

 

 

 

ଏ ଭେଦ କଦାପି ନ ଯିବ

ତେଣୁ ଏ କଥା ଅସମ୍ଭବ

ଅସମ୍ଭବ ଏ ଏକରାଷ୍ଟ୍ର

ଏ ସତ୍ୟ ଅଟଇ ନିରାଟ

 

Unknown

ଦଶମ ଅଧ୍ୟାୟ

ହିନ୍ଦୁ ଓ ମୁସଲମାନ

ଗାନ୍ଧି ଉବାଚ

ପାଠକ ଯାହା ପଚାରିଲ

ସେ କଥା ଅତୀବ ଜଟିଳ

ନିରୋଳେ ବିଚାରଟି କଲେ

ଭେଦ ତା ଫିଟିଯିବ ଭଲେ

ସେହି ଓକିଲ ଡାକତର

ସେଇ ସେ ରେଳ ଦ୍ରୂତତର

ଅଟନ୍ତି ଏହାର କାରକ

ଏ ଭେଦଭାବ ସରଜକ

 

 

 

 

ଓକିଲ ପୁଣି ଡାକତର

କଲେ ସେ ଯେତେ ଅପକାର

ସେ ଅବା କରନ୍ତି ଯାହାକି

କହିବାର ହି ଅଛି ବାକି

ରେଳର କଥା ଥିଲି ଭଣି

କଥାଏ କହିବି ମୁଁ ପୁଣି

ପକୃତି ତହୁଁ ଏ ମନୁଷ୍ୟ

ଅଟଇ ପ୍ରକୃତିର ବଶ୍ୟ

 

 

 

 

ଏ ପୁଣି ମନୁଷ୍ୟର ହିତେ

ରଖିଛି ତାହାକୁ ଆୟତେ

ତେଣୁ ଭିଆଇ ହସ୍ତପଦ

କରିଛି ତାକୁ ସୀମା ବଦ୍ଧ

ହସ୍ତ ପଦରେ ଯେତେ ବଳ

ସେତିକି ଚଳ ପରିଚଳ

ଯାହା ଉପରେ ଯେଉଁ ଭାର

ସେତିକି ତାହାର ବେଭାର

 

 

 

 

 

 

 

 

ତହୁଁ ବଳାଇ ଗଲେ ଦେହୀ

ହୁଅଇ ବହୁ ଦୁଃଖୀ ଦାୟୀ

ଯାହାର ଯେତିକି ଶକତି

ସେତିକି ତାର କରାମତି

ତହିଁକି ବିଚାର ନ କରି

ଦ୍ରୂତ ବାହାନ ଯାନ ଧରି

ଯେତେ ଚଞ୍ଚଳ ଚଳ ଚାଲ

ସେତିକି ବଢ଼ଇ ଜଞ୍ଜାଳ

 

 

 

 

କ୍ଷମତା ଘେନି କାର୍ଯ୍ୟ କଲେ

ପ୍ରମାଦ ନାହିଁ ନାଟି ଭଲେ

କିନ୍ତୁ ଏ ନର ଅଭିମାନୀ

ପ୍ରକୃତି ମନାକୁ ନମାନି

ଗରବେ ତ ପାରଇ ବୁଝି

ଆପଣା ସଙ୍ଗେ ମରେ ଯୁଝି

ଭିଆଇ ଦ୍ରୂତ ରେଳଗାଡ଼ି

ଘଡ଼ିକେ ଘୋଡ଼ା ଦିଏ ଛାଡ଼ି

 

 

 

 

ନଶୁଣେ ଅଙ୍ଗର ଆକଟ

ତେଣୁ ଅଯଥା ଛଟ ପଟ

ନିଜର ଦୁଃଖ ନିଜେ କିଣେ

ଆନକେ ଭୋଗନ୍ତା ତା’ ବିନେ

ଶରୀର ବିଧାତା ଆୟତ୍ତ

ବିଧାତା ତହୁଁ ଆତ ଯାତ

ସେ ଦେଲେ କାୟା ଅସମ୍ଭବ

ତା’ ସୀମା ମଧ୍ୟେ ସେ ରହିବ

 

 

 

 

ଅସ୍ଥି ପିଞ୍ଜରା ଚାରିପାଶେ

ଛାଉଣୀ ନଖ ଲୋମ କେଶେ

ଶିରା ଶିକୁଳି ଗଣ୍ଠି ଯୋଖି

ଚର୍ମ ରୁଧିର ମାଂସ ଲେପି

ଏମନ୍ତ ଅସମ୍ଭବ ଆଣି

ଏ କାୟା ଗୃହ ନିରିମାଣି

ତହିଁରେ ମନୁଷ୍ୟକୁ ଛନ୍ଦି

ସେ ଗୃହେ ତାକୁ କଲେ ବନ୍ଦୀ

 

 

 

 

ସେ ଗୃହ ମଧ୍ୟରୁ ବାହାର

ହେଲେ ବିପଦ ଅଛି ତାର

ମନୁଷ୍ୟ ହେଲା କଉଶଳୀ

ତେଣୁ ଧାତାକୁ ଗଲା ବଳି

ଧାତାର ନିୟମ ଲଙ୍ଘନ

ପାଇଁସେ କଲା ଉଦ୍ଭାବନ

ଏବେ ହୋ ଧାତାର ବିଚାର

ତା ବୁଦ୍ଧି ଆଗେ ହେଲା ଛାର

 

 

 

 

ଦେଖ ଏ ମନୁଷ୍ୟର ଘଟେ

ଅସୀମ ବୁଦ୍ଧି ପରକଟେ

ଈଶ୍ୱର ଚିହ୍ନିବାର ପାଇଁ

ଏ ବୁଦ୍ଧି ଅଛନ୍ତି ଭିଆଇ

ଦେଖ ଏ ମନୁଷ୍ୟର ଗତି

ଈଶ୍ୱରଙ୍କୁ ସେ ଯାଏ ଜିତି

ସେ ଏବେ ସେହି ବୁଦ୍ଧି ବଳେ

ଈଶ୍ୱର ଜୟ ଇଚ୍ଛାକରେ

 

 

 

 

ମନୁଷ୍ୟ ଈଶ୍ୱର ଭିଆଣ

ତାହାକୁ କଲେ ଶକ୍ତିମାନ

ରେଳ ଯେ ମନୁଷ୍ୟ ତିଆରି

ମନୁଷ୍ୟ ଠାରୁ ଶକ୍ତିଶାଳୀ

ବିଧାତା ପୁରୁଷ ଈଶ୍ୱର

ତା’ ତହୁଁ ବଡ଼ ତେଣୁ ନର

କ୍ଷିତ୍ୟପ ତେଜ ଯେ ମରୁତ

ଆକାଶ ଏହି ପଞ୍ଚଭୁତ

 

 

 

 

ପ୍ରକୃତି ଜାତ ଏହି ଅଙ୍ଗ

ତା ସଙ୍ଗେ ନାନା ପ୍ରତି ଅଙ୍ଗ

କର୍ମ ଇନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ

ଏ ଅଙ୍ଗେ କରନ୍ତି ଆଶ୍ରୟ

ମନ ଯେ ଏ ସବୁର ପ୍ରଭୁ

ମନର ମୂଳେ ଅଟେ ସବୁ

ଜିହ୍ୱା ନାସିକା ଚକ୍ଷୁ କର୍ଣ୍ଣ

ଚର୍ମ ସହିତେ ପଞ୍ଚଜ୍ଞାନ

 

 

 

 

 

 

 

 

ମନ ଯେ ପଞ୍ଚ ଜ୍ଞାନ ବଳେ

ଭୋଗ କରଇ ଏ ଶୟଳେ

ବାକ୍ୟ ପାଣି ଯେ ପାଦ ପାୟୁ

ଉପସ୍ଥ ଆଦି କର୍ମେନ୍ଦ୍ରିୟୁଁ

ଏ ମନ ବୋଲାଏ କରତା

ମଣ୍ଡୁକ କୂପ ମଧ୍ୟେ ଯଥା

କର୍ମେନ୍ଦ୍ରିୟର କାହିଁ ସାଧ୍ୟ

ପୂର୍ଣ୍ଣ କରିବ ମନ ସାଧ

 

 

 

 

ମନର ଯେତେ କଳପନା

ଯାହାର ନାହିଁ ନାଟି ସୀମା

ତେଣୁ ଏ ମନ ଲୋଡ଼େ ଯାହା

ପାଇବା ଅସମ୍ଭବ ତାହା

ମନ ଇଚ୍ଛାରେ ଯଦି ନର

ଭୋଗନ୍ତି ଏ ସାରା ସଂସାର

ଭୋଗର ନ ହୁଅନ୍ତି କ୍ଷୟ

କଳପ କଳପ ପ୍ରଳୟ

 

 

 

 

ତେଣୁଏ ହସ୍ତ ପଦ ଆଦି

ପ୍ରକୃତି ଦେଇଅଛି ବାନ୍ଧ

ଯେତିକି ତାକୁ ଅଟେ ଯୋଗ

ସେତିକି ମନୁଷ୍ୟର ଭୋଗ

ତେଣୁ ଏ କର୍ମେନ୍ଦ୍ରିୟ ମତେ

ମନୁଷ୍ୟ ବଞ୍ଚଇ ଜଗତେ

କରଇ ଧନ ଅରଜନ

ଧନରୁ ତପ ଦାନ ଧର୍ମ

 

 

 

 

ଆବର ଅଟଇ ବିହିତ

ପରର ସେବା ପରହିତ

ତାହାର ପୁଣି ଥାଏ ସୀମା

ଅନନ୍ତ ନୁହେ ତା ମହିଁମା

ମନୁଷ୍ୟ ଚାରି ପାରୁଶରେ

ଥାଏ ଯା ଇନ୍ଦ୍ରିୟ ଗୋଚରେ

ସେ ତାର ଭଲ ମନ୍ଦ ଦେଖେ

ଯେତିକି ପାରଇ ସେ ଏକେ

 

 

 

 

 

 

 

 

ଯେତିକି ତାହାର କ୍ଷମତା

ସେତିକି କରିବାର କଥା

ସାଇ ପଡ଼ିଶା ସାଥି ଯେବା

ପରେ ସେ କରି ତାଙ୍କ ସେବା

ତହୁଁ ଅଧିକ ଲୋକହିତ

କରିବା ତାର ଅଣାୟତ୍ତ

କିନ୍ତୁ ସେ ଅହଂକାର ମୋହେ

ସାରା ସଂସାର ଭରା ବହେ

 

 

 

 

ନିଜ ରକ୍ଷଣେ ଅସମ୍ଭବ

ସେ କାହୁଁ ସଂସାର ରଖିବ

ଜଗତ ଯାକ ହିତ ପାଇଁ

ଅଯଥା ସିନା ହୁଏ ବାଇ

ତା ହସ୍ତପଦ କରେ ମନା

ତଥାପି ନ ତୁଟେ ବାସନା

ରେଲ ତ ନ ମାନେ ଆକଟ

ଦୂରକୁ ବ ରେ ସନ୍ନିକଟ

 

 

 

 

ମନୁଷ୍ୟ ଏହି ରେଳ ବଳେ

ଦୂର ଦୂରକୁ ଗତି କରେ

ତେଣୁ ବହୁତ ଲୋକହିତ

କରିବା ପାଇଁ ବଳେ ଚିତ୍ତେ

ଆପଣା ସୀମାକୁ ସେ ଲଘିଂ

ବହୁତ ଆଡ଼େ ବହୁ ସଙ୍ଗୀ

ବହୁତ ଦିଗେ କର୍ମ କ୍ଷେତ୍ର

ପୁଣି ବହୁତ ଦେଖେ ନେତ୍ର

 

 

 

 

ମୁଣ୍ଡ ବଳକା କରେ କାମ

ଏଣୁ ତାହାର ବୁଦ୍ଧି ବାମ

ବିଚିତ୍ର ଅଟେ ଏ ଜଗତ

ନାନା ମୁନିଙ୍କ ନାନା ମତ

ନାନାଦି ଜାତି ନାନା ବର୍ଣ୍ଣ

ନାନା ସ୍ୱଭାବ କୁଳ ଧର୍ମ

ଏ କ ଯା ଭଲ ବୋଲି ବରେ

ଆନ ତା ପ୍ରତିହାର କରେ

 

 

 

 

 

 

 

 

ଏକ ପକ୍ଷରେ ଯାହା ଭଲ

ଅନ୍ୟ ପକ୍ଷରେ ଅମଙ୍ଗଳ

ସବୁରି ମନ ନେବା ପାଇଁ

ନରର ସାଧ୍ୟ ଅଛି କାହିଁ

ଏକର ସେବା କରୁ କରୁ

ଆନକୁ ତାହା ହୁଏ ଗରୁ

ଯେଣୁଟି ବହୁ ଲୋକ ବୋଝ

ବହିବା ନୁହଇ ସହଜ

 

 

 

 

ସହସ୍ର ବୋଝକୁ ଏକାଠି

ସହି ନ ପାରେ ଏକା ପିଠି

ତେଣୁ ସେ ପଡ଼େ ଆଣ୍ଠୁ ମାଡ଼ି

ନିଶ୍ୱାସ ଘନ ଘନ ଛାଡ଼ି

ଏଣୁ ରେଳର ଚଳାଚଳ

ପ୍ରକୃତ ବିପଦ ସଙ୍କୁଳ

ଏ ରେଳ ଯୋଗେ ଆଜି ନରେ

ଈଶ୍ୱର ଠାରୁ ଯାନ୍ତି ଦୂରେ

ନିଜକୁ ସେହି ମଣି ସ୍ରଷ୍ଟା

ଭୁଲନ୍ତି ଜଗତ କରତା

ପାଠକ ଉବାଚ

ଏଥର ମୋ ପ୍ରଶ୍ନ ଉତ୍ତର

ଦେଇ ସନ୍ଦେହ ଦୂରକର

ମୁସଲମାନ ଏହି ଦେଶେ

ଆସିବା ଦିନରୁ ବିଶେଷ

ନଷ୍ଟ ହୋଇଲା ରାଷ୍ଟ୍ରୀୟତା

ଭାଙ୍ଗିଲା ଦେଶର ଏକତା

ଏକଥା ନୁହଇ କି ସତ୍ୟ

କହ ହୋ ଏବେ ତୋର ମତ

ଗାନ୍ଧି ଉବାଚ

ସହସ୍ର ସହସ୍ର ବରଷ

ଯେ ଦିନୁ ଏ ଭାରତବର୍ଷ

କେତେ ଯେ ଧର୍ମ କେତେ ଜାତି

ଆସି ଏଠାର ବସିଯାନ୍ତି

 

 

 

 

ଏମନ୍ତେ ତାର ଏକ ଭାବ

ନ ହୁଏ କଦାପି ଅଭାବ

ନଷ୍ଟ ନ ହୁଏ ରାଷ୍ଟ୍ରୀୟତା

ଅଥବା ଦେଶର ଏକତା

ଏ ଭୂମି ମନୁଷ୍ୟର ଘର

ନ କରେ ଭେଦ ଆତ୍ମପର

ମନୁଷ୍ୟ ମାତ୍ରକେ ସମାନ

ନୁହନ୍ତି କେଭେ ଆନ ଆନ

 

 

 

 

ଯେ ଦେଶେ ନୂଆ ନୂଆ ଲୋକେ

ଆଶ୍ରେ କରନ୍ତି ଭୋକେ ଶୋକେ

ନାନା ଲୋକଙ୍କୁ ଅଙ୍ଗେ ବହି

ଅକ୍ଷୂର୍ଣ୍ଣ ହୋଇପାରେ ରହି

ସେ ଦେଶେ ଏକ ରାଷ୍ଟ୍ର ଦଣ୍ଡ

କେଭେ ନ ହୁଏ ଖଣ୍ଡ ଖଣ୍ଡ

ଏକ ସମୁଦ୍ର ଥାଏ ରହି

ନାନାଦି ନଦ ନଦୀ ବହି

 

 

 

 

ନକରେ ତାକୁ ଧାର ଧାର

ଯେ ଦେଶ ଏମନ୍ତ ପ୍ରକାର

ଏମନ୍ତ ଲକ୍ଷଣେ ଯେ ଦେଶେ

ଏକଇ ରାଷ୍ଟ୍ର ବେଲାଏ ସେ

ଅଗ୍ନି ଯେସନେ ସର୍ବ ଖାଇ

ବିଚାରେ ଗୁଣ ଦୋଷ ନାହିଁ

ତେମନ୍ତ ପାକ ଶକ୍ତି ଯାର

ସେ ଦେଶ ବଡ଼ ବଳିଆର

 

 

 

 

କେତେ ପାଟକ କେତେ ବର୍ଣ୍ଣ

କେତେ ଯେ ପନ୍ଥା କେତେ ଧର୍ମ

ସକଳେ ସୁଖେ ସମାବେଶ

ଧନ୍ୟ ସେ ଭୂମି ଧନ୍ୟଦେଶ

ଯେ ଦେଶେ ଏମନ୍ତ ସ୍ୱଭାବ

ସେ ଦେଶ ନୁହେ ଭାଗ ଭାଗ

ତେମନ୍ତ ଦେଶ ଏ ଭାରତ

ଥିଲେ ହେଁ ନାନା ଧର୍ମ ମତ

 

 

 

 

ସଭିଏଁ ଭାରତ ସନ୍ତାନ

ନାହିଁ ତହିଁରେ ଭିନ୍ନାଭିନ୍ନ

ଦେଖାଏ ଦେଶେ ରହେ ଯିଏ

ଗୋପିକେ ଗୋବିନ୍ଦ ଗୋଟିଏ

ଲୋକ ଗୋଟିକେ ଧର୍ମଗୋଟି

ଏ ଦେଶେ ରହିଅଛି ଘୋଟି

ଏ ଯେତେ ଜାତି ଧର୍ମ ସବେ

ରହିଲେ ଭାରତ ଗରଭେ

 

 

 

 

ସଭିଏ ରହି ପାଶେ ପାଶେ

ଚଳନ୍ତି ଆପଣା ବିଶ୍ୱାସେ

ତେବେ ନ ପଶେ କଳୁଷତା

ଏ ଦେଶେ ଏମନ୍ତ କ୍ଷମତା

ଉତ୍ତମ କିଅବା ଅଧମ

ସଭଙ୍କି କରୁଅଛି ସମ

ଏକ ଆରେକ ଆନ ଆନ

ତଥାପି ସମସ୍ତେ ସମାନ

 

 

 

 

ଏକ ଧରମ ଧାରଣାରେ

ଆନ କେ ଦୋରେହା ନ କରେ

ହିନ୍ଦୁ କରଇ ଦେବ ପୂଜା

ଖ୍ରୀଷ୍ଟାନ ଗମଇ ଗିରିଜା

ଶିଖ ପୂଜଇ ଗୁରୁଦ୍ୱାର

ମସଜିଦ ମୁସଲମାନର

ପୂଜନ୍ତି ଯେଝା ଉପଚାରେ

କେହି ନ ଦିଏ ବାଧା କାରେ

 

 

 

 

ଅଟଇ ଏ ଦେଶ ଏସନ

କାହୁଁ ହୋଇବ ବିଭାଜନ

ଯେ ଦେଶେ ଏଭାବ ନଥାଇ

ସେ ଏକ ରାଷ୍ଟ୍ର ହେବ ନାହିଁ

କିନ୍ତୁ ଏ ଭାରତ ବରଷ

ସେ ଭେଦ କରି ନାହିଁ ସ୍ପର୍ଶ

ମୁସଲମାନ କହେ ଯଦି

ଏ ଦେଶ ମୋର ରାଜଗାଦି

 

 

 

 

 

 

 

 

ହିନ୍ଦୁ ଏ କହିବେ ଆବର

ଏ ଦେଶେ ଅଧିକାର ମୋର

ସେ ତାଙ୍କ ଦିବସ ସ୍ୱପନ

ସଂଭବ ନୁହେଁ କଦାଚନ

ଶିଖ ଯେ ଖ୍ରୀଷ୍ଟାନ ପାରସି

ହିନ୍ଦୁ ମୁସଲମାନ ମିଶି

ସ୍ୱଦେଶ ମଣି ଏହି ଦେଶ

କରନ୍ତି ସୁଖେ ବସବାସ

 

 

 

 

ଏକ ଦେଶରେ ଏକ ଦେଶୀ

ରହନ୍ତି ହୋଇଣ ପଡ଼ୋଶୀ

ଏ ଯେ ସଭିଙ୍କ ଜନ୍ମସ୍ଥାନ

ଯେଝାର ଭାଇର ସମାନ

ଏମନ୍ତେ ଆସିଛନ୍ତି ରହି

କାସଙ୍ଗେ କାର ଭେଦନାହିଁ

ପୁଣି ରହିବେ ସମସ୍ୱାର୍ଥେ

ସକଳେ ମିଳି ଏକସାଥେ

 

 

 

 

ସର୍ବେ ନୋହିଲେ ଏକଜୁଟ

ଘଟିବ ସବୁରି ଅନିଷ୍ଟ

ତେଣୁ ସେ ହେବାପାଇଁ ଏକ

ବାଧ୍ୟହିଁ ଅଟନ୍ତି ପ୍ରତ୍ୟେକ

ଏକ ରାଷ୍ଟ୍ରର ଅର୍ଥ କାହିଁ

ଏକ ଧର୍ମତ ହୋଇ ନାହିଁ

ଯେ ଦେଶ ନାହିଁ ଏକ ଧର୍ମ

ଏକ ରାଷ୍ଟ୍ରକୁ କି ଅକ୍ଷମ

କାହିଁତ ନାହିଁ ଏହି ମତେ

କି ହେତୁ ହେବ ବା ଭାରତେ

ପାଠକ ଉବାଚ

ହିନ୍ଦୁ ମୁସଲମାନ ପରି

ନାହିଁକେ ଆଜନ୍ମ ବଇରି

ତାହାର କେବଣ ପ୍ରକାର

କରିବ କହ ପ୍ରତିକାର

 

ଗାନ୍ଧି ଉବାଚ

ହିନ୍ଦୁ ମୁସଲମାନଙ୍କର

ଆଜନ୍ମୁ ରହିଛି ବଇର

ଯେବା କହନ୍ତି ଏହିପରି

ଉଭୟଙ୍କର ସେ ବଇରି

ସେତ ଚାହାନ୍ତି କରିଭେଦ

ମଝିରେ ଭୋଗିବେ ସମ୍ପଦ

ତେଣୁ ଏ ହୁହିଁଙ୍କ ଝଗଡ଼ା

ଅଟଇ ତାଙ୍କ ମନଗଢା

 

 

 

 

ହିନ୍ଦୁ ମୁସଲମାନ ଦୁଇ

ଉଭୟେ ଆମ୍ଭେ ଭାଇ ଭାଇ

ଆମ୍ଭର ବୈର ଜନ୍ମଗତ

ଏ ତାଙ୍କ ମଗଜରୁ ଜାତ

ସେ ଯେଣୁ ଆମ୍ଭର ବଇରି

ମିଛ କହନ୍ତି ଏହିପରି

ଅନେକ ଦିନ ଆଗେ କେବେ

ହିନ୍ଦୁମୁସଲମାନ ଯେବେ

 

 

 

 

ଉଭେ ଉଭେୟେ ଲଢ଼ାଲଢ଼ି

ସେକାଳ ଗଲାଣି ତ ଗଡ଼ି

ସେ ଦ୍ରୋହ ସେହି ଯୁଦ୍ଧମାନ

ବହୁ ଦିନରୁ ଅବସାନ

ଏବେ ତ ବିରାଜଇ ଶାନ୍ତି

ଭାତୃଭାବରେ ରହିଥାନ୍ତି

ତେବେ କି କହିବା ଉଚିତ

ଆମ୍ଭ ବଇର ଜନ୍ମଗତ

 

 

 

 

ପୁଣି ହୋ ଏହା ରଖ ମନେ

ଇଂରାଜୀ ଶାସନ କାରଣେ

ତା ନ୍ୟାୟ ବିଚାର ସକାଶେ

ଏ ଶାନ୍ତି ଆସି ନାହିଁ ଦେଶେ

ମୁଁ ତାର କହିବି କାରଣ

ପାଠକ ଶୁଣ ଦେଇମନ

ହିନ୍ଦୁ ମୁସଲମାନ ଦୁହେଁ

ଲଢ଼ିଲେ ଉଭୟେ ଉଭୟେ

 

 

 

 

ଉଭୟେ ଉଭେ ଯୁଝି ଯୁଝି

ଭଲେ ସେ ପାଇଲେଟି ବୁଝି

ଆପଣା ମଧ୍ୟରେ କନ୍ଦଳ

ଅଟେ ଆପଣା ଅମଙ୍ଗଳ

ଚଦିଲେ ଧରି ତରବାରୀ

ଧର୍ମ କି କେ ନେବ କାହାର

ଦେଖାଇ ତରବାରୀ ଭୟ

ଧର୍ମକୁ କେ କରିବ ଜୟ

 

 

 

 

ଦୁଇ ଧର୍ମର ଦୁଇଜଣ

ଧର୍ମ ନିମନ୍ତେ କଲେ ରଣ

ବିଜୀତ ଧରମ ନ ଛାଡ଼େ

ବିଜେତା ହଟପଣ ବଢ଼େ

ଯଦି ନ ଛାଡ଼େ କେହି କାର

ଅଶାନ୍ତି ମାତ୍ର ହୁଏ ସାର

ଏଣୁ ମୁସଲମାନେ ହିନ୍ଦୁ

ଠିକି ଶିଖିଣ ହେଲେ ବନ୍ଧୁ

 

 

 

 

ମୁସଲମାନ ହେଲେ ରାଜା

ସୁଖେ ରହନ୍ତି ହିନ୍ଦୁ ପ୍ରଜା

ଏମନ୍ତେ ଦୁହେଁ ମିଳିମିଶି

ରହନ୍ତି ହୋଇ ପ୍ରତିବେଶୀ

ଯେ ଦିନୁ ଆସିଲେ ଇଂରାଜୀ

ଏ ମେଳ ଯାଉଅଛି ଭାଜି

ତେଣୁଟି ହେବା ସାବଧାନ

କି ହିନ୍ଦୁ କି ମୁସଲମାନ

 

 

 

 

ଯେମନ୍ତେ ଶୁଣି ଶତ୍ରୁ କଥା

ଭୁଲି ନ ଯାଉଁ ଏ ଏକତା

ନଣ୍ଡା ପଣ୍ଡାରେ ନୋହେ ମେଳ

ଏ ନୁହେଁ କହିବାର ବେଳ

ଯେବେ ବା ଏହି ନଣ୍ଡା ପଣ୍ଡା

ଯୁଝିଣ ଥିଲେ ଧରି ଖଣ୍ଡା

ସେ ଦିନ ଏବେ ନାହିଁ ଆଉ

ଯିବାର କଥା ଗଲା ଯାଉ

 

 

 

 

ହିନ୍ଦୁ ମୁସଲମାନ କଳି

ଯେତେ ବା କଥା ଏହିଭଳି

ତହିଁରେ ଖେଳାଇଲେ ମତି

ଅବଶ୍ୟ କରିବଟି କ୍ଷତି

ଏମନ୍ତ କଥା ଯେ କହନ୍ତି

ଅଥବା ଚିନ୍ତା କରୁଥାନ୍ତି

ତାହାଙ୍କ ଚିନ୍ତା କଳପନା

କରଇ ଭେଦର ସର୍ଜନା

 

 

 

 

କଳ୍ପନା ମୂଳେ କାଳ ଥାଏ

ସେ ପୁଣି ଅଘଟ ଘଟାଏ

ତେଣୁ ଏଭଳି ଭେଦ କଳି

ଘେନି ଯେ ପ୍ରବାଦ ପହଳି

ସେ ସବୁ ଭୁଲିଯିବା କଥା

ନୋହିଲେ ନୋହିବେ ଏକତା

ଏ ଯେତେ କଥା ଜାଲେ ପଡ଼ି

ଆମ୍ଭେ କି ଯିବା ପଥ ହୁଡ଼ି

 

 

 

 

ଏ ଜାତି କଥା କହି କହି

ଭାଇକି ଭୁଲିବ କି ଭାଇ

ଏ ଯେ ମୁସଲମାନ ନଣ୍ଡା

ଅବା ବ୍ରାହ୍ମଣ ହିନ୍ଦୁ ପଣ୍ଡା

ଉଭୟେ ଏ ଦେଶ ମନୁଷ୍ୟ

ଏକଇ ପୂରୁବ ପୁରୁଷ

ଦୁହିଁଙ୍କ ବଡ଼ାବଡ଼ି ଏକା

ଏକ ବୃକ୍ଷରୁ ବେନି ଶାଖା

 

 

 

 

ଏହାକି ଆମ୍ଭେଯିବା ଭୁଲି

କହି ସେ ବାରଅନା ବୋଲି

ଦେଖ ଏ ଦୁହିଁଙ୍କର ଦେହେ

ଏକା ରକତ ଧାର ବହେ

କେବଳ ଲୋକ ଅପବାଦେ

ଏ କଥା ଭୁଲିବା କି ହାଦେ

ଦୁଇ ଭାଇରୁ କେହି ଜଣେ

ଅନ୍ୟ ଧରମ ଆଚରଣେ

 

 

 

 

 

 

 

 

ରକତ ଟାଣ ଯାଇ ଭୁଲି

କହିବା କି ସେ ଚିତ୍ର ବୋଲି

ଖୋଦା ଯେ ମୁସଲମାନର

ସେହି କି ନୁହନ୍ତି ଈଶ୍ୱର

ରାମ ରହିମ ବେନି ଏକ

ଉଭୟେ ଅନନ୍ତ ଅଲେଖ

ଈଶ୍ୱର ସବୁରି ସମାନ

ଆଗମ ନିଗମର ସ୍ଥାନ

 

 

 

 

ସଭିଙ୍କ ଏକ ଗମ୍ୟସ୍ଥଳ

ପଥହିଁ ଅନେକ ପ୍ରଚଳ

ଯେତେ ଧରମ ସେତେ ପଥ

ଏକ ଈଶ୍ୱର ପରାପତ

ଯେ ଯେଉଁପଥେ ଯିବ ଯାଉ

ତା’ ବିନୁ ଗତି ନାହିଁ ଆଉ

ବିଭିନ୍ନ ପଥେ କରି ଗତି

ଯେବେ ଏକତ୍ର ପହୁଞ୍ଚନ୍ତି

 

 

 

 

ତେବେ କିପାଇଁ ଭେଦାଭେଦ

ଅଯଥା ବାଦ ବିସମ୍ବାଦ

ହିନ୍ଦୁ ଧର୍ମର ମଧ୍ୟେ ଦେଖ

ଶାଖା ଯେ ପ୍ରଶାଖା ଅନେକ

କେ କରେ ବିଷ୍ଣୁ ଉପାସନା

କେହୁବା ଶିବଙ୍କ ଅର୍ଚ୍ଚନା

ବିଷ୍ଣୁ ଭକତ ବଇଷ୍ଣବ

ଶୈବେ ଯେ ପୂଜୁଥାନ୍ତି ଶିବ

 

 

 

 

ଏକଇ ଧର୍ମେ ଦୁଇ ମତ

ରହିଛି ଦୁଇ ଦୁଇ ପଥ

ପରସ୍ପରରେ ପରଚୁଣ୍ଟା

ଏମନ୍ତେ ଦେଉଥାନ୍ତି ଖୁଣ୍ଟା

ତଥାପି କେ କହେ କି ଦୁହେଁ

ଏକ ରାଷ୍ଟ୍ରର ଅଙ୍ଗ ନୁହେଁ

କେ କରେ ବେଦର ବିଚାର

କେ ଅଟେ ଜୈନ ଦିଗମ୍ବର

 

 

 

 

 

 

 

 

ଯେ ଅବା ମାନୁଥାଏ ବେଦ

ଜୈନ ସଙ୍ଗତେ ମତଭେଦ

ଏମନ୍ତେ ଦୁଇ ମତ ଘେନି

ହୋଇ ତ ନାହିଁ ରାଷ୍ଟ୍ର ବେନି

ନାନା ଧରମ ନାନା ମତ

ଥାଇ ଅଖଣ୍ଡ ଏ ଭାରତ

ଏ ଯେତେ ନାନା ପନ୍ଥାପନ୍ଥୀ

ଏକଇ ରାଷ୍ଟ୍ରେ ରହିଛନ୍ତି

 

 

 

 

ଧରମ ହେଲେହେଁ ବିଭିନ୍ନ

ରାଷ୍ଟ୍ରନ ହୁଏ ଭିନ୍ନ ଭିନ୍ନ

ଆଜି ଯେ ଲାଗେ କଳିଗୋଳ

ଶୁଣ କହିବି ତାର ମୂଳ

ଯେ ଦିନୁ ହେଲୁ ପରାଧୀନ

ଦୃଷ୍ଟି ଆମ୍ଭର ହେଲା ହୀନ

ଅଭାବୁ ସ୍ୱଭାବ ହିଁ ନଷ୍ଟ

ତେଣୁ ଘଟିଲା ଏ ଅନିଷ୍ଟ

 

 

 

 

ଆପଣା ମଧ୍ୟେ କରି କଳି

ତୃତୀୟେ ଭଲ ଲୋକ କରି

ପରହାତକୁ ଘର ଚାବି

ବଢ଼ାଇଦେଇ ହେଉ ଭାବି

ତେଣୁ ଏ ପରସ୍ପରରେ ବାଦ

ଉଭୟଙ୍କର ଅପରାଧ

ଏକା ମୁସଲମାନ ଯଦି

ହୁଅନ୍ତି ପିତୁଳା ବିରୋଧୀ

 

 

 

 

ତେବେ ତାଙ୍କର ହେବ ଦୋଷ

ହିନ୍ଦୁଏ କରିବେ ବା ରୋଷ

ହିନ୍ଦୁଙ୍କ ମଧ୍ୟେ ନିରାକାର

ପୂଜାତ ରହିଛି ପ୍ରଚାର

ତେଣୁ ମୁସଲମାନ ହିନ୍ଦୁ

ଉଭୟେ ସମ ଦୃଷ୍ଟି ବିନ୍ଦୁ

ଏଯେତେ ଭିନ୍ନ ଭିନ୍ନ ପନ୍ଥା

ଧର୍ମାଧର୍ମରେ ଯେ ବ୍ୟବସ୍ଥା

 

 

 

 

 

 

 

 

ହେଲେ ହେଁ ବିପରୀତ ଦେଖା

ମୂଳ ହିଁ ସକଳର ଏକା

ଉଭୟେ ଧର୍ମେ ମୂଢ଼ ରାଢ଼

ଅଛନ୍ତି ଧରମ ଚୋହାଡ଼

ସେ ଏହା ନ ପାରନ୍ତି ବୁଝି

ତେଣୁଟି ମରୁଥାନ୍ତି ଯୁଝି

ଏ କଥା ଠିକି ଠିକି ଲୋକେ

ବୁଝିବେ ଯେହୁ ଏକେ ଏକେ

 

 

 

 

ଜ୍ଞାନର ହୋଇବ ଉଦୟ

ଚିତ୍ତ ହୋଇବ ନିଶଂଶୟ

ବୁଝିବେ ନିଜେ ବଳେ ବଳେ

କି ଲାଭ ବୃଥା କଳିଗୋଳେ

ରହିଛୁ ହୋଇଭାଇ ଭାଇ

ଯେ ଯାହା ଧର୍ମ ଅନୁଯାୟୀ

ଧରମ ପୃଥକ ପୃଥକ

ହେଳେ କି କଳି ଆବଶ୍ୟକ

 

 

 

 

ମିତ୍ର କି ହୋଇ ଯିବ ଶତ୍ରୁ

କେବଳ ଧର୍ମ ଭେଦ ଗତୁଁ

କେ କଲେ ଅନ୍ୟ ଉପାସନା

ଉଚିତ ନୁହଇ ତାଡ଼ନା

ପାଠକ ଉବାଚ

ହିନ୍ଦୁର ଉପାସ୍ୟ ଗୋ ମାତା

ମୁସଲମାନ କରେ ହତ୍ୟା

ଏ ଘେନି ଦେଶେ ମହାଗୋଳ

ହେଉଛି ବହୁ ଅମଙ୍ଗଳ

ତେଣୁ ଏ ଗୋରକ୍ଷା ବିଷୟ

ମୋତେ ହୋ ବୁଝାଇଣ କହ

 

 

 

ଗାନ୍ଧି ଉବାଚ

ଶୁଣ ପାଠକେ ଦେଇ ମନ

ଗୋରକ୍ଷା ବିଷୟ ନିଦାନ

କହନ୍ତି ସଂପାଦକ ଗାନ୍ଧି

ଗୋ ମାତା ଚରଣରେ ବନ୍ଦି

ନିଜେ ମୁଁ ଗୋରୁ ପୂଜାକରେ

ସ୍ନେହ ସମ୍ମାନ ଭକ୍ତି ଭରେ

କୃଷି ପ୍ରଧାନ ଏହି ଦେଶ

ଗୋରୁହିଁ ତାର ଜୀବନ୍ୟାସ

 

 

 

 

ଗୋଧନୁ ବଳି ନାହିଁ ଧନ

ଏ ଧେନୁ ଆମ୍ଭର ଜୀବନ

ମୁସଲମାନ ଭାଇ ମୋର

ଏ କଥା କରିବେ ସ୍ୱୀକାର

ଗୋମାତା ନାନା ପରକାରେ

ଭାରତବାସୀ ହିତକରେ

ଶୁଣ ହୋ ଏବେ ମୋହ କଥା

ପୂଜିଲି ବୋଲି ମୁଁ ଗୋମାତା

 

 

 

 

ନ ମଣେ ମନୁଷ୍ୟକୁ ସାନ

ଏ ନର ଦେବତା ସମାନ

ଗୋ ଜାତି ସମ ଉପକାରୀ

ଅଟନ୍ତି ଏହି ନରନାରୀ

କରନ୍ତି ସମାଜର ସେବା

ହିନ୍ଦୁ ମୁସଲମାନ କିବା

ଗୋସେବା ହୋଇଲେ ହେଁ ଶ୍ରେୟ

ମନୁଷ୍ୟ କେଭେ ନୁହେଁ ହେୟ

 

 

 

 

ମୁସଲମାନ କେହି ଯେବେ

ମୋ ଆଗେ ଗୋରୁ କରେ ଜବେ

ମୁଁ କି ତାହାକୁ ଦେବି ହାଣି

ମୋ ପରି ସେକି ନୁହେଁ ପ୍ରାଣୀ

ରଖିବା ପାଇଁ ଏକ ପ୍ରାଣ

ନେବି କି ଅନ୍ୟର ଜୀବନ

ଗୋରକ୍ଷା ପାଇ ନରହନ୍ତା

ହୋବା କି ଉଚିତ ହୁଅନ୍ତା

 

 

 

 

ଏମନ୍ତ ଭ୍ରମ ଯେହୁ କରେ

ଦୁହିଁଙ୍କ ଶତ୍ରୁତା ଆଚରେ

ଯାହାକୁ ସେହିଥାଏ ମାରି

ପୁଣି ସେ ଯାର ରକ୍ଷାକାରୀ

ଭଗାରି ହୁଏ ଭଉୟର

ତେଣୁ ଏ ନୀତି ଭୟଙ୍କର

ଏହାର ଯାହା କି କାରଣ

ବୁଝାଇ କହୁଅଛି ଶୁଣ

ଯାହାକୁ ନର କରେ ହତ୍ୟା

ସହଜେ ସେ ତାର ନିହନ୍ତା

ତେଣୁ ସେ ତାହାର ବଇରି

ପୁଣି ହୋ ଦେଖ ସେହିପରି

ତାହାର ଗୋଷ୍ଠୀ ଜ୍ଞାତିଭାଇ

ସଭିଙ୍କ ଶତ୍ରୁ ସେ ହୁଅଇ

ମୁସଲମାନ ଥାନ୍ତି ଯେତେ

କ୍ରୋଧରେ ମାତନ୍ତି ସମସ୍ତେ

ଘେନି ସେ ହତ୍ୟା ପ୍ରତିଶୋଧ

କରନ୍ତି ବହୁ ଗୋରୁବଧ

ତେଣୁ ସେ ଯାର ପ୍ରାଣରଖେ

ତା ମୃତ୍ୟୁ କାରଣକୁ ଡ଼ାକେ

ପାଠକ ଉବାଚ

ମୁସଲମାନ ଯେଉଁ ଠାବେ

କରୁ ଥାଆନ୍ତି ଗୋରୁ ଜବେ

ହିନ୍ଦୁଏ ଦେଖି ସେ ଗୋବଧ

କେହ୍ନେ କରିବେ ପ୍ରତିରୋଧ

ଗାନ୍ଧି ଉବାଚ

ମୁସଲମାନ ଗୋରୁ ହତ୍ୟା

କରୁଛି ଶୁଣିଲେ ଏ କଥା

ତହିଁରୁ ତାହାକୁ ନିରତ

କରିବା ପାଇଁ ଏକପଥ

 

 

 

 

କହିବି କଂସାଇକୁ ଯାଇ

ଏ ଗୋରୁ ନ ହାଣ ଗୋସାଇଁ

କହିବି ଧରି ତାର ପାଣି

କି ଲାଭ ହେବ ଗୋରୁ ହାଣି

ଗୋଧନସମ ନାହିଁଧନ

ଏହାକୁ ନକର ନିଧନ

ଦେଶର ମଙ୍ଗଳ ନିମନ୍ତେ

ତୁମ୍ଭେ ହୋ ସାହା ହୁଅ ମତେ

 

 

 

 

ସେ ଯେବେ ମୋ କଥା ନ ଶୁଣି

ବସେ ନିରୀହ ଗୋରୁ ହାଣି

ମୋହର ଅନ୍ୟଚାରା କାହିଁ

ସେ ଯେବେ ନ ଶୁଣିଲା ନାହିଁ

ତା ପଥୁ ଯିବି ଅପସରି

ଅଯୋଗ୍ୟ ପଣକୁ ସୁମରି

ଯଦି ବା ଗୋ ମାତାର କ୍ଷତି

ଥିବ ମୋ ସତ୍ୟ ସ୍ନେହ ଭକ୍ତି

 

 

 

 

ଯଦି ତା ମୃତ୍ୟୁରେ ଦୁଃଖିତ

ହୋଇ ବିହ୍ୱଳ ହୁଏ ଚିତ୍ତ

ତା ଆଗେ ଯାଇ ହେବି ଠିଆ

ନ କରି କଳହ କଜିଆ

ଆପଣା ପ୍ରାଣ ଦେବି ବଳି

କଂସାଇ ସଙ୍ଗେ କିମ୍ପାକଳି

ଗୋମାତା ପ୍ରାଣ ରକ୍ଷା ପାଇଁ

ନ ବଧି ଆପାଣାର ଭାଇ

 

 

 

 

ନିଜକୁ ଦେବି ବଳିଦାନ

ଏ ମୋର ମତହିଁ ନିଦାନ

ଏ ଜୀବ ପଛେ ଯିବ ଯାଉ

ଗୋ ମାତା ଜୀବନହିଁ ଥାଉ

ଘାତୁକୀ କଂସାଇର ଦେହେ

ନଲାଗୁ ଆଘାତା ତିଳେ ହେଁ

ଏହାହିଁ ସତ୍ୟ ଧର୍ମସାର

ସକଳ ଧର୍ମର ଆଧାର

 

 

 

 

 

 

 

 

ଅସ୍ତି ନାସ୍ତିଏ ବେନିବାଣୀ

ଉଭୟେ ବିପରୀତ ଜାଣି

ନାସ୍ତି ବଦଳେ କାହିଁ ଅସ୍ତୁ

ଚିର ବଇର ଦୁଇବସ୍ତୁ

ଯେ ବୀଜ ସେଇ ଫଳ ପାଇ

ଏଥିରେ ସନ୍ଦେହ ତ ନାହିଁ

ମୁଁ ଯେବେ କରିବଇଁ ଅଡ଼ି

ନ ଦେବକି ହେ ମୁହଁ ମୋଡ଼ି

 

 

 

 

ମୋର ନାସ୍ତି ରେ ତୁମ୍ଭ ନାହିଁ

ସର୍ବଦା ଏହା ଘଟିଥାଇ

ମୁଁ ଯେବେ କରିବସେ ହଟ

ଅନ୍ୟର ସେ ଭାବ ପ୍ରକଟ

ହିନ୍ଦୁର ଜିଦ ଏକ ଯଦି

ମୁସଲମାନେ ଆନ ଜିଦି

ହିନ୍ଦୁଏ ନ ଭାଙ୍ଗିଲେ ଟାଣ

ସେ ହେବ ପାଷାଣୁଁ କଠିନ

 

 

 

 

ହିନ୍ଦୁଏ ଦେଲେ ମଥା ନଇଁ

ସେ ସିନା ଛୁଅନ୍ତେଇ ଭୂଇଁ

ହିନ୍ଦୁଏ ଚାଳିଲେ ଚାଖଣ୍ଡେ

ସେ ବା ଚାଲିବେ ହାତେ ଖଣ୍ଡେ

ହିନ୍ଦୁର ମଧୁର ବଚନ

କହି ତୋଷିଲେ ତାଙ୍କ ମନ

ମୁସଲମାନ ହୋଇ ଧୀର

ଭାଷନ୍ତେ ସିନା ମଧୁଗିର

 

 

 

 

ଯଦିବା ଭଦ୍ରତା ବଦଳେ

ଅଭଦ୍ରଭାବ ପ୍ରତିଫଳେ

ତେବେ ତ ହିନ୍ଦୁର ମର୍ଯ୍ୟାଦା

ଊଣା ନ ହେବ ତିଳେସୁଦ୍ଧା

କିନ୍ତୁ ହେ ଦେଖ ହିନ୍ଦୁ ଭାଇ

ସେ ଭାବ ଦେଖାଏତ ନାହିଁ

ମୁସଲମାନ ଭାଇଠାରେ

ଭଦ୍ର ସେ ନୁହଇ ବେଭାରେ

 

 

 

 

 

 

 

 

ହିନ୍ଦୁର ଏକ ଦମ୍ଭପଣ

ଅଟଇ ଗୋବଧ କାରଣ

ଗୋରକ୍ଷା ପାଇଁ ଯେତେ ହଟ

ହିନ୍ଦୁଙ୍କ ମଧ୍ୟରେ ପ୍ରକଟ

ମୁସଲମାନ ଯେତେ ହଟୀ

ହୋଇ ପକାଏ ଗୋରୁ କାଟି

ଦେଖୁଛ ଆଜି ଦେଶେ ଦେଶ

ଗୋରକ୍ଷା ସଭାମାନ ବସେ

 

 

 

 

ଏ ସଭା ସ୍ଥାପନ କାରଣ

ହେଲା ଗୋବଦ୍ଧ ପ୍ରଚାରଣ

ସଭା ସମିତି କରି କାହିଁ

ଗୋରକ୍ଷା କେବେ ହୋଇ ନାହିଁ

ତେଣୁ ଏ ଯେତେ ସଭାତକ

ଅଟଇ ଆମର କଳଙ୍କ

ଭୁଲିଲୁଁ ଆମ୍ଭେ ଗୋପାଳନ

ପ୍ରକୃତ ଗୋରକ୍ଷା ବିଧାନ

 

 

 

 

ତେଣୁ ଗୋରକ୍ଷା ସଭାଯାକ

ହୋଇଲା ସିନା ଆବଶ୍ୟକ

ଯଦି ପ୍ରକୃତ ଦେଶବାସୀ

ହୁଅନ୍ତି ଗୋରକ୍ଷା ପ୍ରୟାସୀ

ଗୋରକ୍ଷା ପ୍ରତି ଘରେ ଘରେ

ପ୍ରଚାର ହୁଅନ୍ତା ସତ୍ୱରେ

ଆପେ ହୁଅନ୍ତା ଗୋରକ୍ଷଣ

ସଭାରେ କିବା ପ୍ରୟୋଜନ

 

 

 

 

ପୁଣି ହୋ ଶୁଣସି ପାଠକ

କହିବି ମୁହିଁ କଥା ଏକ

ତୁମ୍ଭେ ହୋ କରିଣ ବିଚାର

କହିବି ସାର କି ଅସାର

ମୋହର ସହୋଦର ଭାଇ

ଯାଉଛ ଗୋରୁ ହତ୍ୟା ପାଇଁ

ଏମନ୍ତ ସମୟରେ କହ

କରିବି ମୁଁ କେଉଁ ଉପାୟ

 

 

 

 

 

 

 

 

ମୁଁ କି ଭାଇରେ ହତ୍ୟାକରି

ଗୋରୁକୁ ଆଣିବ ଉଦ୍ଧରି

ଅଥବା ଧରି ତା ପୟର

କହିବି ରକ୍ଷା କର କର

ଏମନ୍ତେ ଦୁଇଟି ଉପାୟ

କେଉଁଟି କହ ଅଟେ ଶ୍ରେୟ

କେଉଁଟି ଅଟେ ସ୍ୱାଭାବିକ

କହ ହୋ ସୁଧୀର ପାଠକ

 

 

 

 

ହେବାକୁ ପ୍ରାଣୀ ରକ୍ଷାକାରୀ

ଭାଇକି ପାରଇକି ମାରି

ମୁସଲମାନ ସେହିମତେ

ଭାଇଟି ହିନ୍ଦୁର ସମସ୍ତେ

ଏମନ୍ତେ ହୋଇ ମୋର ଭାଇ

ସେ ଯେବେ ଜବେ କରେ ଗାଈ

ମୁଁ ତାକୁ ପାରିବିକି ହାଣି

ଗୋହତ୍ୟାକାରୀ ବୋଲି ଜାଣି

 

 

 

 

ମୁଁ ସିନା ତାର ଧରି ପଦ

କହିବି ନ କର ଗୋବଧ

ସେ ଯେଣୁ ମୋର ଅଧେ ଭାଇ

ତା ଛଡ଼ାଅନ୍ୟ ଗତି ନାହିଁ

ପାଠକ ଶୁଣ ଦେଇ ଶ୍ରୁତି

ଏ ଆମ୍ଭ ପକ୍ଷ ପାତ ରୀତି

ମୁସଲମାନମାନଙ୍କର

ଏ ଯେତେ ଯେତେ ଦୋଷଧର

 

 

 

 

ତା ତହୁଁ ଦୁହିଁଙ୍କର ଦୋଷ

କହିଲେ ନ ହୋଇବ ଶେଷ

ଦେଖାଏ ହିନ୍ଦୁଙ୍କର ରୀତି

ଗୋବଧ ସିନା ନ କରନ୍ତି

ତା ତହୁଁ ବଳି ଲକ୍ଷେଗୁଣ

ଦିଅନ୍ତି ଗୋରୁଙ୍କୁ କଷଣ

କଂସାଇ ହାତେ ଥରକରେ

ଗୋରୁର ସବୁ ଦଃଖ ସରେ

 

 

 

 

 

 

 

 

ହିନ୍ଦୁଙ୍କ ହାତରୁ ବରତି

ଯିବାକୁ ତାର ନାହିଁ ଗତି

ଦେଖ ଏ ହିନ୍ଦୁଙ୍କ ବେମାନି

ଯୁବା ସବଳ ଗୋରୁ ଆଣି

ଖଟାନ୍ତି ତାଙ୍କ ମନଇଚ୍ଛା

ଗାଭି ବଳଦ କିବା ବଚ୍ଛା

ସେ ହେଲେ ମଡ଼ା ହଡ଼ା ବୁଢ଼ା

ଆଉତ ନହୁଅନ୍ତି ଲୋଡ଼ା

 

 

 

 

ଏମନ୍ତେ ଅକାମିକା ଦେଖି

କଂସାଇ ହାତେ ଦେବ ଟେକି

ନିଜେ ନ ହେଲେ ହତ୍ୟାକରୀ

କାରଣ ହୋଇଲେ ତାହାରି

ନିଜେ ନୁହନ୍ତି ଆତତୟୀ

ତେଣୁ କି ନୋହିବେ ଦାୟୀ

ସେ ସିନାଦେଲେ ବୋଲି ବିକି

କଂସାଇ ହୋଇଲା ଘାତୁକି

 

 

 

 

କଂସାଇ ନିତି ଗୋରୁ ହାଣେ

ଏକଥା କିଏବା ନଜାଣେ

ତଥାପି ହିନ୍ଦୁଏ କିପାଇ

ବିକନ୍ତି ତାଙ୍କୁ ଗୋରୁଗାଈ

ଶୁଣ ମୁଁ କହୁଛି ଆବର

ହିନ୍ଦୁଙ୍କ ଯେତେ ଅତ୍ୟାଚାର

ଗାଈର ଗୁହ୍ୟ ଦ୍ୱାରେ ଫୁକା

ଦେଇ ସେ ଦୁହଁନ୍ତି ଅଧିକା

 

 

 

 

ମାତାର କ୍ଷୀରପାନ କରି

ନପାରେ କଅଁଳା ବାଛୁରୀ

ବାନ୍ଧିଣ ପଘାରେ ନିର୍ଘାତ

କରନ୍ତି ଲଗୁଡ଼ରେ ଘାତ

କେତେ ଅଣ୍ଡିରା ଯାନ୍ତି ମରି

ଏ କଷ୍ଟ ସହି ସେ ନ ପାରି

ହିନ୍ଦୁଙ୍କ ହଳିଆ ବଳଦ

ଗଧହୁଁ ବଳି ପରମାଦ

 

 

 

 

 

 

 

 

କୁଣ୍ଡା ତୋରାଣୀ ମୁନ୍ଦେ ଦେଇ

କେତେ ଯେ ନିଅନ୍ତି ଖଟାଇ

ବଳଦ ଯେବେ ଗାଡ଼ି ଟାଣେ

ତା ଦୁଃଖ ଏକା ସେହି ଜାଣେ

ବଳରୁ ବଳକା ସେ ବୋଝ

ବହିଣ ରହିଯାଏ ଖୋଜ

ତଥାପି ପଡ଼ଇ ଚାବୁକ

କି କହୁଁ ବଳଦର ଦୁଃଖ

 

 

 

 

ଏ ଯେତେ ଦୁଃଖ କଷ୍ଟ ମାନ

ଦିଅନ୍ତି ହିନ୍ଦୁ ଅକଥନ

କରି ଯେ ଯାଆନ୍ତି ଅବାଧ

କେହି ନକରେ ପ୍ରତିବାଦ

କିଏ ବା ତାଙ୍କ କବଳରୁ

ରଖେ ନିରୀହ ଗାଈ ଗୋରୁ

ଗୋରୁଙ୍କୁ ନ ନେବାକୁ କ୍ଳେଶ

ତାଙ୍କୁ କେ ଦିଏ ଉପଦେଶ

 

 

 

 

ହିନ୍ଦୁଙ୍କ ଅତ୍ୟାଚାର ସତ୍ତ୍ୱେ

ଏକ ରାଷ୍ଟ୍ର ତ ଏ ଭାରତେ

ଏ ହିନ୍ଦୁ ଗୋମାତା ଉପରେ

ଯେତେବା ଅତ୍ୟାଚାର କରେ

ହେଲେ ହେଁ ଅତି ଦୁରୁଦଣ୍ଡ

ଭାରତ ନୋହେ ଖଣ୍ଡ ଖଣ୍ଡ

ଭାରତ ଏକତାରେ ଦେଖ

ସେ ଯେବେ ନ ହେଲା କଣ୍ଟକ

 

 

 

 

ମୁସଲମାନ ଗୋରୁ ହତ୍ୟା

କଲେବା କିପାଇଁ ହୁଅନ୍ତା

ପୁଣି ମୁଁ କହିବଇଁ ଶେଷେ

ଏକଥା ଶୁଣ ହୋ ବିଶେଷେ

ହିନ୍ଦୁଏ ଯେବେ ଅହିଂସକ

ମୁସଲମାନ ଟି ହିଂସ୍ରକ

ଅହିଂସା ପରମ ଧରମ

ହିନ୍ଦୁର ଯେବେ ହେଲା କାମ୍ୟ

 

 

 

 

 

 

 

 

ମୁସଲମାନ ହିଂସାକାରୀ

ଏକଥା ଯେବେ ନିଅଧରି

ତେବେ ଏ ହିନ୍ଦୁ କି ପ୍ରକାରେ

ମୁସଲମାନ ହତ୍ୟାକରେ

ଦେଇଣ ଗୋରକ୍ଷା ଦୁହାଇ

ମୁସଲମାନ ମାରେ ଯାଇ

ଅହିଂସା ଯେହୁ ଅବଲମ୍ବେ

ତା ଦେଇ ହିଂସାକି ସମ୍ଭବେ

 

 

 

 

ଅହିଂସା ଶାସ୍ତ୍ରରେ କି କାହିଁ

ଲେଖିଛି ନରହତ୍ୟା ପାଇଁ

ଜୀବ ମାରିଣ ଜୀବରକ୍ଷା

ଏ ନୁହେଁ ଅହିଂସାର ଶିକ୍ଷା

ଗୋଟିଏ ପ୍ରାଣ ରକ୍ଷାକରି

ଆନର ହୁଏ ହତ୍ୟାକାରୀ

ଏ ନୁହେଁ ଅହିଂସା ଧରମ

ଏ ଖାଲି ଅହିଂସାର ଢିମ

 

 

 

 

ପ୍ରକୃତ ଅହିଂସା ପାଳନ

ଶତ୍ରୁ ମିତ୍ରରେ ସମଜ୍ଞାନ

ଅହିଂସାବାଦୀର ଆଚାର

ଶୁଣ କହିବି କି ପ୍ରକାର

ଅହିଂସକର ପୁରୁଷାର୍ଥ

ନ ଦେଖେ କେବେ ନିଜସ୍ୱାର୍ଥ

ତୃଣ ସମାନ ନମ୍ରଧୀର

ଘେନି ଘେନାଇ ଭାଷେ ଗିର

 

 

 

 

ସେ ଯେବେ ଦେଖଇ ଅଗ୍ରତେ

ଚାଲିଛି କେହି ଭ୍ରମ ପଥେ

ପୀଡ଼ା ବା ତାଡ଼ନା ନ ଦେଇ

କହ ବୁଝାଇ ସମୁଝାଇ

ଏମନ୍ତେ ଭଲା ଅହିଂସକ

ହିନ୍ଦୁଏ ଅଛନ୍ତି କେତେକ

ଆମ୍ଭର ସନାତନ ଧର୍ମ

ଲକ୍ଷ ହିଁ ଅହିଂସା ପାଳନ

 

 

 

 

 

 

 

 

କୌଣସି ମତେ ଜୀବ ବଧ

ଏ ଧର୍ମେ ଅଟଇ ନିଷିଦ୍ଧ

ତେଣୁ ଏ ସନାତନ ପନ୍ଥୀ

ଅହିଂସାବାଦୀ ବୋଲୁଛନ୍ତି

କିନ୍ତୁ ଏ ହିନ୍ଦୁଙ୍କ ଗହଣେ

ଅହିଂସ କେହି ନାହିଁ ଜଣେ

ବହୁତ ହିନ୍ଦୁଏ ଅଛନ୍ତି

ଅମେଧ ଭକ୍ଷଣ ଇଛନ୍ତି

 

 

 

 

କରନ୍ତି ବହୁ ମାଂସହାର

ଏହା କି ଅହିଂସା ବେଭାର

ଅହିଂସା ଶବଦକୁ କେହି

କଦର୍ଥ ଯଦ୍ୟପି କରଇ

ତେବେ ବା ଅହିଂସକ ବୋଲି

ବୋଲନ୍ତେ ଲୋକେ ଭୁଲିଭାଲି

ପ୍ରକୃତ ଦେଖ ହେ ପାଠକ

ଅଛନ୍ତି ବହୁଧର୍ମବକ

 

 

 

 

ଅହିଂସା ଅର୍ଥକୁ କଦର୍ଥ

କରିବାରେ ସେ ସୁମମର୍ଥ

ଆହାର ପାଇଁ କଲେ ହିଂସା

କହନ୍ତି ବିଶୁଦ୍ଧ ଅହିଂସା

ଆହାରେ ଭଲମନ୍ଦନାହିଁ

ଯେ ସ୍ଥାନେ ଯେମନ୍ତେ ମିଳଇ

ଜୀବ ମାରିଣ ଜୀବ ପୋଷେ

ସେ ଜୀବ ବୈକୁଣ୍ଠରେ ବସେ

 

 

 

 

ବଡ଼ଙ୍କ ଭକ୍ଷ ହେବେ ସାନ

ଏ ଜୀବ ଜୀବର ଜୀବନ

ତେଣୁ ଜୀବନରକ୍ଷା ପାଇଁ

ଜୀବ ବଧରେ ଦୋଷ ନାହିଁ

ଦୁହାଇ ଦେଇବା ଶାସ୍ତ୍ରର

ଧର୍ମକୁ ମାରି ଆଖିଠାରେ

ନିଜ ଇଚ୍ଛାରେ କରି ଟୀକା

ସେ ଠକେ ଅର୍ଜନ୍ତ ଜୀବିକା

 

 

 

 

 

 

 

 

ନିଜକୁ କହି ବାରମ୍ବାର

ମୁଁ ଯେବେ ଅହିଂସା ଅବତାର

ପ୍ରକୃତ ଅହିଂସାର ପାଖ

ପଶି ନଥାନ୍ତି ଏହି ଠକ

ଏ ଯେଉଁ ଅହିଂସା ସାଧନ

ଭୟେ ଭାବନ୍ତି ଯୋଗୀଜନ

ହିନ୍ଦୁ ମୁସଲମାନ ଆଦି

କେହି ଅହିଂସା ନାହିଁ ସାଧି

 

 

 

 

ସରବେ ଅଟନ୍ତି ସମାନ

କି ହିନ୍ଦୁ କି ମୁସଲମାନ

ମୁସଲମାନ ହିଂସାବାଦୀ

ହିନ୍ଦୁଏ ହିଂସାର ବିରୋଧୀ

ତେଣୁଏ ଭିନ୍ନମତ ଘେନି

ମିଳି ଯେ ନ ପାରନ୍ତି ବେନି

ଏକଥା କେଭେ ନୁହେଁ ସତ୍ୟ

ଏ ସ୍ୱାର୍ଥପରଙ୍କର ମତ

 

 

 

 

ଅନେକ ଥାନ୍ତି ଧର୍ମ ବକ

ଧର୍ମକୁ କରିଥାନ୍ତ ଭେକ

ଧର୍ମ ନାମରେ ଭଣ୍ଡିଥାଇ

ଦେଖାନ୍ତି ଆପଣା ବଢାଇ

ମୁଲ୍ଲା ଯେ ମଉଲବୀ ଯେତେ

ଅଥବା ପଣ୍ଡା ବା ପଣ୍ଡିତେ

ସାଧିବା ପାଇଁ ନିଜ ସ୍ୱାର୍ଥ

ଧର୍ମର କରନ୍ତି କଦର୍ଥ

 

 

 

 

କରନ୍ତି ଏ ମିଥ୍ୟାପ୍ରଚାର

ଉପାୟ ମାତ୍ର ଭଣ୍ଡିବାର

ତେଣୁ ବିବାଦ ଭଳି ଭଳି

ହିନ୍ଦୁ ମୁସଲମାନ କଳି

ଏହାଙ୍କ ପ୍ରଚାରରେ ବାକି

ରହିଣଯାଏ ବା ଯାହାକି

ତାହାର ଅବଶିଷ୍ଟ କାର୍ଯ୍ୟ

ସମାପ୍ତ କରନ୍ତି ଇଂରାଜ

 

 

 

 

 

 

 

 

ଏ ଯେତେ ପ୍ରଚାରର ପୋଥି

ମୁଲ୍ଲା ବା ପଣ୍ଡାଏ ପଢ଼ନ୍ତି

ତାହାର ପାଦ ବା ଚରଣ

ଇଂରାଜୀ କରନ୍ତି ପୁରଣ

ଏହାକୁ ଇଂରାଜୀଏ ସାହା

କେମନ୍ତେ କହିବି ମୁଁ ତାହା

ଦେଇ ଏ ଇଙ୍ଗିରାଜୀ ଜାତି

ନିଜ ବଡ଼ିମା ବାଢୁଥାନ୍ତି

 

 

 

 

ବୋଲାନ୍ତି ଇତିହାସକାର

ଆମ୍ଭେହୋ ସାରା ଦୁନିଆର

ପୃଥିରେ ଯେତେ ଯେତେ ଜାତି

ତାଙ୍କର ରୀତିନୀତି ଥାତି

ଜାଣିଛୁ ସେ ସମସ୍ତ କଥା

ଆନକେ ହେବ ସମରଥା

ଆମ୍ଭେହିଁ ଜ୍ଞାନୀ ସର୍ବୋତ୍ତମ

ଏମନ୍ତ କରୁଥାନ୍ତି ଢିମ

 

 

 

 

ମନୁଷ୍ୟ ବୁଦ୍ଧିର ଗାରିମା

ବିଧାତା ବାନ୍ଧିଦେଲେ ସୀମା

ଇଂରେଜେ ସେହି ବୁଦ୍ଧି ବଳେ

ନିଜକୁ ଧାତା ଜ୍ଞାନ କଲେ

ତେଣୁ ସେ ନାନାଦି ଅଜଣା

ତଥ୍ୟ କରନ୍ତି ଗବେଷଣା

ଏ ଯେତେ ଯେତେ ଆବିଷ୍କାର

କରନ୍ତି ବିଭିନ୍ନ ପ୍ରକାର

 

 

 

 

ତାହାର ଅଯଥା ଅନେକ

ଦେଖାଇ ଆପଣାର ଟେକ

ନିଜ ବଡ଼ିମା ନିଜେ ଗାଇ

ବୁଲନ୍ତି ନାଗରା ବଜାଇ

ତାହାଙ୍କ କଥାର ଚାତୁରୀ

ବଖାଣେ ନିଜ ବାହାଦୂରୀ

ଆମେ ସେ କଥା ଜାଲେପଡ଼ି

ଆପଣା ପଥ ଯାଉ ହୁଡ଼ି

 

 

 

 

 

 

 

 

ଏକେ ତ ସରଳ ସ୍ୱଭାବ

ନ ବୁଝୁଁ ତାର ପରାଭବ

ତାଙ୍କ କଥାକୁ ସିଦ୍ଧବାଣୀ

ପରାଏ ଆମ୍ଭେ ଥାଉ ଜାଣି

ତେଣୁଟି ଆମ୍ଭେଯାଉ ଭୁଲି

ଭାଇକି ମଣୁ ଶତ୍ରୁ ବୋଲି

ସେ ଯେଣୁ କହନ୍ତିଏ କଥା

ନଣ୍ଡା ପଣ୍ଡାର କି ଏକତା

 

 

 

 

ତାହାକୁ ଆମ୍ଭେ ବେଦବାକ୍ୟ

ପରାଏ କରିଥାଉ ଲକ୍ଷ୍ୟ

ତେଣୁଟି ଉଠଇ ପ୍ରଜ୍ୱ୍ୱଳି

ହିନ୍ଦୁ ମୁସଲମାନ କଳି

ଏମନ୍ତେ ପଣ୍ଡା ବା ପଣ୍ଡିତେ

ମୁଲ୍ଲା ବା ମୁଉଲବି ଯେତେ

ତାହାଙ୍କ ସହିତ ଇଂରାଜୀ

ଆମ୍ଭର କାଳ ହେଲେ ଆଜି

 

 

 

 

ଏହାଙ୍କ ପ୍ରଚାର କାରଣ

ହିନ୍ଦୁ ମୁସଲମାନ ରୁଣ

ଏ ସବୁ ଯେତେ ପ୍ରବଞ୍ଚନା

ଏ ମିଥ୍ୟା କଥାର ଛଳନା

ଏଥିରୁ ଲଭିବା ନିସ୍ତାର

ଯଦ୍ୟପି ଇଚ୍ଛା ଥାଏ କାର

କିବା ମୁସଲମାନ ହିନ୍ଦୁ

କେହିଟି କାହାକୁ ନ ନିନ୍ଦୁ

 

 

 

 

ଧରମଗ୍ରନ୍ଥ ଉଭୟର

ପଢ଼ି ସେ କରନ୍ତୁ ବିଚାର

କୋରାନ ଶରିଫର ପାଠ

ହିନ୍ଦୁଙ୍କୁ ଦେଖାଇବ ବାଟ

ମୁସଲମାନ ଭାଇ ମନ

ମୋହିବ ଗୀତାର ପଠନ

କୋରାନ ଅଛି ବହୁ ପଦ

ଅଟଇ ବଡ଼ ଶିକ୍ଷାପ୍ରଦ

 

 

 

 

 

 

 

 

ହିନ୍ଦୁଏ ସେ ବ୍ରତରେ ବ୍ରତୀ

ହେବାକୁ ନ ଥିବ ଆପତ୍ତି

ମୁସଲମାନ ସେହିପରି

ପାରିଲେ ଗୀତା ପାଠକରି

ତହିଁରେ ଯେତେ ବିଧି

ନ ହେବ ତାଙ୍କର ବିରୋଧୀ

ହିନ୍ଦୁଏ କୋରାନର ଅର୍ଥ

ବୁଝିବା ପାଇଁ ଅସମର୍ଥ

 

 

 

 

ତେବେବି କୋରାନର ଧର୍ମ

ନହେଲା ବୋଲି ବୋଧଗମ

କୋରାନ ଧର୍ମ ଅଟେ ଯାର

କରିବା ତାକୁ ତିରସ୍କାର?

ନଣ୍ଡା ପଣ୍ଡାର ଏ ସଂଘର୍ଷ

ନୁହଇ ଜଣକର ଦୋଷ

ଏକ ହାତରେ କହ ତାଳି

ବାଜିବ ଅବା କେଉଁ ଭଳି

 

 

 

 

ହିନ୍ଦୁ ନୀରବେ ହେଲେ ଠିଆ

ସେ କି ହୋ କରନ୍ତେ କଜିଆ

ମୁସଲମାନ ହେଲେ ତୁନି

କଳି ହୁଅନ୍ତା କିସ ଘେନି

କେହିକି କହ ହୋ ଶୂନ୍ୟରେ

ଯୁଝିବା ପାଇଁ ଇଚ୍ଛକରେ

ତେଣୁ ଉଭୟେ ଦେଶବାସୀ

ରହନ୍ତେ ଯଦି ମିଶିମାଶି

 

 

 

 

ଆପଣା ଆପଣା ଧରମ

ପ୍ରକୃତ ଯାହା ତା ମରମ

ବୁଝିଣ ସେ ତତ୍ତ୍ୱ ନିଗୁଢ଼

ରହନ୍ତେ ଯେବେ ତହିଁ ଦୃଢ଼

ନିରାଶ ବୈଷ୍ଣବଙ୍କ ବାଣୀ

ତେଜନ୍ତେ ମିଥ୍ୟା ପରମାଣି

ତେବେ ହୋ ଧର୍ମେ ଧର୍ମେ କଳି

ହୁଅନ୍ତି କିମ୍ପାଇଁ ଏଭଳି

 

ପାଠକ ଉବାଚ

ତୁମ୍ଭେ ହୋ କହିଲ ଉଚିତ

ତୋଷ ହୋଇଲା ମୋର ଚିତ୍ତ

କିନ୍ତୁ ଭାରତେ ଯେତେ ଦିନ

ଥିବ ହେ ଇଂରାଜୀ ଶାସନ

ହିନ୍ଦୁ ମୁସଲମାନ ଭାବ

ହୋଇ କି ପାରିବ ସମ୍ଭବ

ଇଂରାଜେ ଏଥେ ଥିବେ ଯେବେ

କେଭେ ସେ କରାଇ ନ ଦେବେ

ଗାନ୍ଧି ଉବାଚ

ଭୀରୁତା ବ୍ୟଞ୍ଜନ ଏ କଥା

ତା’ ମୂଳେ ଅଛି ଦୁର୍ବଳତା

ମୁଁ ତାର କହିବି ପ୍ରମାଣ

ପାଠକେ ମନ ଦେଇ ଶୁଣ

ଏକଇ ଗୃହ ଦୁଇ ଭାଇ

ମନ ଅମେଳ ଯଦି ନାହିଁ

ଉଭୟେ ଯେବେ ମିଳିମିଶି

ରହିବା ପାଇଁ ଅଭିଳାଷୀ

ତାଙ୍କର ମନ ଥିଲେ ଚେଙ୍ଗା

କେ ତାଙ୍କୁ କରିବ ଅଲଗା

ସେ ଯେବେ ଶୁଣି ପରକୁହା

କଳହେ ବଳାନ୍ତି ଉତ୍ସାହା

ତାର କଥାରେ ଯାଇ ଭଳି

କରନ୍ତି ଘର ଭଙ୍ଗା କଳି

ସେତ ଅଳପ ମୂଢ଼ମତି

ତେଣୁଟି ହୋଇବ ଦୁର୍ଗତି

ହିନ୍ଦୁ ମୁସଲମାନ ଦୁଇ

ସେହି ପ୍ରକାରେ ଭାଇଭାଇ

ସେ ତାଙ୍କ ଟାଣକଲେ ମନ

କେ ହେବ ଭାଙ୍ଗିବାକୁ କ୍ଷମ

ଇଂରାଜୀ କୁବୁଦ୍ଧିରେ ପଡ଼ି

ସେ ଯେବେ ମରନ୍ତି ଝଗଡ଼ି

ତହିଁରେ ଇଂରାଜୀର ଦୋଷ

ମୋତେ ତ ଦିଶୁନାହିଁ ଲେଶ

 

 

 

 

ତାହାର ପ୍ରକୃତ କାରଣ

ଅଟଇ ନିଜ ମୂଢ଼ପଣ

କଞ୍ଚା ହାଣ୍ଡିକି ମାରି ଢେଲା

କେ ଯେବେ ଥରେ ଭାଙ୍ଗିଦେଲା

ତୁମ୍ଭେ କି ହାଣ୍ଡିଯାକ ନେଇ

କୁମ୍ଭାର ଭାଟିରେ ନଦେଇ

ଲୁଚାଇ ରଖିଦେବ ଘରେ

ଯେମନ୍ତେ ଢେଲା କେ ନମାରେ

 

 

 

 

ମାଟି ଇଟାରେ କରି ଘର

ସିନ୍ଧୁ ହେବାରଯେବେ ଡର

ଆମ୍ଭର ଦୁର୍ବଳତା ଲାଗି

ଘରେ ପଶିଲେ ଚୋର ଦାଗୀ

ଚୋରକୁ କିହୋ ମାରି ମାନ

ଖପରା ଖାଇବା ବିଧାନ

ଶୁଣ ହୋ ମନୁଷ୍ୟର ମନ

ମାଟିର କୁଟୀର ସମାନ

 

 

 

 

କୁବୁଦ୍ଧି ଚୋରର ପରାଏ

ସେ ଘର ମଧ୍ୟେ ପଶିଯାଏ

ଏ ମନ ଘର କଲେ ଦମ୍ଭ

ଚୋର ପଶିବା ଅସମ୍ଭବ

ତେମନ୍ତେ ଟାଣପଣେ ଘେନି

ହିନ୍ଦୁ ମୁସଲମାନ ବେନି

ରହିଲେ ମିଳିମିଶି ଦେଶେ

ବିପଦ ନ ରହଇ ଲେଶେ

 

 

 

 

ଯଦିବା ଉଭୟଙ୍କ ମନ

ନ ହୋଇ ପାରିବ ସମାନ

ଜଣେ ହୋଇଲେ ନଡ଼ବଡ଼

ଅପର ଯେବେ ଥିବେ ଦୃଢ଼

ତଥାପି ଆସି ଘର ଭଙ୍ଗା

କରିତ ନପାରେ ଅଲଗା

ସହଜେ ଯେହୁ ଥାଏ ସାନ

ସେ ହୁଏ ଅବୁଝା ସମାନ

 

 

 

 

ଅଳପ କଥାକୁ ବାହାରେ

ପର କୁହାକୁ କାନ ପାରେ

ତା ଶୁଣି ଯେବେ ବଡ଼ଭାଇ

ନିଜ ସ୍ଥାନରେ ଦୃଢ଼ି ଥାଇ

ନ ଶୁଣି ପର କଥା ଜମା

ସାନକୁ ଦେଇଥିବ କ୍ଷମା

ତୃତୀୟ ଲୋକର କି ସାଧ୍ୟ

ଲଗାନ୍ତା ମଝିରେ ବିବାଦ

 

 

 

 

ହିନ୍ଦୁଏ ଦେଖ ଏହିଠାରେ

ଅଛନ୍ତି ଅଧିକ ସଂଖ୍ୟାରେ

ଶିକ୍ଷିତ ଅଧିକ ଯେ ବୋଲି

କହି ଥାଆନ୍ତି ଶିର ତୋଳି

ଏତେ ସୁବିଧା ଯାର ଥାଇ

ସେ ସିନା ଘରେ ବଡ଼ଭାଇ

ସେ ଯେବେ ଟାଣ କରେ ହୃଦ

କିପାଇଁ ଆସନ୍ତା ବିପଦ

 

 

 

 

ହିନ୍ଦୁ ସେ ଆକ୍ରମଣ ଦାଉ

ଆପଣା ଶିରେ ସହିଯାଉ

ସେ ଯେବେ ଦୃଢ଼କରେ ଚିତ୍ତ

ବିପଦ ନୋହିବ କିଞ୍ଚିତ

ଶତ୍ରୁର କୁଶିକ୍ଷାରେ ପଡ଼ି

ମୁସଲମାନ କଲେ କଳି

ସେ ଦାଉ ହିନ୍ଦୁ ନେଉ ସହି

ଘରର ଯେହ୍ନେବଡ଼ଭାଇ

 

 

 

 

ଘର ରହିବ ଅବିଭାଜ୍ୟ

ବଇରି ପାଇଯିବ ଲାଜ

ହିନ୍ଦୁ ମୁସଲମାନ ଦୁଇ

ଏବେ ହୋ ଫାଙ୍କଫାଙ୍କ ହୋଇ

ଏକ ସ୍ଥାନରେ କରି ବାସ

ପରସ୍ପରରେ ଅବିଶ୍ୱାସ

ଏମନ୍ତେ ହେଲା ଅପ୍ରତ୍ୟୟ

ମୁସଲମାନ କଲେ ଭୟ

 

 

 

 

 

 

 

 

ହିନ୍ଦୁଏ ସଂଖ୍ୟାରେ ଅଧିକ

ତେଣୁ ଏ ଭୟ ସ୍ୱାଭାବିକ

ସେ ପୁଣି ଏ ଭୟ କାରଣେ

ଶରଣ ବିଦେଶୀ ଚରଣେ

ଏ ଦେଶ ଶାସନ ଖସଡ଼ା

ହୁଅଇ ଯେବେ ନୂଆ ଗଢ଼ା

ମୁସଲମାନ ହୃଦଗତେ

ହିନ୍ଦୁଙ୍କୁ ନ ଯାଏ ପରତେ

 

 

 

 

ତେଣୁ ବିଶେଷଅଧିକାର

ଦାବୀ ସେ କରେ ବାରମ୍ବାର

ଚାହେଁ ସ୍ୱତନ୍ତ୍ର ନିର୍ବାଚନ

ବ୍ୟବସ୍ଥା ସଭାର ଆସନ

ଆପଣା ଆତ୍ମରକ୍ଷାପାଇଁ

ଏମନ୍ତ ଦାବୀ କରୁଥାଇ

ଆମର ସ୍ୱାଧୀନତା ଦାବୀ

ତାହାକୁ ଟାଳିଦେବା ଲାଗି

 

 

 

 

ଗୋରା ଶାସକମାନେ ନାନା

ଦେଖାଉ ଅଛନ୍ତି ବାହାନା

କହନ୍ତି ଭାଇ ଭାଇ କଳି

ଦିନକୁ ଯାଏ ଯାଏ ବଳି

ସେ ଯେବେ ଛାଡ଼ିଯିବେ ଦେଶ

କନ୍ଦଳ ଲାଗିବ ଅଶେଷ

ଏହାର ଦେବାକୁ ପ୍ରମାଣ

କରନ୍ତି କଉଶଳ ମାନ

 

 

 

 

ନୂଆ ଶାସନ ଅଧିକାର

କରିଣ ସ୍ୱୀକାର

ନାନା କମିଟି କମିଶନ

ବସାନ୍ତି ତାହାର କାରଣ

କେତେ ଫସର ଫାଟିଗଲେ

ଏବେ ଯେ ଆସିଲେ ମରିଲେ

ବିଚାରି ଆମ୍ଭର ଯୋଗ୍ୟତା

କିଞ୍ଚିତେ ଦେବ ସ୍ୱାଧୀନତା

 

 

 

 

 

 

 

 

ମୁସଲମାନ ତହଁ ଗଲେ

ନିଜ ଆପତ୍ତି ଜଣାକଲେ

ପଣ୍ଡାଏ ତହିଁ କଲେ କୋପ

ଦେଖ ହୋ ନଣ୍ଡାଙ୍କ ବହପ

ମୁସଲମାନ ଦାବୀପ୍ରତି

ହିନ୍ଦୁଙ୍କ ହୋଇଲା ଆପତ୍ତି

ବିଦେଶୀ ଶାସକ ତା ଦେଖି

ହୋଇଲେ ମନେ ମହା ସୁଖୀ

 

 

 

 

ବୋଇଲେ ତୁମ୍ଭେ ଭାରତୀୟ

ବୃଥାରେ ଆମ୍ଭ ଦୋଷ ଦିଅ

ତୁମ୍ଭ ଭିତରେ କଳିଗୋଳ

ଆମ୍ଭଙ୍କୁ କିମ୍ପା ଦୋଷୀ କର

ତୁମ୍ଭଙ୍କୁ ଦେଲେ ସ୍ୱାଧୀନତା

ହୋଇବ ମରା ହଣା କଟା

ତେଣୁ ଆମ୍ଭେ ହୋ ଥିବା ଭଲ

ତୁମ୍ଭର କରିବୁମଙ୍ଗଳ

 

 

 

 

ଶୁଣ ପାଠକ ଦେଇ ମନ

ଗୋରାଙ୍କ ଏଛଳ ବଚନ

ଏ ଛଳନାକୁ ମନେ ହେଜି

ହିନ୍ଦୁଏ ଯେବେ ଯାନ୍ତେବୁଝି

ମୁସଲମାନଙ୍କର ଦାବୀ

ନ୍ୟାୟ ଉଚିତ ବୋଲି ଭାବି

ତହିଁରେ ହୋଇଯାନ୍ତେ ରାଜି

ଚମକି ପଡ଼ନ୍ତେ ଇଂରାଜୀ

 

 

 

 

ଚମକି ଚାହାନ୍ତା ଇଂଲଣ୍ଡ

ସବୁ କୌଶଳ ହୋନ୍ତା ପଣ୍ଡ

ମୁସଲମାନଙ୍କର ହୃଦ

ତା ଦେଖି ହୁଅନ୍ତାଟି ମୁଗ୍‌ଧ

ହିନ୍ଦୁଙ୍କ ପ୍ରତି ଅବିଶ୍ୱାସ

ଧୀରେ ସେ ହୋଇଯାନ୍ତା ନାଶ

ତେଣୁ ହୋ ନିଜ ନିଜ ପ୍ରତି

ବଢ଼ିନ୍ତା ଭାତୃଭାବ ପ୍ରୀତି

 

 

 

 

 

 

 

 

ନିଜ ଭିତରେ ଲାଗି କଳି

ତାହାକୁ କରିଣ ବୁଜୁଳି

ଇଂରାଜୀଙ୍କର ଆଗେ ନେଇ

ଯଦ୍ୟପି ଆମ୍ଭେଦେଉ ଫେଇ

ତହୁଁ ବଳିକି ଲାଜ କଥା

ଅଧିକ କି ଅବା ହୁଅନ୍ତା

ତେଣୁଟି ଘର କଳିଘରେ

ଛିଡ଼ାଇ ଆପଣା ଭିତରେ

 

 

 

 

ସାନ ଯେ ଜଞ୍ଜାଳ କରଇ

ବଡ଼ ତା’ନେଉଥାନ୍ତା ସହି

ମୁସଲମାନ ଦାବୀ ପ୍ରତି

ହିନ୍ଦୁଏ ନ କରି ଆପତ୍ତି

ସେ ଦାବୀ ସବୁ ନେଲେ ମାନି

ତିଳେତ ନହୁଅଇ ହାନି

ନିଜ କାର୍ଯ୍ୟରେ ଯେଉଁ ଜନ

ହୁଅଇ ବିଶ୍ୱାସ ଭାଜନ

 

 

 

 

ତାହାର କଦାପି କେଉଁଠି

ତିଳେତ ନ ହୋଇ ବତ୍ରୂଟି

ତେଣୁ ମୁସଲମାନ ହିନ୍ଦୁ

ରହିଲେ ହୋଇ ଭାଇ ବନ୍ଧୁ

ସୁଖେ ରହନ୍ତେ ଦୁଇଜାତି

ଅବଶ୍ୟ ବିରାଜନ୍ତା ଶାନ୍ତି

ଯଦି ବା କେବେ କେତେବେଳେ

ଦୁହିଁଙ୍କ ମନହିଁ ନ ମିଳେ

 

 

 

 

ସଂସାର ମଧ୍ୟେ କରି ଘର

କେଉଁଠି ନଲାଗେ କନ୍ଦଳ

ବିଶେଷ ଦୁଇ ଭାଇ ଯହିଁ

ଏକ ସ୍ଥାନରେ ଥା’ନ୍ତି ରହି

ସେଠାରେ କେବେ ବା କିପରି

ଏମନ୍ତ ଲାଗିଥାଏ କଳି

କେବେ ବା ହୋଇ ପିଟାପିଟି

ଜଖମ ହୁଏ ଦେହ ପିଠି

 

 

 

 

 

 

 

 

ଫାଟଇ ଉଭୟର ମଥା

ଏ କେଭେ ନୁହେଁ ଭଲ କଥା

ଜାଣି ଏହାକୁ ମନ୍ଦ ବୋଲି

ତଥାପି କ୍ଷଣେ ଯା’ନ୍ତି ଭୁଲି

ତୁଚ୍ଛାରେ ଲାଗି କଳିଗୋଳ

ଭିଆନ୍ତି ଅଯଥା କନ୍ଦଳ

ଦେଖହୋ ଏ ପାଞ୍ଚ ଆଙ୍ଗୁଠି

ସମାନ ନୁହେଁ ଗୋଟି ଗୋଟି

 

 

 

 

ସଂସାରେ ନାନାମତେ ଜନ

ସବୁରି କାହିଁ ଏକମନ

କିଏ ବା କେବେ ରାଗ ବଶେ

ଅଘଟ ଘଟାଇଣ ବସେ

ଭାଇ ଭାଇରେ ଏ ଯେ କଳି

ସହିବା ସିନା ସେହିଭଳି

ସଂସାର ମଧ୍ୟେ କରି ଘର

ସହିବା ହେଲେହେଁ ପଥର

 

 

 

 

କିନ୍ତୁ ଏ ଘର କଥା ନେଇ

ବାହାରେ ନଦେବା ପକାଇ

ହିନ୍ଦୁ ମୁସଲମାନମାନେ

କଳି କରନ୍ତି ଅନୁଆନେ

ଏକ ଠାବରେ ଘର କରି

ଲାଗଇ କଜିଆ ଏପରି

ତେଣୁ ତା’ ମନେ ଗଣ୍ଠି ଦେଇ

ରଖିବା ଉଚିତ ନୁହଇ

 

 

 

 

ଏ ଯେତେ କଳି ତକରାଳ

ଲାଗିତ ଥିବ କାଳ କାଳ

ଏ ସବୁ ଛୋଟ ଛୋଟ କଥା

ସହିବା ଉଚିତ ସର୍ବଥା

ଯଦି ହୋ ଆମ୍ଭ ସେହି ରାଗେ

ଗୁହାରି କରୁ ପର ଆଗେ

ଇଂରାଜୀ ଅଦାଲତେ ଯାଇ

ଇତଲା ଦେବା ହୋ ଜଣାଇ

 

 

 

 

 

 

 

 

ଅଣ୍ଟିରୁ ସାରିବାକୁ ଜମା

ଭେଇବା ମାଲିମକଦମା

ପୋଷିବା ଓକିଲ ମୁକ୍ତାର

ଲଜ୍ଜାର କଥା କିସ ଆର

ଦୁଇପକ୍ଷରେ କଳି ଘଟି

ହେଲେ ହୋ ମୁଣ୍ଡ ଫଟାଫଟି

ତୃତୀୟପକ୍ଷ ଡାକି ନେଇ

କି ଅବା କରିବ ଭଲେଇ

 

 

 

 

ତାହାର ଅନ୍ୟ ଅଭିପ୍ରାୟ

ସେ ଅବାକି କରିବ ନ୍ୟାୟ

କଳିର ପ୍ରକୃତ ଘଟଣା

ତାକୁ କେମନ୍ତେ ହେବ ଜଣା

କଳିରେ ଯାର ମୁଣ୍ଡ ଫାଟେ

ସେ ମାଡ଼ ସିନା ତାକୁ କାଟେ

ଅପରେ ହୋଇ ଭଲଲୋକ

ବୁଝିବେ କାହୁଁ ତାର ଦୁଃଖ

 

 

 

 

ଯେଠାବେ ଲୋକେ ହୋଇ ଭୋଳ

ନିଜ ମଧ୍ୟରେ ମାଡ଼ ଗୋଳ

ଅବଶ୍ୟ ହୋଇବେ ଘାଉଲା

ତେବେ ତା’ଫଳ ଭୋଗହେଲା

ମାଡ଼ରେ ଅବା କେଉଁପରି

ନ୍ୟାୟ କେ ପାରିବ ବା କରି

କ୍ଷତିପୂରଣ ତେବେ ଦେବ

ମାଡର ବ୍ୟଥା ତ ନଯିବ

ତେଣୁ ମାଡ଼ର ରହେ ଚାପ

ତାହାର ନ ହୁଏ ନିସାପ

 

Unknown

ଏକାଦଶ ଅଧ୍ୟାୟ

ଓକିଲ-ମୁକ୍ତାର

ପାଠକ ଉବାଚ

ଦୁଇଜଣରେ ହେଲେ କଳି

ନିଶାପ ନ ହେବ କିପରି

ଅଦାଲତକୁ ସେ ନ ଗଲେ

ନ୍ୟାୟ କିପରି ହେବ ଭଲେ

ସେ ସିନା ହୋଇଲେ ଫେରାଦ

ଜଣା ପଡ଼ିବ ଅପରାଧ

ତୁମ୍ଭେ ତ ତାହା କର ମନା

ମୋତେ ବିଚିତ୍ର ହୁଏ ଜଣା

ଗାନ୍ଧି ଉବାଚ

ବିଚିତ୍ର ବୋଲି ମୋ ଭାଷଣେ

ଅଥବା ଅନ୍ୟ ବିଶେଷଣେ

ଯା ଇଚ୍ଛା ତାହା କହିପାର

ସେ କିନ୍ତୁ ସତ୍ୟ ଧ୍ରୁବ ସାର

ଦୁଇଜଣରେ ଲାଗି କଳି

ତୃତୀୟ ପାଶେ କଲେ ଅଳି

କଦାପି ନୋହିବ ତାହାର

ନ୍ୟାୟ ଅଥବା ସୁବିଚାର

ତେଣୁଟି ଭାଇ ଭାଇ ବାଦ

ଅଦାଲତରେ ଫରିଆଦ

କେବଳ ମାତ୍ର ହେବ ସାର

ପୋଷିବା ଓକିଲ ମୁକ୍ତାର

ଏବେ ପଡ଼ନ୍ତି ମୋର ମନେ

ଓକିଲ ବାରିଷ୍ଟରମାନେ

ତାହାଙ୍କ ସଙ୍ଗେ ଡାକତର

କଲେ ଦେଶକୁ ଛାରଖାର

ସେ ଯେ ମୋହର ଦୃଢ଼ମତେ

ଉଜାଡ଼ କଲେ ଏ ଭାରତେ

ଦାସତ୍ୱ ବନ୍ଧନ ପକାଇ

ଦେଲେ ଏ ଦୁଇ ବ୍ୟବସାୟୀ

ହିନ୍ଦୁ ମୁସଲମାନ କଳି

ଏହାଙ୍କ ଯୋଗୁଁ ଯାଏ ବଢ଼ି

ତେଣୁ ଏ ଦୁହେଁ କଲେ ଦୃଢ଼

ଇଂରାଜୀ ଶାସନର ଜଡ଼

ପାଠକ ଉବାଚ

ତୁମ୍ଭେଯେ ଦିଅ ଦୋଷମାନ

କରି କି ପାରିବ ପ୍ରମାଣ

ଦୋଷ ବୋଳିବା ବଡ଼ ସିଧା

ପ୍ରମାଣ ନୁହଇ ସୁବିଧା

ଅଯଥା ଓକିଲଙ୍କ ଦୋଷ

ଦେବାରୁ ମନେ ଅସନ୍ତୋଷ

ଦେଖ ଏ ଓକିଲ ଯୁକତ

ଦେଖାନ୍ତି ସ୍ୱାଧୀନତା ପଥ

 

 

 

 

ଓକିଲ ବିନେ କିଏ କହ

ଦୁଃଖୀର ହୁଅଇ ସହାୟ

କେ ଅଛି ଓକିଲ ସମାନ

ଦେବାକୁ ନ୍ୟାୟ ସୁବିଧାନ

ମନମୋହନ ଘୋଷ ନାମେ

ଓକିଲ ଥିଲେ ବଙ୍ଗ ଧାମେ

ବଙ୍ଗର ଏହି ଋଷିପ୍ରାଣ

ବହୁ ଦୁଃଖୀଙ୍କି କଲେ ତ୍ରାଣ

 

 

 

 

ଅରକ୍ଷ ଲୋକଙ୍କର ପକ୍ଷ

ଆପଣା ସ୍ୱର୍ଥେ ନାହିଁ ଲକ୍ଷ୍ୟ

ସେ ଯେ ଓକିଲ ହିଁ ଥିଲେ

କେମନ୍ତେ ନିନ୍ଦୁଛି ଓକିଲେ

ଯେଉଁ କଂଗ୍ରେସ ଗୁଣଗାଇ

ତୁମ୍ଭେ ହୋ କରୁଛ ବଡ଼ାଇ

ଓକିଲଙ୍କର ମେହେନତ

ଯୋଗୁଟି ତାହାର ମହତ୍ତ୍ୱ

ତାହାଙ୍କ ଯୋଗରୁ ସ୍ଥାପନା

ଚଳାଏ ତାଙ୍କ କଳପନା

ଏଡ଼େ ମହତ ଯେଉଁ ଧନ୍ଦା

ତୁଚ୍ଛାରେ ତାକୁ କର ନିନ୍ଦା

ଏ ପେଶା ଏଡ଼େ ପ୍ରତିଷ୍ଠିତ

ନିନ୍ଦିବା ନୁହଇ ଉଚିତ

ଓକିଲ ସମାଜେ କଳଙ୍କ

ବୃଥା ଲେପୁଛ ସମ୍ପାଦକ

 

 

 

 

ସଂବାଦ ପତ୍ର ରଖି ହସ୍ତେ

ତା ପୁଣି ପ୍ରଚାର ଜଗତେ

ସଂବାଦ ପତ୍ର ଅସ୍ତ୍ରକରି

ତୁମ୍ଭେ ହୋ କହୁଛ ଏପରି

ଅସ୍ତ୍ରର ଅପବ୍ୟବହାର

ଉଚିତ ନୁହଇ କାହାର

ଗାନ୍ଧି ଉବାଚ

ପାଠକ ଦିନେ ତୁମ୍ଭେପରି

ମୁଁ ମଧ୍ୟ ଥିଲିଟି ବିଚାରି

ବଡ ଭଲଏ ଓକିଲାତି

ଏ ଭ୍ରମ ଧାରଣାରେ ମତି

କହୁ ମୁଁ ଥିଲି ସବୁଭଲ

ଅଟନ୍ତି ଯେତେକ ଓକିଲ

ଏବେ ତ ଦିଶୁଛି ଓଲଟା

ଆଉ ନ କହେଁ ମିଛକଥା

 

 

 

 

ଓକିଲମାନଙ୍କ ମଧ୍ୟରେ

ଅଛନ୍ତି କେତେ ଭଲ ନରେ

କରନ୍ତି ନାନା ଉପକାର

ଏ କଥା କରିବା ସ୍ୱୀକାର

କହିବି ନାହିଁ କେହି କିଛି

କଦାପି ଭଲ ନ କରିଛି

ମନମୋହନ ଘୋଷ ଜାଣେ

ମୁଁ ତାଙ୍କୁ କରଇ ସମ୍ମାନ

 

 

 

 

ଗରିବଙ୍କର ଥିଲେ ସାହା

ମିଛ ତ କହିନାହିଁ ତାହା

ଆଜି ସେ କଂଗ୍ରେସର କାମ

ବାଜୁଛି କଂଗ୍ରେସ ସୁନାମ

ଓକିଲଙ୍କର ବାହାଦୂରୀ

ତହିଁରେ ରହିଅଛି ପୁରି

କିନ୍ତୁ ପାଠକ କହେ ଶୁଣ

ଏ ନୁହେଁ ଓକିଲାତି ଗୁଣ

 

 

 

 

ଓକିଲ ଯେଣୁଟି ମନୁଷ୍ୟ

ମିଶି ରହିଛି ଗୁଣ ଦୋଷ

ମନୁଷ୍ୟ ଯୋନିରେ ଜନମି

ଗୁଣ କାହାର ନାହିଁ ପୁଣି

ଯେତେ କଲେହେଁ ଓକିଲାତି

ସେତେ ମନୁଷ୍ୟ ହୋଇଥାନ୍ତି

ତେଣୁ କରନ୍ତି ପରହିତ

ଏ ନର ସ୍ୱଭାବେ ନିହିତ

 

 

 

 

ଯଦିବା କୌଣସି ଓକିଲ

ପରୋପକାରୀ ଦେଖିଥିଲ

ଜାଣିବ ସେହି ଭଲଲୋକ

ଥିବାରୁ କରିଛି ସେତକ

ଓକିଲାତିର କରାମତି

ବୋଲି ସେ କେହି ନ କହନ୍ତି

ପିନ୍ଧିଲେ ଓକିଲ ପୋଷାକ

ମନ୍ଦ ନ ହୁଏ ଭଲ ଲୋକ

 

 

 

 

ତେଣୁ ଓକିଲ ଭାବେ କେହି

କାହାରି ହିତକରି ନାହିଁ

ଓକିଲେ ଦେହେ ମନୁଷ୍ୟତା

ସତ୍ତାର ଯେତିକି କ୍ଷମତା

ସେତିକି ପର ଉପକାର

କରନ୍ତି ଓକିଲ ମୁକ୍ତାର

ଏପରି ଧନ୍ଦା ଓକିଲାତି

ଶିଖାଏଁ ଅନ୍ୟାୟ ଅନୀତି

 

 

 

 

 

 

 

 

ମିଛକୁ ଯେହୁ ପେଶା କଲା

କଳାକୁ କରି ଦିଅ ଧଳା

କୂଟ ଦ୍ୱାଚୋରୀ ଜାଲଆତି

ଏମନ୍ତେ ନାନା ଫାନ୍ଦପାତି

ଲୋକଙ୍କ ମଧ୍ୟେ ଅନାଚାର

କରନ୍ତି ଏମାନେ ପ୍ରଚାର

ଏଣୁ ଅନେକ ପ୍ରଲୋଭନ

ହରଇ ଓକିଲଙ୍କ ମନ

 

 

 

 

କେ ପୁଣି ଅଛି ଦେହ ଧରି

ପାରିବ ତହିଁରୁ ଉବୁରି

ମୁଁ ଦେବି ତାହାର ନଜୀର

ପାଠକ ଶୁଣ ମୋର ଗିର

ହିନ୍ଦୁ ମୁସଲମାନ ଗୋଳ

ଲାଗଇ ଯେବେଟି ତୁମୁଳ

ନିସ୍ୱାର୍ଥ ଲୋକସାଧାରଣ

କରନ୍ତି ସେ କଳି ବାରଣ

 

 

 

 

ଦୁଇ ପକ୍ଷରେ ମଧ୍ୟେଯାଇ

ଦିଅନ୍ତି ଦୁହିଁଙ୍କୁ ମିଳାଇ

କହନ୍ତି ଦୁହିଙ୍କୁ ସାକୁଲି

ଗଲା କଥାକୁ ଯାଅ ଭୁଲି

ଅଳ୍ପ ବହୁତ ଦୁହିଙ୍କର

ଦୋଷହିଁ ସୁଇକାର କର

ନବାଜେ ଏକ ହାତେ ତାଳି

ତେଣୁ କିପାଁଏ ବୃଥା କଳି

 

 

 

 

ଏବେ ହୋ ରହି ମିଳି ମିଶି

ଏମନ୍ତେ କରନ୍ତି ସାଲିସି

ଏ ସିନା ଭଲଲୋକି ପଣ

ସୁଜନ ଜନ ଆଚରଣ

ଓକିଲଙ୍କର ବିପରୀତ

ରୀତି ହିଁ ହୋଇଛି ବିହିତ

ଦେଖ ଏ ଯେବେ ଦୁଇଦଳେ

ସାଲିସି ନିଶାପ ବଦଳେ

 

 

 

 

 

 

 

 

ଅଧିକ ମନ କରିମୋଟ

ହୃଦେୟ ବହନ୍ତି କପଟ

ମିଳନ୍ତି ଓକିଲଙ୍କ ପାଶ

ଘେନିବାପାଇଁ ପରମର୍ଶ

ଏବେ ଓକିଲମାନଙ୍କର

ପଡ଼ଇ ପୁଅ ବାରତେର

କରିବା ପାଇଁ ସ୍ୱାର୍ଥ ସିଦ୍ଧି

ବଢ଼ାନ୍ତି ନାନାଦି କୁବୁଦ୍ଧି

 

 

 

 

ନାନା ଫିକର ଫନ୍ଦ କହି

ଅଧିକ ଦିଅନ୍ତି ମତାଇ

ସେ କାହୁଁ ତୁଟାଇବେ କଳି

ଅଧିକ ନିଆଁ ଦେବେ ଜାଳି

ନିଜର ମହକିଲ ପକ୍ଷ

ନେବାହିଁ ତାହାଙ୍କର ଲକ୍ଷ୍ୟ

ସେ ହେଉ ବାଦୀ ବା ବିବାଦୀ

ନିରପରାଧ ଅପରାଧୀ

 

 

 

 

ନ ଥାଏ ତାହାର ବିଚାର

ଭେଟୀ କଉଡ଼ି ମାତ୍ରସାର

ଯେ ଦିଏ ଟଙ୍କା ତାହା ପାଖ

ତହିଁରେ ପୁଣି ବଢ଼େ ଡାକ

ଯେ ଦେବ ଯେତେ ବଳିଭୁଜା

ତାହାରି ପାଖକୁ ଆଉଜା

ବିପକ୍ଷ ବିରୁଦ୍ଧେ ପ୍ରମାଣ

କହନ୍ତି ବେଗେ ଖୋଜିଆଣ

 

 

 

 

ସେ ହେଉ ମିଛ ଅବାସତ

ଯାଉ ବା ରହୁ ତା ମହତ

ସାକ୍ଷୀ ସବୁତ ପଛେ ପଡ଼ି

ପକ୍ଷେ ହୁଅନ୍ତି ମୁଣ୍ଡକୋଡ଼ି

ଏ ନିତ୍ୟକର୍ମ ଓକିଲଙ୍କ

ନ କଲେ ଲାଗଇ କଳଙ୍କ

ତେଣୁ ଏ ଓକିଲଙ୍କ ଦଳ

ବଢ଼ାନ୍ତି ଦେଶରେ କନ୍ଦଳ

 

 

 

 

 

 

 

 

ରଫା ସାଲିସ ଗଲା କାହିଁ

ଓଲଟି ଦିଅନ୍ତି ଲଗାଇ

ଯେ ଜନକରେ ଓକିଲାତି

ସେ ଭରେ ଆପଣା ପାକିଟି

ପରର ଦୁଃଖନେବା ପାଇଁ

ଓକିଲାତି କେ କରେନାହିଁ

ଏ ଅର୍ଥ ଅର୍ଜନର ପଥ

ଏକଥା ଜାଣିଛି ଜଗତ

 

 

 

 

ଯେତେ ବଢ଼ିଇ କଳିଗୋଳ

ସେତିକି ତାଙ୍କର ମଙ୍ଗଳ

ଯେତିକି ଲାଗେ ବାଦଦ୍ୱନ୍ଦ

ଓକିଲଙ୍କର ମହାନନ୍ଦ

ଏ କଥା ମୋତେ ଭଲେ ଜଣା

ନ ପାରେ କେହି କରି ମନା

ଓକିଲଙ୍କର ସାନ ଭାଇ

ମୁକ୍ତାର ମୂର୍ତ୍ତି ବିରାଜଇ

 

 

 

 

ଓକିଲେ ହେଲେ ବଟକରା

ଏ ହେବେ ପାସଙ୍ଗ ପସରା

ନଥିଲେ ଝଗଡ଼ା କଳହ

ଗଢ଼ିସେ ଦେବେ ଶହ ଶହ

ତାଙ୍କୁ ଦଲାଲ ଟାଉଟର

କି ଗାଆଁଗଣ୍ଡାକି ସହର

ବୁଲି ଶୋଷନ୍ତି ଦୁଃଖୀ ଲୋକେ

ଯେହ୍ନେ ଶରୀରେ ଲାଗି ଯୋକେ

 

 

 

 

ଦେଖ ଏ ମୁକ୍ତିଆର ବାବୁ

କୋଢ଼ିଆ ଅକାମିକା ସବୁ

ଯେତେକ ଅଳସୁଆ ଲୋକ

ତାଙ୍କର ଅଟେଏହି ଭେକ

ଯାହାର ଅନ୍ୟ କାମ ନାହିଁ

ତାକୁଇ ଏ ପେଷା ପୋଷଇ

ଆରାମ ଅଏସେ ଯା ମତି

ସେ ଧରେ ଓକିଲାତି ବୃତ୍ତି

 

 

 

 

 

 

 

 

କେବଳ ବିଳାସ ଉଦ୍ଦେଶ୍ୟ

ତେଣୁ ଧରନ୍ତି ଏହି ବେଶ

ମୂଳ ଉଦ୍ଦେଶ୍ୟ ଏହି ଜାଣ

ବାହାନା ମାତ୍ର ଆନ ଆନ

ପରୋପକାରେ ଏହି ବୃତ୍ତି

ଏମନ୍ତେ ଯେତେ ଯେତେ ଯୁକ୍ତି

ସେ ସବୁ କେବଳ ଛଳନା

ଓକିଲଙ୍କର କଳପନା

 

 

 

 

ନିଜେ ସେ ଧରିଥାନ୍ତି ଘୋଷା

ମହତ ଆମର ବେଉଷା

ନିଜେ ପେଷାର ଗୁଣ ଗାଇ

କରନ୍ତି ଆପଣା ବଡ଼ାଇ

ନିଜକୁ ବ୍ରହ୍ମାବୋଲି ମଣି

ନାନା ଆଇନ ନିରିମାଣି

ନଜେ ତାହାକୁ ପରଶଂସି

ନିର୍ଲଜ ପ୍ରାୟେ ଥାନ୍ତି ବସି

 

 

 

 

ନିଜର ମେହନତ ମୂଲ

ନିଜେସେ କରନ୍ତି ତଉଲ

ଆପଣା ଫିସ ଧାର୍ଯ୍ୟ କରି

ବସିଯାନ୍ତି ନିଶମୋଡ଼ି

ଗରିବ ଲୋକଙ୍କର ଆଗେ

ଛାତି ଫୁଲାନ୍ତି କେଡ଼େ ବାଗେ

ଦେଖାନ୍ତି ମହା ଆଡ଼ମ୍ବର

ସତେକି ଆସିଲେ ଈଶ୍ୱର

 

 

 

 

ଅଥବା ସରଗ ଦେବତା

ବିରାଜି କହୁଛନ୍ତି କଥା

ଆବର ଶୁଣ ହୋ ପାଠକ

କହିବି କଥାଏ ମୁଁ ହକ

ଓକିଲଙ୍କର ଯେ ପାଉଣା

ସେ କିମ୍ପା ନ ହୋଇବ ଊଣା

ମୂଲିଆ ମୂଲଠାରୁ ବଳି

କିମ୍ପାଇଁ ଏହାଙ୍କ ମଜୁରୀ

 

 

 

 

 

 

 

 

ଯେତେକେ ହେଲେ ଗୁଜୁରାଣ

ଚଳଇ ମୂଲିଆର ପ୍ରାଣ

ତା ତହୁଁ କିମ୍ପାଇଁ ଅଧିକ

ଓକିଲଙ୍କର ଆବଶ୍ୟକ

ଚାଷୀ ମୂଲିଆ ଏ ଦେଶର

କରନ୍ତି ଯେତେ ଉପକାର

ତାହାର ନାହିଁନାଟି ସୀମା

କି କାହୁଁ ଚାଷୀର ମହିମା

 

 

 

 

ଆପଣା ପେଟକୁ ନଖଟ

କରି ପୋଷନ୍ତି ପର ପେଟ

ମୂଲିଆ ମେରୁଦଣ୍ଡ ପରେ

ଏ ଦେଶ ଉଭା ଦମ୍ଭଭରେ

ଓକିଲ ମୂଲିଆଙ୍କୁ ବଳି

ନୁହନ୍ତି କେଭେଁ ଉପକାରୀ

ତେବେ କିମ୍ପାଇଁ ତାଙ୍କ ଭାଉ

ଅଧିକ ମୂଲିଆଙ୍କ ତହୁଁ

 

 

 

 

ଯଦି ବା ଦାବୀ କରେ କେହି

ଓକିଲଙ୍କର ପକ୍ଷନେଇ

କହଇ ମୂଲିଆଙ୍କୁ ବଳି

ବହୁଗୁଣେ ସେ ହିତକାରୀ

ତେବେ କି ଓକିଲଙ୍କ ଦର

ଅଧିକ ବୋଲି ଧାର୍ଯ୍ୟକର

ପରୋପକାରୀ ଯେଉଁ ଜନ

କି ତାର ବେଶୀ ପ୍ରୟୋଜନ

 

 

 

 

ଉପକାରର ବଦଳରେ

କେ ଯେବେ ବେଶୀ ଦାବୀ କରେ

ସେ ଅବା କେଉଁ ଉପକାର

କେବଳ ନାମ ମାତ୍ରସାର

ଅର୍ଥ ଅର୍ଜନ ଆଶା କରେ

ତେଣୁ ସେ ସେବାବ୍ରତ ଧରେ

ସେ ସେବା ସେବାରେ କି ଗଣା

ସେ ସେବା ମୋତେତ ଅଜଣା

 

 

 

 

 

 

 

 

ଆହେ ପାଠକ ହେଜି ଚିତ୍ତେ

ମୁଁ ଏହା କହଇ ନିଶ୍ଚନ୍ତେ

ହିନ୍ଦୁ ମୁସଲମାନ ବାଦ

ଧର୍ମ ଧର୍ମର ବିସଂବାଦ

ଓକିଲ ତାର ଜନ୍ମଦାତା

ସେହିଟି ତାହାର ବିଧାତା

ଅଳ୍ପ ବହୁତ ଯେତେ ଜଣ

ବୁଝନ୍ତି ସେ କଳି କାରଣ

 

 

 

 

ସେ ଏହା ଜାଣିଛନ୍ତି ଭଲେ

ଓକିଲ ତାକୁ ସୃଷ୍ଟି କଲେ

ଯେ ସ୍ଥାନେ ସେହିଦେଲେହାତ

ତହିଁ ପଡ଼ିଲା ବିତପାତ

ଏହାଙ୍କୁ କରିଣ ବିଶ୍ୱାସ

କେତେ କୁଟୁମ୍ବ ଗଲେ ନାଶ

ଏହିଏ ଓକିଲଙ୍କ ପାଇଁ

ଭାଇ ଭାଇରେ ହେଲା ଦ୍ରୋହୀ

 

 

 

 

କେତେ ରାଜୁଡ଼ା ରାଜା ଧନୀ

ଧରଇ ଏହାଙ୍କ କ୍ଷେପଣୀ

ସେ ପଡ଼ି ଓକିଲଙ୍କ ପାଲେ

ଶ୍ରୀକର ତଡ଼ନ୍ତି କପାଳେ

ହୋଇ କରଜ ଭାରାକ୍ରାନ୍ତ

ପରିଣାମରେ ସର୍ବସ୍ୱାନ୍ତ

ଅସଂଖ୍ୟ ଅସଂଖ୍ୟ ମନୁଷ୍ୟ

ଓକିଲ ପାଲେ ପଡ଼ି ଧ୍ୱଂସ

 

 

 

 

ହାରିଲେ ସବୁ ପୁଞ୍ଜୀ ପଟା

କେତେ ମୁଁ କହିବି ସେ କଥା

ଏମନ୍ତେ ଯେତେକ ଶୋଷଣ

ଉଦାହରଣ ଅଗଣନ

ତା ତହୁଁ ବଳି ଅମଙ୍ଗଳ

କଲେ ଯା ଓକିଲଙ୍କ ଦଳ

ମୁଁ ତାହା କହିବି ବିସ୍ତାରି

ପାଠକ ଶୁଣ ଶ୍ରୁତି ଡେରି

 

 

 

 

 

 

 

 

ଇଂରାଜୀ ଶାସନର ବେଡ଼ି

ଭାରତେ ରହିଅଛି ଘେରି

ହୋଇଲା ଏବେ ମଜଭୂତ

ସେ ଏହି ଓକିଲଙ୍କ କୃତ୍ୟ

କଚେରୀ ଅଦାଲତ ଯେତେ

ବିଚାରି ତୁମ୍ଭେ ଦେଖ ଚିତ୍ତେ

ତା ବିନୁ ଇଂରାଜୀ ଶାସନ

ବର୍ତ୍ତି ନ ପାରେ କଦାଚନ

 

 

 

 

ସାଧାରଣଙ୍କ ହିତ ପାଇଁ

କଚେରୀ ଗଢ଼ା ହୋଇ ନାହିଁ

ସଂସାରେ ଯେହୁ ବଳିୟାର

କଚେରୀ ଜାଣିବ ତାହାର

ଏ ଯେତେ ଅମିନ ଅମଲା

ଦୁଃଖିଙ୍କି କଲେ ଦରମଲା

ବଡ଼ଙ୍କୁ ହେଲେ ବରଦାୟୀ

ଭିଆଣ ବଡ଼ଙ୍କର ପାଇଁ

 

 

 

 

କିବା ଦେବାନୀ ଫୌଜଦାରୀ

ବଡ଼ଙ୍କ ଆଜ୍ଞା କରେ ଜାରି

ବଡ଼େ ଏ କଚେରୀ ସାହସେ

ରଖନ୍ତି ଗରିବଙ୍କୁ ବଶ୍ୟେ

ସେ ଏବେ ତାଙ୍କ ଅଧିକାର

ଜାରି ରଖିବେ କାଳ କାଳ

ସେ ଲାଗି କଚେରୀ ଭିଆଣ

ହୋଇଛି ଆମ ଦେଶେ ଜାଣ

 

 

 

 

ଆମ ଭିତରେ ହେଲେ କଳି

କଚେରୀ ଆଶ୍ରୟ ନ କରି

ଛାଡ଼ି ସକଳ ରେସାରେସି

ଆପୋଷେ ଯଦି ଯାନ୍ତ ମିଶି

ତୃତୀୟର କି କରାମତି

ଆମ୍ଭର କରନ୍ତା ସେ କ୍ଷତି

ପୂର୍ବେ ଯେ କରୁଥିଲେ ଗୋଳ

ଆପଣା ମଧ୍ୟରେ କନ୍ଦଳ

 

 

 

 

 

 

 

 

ଆପଣା ଭାଇ ବନ୍ଧୁ ରାଇ

ଦିଅନ୍ତି ତାହାକୁ ମେଣ୍ଟାଇ

ଅବା ଯେସାକୁ ତେସା ନୀତି

ଧରିଣ କରନ୍ତି ନିଷ୍ପତ୍ତି

ଠେଙ୍ଗାକୁ ଠେଙ୍ଗାରେ ସାବାଡ଼

ମାଡ଼େ ଜବଦ ଦେଇମାଡ଼

ଏମନ୍ତ ମୂର୍ଖାନ୍ତିଆ ରୀତି

ପ୍ରଚାର ଥିଲା ଏହି କ୍ଷିତି

 

 

 

 

ହୁଣ୍ଡାମି ବୋଲି କହ ଯେତେ

ପୁରୁଷ ପଣ ଥିଲାଏଥେ

ଏବେ ସେ ପଣ କାହିଁଗଲା

ଲୋକେ ହେଲେଣି ଦରମଲା

ସାମନ୍ୟ କଳି ତକରାଳ

ମଧ୍ୟସ୍ଥ ଆଗରେ କଟାଳ

କହିଲେ କେହି ମୁହଁ ମୋଡ଼ି

କଚେରୀ ଯାଉଛୁଁ ଦଉଡ଼ି

 

 

 

 

ଦେଖ ଏ କେଡେ ହୀନପଣ

ପଶୁଛୁ ପରର ଶରଣ

ପରସ୍ପରରେ ହଣାକଟା

ଅବଶ୍ୟ ନୁହେଁ ଭଲ କଥା

ସେ ନୁହେଁ ସଭ୍ୟଲୋକ କାମ

ମହତ ଲୋକକୁ ଦୁର୍ନାମ

ବଳ ଯାହାର ରାଜ୍ୟ ତାର

ଏ ନୁହେଁ ପୁରୁଷ ବେଭାର

 

 

 

 

ତଥାପି ଦୁଇଜନେ କଳି

ତୃତୀୟ ପାଶେଯଦି ମିଳି

ତହୁଁ ବଳି ସେ ହୀନିମାନ

ନୁହେଁ ସେ ସଭ୍ୟତା ନିଶାଣ

ଯେସାକୁ ତେସା ଯେ ନିଶାପ

ଏଥୁ ଅଧିକ ନୁହେଁ ପାପ

ହେବାହୁଁ ଏଡ଼େ ହୀନ ବଳ

ସେ ମୂର୍ଖପଣ ବଡ଼ ଭୁଲ

 

 

 

 

 

 

 

 

ତୃତୀୟ ବ୍ୟକ୍ତିର ଆଶ୍ରୟ

କଦାପି ନୁହଇଟି ଶ୍ରେୟ

ତୃତୀୟ ଲୋକ ଅବା କାହିଁ

ସର୍ବାଦା ନ୍ୟାୟ ବିଚାରଇ

ହେଲେହେଁ ଯେଡ଼େ ଭଲଲୋକ

ସେ କାହୁଁ ହେବ ନିରପେକ୍ଷ

ପ୍ରକୃତ କଳି ମଞ୍ଜି କାହିଁ

ସେତ ନ ପାରେ ଠଉରାଇ

 

 

 

 

ତେଣୁ କଳିର ମୂଳ କଥା

ସେ ଅବା କେମନ୍ତେ ଜାଣନ୍ତା

କଳିର ଅନ୍ତ ମଧ୍ୟ କଥା

ଜାଣନ୍ତି ବାଦୀ ପ୍ରତିବାଦୀ

ସେ ଯଦି ନିଜ ନିଜ ଦୋଷେ

ବୁଝି ନମିଶନ୍ତି ଆପୋଷେ

ଭାବନ୍ତି ଭଲଲୋକ ଡାକି

ଦେଇଣଖରଚ ଖୋରାକି

 

 

 

 

ତା ଆଗେ କରିଲେ ଗୁହାରି

ନ୍ୟାୟ ବିଚାର ଦେବକରି

ତା ତହୁଁ କହ କେଉଁ ନର

ବଳି ଅଜ୍ଞାନ ଭୋଳେଶ୍ୱର

ତେଣୁ କଚେରୀ ଅଦାଲତ

ନୁହଇ କେଭେଁ ସତ୍ୟପୀଠ

ଏ ଜାଣ ଗୋରାଙ୍କ ବାଗୁରା

ଆମେ ତ ତହିଁ ଦେଉଁ ଧରା

 

 

 

 

ଗୋରାଏ ଅଦାଲତ ବଳେ

ଆମ୍ଭଙ୍କୁ ରଖନ୍ତି କବଳେ

ସେ ପୁଣି ନପାରନ୍ତା ତିଷ୍ଠି

ନଥିଲେ ଓକିଲଙ୍କ ଗୋଷ୍ଠୀ

ନଥିଲେ ଓକିଲଙ୍କ ଦଳ

କଚେରୀ ହୁଅନ୍ତା ଅଚଳ

ଓକିଲ ହାକିମ ଯେତେକ

ସବୁ ତ ଆମ ଦେଶ ଲୋକ

 

 

 

 

 

 

 

 

ବିଦେଶୀ ଶାସନର କଳ

ଚଳାଏ ତାଙ୍କ ବାହୁବଳ

ତାଙ୍କରି ବଳରେ ଇଂରାଜ

ଚଳାନ୍ତି ଏ ଦେଶରେ ରାଜ୍ୟ

ଏ ଯେବେ ତାଙ୍କର ଅଧୀନେ

କାର୍ଯ୍ୟହିଁ ନକରନ୍ତେ ଦିନେ

ଇଂରାଜ ଶାସନର କଳ

କ୍ଷଣକେ ହୁଅନ୍ତା ଅଚଳ

 

 

 

 

ସେ କି ଏ କଳାଙ୍କ ବଦଳେ

ଆଣନ୍ତେ ଗୋରା ଦଳେ ଦଳେ

ଗୋରା ଓକିଲଗୋରା ଜଜ

ଗୋରାହିଁ ପୁଲିସ ଫଉଜ

ଏମନ୍ତେ କଳା ଲୋକ ସ୍ଥଳେ

ଗୋରାଙ୍କୁ ମୁକରିର କଲେ

ଗୋରାଙ୍କ ପରେ ଗୋରାରଜା

ଗୋରାଏ ଗୋରାଙ୍କ ପରଜା

 

 

 

 

ଏମନ୍ତେ କରନ୍ତେ ରାଜୁତି

ଆମକୁ ମିଳିଯାନ୍ତା ଚୁଟି

ଆମରି ଲୋକେ ଆମ ଗୋଇ

ଗୋରାଙ୍କ ଆଗେ ଦେଇ ଥୋଇ

କରନ୍ତି ଆମକୁ ଶାସନ

ଗୋରାଙ୍କୁ ଦେଇ ସିଂହାସନ

ଏକଳା ନଉକର ଧାଡ଼ି

ଦେଲେ ଗୋରାଙ୍କ ଛୁତି ଛାଡ଼ି

 

 

 

 

ଗୋରାକି ଏ ଭାରତ ଖଣ୍ଡେ

ରହନ୍ତେ ନାହିଁ କ୍ଷଣେ ଦଣ୍ଡେ

ପ୍ରଥମେ ଇଂରାଜୀଏ ଆସି

ଏଦେଶେ ଯେବେ ପରବେଶି

ଜମାଇ ବସିଲେ ଆସ୍ଥାନ

କି କହୁ ସେହି କଥାମାନ

କଳାଙ୍କ ବିନା ସାହାଯ୍ୟରେ

ରାଜ୍ୟତ ଦଣ୍ଡେହେ ନଚଳେ

 

 

 

 

 

 

 

 

କଳା ଚାକର ନଉକର

ବିନେ ତ ରାଜୁତି ଅଚଳ

ନହେଲେ କୋଟ ଅଦାଲତ

କ୍ଷମତା ନ ହୁଏ ଶକତ

ତାହାଙ୍କୁ ନକଲେ ଯେ ମାନ୍ୟ

ତହିଁରେ ଶାସ୍ତିର ବିଧାନ

ତେଣୁ ଦେବାନୀ ଫୌଜଦାରୀ

ହୋଇଲା ଅଦାଲତ ଜାରୀ

 

 

 

 

ତହିଁକି କଳା ବିଚାରକ

ଓକିଲ ହେଲେ ଆବଶ୍ୟକ

ତା ସଙ୍ଗେ ନହେଲେ କିରାଣୀ

ନ ଚଳେ ରାଜ୍ୟ ରାଜଧାନୀ

ତେଣୁ ସେ ନାନା ପ୍ରଲୋଭନ

ଥୋଇ ମୋହିଲେ ଆମ୍ଭ ମନ

ଆମ୍ଭେହେ ସେହିଭ୍ରମେ ପଡ଼ି

କର୍ତ୍ତବ୍ୟ ପଥ ଗଲୁହୁଡ଼ି

 

 

 

 

କଳାଏ ଗୋରାଙ୍କର ଭୃତ୍ୟ

ହୋଇଣ ମଣିଲେ କୁତାର୍ଥ

ଗୋରାଏ ପୁଣି ଅହ ରହ

ଦେବାକୁ ଲାଗିଲେ ଉତ୍ସାହ

ନାନା ଖେତାବ ସୁପାରିସ

ଦେଇର ତାଙ୍କୁ କଲେ ତୋଷ

ଯେ ପୁଣି ନଉକର ହେବ

ସେ ବାବୁ ସେହିଟି ସାହେବ

 

 

 

 

ସାହେବ ବନାଇବା ପାଇଁ

ଇଂରାଜୀ ପାଠ ପଢ଼ିଆଇ

କଳାସାହେବ ଏକଏକ

ତାଙ୍କର ରବାବ କି ଦେଖ

ଏହି ଯେ ନଉକରସାହି

ଏହାକୁ ସର୍ଜିବାର ପାଇଁ

ତା ସଙ୍ଗେ ଓକିଲଙ୍କ ଗୋଷ୍ଠୀ

କରିବା ପାଇଁ ଦେଶେ ସୃଷ୍ଟି

 

 

 

 

 

 

 

 

ଇଂରାଜୀ ପଢ଼ିବାର ପାଇଁ

ଯେ ଲୋଭ ଦେଲେ ସେ ଦେଖାଇ

ସେ ଲାଭ ସେହି ପ୍ରଲୋଭନ

ଭଳେଇ ଦେଲା ଆମ୍ଭ ମନ

ସେ ଯେତେ ନିଚ ହୀନ କାର୍ଯ୍ୟ

କରିଅଛନ୍ତି ଏ ଇଂରାଜ

ସେ ସବୁ ମୋତେ ଅଛି ଜଣା

ତେଣୁ ମୁଁ କରୁଅଛି ଘୃଣା

 

 

 

 

ତୋତେ ହୋ ହୋଇଲା ଗୋଚର

ଅବଶ୍ୟ ଘୃଣା ହେବ ତୋର

ତେଣୁ କହିବ ଓକିଲାତି

ଅଟଇ ଅତି ଘୃଣ୍ୟବୃତ୍ତି

ମୋଠାରୁ ବଳି ଘୃଣା ତୋର

ହୋଇବ ତହିଁକି ସତ୍ୱର

ଇଂରାଜୀ ରାଜତ୍ୱର କଞ୍ଚି

ରୂପେ ଏ ଅଦାଲତେ ଅଛି

 

 

 

 

ଓକିଲ ପୁଣି କଞ୍ଚି ତାର

ଦେଖ ହୋ କରିଣ ବିଚାର

ଏ ଦେଶେ ଯେତେକ ଓକିଲ

ମୁକ୍ତାର ବାରିଷ୍ଟର ପଲ

ଛାଡ଼ନ୍ତେ ଯେବେ ତାଙ୍କ ପେଶା

ମଣି ତା ବେଶ୍ୟାର ବେଉମା

ଇଂରାଜୀ ରାଜ୍ୟ ଏକାଥରେ

ଭୁଷୁଡ଼ି ପଡ଼ନ୍ତାଟି ତଳେ

 

 

 

 

ଏହାଙ୍କ ପାଇଁ ତ ଗଞ୍ଜଣା

ତୁମ୍ଭଙ୍କୁ ତାହା ଅଛି ଜଣା

ଏ ଓକିଲଙ୍କ ନାମ ଧରି

ଆମ୍ଭଙ୍କୁ କହନ୍ତି ତିଆରି

ଦେଖ ତଭାର ବାସୀ ଗୁଡ଼ା

ଅଟନ୍ତି ଅତି କଳିହୁଡ଼ା

ଏମନ୍ତେ ମାରି ଟିଟିକାରୀ

କହନ୍ତି ବହୁ ନରନାରୀ

 

 

 

 

 

 

 

 

ମୀନ ଯେସନେ ବନ ଜଳେ

ତେମନ୍ତେ ଭାରତୀୟ ଦଳେ

ମିଣନ୍ତି ପ୍ରିୟ ଅଦାଲତ

ଏ ଅପବାଦ ହେଲା ସତ

ଏ ଯେତେ ଓକିଲଙ୍କ କୀର୍ତ୍ତି

ମୁଁ ତୋତେ କହଲି ସଂପ୍ରତି

ଯେତେକ ଜଜ ମାଜିଷ୍ଟ୍ରେଟ

ଅଦାଲତରେ ହୋନ୍ତି ଭେଟ

 

 

 

 

ସେ ସବୁ ଜାଣ ଜଣ ଜଣ

ଅଟନ୍ତି ଏ କୀର୍ତ୍ତି ଭୁଷଣ

ଓକିଲେ ଅଟନ୍ତି ଯେମନ୍ତ

ହାକିମ ଦିପଟି ତେମନ୍ତ

ଓକିଲ ଯେବେ ହେବେ ଚୋରି

ସେ ଚୋରମାଉସୀ ପ୍ରକାର

ଏକର ବଳେ ଆନବଳୀ

ଏମନ୍ତେ ଦୁହେଁ ଶକ୍ତିଶାଳୀ

 

Unknown

ଦ୍ୱାଦଶ ଅଧ୍ୟାୟ

ଡାକ୍ତର

ପାଠକ ଉବାଚ

ଓକିଲଙ୍କ କଥା ଯାହା

କହିଲ ବୁଝିଲି ମୁଁ ତାହା

ବୁଝିଲି ଏହି ଓକିଲାତି

ଅଟଇ ଅତି ଘୃଣ୍ୟ ବୃତ୍ତି

ବୁଝିଲି ଓକିଲେ କାହାର

କରନ୍ତି ନାହିଁ ଉପକାର

ଯଦିଚ କଦବା କ୍ୱଚିତ

ଓକିଲେ କରିଥାନ୍ତି ହିତ

 

 

 

 

ହୋଇଛି ତାହା ଅନାୟାସେ

ନୁହେ ତା ତାହାଙ୍କ ସକାଶେ

କିନ୍ତୁ ଏ ଓକିଲଙ୍କ ସରି

ଡାକ୍ତର ହୋଇଲେ କିପରି

ତାହାଙ୍କୁ ଓକିଲଙ୍କ ମନେ

ବସାଇ ଦେଉଛ କେସନେ

ଏକି ତୁମ୍ଭର ହେଲା ନ୍ୟାୟ

ତାହାର କାରଣ ବୁଝାଅ

ଗାନ୍ଧି ଉବାଚ

କହନ୍ତି ଗାନ୍ଧି ସଂପାଦକ

ସୁଧୀରେ ଶୁଣହୋ ପାଠକ

ଡାକତରଙ୍କ ବିଷୟରେ

ବୟାନ ଯାହା ଯାହା କରେ

ଏ ନୁହେଁ ଏକା ମୋର ମତ

ଏ ବହୁ ଜନଙ୍କ ସମ୍ମତ

ପଶ୍ଚିମେ ସାହେବୀ ମୁଲକେ

ଅଛନ୍ତି ବଡ଼ ବଡ଼ଲୋକେ

 

 

 

 

ସର୍ବଦା ସମାଜ ସଂସ୍କାର

କରିବାକୁ ସେ ତତପର

ସେମାନେ ନନ୍ଦନ୍ତି ଏ ପେଶା

ମୋ ତହୁଁବଳି କଟୁଭାଷା

ଲେଖକ ଜଣେ ସେହି ସ୍ଥଳେ

ଲେଖିଲେ କଳପନା ବଳେ

ଆଙ୍କିଲେ ଏକ ବିଷବୃକ୍ଷ

ଅତି ବିସ୍ତାର ଅତିରୁକ୍ଷ

 

 

 

 

ସେ ବୃକ୍ଷଶାଖା ପରଶାଖା

ଯତନେ ପୁଣି କଲେ ଲେଖା

କଲେ ଓକିଲ ଡାକତର

ଶାଖା ପ୍ରଶାଖା ଏ ବୃକ୍ଷର

ଜୀବ ମାରିଣ ଜୀବ ପୋଷା

ଅଟଇ ଯାହାଙ୍କ ବେଉସା

ପରର ପରିଶ୍ରମୀ ଭୋଗୀ

ଯେ ପ୍ରାଣୀ ପର ଉପଜୀବୀ

 

 

 

 

ସେହି ଓକିଲ ଡାକତର

ହୋଇଲେ ତା’ ଡାଳ ପତର

ପୁଣି ତା’ ଚେର ମୂଳ ଆଦି

ଯତନେ ଥୋଇଲେ ସମ୍ପାଦି

ଅନୀତି ଅନ୍ୟାୟ ଆଚାର

ଚେର ଶିକୁଡ଼ି ହେଲା ତାର

ଅନ୍ୟାୟ ବଳେ ହୋଇ ଉଭା

ସେ ବୃକ୍ଷ ପାଇଲାକ ଶୋଭା

 

 

 

 

ସେ ବୃକ୍ଷମୂଳେ ଉଚ୍ଚେ ଆଞ୍ଚି

ଧରମ କୁଠାର ରହିଛି

ଦେଖ ଏ ଧରମ କୁଠାର

ଅତୀ ତୀକ୍ଷ୍‌ଣ ଅତି ଧାର

ସେ ଧର୍ମ କୁଠାର ପତନେ

ଉଚ୍ଛଦେ ତାର ହୁଏ କ୍ଷଣେ

ତେଣୁ ହେ ସ୍ପଷ୍ଟ ଗଲା ଦେଖା

ଏ ମତ ମୋର ନୁହେଁ ଏକା

 

 

 

 

ଅପର ଲୋକଙ୍କର ଭାବ

ତା ସଙ୍ଗେ ମୋର ଅନୁଭବ

କହିଲି ତୋତେ ହୋ ବଖାଣି

ନୂଆ ନହଇ ମୋର ବାଣୀ

ଏ ଡାକତରଙ୍କ ବିଷୟେ

ତୁମ୍ଭେ ପଡ଼ିଛ ଯେଉଁ ମୋହେ

ମୁଁ ଦିନେ ସେହି ମୋହେ ପଡ଼ି

କହୁ ମୁଁ ଥିଲି ତୁମ୍ଭ ପରି

 

 

 

 

ମୋତେ ତ ଯାଉଥିଲା ଦେଖା

ଉତ୍ତମ ଡ଼ାକ୍ତରୀ ଜୀବିକା

ଡାକ୍ତର ହେବା ପାଇଁ ଦିନେ

ମୁଁ ତେବେ ଚିନ୍ତୁଥାଇ ମନେ

ଦିନେ ମୁଁ ହୋଇବି ଡାକ୍ତର

କରିବି ଦେଶ ଉପକାର

ଏମନ୍ତେ କେତେ ପାଞ୍ଚ ଉଠି

ସେ ମୋହ ଏବେ ଗଲା ତୁଟି

 

 

 

 

ନିର୍ମଳା ଯୋଗେ ଯେହ୍ନେ ଜଳ

ମୋତେ ତ ଦିଶଇ ନିର୍ମଳ

ଭଲ ନୁହଇ ଡାକତରୀ

ଅଥବା ଦେଶୀ ବୈଦ୍ୟଗିରି

ଦେଖ ଏ ବୈଦ୍ୟଜାତି

ଗ୍ରାମ ଗ୍ରାମରେ ରହିଥା’ନ୍ତି

ଏ ବୈଦ୍ୟ କବିରାଜ କୁଳ

ଦିଅନ୍ତି ନାନା ଚେର ମୂଳ

 

 

 

 

ରୋଗ ନାଶିଣ କରି ହିତ

ତଥାପି ସମାଜେ ପତିତ

ବୈଦ୍ୟ ବୃତ୍ତିକୁ ଶ୍ରେୟ ସ୍ଥାନ

ତାହାର ପ୍ରାପ୍ୟ ଯେ ସମ୍ମାନ

କେହି ତା’ ନ ଦିଅନ୍ତି କାହିଁ

ମୁଁ ଏବେ ବୁଝୁଛି କିମ୍ପାଇଁ

ପ୍ରକୃତ ଏହି ବୈଦ୍ୟବୃତ୍ତି

ଧରିଛି ବଡ଼ ହୀନାକୃତି

 

 

 

 

 

 

 

 

ଏ ବୈଦ୍ୟବୃତ୍ତି ଯେଉଁପରି

ତେମନ୍ତ ଅଟଇ ଡାକ୍ତରୀ

ଡାକତରଙ୍କୁ କରି ଅସ୍ତ୍ର

ଚାଲିଛି ଇଂରାଜୀ ରାଜତ୍ୱ

ଏ ଡାକତରୀ ବିଦ୍ୟାବଳେ

ଆମ୍ଭଙ୍କୁ ହେଳେ ବଶ କଲେ

ଦେଖ ଭାରତ ଭୂମି ଭାଗେ

ଇଂରାଜୀ ଆଗମନ ଆଗେ

 

 

 

 

ମୋଗଲ ବାଦଶା ଶାସନ

ଦିଲ୍ଲୀରେ ଥିଲା ସିଂହାସନ

ଏମନ୍ତ ସମୟରେ ଦିନେ

ସେ ଏକ ଅତୀବ କୁକ୍ଷଣେ

ଆମ ଦରିଆା କୂଳେ ଆସି

ବିଦେଶୀ ବୋଇତ ପ୍ରବେଶି

ଆସିଲେ ଇଂରାଜୀ ବଣିଆ

କରି ବେପାର ଦିଆ ନିଆ

 

 

 

 

ବାଣିଜ୍ୟ ହୁକୁମ ସକାଶେ

ମିଳିଲେ ବାଦଶାଙ୍କ ପାଶେ

ଏକେ ମୋଗଲ ବଳିୟାର

ଖଟିବ ତହିଁ ବଳ କାର

ସହଜେ ତାହାଙ୍କୁ ମନାଇ

ଇଂରେଜୀ ପାରିଲେ ତ ନାହିଁ

ଶୁଣ ହୋ ଏହାଙ୍କର ବୁଦ୍ଧି

ଶଠ ଶାଠ୍ୟରେ କାର୍ଯ୍ୟସିଦ୍ଧି

 

 

 

 

କେମନ୍ତେ କଲେ ତାହା ଶୁଣ

ପାଇଲେ ବାଣିଜ୍ୟ ହୁକୁମ

ଶୁଣିଲେ ବାଦଶାଙ୍କ ଘରେ

ପଡ଼ିଛି କିଏ ବାଧକାରେ

ଇଂରାଜୀ ଏହା ପାରି ଜାଣି

ଆଖିରୁ ବୁହାଇଲେ ପାଣି

ନିଜେ ସେ ବାଦାଶାଙ୍କଠାରୁ

ତାଙ୍କ ବେଦନା ହେଲା ଗୁରୁ

 

 

 

 

 

 

 

 

ବାଦାଶାହାଙ୍କ ଦୁଃଖ ହେରି

ସେ ତାହା ସହନ୍ତେ କିପରି

ସଙ୍ଗତେ ଥିଲା ଡାକତର

ସେ ତାକୁ ପେଶିଲେ ସତ୍ୱର

ଯାଅ ହୋ ଡାକତର ବେଗେ

ପହୁଞ୍ଚୁ ବାଦଶାଙ୍କ ଆଗେ

ତାହାଙ୍କୁ କରିବ ଆରୋଗ୍ୟ

ଯେବେ ଇଚ୍ଛ ଏ ରାଜ୍ୟଭୋଗ

 

 

 

 

ସେ ଡାକତର ଗଲା ଚଳି

ବାଦଶା ଅଗ୍ରତରେ ମିଳି

ଦେଲା ଆପଣା ପରିଚୟ

ବିଜେ ସେ ଧନ୍ୱନ୍ତରୀ ପ୍ରାୟ

ବିଧାନ ଦେଲେମଳୁ ଦେଖି

ବାଦଶା ଚକିତ ନିରେଖି

ସାମାନ୍ୟ ନୂତନ ସେ ରୋଗ

ଅଳପେ ହୋଇଲା ଆରୋଗ୍ୟ

 

 

 

 

ବାଦାଶା ଡାକ୍ତରଙ୍କୁ ଆସି

କହିଲେ ଅନେକ ପ୍ରଶଂସି

ଏବେ ହୋ ମିଳିଗଲା ଓର

ଇଂରାଜେ ହୋଇଲେ ତତ୍ପର

ସେ ଡାକତରେ ଚାର ରୂପେ

ପେଶିଲେ ବାଦଶା ସମୀପେ

ସେ ତାଙ୍କ କାନେ ଫୁଙ୍କି ଫୁଙ୍କି

ହୁକୁମନାମା ନେଲେ ଲେଖି

 

 

 

 

ଏବେ ପାଇଲେ ପରୁଆନା

ଚାଲିଲା ନାନା ବିକା କିଣା

ଆଙ୍ଗୁଳି ନେଇ ବାହା ଗିଳି

ଦେଲେ ଏ ବ୍ରିଟିଶ ବେପାରୀ

ତୁମ୍ଭେତ ତାହା ଜାଣ ଭଲେ

ତା ପରେ ଯାହା ଯାହାକଲେ

ବେପାର କରୁ କରୁଁ ପୁଣି

ସାରା ରାଜ୍ୟକୁ ନେଲେ କିଣି

 

 

 

 

 

 

 

 

ଏମନ୍ତେ ଡାକତର ହେତୁ

ଏ ଦେଶ ଗଲା ଆମ୍ଭ ହାତୁ

ଏ ଯେତେ ଡାକ୍ତର ସମସ୍ତ

କଲେ ଆମ୍ଭଙ୍କୁ ହରକତ

ଏହାଙ୍କ କବଳରେ ପଡ଼ି

ଆମେ ସମସ୍ତେ ହେଲୁଁ କୋଢ଼ି

ଏମନ୍ତ କରନ୍ତି କୌଶଳ

ଆମ ଅବସ୍ଥା ଟଳମଳ

 

 

 

 

ଏହାଙ୍କଠାରୁ ବହୁ ଗୁଣ

ଗାଆଁ ବଇଦେ ସୁନିପୁଣ

ଗ୍ରାମ ଗ୍ରାମକେ ଥାନ୍ତି ବୈଦ୍ୟ

ଓଷଦ ଦ୍ୟନ୍ତି ନାନାବିଧ

ଚେରମୂଳିକାମୁଷ୍ଟି ଯୋଗ

ପ୍ରୟୋଗେ କରନ୍ତି ଆରୋଗ୍ୟ

ନ ଥାଏ ବେଶି ଶିକ୍ଷା ଦୀକ୍ଷା

ନ ଥାଏ ଓଷଧି ପରୀକ୍ଷା

 

 

 

 

ତାହାଙ୍କଠାରୁ ହୀନତର

ଅଟନ୍ତି ଏହି ଡାକତର

ମୁଁ ତାର କହିବି କାରଣ

ପାଠକ କର ଶରବଣ

ପ୍ରକୃତଚିକିତ୍ସକ କାମ

ଅଟେ ଦେଖିବା ଶରୀକ୍ଷେମ

ରୋଗର ମନ୍ଦିର ଶରୀର

ନିରୁଜ ରଖେ ଡାକତର

 

 

 

 

ଯେମନ୍ତେ ନ ହୁଅଇବ୍ୟାଧି

ଦେଖିବା ଚିକିତ୍ସକ ବିଧି

କିନ୍ତୁ ହେ ଦେଖ ତା ବଦଳେ

କିସ କରନ୍ତି ଡାକତରେ

ଶରୀରେ ବ୍ୟାଧିର ପ୍ରକାଶ

ହେଲେ ସେ କରନ୍ତି ତା ନାଶ

ରୋଗଗ୍ରସ୍ତ କେ ହେଲେଯାଇଁ

ଡାକ୍ତର ଦିଅନ୍ତି ଦବାଇ

 

 

 

 

 

 

 

 

ରୋଗ କେମନ୍ତେ ହୁଏ ଜାତ

ମୁଁ ତାର କହିବି ବୃତାନ୍ତ

ଆପଣା ଶରୀରକୁ ପ୍ରାଣୀ

ହେଳା କରଇ ଜାଣିଜାଣି

ସେ ରୋଗ ଜଗିଥାଏ ଆସି

ହେଳେ ତା ପକାଏ ଗରାସି

ମନୁଷ୍ୟ ନିଜର ବିବାଦୀ

ତେଣୁ ସେ ଡାକିଆଣେ ବ୍ୟାଧି

 

 

 

 

ଏ କାୟ ରୋଗର ଆଗାର

ନିରତେ ମୁକ୍ତଥାଏ ଦ୍ୱାର

ଏହା ମଧ୍ୟରେ ମଳ ମୂତ୍ର

ପୂରି ରହିଛି ଅହୋରାତ୍ର

ଦୁର୍ଗନ୍ଧ କୃମି ନାଳ ନାଡ଼ି

ରୋଗର ଖାଦ୍ୟ ଥାଏ ବେଢ଼ି

ମନୁଷ୍ୟ ଜଗୁଆଳୀ ପରା

ସେ ଦ୍ୱାରେ ଦିଅଇ ପହରା

 

 

 

 

ଯେମନ୍ତେ ବ୍ୟାଧି ସହଜରେ

ନପାରେ ପଶି ଶରୀରରେ

ସହଜେ ଯାନ୍ତି ପୁର ଭେଦି

ତେଣେ ଘୋଟଇ ନାନା ବ୍ୟାଧି

ଜିହ୍ୱା ଲାଳସେ ସ୍ୱାଦୁ ସୁଖେ

ଅଭକ୍ଷ ଯେହୁ ଭରେ ମୁଖେ

ମାପ ଅମାପ ନ ବିଚାରି

ଉଦରେ ଗ୍ରାସ ଦିଏ ଭରି

 

 

 

 

ପେଟରେ ନପଚେ ସେ ଅନ୍ନ

ସହଜେ ହୁଏ ବାତାଜୀର୍ଣ୍ଣ

ତେଣୁ ନାହିରେ ଥୋଇ କର

ଡାକଇ ରଖ ଡାକତର

ଧାଏଁ ସେ କେବେ ତାହା ପାଶ

ହଜମି ପାନକରେ ଆଶ

ହଜମି ଔଷଧ ଭକ୍ଷଣେ

ଅଜୀର୍ଣ୍ଣ ଦୂର ହୁଏ କ୍ଷଣେ

 

 

 

 

 

 

 

 

ଏଣୁଟି ବଢ଼ଇ ସାହସ

ପୁଣି ଆକଣ୍ଠକର ଗ୍ରାସ

ଯାବତ ଖାଇବ ଅଖାଦ୍ୟ

ତାବତ ଘଟେ ଅଗ୍ନିମାନ୍ଦ୍ୟ

ତାବତ ଡାକ୍ତର ଭରସା

ଯାବତ ନ ତୁଟେ ଲାଳସା

ଯେ ଦେଶେ ଥିବେ ଡାକତର

ହଜମି ପାଚକପ୍ରଚାର

 

 

 

 

ସେ ଦେଶେ ଡର କିବା ଆଉ

ଯେ ଯେତେ ଇଚ୍ଛା ସେତେ ଖାଉ

ଔଷଧ ଯହିଁ ଦିଏ କ୍ଷୁଧା

ଗରଳେପାଲଟାଏ ସୁଧା

ଅଖାଦ୍ୟ ଖାଦ୍ୟର ବିଚାର

କିମ୍ପାଇ ରହନ୍ତା ହୋ କାର

ଭୋଜନ ଆଶେ ଦେହ ଧରି

ରହନ୍ତି ଯେତେ ନର ନାରୀ

 

 

 

 

ଶରୀର ହୁଅଇ ଦୁର୍ବଳ

ଦିନକୁ ଦିନ ତୁଟେ ବଳ

ଦୁର୍ବଳ ପାଦ ପାଣି ପାୟୁ

ଘଟଇ ପୁଣି ପରମାୟୁ

ଯଦି ପ୍ରଥମ ରୋଗ କାଳେ

ନପଡ଼ି ଔଷଧ ଜଞ୍ଜାଳେ

ଭୋଗନ୍ତେ ରୋଗର କଷଣ

ଆପଣା ଅବିବେକୀ ପଣ

 

 

 

 

ଭବିଷ୍ୟତରେ ଖାଦ୍ୟ ପାନେ

ରହନ୍ତେ ଅବା ସାବଧାନେ

କିନ୍ତୁ ଏ ଡାକ୍ତର ସହାୟ

ନକରେ ତାକୁ ନିରୁତ୍ସାହ

ଗିଳାନ୍ତି ମନ ଇଚ୍ଛା ବସି

କଣ୍ଠ ପର୍ଯ୍ୟନ୍ତ ଭିଡ଼ କସି

ଯଦିବା ହୋଇବ ବିକାର

ପାଚକ କରିଦେବ ଦୂର

 

 

 

 

 

 

 

 

ତେଣୁ ସେ ନ ହୁଅନ୍ତି ବ୍ୟସ୍ତ

ଗିଳିବା କର୍ମେ ସୁ-ଅଭ୍ୟସ୍ତ

ବିଷୟ ରସେ ରସିମନ

ସର୍ବଦା ହୁଏ ଛନ ଛନ

କେବଳ ଭୋଗେ ରହେ ମତ୍ତ

ସେତେଣୁନ ହୁଏ ଆୟତ୍ତ

ବିଷୟ ଭୋଗୁଁଜାତ ରୋଗ

ଔଷଧ କରନ୍ତେ ନିରୋଗ

 

 

 

 

ତହିଁରୁ ହେବାକୁ ବିରତ

ସହଜେ କେବାସମରଥ

ଔଷଧ କରେ ରୋଗମୁକ୍ତ

ରଖଇ ପ୍ରାଣୀ ଶରୀସୁସ୍ଥ

ମନଟି ହୋଇଲେ ଦୁର୍ବଳ

ସେ କାହିଁ ଆଣିଦେବ ବଳ

ଏମନ୍ତେ ଡାକ୍ତରଙ୍କ ଯୋଗୁଁ

ପ୍ରାଣୀ ଉଦ୍ଧାର ପାନ୍ତି ରୋଗୁଁ

 

 

 

 

ତେଣୁ ଦୁର୍ବଳ ହୁଏ ମନ

ପୃଶାଣ ହୀନ ପଶୁସମ

ଜୀଇବା ମାତ୍ର ସିନା ସାର

ବୃଥା ଜନମଯାଏ ତାର

ଡାକ୍ତର ଯଦ୍ୟପି ନଥାନ୍ତା

ବଢ଼ନ୍ତା ମନର କ୍ଷମତା

ଭୋଗି ସେ ନିଜ କର୍ମ ଫଳ

ସଂଯମେ ହୁଅନ୍ତା ସବଳ

 

 

 

 

ଯେ କରେ ହିହ୍ୱାର ସଂଯମ

ଔଷଧ କିବା ପ୍ରୟୋଜନ

ନିଜର ଭ୍ରମପାରି ବୁଝି

ନିଜ ଉପାୟ ପାନ୍ତା ଖୋଜି

ବିଷୟା ବିଷୁରହି ଦୂରେ

ମନ ଅମୃତପାନ କରେ

ଏ ଦେଶେ ଯେତେ ହାସ୍ପାତାଳ

ସେ ସବୁ ପଙ୍କିଳ ପାତାଳ

 

 

 

 

 

 

 

 

ଏ ଯେଣୁ ରୋଗ କରେ ଦୂର

ତେଣୁ ଏ ଅନୀତିର ପୁର

ମନୁଷ୍ୟ ଏହା ବଳେବଳୀ

ଦେହକୁ ଅଣହେଳା କରି

ଶକ୍ତିକୁ ବଳି କରେ ଭୋଗ

ଏମନ୍ତେ କିଣେ ନାନା ରୋଗ

ହାସପାତାଳ ଆଶ୍ରାକରେ

ସେ ତାକୁ ରୋଗରୁ ଉଦ୍ଧରେ

 

 

 

 

ତେଣୁ ତା’ ବଢ଼ଇ ସାହସ

ପୁଣି ବିଷୟ ଭୋଗର ଆଶ

ତେଣୁଟି ବଢ଼ଇ ଅନୀତି

ତାହାର କାହିଁ ଆନ ଗତି

ଇଂରାଜୀ ଡାକତର ଯେତେ

ଚଣ୍ଡାଳ ଅଟନ୍ତି ସମସ୍ତେ

ହୃଦୟେ ନାହିଁ ଦୟା ମାୟା

ବହି ସୁନ୍ଦର ସୁସ୍ଥ କାୟା

 

 

 

 

କେବଳ ଶରୀର କୁଶଳ

ଲକ୍ଷ୍ୟ ତାଙ୍କର ଚିରକାଳ

ଶରୀର ସବଳ ପାଇଁକି

ନୀତିକି ଦିଅନ୍ତି ସେ ବିକି

ଅଯଥା ସ୍ୱାସ୍ଥ୍ୟରକ୍ଷା ନାମେ

ମାତନ୍ତି ଅତି ହୀନ କାମେ

ଶରୀତ ରକ୍ଷା ତାଙ୍କ ଲକ୍ଷ୍ୟ

ଶରୀର ସାରହିଁପ୍ରତ୍ୟକ୍ଷ

 

 

 

 

ରଖିବା ପାଇଁ ସେ ସମ୍ପଦ

କରନ୍ତି ବହୁ ଜୀବ ବଧ

ନିଜ ଶରୀର ରକ୍ଷାପାଇଁ

ଇତର ଜୀବେ ଦୁଃଖ ଦାୟୀ

ନିଜେ ହେବାକୁ ନିରାପଦ

ଅଂସଖ୍ୟ କ୍ଷୁଦ୍ର ଜୀବ ବଧ

ଏ ନୁହେଁ ମନୁଷ୍ୟ ଉଚିତ

ଆତ୍ମାକୁ କରେ କଳୁଷିତ

 

 

 

 

 

 

 

 

ଆଣି ଜୀବିତ ସୁସ୍ଥ ଜୀବ

କରନ୍ତି ନାନାଦି ପ୍ରୟୋଗ

ନାନାଦି ରୋଗ ବୀଜ ଆଣି

ଦିଅନ୍ତି ସୁସ୍ଥ ଦେହେ ବୁଣି

ସେ ଦେହେ ଜାତ ହୁଏ ବ୍ୟାଧି

ତହିଁରୁ ଉତ୍ପନ୍ନ ଔଷଧି

କରି ଗୋବୀଜ ଆଦି ଟୀକା

ଚଳାନ୍ତି ନାନାଦି ପରୀକ୍ଷା

 

 

 

 

କେତେ ପ୍ରାଣୀଙ୍କି ଦେଇ ବିଷ

କରନ୍ତି ପୁଣି ପ୍ରାଣ ନାଶ

ନାନାଦି ବିଷାନ ଔଷଧି

ଜୀବ ମାରଣେ ହୁଏ ସିଦ୍ଧି

ମନୁଷ୍ୟ ନିଜ ଦେହ ପାଇଁ

ଜୀବହତ୍ୟାର କିମ୍ପା ଦାୟୀ

ଶରୀର ରକ୍ଷାର କାରଣ

ଜୀବ ବଧେ କି ପ୍ରୟୋଜନ

 

 

 

 

ଜୀବ ମାରି ଯେ ଜୀବ ପାଳେ

ସେ ଧର୍ମ ଦ୍ରୋହୀ କାଳେକାଳେ

ହିନ୍ଦୁ ମୁସଲମାନ ଖ୍ରୀଷ୍ଟ

କେଉଁ ଧର୍ମେ ଏ ନୁହେଁ ଇଷ୍ଟ

ତେଣୁଏ ଡାକତର ଗୋଷ୍ଠୀ

ଅଟନ୍ତି ଆମ ଧର୍ମନଷ୍ଟୀ

ଆମର ଧର୍ମଭାବ ମୂଳେ

କଟାରୀ ମାରନ୍ତି ସେ ହେଳେ

 

 

 

 

ଯେତେ ତାଙ୍କର ଓଉଷଧ

କାହିଁ ଚରବି କାହିଁ ମଦ

ହିନ୍ଦୁ ମୁସଲମାନ ପାଇଁ

ତେଣୁ ସେ ଅମେଧ୍ୟ ଅଟଇ

ଦେଖାଇ ସଭ୍ୟତାର ଢମ

ଆମେ ଯେ ଆଚରୁ ଅଧର୍ମ

ଅନ୍ଧ ଧାରଣା ବୋଲି କହି

ଧର୍ମକୁ ଦେଉଛୁଁ ଉଡ଼ାଇ

 

 

 

 

 

 

 

 

ଔଷଧ ଅର୍ଥେ ସୁରାପାନ

ଏ ନୁହଁ ଧର୍ମର ନିଦାନ

ଧର୍ମର ବାରଣ ନ ମାନି

ଆପଣା ମନ ଇଚ୍ଛା ଘେନି

କରୁଛୁ ଯାହା ଇଚ୍ଛା ତାହା

ତହିଁକି ଡାକତର ସାହା

ସେ ବଳେ ପାପପଥେ ଭ୍ରମି

ହୋଇଲୁ ଆମେ ଅଂସଯମୀ

 

 

 

 

ତେଣୁ ହୋ ଅଶେଷ ପ୍ରକାରେ

ମାତିଲୁଁ ଆମ୍ଭେ ବ୍ୟଭିଚାରେ

ଏମନ୍ତେ ହୋଇ ବ୍ୟଭିଚାରୀ

କେପାରେ ଲୋକସେବା କରି

ଦେହ ମନରେ ବଳ ନାହିଁ

ତେଣୁ ଅଯୋଗ୍ୟ ହୋଇଥାଇ

ଏମନ୍ତେ ହେଲା ବୁଦ୍ଧି ନାଶ

ଶରୀର କ୍ଷୀଣ ଅଳ୍ପାୟୁଷ

 

 

 

 

ଏଣୁ ଏ ଡାକତରୀ ପାଠ

ଗୋଲାମି ଶିକୁଳା କବାଟ

ଯେହୁ ବା ସେହି ପାଠ ପଢ଼େ

ଗୋଲାମିକୁ ସେ ଦୃଢ଼କରେ

ପାଠକ କର ହୋ ବିଚାର

କିମ୍ପା ହୁଅନ୍ତି ଡାକତର

କହ ହୋ କେବଣ ଉଦ୍ଦେଶ୍ୟେ

ଡାକ୍ତର ହେଉଛନ୍ତି ଦେଶେ

 

 

 

 

ପରର ଉପକାର ପ୍ରତି

ଥାଏକି ତିଳେ ତାଙ୍କ ଦୃଷ୍ଟି

ଲୋକଙ୍କ ସେବା ଲକ୍ଷ୍ୟଭରି

ପଢ଼ନ୍ତି ସେ କି ଡାକତରି

 

ସେ ଖାଲି ଆପଣାର ସ୍ୱାର୍ଥେ

ପଢ଼ନ୍ତି ଯାଇ ଏହିପାଠେ

ନିଜର ଧନ ଦଉଲତ

ସମ୍ମାନ ଇଜ୍ଜତ ମହତ

 

 

 

 

 

 

 

 

ଅର୍ଜନ ହେଲା ମୂଳଲକ୍ଷ୍ୟ

ଏ କଥା ଦେଖିଛ ପ୍ରତ୍ୟକ୍ଷ

ଏ ଡାକତରୀ ଧନ୍ଦା ମୂଳେ

ପରୋପକାର ନାହିଁଠୁଳେ

ଅଧିକେ ଲୋକଙ୍କର କ୍ଷତି

ଡାକ୍ତରୀ ପାଠୁଆ କରନ୍ତି

ଏ ଡାକତରୀ ବୃତ୍ତିଧରି

ଜବର ଫିଇ ଧାର୍ଯ୍ୟ କରି

 

 

 

 

କଡ଼ାକ ଔଷଧର ମୂଳ

କୋଡ଼ିଏ କରନ୍ତି ଅସୁଲ

ଆରୋଗ୍ୟ ହୋଇବାର ଆଶେ

ଲୋକେ ତା କିଣନ୍ତି ବିଶ୍ୱାସେ

ତେଣୁଟି ତାଙ୍କୁ ଡାକତରେ

ଠକାନ୍ତି ବିବିଧ ପ୍ରକାରେ

ଏମନ୍ତେ ହେଲେ ଡାକତର

ହୃଦୟ ହୁଅଇ ପଥର

 

 

 

 

ତାହାଙ୍କଠାରୁ ଦେଶୀ ବୈଦ୍ୟ

ବହୁ ଗୁଣରେ ନିରାପଦ

ଡାକତରଙ୍କଠାରୁ ବଳି

ବୈଦ୍ୟ ଅଧିକ ଉପକାରୀ

 

ତୟୋଦଶ ଅଧ୍ୟାୟ

ବାସ୍ତବିକ ସଭ୍ୟତା

ପାଠକ ଉବାଚ

ରେଳ ଓକିଳ ଡାକତର

ଏ ଯେବେ ହେଲେ ହାନିକର

ଯେତେ ମେସିନ୍‌ କଳ ଯନ୍ତ୍ର

ସବୁକୁ ବୋଲିବ ତେମନ୍ତ

ଏ ଯଦି ହୁଏ ସତ୍ୟ କଥା

କାହାକୁ କହିବା ସଭ୍ୟତା

ସଂପାଦକ ଉବାଚ

କହନ୍ତି ଗାନ୍ଧି ସଂପାଦକ

ସଧୀରେ ଶୁଣ ହୋ ପାଠକ

ସରଳ ଉତ୍ତର ଏହାର

କହେ ମୁଁ ଶୁଣ ଭେଦ ତାର

ଭାରତ ସଭ୍ୟତାକୁ କେହି

ପ୍ରତୁଲ୍ୟ ନୋହିବ ନା ମହୀ

କେତେ ଗଲେଣି କେତେ ଯିବେ

ଏମନ୍ତ ନାହିଁ ନା ନଥିବ

 

 

 

 

ଆମ୍ଭର ପିତୃ ପିତା ଗଣ

ଯେ ବୀଜ କଲେକ ବପନ

ହେବାକୁ ଥିବା ତାର ସମକଛ

କେଉଁ ସଭ୍ୟତା ନୁହେଁ ଲଚ୍ଛ

ସୁରମ୍ୟ ରୋମ ରାମରାଜ୍ୟ

ମାଟିରେ ମିଶିଲାଣି ଆଜ

ସୁନ୍ଦର ସିକନ୍ଦର ଦେଶ

ଗ୍ରୀସ ଗୌରବ ନାହିଁ ଲେଶ

 

 

 

 

ମିଶ୍ରେ ଫାରୋହା ସିଂହାସନ

କ୍ରମେ ସେ ହେଲାଣି ଶ୍ମଶାନ

ଜାପାନ ଭୁଲି ନିଜକଳା

ସାହେବୀ ଛାଞ୍ଚେ ହଏ ଢଳା

କି କହୁଁ ଚୀନର ଅବସ୍ଥା

କହି ନୋହିବ ତାହା କଥା

ତଥାପି ଦେଖ ଏ ଭାରତ

ଦୃଢ଼ ରଖିଛି ନିଜ ବ୍ରତ

 

 

 

 

କେତେ ଯେ ଉତ୍‌ଥାନ ପତନ

କେତେ ପ୍ରଳୟ ପ୍ରଭଞ୍ଜନ

ବହି ଗଲାଣି ତାହା ପରେ

ତଥାପି ରହିଛି ଅଟଳେ

ପୂର୍ବ ଗୌରବ ପୂର୍ବଶିରୀ

ଏମନ୍ତେ ନାହିଁତ କାହାରି

ରୋମ ମିଶାର ଗ୍ରୀସ୍ ଦେଶ

ବିଭବ ଥିଲାଟି ଅଶେଷ

 

 

 

 

ଏବେ ସେ ସବୁ ମାଟିତଳେ

ମିଶିଗଲାଣି କାଳ ବଳେ

ତଥାପି ୟୁରୋପ ବିଦ୍ୱାନେ

ସେ ସବୁ ଗୁରୁ ଗୁରୁ ଜ୍ଞାନେ

ରୋମ ଗ୍ରୀସକୁ ଆଦରଶ

କରିଟି ବୋଲାନ୍ତି ସରସ

ଯେ ରୋମ ଗ୍ରୀସର ସଭ୍ୟତା

ନ ମିଳେ ତିଳେ ହେଲେ ସତ୍ତା

 

 

 

 

ତାହାକୁ ଧରି ଇଉରୋପ

ଦେଖାଏ ନିଜ ସଭ୍ୟରୂପ

ସେ ଦେଶ ପୁରାତନ ପୋଥି

ପଢ଼ି ଅନେକ ଶିକ୍ଷାପ୍ରାପ୍ତି

ସେ ସବୁ ପଢ଼ି ବାରମ୍ବାର

କରନ୍ତି ଜ୍ଞାନର ପ୍ରସାର

ସେ ଦେଶେ ଯାହା ଭଲମନ୍ଦ

କରି ପସନ୍ଦ ଅପସନ୍ଦ

 

 

 

 

 

 

 

 

ମନ୍ଦ ବରଜି ଭଲ ଘେନି

ୟୁରୋପ ଆଜି ଅଭିମାନୀ

ରୋମ ଗ୍ରୀସର ତ୍ରୁଟି ଦୋଷ

ଯେ ଦୋଷୁ ଦୁହେଁ ଗଲେନାଶ

ଯେ ଦୋଷ ରୋମ ସିଂହାସନ

ଆବର ଗ୍ରୀସର ପତନ

ତାହା ବୁଝିଣ ବୁଦ୍ଧି ବଳେ

ରହନ୍ତି ଆପଣା କୌଶଳେ

 

 

 

 

ଯେମନ୍ତ ସେହି ଭ୍ରମଭ୍ରାନ୍ତି

ନ ପୁଣ ସେହି ଆଚରନ୍ତି

ଦେଖ ଏମନ୍ତ ଲୋକହସା

ୟୁରୋପ ଅସହାୟ ଦଶା

ଯେବଣ ଦେଶ ଇଉରୋପ

ଦେଖାଏ ସଭ୍ୟତା ଆଟୋପ

ସେ ପୁଣି ଯାଇ ଭିକ୍ଷାମାଗେ

ପୂରା ରୋମର ପୁରୋଭାଗେ

 

 

 

 

ଭାରତ ନୁହଇ କାଙ୍ଗାଳ

ପାତିବ କାହିଁ ଭିକ୍ଷାଥାଳ

ସେ ତାର ସଦା ନିଜ ସ୍ଥଳେ

ରହିଛି ଅଚଳ ଅଟଳେ

ସେହି ତାହାର ଗଉରବ

ସେହିତ ତା’ ଶୋଭା ବଇଭବ

ସେ ଅଟେ ଭାରତ ମହତ୍ୱ

ଭାରତ ଭୂମି ବିଶେଷତ୍ୱ

 

 

 

 

ତଥାପି କେତେ ଲୋକଛନ୍ତି

ଭାରତ ଭୂମିକୁ ବାଛନ୍ତି

ଆଖିରେ ନ ପାରନ୍ତି ଦେଖି

ହିଂସାରେ କହନ୍ତି ଆରୋପି

କହନ୍ତି ଭାରତୀୟ ସର୍ବ

ଅସଭ୍ୟ ଜଙ୍ଗଲୀ ଅଥର୍ବ

ଏଡ଼େ ଏ ଅଳସ –ପିଠିଆ

କିଛିହିଁ ନ କରନ୍ତି ନୂଆ

 

 

 

 

 

 

 

 

ପୁରୁଣା ଚଳନ ଚାଳନ

ଧରି ରହନ୍ତି ଚିରଦିନ

ସାମାନ୍ୟ ହେର ଫେର କାହିଁ

ଏହାଙ୍କ ଦେଇ ନ ହୁଅଇ

ଏମନ୍ତେ ଦେଇ ନାନା ଦୋଷେ

ନିନ୍ଦନ୍ତି ଭାରତ ବରଷେ

ଯେ ଯାହା ଦୋଷ ଦେଉ ପଛେ

ପାଠକ ଦେଖ ମନ ସ୍ୱଚ୍ଛେ

 

 

 

 

ଏ ନୁହେଁ ଆମ୍ଭ ମନ୍ଦ ଗୁଣ

ଏ ଆମ୍ଭ ସୁମହତ ପଣ

ଯୁଗ ଯୁଗର ଅନୁଭବ

ଫଳେ ଯେ ହୋଇଛି ସମ୍ଭବ

ପ୍ରମାଦହୀନ ସେ ଆଚାର

ହୋଇଛି ଏ ଦେଶେପ୍ରଚାର

ଅଙ୍ଗେ ନିଭାଇ ଅଙ୍ଗେଦାହି

ଯେ ସାର ମାତ୍ରା ହେଲୁ ଗ୍ରାହୀ

 

 

 

 

ସେହି ବିହିତ ଆଚରଣ

ଏ ଦେଶେ ଚିର ପ୍ରଚଳନ

ତହିଁରେ ଯେବେ ଦୋଷ ତ୍ରୁଟି

ଆମ୍ଭଙ୍କୁ ନଦିଶେ କେଉଁଠି

ବିଅର୍ଥେ କିମ୍ପା ସେ ସକଳ

କରିବୁ ଅଦଳ ବଦଳ

ଏ ଦେଶେ ଆସିଛନ୍ତି ଆଜି

ୟୁରୋପୁଁ ଫରାସୀ ଇଂରାଜୀ

 

 

 

 

କେତେ ଯେ ଜାତି ତାଙ୍କ ସମ

ଏ ଦେଶେ ଆଗମ ନିଗମ

ଏ ଦେଶେ ପରେ ସେ ସକଳେ

ନିଜର ଆଜ୍ଞା ଜାରୀକଲେ

ତାଙ୍କ ଆଚାର ଉପଦେଶ

କରିଛି ଏ ଦେଶେ ପ୍ରବେଶ

ତଥାପି ଦେଖ ଏ ଭାରତ

ଦୃଢ଼ି ରଖିଛି ନିଜମତ

 

 

 

 

 

 

 

 

ରହିଛି ଅଚଳ ଅଟଳ

ନିଜ ସ୍ଥାନରେ ଅବିଚଳ

ସେ ଆମ ବଳ ବାହାଦୂରୀ

ଜାହାଜେ ଲଙ୍ଗର ଯେପରି

ଏହାଟି ପ୍ରକୃତ ସଭ୍ୟତା

ଶୁଣ ମୁଁ କହୁଛି ସେ କଥା

ପାଳିଣ ଯେବଣ ଆଚାର

ମନୁଷ୍ୟ ମନୁଷ୍ୟରେ ସାର

 

 

 

 

କର୍ତ୍ତବ୍ୟ ପଥ ପାରେ ଦେଖି

ତାହାକୁ ସଭ୍ୟତାର ଲେଖି

କର୍ତ୍ତବ୍ୟ ପାଳନର ନାମ

ଅଟଇ ଆଚାର ପାଳନ

ଆଚାର ମୂଳେ ଧର୍ମ ଜାତ

ଧର୍ମ ଧାରଣ ଏ ଜଗତ

ସଦାଚାରର ଅନ୍ୟ ନାମ

ଅଟଇ ଇନ୍ଦ୍ରିୟ ସଂଯମ

 

 

 

 

ଇନ୍ଦ୍ରିୟ ଯାହାର ଆୟତ

ତାହାକୁ କେବା ସାମରଥ

ସେହିଟି ଜାଣ ଆତ୍ମଜ୍ଞାନୀ

ନିଜକୁ ନିଜେ ପାରେ ଚିହ୍ନି

ଆତ୍ମଜ୍ଞାନୀର ଯେତେ ରୀତି

ତାହାକୁ ବୋଲିଟି ସୁନୀତି

ସୁନୀତ ଆଚାର ସଭ୍ୟତା

ଏ ସବୁ ଜାଣ ଏକା କଥା

 

 

 

 

ଏହାର ବିପରୀତ ରୀତି

ତାହାଙ୍କୁ କହନ୍ତି କୁନୀତି

କୁନୀତି ଯାର ଆଚରଣ

ଅସଭ୍ୟ ମଧ୍ୟ ହୁଏ ଗଣ୍ୟ

ଅସଭ୍ୟ ହେବା ପାଇଁ ସଭ୍ୟ

ସେ ସିନା ଗୁରୁ କରାଇବ

ଆଚାର ଶୀଳ ଯେ ଭାରତ

ସର୍ବଦା ଧରି ଧର୍ମପଥ

 

 

 

 

 

 

 

 

ସୁସଭ୍ୟ ସେହି ଆମ୍ଭ ଦେଶ

ସେ କିମ୍ପାକାର ହେବ ଶିଷ୍ୟ

ଏଡ଼େ ଆଚାରବନ୍ତେ କିଏ

ଭାରତେ ନୀତି ଶିକ୍ଷା ଦିଏ

ବହୁ ଇଂରାଜୀ ଲେଖକାର

ଏହାତ କରନ୍ତି ସ୍ୱୀକାର

ଏ ମନ ସ୍ୱଭାବେ ଚଞ୍ଚଳ

କେବେହେଁ ନୁହିଇ ନିଶ୍ଚଳ

 

 

 

 

ଆକାଶେ ବାୟୁସମ ମନ

ସହଜେ କେ କରେ ବନ୍ଧନ

ସେ ପୁଣି ଇନ୍ଦ୍ରିୟ ସଂଯୋଗ

ନାନା ବିଷୟ ରସ ଭୋଗ

ତଥାପି ନ ହୁଏ ତୃପତ

ସାଗର ଗର୍ଭେ ନଦୀ ବତ

ଯେତେ ସେ ପାଏ ତେତେ ରଙ୍କ

କେବେ ହେଁ ନ ମୁଞ୍ଜେ କଳଙ୍କ

 

 

 

 

ଆମ୍ଭର ପିତୃ ପିତାଗଣ

ବୁଝିଣ ଏହାର କାରଣ

ସୁଖ ଦୁଃଖର ହେତୁ ବୁଝି

ଏହା ସେ ପାରିଥିଲେ ବୁଝି

ମନର ମୂଳେ ଏ ଜଗତ

ମନ ବିହାରେ ଆତଜାତ

ଧନରୁ ନ ମିଳଇ ସୁଖ

ଧନ ବିହୀନେ ନାହିଁ ଦୁଃଖ

 

 

 

 

ଧନ ରହିଲେ ଜନ ପାଶେ

ସର୍ବଦା ସୁଖ ତ ନ ଆସେ

ଧନ ବିହୁନେ କେଉଁ ପ୍ରାଣୀ

ଦୁଃଖୀ ହେବାର ନାହିଁ ଜାଣି

ସଂସାରେ ବହୁ ଧନୀଛନ୍ତି

ଦୁଃଖୀ ସେ ନାନା କଥା ଚିନ୍ତି

ଆବର ଅନେକ ନିର୍ଦ୍ଧନ

ଆନନ୍ଦେ ବିତିଯାଏ ଦିନ

 

 

 

 

 

 

 

 

ତେଣୁ ଏ ସୁଖ ଦୁଃଖ ଭାବ

ଜଳେ ଯେସନେ ପ୍ରତିବିମ୍ବ

ସଂସାରେ କଳ ରୋଳ ହସ

ସେ ସର୍ବ ମନର ବିଳାସ

ଆମ୍ଭର ପିତୃ ପିତାଗଣ

ସେ ସର୍ବ କଲେ ନିର୍ଦ୍ଧାରଣ

ଭୋଗର ଦେଲେ ସୀମା ବାନ୍ଧି

ମନର ଗତିପଥ ରୁଦ୍ଧି

 

 

 

 

ଯେମନ୍ତେ ବିଷୟ ବିମୁଖ

ହେବେ ସଂସାରେ ସର୍ବଲୋକ

ମନକୁ କଲେଟି ସଂଯମ

ସୁଖ ମିଳଇ ଅନୁପମ

ତେଣୁ ହୋ ଯୁଗ ଯୁଗ ବିତି

ଭାରତେ ରହିଛି ସେ ରୀତି

ପର୍ଣ୍ଣକୁଟୀରେ କରି ବାସ

ପ୍ରସାଦେ ନାହିଁ ଅଭିଳାଷ

 

 

 

 

ସେ ଦିନ ସମାଗମ ଧ୍ୱନି

ଗୁଞ୍ଜିଲା ଏ ଭାରତ ଭୂମି

ସେ ଦିନୁ ଦେଖ ଏ ଭାରତ

ଧରିଛି ସଂଯମର ପଥ

ସେ ଦିନୁ ଶିକ୍ଷା ଗୁରୁକୁଳେ

ଏବେ ବି ଏହି ଦେଶ ଚଳେ

ସେ ଦିନୁ ଯେ ଯାହାର ବୃତ୍ତି

ଆପଣାମତେ ଆଚରନ୍ତି

 

 

 

 

ବ୍ରାହ୍ମଣ କରେ ବେଦପାଠ

କ୍ଷତ୍ରିୟ ରକ୍ଷା କରେ ରାଷ୍ଟ୍ର

ବୈଶ୍ୟ ବାଣିଜ୍ୟ ବୃତ୍ତି ଧରେ

ଶୂଦ୍ର ଏ ତିନି ସେବା କରେ

ନିଜ ଧର୍ମରେ ମୃତ୍ୟୁ ଶ୍ରେୟ

ପର ଧର୍ମଟି ଭୟାବହ

ଏମନ୍ତେ ଥିଲେ ଯେ ବିଚାରି

ବର୍ଣ୍ଣ ଆଶ୍ରମେ ନୀତି ଚାରି

 

 

 

 

 

 

 

 

ଏ ଚାରି ବର୍ଣ୍ଣେ ଯେତେ ଆର୍ଯ୍ୟେ

ସମାନ ଆସନ ସମାଜେ

ତେବେତ କେହି ବୃତ୍ତି ନେଇ

ଛୋଟ ବା ବଡ଼ ହୋଇ ନାହିଁ

ସେ ପ୍ରଥା ଆମ୍ଭେ ପ୍ରାଣେ ପ୍ରାଣେ

ରହିଛି ସତ୍ୟର ପ୍ରମାଣେ

କେତେ ଗଲାଣି ବାତ୍ୟା ଝଡ଼

ଉପୁଡ଼ି ନାହିଁ ତାର ଜଡ଼

 

 

 

 

ନାହିଁ ମନରେ ରେସାରେସି

ଜୀବିକା ଘେନି କସାକସି

ବୃତ୍ତିରେ ଯେ ପ୍ରତିଯୋଗିତା

ୟୁରୋପେ ଜଳୁଛନ୍ତି ଚିତା

ତାଠାରୁ ଆମ୍ଭେ ରହି ଦୂରେ

ଲାଗିଛୁ ଆପଣା କାମରେ

ନିଜକୁ ବଡ଼ ନିଜ ବୃତ୍ତି

ଏମନ୍ତ ଆମ୍ଭର ପ୍ରକୃତି

 

 

 

 

କରିଣ ନିଜ ନିଜ କର୍ମ

ତହୁଁ ଧନର ଉପାର୍ଜନ

ଧନରୁ ଧର୍ମ ଧର୍ମୁ ସୁଖ

ଏ ଶାସ୍ତ୍ର ବଚନ ପ୍ରତ୍ୟକ୍ଷ

କେବଳ ଜୀବନ ଧାରଣ

ପାଇଁ ଏ ଧନ ଉପାର୍ଜନ

ତହୁଁ ଅଧିକ ହେଲେ ଅର୍ଥ

ତା ସ୍ପର୍ଶେ ହସ୍ତ କଳୁଷିତ

 

 

 

 

ତେଣୁ ଯାହାର ଯାହା ଲୋଡ଼ା

ଅଧିକ ନେଲେ ତାହା ଛଡ଼ା

ସେ ଅଟେ ପରର ପଇସା

ଅଧର୍ମ ତେଣୁ ତାର ପେଶା

ତେଣୁ ଏ ଯେତେ ପେଶାଧାରୀ

ଉଚିତ ମୂଲ୍ୟଧାର୍ଯ୍ୟ କରି

ମେଲାନ୍ତି ନିଜର ପସରା

ନାହିଁ କଳହଧରା ପରା

 

 

 

 

 

 

 

 

ଯେତିକି ମୂଲ ଜଣକର

ଭରିବ ସୁଖରେ ଉଦର

ସେତିକି ଖଞ୍ଜିଥାନ୍ତି ଦାମ

ଯେତେ ହେଲେହେଁ ସରଞ୍ଜାମ

ଅନ୍ୟର ବେଶୀ ହେଲେ ମୂଲ

ତା ସଙ୍ଗେ କରି ସମତୁଲ

ନିଜ ଦରବ ଦର କଷି

ଦେବାକୁ କେ ନୁହେଁ ପ୍ରୟାସୀ

 

 

 

 

ତେଣୁ କି କହିବ ଭାରତ

ଥିଲା ଅସଭ୍ୟ ଅଶିକ୍ଷିତ

ନ କର ଯନ୍ତ୍ରର ପ୍ରୟୋଗ

କରି ସେ ନାହିଁ ଉପଭୋଗ

ତେଣୁ କି ବୋଲିବା ଆଜ୍ଞାନ

ଅସଭ୍ୟ ଥିଲା ହିନ୍ଦୁସ୍ଥାନ

ଯେ ଦେଶେ ବରାହ ମିହିର

ନକ୍ଷତ୍ର ସଂଖ୍ୟା କଲେ ସ୍ଥିର

 

 

 

 

ଯେ ଦେଶେ ଚରକ ଶ୍ରୁଶୂତ

ରଚିଲେ ଆରୋଗ୍ୟର ଶାସ୍ତ୍ର

ଯେ ଦେଶେ ଯୋଗୀ ପାତଞ୍ଜଳି

ଶରୀର ତତ୍ତ୍ୱ ଗଲେ କଳି

ସେ ଦେଶ ଯନ୍ତ୍ର ଉଦ୍ଭାବନା

କିମ୍ପା ହୋ କହ ହେଲା ମନା

କରିବା ପାଇଁ ସେ ଉଦ୍ୟମ

ଭାରତ ନୋହିଲା କି କ୍ଷମ

 

 

 

 

ଯେତେ ପଣ୍ଡିତଯୋଗୀ ୠଷି

ଏ ଦେଶେ ଜନମିଲେ ଆସି

କେବେ କି ମସ୍ତିକରେ କାର

ନୋହିଲା ଯନ୍ତ୍ର ଆବିଷ୍କାର

ଏଥିରେ ଯେବଣ ରହସ୍ୟ

ଶୁଣିଲେ ହୋଇବ ହୋ ତୋଷ

ଆମ୍ଭର ପୂରୁବ ପୁରୁଷ

ଥିଲେଟି ଆତ୍ମାର ସନ୍ତୋଷ

 

 

 

 

 

 

 

 

ଈଶ୍ୱରେ ରଖିଥିଲେ ମତି

ଯନ୍ତ୍ରକୁ ମନ ନ ବଳାନ୍ତି

ଇଚ୍ଛା ସେ କରିଥାନ୍ତେ ଯଦି

ଖଞ୍ଜିବା ପାଇଁ ଯନ୍ତ୍ର ଆଦି

ଏ ଯେତେ କଳ କାରଖାନା

କ୍ଷଣକେ ଥାପି ଥାନ୍ତେ ସିନା

ସେ କିନ୍ତୁ ବିଚାରି ବିଷଦ

ଗଣିଲେ ଏଥେ ପରମାଦ

 

 

 

 

ସେ ଏହା ଭଲେ ଥିଲେ ବୁଝି

ଯନ୍ତ୍ରରେ ମନ ଗଲେ ରିଝି

ଯନ୍ତ୍ରର ହୋଇଯିବା ଦାସ

ନୀତି ଆଚରି ଧର୍ମନାଶ

ଏଣୁ ସେ ଏହା କଲେ ସାର

ନୋହିବ ଯନ୍ତ୍ରର ପ୍ରସାର

କହିଲେ ସକଳେ ହକାରି

ଆପଣା କର୍ମ ଯାଅ କରି

 

 

 

 

ଆପଣା କର୍ମେନ୍ଦ୍ରିୟ ବଳେ

ମନୁଷ୍ୟ ପରିଶ୍ରମ କଲେ

ମିଳବ ନିର୍ମଳ ଆନନ୍ଦ

ନ ଥିବ ଆଉ ଗୋଳ ଦ୍ୱନ୍ଦ

ମିଳଇ ପୁଣି ସ୍ୱାସ୍ଥ୍ୟ ସୁଖ

ତେଣୁ ଶରୀର ଶ୍ରମ ମୁଖ୍ୟ

ମନୁଷ୍ୟ ନିଜ ହସ୍ତପଦେ

ଯେତିକି କାର୍ଯ୍ୟ ହିଁ ସଂପାଦେ

 

 

 

 

ଯେତିକି କ୍ଷମ ଅବୟବ

ସେତିକି ତାହାର କର୍ତ୍ତବ୍ୟ

ତାତହୁଁ ଅଧିକେ ମନାସ

କରିବ ଶେଷ ସର୍ବନାଶ

ଏମନ୍ତ ସାରନୀତି ଧରି

ଯନ୍ତ୍ରକୁ ଦେଲେ ଦୂରକରି

ଏ ଯେତେ ଯେତେ ଯନ୍ତ୍ରପାତି

କରେ ସମାଜେ ଘୋର କ୍ଷତି

 

 

 

 

 

 

 

 

ଯେଠାରେ କଳକାରଖାନ

ସେଠାରେ ନଗର ସ୍ଥାପନା

ସେ ସବୁ ଅଯଥା ଜଞ୍ଜାଳ

ଲୋକଙ୍କୁ ହୁଅଇଟି କାଳ

ସହରେ କରି ବାସସ୍ଥାନ

ସୁଖଟି ହୁଅଇ ସ୍ୱପନ

ଅଧିକ ମରୁଁ ପୀଡ଼ା ଭୋଗୀ

ଯେହ୍ନେ ଗୋଦଡ଼ି ବାତ ରୋଗୀ

 

 

 

 

ସେ ଯେଣୁ ଅଯଥା ଅଲୋଡ଼ା

ସାର କେବଳ ପଦ ପୀଡ଼ା

ବଜାର ବସେ ନାନା ରଙ୍ଗ

ଉଠେ ଅଟ୍ଟାଳୀ ତୁଙ୍ଗ ତୁଙ୍ଗ

ଉପରେ ଅତି ମନୋରମ

ଭିତରେ ମହାକାଳ ସମ

ଯେତେ ଗହଳି ଜମଘଟ

ତେତିକି ପାପର ପ୍ରଘଟ

 

 

 

 

ଯେତିକି ସୁନ୍ଦର ଆକୃତି

ସେତିକି ବୁଦ୍ଧି ବେଶ୍ୟା ବୃତ୍ତି

ତେତିକି ଡାକୁ ଡକାୟତ

ଦୁଷ୍ଟ ଦୁର୍ମତି ଯାତାୟତ

ତେତିକି ଦରଦ୍ରେ ଶୋଷର

କରନ୍ତି ଧନି ବ୍ୟକ୍ତି ଗଣ

ଏତେ ଲକ୍ଷଣ ସହରର

ଯନ୍ତ୍ରର ଯୋଗୁଁ ଜନ୍ମଯାର

 

 

 

 

ତେଣୁଟି ପୂରୂବ ପୁରୁଷେ

ଗ୍ରାମେ ରହିଲେ ମହା ତୋଷେ

ରାଜା ବା ତାର ରାଜଦଣ୍ଡ

ଯେତେହେଁ ହୋଇଲେ ପ୍ରଚଣ୍ଡ

ତା ତହୁଁବଳି ଶକ୍ତିଶାଳୀ

ଆତ୍ମ ବଳକୁ ଥିଲେ ଭାଳି

ଯେଣୁ ସେ ଆତ୍ମାର ଉନ୍ନତି

ଦିଗେ ବଳାଉଥିଲେ ମତି

 

 

 

 

 

 

 

 

ୠଷି ମୁନିଙ୍କୁ ଉଚ୍ଚସ୍ଥାନ

ତେଣୁ ସେ କଲେଟି ବିଧାନ

ରାଜାଙ୍କ ସ୍ଥାନ ତାଙ୍କ ତଳେ

ସେ ଏହା ବିଚାର ହିଁ କଲେ

ପୂର୍ବ ପୁରୁଷେ ଏହି ମତେ

ରହି ଆସନ୍ତି ଏ ଭାରତେ

ଯେ ଦେଶେ ଏମନ୍ତ ଶାସନ

ଏମନ୍ତ ଦୃଢ଼ ସଂଗଠନ

 

 

 

 

ସେ ଦେଶେ ସଭିଙ୍କର ଗୁରୁ

ସେ କି ଶିଖିବ ଅନ୍ୟଠାରୁ

ଅବଶ୍ୟ ଥିଲେ ଏ ଦେଶରେ

ଓକିଲ ପୁଣି ଡ଼ାକତରେ

ଥିଲା ବିଚାର ଅଦାଲତ

ଆଇନ କାନୁନ ସମସ୍ତ

କିନ୍ତୁ ଏ ଯେତେ ଯେତେ ପଦ

ଆପଣା ସୀମାରେ ଆବଦ୍ଧ

 

 

 

 

କେ କାହାଠାରୁ ନୁହେ ବଡ଼

ଦେଶର ସେବାମାତ୍ର ଜଡ଼

ମୁଁ ତାହା କହିବଇଁ ଠିକେ

ଶୁଣ ହୋ ସୁଧୀର ପାଠକେ

ତେବେ ଏ ଦେଶର ଅବସ୍ଥା

ଶୁଣ ମୁଁ କହୁଛି ସେ କଥା

ଗ୍ରାମ ଗ୍ରାମକେ ପଞ୍ଚାୟତ

ଗ୍ରାମର ଶାସନେ ଆୟତ୍ତ

 

 

 

 

ଗ୍ରାମର ଯାବତ କଳହ

ସେ ତାହା କରୁଥିଲେ ତୟ

ଏମନ୍ତେ ଯାଉଥିଲା ତୁଟି

ଗ୍ରାମ କଳହ ଗ୍ରାମେ ଉଠି

ନ ଥିଲା ତହିଁ କାର ସ୍ୱାର୍ଥ

ଲୋକଙ୍କ ହିତ ପରମାର୍ଥ

ପୁଣି ନିଦାନା ଦାତାମାନେ

ରହିଣ ଥିଲେ ସ୍ଥାନେ ସ୍ଥାନେ

 

 

 

 

 

 

 

 

କରି ଶାସ୍ତ୍ରର ଶୁଦ୍ଧ ଟୀକା

ଲୋକଙ୍କୁ ଦେଉଥିଲା ଶିକ୍ଷା

ଓକିଲ ମୁକ୍ତାରଙ୍କ ପରି

କଳାକୁ ଧଳାହିଁ ନକରି

ଶାସ୍ତ୍ରର ଉଚିତ ବିଧାନ

ଥୋଇ ସେ ଦେଉଥିଲେ ଜ୍ଞାନ

ଆବର କେତେ ଥିଲେ ଦୈଦ୍ୟ

ବିଧାନ କରିଣ ଔଷଧ

 

 

 

 

ଧରିଣ ରୋଗର କାରଣ

କରୁ ସେ ଥିଲେ ନିବାରଣ

ଉଦ୍ଦେଶ୍ୟ ଥିଲା ଲୋକସେବା

ନୁହଇ ଅର୍ଥ ଶୋଷି ନେବା

ଏସବୁ ଯେତେ ପେଶାଧାରୀ

ସମାଜ ସେବା ବ୍ରତକରି

ପାଞ୍ଚ ପଚିଶକରେ ଜଣେ

ବସତି କଲେ ସ୍ଥାନେ ସ୍ଥାନେ

 

 

 

 

କେ ନିଜ ପେଶାରେ ଗରବେ

ନକହେ ଗୁରୁ ଗଉରବେ

ଧରି ଏ ନାନା ପେଶାମାନ

କେ ନୁହ ସାନ ସୁମହାନ

ସର୍ବେ ସମାନ ମହୀ ତଳେ

କେହିଟି କାହାକୁ ନବଳେ

ଲୋକଙ୍କ ଯୋଗରୁ ଜୀବିକା

ଲୋକଙ୍କଠାରେ ଥିଲେ ବିକା

 

 

 

 

ଓକିଲ ଡାକ୍ତରଙ୍କ ପରି

ନଥିଲେ ସେ ଶୋଷଣକାରୀ

ସେ ଦିନ ଗ୍ରାମ ଗହଳରେ

ବସତି ଯେତେ ନାରୀ ନରେ

ଆପଣା ବିଲ ଆପେ ଚଷି

ଖୁସି ଆପଣା ପେଟ ପୋଷି

ସେ ଥିଲା ପ୍ରକୃତ ସ୍ୱରାଜ୍ୟ

ସେ ଯୁଗ ଆଉ ନାହିଁ ଆଜ

 

 

 

 

 

 

 

 

ନ ଥିଲା କଳି ତକରାଳ

ଅଯଥା କଳହ କଟାଳ

ଯଦିବା କେବେ କେତେବେଳେ

ନପଡ଼େ ମନର ଅମେଳେ

ବନ୍ଧୁ କୁଟୁମ୍ବମାନେ ଥାଇ

ଆପୋଷେ ଦିଅନ୍ତି ମେଣ୍ଟାଇ

ଆପଣା ମଧ୍ୟେ ଥିଲେ ଯୋଡ଼ା

ପଞ୍ଚାୟତରେ କିବା ଲୋଡ଼ା

 

 

 

 

ନ ଥିଲେ କେବେ ଟାଉଟର

ଖଳ ଦୁର୍ମତି ଦୁଷ୍ଟ ନର

ଥିଲେ ବା ଦିଅନ୍ତେ ଶିଖାଇ

ପଞ୍ଚାୟତକୁ ନେବା ପାଇଁ

ଯଦିବା ପଞ୍ଚୟତ ପାଶେ

ନିସାପ ନିମନ୍ତେ କେ ଆସ

ପଞ୍ଚାୟତରେ ଯେ ବିଚାର

ଧର୍ମପ୍ରମାଣେ ନ୍ୟାୟ ତାର

 

 

 

 

ନଥିଲା ପକ୍ଷପାତ ରୀତି

ତେଣୁ ବିହିତ ସେ ନିଷ୍ପତ୍ତି

ଯେଣୁ ସେ ଗ୍ରାମ ପଞ୍ଚାୟତ

ଜାଣନ୍ତି ଗ୍ରାମର ସମସ୍ତ

ଜାଣନ୍ତି କଳିର କାରଣ

ତେଣୁ ଉଚିତ ବିଚାରଣ

ଏମନ୍ତେ ସେ ଯୁଗର ଲୋକେ

ମହା ଆନନ୍ଦେ ମହାସୁଖେ

 

 

 

 

ସେ ଥିଲେ ପ୍ରକୃତ ସ୍ୱରାଜ

ସେ ସୁଖ ଆଉ କାହିଁ ଆଜ

ଏବେ ସେ ସ୍ୱରାଜ୍ୟ ତ ନାହିଁ

ଗଲାଣି ତାକୁ ବାଘ ଖାଇ

ଏ ନବ୍ୟ ସଭ୍ୟତା ଚଣ୍ଡାଳ

ନୋହିଛି ଯହିଁ ପରଚାର

ତହିଁଏ ସ୍ୱରାଜ୍ୟ ସମ୍ପଦ

ଆଜ ହିଁ ଆପଣା ବଢ଼ାଇ

 

 

 

 

 

 

 

 

ଦେଖାଅ ତମ ଡମ ଯେବେ

ହସି ସେ ଉଡ଼ାଇଣ ଦେବେ

ଏଡ଼େ ଦମ୍ଭ ଯା ମେରୁ ମଜା

ସେ କିମ୍ପାକାର ହେବେ ପ୍ରଜା

ସେତ ଭୋଗନ୍ତି ନିଜ ରାଜ୍ୟ

ତାଙ୍କରି କି କରେ ଇଂରାଜ

ଆସିଲେ ଆସନ୍ତୁ ସାହେବ

ତୁମ୍ଭ ସମାନବାବୁ ସଭ୍ୟ

 

 

 

 

ତାଙ୍କୁ କେ କରିପାରେ କାବୁ

ସେ ତ ନିଜର ନିଜେ ପ୍ରଭୁ

ଏ ଯେ ନିରୀହ ଗ୍ରାମବାସୀ

ସର୍ବଦା ସଭ୍ୟତା ଉଦାସୀ

ଦେଶର ଅନ୍ଧାରି କୋଣରେ

ବାସ କରନ୍ତି ଯେଉଁ ନରେ

କିପରି ତାଙ୍କ ବେଶ ବାସ

କିପରି ବରନ୍ତି ନିବାସ

 

 

 

 

କିପରି ପୋଷନ୍ତି ଉଦର

ଆମ୍ଭଙ୍କୁ ସେତ ଅଗୋଚର

ଯାହାଙ୍କ ମୁଖିଆ ବୋଲାଇ

ସ୍ୱରାଜ ମାଗୁ ଯାହା ପାଇଁ

ଆପଣା ବଡ଼ ପଣ ଘେନି

ତାଙ୍କୁ ତ ନପାରିଲୁ ଚିହ୍ନି

ସେ ପୁଣି ରହି ଘର ପଛେ

ଆମ୍ଭର ନପାନ୍ତି ପରଚେ

 

 

 

 

ପାଠକ ମୋର କୁହା ମାନ

ଦେଶ ସେବାରେ ଯଦି ମନ

ଏ ରେଳ ପାପୁ ଯେ ମୁକତ

ସେହି ସ୍ଥାନଟି ଅଟେ ତୀର୍ଥ

ସେ ସ୍ଥାନେ ରହି ଦିନାକେତେ

ମିଶି ସେ ଲୋକଙ୍କ ସହିତେ

ଶିକ୍ଷା କରିବ ତାଙ୍କଠାରୁ

ସ୍ୱରାଜ କଥା ଯା ପଚାରୁ

 

 

 

 

 

 

 

 

ତେବେ ହୋ ହେବ ଉତପତି

ତୁମ୍ଭ ମନରେ ଦେଶ ଭକ୍ତି

ସ୍ୱରାଜ୍ୟ ସ୍ୱରଜ୍ୟ ଘୋଷିବା

ତେବେ ବା ପାଇବ ହୋ ଶୋଭା

ଏବେ ହୋ ବୁଝିବଣି ଭଲେ

ସଭ୍ୟତା ମୁଁ କାହାକୁ ବୋଲେ

ପ୍ରକୃତ ସଭ୍ୟତା ସଂସ୍କାର

ଅଟଇ ତାହା କି ପ୍ରକାର

 

 

 

 

ତୁମ୍ଭଙ୍କୁ ହୋଇବଣି ଜଣା

ଆଉ ନ ହେବ ପଥବଣା

ନବ୍ୟ ସଭ୍ୟତା ବୋଲି ଯାହା

ଏବେ ହୋ ହେଉଅଛି କୁହା

ପାଶ୍ଚାତ୍ୟ ଦେଶୁ ଆମଦାନୀ

ଏହାର ପାରିଲେଣି ଜାଣି

ଦେଶ ବଇରି ଦେଶଦ୍ରୋହୀ

ତା ସମ ପାପୀ ନାହିଁ କେହି

ପାଠକ ଉବାଚ

ତୁମ୍ଭେ କହିଲ ଯାହା ଯାହା

ମୋତେ ତ ଦିଶୁ ନାହିଁ ତାହା

ତୁମ୍ଭେ କହିବା ଅନୁସାରେ

ମୁଁ କାହିଁ ଦେଖିତ ନପାରେ

ତୁମ୍ଭେ ଗାଉଛ ଯାର ଗୁଣ

ସେ ଦେଶ କଥା କହେ ଶୁଣ

ଦେଖ ଦେଶର କୋଣେ କୋଣେ

ହାଲୋଳ ପଡ଼ିଛି କ୍ରନ୍ଦନେ

 

 

 

 

ଅସଂଖ୍ୟ ଅସଂଖ୍ୟ ବାଳିକା

ଯେ ଦେଶେ ହେଉଛନ୍ତି ବିକା

ଦୁଇ ବର୍ଷର ଶେଯ ଝୂଅ

ଯେ ଦେଶେ କରଇ ବିବାହ

ଯହିଁ ବାଳୁତ ଶିଶୁ କନ୍ୟା

ହୁଏ ବିଧବା ସ୍ୱାମୀହୀନା

ବାର ବର୍ଷର ସୁକୁମାରୀ

ଯେ ଦେଶେ ଭ୍ରୂଣ ଗର୍ଭେ ଧରି

 

 

 

 

ହେଉଛି ସନ୍ତାନର ମାତା

ଯେ ଦେଶୁ ଛାଡ଼ିଲା ବିଧାତା

ଯେ ଦେଶେ କୁଳ ବଧୂଗଣ

ଅନେକ ପତିରେ ବରଣ

ବରଜି ଆପଣାର ସ୍ୱାମୀ

ସେ ଦେଶ ରସାତଳ ଗାମୀ

ଯେ ଦେଶେ ଦେବତା ନିୟୋଗେ

ଯୁବତୀ ଦେବ ଦାସୀ ଲାଗେ

ଧର୍ମର ନାମେ କେତେ ନାରୀ

ରହନ୍ତି ବେଶ୍ୟା ବୃତ୍ତି ଧରି

ଏହି ସେ ଦେଶ ଏହି ରାଜ୍ୟ

ଏ ସଭ୍ୟତାରେ କେଉଁ କାର୍ଯ୍ୟ

ଧର୍ମର ନାମେ ଯେଉଁଠାରେ

ପ୍ରାଣୀଙ୍କୁ ପ୍ରାଣୀ ହତ୍ୟାକରେ

ଦିଅଁ ଦେବତା ନାମ ଧରି

ପଡ଼େ ନିରୀହ ପଶୁବଳି

ଏହିତ ଅଟେ ସେହି ଦେଶ

ଏହି ତ ସେ ଭାରତବର୍ଷ

ଏହିତ ତାହାର ସଭ୍ୟତା

ତୁମ୍ଭେ ହୋ ବଖାଣିଲ ଯଥା

ତୁମ୍ଭ କହିବା ଅନୁସାରେ

ଏ ଦେଶ ଯଦ୍ୟପି ସଂସାରେ

ହୋଇ ଥାଆନ୍ତା ଆଦରଶ

ତେମନ୍ତ ନିରୋଳ ନିର୍ଦ୍ଦୋଷ

ତେମନ୍ତ ଶୁଦ୍ଧ ସାଧୁଭାବେ

ଏ ଲୋକ ରହୁଥାନ୍ତେ ଯେବେ

ତେବେ ବା ତୁମ୍ଭ ଆଜ୍ଞା ଘେନି

ତାହାଙ୍କ ଗୁରୁ ଗୁରୁ ଜ୍ଞାନୀ

ବୁଲନ୍ତି ସେ ତୀର୍ଥ ସ୍ଥଳିରେ

ପବିତ୍ର ଗ୍ରାମ ଗହଳିରେ

ଗ୍ରାମ ଲୋକଙ୍କ ମଧ୍ୟ ବାସ

କରି ବା ପୁରାନ୍ତି ମାନସ

 

 

 

 

ସେ ଯେବେ ମୋ ବୁଦ୍ଧି ଗୋଚରେ

ନ ଲାଗେ ମୋତେ ସେ ପ୍ରକାରେ

ତେବେହୋ କହ କେଉଁ ଅର୍ଥେ

ଯିବଇଁ ସେହି ତୀର୍ଥ କ୍ଷେତ୍ରେ

ସଂପାଦକ ଉବାଚ

ପାଠକ ଭାରତ ସଭ୍ୟତା

ସଂବଂଧେ କହିଲି ଯେ କଥା

ଦେଖାଇ ଗଲ ଯେତେ ଦୋଷ

ସତ୍ୟ ଅଟଇ ସେ ଅବଶ୍ୟ

କିନ୍ତୁ ସେ ସଭ୍ୟତାର ଜାତ

ଏ କଥା କେଭେ ନୁହେ ସତ୍ୟ

ସେ ନୁହେ ସଭ୍ୟତାର ଅଙ୍ଗ

ନୁହେ ସଭ୍ୟତା ରଙ୍ଗ ଢଙ୍ଗ

 

 

 

 

ସବୁ ସଭ୍ୟତା ଅନ୍ତରାଳେ

ତ୍ରୁଟି ରହିଛି କାଳେ କାଳେ

ଦୁର୍ବଳ ମନୁଷ୍ୟର ମନ

ତେଣୁ ଏ ଦୋଷର ଉତ୍ପନ୍ନ

ସଭ୍ୟତା ସତ୍ତ୍ୱେ ଏ କଳଙ୍କ

ପଙ୍କେ ପଙ୍କିଳ ହୋନ୍ତି ଲୋକ

ତାହାକୁ ଦୂର କରେ ନରେ

କରିଛି କରୁଛି ଆବର

 

 

 

 

ସର୍ବଦା ସାଧୁ ସନ୍ଥ ଜନେ

ସମ୍ଭବି ଧର୍ମର ସ୍ଥାପନେ

ଏ ଯେତେ ଅଧର୍ମ ନିବାରି

ଯାଆନ୍ତି ଧର୍ମ ରାଜ୍ୟ କରି

ଏହାକୁ ବୋଲାନ୍ତି ସଂସ୍କାର

ଅବଶ୍ୟ କର୍ମ ମନୁଷ୍ୟର

ଆଜି ହୋ ଆମ୍ଭ ହୃଦୟରେ

ଯେ ନବ ଜାଗରଣ ସ୍ଫୁରେ

 

 

 

 

ସେହି ଶଳାକା ଅଗ୍ରେ ଧରି

ଏ ଦୋଷଦେବା ଦୂର କରି

ଦୂର ସେ ହୋଇବ ନିଶ୍ଚିତ

ତେଣେ ନ ହୁଅ ବିଚଳିତ

ପାଶ୍ଚାତ୍ୟ ସଭ୍ୟତାର ରୂପ

ଯାହାକୁ କହି ଆଧୁନିକ

ଯେମନ୍ତ ବର୍ଣ୍ଣନ ମୁଁ କରେ

ଘେନହେ ତାକୁ ଅବିକଳେ

ସେ ସଭ୍ୟତାର ପକ୍ଷପାତୀ

ଏହା ସ୍ୱୀକାର କରିଥାନ୍ତି

ଅତିରଞ୍ଜିତ ଅବା ମିଥ୍ୟା

ନାହିଁ ଏଥିରେ କେଉଁ କଥା

ଏବେ ହୋ ଆମ୍ଭ ଦୋଷ ଗୁଣ

ଯାହାକି କରିଲ ଶ୍ରବଣ

ଭାରତ ପ୍ରାଚୀନ ସଭ୍ୟତା

ତୋ ଆଗେ କହିଲି ମୁଁ ଯଥା

ଏ ସଭ୍ୟତାର ଅନୁରାଗୀ

ଏ ରୂପେ କହିଛନ୍ତି ଭାବି

ଏଦେଶେ ନାନା ଦୋଷତ୍ରୁଟି

ଅବଶ୍ୟ ଦିଶଇ ପ୍ରକଟି

ମନୁଷ୍ୟ ନୁହଇ ଦେବତା

କାହୁଁ ପାଇବ ସମ୍ପୂର୍ଣ୍ଣତା

ସମ୍ପୂର୍ଣ୍ଣ ଷୋଳ କଳା ଘେନି

ଈଶ୍ୱର ବିନା କେ ଜନମି

ଯେତେ ସଭ୍ୟତା ଏ ଜଗତେ

ଥିଲା ବା ହେବ ଭବିଷ୍ୟତେ

ଅଥବା ଅଛି ବିଦ୍ୟମାନ

କେ ନୂହେ ପୂର୍ଣ୍ଣ ଦୋଷ ହୀନ

କିନ୍ତୁ ଏ ଦେଖୁଛ ପ୍ରତ୍ୟକ୍ଷ

ଭାରତ ସଭ୍ୟତାର ଲକ୍ଷ୍ୟ

ଅଟଇ ନୀତିର ବିକାଶ

ଅନ୍ୟ ଯା କରୁଛନ୍ତି ନାଶ

ଆମ୍ଭର ନୀତି ମୂଳ ଦୁଆ

ଆଚାର ପରେ ହୋଇ ଠିଆ

ରହିଛି ଆମ୍ଭର ସଭ୍ୟତା

ଏ କଥା ନୁହଇ ଅନ୍ୟଥା

ଯେତେ ଅନୀତି ଅନାଚାର

ଲକ୍ଷ୍ୟ ଏ ନବ ସଭ୍ୟତାର

ତେଣୁ ଯେ ପାଶ୍ଚାତ୍ୟ ସଭ୍ୟତା

ତାକୁ ମୁଁ କହେଁ ବର୍ବରତା

 

 

 

 

 

 

 

 

ଆମ୍ଭର ସଭ୍ୟତା ଆସ୍ତିକ

ନାସ୍ତିକ ଯେତେ ଆଧୁନିକ

ନାସ୍ତିକ ପାଶ୍ଚାତ୍ୟ ସଭ୍ୟତା

ତେଣୁ ମୁଁ କହେଁ ବର୍ବରତା

ତେଣୁ ହେ ଯେତେ ଦେଶବାସୀ

ଅଛନ୍ତି ଦେଶର ହିତୈଷୀ

ଏ ଦେଶ ସଭ୍ୟତା

ଜଡ଼ିତ ରହିବାରେ ହିତ

 

 

 

 

ସନ୍ତାନ ଯେହ୍ନେ ମାତା କୋଳେ

ନିବିଡ଼ ଭାବେ ଆଶ୍ରା କରେ

ତେମନ୍ତ ଭାରତ ସଭ୍ୟତା

ଅଟଇ ସଭିଙ୍କର ମାତା

କର ହେ ତାହାକୁ ଆଶ୍ରୟ

ସେହି ଆମ୍ଭର ଗତି ଶ୍ରେୟ

 

Unknown

ଚତୁର୍ଦ୍ଦଶ ଅଧ୍ୟାୟ

ଭାରତର ମୁକ୍ତିମାର୍ଗ

ପାଠକ ଉବାଚ

ଭୋ ସଂପାଦକେ ଯାହା ଯାହା

ବୋଇଲି ଶୁଣିଲି ମୁଁ ତାହା

ସଭ୍ୟତା ସଂବନ୍ଧରେ ମତ

ଶୁଣିଲି ତୁମ୍ଭର ସମସ୍ତ

ମୁଁ ତାହା ଦେଖିବି ବିଚାରି

ଯୁକ୍ତି ଯୁକ୍ତ ସେ କେଉଁପରି

ଭଲେ ତା ନ ବୁଝି ନ ଜାଣି

କିପରି କହ ନେବି ମାନି

 

 

 

 

ଶୁଣିବା ମାତ୍ରେ ତତ୍‌କ୍ଷଣ

କରି ମୁଁ ନ ପାରେ ଗ୍ରହଣ

ନ ଚାହିଁ ତୁମ୍ଭେ ମଧ୍ୟ ତାହା

ବିଶ୍ୱାସ ମୋର ଅଟେ ଏହା

ଏବେ ବୁଝାଇ କହ ମୋତ

ତୁମ୍ଭ ବିଚାର ବୁଦ୍ଧି ମତେ

କହ ଧରିଲେ କେଉଁ ପଥ

ଭାରତ ହୋଇବ ମୁକତ

ଗାନ୍ଧି ଉବାଚ

ମୋ ମତ ସର୍ବେ ଯାନ୍ତୁ ମାନି

ମୁଁ ଏହା ନାହିଁ ଅନୁମାନି

ତୁମ୍ଭେ ମାନିଲେ ମାନିପାର

ଅଥବା କର ଅସ୍ୱୀକାର

ହେଉ ସେ ଅବା ଭଲ ମନ୍ଦ

ପସନ୍ଦ କିମ୍ବା ଅପସନ୍ଦ

ମୋହର ଚିନ୍ତା ନାହିଁ ତହିଁ

ସମୟ ବଳେ ଦେବ କହି

 

 

 

 

ମୁଁ ଯିବି କହି ମୋର ମତ

ମୋତେ ଯା ଦିଶୁଅଛି ସତ

ତୁମ୍ଭ ସମାନ ଯଦି କେହି

ପୁଚ୍ଛନ୍ତି ହୋଇଣ ଆଗ୍ରହୀ

ମୋ ମତ ତାହାଙ୍କ ନିକଟ

କରିବି ସିନା ପରକଟ

ତାହାର ସତ୍ୟାସତ୍ୟ ବାଣୀ

ସମୟେ ପାରିବେ ସେ ଜାଣି

ଭାରତ ସ୍ୱାଧୀନ କେମନ୍ତେ

ହୋଇବ ଶୁଣ ମୋହ ମତେ

ମୁଁ ତାହା ତୁମ୍ଭର ସମକ୍ଷେ

କହିଛି ପୁଣି ଅପ୍ରତ୍ୟକ୍ଷେ

ଏବେ ମୁଁ କହିବି ପ୍ରତ୍ୟକ୍ଷ

ପାଠକ ତାହା କର ଲକ୍ଷ୍ୟ

ଜଟିଳ ଭାବେ ଥିଲି କହି

ଏବେ ସରଳ କରିବଇଁ

ପରାଧୀନତା ବ୍ୟାଧି ପ୍ରାୟେ

ଦିନକୁ ଦିନ ବୁଦ୍ଧିପାଏ

ବ୍ୟାଧିର ପ୍ରକୃତ ଚିକିତ୍ସା

କରିବା ପାଇଁ ଥିଲେ ଇଚ୍ଛା

ତାହାର ଜଡ଼ ଦେଲେ ମାରି

ସେ ବ୍ୟାଧି ଯାଏ ଅପସରି

ତେମନ୍ତ ପରାଧୀନ ବ୍ୟାଧି

ଖୋଜିଣ ତାର ମୂଳ ଆଦି

ଘୁଞ୍ଚଲେ ସେ ମୂଳ ବିକାର

ପୁଣି ମିଳିବ ସ୍ୱାଧିକାର

ପାଠକ ଉବାଚ

ତୁମ୍ଭେତ ଏବେ କହିଗଲ

ଭାରତ ସଭ୍ୟତା ହିଁ ଭଲ

ସେ ଯେବେ ଅଟଇ ଏମନ୍ତ

ଜଗତେ ଶ୍ରେଷ୍ଠ ଶୁଦ୍ଧିମନ୍ତ

ସେ ସଭ୍ୟତାରେ ସଭ୍ୟ ଦେଶ

କିପାଇଁ କହ ପରବଶ

ଗାନ୍ଧି ଉବାଚ

ଆମ୍ଭ ସଭ୍ୟତା ଅଟେ ଶ୍ରେୟ

ଏଥିରେ ନାହିଁ ନା ସନ୍ଦେହ

ସକଳ ସଭ୍ୟତାର ମଣି

ଭାରତ ସଭ୍ୟତାକୁ ଗଣି

କିନ୍ତୁ ଏ ଅଖିଳ ଜଗତେ

ସଭ୍ୟତା ଥାଇ ଯେତେ ମତେ

ସବୁରି ପରୀକ୍ଷାର ଦିନ

ଆସଇ ହେବାକୁ ଉତ୍ତୀର୍ଣ୍ଣ

ଯେ ସେହି ପରୀକ୍ଷା ମୁହୂର୍ତ୍ତେ

ରହଇ ଦୃଢ଼ ମଜବୁତେ

ନୁହିଇ ବିଚଳିତ ଠୁଳେ

ସେଇ ସେ ସଙ୍କଟୁ ଉବୁରେ

ଅଗ୍ନିରେ ଯେସନେ କାଞ୍ଚନ

ସେ ସଭ୍ୟତାର ଝଳେ ବର୍ଣ୍ଣ

ଏବେ ସେ ପରୀକ୍ଷାରେ ବେଳେ

ଆମ୍ଭ ସଭ୍ୟତା ଅବହେଳେ

ତହିଁରୁ ପାଇବ ଉଦ୍ଧାର

ଏଥେଁ ସନ୍ଦେହ ନାହିଁ କାର

ଭାରତେ ଯେତେ ସୁତ ସୁତା

ନ ଥିଲା ହୃଦୟେ ଦାଢ୍ୟତା

ତେଣୁ ଏ ସଭ୍ୟତା ସଙ୍କଟ

ହୋଇଲା ଆସି ଉପସ୍ଥିତ

ତଥାପି ରହିଛି ସେ ଦୃଢ଼

ସର୍ବ ବିପଦ କରି ଦୂର

ଏଣୁ ସେ ସଂଙ୍କଟରୁ ମୁକ୍ତ

ହେବାକୁ ଅଟେ ସମରଥ

ଦେଖ ଆମ୍ଭର ଏ ସଭ୍ୟତା

ଲୋପ ନୋହିଛି ତାର ସତ୍ତା

ତଥାପି ତାର ପ୍ରଭାବରେ

ରହନ୍ତି ନାହିଁ ତ ସକଳେ

ଏ ଆମ୍ଭ ସଭ୍ୟତା ଆଲୋକେ

ଘେନନ୍ତି ନାହିଁ ସର୍ବଲୋକେ

ପଶ୍ଚିମ ଶିକ୍ଷା ଦୀକ୍ଷା ମୋହେ

ଯେ ଜନ ଅନ୍ଧ ପ୍ରାୟେ ହୋଏ

ପାଶ୍ଚାତ୍ୟ ସଭ୍ୟତାରେ ରସି

ଯେ ଜନ ହୃଦ କରେ ମସି

ଭାରତ ସଭ୍ୟତା ପ୍ରଭାବ

ନ କରିପାରେ ଅନୁଭବ

ଏମନ୍ତେ ଛନ୍ତି ଯେତେ ଲୋକ

ସେ ସବୁ ଦେଶର କଳଙ୍କ

ତାଙ୍କରି ଯୋଗୁଁ ଏ ସଭ୍ୟତା

ହୋଇଛି ଏଡ଼େ ହୀନବସ୍ଥା

ଆମ୍ଭେ ହୋ ଯେତେକ ମାନବ

ବୋଲାଉଁ ଆପଣାକୁ ସଭ୍ୟ

ପଡ଼ିଛୁ ଗୋଲାମି ପଣରେ

ସେ ଆମ ବୁଦ୍ଧି ଭ୍ରଂଶ କରେ

ଆପଣା ସଭ୍ୟତାକୁ ଭୁଲି

ପର ସଭ୍ୟତା ଶିରେ ତୋଳି

ନିଜେ ତ ପରର ଅଧୀନ

ଅନ୍ୟକୁ ମଣୁ ଦୀନହୀନ

ଆପଣେ ହୋଇଲୁ ଯେମନ୍ତ

ତେମନ୍ତେ ଦେଖୁଁ ଏ ଜଗତ

ଯେସନେ ପିତ୍ତଗ୍ରସ୍ତ ଜନ

ସଂସାର ଦେଖେ ପୀତବର୍ଣ୍ଣ

ଚର୍ମ ପାଦୁକା ପଦେ ଦେଇ

ଧରିତ୍ରୀ ମଣେ ଚର୍ମମୟୀ

ତେମନ୍ତେ ପାଶ୍ଚାତ୍ୟ ସଭ୍ୟତା

ପାଶେ ହରାଇ ସ୍ୱାଧୀନତା

ନିଜେ ହୋଇଛୁ ଦୀନହୀନ

ଆନଙ୍କୁ ମଣୁ ପରାଧୀନ

ଆମ୍ଭେ କାଙ୍ଗାଳ ସର୍ବହରା

ବୋଲିକି ଏହି ଦେଶ ସାରା

ସକଳେ ହୋଇବେ କାଙ୍ଗାଳ

ହସ୍ତରେ ଧରି ଭିକ୍ଷାଥାଳ

ପ୍ରକୃତ ସମଗ୍ର ଭାରତ

ନୁହଇ ପରଦାନତ

ଆମେ ଯେତେକ ସଭ୍ୟ ଦଳେ

ନିଜ ସ୍ୱରାଜ୍ୟ ପରେ ଦେଲେ

ତେଣୁଟି ଆମ୍ଭର ପତନ

ଏ ନୁହେଁ ମିଥ୍ୟା କଦାଚନ

ଆବର ଅନେକ ଦିଗରୁ

ଯଦ୍ୟପି ବିଚାର ହୋ କରୁ

ଆମ୍ଭରି ଦାସତ୍ୱର ଫଳେ

ସାରା ଭାରତ ଭୋଗ କରେ

ଏ କଥା ଦେଖ ହୋ ପ୍ରତ୍ୟକ୍ଷ

ଭାରତେ ଯେତେ ଯେତେ ଲୋକ

ହେଉ ସେ ବଡ଼ ଅବା ସାନ

ସଭିଙ୍କ ସ୍ୱାର୍ଥହିଁ ସମାନ

ଏକା ସୂତ୍ରରେ ପୁଷ୍ପ ହାର

ପୁଷ୍ପ ହୋଇଲା ପରକାର

ଗୋଟିଏ ବୋଇଲେ ଅଶୁଦ୍ଧ

ସମଗ୍ର ହାର ତଥା ବିଧ

ସେ ନୋହେ ଦେବତାର ଲାଗି

ସକଳେ ସମଭାବେ ଭୋଗୀ

ତେସନ ଥାଇ ଜଣ ଜଣ

ଜଣକେ ହୋଇଲେ ପତନ

ତାହର ପତନରୁ ଦୁଃଖ

ଭୋଗିବେ ଦେଶଯାକ ଲୋକ

ମୁଁ ଯେବେ ରହି ଏହ ଦେଶେ

ଚଳଇ ପରର ଆଦେଶେ

ନିଜେ ନ ହୋଇ ନିଜ ସ୍ୱାମୀ

କରିବି ପରର ଗୋଲାମି

ତାହାର ମନ୍ଦ ପରିଣାମ

ଭୋଗିବେ ଏ ଦେଶ ତମାମ

ମୁଁ ହେଲେ ପରର ଅଧୀନ

ଦେଶତ ନୁହଇ ସ୍ୱାଧୀନ

ମୁଁ ପୁଣି ସ୍ୱାଧୀନ ହୋଇଲେ

ଦେଶ ସ୍ୱାଧୀନ ହେବ ଭଲେ

ଜଣ ଜଣକେ ଦଶଜଣ

ମିଳିଣ ଏକ ଦେଶ ଜାଣ

ସ୍ୱାଧୀନ ହେଲେ ଜଣେ ଜଣେ

ସେ ଦେଶ ରହଇ ସ୍ୱାଧୀନେ

ନିଜ ଉପରେ ନିଜ ରାଜ୍ୟ

ତାହାକୁ କହଟି ସ୍ୱରାଜ୍ୟ

ପ୍ରତ୍ୟେକ ନିଜ ନିଜ ବଳେ

ରହିବେ ଯଦି ଏ ରାଜ୍ୟରେ

ଏ ପରାଧୀନତାର ମୂଳ

ନିଜ ଅଙ୍ଗରୁ କରି ଦୂର

ସ୍ୱଚ୍ଛ ନିର୍ମଳ ଶୁଦ୍ଧମନେ

ସର୍ବେ ରହିବେ ସ୍ୱଅଧୀନେ

ଦେଶର ସ୍ୱାଧୀନତା ଧନ

ଅବଶ୍ୟ କରିବେ ସାଧନ

ଏମନ୍ତେ ଅଟଇ ସ୍ୱରାଜ୍ୟ

ନୁହଇ ତାହା ସ୍ୱପ୍ନ ରାଜ୍ୟ

ଏ ଯେଉଁ ସ୍ୱରାଜ୍ୟ ସ୍ଥାପନା

ନୁହିଇ ତୁଚ୍ଛା କଳପନା

ଖିଚିଡ଼ି ଖାଇ ମନେ ମନେ

ସ୍ୱରାଜ୍ୟ ଦେଖିଲେ ସପନେ

ସ୍ୱରାଜ୍ୟ କଦାପି ନଆସେ

ସେ ଆପେ ଆପଣା ପ୍ରୟାସେ

ନିଷ୍କ୍ରିୟ ନିଷ୍କର୍ମାର ଭାବ

ନୁହଇ ସ୍ୱରାଜ୍ୟ ସ୍ୱଭାବ

ମୁଁ ଯେଉଁ ସ୍ୱରାଜ୍ୟ ସ୍ୱରୂପ

କରଛି ମନେ ସଂକଳପ

କରିବ ଯେ ତା ଅନୁଭବ

ବୁଝିବ ସେ ତାହାର ଭାବ

ଥରେ ଯେ ଚାଖିବ ସେ ମଧୁ

ସେ ସିନା ଜାଣେ ତାର ସ୍ୱାଦୁ

ସେ ପୁଣି ଜୀଇଥିବା ଯାକେ

ଚଖାଉଥିବ ଅନ୍ୟ ଲୋକେ

ଅନ୍ୟଙ୍କୁ ଦେଖାଇ ସେ ମାର୍ଗ

କରିବ ସେ ତାର କର୍ତ୍ତବ୍ୟ

କିନ୍ତୁ ଏ ସ୍ୱରାଜ୍ୟର ମୂଳ

ଅଟଇ ନିଜ ହୃଦ ସ୍ଥଳ

ଯେ ଜନ ନିଜ ହୃଦଗତେ

ବିଚାରେ ସ୍ୱାଧୀନ ନିରତେ

ଯେ ଭାବେ ମୁଁ ଅଟେ ସ୍ୱାଧୀନ

ମୁଁ ନୁହେଁ କାହାର ଅଧୀନ

ମୁଁ ନିଜେ ଲଭିଛି ସ୍ୱରାଜ୍ୟ

କରୁଛି ସ୍ୱରାଜ୍ୟର କାର୍ଯ୍ୟ

ସେ ଜାଣେ ସ୍ୱରାଜ୍ୟର ଅର୍ଥ

ସ୍ୱରାଜ୍ୟ ଦେବାରେ ସମର୍ଥ

ନିଜେ ସ୍ୱାଧୀନ ଅଟେ ବୋଲି

ଯେ ଜନ ଯାଇଥାଏ ଭୁଲି

ସେ କାହିଁ ଅନ୍ୟକୁ ଉଦ୍ଧାର

ଦେଖିଛ କିହେ କରିବାର

ଯେ ନିଜେ ଜଳେ ବୁଡ଼ି ମରେ

ସେ କି କେ ଆନକୁ ଉଦ୍ଧାରେ

ଯେ ନିଜେ ଅଟଇ ଗୋଲାମ

ଏମନ୍ତେ ଯାର ଭାଗ୍ୟ ବାମ

ସେକି କରଇ ଅନ୍ୟେ ସୁଖୀ

ଗୋଲାମି କବଳରୁ ରଖି

ତୁମ୍ଭେ ତ ଏବେ ଗଲ ବୁଝି

ଏ ଦେଶେ ଅଛନ୍ତି ଇଂରାଜୀ

ସେ ଯେବେ ଯାଆନ୍ତି ବାହାରି

ଲାଭହିଁ ନୋହିବ କାହାରି

ସ୍ୱରାଜ୍ୟ ଲାଭ ହେବାପାଇଁ

ତାହାର ଆବଶ୍ୟକ ନାହିଁ

ସେ ଯେବେ ଭାରତୀୟ ବେଶେ

ରହନ୍ତି ଏ ଭାରତ ଦେଶେ

ଆମରି ପରି କାରବାର

ଆମ୍ଭର ସଭ୍ୟତା ସ୍ୱୀକାର

ଆମର ସୁଖେ ଦୁଃଖେ ଭାଗି

ରହନ୍ତେ ଆମ୍ଭର ପାଶେ ଲାଗି

ବିଲାତ କରି ନିଜ ଘର

ଆମ୍ଭଙ୍କୁ ନ କରନ୍ତେ ପର

ଖାଦକ ଖାଦ୍ୟର ସମ୍ବନ୍ଧ

ହୋଇ ଯାଆନ୍ତା ଯେବେ ବନ୍ଦ

ତେବେ ଇଂରାଜେ ଆମ୍ଭ ସାଥେ

ମିଳାଇ ନେବା ଅବିରତେ

ନରଖି ଆତ୍ମ ପରେ ଭେଦ

ମନରୁ ଘୁଞ୍ଚିଯିବ ଖେଦ

ସେ ଯେବେ ତେମନ୍ତ ନକରି

ଆପଣା ପ୍ରଭୁତ୍ୱ ପ୍ରସାରି

ଆପଣା ରଙ୍ଗ ଢଙ୍ଗ ସହ

ଜୀବନ କରନ୍ତି ନିର୍ବାହ

ରଖି ନିଜର ବିଶେଷତ୍ୱ

ଦାବୀ କରନ୍ତି ତାଙ୍କ ସତ୍ୱ

ରଖିଣ ନିଜର ପ୍ରାଧାନ୍ୟ

ଆମ୍ଭଙ୍କୁ କରୁଥିବେ ସାନ

ଏକାଠି ଘର ଏକ ଜାଗା

ତଥାପି ରହନ୍ତି ଅଲଗା

ତେବେ ନଦେବା ତାଙ୍କୁ ସ୍ଥାନ

ହେଲେହେଁ ସୂଚ୍ୟଗ୍ର ପ୍ରମାଣ

ତଥାପି ଯଦି ବଳେ ପଶି

ଏ ଦେଶେ ଆସିଯାନ୍ତି ବସି

କରନ୍ତି ବଳ ବଳାତ୍କାର

କରିବା ନାହିଁ ତା ସ୍ୱୀକାର

ଭିଆଇ ଦେବା ପରିସ୍ଥିତି

ସେ ଯେହ୍ନେ ପଶି ନ ପାରନ୍ତି

ଏ ଭୂମି ନ ପାରନ୍ତି ମାଡ଼ି

ଅବସ୍ଥା ଦେବା ସୃଷ୍ଟି କରି

ତାଙ୍କ ରହିବା ଅସମ୍ଭବ

କରିବା ଆମ୍ଭର କର୍ତ୍ତବ୍ୟ

ଆମ୍ଭର ଅଛି ସେ କ୍ଷମତା

କରି ପାରିବା ସେଇ କଥା

ପାଠକ ଉବାଚ

ତୁମ୍ଭେ ତ କହୁଛ ବିଚିତ୍ର

ଶତ୍ରୁ କି କେବେ ହେବ ମିତ୍ର

ଗୋରାଏ ହୋଇବେ କି କଳା

ମୋତେ ତ ଆଶ୍ଚର୍ଯ୍ୟ ଲାଗିଲା

ଦେଶୀଙ୍କ ପରାଏ ସାହେବ

ହେବା ତ ଅତି ଅସମ୍ଭବ

ଗାନ୍ଧି ଉବାଚ

ତୁମ୍ଭେ ହୋ କହୁଛ ଯେମନ୍ତ

ସେ କଥା ଯଦି ହୁଏ ସତ୍ୟ

ଇଂରାଜୀମାନେ ଆମ୍ଭ ସମ

ହେବାକୁ ଯଦ୍ୟପି ଅକ୍ଷମ

ତେବେତ ତାଙ୍କୁ ଅମନୁଷ୍ୟ

ବୋଲିହିଁ କହିବା ଅବଶ୍ୟ

ଯେଜନ ଯେଉଁ ଦେଶେ ଯାଏ

ସେ ଯଦି ସେ ଫଳ ନ ଖାଏ

ସେ ଯହି ତହିଁ ଟେକେ ନାକ

ବୋଲିବା ତାକୁ ଅବିବେକ

ଆମ୍ଭ ଦେଶରେ ଘର କରି

ଆମ୍ଭର ପରାଏ ଆଚରି

ଇଂରାଜେ ନ ପାରିଲେ ରହି

ଅଥବା ଅନ୍ୟ ଜାତି କେହି

ତେଣେ ଆମ୍ଭର ହାନି ଲାଭ

ତିଳେ ହେଲେହେଁ ନହୋଇବ

ଆମ୍ଭେ ହା ଯଦି ଆମ୍ଭ ଘର

ରଖିବା ଯତନ ସୁନ୍ଦର

ତହିଁକି ଯୋଗ୍ୟ ପାତ୍ର ଯେହୁ

ସେ ଆସି ସେହି ଘରେ ରହୁ

ଯେ ତହିଁ ହୋଇବ ଅଯୋଗ୍ୟ

ତା ଭାଗ୍ୟେ ନୋହିବ ସେ ଭୋଗ୍ୟ

ଚନ୍ଦ୍ରମା ହେଲେହେଁ ସୁନ୍ଦର

ତାହାକୁ ନିନ୍ଦୁଥାଇ ଚୋର

ଅକର୍ମା ନିନ୍ଦା କରେ ଭୂମି

ତେଣୁ ସେ ନୁହଇ ଭୂସ୍ୱାମୀ

ଯହିଁକି ଯେ ନୁହେଁ ଭାଜନ

ଭୋଗ ନହୁଏ କଦାଚନ

ନଆସି ଆମ୍ଭର ନିକଟେ

ଇଂରାଜେ ଯବେ ନିଜ ବାଟେ

ଏହାର ସତ୍ୟାସତ୍ୟ ବାଣୀ

ଜାଣନ୍ତି ଜଗତର ପ୍ରାଣୀ

ମନୁଷ୍ୟ ଏହା ଜୀବନରେ

ନିଶ୍ଚୟ ଅନୁଭବ କରେ

ପାଠକ ଉବାଚ

ଇତିହାସରେ କେବେ କାହିଁ

ମୁଁ ତ ଏପରି ପଢ଼ିନାହିଁ

ଗାନ୍ଧି ଉବାଚ

ଯାହା ନକହେ ଇତିହାସ

ତାହାକି ନକର ବିଶ୍ୱାସ

ଇତିହାସରେ ଯାହା ନାହିଁ

ତାହାକି ନ ଘଟିଛି କାହିଁ

ପୋଥିରେ ଯାହା ନାହିଁ ଲେଖା

ସେ ପୁଣି ନ ଯାଏ କି ଦେଖା

ଏ ନର ଦେହେ ଯେତେ ଶକ୍ତି

ନାହିଁ ଯା ଆସ୍ଥା ତଥିପ୍ରତି

ସେ ସିନା ବୋଲଇ ଏପରି

ନିଜକୁ ନିଜେ ହାସ୍ୟ କରି

ଯେ ନର ଅଟେ ବଳବନ୍ତ

ସେ କଭେ ନବୋଲେ ଏମନ୍ତ

ଯେ ଥିବ ପ୍ରକୃତ ପୁରୁଷ

ଆତ୍ମବିଶ୍ୱାସେ ତାର ଯଶ

ତେଣୁ ତାହାକୁ ଯାହା ରୁଚେ

ସେ ତାର କରଇ ପରଚେ

ଯେ କଥା ନହୋଇଛି କାହିଁ

ସେ ଲାଗି ତାହା ଛାଡ଼େ ନାହିଁ

ଆପଣା କର୍ତ୍ତବ୍ୟରେ ପଟୁ

ସେ କାହିଁ ଘଟୁ ବା ନ ଘଟୁ

ପୁରୁଣା ଅବା ହେଉ ନୂଆ

କରି କରାଇ ଦେଖେ ତାହା

ଯାହା ସେ ଉଚିତ ବିଚାରେ

ସେ କାର୍ଯ୍ୟ ମନ ଦେଇ କରେ

ଅଦ୍ଭୁତ ହେଲେହେଁ ଉତ୍ସାହ

ନାହିଁ ତହିଁରେ ତିଳେ ଭୟ

ଦେଖ ହୋ ଏ ମହୀ ମଣ୍ଡଳ

ଯେତେ ରାଇଜ ଯେତେ ସ୍ଥଳ

ସକଳେ ନୁହନ୍ତି ସମାନ

ବିଲଗ ସର୍ବେ ଆନୁଆନ

ତହିଁରେ ବିଚିତ୍ର ଭାରତ

କେ ପୁଣି ତାକୁ ସାମରଥ

ଅନ୍ୟ ଦେଶର ଇତିହାସ

ଯେମନ୍ତ ହୋଇଛି ପ୍ରକାଶ

ଏ ପୁଣ୍ୟ ମଣ୍ଡଳ ଭାରତେ

ହୋଇ ତ ନାହିଁ ସେହିମତେ

ତେଣୁ ତା ଇତିହାସ ସଙ୍ଗେ

ତୁଳନା ନୁହେଁ କେ ପାସଙ୍ଗେ

ତୁମ୍ଭଙ୍କୁ କହିଛି ମୁଁ ପୁଣି

ଇତିହାସରୁ କଥା ଆଣି

ଦେଖ ଏ ଭାରତର ତୁଲେ

କେତେ କେତେ ଯେ ଦେଶ ଗଲେ

ଅକାଳେ ପାଇଣ ବିକାଶ

କେବେ ସଭ୍ୟତା ଗଲେ ନାଶ

ତଥାପି ଭାରତ ସଭ୍ୟତା

ଟେକି ରହିଛି ତାର ମଥା

କେତେ ଯେ ଧକା ସହି ସହି

ଅଦ୍ୟାପି ବଞ୍ଚିଅଛି ରହି

ପାଠକ ଉବାଚ

ତୁମ୍ଭେ ଯା କହିଲ ସମସ୍ତ

ମୁଁ ତହିଁ ନୁହେଁ ଏକମତ

ଇଂରାଜୀମାନଙ୍କୁ ଏ ଦେଶୁଁ

ଯଦ୍ୟପି ଆମ୍ଭେ ତଡ଼ି ବସୁଁ

ନୋହିଲେ ହାତ ହତିଆର

ସହଜେ ହେବେକି ବାହାର

ପିଟି ତଡ଼ିବା ଛଡ଼ା କହ

ଆଉ କି ରହିଛି ଉପାୟ

ସେ ଏଥେ ଯାବତ ଅଛନ୍ତି

ଆମ୍ଭର ନାହିଁ ସୁଖ ଶାନ୍ତି

ପର ଅଧୀନ ଯେଉଁ ଜନ

ସୁଖତ ତାହାକୁ ସପନ

ଭାଗ୍ୟତ ତାହାକୁ ବିମୁଖ

ସ୍ୱପନେ ନ ପାଏ ସେ ସୁଖ

ତେଣୁ ହେ ଜାଣ ଏ ଇଂରାଜେ

ଯାବତ ଥିବେ ଆମ୍ଭ ରାଜ୍ୟେ

ତାବତ ହୋଇବୁ ଦୁର୍ବଳ

ସରିବ ଓଜ ତେଜ ବଳ

ତାଙ୍କୁ ତ ଆମେ ଡରି ଡରି

ନିଶ୍ୱାସ ନପାରୁଛୁ ମାରି

ତାହାଙ୍କୁ ଚାହିଁ ଭୀତତ୍ରସ୍ତ

ଗରିମା ରବି ହେଲେ ଅସ୍ତ

ଆମ୍ଭୁଙ୍କୁ କଲେଣି ଅକ୍ଷମ

ଏ ହେଲେ ଆମ କାଳ ଯମ

ଏହାଙ୍କୁ ନତଡ଼ିବା ଯାଏ

ମୋତେ ତ ନଦିଶେ ଉପାୟେ

ସଂପାଦକ ଉବାଚ

କହନ୍ତି ଗାନ୍ଧି ସଂପାଦକ

ପାଠକ ଧୀର ଚିତ୍ତେ ଦେଖି

ତୁମ୍ଭେତ ହେଉଛ ଉତଲା

ମୋ ବୋଲ ପାଶୋରିକି ଗଲା

ମୁଁ ଏହା କହିଅଛି ପୂର୍ବେ

ଆମେ ଭାରତବାସୀ ସର୍ବେ

ଇଂରାଜୀମାନଙ୍କୁ ବରଣି

କରିଣ ରଖିଅଛେ ଆଣି

ତାଙ୍କ ସଭ୍ୟତା ପାଶେ ବଣା

ହୋଇତା କରିଛୁ ଆପଣା

ବ୍ୟାଧିର ବାଗୁରାରେ ପକ୍ଷୀ

ବିଚାରେ ଏ ମୋ ଆତ୍ମରକ୍ଷୀ

ତେମନ୍ତ ଇଂରାଜ ସଭ୍ୟତା

ବିଗାଡ଼ି ଦେଲା ଆମ ମଥା

ତେଣୁ ସେ ଏଥେ ଗଲେ ଥାକି

ଏହାକି ନପାରୁଚ ଦେଖି

ତାହାଙ୍କ ସଭ୍ୟତାକୁ ଧରି

ଅନେକ ସମାଦର କରି

ତାହାଙ୍କୁ ଯେବେ କର ଘୃଣା

କି ଲାଭ ହେବେ ନାହିଁ ଜଣା

ଇଂରାଜୀମାନଙ୍କର ଦୋଷ

ଏଥିରେ ନାହିଁତ ବିଶେଷ

ତୁମ୍ଭେ କହୁଛ ଲଢ଼ି ଭିଡ଼ି

ତାହାଙ୍କୁ ଦେଶୁଁ ଦେବା ତଡ଼ି

କହକି ପନ୍ଥା ଅବଲମ୍ବ

କଲେ ତା ହୋଇବ ସମ୍ଭବ

ପାଠକ ଉବାଚ

ଯେହ୍ନେ ମେଜିନୀ ଗେରିବାଲଡ଼ି

ଦେଲେ ଇଟାଲି ଦେଶୁ ତଡ଼ି

ଏ ଦୁହେଁ ଜାଣ ଇଟାଲୀର

ମହାପୁରୁଷ ମହାବୀର

ଏହାଙ୍କୁ କରି ଆଦରଶ

ମୁକ୍ତ କରିବା ଆମ୍ଭ ଦେଶ

ସେ ଯାହା ଯାହା କରିଥିଲେ

ପାଳିବୁଁ ତାହା ତିଳେ ତିଳେ

ତାଙ୍କରି ପନ୍ଥା ଅନୁସରି

ଭାରତେ ଦେବୁଁ ମୁକ୍ତ କରି

 

Unknown

ପଞ୍ଚଦଶ ଅଧ୍ୟାୟ

ଭାରତ ଓ ଇଟାଲୀ

ସଂପାଦକ ଉବାଚ

ବୋଲନ୍ତି ଗାନ୍ଧି ସଂପାଦକ

ସୁଚିତ୍ତେ ଶୁଣ ହୋ ପାଠକ

ବୋଇଲ ଭଲ କଥା ଏକା

ଦେଇଣ ଇଟାଲୀ ଦାୟିକା

ମେଜିନୀ ଥିଲେ ମହାପ୍ରାଣ

କେ ହେବ ତାହାଙ୍କ ସମାନ

ଗେରିବଲଡ଼ିଙ୍କ ସମ ଯୋଦ୍ଧା

ନାହିଁ ନଥିବ ଏ ବସୁଧା

ସେ ହୁହେଁ ପୂଜ୍ୟ ମହନୀୟ

ତାହାଙ୍କ ଇଚ୍ଛ କି କେ ଦିଅ

ତାଙ୍କ ଜୀବନ ସୁଚରିତ

ଅଟଇ ମହିମା ମଣ୍ଡିତ

ତହୁଁ ଅନେକ କଥାମାନ

ଶିକ୍ଷା କରିବା ପ୍ରୟୋଜନ

କିନ୍ତୁ ମୁଁ କହି ରଖେ ମୂଳୁଁ

ଭାରତ ଭିନ୍ନ ଇଟାଲୀରୁ

ବେନିଙ୍କ ନୁହେଁ ସମ ଦଶା

ସେ କାହୁଁ ହୋଇବେ ସରିସା

ଏବେ ହୋ ମନ ଦେଇ ଶୁଣ

ମୁଁ ତାର କହିବି ପ୍ରମାଣ

ଭାତର କଥାତ ଗୋଚର

ଏବେ ଇଟାଲୀ କଥା ଧର

ମେଜିନୀ ଗେରିବଲ୍ଡ଼ି ଦୁହେଁ

କେହି କାହାରି ସରି ନୁହେଁ

ଦୁହିଙ୍କ ମାର୍ଗ ଦୁଇ ଦିଗେ

ଯେଝାର ପଥେ ଚାଲେ ଆଗେ

ମେଜିନୀ ଯେମନ୍ତ ଇଟାଲୀ

କଳ୍ପନା କରି ଗଲେ ଚାଲି

ତେମନ୍ତ ଇଟାଲୀ ଜନମ

ନାହିଁ ନୋହିଲା ଧରାଧାମ

ଇଟାଲୀ ବାସୀଙ୍କୁ ମେଜିନୀ

ଶୁଣାଇଥିଲେ ଯେଉଁ ବାଣୀ

ଇଟାଲୀ ତାହା ଶୁଣିନାହିଁ

ସେଭଳି ଗଢ଼ା ହେବାପାଇଁ

ନରର କର୍ତ୍ତବ୍ୟ କେବଣ

ସେ ତାହା କଲେ ନିରୁପଣ

ନିଜ ଉପରେ ନିଜ ରାଜ୍ୟ

ସେ ତାକୁ କହିଲେ ସ୍ୱରାଜ୍ୟ

ଆତ୍ମାକୁ ଯେ କରେ ଶାସନ

ସେଟି କର୍ତ୍ତବ୍ୟ ପରାୟଣ

ମେଜିନୀଙ୍କର ଏହି ବାଣୀ

ନ ଥିଲେ ଗେରିବଲଡ଼ି ଶୁଣି

ଦେଶବାସୀଙ୍କୁ ସେ ହକାରି

କରିଲେ ଅସ୍ତ୍ର ଶସ୍ତ୍ର ଧାରୀ

ସଜାଇ ନାନାୟୁଧ ଅଙ୍ଗେ

ଯୁଝିଲେ ଅଷ୍ଟ୍ରିୟାର ସଙ୍ଗେ

ଇଟାଲି ଅଷ୍ଟ୍ରିୟା ଅଧୀନ

ରହିଣ ଥିଲା ବହୁଦିନ

ଉଭୟ ଦେଶର ସଭ୍ୟତା

ମଧ୍ୟେ ନଥିଲା ବିଭିନ୍ନତା

ଦୁଇ ଦେଶର ଏକ ରୀତି

ଯେସନ ଭାଇବନ୍ଧୁ ଜ୍ଞାତି

କେବଳ ଏତିକି ପ୍ରଭେଦ

ଶାସକ ଶାସିତର ଭେଦ

ଅଷ୍ଟ୍ରିୟା ଥିଲାଟି ସ୍ୱାଧୀନ

ଇଟାଲି ତାହାର ଅଧୀନ

ତେଣୁ ଏ ଇଟାଲୀର ଯୁଦ୍ଧ

ହେଲା ଘେନିବା ପ୍ରତିଶୋଧ

ଅଷ୍ଟ୍ରିୟା କବଳୁ ମୋଚନ

ଗ୍ୟାରିବଲ୍ଡ଼ିଙ୍କ ଲକ୍ଷ୍ୟ ଜାଣ

ସ୍ୱାଧୀନ ହୋଇବ ସ୍ୱଦେଶ

ତେଣେଟି ତାହାଙ୍କର ଆଶ

ଯେନ ବା ତେନ ପ୍ରକାରେଣ

କଲେ ସେ କାର୍ଯ୍ୟର ସାଧନ

ଖାଲି ଅଷ୍ଟ୍ରିଆ ରାଜଦଣ୍ଡ

କରି ସେ ଦେଲେ ଖଣ୍ଡ ଖଣ୍ଡ

ଦୈହିକ ସ୍ୱାଧୀନତା ପାଇ

ଗଲେ ସେ କ୍ଷଣେ ତୋଷହୋଇ

ତହୁଁ ଯେ ନୈତିକ ପତନ

ତହିଁକି ନକଲେ ସେ ଧ୍ୟାନ

କାବୁର ନାମେ ଥିଲେ ମନ୍ତ୍ରୀ

ତାହାଙ୍କ ସଙ୍ଗେ ଷଡ଼ଯନ୍ତ୍ରୀ

ଭିଆଇ ଦେଲେ ଯେଉଁ ଲୀଳା

ସେ ତାଙ୍କୁ ଶୋଭା ନ ପାଇଲା

ଆପେ ସେ ଆପଣାର କାମେ

କଳଙ୍କ ଲେପିଲେ ସୁନାମେ

ତାହାର ବିଷମୟ ଫଳ

ଇଟାଲି ଭୋଗେ କାଳ କାଳ

ଇଟାଲି ଅଷ୍ଟ୍ରିୟା କବଳୁଁ

ମୁକୁଳିଲାଣି ଯେଉଁ କାଳୁ

ସେଦିନୁ ତାର ପ୍ରଜାଗଣେ

ସୁଖୀ ନୋହିଲେ କେଉଁ ଗୁଣେ

ତେଣୁ ଯା ମୁକତି ବୋଲୁଛ

ନୁହେଁ ମୁକତ ପଦବାଚ

ତୁମ୍ଭେ କହିବ ଯଦି ମୁଖେ

ଇଟାଲି ଅଛି ମହାସୁଖେ

ମୁଁ କହେ ଅନ୍ଧାରରେ ପଡ଼ି

ତୁମ୍ଭେ ହୋ କହୁଛ ଏପରି

ମେଜିନୀ ଏହି ବଷୟରେ

କହି ଅଛନ୍ତି ସ୍ପଷ୍ଟ ସ୍ୱରେ

ଇଟାଲି ଏବେ ବି ମୁକତ

ହୋଇତ ନାହିଁ କଦାଚିତ

ଏ ସ୍ୱାଧୀନତା ନିରର୍ଥକ

କେବଳ ନାମକୁ ମାତ୍ରକ

ଇଟାଲୀ ରାଜା ଇମାନୁଲ

ଥିଲେ ସାମନ୍ତ ରାଜା ତୁଲ୍ୟ

ସେ ଏବେ ଇଟାଲି ରାଇଜେ

ସ୍ୱାଧୀନ ବୋଲାଇଲେ ନିଜେ

ତାଙ୍କର ସ୍ୱାଧୀନତା ଅର୍ଥ

ମ୍ୟଜିନୀଙ୍କର ବିପରୀତ

କାବୁର ଗାରିବଲ୍‌ଡ଼ି ପୁଣି

ଇମାନୁଲଙ୍କ ସଙ୍ଗେ ଘେନି

ଏହାଙ୍କ ମତରେ ଇଟାଲି

ବଡ଼ ବଡ଼ଙ୍କୁ ଘେନି ଖାଲି

ଇଟାଲି ଅର୍ଥ ଇମାନୁଲ

ତାଙ୍କର ଦାସ ଦାସୀ ପଲ

ରାଜାହିଁ ଦେଶର ବିଧାତା

ତାଙ୍କ ସ୍ୱାଧୀନେ ସ୍ୱାଧୀନତା

ତାଙ୍କର କୁଶଳେ କୁଶଳ

ଏମନ୍ତ ମତ ତାହାଙ୍କର

ରାଜାଙ୍କ ଶିରେ ବାନ୍ଧି ପାଟ

ସେ ହେଲେ ସ୍ୱାଧୀନ ସମ୍ରାଟ

ତାହାଙ୍କ ପାତ୍ର ପାତ୍ରୀଗଣ

କରିଲେ ଯଥେଚ୍ଛା ଶାସନ

ତାହକୁ କହି ସ୍ୱାଧୀନତା

ଶୁଣ ହୋ ଏହାଙ୍କର କଥା

ମେଜିନୀଙ୍କର କଥା ମତେ

ସ୍ୱରାଜ୍ୟ ନ ହୁଏ ଏମନ୍ତେ

ଦେଶର ପ୍ରଜା ସାଧାରଣ

ଯେ ଦେଶେ ଅଟନ୍ତି କାରଣ

ଯେ ଦେଶେ ଚାଷୀ ନିଜ କ୍ଷେତେ

ଚାଷି ଭୋଗଇ ଇଚ୍ଛା ଯେତେ

ଇମାନୁଲଙ୍କ ପରି ଲୋକ

ଯେ ଦେଶେ ପ୍ରଜାର ସେବକ

ପ୍ରଜାର ସେବାକାରୀ ରାଜା

ସେ ଦେଶେ ଉଡ଼େ ମୁକ୍ତି ଧ୍ୱଜା

ମେଦିନୀ ଏମନ୍ତ ଇଟାଲୀ

କଳପନାରେ ଥିଲେ ଭାଳି

ତାହାଙ୍କ ଇଟାଲୀର ଅର୍ଥ

ଚାଷୀ ମୂଲିଆ ଶତ ଶତ

ଦେଖ ହୋ ଆଜ ଇଟାଲିକି

ସେ କି ମାଜିନୀ ମନେଲାଖି

ମେଜିନୀ କଳ୍ପିତ ଇଟାଲି

କେ କହେ ସ୍ୱାଧୀନ ସେ ବୋଲି

ସେ ଅଟେ ନିଜ ଘରେ ଦାସ

ନ ଫିଟେ ଗୋଲାମିର ଫାଶ

ରାଷ୍ଟ୍ରୀୟ ଯୁଦ୍ଧ ବୋଲି କହି

ଯେତେ ସମର ଯାଏ ହୋଇ

ସେ ରାଜା ରାଜାଙ୍କର ଦ୍ୱନ୍ଦ୍ୱ

ରାଷ୍ଟ୍ରର କିବା ଭଲମନ୍ଦ

ଜାତିର ସ୍ୱାଧୀନତା ନାମେ

ପଶନ୍ତି ଯେ ଲୋକ ସଂଗ୍ରାମେ

ଜାତିର ନାମେ ହୋନ୍ତି ହଣା

ସେ ଖାଲି ମିଥ୍ୟା ପ୍ରତାରଣା

ଏ ଯୁଦ୍ଧ ଅଟେ ଜୁଆଖେଳ

ରାଜାଙ୍କ ମଧ୍ୟରେ ପ୍ରଚଳ

ପ୍ରଜାଏ ତହିଁସାର ହୋନ୍ତି

ଦାନ ପଡ଼ିଲେ ବାହିଯାନ୍ତି

ନ ଥାନ୍ତି ଆପଣା ଆୟତେ

ଜୀବନ ବିକି ପର ହସ୍ତେ

ଦେଖାଏ ଇଟାଲିର ଦଶା

ହେଲାଣି ଦୁଃଖରେ ବିବଶା

ଚାଷୀ ମୂଲିଆ ଏ ଦେଶରେ

ଅବସ୍ଥା କହଲେ ନ ସରେ

ସେ ଯେତେ ଡ଼ାକନ୍ତି ତୁହାଇ

ଶ୍ରବଣ ନ ଡ଼େରନ୍ତି କେହି

ତେଣୁ ସେ ହୋଇ ନିରାଶ୍ରୟ

ନିରାଶେ କରନ୍ତି ବିଦ୍ରୋହ

ହୁଅନ୍ତି ଶାସନ ବିରୋଧୀ

ବୁହାନ୍ତି ଦେଶେ ରକ୍ତନଦୀ

ଏବେତ ଅଷ୍ଟ୍ରିୟା ସଇନେ

ନାହିଁ କେ ଇଟାଲୀରେ ଜଣେ

ତଥାପି ଧନ ଜନପଦ

ନାହିଁ କାହାର ନିରାପଦ

ସର୍ବଦା ମୂଲିଆ ବିଦ୍ରୋହ

ଲୋକଙ୍କ ପ୍ରାଣେ ଆଶେ ଭୟ

ଅଷ୍ଟ୍ରିୟା ଶାସନର ଅନ୍ତେ

ଲାଭତ ନୋହିଲା ତେମନ୍ତେ

ଯଦି ବା କହ ଲାଭ ବୋଲି

ସେ ଅତି ନଗଣ୍ୟ ମାମୁଲି

ଯେ ଲାଭ ଆଶେ କରି ଗଣ

ଅସଂଖ୍ୟ ବରିଲେ ମରଣ

ଯେଉଁ ମଙ୍ଗଳ ପାଇଁ ଯୁଦ୍ଧ

ବହୁତ ଲୋକ ହେଲେ ବଧ

ନୋହିଲା ସେଭଳି ସଂସ୍କାର

ନିରାଶା ମାତ୍ର ହେଲା ସାର

ଅଧିକ ଭାଗ ଲୋକ ଏବେ

ଅଛନ୍ତି ରହି ସେହି ଭାବେ

ଏମନ୍ତ ଦଶା ଭାରତର

ତୁମ୍ଭେତ କାମନା ନ କର

ଭାରତେ କୋଟି କୋଟି ଲୋକେ

କାଟନ୍ତୁ କାଳ ମନ ସୁଖେ

ଏହାହିଁ ତୁମ୍ଭର କାମନା

ଏ କଥା ମୋତେ ଅଛି ଜଣା

କେବଳ ଧରି ରାଜ୍ୟ ଡ଼ୋରି

ଶାସନ କରିବାକୁ ଜାରି

ତୁମ୍ଭର ନୁହେଁ ଅଭିଳାଷ

ଏ କଥା ହୋଇଛି ପ୍ରକାଶ

ଆପଣା ଲୋକେ ହୋଇ ରାଜା

ସୁଖରେ ନ ରହିଲେ ପ୍ରଜା

କି ଲାଭା ପାଇ ସେ ସ୍ୱରାଜ୍ୟ

ଆମ୍ଭର ତହିଁ କିବା କାର୍ଯ୍ୟ

ବହୁତ ଅଛି ଗଡ଼ଜାତ

ଦେଶୀୟ ରାଜାଙ୍କ ଆୟତ୍ତ

ଦେଖ ସେ ଅନ୍ଧାରି ମୂଲକେ

ବହୁତ ଦୁଃଖେ ଅଛନ୍ତି ଲୋକେ

ନାନାଦି ଅତ୍ୟାଚାରେ ପେଶି

ହୁଅନ୍ତି ଗଡ଼ଜାତବାସୀ

ରାଜାଏ ପ୍ରଜାଏ ନାଶନ୍ତି

ଗୁହାରି କଲେ ନ ଶୁଣନ୍ତି

ମୋଗଲବନ୍ଦୀରୁ ଅଧିକ

ଦୁଃଖେ ରହନ୍ତି ସେଠା ଲୋକ

ଆମରି ଲୋକ ହୋଇ ରଜା

ଅନ୍ୟାୟେ ଦଣ୍ଡନ୍ତି ପରଜା

ତେମନ୍ତେ ପ୍ରକାରେ ଶାସନ

ନ ଇଚ୍ଛୁ ଆମେ କଦାଚନ

ତୁମ୍ଭର ଯଦ୍ୟପି କାମନା

କରିବା ସେ ରାଜ୍ୟ ସ୍ଥାପନା

ତୁମ୍ଭର ମୋହର ପ୍ରଭେଦ

କଦାପି ନ ହୋଇବ ଚ୍ଛେଦ

ତୁମ୍ଭର ମୋହର ଅମେଳ

ଲାଗି ରହିବ ଚିରକାଳ

ଏ ଦେଶୀ ରଜାଙ୍କ ଅଧୀନେ

ଦିନ ନେବାକୁ ଦୀନ ହୀନେ

ଇଂରାଜୀଙ୍କୁ ତ ଦେବା ତଡ଼ି

ଏ ଦୁଃଖ ଘୁଞ୍ଚିବ କିପରି

ଇଂରାଜୀ ତଡ଼ିବାକୁ ଯାଇଁ

ଗଡ଼ଜାତର ଯେତେ ଭାଇ

ସେ ଯେତେ ସହୁଛନ୍ତି ଦୁଃଖ

ତହିଁ କି ହବେ କି ବିମୁଖ

ଗୋରାଙ୍କୁ ତଡ଼ି ଦେବି ବୋଲି

ସେ ଦୁଃଖ ନ ଯିବଇ ଭୁଲି

ତାହାଙ୍କ ପରେ ଅତ୍ୟାଚାର

କରି ମୁଁ ନ ପାରେ ସ୍ୱୀକାର

ମୋର ସ୍ୱଦେଶ ଅଭିମାନ

ଏହାତ ନ କରେ ଗ୍ରହଣ

ଦେଖ ହୋ ଆମ୍ଭ ଭାରତରେ

ଯେ କେହି ଅତ୍ୟାଚାର କରେ

ହେଉନ୍ତୁ ସେହି ଗୋରା ଜାତି

ଅଥବା ଦେଶୀ ନରପତି

ମୋହର ଯଦି ଥାଏ ବଳ

କରିବି ବିରୋଧ ତାହାର

ଏ ଦୁଇ ଅତ୍ୟାଚାର ମନେ

ଯୁଝିବି ମୁହିଁ ପ୍ରାଣପଣେ

ପ୍ରକୃତ ଦେଶପ୍ରୀତ ଯାର

ଶୁଣ ହୋ ତାହାର ବେଭାର

ପ୍ରକୃତ ଦେଶ ଅଭିମାନ

ଦେଶର ମଙ୍ଗଳ ବିଧାନ

ଯହିଁରେ ସମଗ୍ର ଦେଶର

ଫଳି ପାରିବ ଶୁଭ ଫଳ

ତେମନ୍ତ କାର୍ଯ୍ୟ ଦେଶପ୍ରେମୀ

ସର୍ବଦା ହୁଏ ପରିଶ୍ରମୀ

ତେଣୁ ହୋ ଯଦି ଗୋରା ଜାତି

ଦେଶର ହିତ କରିଯାନ୍ତି

ତେବେତ ମୁହିଁ ତାଙ୍କ ପଦେ

ପଡ଼ିବି ଭାବ ଗଦଗଦେ

ଯଦି କେ ଇଙ୍ଗିରାଜ ଜଣେ

ଏଦେଶ ମଙ୍ଗଳ ସାଧନେ

ଜୀଅଇ ପ୍ରାଣ ନିଉଛାଳି

ସଦା ଆମ୍ଭର ହିତ ଭାଳି

ଆମ୍ଭ ଉପରେ ଅତ୍ୟାଚାର

ହୁଅଇ ଯଦ୍ୟପି କାହାର

ତାହାଙ୍କ ସଙ୍ଗେ କରି ଯୁଦ୍ଧ

ସେ ଯେବେ କରି ପ୍ରତିରୋଧ

ସେ ଗୋରା ଆମ୍ଭର ନମସ୍ୟ

ସ୍ୱୀକାର କରିବି ଅବଶ୍ୟ

ଯଦି ହୋ କେହି ଦେଶବାସୀ

ଦେଶର ମଙ୍ଗଳ ମନାସି

କରଇ ନାନା ଦେଶ ହିତ

ତାହାକୁ ଯେମନ୍ତେ ବିହିତ

ତେମନ୍ତ ଯଦି କେ ଇଂରାଜ

କରଇ ଆମ୍ଭ ହିତକାର୍ଯ୍ୟ

ତାହାଙ୍କୁ ନ କରି ସାମାନ୍ୟ

ତେମନ୍ତେ କରବଇ ମାନ୍ୟ

ଶୁଣ ମୁଁ କହୁଅଛି ଆର

ଭାରତେ ନାହିଁ ହତିଆର

ଇଟାଲି ପ୍ରାୟେ ଅସ୍ତ୍ରଶସ୍ତ୍ରେ

ଥିଲେଟି ରହି ଆମ୍ଭ ହସ୍ତେ

ତେବେ ବା ଇଟାଲି ସମାନ

କରନ୍ତେ ଆମ୍ଭେ ଯାଇଁ ରଣ

ନିରସ୍ତ୍ର ଆମ୍ଭ ହସ୍ତ ବେନି

ଯୁଝିବା କହ କାହା ଘେନି

ତୁମ୍ଭେ ତ ଏ ସବୁ ନ ଭାଳି

ତୁଚ୍ଛାରେ କହୁଛ କଟାଳି

ଅସ୍ତ୍ରଶସ୍ତ୍ରରେ ବଳବନ୍ତା

ଦେଖ ଏ ଇଂରାଜ ନିହନ୍ତା

ସେ ଲାଗି ନ କରେଁ ମୁଁ ଭୟ

ଏ କଥା ଜାଣ ହୋ ନିଶ୍ଚୟ

କିନ୍ତୁ ଏ ଅସ୍ତ୍ରେ ଶସ୍ତ୍ରେ ବଳୀ

ଇଂରାଜ ସଂଗତରେ ଲଡ଼ି

ଅସ୍ତ୍ରଶସ୍ତ୍ରର ଆୟୋଜନ

ହେବ ଭାରତେ ପ୍ରୟୋଜନ

ପୁଣି ଏ ଅସ୍ତ୍ରଶସ୍ତ୍ର ଲାଗି

ବହୁ ବରଷ ଯିବ ଲାଗି

ଆୟୁଧ ସହିତେ ଆୟୁଧ

ଅସ୍ତ୍ର ସଙ୍ଗତେ ଅସ୍ତ୍ର ଯୁଦ୍ଧ

ନୁହଇ ତେମନ୍ତେ ସହଜ

ବହୁତ ଲୋଡ଼ା ହୁଏ ସଜ

ଅୟୁତ ଅୟୁତ ସଂଖ୍ୟାରେ

ଆୟୁଧ ବହୁ ପରକାରେ

କରିବା ପାଇଁ ଆୟୋଜନ

ଲୋଡ଼ା ଅନେକ ଧନ ଜନ

ପୁଣି ବିତଇ ବହୁ କାଳ

ତଥାପି ନୋହେ ସମତାଳ

ଯଦି ବା ଭାରତକୁ ଆଜି

ଅସ୍ତ୍ର ଶସ୍ତ୍ରରେ ଦେଇ ସାଜି

ତେବେ ତ ଆମ୍ଭ ଜନ୍ମସ୍ଥାନ

ହୋଇବ ୟୁରୋପ ସମାନ

ମାନ ମର୍ଯ୍ୟାଦା ସବୁ ଯିବ

କେବଳ ନାମ ମାତ୍ର ଥିବ

ୟୁରୋପ ଯେତେ ଯେତେ ପାପ

ଏ ଦେଶେ ଘୋଟିବ ଅମାପ

ସମଗ୍ର ୟୁରୋପର ପରି

ଭାରତ ହେବ ହତଶିରୀ

ପାଶ୍ଚାତ୍ୟ ସଭ୍ୟତାର ବ୍ୟସ୍ତ

ତେଣୁ ହୋଇବ ଏ ଭାରତ

ଦାସ ହେବ ସେ ସଭ୍ୟତାର

ଏହାହିଁ ଯଦି କର ସାର

ଏ ଯେବେ ସର୍ବୋତ୍ତମ ପନ୍ଥା

ଶ୍ରେଷ୍ଟ ଯଦ୍ୟପି ସେ ସଭ୍ୟତା

ତହିଁରେ ଯେ ଜନ କୁଶଳୀ

ଉଚିତ ହେବା ତାଙ୍କ ଭଳି

ତାଙ୍କର ବାହୁଛାୟା ତଳେ

ଉଚିତ ରହିବା ଶୟଳେ

ଶିଖିବା ଆମ୍ଭେ ତାଙ୍କ ଗୁଣ

ସେ ଯେଣୁ ସଭ୍ୟତା ନିପୁଣ

ସେମାନେ ରହିବେ ଏଠାବେ

ଆମ୍ଭର ଜ୍ଞାନଦାତା ଭାବେ

ଏ ସଭ୍ୟତାରେ ଧୁରନ୍ଧର

ଜାଣ ତ ଇଂରାଜ ସକଳ

ତେଣୁ ସେ ରହିବା ଏ ଦେଶେ

ଉଚିତ ହୋଇବ ବିଶେଷେ

ଚାଲିବ ତାଙ୍କର ଶାସନ

ସ୍ୱରାଜ୍ୟରେ କି ପ୍ରୟୋଜନ

ଯିଦି ବା କେବେ କେତେବେଳେ

ଆମ୍ଭର ଆବଶ୍ୟକ ପଡ଼େ

ତାହାଙ୍କୁ କରିଣ ଜୁହାର

ମାଗିବା କିଛି ଅଧିକାର

କରିଣ ଗୁହାରି ନେହୁରା

ମିଳିଲେ ମିଳିବ ବା ଥୋଡ଼ା

ତହିଁରେ ରହିବା ସନ୍ତୋଷ

ନ ଦେବା ଇଂରାଜଙ୍କୁ ଦୋଷ

ଏମନ୍ତ ଭାରତ କଳ୍ପନା

ତୁମ୍ଭଙ୍କୁ ଭଲ ପଡ଼େ ଜଣା

ଅସ୍ତ୍ର ଶସ୍ତ୍ରେ ସେ ସୁସଜ୍ଜିତ

ଯେତେ ହୋ କହିଲେ ଉଚିତ

ଏକଥା ତୁମ୍ଭେ ମନେରଖ

ଭାରତେ କୋଟି କୋଟି ଲୋକ

କଦାପି ନ ଧରିବେ ଅସ୍ତ୍ର

ହିଂସାକୁ ନ ହେବେ ପ୍ରସ୍ତୁତ

ଏ ହିଂସା ଅସ୍ତ୍ରର ଧାରଣ

ଉଚିତ ନୁହେଁ କଦାଚନ

 

ପାଠକ ଉବାଚ

ତୁମ୍ଭ କଳନା ବହୁଦୂର

ହୋଇଯାଉଛି ଅଗ୍ରସର

ଏତେ ଆୟୁଧ ଧନ ଜନ

କି ହେବ ଆମ୍ଭ ପ୍ରୟୋଜନ

କିପାଇଁ କହ ପ୍ରତି ଲୋକ

କରିବେ ଅସ୍ତ୍ର ଆବଶ୍ୟକ

ମୋତେ ଉପାୟେ ଅଛି ଜଣା

ଶୁଣ ହୋ ତାହାର ଯୋଜନା

ପ୍ରଥମେ ଏକ ଦୁଇ ଧରି

ଗୋରାଙ୍କୁ ଦେବା ହତ୍ୟା କରି

ଆତଙ୍କ କରିବା ସର୍ଜନା

ଉୟେ ସେ ହୋଇବେ ଅରଣା

ଇତିମଧ୍ୟରେ ଜଣ କେତେ

ସେନା ସଜାଇ ବିଧିମତେ

ଧରିଣ ନାନାଦି ଆୟୁଧ

କରିବେ ମୁହାଁମୁହିଁ ଯୁଦ୍ଧ

କେବେ ବା ଲୁଚିଛପି କରି

ଗରିଲା ବନ୍ୟଜନ୍ତୁ ପରି

କରି ଚମକ ଆକ୍ରମଣ

ସାଧିବେ ବଇରି ନିଧନ

ବଂଶ ବା ପଞ୍ଚବିଂଶ ଲକ୍ଷ

ମଲେ ମରନ୍ତୁ ଆମ୍ଭ ପକ୍ଷ

ନିଶ୍ଚେୟେ ତଡ଼ିବା ଇଂରାଜେ

ନେବା ଛଡ଼ାଇ ନିଜ ରାଜ୍ୟେ

ଇଂରାଜୀଙ୍କର ପରାଜୟ

ହୋଇବା ଜାଣ ହୋ ନିଶ୍ଚୟ

 

ଗାନ୍ଧି ଉବାଚ

ଦେଖ ଏ ପବିତ୍ର ଭାରତ

ସେ ପଥେ ହେବ କଳୁଷିତ

ବୁହାଇ ଦେଶେ ରକ୍ତ ନଦୀ

କି ଲାଭ ସ୍ୱାଧୀନତା ସାଧି

କି କରି କର ଏ ସଂକଳ୍ପ

ହୃଦେ କି ନ ଉଠୁଛି କମ୍ପ

ଏଦେଶ ସ୍ୱାଧୀନତା ପାଇଁ

ରକତ ଯଦି ଯିବ ବହି

ସେ ଲହୁ ବହୁ ଆମ୍ଭ ଦେହୁଁ

ଶତ୍ରୁ ଶରୀର ଘାତ ନୋହୁ

ଶତ୍ରୁକୁ ଜୀବନେ ନମାରି

ନିଜ ଜୀବନେ ଦେବା ବଳି

ଯେ ଜନ ଭୀରୁ କାପୁରୁଷ

ସେ ସିନା ଦୃଦେ ବହେ ରୋଷ

ଆପଣା ପ୍ରାଣକୁ ସେ ଡରେ

ତେଣୁ ଶତ୍ରୁର ପ୍ରାଣ ହରେ

ନିଜର ଜୀବନକୁ ଭୟ

କରିବା ନୁହଇ ବିଧେୟ

ଆପଣେ ଦେଖ ହୋ ବିଚାରି

କି ଲାଭ ଶତ୍ରୁକୁ ସଂହାରି

କାହା ପାଇଁ ଏ ହତ୍ୟାକାଣ୍ଡ

ମନୁଷ୍ୟ ହୋଇବ ପାଷାଣ୍ଡ

ଘେନିଣ ଅରିରକ୍ତେ ଚିତା

ଯାରେ ବା ଦେବ ସ୍ୱାଧୀନତା

ଏମନ୍ତେ ସ୍ୱାଧୀନତା ଲାଭ

ସେ ଏହା କେଭେ ନ ଚାହିଁବ

ଯେଉଁ ଭାରତବାସୀ ଲାଗି

ନର ହତ୍ୟାରେ ହେବ ଭାଗୀ

ସେ କେଭେ ଏହି ମୂଢ଼ପଣ

କରିବେ ନାହିଁ ସମର୍ଥନ

ଭାରତେ କୋଟି ନରନାରୀ

ଏ ହତ୍ୟା ନ ପାରନ୍ତି କରି

ସ୍ୱରାଜ ପାଇଁ ନରହତ୍ୟା

ତାଙ୍କର ନାହିଁତ ଏ ଚିନ୍ତା

ଏ ନବ ସଭ୍ୟତା ରାକ୍ଷସ

ଯାହାକୁ କରିଅଛି ଗ୍ରାସ

ସେ ସିନା ବୋଲନ୍ତି ଏମନ୍ତ

ସେ ଯେଣୁ ଅଜ୍ଞ ଅନ୍ଧବତ

ଯେହୁବା କରି ରକ୍ତପାତ

ହୁଏ ସ୍ୱରାଜ୍ୟ ପରାପତ

ହାତରେ ରାଜଦଣ୍ଡ ଧରି

କିଛି ସେ ନ ପାରଇ କରି

ଦେଶବାସୀଙ୍କୁ ସୁଖେ ରଖି

କହେ ସେ କେବେ ପାରିବକି

ଧୀଙ୍ଗରା ଆଦି କେତେ ବୀର

ମାଟିରେ ମିଶାଇ ଶରୀର

ଦେଶ ନିମନ୍ତେ ପ୍ରାଣୋତ୍ସର୍ଗ

କରିତ ଚାଲିଗଲେ ସ୍ୱର୍ଗ

ଥିଲା ତାଙ୍କର ଦେଶଭକ୍ତି

ଦେଶ ନିମନ୍ତେ ଅନୁରକ୍ତି

ଦେଶଭକ୍ତିରେ ଥିଲେ ଅନ୍ଧ

ତେଣୁ ଧରିଲେ ପନ୍ଥା ମନ୍ଦ

ଦେଶପ୍ରମରେ ସ୍ରୋତେ ପଡ଼ି

ଭଲମନ୍ଦକୁ ନ ବିଚାରି

କଲେ ସେ ଯେଉଁ ହତ୍ୟା ଲୀଳା

ତା’ମନ୍ଦ ଫଳହିଁ ନଗଲା

ତେଣୁ ଏ ଆତଙ୍କ ଉପାୟ

ଯେ ଧରେ ତାର ନାହିଁ ଜୟ

ଯେ ପଡ଼େ ଏହି ମହା ଭ୍ରମେ

କୁଫଳ ଭୋଗେ ପରିଣାମେ

 

ପାଠକ ଉବାଚ

ତୁମେ ଯା ବୋଲିବାର ବୋଲ

ଏହାତ କରିବ କବୁଲ

ଏହତ୍ୟା ବିଭୀଷିକା ଫଳେ

ଗୋରାଏ ଭୟ ପାଇଗଲେ

ତେଣୁ ମିଳିଲା ଏ ସୁବିଧା

କରିଲେ ସାହେବ ମସୁଧା

ବସିଲା ଦେଶେ ଲାଭ ସଭା

ଏହାର ଫଳହିଁ କହିବା

ଏ ହତ୍ୟା ଫଳରେ ଆତଙ୍କ

ପାଇ ଫିଟିଲା ଆଖି ତାଙ୍କ

ତେଣୁ ଏ ଶାସନ ସଂସ୍କାର

ଦେଲେ କିଞ୍ଚିତ ଅଧିକାର

 

ଗାନ୍ଧି ଉବାଚ

ତୁମ୍ଭେ ହୋ ଯେଉଁ ପରି ଭାବ

ହେଲେ ବା ତାହା ହୋଇଥିବ

ଏମନ୍ତ ଏହି ଗୋରା ଜାତି

ସହଜେ ଭୀତି ପାଇଯାନ୍ତି

ଗୋଳାବାରୁଦ ବୋମା ମାଡ଼

ଏହାଙ୍କୁ କରଇ ସାବାଡ଼

ଯେତିକି ତାଙ୍କ ବୀର କୃତ୍ୟ

ସେତିକି ଭୟାଳୁ କାକୁସ୍ଥ

ତେଣୁ ହୋ ଯାହା ବା ବୋଲୁଛ

ହୋଇ ନଥିବ ତାହା ମିଛ

ତଥାପି ଜାଣ ଭଲ ରୂପେ

କହୁଛି ତୁମ୍ଭର ସମୀପେ

ଅନ୍ୟକୁ ଧମକ ତରାସେ

ଯେ ବସ୍ତୁ କରଗତେ ଆସେ

ସେ ବସ୍ତୁ ରହେ ତେତେକ୍ଷଣ

ଯାବତ ଭୀତ ଅନ୍ୟଜଣ

ତାହାର ଭୟଗଲେ ଛାଡ଼ି

ସେ ପୁଣି ତାହା ନିଏ କାଢ଼ି

ଏଣୁ ଡରାଇ ଯାହା ପାଇ

ସେ ନୁହେ କେଭେ ଚିରସ୍ଥାୟୀ

 

Unknown

ଷୋଡ଼ଶ ଅଧ୍ୟାୟ

ପଶୁ-ବଳି

ପାଠକ ଉବାଚ

ଯେ ବସ୍ତୁ ଥରେ ହୁଏ ପ୍ରାପ୍ତ

ସେ କାହୁଁ ହେବେ କର ଚୂତ

ଡରାଇ ଅନ୍ୟଲୋକ ହସ୍ତୁ

ଛଡ଼ାଇ ନେବା ଯେଉଁ ବସ୍ତୁ

ସେ କି ତା’ ନେଇ ପାରେ କାଢ଼ି

ତା ଡର ଯେବେ ଯାଏ ଛାଡ଼ି

ତୁମ୍ଭ ବଚନ ଅଭିନବ

ତା’ କାହୁଁ ସମ୍ଭବ ହୋଇବ

 

ଗାନ୍ଧି ଉବାଚ

ତୁମ୍ଭେ ହୋ ବିଚାର ଯେମନ୍ତ

ନୋହିବ ତାହା କଦାଚିତ

ତାହାର ପ୍ରମାଣ ମୁଁ ଏବେ

କହୁଛି ଶୁଣ ଧୀର ଭାବେ

ଜାଣ ତ ସିପାହୀ ବିଦ୍ରୋହ

ଗୋରାଙ୍କୁ ହେଲା କାଳଗ୍ରହ

ତେଣୁ ହୋ ଆଶ୍ୱାସନା ବାଣୀ

ଘୋଷଣା କଲେ ମହାରାଣୀ

ଦେବେ ବୋଲି କି ସ୍ୱାଧୀନତା

ନିର୍ଭରେ ଦେଲେ ସେହି କଥା

ତେଣୁ ବିଦ୍ରୋହ ହେଲା ଅନ୍ତ

ଲୋକ ରହିଲେ ଧୀର ଶାନ୍ତ

ତା ଦେଖି ଗୋରା ଶାସକର

ସହଜେ ଭୟ ହେଲା ଦୂର

ଯେ ସତ୍ୟ ସେହି ଥିଲେ କରି

ସେ ପୋଥି ବନ୍ଧା ହେଲା ଡୋରି

ଗାଧୋଇ ଗଲା ସ୍ୱାଧୀନତା

ତୁଣ୍ଡେକେ ନ ଧରେ ସେ କଥା

ଏବେ ତ ସ୍ୱାଧୀନତା ଅର୍ଥ

ହେଲାଣି ତାର ବିପରୀତ

ଏଣିକି ସେ ସ୍ୱାଧୀନତାର

ଅର୍ଥ ହେଲାଣି ଅତ୍ୟାଚାର

ସବୁଠି ଦେଖ ଏହି କଥା

ଏଥିରେ ନୁହଇ ଅନ୍ୟଥା

ମୁଁ ଯେବେ ଚୋରି କରୁଥାଏ

ଅଭ୍ୟାସ ସହଜେ ନ ଯାଏ

କାରାଦଣ୍ଡରୁ ଭୟ କରି

ଯଦି ବା ଛାଡ଼ି ଦିଏ ଚୋରି

ସେ ଦଣ୍ଡ ଭୟ ଗଲେ ଭାଙ୍ଗି

ପୁଣି ବାହାର ଚୋରି ଲାଗି

ଭାଜିଲେ ମନୁ ଭୟ ଭୀତି

ଆବର ବଳାଏ ପ୍ରବୃତ୍ତି

ପୁଣି ତ ଚାଲିଥିବ ଚୋରି

ଏ କଥା ବୁଝ ହୋ ବିଚାରି

ଆମ୍ଭର ବିଚାର ଏମନ୍ତ

ହେବାକୁ ଚାହୁଁ ବଳବନ୍ତ

କରିଣ ଜୋର ଜବରାଣ

ନେବାକୁ ଚାହୁଁଥାଉ କାମ

ମାରିପିଟିଣ ଲେକଠାରୁ

ଖଟଣି ନେବାକୁ ବିଚାରୁ

ତେଣୁ ଖଟାଇ ଥାଉଁ ବଳ

ଅଚିରେ ପାଇବାକୁ ଫଳ

 

ପାଠକ ଉବାଚ

ତୁମ୍ଭେ ଯା ଦିଅ ଉପଲକ୍ଷ

ସେ ଯାଏ ତୁମ୍ଭର ବିପକ୍ଷ

ଯେତେ ହୋ କହିଲ ପ୍ରମାଣ

ମୋହର ହୁଏ ଅନୁମାନ

ନିଜେ ଖଣ୍ଡୁଛ ନିଜ କଥା

ତେଣୁ ହେ କହିଲ ଅଯଥା

ଇଂରେଜମାନେ ତାଙ୍କ ରାଜ୍ୟେ

ସଫଳ ଯେତେ ଯେତେ କାର୍ଯ୍ୟେ

ସର୍ବତ୍ର ବଳର ପ୍ରୟୋଗ

ଫଳେ ସେ କରିଛନ୍ତି ଭୋଗ

ତୁମ୍ଭେ ହୋ କହୁଛ ଏମନ୍ତ

ଯାହାବା ତାଙ୍କୁ ପରାପତ

ସେ ସବୁ ମହାକାଳ ଫଳ

ସବୁ ଅଯଥା ଅମଙ୍ଗଳ

ତଥାପି ମନ ଅନୁସାରେ

ଫଳ ସେ ଭୋଗିଲେ ସଂସାରେ

ତାହାଙ୍କ ଠାରୁ ତାହା କେହି

ଛାଡ଼ାଇ ନ ପାରୁଛି ନେଇ

ତେଣୁ ମୋ ବାଣୀହେଲା ସତ୍ୟ

ମୋ କଥା ଯୁକତି ଯୁକତ

ସେ ଯେଣୁ ତାହା ଥିଲେ ଇଚ୍ଛି

ବାଞ୍ଛା ତ ପୂରଣ ହୋଇଛି

କର୍ଯ୍ୟ ସାଧନ ମୂଳ ବସ୍ତୁ

ସେ ପୁଣି ଯୋଗେ ହେଲା ଅସ୍ତୁ

କଳେ ବଳେ ବା କଉଶଳେ

ଯେବେଣ ନୀତି ଯେଉଁ ସ୍ଥଳେ

ସେ ନୀତି ପ୍ରୟୋଗେ କି ଦୋଷ

କାର୍ଯ୍ୟର ସାଧନ ଉଦ୍ଦେଶ୍ୟ

ଉଦ୍ଦେଶ୍ୟ ଯେବେ ଥିବ ସାଧୁ

ନ୍ୟାୟେ ତା ସାଧୁ ବା ନସାଧୁ

ଅନ୍ୟାୟ ଅଧର୍ମରେ ବଳେ

ଯେ ଇନ୍ଦ୍ରପଦ ଲାଭ କରେ

ଧର୍ମ ବଳରେ କରି ଲାଭ

ଏକା କଥା ବି ସେ ନ ହେବ

ଭଭୟ ଗମ୍ୟ ଏକ ସ୍ଥାନ

ତେଣୁଟି ଉଭୟେ ସମାନ

ଲକ୍ଷ୍ୟ ଯଦ୍ୟପି ଥାଏ ଏକ

ପନ୍ଥା ତ ଦିଶିବ ଅନେକ

ନ୍ୟାୟ ଅନ୍ୟାୟ ବେନି ପନ୍ଥା

ଯେଠାବେ ଯେବେଣ ବ୍ୟବସ୍ଥା

ତେମନ୍ତ ଦେଲେଟି ତୁଲାଇ

ତହିଁରେ କିଛି ଦୋଷ ନାହିଁ

ଚୋର ଯା ପଶିଥାଏ ଘରେ

ନ୍ୟାୟ ଅନ୍ୟାୟ ସେ କି ଧରେ

ଯେନ ବା କେନ ପ୍ରକାରଣେ

ଚୋରକୁ କରଇ ତାଡ଼ନ

ଆମ୍ଭର ଏବେ ସେହି ଦଶା

ହୋଇଛି ଆସିତ ସହସା

ଇଂରାଜେ ଆମ୍ଭର ଗୃହରେ

ପଶିଲେ ଆସି ନିର୍ଭୟରେ

ତାହାଙ୍କୁ କରିଦେବା ବିଦା

ଯେମନ୍ତ ଉପାୟେ ସୁବିଧା

ତୁମ୍ଭେ ତ ଜାଣିଅଛ ଭଲେ

ଯେତେ ହୋ ହୁରି ହାରି କଲେ

ଯେତେ ନେହୁରା ନିବେଦନ

ହୋଇଛି ଅରଣ୍ୟ ରୋଦନ

ତେଣୁ ହୋ ପଶୁ ବଳଧରି

ତଡ଼ବା ତାଙ୍କୁ ପିଟି ମାରି

ଏଥେ ତ ତିଳେ ନାହିଁ ଦୋଷ

ଅଧିକ ମିଳିବ ପୌରୁଷ

ଏମନ୍ତେ ଧରି ଶରୀବଳ

ଯାହା ବା କରିବା ହାସଲ

ଏ ଶରୀବଳେ ହୋଇ ବଳି

ଯାହା ବା କରିବା ଆଗୁଳି

ଯଦିବା କେବେ ଭବିଷ୍ୟତେ

ବିପଦ ଆସଇ ଅଗ୍ରତେ

ଏ ଶରୀବଳ ଆଶ୍ରା କରି

ତହିଁରୁ ପାରିବା ଉବୁରି

ଅଜ୍ଞାନ ବାଳୁତ ଉଦ୍ଦଣ୍ଡେ

ଭରିଲେ ପାଦ ଅଗ୍ନି କୁଣ୍ଡେ

ତାହାକୁ କରିବାକୁ ସାଧ୍ୟ

ବଳ ପ୍ରୟୋଗେ ହେବ ବାଧ୍ୟ

ଯେହ୍ନେ ଶିଶୁର ପାଦ ଭୁଜ

ଅନେଳେ ନ ହେଉ ଦହଜ

ଏ ଚିନ୍ତାମୂଳେ ଥିଲେ ରହି

ବଳ ପ୍ରୟୋଗ ବିଧି ତହିଁ

ଗଣା ସେ ନ ହୋଇବ ଦୋଷ

ଶିଶୁ ଯଦ୍ୟପି ବହେ ରୋଷ

ଉଦ୍ଦଶ୍ୟେ ସାଧନହିଁ ମୁଳ

ଯେ ଯାହା କରୁ କଉଶଳ

ଯେ ଯେଉଁ ପ୍ରକାରରେ ପାରେ

ମିଳୁ ସେ ଯାଇ ଲକ୍ଷ୍ୟଠାରେ

 

ଗାନ୍ଧି ଉବାଚ

ପାଠକ ଯେଉଁ ଯୁକ୍ତି ଆଣି

ବାଢ଼ିଲ ମୋହ ଆଗେ ଜାଣି

ଏ ଯୁକ୍ତି ଏକ ମାୟା ପାଶ

କରଇ ନର ବୁଦ୍ଧି ନାଶ

ଯେ ପଡ଼େ ଏହି ମୋହପାଶେ

ସେ ତାକୁ ନ୍ୟାୟ ପ୍ରାୟ ଦିଶେ

ଏମନ୍ତେ କେତେ ନରନାରୀ

ତାର କୁହୁକେ ହେଲେ ଘାରି

ସେହି ପ୍ରକାରେ ଦିନେ ମୁହିଁ

ଏ ଯୁକ୍ତି ଦେଉଥିଲି ଥୋଇ

ଏବେ ତ ଆଖି ଗଲା ଫିଟି

ଦେଖିପାରିଲି ନିଜ ତ୍ରୁଟି

ତୁଟିଗଲା ମୋ ମୋହ ଭ୍ରମ

ଘେନିଲା ପ୍ରାୟେ ଜ୍ଞାନାଜ୍ଞାନ

ଏବେ ହୋ କରିବଇଁ ଦୂର

ଏ ମାୟା ତିମିର ତୁମ୍ଭର

ପ୍ରଥମେ ତୁମ୍ଭେ କହୁଅଛ

ଗୋରାମାନଙ୍କୁ ଦେଇ ଲଚ୍ଛ

ସେ ଯେହ୍ନେ କରି ହଣାମରା

ଜିଣିଲେ ସାରା ବସୁନ୍ଧରା

ବଳ ପ୍ରୟୋଗ ମନଇଚ୍ଛା

ପୂରଣ କଲେ ମନବାଞ୍ଛା

ତେମନ୍ତେ ଆମ୍ଭେ ବାହୁବଳେ

ନାଶିଲେ ବଇରୀ ସମୂଳେ

ଗୋରାଙ୍କୁ ଧ୍ୱଂସ ଦୀକ୍ଷା ଧରି

ଗୋରାଙ୍କୁ ଯେବେ ଦେବାମାରି

ଅବଶ୍ୟ ହୋଇବ ସମ୍ଭବ

ତାଙ୍କ ଉପାୟ ଅବଲମ୍ବ

କିନ୍ତୁ ସେ ପଥ ଅନୁସରି

ତାହାଙ୍କ କୃତ୍ୟମାନ କରି

ସେ ଯାହା ହାସଲଟି କଲେ

ତୁମ୍ଭେ ତା ପାଇବଟି ଭଲେ

ଯେ ବୀଜ ଯେହୁ କରେ ଚାଷ

ସେ ଫଳ ସେହୁ କରେ ଗ୍ରାସ

ତେଣୁ ଏ ଇଂରାଜଙ୍କ ମତେ

ବୁଣିଲେ ବୀଜ ନିଜ ହସ୍ତେ

ସେ ଯେହ୍ନେ ପାଇଛନ୍ତି ଫଳ

ଆମ୍ଭଙ୍କୁ ପ୍ରାପ୍ତ ସେ ସକଳ

କିନ୍ତୁ ସେ ଫଳ ନାହିଁ ଲୋଡ଼ା

ପର ବୁଦ୍ଧି ରେ ଘୋଡ଼ା ଚଢା

ଆବର କହିଲି କଥାଏ

ମୁଁ ତାହା ଖଣ୍ଡିବାକୁ ଚାହେ

ସାଧନ ସାଧ୍ୟ ଦୁଇ ପଦ

ଅନୁଆନରେ ସେ ସମ୍ବନ୍ଧ

ତୁମ୍ଭେ ତ କର ଅସ୍ୱୀକାର

କେ ନୁହେ ସାପେକ୍ଷ କାହାର

କିପରି କହ ହେ ଏ ଦୁହେଁ

କେହି କା ସଙ୍ଗେ ଯୋଗ ନୁହେଁ

ଉଦ୍ଦେଶ୍ୟ ଯାହାର ମହତ

ଲକ୍ଷ ଯାହାର ଧ୍ରୁବ ସତ୍ୟ

ସେ ଯେବେ ଧରେ ହୀନ ପନ୍ଥା

ଆସେ କି ନାହିଁ କଳୁଷତା

ତୁମ୍ଭେ ତ ବିଚାର ଏମନ୍ତ

ଏ ତ ତୁମ୍ଭର ଭ୍ରାନ୍ତି ମତ

ଏ ମତେ କେତେ ସାଧୁଜନ

ପଡ଼ି କରନ୍ତି ଅପକର୍ମ

ଆମ୍ୱଡ଼ା ବୃକ୍ଷୁ ଆମ୍ବ ଫଳ

କେବେ କି କରିଛ ଅମଳ

ସାଗର ପାରି ହେବାପାଇଁ

ବଳଦ ଗାଡ଼ି ଯେବ ବାହି

ବୁଡ଼ି ମରିବା ହେବ ସାର

ଯାନ ବାହନ ଏକାକାର

ଯେଉଁ ଦିଅଁକୁ ଯେଉଁ ପୂଜା

ତେମନ୍ତ ତାର ବଳି ଭୋଜା

ଏହାର ଅର୍ଥ ନାହିଁ ଜଣା

ତେଣୁ ହେଉଛୁ ପଥବଣା

ସାଧନ ବୀଜ ସାଧ୍ୟ ବୃକ୍ଷ

ଏ କଥା ଜାଣ ହୋ ପ୍ରତକ୍ଷ୍ୟ

ଯେଉଁ ବୀଜରୁ ଯେଉଁ ତରୁ

ତେମନ୍ତେ ସାଧ୍ୟ ସାଧନାରୁ

ଯେଉଁ ସାଧନ ମାର୍ଗେ ଯିବ

ସେ ଫଳ ଭାଗ୍ୟେ ଉପୁଜିବ

ଯେମନ୍ତେ ଦେବତା ପୂଜନ

ତେମନ୍ତେ ହୋନ୍ତି ସେ ପ୍ରସନ୍ନ

ଯକ୍ଷ ରାକ୍ଷସ ଉପାସନା

ଯାହାର ରହିଛି ବାସନା

ସେ ତାଙ୍କୁ ପୂଜିବାକୁ ଯିବ

ସେ କିମ୍ପା ଦେବତା ପୂଜିବ

ତେମନ୍ତେ ଈଶ୍ୱର ଭଜନେ

ଯେ ପାଞ୍ଚୁଥାଏ ମନେ ମନେ

ସେ ଯଦି ପୂଜେ ନିଶାଚର

ଈଶ୍ୱର ଦିଅନ୍ତି କି ବର

ପିଶାଚ ପଦେ ଆଶ୍ରା କରି

କେବେ କି ମିଳିବ ଶ୍ରୀ ହରି

ଯେ ତାହା ଭାବେ ପଥ ଭୁଲେ

ମୂରୁଖ ନାହିଁ ନା ତା ତୁଲେ

ଯେ ଜନ ଯାହା ଥାଏ ଦାହି

ସେ ଜନ ସେହି ଫଳ ପାଇ

ଶୁଣ ହୋ ଇଂରାଜଙ୍କ ଗୁଣ

ସେ ଯାହା ଯାହା କଲେ ପୁଣ

ମସିହା ସନ ଅଠରଶ

ତହିଁରେ ମିଶାଇ ତେତିଶ

ଏ କାଳେ ଇଂଲଣ୍ଡର ବାସୀ

ଘୋଟିଲା ବୁଦ୍ଧି ସତ୍ୟାନାଶୀ

ଇଂଲଣ୍ଡବାସୀ ପ୍ରଜାକୁଳେ

ମାତିଲେ ଘୋର ପଶୁବଳେ

ତହୁଁ ପାଇଲେ ଅଧିକାର

ଅଧିକ ଭୋଟହିଁ ଦେବାର

ପ୍ରଶସ୍ତ ହେଲା ଭୋଟ ବିଧି

ତେଣୁ ବାଛିଲେ ପ୍ରତିନିଧି

ସେ ପ୍ରତିନିଧି ପାର୍ଲିମେଣ୍ଟ

ଶାସନ ପାଇଁ ହେଲେ ମେଣ୍ଟ

ସେ ଯେଣୁ ପ୍ରଜାଙ୍କର ଭୋଟେ

ବସିଲେ ପାର୍ଲିମେଣ୍ଟ ପୀଠେ

ଶାସିବେ ପ୍ରଜା ମନ ଜାଣି

ଏମନ୍ତେ ସର୍ବେ ଭଲେ ଜାଣି

କିନ୍ତୁ ସେ ଆଶା କଳ୍ପବଟ

ତା ମୂଳେ କାଟିଦେଲା କୀଟ

ପାଇଲେ ସେ ଯେଉଁ କ୍ଷମତା

ହେଲେ ତହିଁରେ ଉନମତା

ସେ ଅଧିକାରକୁ ଭାଜନ

ନୋହିଲା କେହି କଦାଚନ

ଯେ ପାଏ ଯେଉଁ ଅଧିକାର

କଲେ ତା ଉଚିତ ବେଭାର

ଯୋଗ୍ୟ ସେ ହୁଏ ଅଧିକାରେ

ସେ ଯେଣୁ କର୍ତ୍ତବ୍ୟ ତା କରେ

ଦେଖ ଏ ଇଂରାଜଙ୍କ ଗତି

ପଶୁବଳକୁ ବରଗନ୍ତି

ସେ ବଳେ ଯେହୁ ହୁଏ ବଳୀ

କର୍ତ୍ତବ୍ୟ ତାର ଯାଏ ଭୁଲି

ପ୍ରକୃତ ଅଧିକାର ଯାହା

କର୍ତ୍ତବ୍ୟ ପଥେ ମିଳେ ତାହା

ତେଣୁ ଯେ କରତବ୍ୟ ପାଳେ

ସେ ସିନା ପାଏ ଅଧିକାରେ

ଇଂରାଜେ କର୍ତ୍ତବ୍ୟକୁ ଛାଡ଼ି

ତେଣୁ ନୋହିଲେ ଅଧିକାରୀ

ଦେଖ ହୋ ଇଂରାଜୀ ସରବେ

ମାତିଲେ ଅଧିକାର ଲୋଭେ

କ୍ଷମତା ଲାଭ ପଛେ ପଡ଼ି

କର୍ତ୍ତବ୍ୟ ପଥ ଗଲେ ହୁଡ଼ି

ଯହିଁ ଅନେକ ଲୋକମେଳ

କ୍ଷମତାପାଇଁ କଳିଗୋଳ

ସମସ୍ତେ ତହିଁ ଉନମତା

କେ ଦିଏ କାହାକୁ କ୍ଷମତା

ଏକୁ ଆରେକ ବଳିଆର

କେ କରେ କାହାକୁ ସ୍ୱୀକାର

ମୁଁ ଏବେ କହିଲି ଯେ କଥା

ତୁମ୍ଭେ ହୋ ନ ବୁଝ ଅନ୍ୟଥା

ଅବଶ୍ୟ ଏ ଇଂରାଜ ଜାତି

କିଛି କର୍ତ୍ତବ୍ୟ କରିଥାନ୍ତି

ମାତ୍ର ଏ କ୍ଷମତାକୁ ଚାହିଁ

କର୍ତ୍ତବ୍ୟ ପାଳନ୍ତି ସେ ନାହିଁ

ଯେ ଅଧିକାର କଲେ ଲାଭ

ତାହାର ଯେମନ୍ତ ପ୍ରଭାବ

ସେ ଦଣ୍ଡ ଧାରଣେ ଭାଜନ

ନୋହି ପାରିଲେ ଗୋରାଗଣ

ଏବେ ବିପତ୍ତି ହେଲା ଆସି

ଗଳେ ଲାଗିଲା କାଳଫାସି

ଫଳିଲା କର୍ମ ଘେନି ଫଳ

ନିଜର ଅର୍ଜିଲା ଜଞ୍ଜାଳ

ଯେ ଅସ୍ତ୍ର କଲେ ସେ ପ୍ରୟୋଗ

ସେ ଅନୁଯାୟ ଫଳଭୋଗ

ଅଥବା ଯାହା ଥିଲା ଲକ୍ଷ୍ୟ

ତହିଁକି ହେଲେହେଁ ସୁଦକ୍ଷ

ସେ ଲକ୍ଷ୍ୟ ପହୁଞ୍ଚିବା ଲାଗି

ଅସ୍ତ୍ର ଘେନିଲେ ଉପଯୋଗୀ

ଉଦ୍ଦେଶ୍ୟ ଘେନି ଅସ୍ତ୍ର ଧରି

ସେ ତ ଚଳିଲେ ଆଗୁସରି

ଯାହାର ଲକ୍ଷ୍ୟହିଁ ଯେମନ୍ତ

ସେ ଧରେ ସେଇ ମୁଖେ ପଥ

ମୁଁ ତୁମ୍ଭ ହାତ ବନ୍ଧା ଘଡ଼ି

ଇଚ୍ଛିଲେ ନେବା ପାଇଁ କାଢ଼ି

ତେବେ ହୋ ମୁଁହି ତୁମ୍ଭେସନେ

ନ ହେଲେ ଭିଡ଼ା ଭିଡ଼ି କ୍ଷଣେ

ନ କଲେ ଦଣ୍ଡେ ସିନାଜୋରି

ମୁଁ ତାହା ନେବି ବା କିପରି

ଛଡ଼ାଇ ନେବା ପାଇଁ ମନ

ତେଣୁ ଏ ତୋର ଜବରାଣ

ଛଡ଼ାଇବାକୁ ଇଚ୍ଛା ନାହିଁ

କିମ୍ପାଇଁ ଲଢ଼ିବି ସେପାଇଁ

ଯଦି ସେ ଘଡ଼ିକି ସୁନ୍ଦର

ଦେଖି ନେବାକୁ ଇଚ୍ଛା ମୋର

ଛଡ଼ାଇ ନେବା ଛଡ଼ା ଅନ୍ୟ

ପନ୍ଥା କି ନ ଘେନଇ ମନ

ମୁଁ ତାହା ନେଇ ପାରେ ମାଗି

ଅଥବା ତୁମ୍ଭ ସ୍ମୃତି ଲାଗି

ଯେଉଁ ପ୍ରକାରେ ନେବା ଇଚ୍ଛା

ତେମନ୍ତେ ଧରିବି ତା’ପିଛା

ତୁମ୍ଭେ ହୋ ଜାଣି ମୋ ମାନସ

ଯଦି ସେ ଘଡ଼ି ବିକି ବସ

ତାହାର ନ୍ୟାଯ୍ୟ ମୂଲ୍ୟ ଦେବି

ତେବେ ନା ସେ ଘଡ଼ି କିଣିବି

ଉଦ୍ଦେଶ୍ୟ କରିବାକୁ କ୍ରୟ

ତେଣୁଟି ଅର୍ଥର ସଂଗ୍ରହ

ଉଦ୍ଦେଶ୍ୟ ଥିଲେ କିଣିବାର

କି ହେବ ଲଢ଼ି ଭିଡ଼ି ମୋର

ସେ ଘଡ଼ି କିଣିବା ସକାଶେ

ଯଦି ନଥାଏ ଧନ ପାଶେ

ତାହାକୁ କରିବାକୁ ହାତ

ଆହୁରି ରହିଅଛି ବାଟ

ଯଦି ମୋ ଉପହାର ଛଳେ

ନେବାକୁ ତାହା ଇଚ୍ଛା ବଳେ

ବିନୟ ମଧୁର ବଚନ

କଷି ତୋଷିଲେ ତୁମ୍ଭ ମନ

ତୁମ୍ଭେ ତା ଦେଲେ ଦେଇ ପାର

ଏମନ୍ତେ ନାନା ପରକାର

ନାନା ପ୍ରକାରେ ନାନା ମତେ

ମୁଁ ତାହା ଇଚ୍ଛିବି ଯେମନ୍ତେ

ତେମନ୍ତେ ସେ ଘଡ଼ି ପ୍ରାପତି

ସେ ନାମେ ଲୋକେ ହୁଏ ଖ୍ୟାତି

କହିଲି ମୁଁ ହି ତୁମ୍ଭ ପାଶ

ମୁଖ୍ୟ ମୋ ତିନୋଟି ଉଦ୍ଦେଶ୍ୟ

ତାର ଉପାୟ ତିନି ଜାଣ

ସେ ପୁଣି ତିନି ତିନି ନାମ

ଆଣିଲେ ବଳେ ବା କୌଶଳ

‘ଚୋରା’ ସେ କୁହାଇବ ଭଲେ

ଯଦି ବା କିଣେ ଦେଇ ମୂଲ

ସେ ହେବ ମୋର କିଣା ମାଲ

ଖୁସିରେ ଦେଲେ ଘଡ଼ି ଗୋଟ

ହେବ ସେ ଦାନ ଅବା ଭେଟି

ଏମନ୍ତେ ତିନି ତିନି ନାମ

ଘଡ଼ିର ତିନି ପରିଣାମ

ଯେଉଁ ପ୍ରକାରେ ଯେଉଁ ଦ୍ରବ୍ୟ

ଯେଉଁ ଉପାୟେ ହୁଏ ଲଭ୍ୟ

ସେ ଘେନି ତା ନାମ କରଣ

ସେ ପୁଣି ବହେ ସେଇ ଗୁଣ

ପଦାର୍ଥ ନାମ ଗୁଣ କ୍ରମେ

ମୁଁ ତାକୁ ରଖିବେ ଯତନେ

ଯେ ଦ୍ରବ୍ୟ ଯେମନ୍ତ ପ୍ରାପତ

ତାହାର ରକ୍ଷା ସେହି ମତ

ସେ ଯେବେ ଚୋରା ମାଲ ହୋଇ

ତାହାକୁ ରଖିବି ଲୁଚାଇ

ଯଦିବା ପଡ଼ିଯାଏ ଧରା

ଭୋଗିବି ଭଲେ ଯାଇ କାରା

ସେ ହୋଇଥିଲେ କିଣା ଧନ

କରିବି ତାହାକୁ ଯତନ

ମୋହର ବୋଲି ତାକୁ ନିତି

ରଖିବି ଆଦରେ ସମ୍ପାତି

ନତୁବା ଯଦି ଉପହାରେ

ସେ ଘଡ଼ି ଦେବ ବା ମୋହରେ

ତୁମ୍ଭର ସ୍ନେହ ନିଦର୍ଶନ

ରୂପେ ରଖିବି ସେହି ଧନ

ଏମନ୍ତେ ଯେଉଁ ପରକାରେ

ଯେ ଦ୍ରବ୍ୟ ଯେହୁ ଆଣିପାରେ

ତେମନ୍ତେ ତାର ପାଏ ଫଳ

ସାଧନ ମାର୍ଗ ତେଣୁ ମୂଳ

କରମ ଘେନିଫଳ ଫଳେ

କୁଶଳେ ଅବା ଅକୁଶଳେ

ଯାର ଯେବଣ କର୍ମ ବିଧି

ତେମନ୍ତେ ସିଦ୍ଧି ତା ପ୍ରସିଦ୍ଧି

ଚୋରିରେ ହେଇ କାରାବାସ

କ୍ରୟରେ ବଢ଼ଇ ସନ୍ତୋଷ

ଉପହାରରେ ବଢ଼େ ପୀତି

ଏମାନେ କର୍ମ ଫଳ ରୀତି

ତୁମ୍ଭେ ଯେ ଚୋରର ନଜିର

ଦେଇଣ ଭାଷିଗଲ ଗିର

ତାହାର ରହସ୍ୟ ମୁଁ ଏବେ

କହୁଛି ଶୁଣ ଧୀର ଭାବେ

ଘରେ ଯାହାର ଚୋର ପଶେ

ସେ ଯେବେ ଉଠଇ ସାହସେ

ତାହାକୁ ତଡ଼ିବାକୁ ଯାଇ

ଯେ ସ୍ଥାନେ ଯେ ବୁଦ୍ଧି ଖଟଇ

ସ୍ଥାନ ବା ପାତ୍ରର ବିଭେଦେ

ଚୋରକୁ ସେହୁ ଘରୁ ଖେଦେ

ଯେବଣଠାରେ ଯେ ଉପାୟ

ସେ ତାର କରଇ ଆଶ୍ରୟ

ସେ ଯଦି ଚିହ୍ନିବ ସେ ଚୋର

ଅଟଇ ନିଜର ପିଅର

ତାହାକୁ ତଡ଼ିବାର ପାଇଁ

ସେ ପନ୍ଥା ଧରିବ ହୋ ସେହି

ସେ ପନ୍ଥା ଆନ ଜନ ପ୍ରତି

କେଭେତ ନ ପାରିବ ଖଟି

ସେ ଚୋର ଯଦି ଜଣା ଶୁଣା

ଜ୍ଞାତି ବା କୁଟୁମ୍ବରେ ଗଣା

ତାହାକୁ ତଡ଼ିବାର ପାଇଁ

ଏକା ଉପାୟ ଖଟେ ନାହିଁ

ଧରିବ ଉପାୟ ଆରେକେ

ନୁହନ୍ତା ଯାହା ପରଲୋକ

ସେ ଚୋର ପଡ଼ିଗଲେ ଧରା

ଦେଖିବ ଯଦି ଅଟେ ଗୋରା

ଗୋରା ସାହେବ କଲେ ଚୋରି

ତାହାକୁ ଯଦି ପାର ଧରି

ତା ପ୍ରତି ଯେମନ୍ତ ପ୍ରକାର

କରନ୍ତ ତୁମ୍ଭେ ବ୍ୟବହାର

ଭାରତବାସୀ ଚୋର ଆଳେ

ତେମନ୍ତ ନ ପାରିବ କାଳେ

ସେ ଚୋର ଯଦ୍ୟପି ଦୁର୍ବଳ

ପୁଣି ବଦଳେ କଉଶଳ

ଦୁର୍ବଳ ଏକ ଚୋର ପ୍ରତି

ନିଷ୍ଠୁର ନ ହୁଅତ ଅତି

ସେ ପୁଣି ହେଲେ ସମକଛି

ଭିନ୍ନ ଉପାୟ ନିଅ ବାଛି

ଯଦି ସେ ପଞ୍ଚୁ ହତିଆରେ

ଆସିଣ ଘରେ ସିନ୍ଧୁ ମାରେ

କମ୍ବଳ ଘୋଡ଼ି ଯିବ ପଡ଼ି

ମୋତେ ତ ଲାଗଇ ଏପରି

ଏମନ୍ତେ ପିତା ବନ୍ଧୁ ଜ୍ଞାତି

ଯେ ଚୋର ଆସେ ଯେଉଁ ଘାନ୍ତି

ଦୁର୍ବଳ ଅଥବା ବଳିଷ୍ଠ

ନିରସ୍ତ୍ର ଅବା ସୁସଜ୍ଜିତ

ଯେ ନୀତି ଖଟେ ଯାହା ପ୍ରତି

ତେମନ୍ତେ ଲୋକ ଆଚରନ୍ତି

ଅନ୍ୟର ଇଚ୍ଛା ଅନୁସାରେ

ସେ କିହୋ ଅସ୍ତ୍ର ଧରିପାରେ

ଯଦି ପ୍ରହାରେ ଧନଞ୍ଜୟ

ଧରଇ ଏମନ୍ତ ଉପାୟ

ଚୋରକୁ ଦେଇଣ ପ୍ରହାର

ତଡ଼ିବା ପାଇଁ କରେ ସାର

ସେ ଯେବେ ନ ହୋଇ ଜନକ

ତାହା ହୋଇବ ଅସମ୍ଭବ

ପିତା ମାତା ବା ବନ୍ଧୁଠାରେ

ହୁଅଇ କେହି ଅନ୍ୟ ଲୋକ

ତେବେ ବା ଦେଲେ ଦେବ ପିଟି

ଫଟାଇ ତାର ମୁଣ୍ଡ ପିଠି

ବ୍ୟକ୍ତି ଭେଦରେ ଜଣ ଜଣ

ଏମନ୍ତେ ଭିନ୍ନ ଆଚରଣ

ଆଉ କଥାଏ ମୋତେ ଦିଶେ

ଅଛନ୍ତି ଦୁର୍ବଳ ମଣିଷେ

ତା’ ଘରେ ପଶିଲେଟି ଚୋର

ସେ ହେଉ ଆପଣା ବା ପର

ହେଉ’ସେ ଆପଣା ଜନକ

ଅଥବା ଅସ୍ତ୍ରଧାରୀ ଲୋକ

ଉଭୟେ କ୍ଷେତ୍ର ସମ ଦଶା

ତାହାର ଉଡ଼ିଯାଏ ହଂସା

ପାଇଲେ ଚୋରର ଇସାରା

ତାହାର କାହିଁ ଅନ୍ୟାଚାରା

ପଡ଼ିବ ତେଣୁ ଘୋଡ଼ି ହେଁସ

ସେତିକି ମାତ୍ର ତା’ସାହସ

ମାତ୍ର ଏମନ୍ତ ପଡ଼ିଗଲେ

ଚୋର ତ ନ ଛାଡ଼ିବ ଭଲେ

ମନଇଚ୍ଛ କି କରି ଚୋରି

ଗୃହକୁ ଯାଏ ସେ ବାହୁଡ଼ି

ସେ ଚୋର ହୋଇଥିଲେ ପିତା

ମନରେ ଅକାରଣ ଚିନ୍ତା

ପିତାର ପରକ୍ରମେ ଦେଖି

ଦୁଃଖ କାତରେ ମଳେ ଆଖି

ନିଜର ଅପାରିଲା ପଣ

ବିଚାରି କରେ ସେ ରୋଦନ

ସେ ଯେବେ ନ ହୋଇ ଜନକ

ହୁଅଇ ଅସ୍ତ୍ରଧାରୀ ଲୋକ

ଭୟ ସହିତେ ଆସେ ରୋଷ

ଯେ ଥିବ ଦୁର୍ବଳ ପୁରୁଷ

ତେଣୁ ଶତ୍ରୁତା ବଢେ ଅତି

ଏମନ୍ତ ଦୁର୍ବଳର ଗତି

ଏବେ ହୋ ମୁହଁ ଯେତେ ଯେତେ

କହିଲି ତୋହର ଅଗ୍ରତେ

ଯେତେ ରୂପରେ ଯେତେ ଚୋର

ଆସିଣ ପ୍ରବେଶିବେ ଘର

ଯାହାର ଠାରେ ଯେ ଉପାୟ

ମୁହଁ ବା ମଣିବଇଁ ଶ୍ରେୟ

ତୁମ୍ଭେ ଶୁଣିଲେ ସେ ସମସ୍ତ

ନ ହୋଇପାରେ ଏକମତ

ମୋ ଘରେ ଯେବେ ପଶେ ଚୋର

କର୍ତ୍ତବ୍ୟ ଯାହା ବା ମୋହର

ସେସବୁ ମୋହର ସମୀପେ

ଦିଶି ତ ଯାଏ ସ୍ପଷ୍ଟ ରୂପେ

ତୁମ୍ଭେ ତା ପାରିଲେ ବା ଦେଖି

ଅଳପେ ପଡ଼ିବ ଚମକି

ମୋ ପଥ ବଡ଼ଇ ଗହନ

ଭୟେ ଭାଜିବେ ବହୁଜନ

ଯେଣୁ ମୁଁ କରୁଅଛି କୁଣ୍ଠା

ଦେଖାଇବାକୁ ସେହି ପନ୍ଥା

ଏ ମାର୍ଗ ଅଟେ କି ପ୍ରକାର

ଚିନ୍ତା କରି ତା ଦେଖିପାର

ଯଦି ବା ତୁମ୍ଭର କଳ୍ପନା

ନ ଛୁଇଁପାରେ ତାର ସୀମା

ମୁଁ ଯାହା କରିଲି ପ୍ରକଟ

ସେ କଥା ବୁଝିଲତ ସ୍ପଷ୍ଟ

ଚୋରଙ୍କ ରୂପ ଯେତେ ଯେତେ

ଆସିବ ତୁମ୍ଭର ଅଗ୍ରତେ

ସ୍ଥାନ ବିଶେଷ ଭିନ୍ନ ଭିନ୍ନ

ଉପାୟ କରିବ ସାଧନ

ଯେ ଚୋର ଆସେ ଯେଉଁମତେ

ତାହାକୁ ତଡ଼ିବ ତେମନ୍ତେ

ଏହା ତ ଭଲେ ଯାଏ ଜଣା

କରି ତ ନ ପାରିବ ମନା

ତୁମ୍ଭର ଯାହା ହେବ ଖୁସି

ସେ ଅସ୍ତ୍ର ନ ପାରିବ ପେଶି

ଅବସ୍ଥା ଦେଖିଣ ବ୍ୟବସ୍ଥା

କରିବା ସିନା ସାର କଥା

ତୁମ୍ଭେ ତୁମ୍ଭର ମନ ଇଚ୍ଛା

ନ ଧରି ପାର ଚୋର ପିଛା

କରିତ ନ ପାର ତାଡ଼ନ

ଯେମନ୍ତ ତୁମ୍ଭେ କର ମନ

ନୁହେଁ ନା ତୁମ୍ଭର କର୍ତ୍ତବ୍ୟ

ସେ ପୁଣି ଅଟେ ଅସମ୍ଭବ

ଆବର ଶୁଣସି କଥାଏ

ମୁଁ ତୁମ୍ଭ ଆଗେ କହିଥାଏଁ

ଏକଦା ଆସି ଏକ ଚୋର

ପଶିଲା ଏକ ଗୃହୀ ଘର

ଅସ୍ତ୍ରଶସ୍ତ୍ର ଯେ ଅଛି ହାତେ

ଲୁଟି ସେ ନେଲାକ ନିର୍ଘାତେ

ଲୁଣ୍ଠନ କରି ପଳାଇଲା

ବାଧା କେ ଦେଇ ନ ପାରିଲା

ଗୃହୀର ହୃଦେ ହେଲା କ୍ରୋଧ

ପାଞ୍ଚିଲା ନେବ ପ୍ରତିଶୋଧ

ନିଜେ ସେ ପାଇବାକୁ ତ୍ରାହି

ପୁଣି ହୋ ଜାଣ ପର ପାଇଁ

ପାଞ୍ଚିଲା ଚୋରର ନିଧନ

ଏମନ୍ତେ ଥୟ କଲା ମନ

ସେ ଖଳ ଦୁଷ୍ଟ ଚୋର ହାତୁ

ସଭିଙ୍କ ମୁକ୍ତି ଦେବା ହେତୁ

ଉଚିତ ଶିକ୍ଷା ଦେବା ପାଇଁ

ହେଲା ସେ ଦୃଢ଼ ଅଭିପ୍ରାୟୀ

ତେଣୁ ଘେନିଣ ଲୋକ ବାର

ପିନ୍ଧାଇ ନାନା ହତିଆର

ସେ ଚୋର ଘର ଗଲା ଘେରି

ଧରିଲେ ଦିଅନ୍ତା ବା ମାରି

ଚୋର ତା ଜାଣି ପାରି କାଳେ

ପଳାଇଗଲା ହୁସିଆରେ

ତା ମନେ ଜାତ ହେଲା ଈର୍ଷା

ପୁଣି ଧରିଲା ନିଜ ପେଶା

ଗୋଟାଇ ସାଥି ସାତ ପାଞ୍ଚ

ଲୁଣ୍ଠନେ କରୁଥାଇ ପାଞ୍ଚ

ମନରେ କ୍ରୋଧରେ ଅନଳ

ଜଳଇ ଯେହ୍ନେ ହଳାହଳ

ଗୃହୀକୁ ଦେଇଣ ଧମକ

ଆସି ମିଳିଲା ଅଚାନକ

ଦିନ ଦ୍ୱିପ୍ରହରରେ ଲୁଟି

ନେବାକୁ ବସିଲା ଆକଟି

କିନ୍ତୁ ସେ ଗୃହୀ ବଳବାନ

କରିଲା ଚୋରକୁ ଆଢ଼ଣ

ଚୋର ତ ନ ପାଇ ସୁବିଧା

ଫେରିଲା ତାହା ଘରୁ ସିଧା

ସେ ପୁଣି ସେହି ଅବସରେ

ପଶିଲା ପ୍ରତିବେଶୀ ଘରେ

ମନରେ ଅଛି ଅରିମାନ

ଲୁଟିବା ପାଇଁ ପର ଧନ

ପ୍ରତିବେଶୀଏ ଏବେ ଦେଖ

ସେ ଯେଣୁ ଥିଲେଟି ଅରକ୍ଷ

ସର୍ବେ ହୋଇଣ ଏକମେଳ

ଗୃହୀର ପାଶେ ହେଲେ ଠୁଳ

ଚାହିଁ ସେ ଗୃହସ୍ଥର ମୁଖ

ବାଢ଼ି ବସିଲେ ନିଜ ଦୁଃଖ

ସେ ଗୃହୀ ତାହାଙ୍କୁ ପ୍ରବୋଧି

କହିଲା ବଚନ ନାନାଦି

ଶୁଣ ହୋ ମୋର ଭାଇମାନେ

ନ ଭାବ ଆନ କିଛି ମନେ

ମୁଁ ଯେ ଚୋରକୁ ଦିଏ ବାଧା

ତହିଁରେ ତୁମ୍ଭରି ସୁବିଧା

ଏ ମୋର ଅସ୍ତ୍ର ଶସ୍ତ୍ର ଯେତେ

ତୁମ୍ଭରି ରକ୍ଷାର ନିମନ୍ତେ

ରକ୍ଷା କରିବି ତୁମ୍ଭ ଧନ

ତେଣୁ ଏ ସର୍ବ ଆୟୋଜନ

ଯେ ଧନ ମୋର କଲା ନଷ୍ଟ

ତହିଁକି ମୋର ନାହିଁ କଷ୍ଟ

ଏ ଧନ ଜନ ଗୋପଲକ୍ଷ୍ମୀ

ତୁମ୍ଭର ପାରିଲେ ମୁଁ ରଖି

ମୋହର ଅସ୍ତ୍ର ଶସ୍ତ୍ର ବଳ

ସଂଗ୍ରହ ହୋଇବ ସଫଳ

ଲୋକେ ବୋଇଲେ ଶୁଣ ଭାଇ

ଆଗେତ ଏହା ଥିଲା ନାହିଁ

ନଥିଲା ଚୋର ଲୁଟପାଟ

ଏମନ୍ତେ ଚୋର ବିତପାତ

ତୁମ୍ଭର ଅସ୍ତ୍ର ଶସ୍ତ୍ର ବଳ

ଏବେ ଆମ୍ଭଙ୍କୁ ହେଲା କାଳ

ଚୋରକୁ ଦେଲେ ହୋ ଟିହାଇ

ତେଣୁ ଆମ୍ଭର ଦଶା ଏହି

ସାଇ ପଡ଼ିଶାଙ୍କ ବଚନ

ଶୁଣି ବ୍ୟଥିତ ଗୃହୀମନ

ସେ ଗୃହୀ ନପାଏ ଉପାୟ

ସାପ ଚୁଚୁନ୍ଦ୍ରା ଧରା ନ୍ୟାୟ

ଛାଡ଼ିଲେ ଯାଉଛି ଅଧାର

ନଛାଡ଼ି ଗତି କାହିଁ ତାର

ଏମନ୍ତେ ପଡ଼ୋଶୀଙ୍କ କଥା

ଶୁଣି ସେ ଗୃହୀ କରେ ଚିନ୍ତା

ସେ ଯାହା ବୋଲନ୍ତି ତ ସତ

ଏ ଦଶା ସିନା ତାହା କୃତ୍ୟ

ତେଣୁ ସେ କରଇ ଭାଳେଣି

ଯାହାତ ହେବାର ହେଲାଣି

ଏବେ ମୁଁ କରିବଇଁ କିସ

ଘୃମିତ ହୁଅଇ ମାନସ

ଚୋରର ସଙ୍ଗେ ବୈର ସାଧି

ଆଛା ତ କିଣିଲି ଏ ବ୍ୟାଧି

ଚୋରକୁ ନ କରିଲେ ସାଧ୍ୟ

ଲୋକ ହୋଇବ ଅପବାଦ

ନିନ୍ଦା କଳଙ୍କ କେବେ କାର

ହୋଇ କି ଥାଏ ରୁଚିକର

ଏମନ୍ତ ଭାବି ସେହି ମନେ

ବୋଲଇ ପ୍ରତିବେଶୀ ଜନେ

ଶୁଣ ହୋ ପ୍ରତିବେଶୀ ଭାଇ

ଏଥକୁ ଚିନ୍ତା କାହିଁ ପାଇଁ

ମୋର ଏ ଯେତେ ଗୃହ ବସ୍ତୁ

ଏ ତୁମ୍ଭ ସଭିଙ୍କର ବସ୍ତୁ

ମୋ ଗୃହେ ଅଛି ବା ଯେ ଧନ

କର ହୋ ଆପଣାର ଜ୍ଞାନ

ମୋ ଘର ଅବା ତୁମ୍ଭ ଘର

କିମ୍ପାଇ ଭେଦା ଭେଦ କର

ମୋହର ହତିଆର ହସ୍ତେ

ଚଳାଇ ଶିଖ ତା’ ସମସ୍ତେ

ତୋ ଧନ ତୁହି ରକ୍ଷା କର

ମୁଁ ଛାର କେତେକ ମାତର

ତୁମ୍ଭ ସମ୍ପତ୍ତି ତୁମ୍ଭେ ବୁଝ

ଲୁଣ୍ଠନକାରୀ ସଙ୍ଗେ ଯୁଝ

ହାବୁଡ଼େ ପଡ଼ିଲେ ସେ ତାକୁ

ଛାଡ଼ି ନ ଦୟାମାୟା ତାଙ୍କୁ

ତା ଶୁଣି ସର୍ବେ ଗ୍ରାମବାସୀ

ଧରିଲେ ଅସ୍ତ୍ରଶସ୍ତ୍ର ଆସି

ଲାଗିଲା ତୁମୁଳ ସଂଗ୍ରାମ

ଏକ ପକ୍ଷରେ ସାରା ଗ୍ରାମ

ଅନ୍ୟ ପକ୍ଷରେ ଖଣ୍ଟ ଦଳ

ଲାଗିଲା ହଣା କଟାଗୋଳ

ଏବେତ ନ ମିଳିଲା ତର

ସଦା ସର୍ବଦା ଚୋର ଚୋର

ଆଳୁ ଖୋଳାଇ ମହାଦେବ

ଭଲାତ ହୋଇଲା ଉଦ୍‌ଭବ

କେବେ ସେ ଚୋର ଯାନ୍ତି ହଟି

କେବେବା ଆସନ୍ତି ଲେଉଟି

ଏମନ୍ତା ନାହିଁ ବେଳକାଳ

ଲାଗିତ ରହିଲା ଜଞ୍ଜାଳ

ଚୋରକୁ ଦେବା ପାଇଁ ଶାସ୍ତି

ହୋଇଲା ତୁମୁଳ ଅଶାନ୍ତି

ଆଗେତେ ପୂରିଲା ଆୟୁଷ

ଯମ ଧରଇ ଆସି କେଶ

ଏବେତ ମୃତ୍ୟୁ ଅହରହ

ହୋଇଲା ଆସି ଗଳଗ୍ରହ

ସାହାସୀ ଲୋକେ ଭୟଭୀତ

ହୋଇଣ ହାରିଲେ ହେମତ

କହିଲେ ନସରେ ଅବସ୍ଥା

ଏନୁହେଁ ଅତିରିକ୍ତ କଥା

ତୁମ୍ଭେ ହୋ ଯଦି ହୋଇ ଧୀର

କରିବ ଏହାର ବିଚାର

ଅଳପ କ୍ଷଣ ଚିନ୍ତା କଲେ

ଏ ସତ୍ୟ ବୁଝିଯିବ ଭଲେ

ଏବେ ହୋ ଅନ୍ୟ ଉପାଖ୍ୟାନ

କହିବି କରସି ଶ୍ରବଣ

କହିଲି ଏକଇ ଉପାୟ

ଆରେକ ପନ୍ଥା ଶୁଣ ଶ୍ରେୟ

ଏକଇ ଗୃହୀ ଗୃହେ ଥରେ

ଚୋର ପଶିଲା ନିଶାର୍ଦ୍ଧରେ

ସେ ଗୃହୀ ନିଜେ ଥିଲା ଶୋଇ

ଶବଦେ ଉଠିଲା ଚିତୋଇ

ଦେଖିଲା ଚୋର ଏକ ଆସି

ଚୋରି କରଇ ଗୃହେ ପଶି

ଦେଖି ସେ ଭାଳେ ମନେ ମନେ

ଏତ ଅଜ୍ଞାନ ଭାଇ ଜଣେ

ନ ଜାଣେ କେବଣ ନିମିତ୍ତ

ଏ ପାପ କାର୍ଯ୍ୟେ ହୁଏ ରତ

ଚୋର ହେଲେହେଁ ସେ ମନୁଷ୍ୟ

ଏହାକୁ ଦଣ୍ଡିବା ବା କିସ

ଯାହା ସେ କରିବାରେ କରୁ

ପଳାଇ ଗଲେ ସେ ମୋ ଘରୁ

ବେଳ ଉଣ୍ଡିଣ କେବେ ଯାଇ

ମୁଁ ତାକୁ କହିବି ବୁଝାଇ

କହିବି ଚୋରି ହୀନ କର୍ମ

ହୁଅଇ ବହୁତ ଅଧର୍ମ

ପଚାରି ବୁଝିବି ତାହାକୁ

କିପାଇଁ ହେଲା ସେହି ଡ଼ାକୁ

କାରଣ ଜାଣେ ମୁଁ ତାହାର

କରିବି ଅବା ପ୍ରତିକାର

ଯେଉଁ ଦୋଷକୁ କରେ ଚୋରି

ସେ ଦୋଷ ଦେଲେ ଦୂର କରି

ପୁଣି ତାହାର କଦାଚନ

ଚୋରିରେ ନବଳିବ ମନ

ଏ ଭାବେ ଭାବି ମନେମନେ

ସେ ଗୃହୀ ରହିଲା ଶୟନେ

ଏମନ୍ତେ ଦିନ ଦିନ ଘୂଞ୍ଚେ

ଚୋରର ପ୍ରକୃତି ନ ଘୁଞେ

ପୁଣି ସେ ଗୃହ ମଧ୍ୟେ ପଶି

ଚୋରି କରଇ ମନ ଖୁସି

ସେ ଗୃହୀ ଦେଖଇ ରହସ୍ୟ

ମନରେ ନ ବହିଲା ରୋଷ

ତା କଣ୍ଠେ ବସିଲାକ ଦୟା

ଚୋରର ହୋଇଲା ସେନହା

ଭାବିଲା ଏ ବଡ଼ ନିରେଖ

କେଡ଼େ କୁକର୍ମ କରେ ଦେଖ

ଚୋରିକି କଲାଣି ଅମଳ

ନିଶାରେ ଯେହ୍ନେ ନିଶାଖୋର

ବ୍ୟାଧି ପରାଏ ଅଛି ଗ୍ରାସି

ସକଳ ବଳ ପରକାଶି

ସେ ରୋଗ ନ ଯାଉଛି ନାଶ

ତେଣୁ ନ ଯାଏ ଏ ଅଭ୍ୟାସ

ଏମନ୍ତେ ଚିନ୍ତି ଗୃହ ସ୍ୱାମୀ

ଚୋରକୁ ଛାଡ଼ିଦେଲା ଜାଣି

ଚୋରର ଆଗ୍ରହ ବଢ଼ିଲା

ତେଣୁ ସେ ଚୋରି ନ ଛାଡ଼ିଲା

ଏଥର ଆସିବା ଆଗରୁ

ନେବାକୁ ଚୋରାଇ ସେ ଘରୁ

ଶୁଣ ହୋ ଏବେ ସେ ଗୃହସ୍ଥ

ଧରିଲା ଯେ ଅମୋଘ ଅସ୍ତ୍ର

ଘର ଦୁଆର କରି ଖୋଲା

ସବୁକୁ ରଖିଲା ମୂକୁଳା

ଅସଜେ ଥିଲା ଜେତେ ଚିଜ

ତାହାକୁ କରିଦେଲା ସଜ

ଯେହ୍ନେ ଚୋରାଇ ଅନାୟାସେ

ପଳାଏ ଚୋର ନିଜ ବାସେ

ତାହାର ସକଳ ସୁବିଧା

କରି ସେ ନିଜେ ହେଲେ ବିଦା

ନିଜେ ସେ ଗଲେ ଅନ୍ୟ ସ୍ଥାନ

ଦୂରରେ କରିଲେ ଶୟନ

ଏମନ୍ତେ କେତେଦିନ ଗଲା

ସେ ଚୋର ପ୍ରବେଶ ହୋଇଲା

ଦେଖିଲା ମେଲା ଅଛି ବାସ

ପ୍ରଥମେ ନ ଗଲା ବିଶ୍ୱାସ

ପୁଣି ସେ ଖଣ୍ଡେ ଖଣ୍ଡେ ଦୂରଯାଇ

ନେତ୍ର ବିସ୍ତାରି ଦେଖେ ଚାହିଁ

ନାନାଦି ଦରବ ସେଠାରେ

ପଡ଼ିଛି ହାତ ପାଆନ୍ତାରେ

ନିକଟେ ଲୋକେବାକ କେହି

ଜଣେ ହେଲେହେଁ ଜଗି ନାହିଁ

ବିଚିତ୍ର କଥା ଏ କେମନ୍ତ

ଚୋର ହୋଇଲା ଆଚମ୍ବିତ

ତଥାପି ସେହି ଲୋଭ ବଳେ

ଦ୍ରବ୍ୟ ଚୋରାଇ ଗୃହେ ଚଳେ

ଏବେ ସେ ଭାବେ ହୃଦଗତେ

ମୁଁ ଏହା ଆଣେ କି ନିମନ୍ତେ

କିଏ ବା ଦ୍ରବ୍ୟ ଥିଲା ରଖି

ମୁଁ ତାହା ଆଣିଲି କାହିଁକି

ମୁଁ ଯାର ସର୍ବସ୍ୱ ହରିଲି

ସେ କେବେ ତୁଣ୍ଡ ନାହିଁ ଖୋଲି

ସେ ଯେବେ ମୋହଠାରେ ସ୍ନେହୀ

ମୁଁ ତାରେ ଦଣ୍ଡିଲି କିପାଇ

ସେ ନୁହେଁ ମୋହର ବିବାଦୀ

ତା ଠାରେ ମୁହିଁ ଅପରାଧୀ

ସେ ନିଶ୍ଚେ ଅତି ପୁଣ୍ୟବନ୍ତ

ହେବା ବା କେଉଁ ସାଧୁସନ୍ଥ

ଏମନ୍ତେ ରାତି ଗଲା ପାହି

ସେ ଚୋର ନିଜ ପାପ ଧ୍ୟାୟି

ବାହାର ହୋଇଣ ଦିବସେ

ନିର୍ଭୟେ ଗ୍ରାମ ମଧ୍ୟେ ପଶେ

ଯାହାକୁ ଦେଖେ ତାକୁ ପୁଚ୍ଛେ

ମାଗଇ ଗୃହୀର ପରଚେ

ସବୁରି ମୁଖେ ଭୁରି ଭୁରି

ଶୁଣଇ ପ୍ରଂଶସା ତାହାରି

ଦୟା ଦାକ୍ଷିଣ୍ୟ ଗୃହସ୍ଥର

ଶ୍ରବଣେ ହେଲା ସେ ଅସ୍ଥିର

କେଡ଼େ ଅକର୍ମ ମୁହଁ କଲି

କା ଠାରେ ଦୂରେହା ହୋଇଲି

ଏମନ୍ତେ ଗୁଣି ନିଜ ପାପ

ଚୋର କରଇ ଅନୁତାପ

ମିଳିଲା ଗୃହସ୍ଥର ପାଶେ

ଦନ୍ତେ ତିରଣ ଧରି ଭାଷେ

ଚରଣେ ଗଡ଼ଘାଲି ଶୋଇ

ସେ ଚୋର ବିନୟେ ଭାଷଇ

ଭୋ ଦେବ ମୋତେ ତ୍ରାହି କର

ମୁଁ କଲି ଅପରାଧ ଘୋର

ତୁମ୍ଭର ଧନ ତୁମ୍ଭେ ନିଅ

ମୋତେ ଏଥିରୁ ମୋକ୍ଷ ଦିଅ

ମୁଁ ପାପୀ ବଡ଼ଇ ଅଧମ

ନ ଜାଣି କଲି ଅପକର୍ମ

ଭୋ ନାଥ ରଖ ହେ ଶରଣେ

ଦାସ ମୁଁ ହେଲି ଶ୍ରୀ ଚରଣେ

ଏମନ୍ତ ଚୋର ମୁଖୁଁ ଶୁଣି

ଭାଷଇ ସେହି ଗୁଣମଣି

ଏ ବାକ୍ୟ ତୋର ଯେବେ ସତ୍ୟ

ମୁଁ ତୋତେ ଦେଖାଇବି ପଥ

ଏ ହୀନ ପେଶା ପରିହରି

ଆପଣା ଜାତି ବୃତ୍ତି ଧରି

ଆପଣେ କର ଅରଜନ

ଜୀବନ କର ହୋ ପାଳନ

ଏମନ୍ତ ଭାଷି ସେହି ଗୃହୀ

ଚୋରକୁ କାର୍ଯ୍ୟରେ ଲଗାଇ

ଚୋରକୁ ନିବର୍ତ୍ତାଇ ଦେଲେ

ଉତ୍ତମ ପଥ ଦେଖାଇଲେ

ସେ ଚୋର ତା ସାରା ଜୀବନ

ହେଲା ତାଙ୍କର କିଣାଜନ

ଏମନ୍ତେ ଏ ଏକ ଉପାୟ

ଶ୍ରେୟ କେ ତୁମ୍ଭେ କର ନ୍ୟାୟ

କହିଲି ତୁମ୍ଭର ଅଗ୍ରତେ

ଦୁଇ ଉପାୟ ଦୁଇମତେ

ଦୁଇ ମାର୍ଗରେ ପରିଣାମ

ଦେଖିଲେ ତୁମ୍ଭେ ଭିନ୍ନ ଭିନ୍ନ

ଏଭଳି ଫଳ ସବୁଠାରେ

ଫଳିଣ ପାରେ ବି ନପାରେ

ସଂସାରଯାକ ସବୁ ଚୋର

ନୁହନ୍ତି ଏ ଚୋର ପ୍ରକାର

ଅବା ସଂସାର ସାରା ଗୃହୀ

ନ ଯିବେ ଦୟାବନ୍ତ ହୋଇ

ତଥାପି ଜାଣିଥାଆ ମୂଳ

ଭଲ କାର୍ଯ୍ୟରୁ ଭଲ ଫଳ

ଅସ୍ତ୍ରଶସ୍ତ୍ରର ବଳଠାରୁ

ପ୍ରଭାବ ଦୟା ପ୍ରେମେ ଗରୁ

ଯେ ଧରେ ହାତେ ହତିଆର

କାଳେ ସେ ତାର ହୁଏ କାଳ

କିନ୍ତୁ ଦୟାର୍ଦ୍ର ଯା ହୃଦୟ

ତାହାର କିଛି ନାହିଁ ଭୟ

ପ୍ରେମେ ପ୍ରାପତ ସ୍ୱର୍ଗ ଶିରୀ

ପ୍ରେମରେ ବଶ ବନମାଳି

ଦୟା ପ୍ରେମର ସଦା ଜୟ

ଏଥିରେ ନ କର ସଂଶୟ

ପ୍ରେମହୁଁ କିବା ଅବା ବଳି

ପ୍ରେମରେ ବଶ ବନମାଳି

ତୁମ୍ଭେ ତ ପୁଣ ଅଛ କହି

ବିନୟ ପତ୍ର ପଠିଆଇ

କଲେ ଗୁହାରି ନିବେଦନ

ହୁଅନ୍ତା କାର୍ଯ୍ୟରେ ସାଧନ

ମୁଁ ଏବେ କହିବି ତା ଭେଦ

ନିବେଦନର ସେ ସଂବାଦ

ଯେବଣ ଆବେଦନ ପତ୍ର

ମୂଳ ଅଟଇ ଦୃଢ଼ ଶକ୍ତ

ଯଦି ସେ ଆବେଦନକାରୀ

ଅଟେ ସବଳ ଶକ୍ତିଶାଳୀ

ସେ ଦରଖାସ୍ତ କରେ କାମ

ଶୁଣ ହୁଏ ତା ପରିଣାମ

ଯାହା ପଛରେ ନାହିଁ ବଳ

ସେ କାହୁଁ ହୋଇବ ସଫଳ

ରାଣାଡ଼େ ନାମ ନ୍ୟାୟଧୀଶ

ଶୁଣ ସେ କହିଛନ୍ତି କିସ

ତାହାଙ୍କ ମତେ ଦରଖାସ୍ତ

ନୁହଇ ଅକାମୀ ନିହାତ

ସାଧାରଣଙ୍କ ଶିକ୍ଷା ଲାଗି

ସେ ଅଟେ ବଡ଼ ଉପୋଯୋଗୀ

ନିଜର ଅବସ୍ଥା ନ ବୁଝି

ପ୍ରଜାଏ ଥାନ୍ତି ଆଖିବୁଜି

ଏ ଦରଖାସ୍ତ ଦେବା ଫଳେ

ବୁଝନ୍ତି ସେ ସବୁ ସକଳେ

ପୁଣି ପ୍ରଜାଙ୍କ ଦୁଃଖ ଯେତେ

ଘଟଇ ଶାସକ ଅଜ୍ଞାତେ

ପଢ଼ିଣ ସେହି ଦରଖାସ୍ତ

ଶାସକ ହୁଏ ଅବଗତ

ତେଣୁ ତା’ ପ୍ରତିକାର ପାଇଁ

ଶାସକେ ଦିଅଇ ଚେତାଇ

ଏମନ୍ତେ କଲେ ଦରଖାସ୍ତ

ଅନେକ କାର୍ଯ୍ୟ ହୁଏ ହାତ

କିନ୍ତୁ ମୁଁ ପୁଣ କହେ ଶୁଣ

ଦରଖାସ୍ତରେ ଯେ ନିପୁଣ

ତାଙ୍କର ଅଟେ ଦୁଇ ଗୋତ୍ର

ଦୁଇ ଶ୍ରେଣୀରେ ସେ ବିଭକ୍ତ

ପ୍ରଥମ ଦଳର ଯେ ଜନ

କରନ୍ତି ଯହିଁ ନିବେଦନ

ସେ ଯବେ ହୋଇଥାନ୍ତି ଶକ୍ୟ

ଶ୍ରୋତା ବକତା ସମକକ୍ଷ

ଗୁହାରି ଯାହାର ନିକଟ

ତା ସଙ୍ଗେ ଯେବେ ଦେବ ପଟ

ତେବେ ସକଳ ନିବେଦନ

ସେ ଦରଖାସ୍ତ ହେବ ଗଣ୍ୟ

ନାହିଁ ତହିଁରେ ଭୟ ଡର

ସେ ତେଣୁ ବିନୟ ପତର

ଏ ଦରଖାସ୍ତର କରତା

ଦେଖନ୍ତି ତାଙ୍କ ବିନମ୍ରତା

ଆବର ଅଛି ଏକ ଗୋତ୍ର

ଲୋଡ଼ନ୍ତି ପର ଛାୟା ଛତ୍ର

ନିଜର ନାହିଁ ପରାକ୍ରମ

ହୁଅନ୍ତି ଅନ୍ୟର ଆଶ୍ରମ

ସେ ଯେବେ ଦରଖାସ୍ତ ଦିଏ

ଗୋଲାମ ଚିହ୍ନ ତାର ସିଏ

ସେ ଦରଖାସ୍ତ ବଳଶାଳୀ

ତାହାକୁ କେ ପାରଇ ଟାଳି

ସମାନ ସମସ୍କନ୍ଦ ପାତ୍ର

ତାର ଏମନ୍ତ ଦରଖାସ୍ତ

ସମାନଠାରେ ଯେ ପ୍ରାର୍ଥନା

ସେ ତାର ବଡ଼ପଣ ସିନା

ଫଳ ଭାରରେ ବୃକ୍ଷ ନତ

ଏହାତ ଦେଖୁଛ ସତତ

ଦଣୀ ଗରୁଆ ପଟ ଲଇଁ

ଭୂଇଁକି ହେଳେ ଯାଏ ଛୁଇଁ

ତେମନ୍ତ ବଳବନ୍ତ ଜନ

ତୃଣରେ ସମାନେ ନିଊନ

ତରୁ ସାମନ ଦୃଢ଼ ସଦା

ବଢ଼ଇ ତାହାର ମର୍ଯ୍ୟାଦା

ପୁଣି ସେ ଦରଖାସ୍ତକାରୀ

ହୋଇଣଥିବ ବଳଶାଳୀ

ଯାହା କଲମ ମୁନ ଟାଣ

ଶୁଣ ହୋ ତାହାର ପ୍ରମାଣ

ତା ବଳ ଦ୍ୱିବଧି ପ୍ରକାର

ଶୁଣ ମୁଁ କହେ ନାମ ତାର

ଏକ ଅଟଇ ପଶୁବଳ

ପ୍ରେମର ବଳଟି ଆବର

ପ୍ରଥମ ବଳେ ଯେହୁବଳୀ

ସେ ସଦା ଭେଉଥାଏ କଳି

ସେ ସଦା ଏହା କହୁଥାଇ

ମୋ ସମ ବଳବନ୍ତ ନାହିଁ

ମୁଁ ଯେବେ ଲେଖେଁ ଦରଖାସ୍ତ

କେ କରି ପାରେ ବରଖାସ୍ତ

ଯଦି ବା କେହି କରେ ମନା

ମୁଁ ତାକୁ କରିବି ଠିକଣା

ଏ ଯେଉଁ ଦରଖାସ୍ତ ବଳ

ଏହାର ଅତି ମନ୍ଦ ଫଳ

ପୂର୍ବେ କହିଛି ଏହା ମୁହିଁ

ଏହାକୁ ପଶୁବଳ କହି

ଦରଖାସ୍ତେକ ଅଛି ଆର

ତା’ ବଳ କହିବା ଏଥର

ତା ବଳ ଅଜବ କରମ

କେ ପୁଣ ଅଛି ତାହା ସମ

ଯେ ଲେଖେ ଏହି ଦରଖାସ୍ତ

ସେ ଅଟେ ବଡ଼ ଧୀର ସୁସ୍ଥ

ସ୍ୱଭାବେ ସେହୁ ଅଟେ ବଳୀ

କିମ୍ପା ସେ କରିବ ବା କଳି

ଶାସନକର୍ତ୍ତାର ପାଶରେ

ଧୀରେ ସେ ଦାବୀ ପେଶ କରେ

ନଦିଏ ଭୟ ଧମକାଣି

ଲେଖଇ ଧୀର ମଧୁବାଣୀ

କେବଳ କରି ସାବଧାନ

କହେ ସେ ବିନୟ ବଚନ

କହେ ସେ ଶୁଣ ମୋ ଆପତ୍ତି

ଜଣାଉଅଛି ତୁମ୍ଭ କତି

ଏ ମୋର ଅଟେ ନ୍ୟାୟ ଦାବୀ

ତୁମ୍ଭ ହାତରେ ଅଛି ଚାବି

ଦିଅ ହେ ଦୟା କରି ମୋରେ

ଜଣାଉଅଛି ଶ୍ରୀଛାମୁରେ

ନ ଶୁଣ ଯେବେ ମୋର ଡ଼ାକ

ତୋ ନାମେ ଲାଗିବ କଳଙ୍କ

ଆଉ ମୁଁ କେବେ ତୁମ୍ଭ ପାଶେ

ଗୁହାରି ନିମନ୍ତେ ନ ଆସେ

ତୁମ୍ଭେ ରହିବି ତୁମ୍ଭ ଘରେ

ମୁଁ ଫେରିଯିବି ମୋହ ପୂରରେ

କିନ୍ତୁ ଏ କଥା ରଖ ମନେ

ମୁଁ ଯଦି ରହିବି ସ୍ୱସ୍ଥାନେ

ଆଉ ତୁମ୍ଭର ମୋହ ପରେ

କ୍ଷମତା ରହିତ ନ ପାରେ

ମୁଁ ସିନା ନିଜ ଇଚ୍ଛାମତେ

ରହିଲି ତୁମ୍ଭ ଅନୁଗତେ

ମୁଁ ଯେବେ ରହିବି ସ୍ୱାଧୀନ

କେ କରିପାରେ ପରାଧୀନ

ମୁଁ ହେବି ମୋହର ଆୟତ୍ତ

ତୁଟିବ ଆମ୍ଭ ମୋହ ମତ

ଏମନ୍ତ ଧୀର ଚେତାଉଣୀ

ଶାସକେ ଯେହୁ କହେ ପୁଣି

ତା ନିବେଦନ ଦରଖାସ୍ତ

ଅଟଇ ବଳୁ ମଜବୁତ

ଏହାକୁ ବୋଲ ପ୍ରେମ ବଳ

ଅଥବା ଆତ୍ମବଳ ବୋଲ

ଲୋକାୟତରେ ଯାହା କର

ଏହାରି ନାମ ସତ୍ୟାଗ୍ରହ

ଏବଳ ଅଟେ ଅବିନାଶୀ

ଏହାକୁ କେ ପାରିବ ନାଶି

ଏହାକୁ ଯେ ପାରେ ପ୍ରୟୋଗୀ

ଜାଣିବ ତାକୁ ମହାଯୋଗୀ

ସେ ଜାଣେ ନିଜର ଅବସ୍ଥା

ବୁଝି ସେ ପାରେ ନିଜ ସତ୍ତା

ନିଜର ବଳ ପାରେ କଛି

ଜୀବନ ପାରଇ ମୁରୁଛି

ନ ପାଞ୍ଚେ ପରର ଅନିଷ୍ଟ

ନିଜେ ବହଇ ସବୁ କଷ୍ଟ

ନିଜକୁ କରଇ ଶାସନ

ପରକୁ ନ ଦିଏ କଷଣ

ତେଣୁଟି ରହିଛି ପ୍ରବାଦ

ରୋଗର କଲେ ଅଉଷଧ

ସେ ରୋଗ ଯେବେ ହୁଏ ନାଶ

ଅନେକ ରୋଗ ପରକାଶ

କିନ୍ତୁଟି ପଥ୍ୟର ବାରଣ

ଶହେ ରୋଗର ନିବାରଣ

ଲଘଂନେ ରୋଗ ଯାଏ ମୂଳେ

ତା ସଙ୍ଗେ ବିକାର ସକଳେ

ତେଣୁଟି ଆତ୍ମ ସମ୍ବରଣ

ଶତ୍ରୁରେ ମିତ୍ର ଆଚରଣ

ଯେ ଅଟେ ଏହି ବଳେ ବଳୀ

କେ ପୁଣ ହେବ ତାହା ଭଳି

ଆତ୍ମବଳକୁ ଅସ୍ତବ୍ୟସ୍ତ

ନୁହଇ କେଭେ ସାମରଥ

ତୁମ୍ଭେ କହିଛି କଥା ଆର

ମୁଁ ତାର ଦେବଇଁ ଉତ୍ତର

ଅଗ୍ନିରେ ପଶିଲେ ବାଳକ

କେମନ୍ତ ତା ଜୀବନ ରଖ

କେମନ୍ତେ ତାହାକୁ ନିସ୍ତାରି

ମୁଁ ତାହା କହିବି ବିସ୍ତାରି

ତୁମ୍ଭେ ତ କହିଛ ଏକଥା

ଅନଳେ ଯାଏ ଶିଶୁ ଯଥା

ତାହାକୁ କଲେ ନିବାରଣ

ଅବଶ୍ୟ କରିବ ତାଡ଼ନ

ଏ କଥା କରିଣ କଷଟି

ଯଦି ପରଖି ବସିବଟି

ତୁମ୍ଭରି କଥିତ ସମ୍ପାଦ

ହେବ ତୁମ୍ଭର ଅପବାଦ

ତୁମ୍ଭେ ଦେଖାଅ ଯେଉଁ ବାଟ

ସେ ଯୁକ୍ତି ଖାଇଯିବ କାଟ

ଏବେ ହୋ ମୋତେ କହ ଭଲେ

ବାଳୁତ ଅନେକ ଝାସିଲେ

କିପରି ତାକୁ ଦେବ ବାଧା

କହ ହେ ତାହର ମସୁଧା

ଯଦି ସେ ବାଳୁତର ବଳ

ତେ ତହୁଁ ହୁଅଇ ପ୍ରବଳ

ତୁମ୍ଭେ ନ ପାର ତାକୁ ରଖି

ସେ ଯାଏ ତମ୍ଭଙ୍କୁ ଉପେକ୍ଷି

ତେବେ ତ ତୁମ୍ଭେ ନିରୁପାୟ

କିପରି ହୋଇବ ସହାୟ

ହୁଏ ତ ତାକୁ ଅସ୍ତ୍ର ଧରି

ଜୀବନେ ପକାଇବ ମାରି

ଯେମନ୍ତେ ଶିଶୁ ନିଜେ ନିଜେ

ନମରେ ଅନଳ ଦହିଜେ

ଯଦି ବା ନ ବଳାଏ ସତ

ମାରିବା ପାଇଁ ଅସକତ

ପୁଣି ହୋ ନ ପାରୁଛ ସହି

ସେ ଯଦି ନିଜେ ମରେ ଦହି

ତେବେ ତ ତୁମ୍ଭ ପାଇଁ ଖୋଲା

ଏକଇ ଉପାୟ ରହିଲା

ନିଜ ଜୀବନୁ ଛାଡ଼ି ମାୟା

ଅନଳେ ଝାସି ଦେବ କାୟା

ଏକେ ତ ବାଳକେ ମମତା

କେମନ୍ତେ ତାର ହେବ ହନ୍ତା

ଦ୍ୱିତୀୟେ ରୋଧିବାର ପାଇଁ

ଶକତି ତୁମ୍ଭର ବା କାହିଁ

ତେବେ ତ ତୃତୀୟ ଉପାୟ

ନିଜକୁ କରିଦେବ ଦାହ

ଦୟାର୍ଦ୍ର ଅଟେ ଯାର ଚିତ୍ତ

ସେ ସିନା ହୁଏ ବିଚଳିତ

ତେମନ୍ତ ଦୟା ଯାର ନାହିଁ

ସେକି ମରଇ ପର ପାଇଁ

ଯେ ପ୍ରାଣୀ ପର ଦୁଃଖ ହେରି

ରହି ନ ପାରେ ଦେହ ଧରି

ପର ଦୁଃଖରେ ସେ କାତର

ହୋଇ ବା ତେଜନ୍ତା ଶରୀର

ତହିଁକି ଯେବେ ଅସମର୍ଥ

ସକଳ ସେଷ୍ଟା ହେବ ବ୍ୟର୍ଥ

ନିସତେ ତୁମ୍ଭେ ଏହି ମତେ

ଛାଡ଼ିଶ ଦେବ ସେ ବାଳୁତେ

ତୁମ୍ଭଙ୍କୁ ବୁଦ୍ଧି ନ ଦିଶିବ

ବାଳକ ଅନଳେ ପଶିବ

ଏମନ୍ତେ ଯଦି ପଶୁବଳ

ତୁମ୍ଭେ ହୋ ଆଶ୍ରୟ ନକର

ବାଳକ ଅଥବା ଆପଣ

ବେନି ମଧ୍ୟରୁ ଏକ ଜଣ

ନିଶ୍ଚେ ଜୀବନ ଯିବ ନାଶ

ଅନଳ ମଧ୍ୟେ ଦେଇ ଝାସ

ଯଦିବା କେହି ଦେହ ଜୋରେ

ବାଳକେ ଅନଳୁ ଉଦ୍ଧରେ

ବଳ ଖଟାଇ ଧରି ତାକୁ

ନ ଦିଏ ଅନଳେ ଯିବାକୁ

ତା ନୋହେ ଅସ୍ତ୍ର ଶସ୍ତ୍ର ବଳ

ହେଲେହେଁ କାର୍ଯ୍ୟ ଶରୀରର

ବାଳକେ କଲେ ହେ ତାଡ଼ନା

ପଶୁ ବଳରେ ନୁହେ ଗଣା

ମୁଁ ତାର କହିବି ପ୍ରମାଣ

ତୁମ୍ଭେ ହୋ ମନଦେଇ ଶୁଣ

ବାଳକେ ତୁମ୍ଭ ପ୍ରତିରୋଧି

ଅନଳୁ ଉଦ୍ଧରିବ ଯଦି

ତହୁଁ ତୁମ୍ଭର ନାହିଁ ସ୍ୱାର୍ଥ

ତେଣୁ ସେ ତୁମ୍ଭ ପୁରୁଷାର୍ଥ

ବାଳକଠାରେ ସ୍ନେହ ବହି

ବାହାରେ ତାର ଦେହେ ଦ୍ରୋହୀ

ତୁମ୍ଭର ଅଙ୍କୁଶର ଫଳ

ତାହାରି ମଙ୍ଗଳ କେବଳ

ତେଣୁ ଏଥିରେ ହିଂସା ଭାବ

ତୁମ୍ଭର ରହିନାହିଁ ଲବ

ସେ ହେତୁ ଏ ତୋର କୌଶଳ

ନୁହଇ କେଭେ ପଶୁବଳ

କିନ୍ତୁ ଏ ଶରୀରର ବଳେ

ଗୋରାଙ୍କୁ ଏଥୁ ତଡ଼ି ଦେଲେ

ଅଥବା ଅସ୍ତ୍ର ଶସ୍ତ୍ର ଧରି

ତାହାଙ୍କୁ ପକାଇଲେ ମାରି

କରିବ ତାହା ନିଜ ସ୍ୱାର୍ଥେ

ଅବା ରାଷ୍ଟ୍ରର ଶୁଭ ଅର୍ଥେ

ଯେଣୁଟି ଆପଣା କୁଶଳେ

ପରକୁ ଦୁଃଖ ଦେବ ବଳେ

ଶତ୍ରୁର ପ୍ରତି ଦୟା ସ୍ନେହ

ଭାବ ତ ହୃଦୟେ ନବହ

ତେଣୁ ତାହାକୁ ପଶୁବଳ

ବୋଲିହିଁ କହିବା କେବଳ

ତୁମ୍ଭେ ବା କହିବ ଏମନ୍ତ

ଇଂରାଜୀଙ୍କର ଯେତେ କୃତ୍ୟ

ସେ ସବୁ ଅତ୍ୟନ୍ତ ଅଧମ

କରନ୍ତି ବାଳକର ସମ

ଯେ କର୍ମ ଅଧମ ଅନ୍ୟାୟ

ସେ କର୍ମ ଅଟେ ଅଗ୍ନି ପ୍ରାୟ

ଗୋରାଏ ଅଜ୍ଞାନ କୁମତି

ତେଣୁ ଏମନ୍ତେ ଆଚରନ୍ତି

ତାଙ୍କରି ମଙ୍ଗଳ କାରଣ

ଯଦ୍ୟପି କରିବା ବାରଣ

ତାଙ୍କ ଦୟା ଭାବ ବହି

କୁକର୍ମ ନଦେବା କରାଇ

ତେଣୁ ଧରିଣ ଅସ୍ତ୍ରଶସ୍ତ୍ର

ତାହାଙ୍କୁ କରିବା ନିରସ୍ତ୍ର

ଖଟାଇ ନିଜ ଦେହ ବଳ

ସାଧିବା ତାଙ୍କରି ମଙ୍ଗଳ

ସେ ହେବ ଏକ ଅନ୍ୟକଥା

ଉଚିତ ସେକର୍ମ ସର୍ବଥା

ଏଡ଼େ ମହତ ଯା ହୃଦୟ

ତାହାର ଆଉ କେଉଁ ଭୟ

ଏମନ୍ତେ ତୁମ୍ଭେ ହେଲେ କ୍ଷମ

ତୁମ୍ଭେ ହୋ ପୁରୁଷ ଉତ୍ତମ

ତେବେ ତ ତୁମ୍ଭେ ଯହିଁ ତହିଁ

ଏମନ୍ତ କର୍ମ ଘଟିବଇ

ସେଠାରେ ଯାଇ ଦେବ ବାଧା

ତିଳେହେ ନ କରିଣ ଦ୍ୱିଧା

ଯାବତ କାର୍ଯ୍ୟ ଏହିମତେ

ପଡ଼ିବ ତୁମ୍ଭର ଅଗ୍ରତେ

ତାବତ ତାର ପ୍ରତିକାର

କରିବ ପ୍ରାଣୀଙ୍କ ଉଦ୍ଧାର

ଜଗତ ହିତେ ହେହ ଧରି

ଦେବାକୁ ହେବ ପ୍ରାଣ ବଳି

ଏଭଳି ସାହସ ଯାହାର

କି ଡର ଭୟ ପୁଣି ତାର

ସେ ଜନ ସ୍ୱାଧୀନ ମୁକତ

ତାହାକୁ କେବା ସାମରଥ

ଏମନ୍ତ ଅସାଧ୍ୟ ସାଧନ

କରିବା ପାଇଁ ଯଦି ମନ

ମୁଁ ଇଚ୍ଛେ ତୁମ୍ଭର କୁଶଳ

ହୃଦୟେ ପ୍ରଭୁ ଦ୍ୟନ୍ତୁ ବଳ

ମାତ୍ର ଏ ନୁହଇ ସହଜ

ଜାଣ ଏ ଅସମ୍ଭବ କାର୍ଯ୍ୟ

 

Unknown

ସପ୍ତଦଶ ଅଧ୍ୟାୟ

ସତ୍ୟାଗ୍ରହ

ପାଠକ ଉବାଚ

ଯେ ଆତ୍ମବଳ କଥା କହ

ଯା ନାମ ପୁଣି ସତ୍ୟାଗ୍ରହ

ସେ ବଳ କେହି କେଉଁ କାଳେ

ବହିଣ ଏ ମହୀ ମଣ୍ଡଳେ

କରିଛି କେବେ କର୍ମ ସିଦ୍ଧି

କହି ହେ ମୋତେ ଏ ଅବଧି

ଏ ଧରାଧାମେ କେଉଁ ରାଜ୍ୟ

ଅଥବା କେବଣ ସମାଜ

ଏବଳେ କରିଛି ବଢ଼ନ୍ତି

ଟେକି ବା ଅଛି ରାଜଛତି

ଇତିହାସରେ ତା ପ୍ରମାଣ

ଥିବାର କେବେ କି ହେ ଜାଣ

ମୋର ଦୃଢ଼ ଏ ବିଶ୍ୱାସ

କଣ୍ଟକ କଣ୍ଟା କରେ ନାଶ

ଦୁଷ୍ଟ ଦୁର୍ମତି ଯେଉଁ ଜନ

ନ କଲେ ତାହାକୁ ଶାସନ

ନ ଦେଲେ ଦଣ୍ଡ ବିଧିମତେ

ସ୍ୱଭାବ ଛାଡ଼ିବ କେମନ୍ତେ

 

ସଂପାଦକ ଉବାଚ

ଶୁଣ ପାଠକ ଦେଇ ମନ

ସତ୍ୟାଗ୍ରହର ଯେ ଲକ୍ଷଣ

ତୁଳସୀ ଦାସ ରାମ ଭକ୍ତ

ଲେଖିଲେ ରାମାୟଣ ଗ୍ରନ୍ଥ

ରାମ ଚରିତ ରାମାୟଣ

ପ୍ରାକୃତ ଭାଷାରେ ରଚନ

ସାକ୍ଷାତେ ବାଲମିକ ମୂର୍ତ୍ତି

ସେ ପୁଣ ଗୀତେ କହିଛନ୍ତି

ଦୟା ଧର୍ମର ମୂଳ ସ୍ଥାନ

ପାପର ମୂଳ ଅଭିମାନ

ତେଣୁ ଯାବତ ଜୀବ ଥିବ

ହୃଦୟୁଁ ଦୟା ନ ଛାଡ଼ିବ

ମୁଁ ଏହା ବିଜ୍ଞାନ ପ୍ରମାଣେ

ନିର୍ମଳ ସତ୍ୟ ବୋଲି ଜାଣେ

ଦୁଇରେ ଦୁଇ ଯୋଗ କରି

ଯେସନେ ଯୋଗ ଫଳଚାରି

ଏଥିରେ ନାହିଁନା ସନ୍ଦେହ

ତେହ୍ନେ ଦୟାର ସତ୍ୟାଗ୍ରହ

ଏ ଦୟା ଅଟେ ଆତ୍ମବଳ

ଏ ଦୟା ସର୍ଜନାର ମୂଳ

ଏ ଦୃଢ଼ ବିଶ୍ୱାସ ମୋହର

ଏ ବାଣୀ ସତ୍ୟ ଅନଶ୍ୱର

ଏ ଦୟା ରୂପୀ ସତ୍ୟାଗ୍ରହ

ଏଥିରେ ନାହିଁ ନା ସନ୍ଦେହ

ତାର ପ୍ରମାଣ ପଦେ ପଦେ

ପାଇବ ତୁମ୍ଭେ ଏ ଜଗତେ

ଏ ଆତ୍ମବଳହିଁ ନ ଥିଲେ

ପୃଥିବୀ ଯାନ୍ତା ରସାତଳେ

ତୁମ୍ଭେ ତ ଖୋଜ ଇତିହାସ

ତହିଁରେ ତୁମ୍ଭର ବିଶ୍ୱାସ

ତେଣୁ ମୁଁ ଆଗେ କହିବଇଁ

କାହାକୁ ଇତିହାସ କହି

ଯାହା ଘଟିଛି ଅତୀତରେ

ତା ଇତିହାସ ନାମ ଧରେ

ଅତୀତ ଅଟେ ଇତିହାସ

ଅତୀତ କାଳର ଆଭାସ

ତହିଁରେ ସତ୍ୟାଗ୍ରହ ପରି

ଉଲ୍ଲେଖ ଅଛି ଭୁରି ଭୁରି

ପୋଥିପୁରାଣ ଭାଗବତ

ପଢ଼ିତ ଅଛ ସେ ସମସ୍ତ

ଏହି ମନୁଷ୍ୟ ସମାଜରେ

ଯେ ଚିନ୍ତାଧାରା ରୂପ ଧରେ

ଲୋକେ ଯା କଲେ ଆଚରଣ

ପୁରାଣେ ତହିଁର ପ୍ରମାଣ

ତହିଁରେ ଯେତେ ଆଖ୍ୟାୟିକା

ଦେଖ ହେ ତାର କରି ଟୀକା

ତା ମୂଳେ ଅଛି ଯେଉଁ ସତ୍ୟ

ସେ ସବୁ ମନୁଷ୍ୟ ଚରିତ

ଆତ୍ମାବଳର ପରସଙ୍ଗ

ଦେଖ ମଣ୍ଡିଛି ତାର ଅଙ୍ଗ

କିନ୍ତୁଟି ଆଜ ସଭ୍ୟଦେଶ

ଯାହାକୁ କହେ ଇତିହାସ

ତହିଁରେ ସତ୍ୟ ଇତିବୃତ୍ତ

କଦାପି ନ ହୁଏ ଆବୃତ୍ତ

ଇତିହାସ କୁ ଏ ଇଂରାଜୀ

କଲେ ରାଜାଙ୍କର ଦିନପାଞ୍ଜି

ରାଜାଙ୍କ ଦୈନନ୍ଦିନ କଥା

ଗାଇବ ଇତିହାସ ପୋଥା

ସତ୍ୟାଗ୍ରହେ ଯେ ଇତିହାସେ

ଖୋଜିବା କହ କେଉଁ ଆଶେ

ହରିତାଳର ଖଣି ଖୋଳି

ହରିଣ୍ୟ କାହିଁ ଥାଏ ମିଳି

ପୃଥିରେ ଯେତେକ ବିତ୍‌ପାତ

ଯେତେ ବା ଘଟିଛି ସଂଘାତ

ଯେତେ ଧ୍ୱଂସ ବା ସର୍ବନାଶ

ଗାଇଛି ଏହି ଇତିହାସ

ଇତିହାସ ଯେ ରାଷ୍ଟ୍ରେ ନାହିଁ

ସେ ସୁଖେ ଭୁଞ୍ଜୁ ଥାଏ ମହୀ

ଏ ଅଟେ ଇଂରାଜୀ ପ୍ରବାଦ

ଏ ଅତି ସତ୍ୟ ହୁଏ ବୋଧ

ରାଜାଙ୍କ କ୍ରୀଡ଼ା ବ୍ରୀଡ଼ା ଆଦି

ଯେ ପୋଥି ରଖଇ ସଂପାଦି

ରାଜାଙ୍କ ହତ୍ୟା ଅତ୍ୟାଚାର

ଯେ ଇତିହାସର ବିଚାର

କେବଳ ରାଜାଙ୍କ କରଣୀ

ଘଟଇ ଯେହ୍ନେ ଏ ଧରଣୀ

ରାଜାଙ୍କ କାର୍ଯ୍ୟ ବ୍ୟତିରେକେ

ନ ଘଟେ ଆନ କିଛି ରେଖେ

ଏମନ୍ତ ଯେଉଁ ଇତିହାସ

ତାହାକୁ କି କରି ବିଶ୍ୱାସ

ଯାହା ଏ ଇତିହାସ ମତ

ସେ ଯେବେ ହୋଇଥାନ୍ତା ସତ୍ୟ

କେଉଁ କାଳରୁ ଏହି ମହୀ

ପ୍ରଳୟ ହୋଇଥାନ୍ତା ରହି

ଯଦିଏ ସଂସାର ଭିଆଣ

ମରହାଣରେ ସଂସ୍ଥାପନ

ଯଦ୍ୟପି ଧ୍ୱଂସ ନାଶ ପରେ

ଜୀବ ସଂଚାର ଏ ଶୟଳେ

ତେବେ ତ ଜଣେହେଲେ କେହି

ମଣିଷ ନ ଥାନ୍ତା ଏ ମହୀ

ଯେବଣ ରାଜ୍ୟେ ନାରୀ ନରେ

ନିରତେ ରତ ଏ ସଂହାରେ

ତାଙ୍କର ଭାଗ୍ୟ ବିପର୍ଯ୍ୟୟ

ଜାଣ ହେ ଘଟଇ ନିଶ୍ଚୟ

ବିଷୁବ ରେଖାର ଦକ୍ଷିଣ

କଲେଟି ଭଲେ ପ୍ରଦକ୍ଷିଣ

ଜାଭା ସୁମାତ୍ରା ପାରି କରି

ବର୍ଣ୍ଣିଓ ଦ୍ୱୀପ ହେବ ପାରି

ତାର ଦକ୍ଷିଣେ ପୂର୍ବ ଭାଗ

ଦେଖିବ ଭୂମି ଭାଗ ଆଗେ

ସେହିଟି ଅଷ୍ଟ୍ରେଲିଆ ରାଜ୍ୟ

ଅଦ୍ୟାପି କରଇ ବିରାଜ

ତହିଁ ଆଦିମ ଅଧିବାସୀ

ଗୋରାଏ ମାଇଲେ ନିକାଶି

ଜନମେଜୟ ସର୍ପ ଯଜ୍ଞ

ସମାନ ଭେଇଲେ ସେ ଅଜ୍ଞ

ଏବେ ସେ ଜାତିର ମନୁଷ୍ୟ

ଚିହ୍ନ ବର୍ଣ୍ଣହିଁ ନାହିଁ ଲେଶ

ଗୋରାଏ ଯେବେ ତହିଁ ଗଲେ

ଏହାଙ୍କୁ ଶିକାର କରିଲେ

ଗୋଟିଏ ହେଲେ କେ ନାହାନ୍ତି

କୁଳକୁ ଦେବା ପାଇଁ ବାତୀ

ମାତ୍ର ଏ ଅଷ୍ଟେଲିଆ ବାସୀ

କିଣିଲେ ନିଜ କାଳ ଫାସି

ସେ ଯେଣୁ ଆଚରିଲେ ହିଂସା

ତେଣୁ ଲାଗିଲା ହତ୍ୟାନିଶା

ହିଂସାର ଜବାବ ହିଂସାରେ

ଗୋରାଏ ଦେଲେ ନିର୍ବିକାରେ

ହୋଇ ଅଧିକ ବଳିୟାର

ତାହାଙ୍କୁ କଲେକ ସଂହାର

ମହୀରୁ ତାଙ୍କୁ କଲେ ଲୋପ

ଏମନ୍ତ ଗୋରାଙ୍କ ପ୍ରକୋପ

ଯଦ୍ୟପି ଅଷ୍ଟେଲିଆ ବାସୀ

ମନରେ ହିଂସା ନ ମନାସି

ହେଇ ସେ ଥିଲେ ସତ୍ୟାଗ୍ରହୀ

କେ ତାଙ୍କୁ ମାରନ୍ତା ଏ ମହୀ

ନିଜର ନିଜେ ଯେ ଅଧିପ

କେ ତାଙ୍କୁ କରିପାରେ ଲୋପ

ଶୁଣ ମୁଁ ପୁଣ କହି ରଖେଁ

ଏ ଗୋରା ଜାତି ଏକେ ଏକେ

ଯେମନ୍ତେ ନିରୀହଙ୍କୁ ମାରି

ନିଜେ ହୋଇଲେ ଅଧିକାରୀ

ଯେମନ୍ତେ କ୍ଷମତା ପ୍ରକାଶ

କରି କରିଲେ ଅଧିବାସ

ପୁଣି ଆସିବ ଏକଦିନ

ଶୁଣ ମୋହର ଏ ବଚନ

ଏ ଗୋରା ତେବେ ନାଶ ଯିବେ

ନାମ ମାତ୍ରକେ କେ ନଥିବେ

ଯେ ଜନ ଖୋଳେ ଯେଉଁ ଗର୍ତ୍ତ

ସେ ତହିଁ ପଡ଼ଇ ନିୟତ

ଯେ ଖେଳେ ଖଣ୍ଡା ତରୁଆଳ

ସେ ପୁଣ ହୁଏ ତାର କାଳ

କଥାରେ କହିଥାନ୍ତି ପରା

ଯେ ଭଲ ଜାଣଇ ପହଁରା

ଜଳ ସମାଧି ହୁଏ ତାର

ଏକଥା ନୁହଇ ଅସାର

ଦେଖ ହେ ଆଜ ଏହି କ୍ଷିତି

ଅସଂଖ୍ୟ ଲୋକର ବସତି

ସତ୍ୟ ଦୟା ବା ଆତ୍ମବଳେ

ସୁଖେ ରହନ୍ତି ଏ ଶୟଳେ

ଯଦି ବା ହିଂସା ଅସ୍ତ୍ର ଶସ୍ତ୍ର

ଶାସୁ ଥାଆନ୍ତା ଏ ଜଗତ

ସେ ପଶୁ ବଳର ପ୍ରକୋପ

ଏ ମହୀ କରନ୍ତାଣି ଲୋପ

କେତେ ସଂଗ୍ରାମେ ଏହି ମହୀ

ରକତ ନଦୀ ଗଲ ବହି

ତଥାପି ଦେଖ ଏ ଧରତୀ

ଧରଇ ମାନବ ସନ୍ତତି

ଏତେ ସମର ରଣ କରି

ମନୁଷ୍ୟ ବଞ୍ଚିଛି କିପରି

କହ ହେ ତେବେ କାହାବଳେ

ନର ନିବାସ ମହୀତଳେ

ସେ ନୁହେଁ ଯୁଦ୍ଧ ବଳ କେଭେ

ଏ କଥା ମାନିବେ ସରବେ

ଏଣୁଟି ହେଉଛି ପ୍ରମାଣ

ଆତ୍ମବଳରୁ ଏହା ଆନ

ଦେଖ ଏ ଯେଉଁ ଆତ୍ମବଳ

ସର୍ବତ୍ର ହୁଅଇ ସଫଳ

ତେଣୁ ଅସଂଖ୍ୟ ନର ନାରୀ

ସ୍ୱଚ୍ଛନ୍ଦେ ଗୃହବାସ୍ତ କରି

ସ୍ନେହ ସୌହାର୍ଦେ ଆନୁଆନ

ଆନନ୍ଦେ କଟାନ୍ତି ଜୀବନ

ଯଦି ବା କେଉଁ ପରିବାରେ

କଳି କରନ୍ତି ପରସ୍ପରେ

ପୁଣି ଏ ପ୍ରେମର ପ୍ରଭାବେ

ସୁଖେ ରହନ୍ତି ମିତ୍ର ଭାବେ

ଏମନ୍ତେ ପ୍ରେମ ଭାବ ଥାଇ

ଯେତେ ଘଟଣା ଘଟୁଥାଇ

ଏ ଇତିହାସେ କେବେ ତାର

ଭ୍ରମେହେଁ ପଡ଼େ ନାହିଁ ଗାର

ଯେ ସ୍ଥାନେ ଶାନ୍ତି କରେ ବାସ

ତହିଁ ନ ଯାଏ ଇତିହାସ

ଏ ସତ୍ୟ ଦୟା ଧର୍ମ ଭାବ

ଯେବଣ ସ୍ଥାନରେ ଅଭାବ

ସେଠାବେ ଯାହା ଯାହା ଘଟେ

ଏ ଇତିହାସେ ସେ ପ୍ରଘଟେ

ଏକ କୁଟୁମ୍ବେ ଦୁଇଭଇ

କରନ୍ତି ଯଦ୍ୟପି ଲଢାଇ

ସେ ଦୁଇ ଭାଇଙ୍କରୁ ଏକ

ଯଦ୍ୟପି ଖଟାଏ ବିବେକ

ଧରଇ ଅସ୍ତ୍ର ସତ୍ୟାଗ୍ରହ

ବୁହାଇ ପ୍ରେମର ପ୍ରବହ

ଅପର ଭାଇର ହୃଦୟେ

ଅବଶ୍ୟ ପ୍ରେମ ଭାବ ବହେ

ଏମନ୍ତେ ଯେବେ ମିଳିମାଳି

କରନ୍ତି ସୁଖେ ଗୃହସ୍ଥାଳି

କେବେ କି କେଉଁ ଇତିହାସେ

ତାହାର ବିବରଣୀ ଆସେ

ଅଥବା ଯେବେ ବେନି ଭାଇ

ପରସ୍ପରରେ ହେବେ ଦ୍ରୋହୀ

ଓକିଲ ପରାମର୍ଶେ ମାତି

ଅଧିକ ବୈର ସାଧୁଥାନ୍ତି

ପରସ୍ପରରେ କରି ଭୟ

ଘେନନ୍ତି ଅସ୍ତ୍ରର ଆଶ୍ରୟ

ଅଥବା ମନେ ବହି ଈର୍ଷା

ଲାଗଇ ଅଦାଲତ ନିଶା

ଏ ଅଦାଲତ ଅତି ଖଳ

ଏକ ପ୍ରକାରେ ପଶୁବଳ

ନ୍ୟାୟର ନ କରେ ବିଚାର

ଅନ୍ୟାୟ ଦଣ୍ଡ ଭୋଗ ସାର

ଯେ ପାରେ କହି ଖଚ ମିଛ

ଅଧିକ ଲାଞ୍ଚ ତାର ପାଞ୍ଚ

ଖରଚ ହିଁ ଅପର୍ଯ୍ୟାପ୍ତ ଅର୍ଥ

ଅଦାଲତକୁ ସେ ସମର୍ଥ

ଏମନ୍ତେ ଯଦି ଭାଇ ଭାଇ

ଏ ଅଦାଲତରେ ଆଶାୟୀ

କରନ୍ତି ତୁ କଳି ଗୋଳ

ସର୍ବତ୍ର ପଡ଼ଇ ଚହଳ

ଅଥବା ଅସ୍ତ୍ର ଶସ୍ତ୍ର ବଳେ

ଯୁଦ୍ଧ କଲେଟି ପରସ୍ପରେ

ସ୍ନେହ ଦୟାକୁ ଭୁଲି କାଳେ

ଅନୁଆନରେ ପରତାଳେ

ସେ କଥା ଏ ସାରା ବ୍ରହ୍ମାଣ୍ଡେ

ସହଜେ ବାଜିଯାଏ ଚାଣ୍ଡେ

ତିଳକୁ ତାଳ କରି ସଜ

ଘୋଷନ୍ତି ଖବର କାଗଜ

ସାହି ପଡ଼ିଶା ବଛା ବଛା

ଯଥେଚ୍ଛା କରନ୍ତି ଚରଚା

ସେ ପୁଣି ସର୍ବ ଶେଷେ ଆସେ

ସ୍ଥାନ ନେବାକୁ ଇତିହାସେ

ଘଟ ଘଟକେ ଏ ଘଟଣା

ଘଟିବା ଯେହ୍ନେ ଯାଏ ଜଣା

ଜାତି ଜାତିକେ ତେହ୍ନେ କଳି

ଏହାତ ଆସୁଅଛି ଚଳି

ସେ ପୁଣି କାଳେ ମିଳି ଯାନ୍ତି

ପୁଣି ବିରାଜେ ସୁଖ ଶାନ୍ତି

ସତ୍ୟ ପ୍ରେମର ଭାବ ମନେ

ରହନ୍ତି ମମତା ବନ୍ଧନେ

ସେ ସବୁ କଥା ଇତିହାସ

ନକରେ କଦାପି ପ୍ରକାଶ

ଏ ଯେଣୁ ସାଧାରଣ କଥା

ଘଟଇ ଘଟୁଛି ସର୍ବଥା

ତାହାର ଯେମନ୍ତେ ବିକାଶ

ତାହା ନ କହେ ଇତିହାସ

ପ୍ରେମ ଦୟାର ରୁପ ରେଖ

ନ ଦିଏ ତହିଁକି ଭ୍ରୂକ୍ଷେପ

ସଦା ସର୍ବଦା ଏହି ମହୀ

ଯୁଦ୍ଧ ବିଗ୍ରହ ଘଟେ ନାହିଁ

କ୍ୱଚିତ କଦବା ତ ଘଟେ

ଅନ୍ତେ ପ୍ରେମହିଁ ପରକଟେ

ଦୟାରେ ମନୁଷ୍ୟର ସ୍ଥିତି

ଦୟାହିଁ ସ୍ୱାଭାବିକ ଗତି

ତେଣୁଟି ଏହି ସତ୍ୟାଗ୍ରହ

ମନୁଷ୍ୟ ସ୍ୱଭାବହିଁ କହ

ଏ ଯେଣୁ ଅଟେ ସ୍ୱାଭାବିକ

ସଚରାଚରରେ ଅଧିକ

ଇତିହାସରେ କେବେ ନାହିଁ

ଉଲ୍ଲେଖ ଥରେ ହୁଏ ନାହିଁ

ତାର ମହିମା ତାର ଟେକ

ଇତିହାସରେ ତା’ ଉଲ୍ଲେଖ

 

ପାଠକ ଉବାଚ

ଇତିହାସର ଏକ ଚିତ୍ର

ମେତେ ତ ଲାଗଇ ବିଚିତ୍ର

ସତ୍ୟାଗ୍ରହର ଯେ ମହିମା

ସେ କି ନ ମାଡ଼େ ତା ତ୍ରିସୀମା

ଏ ସତ୍ୟାଗ୍ରହ ଅନୁପମ

ବର୍ଣ୍ଣନେ ସେ କି ନୁହେ କ୍ଷମ

ଏମନ୍ତେ ଯେଉଁ ସତ୍ୟାଗ୍ରହ

କହିବା ହେଉ ତା ବିଷୟ

ସେ ଧରେ କି ରୂପ କେମନ୍ତ

କହେ ତାହାର ଆଦି ଅନ୍ତ

ତାର ବୃତ୍ତାନ୍ତ ତା ଗରିମା

କହେ ହେ ତାହାର ମହିମା

ଏ ସତ୍ୟାଗ୍ରହର ଯେ ତତ୍ତ୍ୱ

ଶୁଣ ମୁଁ କହୁଛି ସମସ୍ତ

ଶାନ୍ତ ଭାବରେ ପ୍ରତିରୋଧ

କରିବା ସତ୍ୟାଗ୍ରହ ପଦ

ମନୁଷ୍ୟ ତାର ହକ ଦାବୀ

ହାସଲ କରିବାକୁ ଭାବି

ଯାଠାରୁ କରେ ଅଧିକାର

ନ ପାଞ୍ଚେ ଅନିଷ୍ଟ ତାହାର

ଆପଣା ଦେହେ କଷ୍ଟ ସହେ

ସେ ଅଟେ ପଟୁ ସତ୍ୟାଗ୍ରହେ

ଶସ୍ତ୍ର ବଳର ବିପରୀତ

ଏବଳ ଅଟଇ ବିଦିତ

ଯେ କାର୍ଯ୍ୟ ମୁଁହିଁ ଦେଖେ ମନ୍ଦ

ଲାଗଇ ମୋତେ ଅପସନ୍ଦ

ସେ କର୍ମ ମୁଁ ଯେବେ ନ କରେ

ଆପଣା ମନେ ଧୈର୍ଯ୍ୟ ଧରେ

ସେ ପାଇଁ କେତେକ ବିପଦ

ମଣିବ ତାକୁ ଶ୍ରେୟ ପଦ

ଏହାକୁ କହି ଆତ୍ମବଳ

ଅଥବା ସତ୍ୟାଗ୍ରହ ବୋଲ

ଏ ଦେଶେ ଆଜି ସରକାର

ଆଚରୁଛନ୍ତି ସ୍ୱେଚ୍ଛାଚାର

ପ୍ରଜାଙ୍କ ମଙ୍ଗଳ ନ ଚିନ୍ତି

ଅନ୍ୟାୟ କଲେ ମୂଳ ଭିତ୍ତି

ନ ଶୁଣି ପ୍ରଜାଙ୍କ ଗୃହାରି

ଅନ୍ୟାୟ ଆଇନର ଜାରି

ଏ ଯେତେ ଅନ୍ୟାୟ ଅନୀତି

ପ୍ରଜାଏ ସହୁଛନ୍ତି ନୀତି

ମୁଁ ଯଦି ନ ପାରେ ତା ସହି

ତା ପ୍ରତିକାରକୁ ଇଚ୍ଛଇ

ନ ସହିପାରି ନାନା ଦାଉ

କରଇଁ ମରଣ ଚଢାଉ

ଖଟାଇ ମୋର ପଶୁବଳ

ଯେତେକ ସମର କୌଶଳ

ଯେମନ୍ତେ ହୋଇଣ ନାଚାର

ହାର ମାନିବେ ସରକାର

ଅନ୍ୟାୟ ଆଇନ ଉଠାଇ

ଡାକିବେ କର ତ୍ରାହି ତ୍ରାହି

ଏମନ୍ତ ଉପାୟ ବିଧାନ

ନୁହଇ ଆତ୍ମ ବଳ ଜାଣ

ଏ ଦେହ କ୍ଷମତାର ଆଗେ

ପ୍ରୟୋଗେ ପଶୁ ବଳ ଲାଗେ

ଏ ପଶୁ ବଳ ଆଚରଣ

ତୁଚ୍ଛ ବୋଲିଣ କରେ ଜ୍ଞାନ

ଯେ କରେ ଲୋକଙ୍କ ଅହିତ

ତା ପ୍ରତି ରଖି ସ୍ନେହ ଚିତ୍ତ

ଆଇନ ପ୍ରଣୟନକାର

ଅଟନ୍ତି ଯେହୁ ସରକାର

ନ କରି ତାଙ୍କୁ ଆକ୍ରମଣ

ନ ବହେ ହିଂସା ଭାବ ମନ

ଯଦି ସେ ଆଇନ ବିଧାନେ

ଅବଜ୍ଞା ଭରେ ମୁଁ ନ ମାନେ

ସେ ଲାଗି ଦଣ୍ଡ ଯେ କଷଣ

ଭୋଗି ମୁଁ ହରଷିତ ମନ

ସେ ଦୁଃଖ ସହିବାର ପାଇଁ

ଯେମନ୍ତ ବଳ ଲୋଡ଼ା ଥାଇ

ତାହାକୁ କହି ଆତ୍ମବଳ

ସତ୍ୟାଗ୍ରହର ସୁକୌଶଳ

ଏ ସତ୍ୟାଗ୍ରହର ବିଧାନ

କେବଳ ଆତ୍ମବଳି ଦାନ

ନ ଦେଇ ଶତ୍ରୁ ମନେ ଦୁଃଖ

ନିଜେ ସହିବ ଶୋକ ଦୁଃଖ

ଆପଣେ ସହିବା କଷଣ

ଅଟଇ ସତ୍ୟାଗ୍ରହୀ ପଣ

ଅପରେ ଦୁଃଖ ଦେବଠାରୁ

ଆପଣେ ସହେ ଦୁଃଖ ଗରୁ

ମହତ ପଣ ସିନା ତାର

ସକଳେ କରିବେ ସ୍ୱୀକାର

ଏ ସତ୍ୟାଗ୍ରହ ସୁଚରିତ୍ର

ଦେଖ ହେ କେମନ୍ତ ବିଚିତ୍ର

ଯଦିବା କେହି ସତ୍ୟାଗ୍ରହୀ

ଭ୍ରମେ ବିଚାରି ନ ପାରଇ

ଉଚିତ କେବା ଅନୁଚିତ

ବୁଝି ନ ପାରେ ତାର ଚିତ୍ତ

ସେ ଯଦି ଅନ୍ୟାୟ କାରଣେ

ମାତଇ ସତ୍ୟାଗ୍ରହ ରଣେ

ଅପର ପକ୍ଷର ତହିଁରେ

କ୍ଷତି ସେ ତିଳେ ହେଁ ନକରେ

ଯେଣୁଟି ସତ୍ୟାଗ୍ରହୀ ଇଷ୍ଟ

ଅଟେ ସହିବା ଦୁଃଖ କଷ୍ଟ

ଅନ୍ୟର ନ ହୁଅଇ କ୍ଷତି

ଆପଣା ଭ୍ରମୁ ସେ ଭୋଗନ୍ତି

ନିଜ କୁକର୍ମେ ଦଣ୍ଡ ଭୋଗି

ହୁଅନ୍ତି ସେହୁ ପୀଡ଼ା ଭାଗୀ

ସଂସାରେ ଲଭିଣ ଜନମ

ମନୁଷ୍ୟ ମାତ୍ରେ ମତିଭ୍ରମ

ସେ ପୁଣି ବୁଝେ କାଳକ୍ରମେ

ପଡ଼ିଛି ଅତି ମତିଭ୍ରମେ

ମହୀମଣ୍ଡଳେ କହି ଜନ

ନାହିଁତ ଏମନ୍ତ ଭାଜନ

କହିବ ମୋର ବୁଦ୍ଧି ଶାନ୍ତ

ସର୍ବଦା ଅଟଇ ଅଭ୍ରାନ୍ତ

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

ଅବଶ୍ୟ ଭ୍ରମ ଥାଏ ରହି

କେ କହ ଅଛି ଏ ସଂସାରେ

ଦମ୍ଭ ଧରିଣ ରହିପାରେ

ଏ ବସ୍ତ୍ର ଅଟଇ ଉତ୍ତମ

ଅପର ଅଧମୁଁ ଅଧମ

ସେ ଯାହା ଅପ୍ରମାଦ ମଣେ

ଆନ ତା ପରମାଦ ଗଣେ

ତଥାପି ଯହିଁରେ ମନୁଷ୍ୟ

ନିରତେ ଦେଖୁଥାଇ ଦୋଷ

ଯେତେ କହିବ ଦୋଷହୀନ

ତୋଷ ନ ହୁ ତାର ମନ

ଯେ ମନ୍ଦ ଯହିଁରେ ମନୁଷ୍ୟ

ନିରତେ ଦେଖୁଥାଇ ଦୋଷ

ଯେତେ କହିବ ଦୋଷହୀନ

ତୋଷ ନ ହୁଏ ତାର ମନ

ଯେ ମନ୍ଦ ଯହିଁରେ ଦେଖିବ

ତା ପାଇଁ ମନ୍ଦ ସେହି ଦ୍ରବ୍ୟ

ତେଣୁ ଯେ ଜନ ସୁବିବେକୀ

ଭ୍ରମକୁ ରହଇ ଉପେକ୍ଷି

ସେ ଯାହା ଦୋଷ ଦୁଷ୍ଟ ଭାବେ

କ୍ଷଣେ ନରହେ ତାହା ଠାବେ

ଦୁର୍ନୀତି ଦୁଷ୍କର୍ମର ପାଶ

କ୍ଷଣେ ସେ ନ କରଇ ବାସ

ସେ ପାଇଁ ଯେତେକ ବିପଦ

ଗଣଇ ତାକୁ ଶ୍ରେୟ ପଦ

ସହେ ଯାବତ ଅମଙ୍ଗଳ

ଏହାର ନାମ ଆତ୍ମବଳ

ସତ୍ୟ ନିମନ୍ତେ ଦୁଃଖ ସହି

ତେଣୁ ସେ ଅଟେ ସତ୍ୟାଗ୍ରହୀ

ସତ୍ୟ ନିମନ୍ତେ ଭୋଗିବାଠିଁ

ରହିଛି ସତ୍ୟାଗ୍ରହ କାଠି

ସତ୍ୟ ଆଦରି ଦୁଃଖ ପ୍ରାସ

ସତ୍ୟାଗ୍ରହର ସୁପ୍ରକାଶ

ତୁମ୍ଭେ ଯେ କହିଲ ପ୍ରସଙ୍ଗ

ସେ ଅଟେ ଆଇନର ଭଙ୍ଗ

ଆଇନ ଭଙ୍ଗ ରାଜଦ୍ରୋହ

ସେ କାହୁଁ ହେବ ସତ୍ୟାଗ୍ରହ

ଦେଖ ଏ ଭାରତୀୟ ଜାତି

ଶାସନ ଶୃଙ୍ଖଳାରେ ଥାନ୍ତି

କାନୁନ ମାନି କରୁ କାମ

ସେ ଘେନି ଆମ୍ଭର ସୁନାମ

ଗରମପନ୍ଥୀ ଯେତେ ଲୋକ

ଏ ଦେଶେ ଦେଖାନ୍ତି ଆଟୋପ

ତୁମ୍ଭ ତାହାଙ୍କୁ ଗଲ ବଳି

ମୋତେ ତ ଲାଗିଲା ଏଭଳି

ଶୁଣ ହେ ଏବେ ତାଙ୍କ ମତ

ସେ ମତ ଯୁକତି ଯୁକତ

ସମାଜେ ଯେବଣ ଯେବଣ

ଆଇନ ହୁଏ ପ୍ରଣୟନ

ତାହାକୁ ପାଳିବା ବିଧେୟ

ଗରମପନ୍ଥୀର ଏ ଧେୟ

ସେ ଯେବେ କୌଣସି ଆଇନେ

ଅନ୍ୟାୟ ବୋଲି ଭାଳେ ଦିନେ

ଆଇନ ଭଙ୍ଗ ସେ ନ କରି

ନିଜ ଦେହରେ ବଳ ଭରି

ଅନ୍ୟାୟ ଆଇନ ଯେ କରେ

ତାହାକୁ ବଳତ୍କାରେ ଧରେ

ତଡ଼ଇ ତାକୁ ମାରିପିଟି

ଚରମପନ୍ଥୀର ଏ ନୀତି

ମୂଳୁ ମାଇଲେ ଯିବ ସରି

ଦେବଙ୍କ ସଙ୍ଗେ କିମ୍ପା କଳି

ତୁମ୍ଭେତ ତାକୁ ଗଲ ବଳି

ସତ୍ୟାଗ୍ରହ ଏ କେଉଁ ଭଳି

 

ଗାନ୍ଧି ଉବାଚ

ଏ ଯେ ଗରମପନ୍ଥୀ ଦଳ

କହିଲେ ତାହାଙ୍କ କୌଶଳ

ତାହାଙ୍କୁ ପଛକୁ ପକାଇ

ଯାଏ ବା ନଯାଏ ମୁଁ ଧାଇଁ

ଅଥବା ମୋତେ ପଛଭାବେ

ରଖି ସେ ମାଡ଼ିଗଲେ ଆଗେ

ମୋହର କିବା ପ୍ରୟୋଜନ

ତହିଁରେ ଖେଳାଇବି ମନ

ସେ ତାଙ୍କ କାର୍ଯ୍ୟ ଯିବେକରି

ଆମ୍ଭେ ରହିବା ଆମ୍ଭ ପରି

ତାହାଙ୍କ ନୀତି ତାଙ୍କୁ ବଡ଼

ମେତେ ତ ଏ ସବୁ ଅଖଡ଼

ମୋତେ ଯା ଦିଶିବ ଉଚିତ

ତହିଁରେ ମଗ୍ନ ମୋର ଚିତ୍ତ

ସେ ସତ୍ୟ ଅନେଷ୍ୱଣ ପାଇଁ

ମୁଁ ସିନା ହୋଇବଇଁ ବାଇ

ସଦା ସେ ମୋର ସତ୍ୟପଥ

ଆଶ୍ରୟ ଯୁକତି ଯୁକତ

ଏ ଯେତେ ଭାରତର ଲୋକେ

ରହନ୍ତି ଦୁଃଖେ ଭୋକେ ଶୋକେ

ତଥାପି ଚାହୁଁ ଥାନ୍ତି ଶାନ୍ତି

ଆଇନ ମାନି ଚଳୁଥାନ୍ତି

ଏକଥା ଦେଉଛି ପ୍ରମାଣ

ଏ ଦେଶବାସୀ ଟାଣପଣ

ଜଣାଏ ତାଙ୍କର ଆଗ୍ରହ

କରିବା ପାଇଁ ସତ୍ୟାଗ୍ରହ

ସର୍ବଦା ପ୍ରସ୍ତୁତ ଆପଣେ

ଯୁଝିବେ ସତ୍ୟାଗ୍ରହୀ ପଣେ

ତେଣୁ ସେ ଦୁଃଖ କଷ୍ଟ ସହି

ଆଇନ ଅନୁଯାୟୀ ରହି

ଯେବେ ସେ ଦେଖଇ ଆଇନ

ଅଟଇ ତୁଚ୍ଛା ବେଆଇନ

ନାମକୁ ଆଇନ ପ୍ରଚଳେ

ଯାବତ ଅନୀତି ତା ତଳେ

ତେବେ ତ ଆଇନ ବିଧାତା

ଫଟାଇ ନ ଦେବେ ତ ମଥା

ସେ ଯେଣୁ ଅଟେ ସତ୍ୟାଗ୍ରହୀ

ନ ଥାଏ ତାର ହିଂସା ତହିଁ

ମନେ ତାହାର ନାହିଁ ଭୟ

ତେଣୁ ସେ ଅଟଇ ଅଜୟ

ନିର୍ଭୟେ ମାଡ଼ିଚାଲେ ଆଗେ

ଅନ୍ୟାୟ ଆଇନକୁ ଭାଙ୍ଗେ

ସେ ଲାଗି ଯାବତ କଷଣ

କରଇ ଅଙ୍ଗ ଆଭୂଷଣ

ଅନ୍ୟାୟ ଆଇନର ଭଙ୍ଗେ

ଦୁଃଖ ଉଠାଏ ନିଜ ଅଙ୍ଗେ

ଆଇନ କରତାର ଦେହେ

ଆଞ୍ଚ ନ ଆସେ ସତ୍ୟାଗ୍ରହେ

ତୁମ୍ଭେ ତ କହୁଛ ଅନ୍ୟଥା

ଆଇନ ମାନିବାର କଥା

ହେଉ ସେ ଭଲ ଅବା ଭୁଲ

କରିବା ତାହାକୁ କବୁଲ

ଏ ତୁମ୍ଭ ଏକ ନୂଆ ବୋଲି

ମୁଁ ଏହା ଶୁଣିତ ନଥିଲି

ଏମନ୍ତ ତୁମ୍ଭ ବୁଝାମଣା

ଆଗେତ ଥିଲା ନାହିଁ ଜଣା

ସକାଳେ ଆଇନ କାନୁନ

ଲୋକଙ୍କୁ ଯେବେ ଲାଗି ଘୃଣ୍ୟ

ଅମାନ୍ୟ କରୁଥିଲେ ତାହା

ଆସୁ ପଛକେ ଦୁଃଖ ଯାହା

ବିବେକ ବିରୁଦ୍ଧ ବିଧାନ

ଆଇନ କାନୁନ ଯେ ମାନ

ତାହାକୁ କରିବା ସ୍ୱୀକାର

ନୁହଇ ପଉରୁଷ କାର

ଅନ୍ୟାୟ ଆଇନ ଯେ ପାଳେ

ତା’ଧର୍ମ ନାଶ ଯାଏ କାଳେ

ଯେ ତାହା ନିଉନେ ପାଳନ୍ତି

ତାଙ୍କର ଅତି ହୀନ ମତି

ଆଜି ଏମନ୍ତ ସରକାରୀ

ଆଇନ ଯେବେ ହୁଏ ଜାରି

କହିବେ ଆଇନର ବଳେ

ଉଲଗ୍ନେ ନାଚ ହୋ ସକଳେ

ନ କରି ଲଜ୍ଜା ଉଚ୍ଚ ବାଚ୍ୟ

ଲଙ୍ଗଳା ହୋଇ ସର୍ବେ ନାଚ

ଯେ ଏଥେ ଅବାଧ୍ୟ ହୋଇବ

କଠିନ ଦଣ୍ଡ ସେ ପାଇବ

ଏମନ୍ତ ଅନ୍ୟାୟ ଆଇନି

କେହି କି ପାରଇ ତା ମାନି

ଅବଶ୍ୟ କରିବି ଅବଜ୍ଞା

ପାଳିବି ନାହିଁ ତାଙ୍କ ଆଜ୍ଞା

ଶୁଣାଇ ଦେବି ସଫା ସଫା

କର ହୋ ତୁମ୍ଭ ଦଫା ରଫା

ତୁମ୍ଭ ଆଇନ ତୁମ୍ଭ ପାଶେ

ଅନ୍ୟାୟ ସେ ମୋହ ସକାଶେ

ତୁମ୍ଭଙ୍କୁ ହେଲେ ହେଉ ନ୍ୟାଯ୍ୟ

ମୋହର ତହିଁ ନାହିଁ କାର୍ଯ୍ୟ

କିନ୍ତୁ ହେ ଶୁଣସି ପାଠକ

ଏ ଅଟେ ମନୁଷ୍ୟର ହକ

ସେ ହକ ହାସଲ କାରଣ

ଲୋଡ଼ା ହୁଅଇ ଟାଣ ପଣ

ସେ ଟାଣ ପଣର ଅଭାବ

ତେଣୁଟି ଆମ୍ଭେ ହତଭାଗ୍ୟ

ନିଜକୁ ପାଶୋରିଲୁଁ ଆସି

ଅସତ୍ୟେ ଆଗ୍ରହ ପ୍ରକାଶି

ହୋଇଲୁଁ ଅତି ଶାନ୍ତ ଶିଷ୍ଟ

ପଶୁ କି ଦ୍ୱହସ୍ତ ବିଶିଷ୍ଟ

ଯେତେ ଅନ୍ୟାୟ ଅତ୍ୟାଚାର

ହେଉଛି ସଂଖ୍ୟା ନାହିଁ ତାର

ଯେତେ ଆଇନ ବେଆଇନ

ନେଉଛି ଆମ୍ଭର ସମ୍ମାନ

ଗୃହପାଳିତ ପଶୁପ୍ରାୟ

ସହି ଯାଉଛୁ ସେ ଅନ୍ୟାୟ

କେବେହେଁ ନହେଉ ଅବାଧ୍ୟ

ତେଣୁ ସେ କରୁଛନ୍ତି ସାଧ୍ୟ

ଯେବୁଝେ ନିଜ ପୁରୁଷାର୍ଥ

ସେ କେଭେଁ ନ ହୁଅଇ ଆର୍ତ୍ତ

କେବେଳ ଈଶ୍ୱରର ଭୟ

ଯେଣୁ ସେ ପଦ ବରାଭୟ

ଈଶ୍ୱରେ ଯାର ଡରଥିବ

ସେ କିମ୍ପା ଅନ୍ୟକୁ ଡରିବ

ମନୁଷ୍ୟ ଯେତେ ଅନୁଚିତେ

ଆଇନ ଜାରି କରେ ନିତ୍ୟେ

ଈଶ୍ୱର ଯାହାର ଆରାଧ୍ୟ

ସେ କିମ୍ପା ତହିଁ ହେବ ସାଧ୍ୟ

ଜଗତେ ଯେତେକ ପ୍ରକାର

ଛନ୍ତି ଶାସକ ସରକାର

କେ କେବେ ପ୍ରଜାଗଣେ ରାଇ

ଏମନ୍ତ ଆଜ୍ଞା ଦିଏ ନାହିଁ

ନ କହେ ମୋହର ଶାସନ

ଅଧୀନ ଅଚ୍ଛ ଯେତେ ଜନ

ସର୍ବେ ମୋହୋର ଆଜ୍ଞା କର

ମୋହର ନିୟମ ଆଚର

କୌଣସି କାର୍ଯ୍ୟ କରିବାକୁ

ବାଧ୍ୟ କେ ନ କରେ ପ୍ରଜାଙ୍କୁ

ଯେତେକ ହୁଅଇ ଆଇନି

ସରକାରଙ୍କ ଆଜ୍ଞା ଘେନି

ତାହର କୁଳ ନୀତି ଯାହା

ଶୁଣ ମୁଁ କହୁଅଛି ତାହା

ସରକାରଙ୍କ ଇଚ୍ଛା ମତେ

ଏ ଯେତେ ଆଇନ ଜଗତେ

ନ କରି ସିଧା ବଳତ୍କାର

କହନ୍ତି ଓଲଟା ପ୍ରକାର

ମେହେର ଆଜ୍ଞାର ପାଳନ

କରବ ନାହିଁ ଯେଉଁ ଜନ

ଭୋଗିବ ସେହି ରାଜଦଣ୍ଡ

ରାଜାର ପ୍ରତାପ ପ୍ରଚଣ୍ଡ

ଆଇନ ମାନିବାର ପାଇଁ

ସିଧା କେ ବାଧ୍ୟ କରେ ନାହିଁ

ପୁଣି ତା’ ନ କଲେଟି ମାନ୍ୟ

ହୁଅଇ ଦଣ୍ଡର ବିଧାନ

ହାତୁ ଘୂରାଇ ନାକ ଦେଖା

ଏମନ୍ତ ଆଇନର ଲେଖା

ତେଣୁ ହେ ଶୁଣ ସାବଧାନ

ଏ ଯେତେ ଆଇନ ବିଧାନ

ବାଧ୍ୟ ନୁହେଁ ତାକୁ ପାଳିବାକୁ

ନ କଲେ ଦଣ୍ଡ ହୁଏ ତାକୁ

ଦେଖ ଆମ୍ଭର ହୀନାବସ୍ଥା

ଦେଶର ଏମନ୍ତ ବ୍ୟବସ୍ଥା

ଯେତେ ଆଇନ ସରକାରେ

କରନ୍ତି ଇଚ୍ଛା ଅନୁସାରେ

ସେ ସବୁ ପାଳିବା କର୍ତ୍ତବ୍ୟ

ଏମନ୍ତ ଆମ୍ଭ ଅନୁଭବ

ଆମ୍ଭେତ ହେଲୁ ଅନ୍ଧ ସମ

ତେଣୁ ତା’ ମଣୁଛୁ ଧରମ

ଏଥିରୁ ବଳି ଲୋକହସା

କି ଅଛି ଅଧିକ ଦୁର୍ଦଶା

ଯେଉଁ ଆଇନ ଅନୁଚିତ

ଅନ୍ୟାୟ ହୋଇବ ପ୍ରତୀତ

ତାହାକୁ କରିବା ପାଳନ

ଅଟଇ କାପୁରୁଷ ପଣ

ଯେ ଏହା ଭଲଲାବେ ବୁଝେ

ନିଜକୁ ରକ୍ଷା କରେ ନିଜେ

ଯେତେହେଁ ହେଲେ ଅତ୍ୟାଚାର

ନ କରେ ସେ କେବେ ସ୍ୱୀକାର

ମହୀମଣ୍ଡଳେ ନାହିଁ ଜନ

କେ କରେ ତାହାକୁ ଶାସନ

ତୁମ୍ଭେ ହୋ ଏବେ ଦେଖ ଭାବି

ଏହାହିଁ ସ୍ୱରାଜ୍ୟର ଚାବି

ବହୁତ ଲୋକଙ୍କର ମତେ

ତାହାକି ମାନିବେ ସମସ୍ତେ

ଅଧିକ ଲୋକ ଯାହା ଦାହି

ଅଳପେ ପାଳିବେ କିମ୍ପାଇଁ

ଯାହା ବା ବୋଲନ୍ତି ଅଧିକ

ସେକି ସର୍ବଦା ଅଟେ ଠିକ

ସଂସାରେ ସହସ୍ରେ ଘଟଣା

ଘଟିଥିବାର ଅଛି ଜଣା

ଯଦି ବହୁତ ଲୋକ ସ୍ଥିତି

କରନ୍ତି ଯେତେ ଭାବି ଚିନ୍ତି

ହୁଅଇ ତାର ଶୁଭ ଫଳ

ଏ କଥା ନୁହଇ ବିରଳ

ସମାଜେ ଯେତେ ଆବିଳତା

ରହିଛି ଜାଣିଛ ସେ କଥା

ବହୁତ ଲୋକେ ଖୋଜି ଖୋଜି

କାରଣ ନ ପାରନ୍ତି ବୁଝି

ଅଳ୍ପ ସୁଜାଣ ସୁଧୀ ଜନ

ଦେଖନ୍ତି ତାହାର କାରଣ

ତେଣୁ ସେ କରନ୍ତି ସଂସ୍କାର

ସମାଜେ ହୁଏ ପରଚାର

ବହୁତ ଲୋକ ଦ୍ୟନ୍ତି ବାଧା

ତଥାପି ହୁଅଇ ସମାଧା

ବହୁତ ଲୋକଙ୍କ ନିକଟେ

ଅଳପଙ୍କର ବଳ ଖଟେ

ବହୁତ ଲୋକଙ୍କର କଥା

ଉଚିତ ନହୁଏ ସର୍ବଦା

ଅଳପ ଲୋକରେ ଯେ କାର୍ଯ୍ୟ

ସେ ହୁଏ ନ୍ୟାଯ୍ୟ ଅନିବାର୍ଯ୍ୟ

ଯେ କହେ ବହୁ ଜନମତ

ଅଟଇ ଯୁକତି ଯୁକତ

ସେ କରୁଥାଏ ମହାଭ୍ରମ

ଏ ମତ ନାସ୍ତିକତା ସମ

ଠକଙ୍କ ରାଜ୍ୟରେ ଯେତେକ

ଠକାମି ଯାହାଙ୍କର ଭେକ

।।

ବେଉସା ଚୋରି ଜୁଆଚୋରି

ନ୍ୟାୟକୁ ଯାଆନ୍ତି ପାଶୋରି

ସେ ଯେବେ ମିଳିଣ ସକଳ

କହନ୍ତି ଠକ ପାଠ ଭଲ

ସମସ୍ତେ ଚୋରି ବିଦ୍ୟା ଶିଖ

ଏଥିରେ ମଙ୍ଗଳ ଅଧିକ

ତାହା ବୋଲିକି ସାଧୁ ସନ୍ଥେ

ଯେଥିବ ତାହାଙ୍କ ସଙ୍ଗତେ

ଠକଙ୍କ ରାଜ୍ୟେ କରି ଘର

ଯେଥିବା ସତ୍ୟବନ୍ତ ନର

ଅଧିକ ପଥ ଅନୁସରି

ସେ ସର୍ବେ କରିବେ କି ଚୋରି

ଚୋରଙ୍କ ମଧ୍ୟେ ସାଧୁ ଲୋକ

କଦାପି ନ ହୋଇବେ ଠକ

ଏଣୁ ଅଧିକ ଲୋକ ମତ

ଅନ୍ୟାୟ ପାଳିବା ସର୍ବତ୍ର

ଅନ୍ୟାୟ ବୋଲି ଭଲେ ଜାଣି

ଯେ ଯାଏ ଆଇନକୁ ମାନି

ତାଠାରୁ କେ ଅଛି ଅକ୍ଷମ

ସେ ମୁଢ଼ କରୁଥାଏ ଭ୍ରମ

ଶୁଣ ହେ ମୋର ଦୃଢ଼ ମତ

ଯେତେକ ମୂଢ଼ତା ଏମନ୍ତ

କେବଳ ମାତ୍ର ସତ୍ୟାଗ୍ରହୀ

ଦୂର ତା କରିଣ ପାରଇ

ଖଟାଇ ଶରୀରର ବଳ

ବନ୍ଧୁକ ଗୁଳି ଗୁଳା ନଳ

କରେ ଯେ ବାଧ୍ୟ ବାଧକତା

ସେ ଛାଡ଼େ ସତ୍ୟାଗ୍ରହ ପନ୍ଥା

ଘସାଇ ଶତ୍ରୁ ନାକ କାନ

କରିବ ଯେବଣ ବିଧାନ

ଆପଣା ଇଚ୍ଛା ଅନୁସାରେ

ଯେ ଦଣ୍ଡ ଦେବ ବାରଦ୍ୱାରେ

ପଡ଼ିଛି ତୁମ୍ଭ ବେଳ କାଳ

ତେଣୁ ହୋ ଏମନ୍ତ କଟାଳ

ସେ ଶତ୍ରୁ ହେଲେ ବଳଶାଳୀ

ପଡ଼ଇ ପୁଣି ତାର ପାଳି

ଏକା ମାଘକେ କେବେ ଶୀତ

ଯିବାର ନାହିଁତ ବିଦିତ

ଶାଶୁ ବୋହୂରେ ଯେହ୍ନେ କଳି

ଦୁହିଁଙ୍କ ପାଳି ଦୁଇ ଓଳି

ଆଜି ତୁମ୍ଭର ଅଛି ବଳ

ଶତ୍ରୁକୁ ଦେଖିଲେ ଦୁର୍ବଳ

ତେଣୁ ଯଥେଷ୍ଟ ଦଣ୍ଡମାନ

କରୁଛ ତା ପ୍ରତି ବିଧାନ

କାଲିକି ଯେବେ ମଜବୁତ

ହୋଇ ସେ ଉଠିବ ବହୁତ

ତୁମ୍ଭ କର୍ମର ପ୍ରତିରୋଧ

ଘେନିଣ ପୁରାଇବା ସାଧ

ତୁମ୍ଭେ ଯେପରି ଆଚରିବ

ଉଚିତ ଉତ୍ତର ତା ଥିବ

ଶୁଝାଇବାକୁ ତା’ ଉଧାର

ଅଛିତ ତାର ଅଧିକାର

ଯେସାକୁ ତେସା ଆଚରିଲେ

ଅନ୍ୟାୟ ନୋହିବା ନା ତିଳେ

ପୁଣି ତୁମ୍ଭର ବେଳ ବୁଝି

ତାପରେ ଦାଉ ନେବ ଶୁଝି

ଏମନ୍ତ ଉଧାର ବଦଳ

ଲାଗି ରହିବ ଦୁଇ ଦଳ

ଏ ବାଦୀ ପାଲା ଥିବ ଚାଲି

ଯାହାର ଯେବେ ପଡ଼ୁପାଳି

ଏମନ୍ତେ କଲେଟି ବିଧାନ

କଳିର କାହିଁ ସାମାଧାନ

ଘଣା ବଳଦ ବଡ଼ ଆଶେ

ଘୂରଇ ଖୂଣ୍ଟି ଚାରିପାଶେ

ଅନ୍ଧ ପୁଟୁଳି ଅଛି ବନ୍ଧା

ତେଣୁ ସେ ଚାଲୁଥାଏ ଅନ୍ଧା

ମିଛେ ସେ ମନେ ମନେ ଭାଳେ

ଆଗେ ଆଗେ ମୁଁ ବଢ଼ି ଚାଲେ

ସରୁ ନ ଥାଏ ତାର ପଥ

ଶ୍ରମ କାରଣେ ଛଟପଟ

ଯେହ୍ନେ ସେ ହିଂସା ଆଚରନ୍ତି

ପାହୁଣ୍ଡେ ଆଗେ ନ ଚଳନ୍ତି

ଆପଣା ଚାରିପାଖେ ତହିଁ

ଘୂରୁ ଥାଆନ୍ତି ଦୁଃଖ ସହି

ତେଣୁଟି ବୁଦ୍ଧିମନ୍ତ ଜନ

ହିଂସାକୁ ନ କରେ ସାଧନ

ତେଣୁ ହେ ଆଇନ ଯେତେକ

ଅନ୍ୟାୟ ବୋଲି ଯେବେ ଦେଖ

ପାଳନେ ବାଧ୍ୟ ନୁହେଁ କେହି

ଯେଣୁ ଅନୀତି ଅଟେ ସେହି

ଅନ୍ୟାୟ ଆଇନ ଖଣ୍ଡନ

କରିବା ପାଇଁ ଯାର ମନ

ତା ପାଇଁ ଏକମାତ୍ର ପଥ

ସେ ପଥ ସତ୍ୟ ସାରସ୍ୱତ

ତାହାର ନାମ ସତ୍ୟାଗ୍ରହ

ଏଥିରେ ନାହିଁ ବା ସଂଶୟ

ଅନ୍ୟଥା ବିଷମୟ ଫଳ

ପରିଣାମରେ ହଳାହଳ

 

ପାଠକ ଉବାଚ

ତୁମ୍ଭେ ହୋ ଯାହା ଯାହା ଭାଷ

ପାଇଲି ତାହାର ଆଭାସ

ଦୁର୍ବଳ ଲୋକର ଆଶ୍ରୟ

କେବଳ ମାତ୍ର ସତ୍ୟାଗ୍ରହ

ଯାହାର ନାହିଁ ଅନ୍ୟ ଗତି

ସେ ସତ୍ୟାଗ୍ରହ ଆଚରନ୍ତି

ସେ ଯେବେ ହୋଇ ବଳବାନ

ଧରିବ ବନ୍ଧୁକ କମାଣ

ତେଣୁ ଦୁର୍ବଳ ଲୋକ ପାଇଁ

ଏ ବିନୁ ଆନ ଗତି ନାହିଁ

 

ସଂପାଦକ ଉବାଚ

କହନ୍ତି ଗାନ୍ଧି ସଂପାଦକ

ଶୁଣ ହୋ ସୁଧୀର ପାଠକ

କହିଲି ମୁଁ ଯେତେ ବୁଝାଇ

ବୁଝି ତା ପାରିଲତ ନାହିଁ

ଅବୁଝା ପ୍ରାୟେ କଥା କହ

ତେଣୁ ନିନ୍ଦୁଛ ସତ୍ୟାଗ୍ରହ

ସତ୍ୟାଗ୍ରହେ ଯେ ପ୍ରତିରୋଧ

ଯୋଦ୍ଧାର ଶ୍ରେଷ୍ଠ ସେ ଆୟୁଧ

ତା ସ୍ଥାନ ସକଳ ଉପର

ଅତୁଳନୀୟ ଆତ୍ମବଳ

ବାହୁ ବଳହୁଁ ବହୁ ଶ୍ରେୟ

ଅଟଇ ଏହି ସତ୍ୟାଗ୍ରହ

ବାହୁ ବଳରୁ ବହୁ ଭାରି

ଅଟଇ ଏହି କାର୍ଯ୍ୟକାରୀ

ଦୁର୍ବଳ ଜନର ଆୟୁଧ

କିପରି ଏହା ହେଲା ବୋଧ

ଦୁର୍ବଳ ଅଟଇ ଯେ ଜନ

ଆବର ଅସ୍ତ୍ରେ ଆଭାଜନ

ଯେ ଯେଉଁ ଅସ୍ତ୍ରେ ଅଧିକାରୀ

ଆପଣା ଯୋଗ୍ୟ ଅସ୍ତ୍ରଧାରୀ

ପାର୍ଥକୁ ଗାଣ୍ଡିବ ହିଁ ଶୋଭା

ଆନେ ତା ନୁହେଁ ମନଲୋଭା

ଏ ଯେଣୁ ଅଟେ ଶ୍ରେଷ୍ଠ ଅସ୍ତ୍ର

ଶ୍ରେଷ୍ଠ ବ୍ୟକ୍ତିକୁ ପରାପତ

ସତ୍ୟାଗ୍ରହରେ ଯେ ସାହସ

ଯେ ବୀର ପଣ ପଉରୁଷ

ଯେ ଧୈର୍ଯ୍ୟ ବୀର୍ଯ୍ୟ ସତ୍ୟାଗ୍ରହେ

ସତ୍ୟାଗହୀର ଲୋଡ଼ା ହୁଏ

ବାହୁବଳରେ ବଳୀ ଜନେ

ଦେଖି ନ ଥିବେ ତା ସ୍ୱପନେ

ଅନ୍ୟାୟ ଆଇନର ଜାରି

ଦେଲେହେଁ ବିଷପ୍ରାୟ ଘାରି

ଦୁର୍ବଳ ଲୋକେ ଏକେ ଏକେ

ଭାଙ୍ଗିବେ ତାହାବା କେତେକେ

ଚରମ ଗରମ ପନ୍ଥୀଏ

ଏଦେଶେ ଅବା ଛନ୍ତି ଯିଏ

ବାହୁ ବଳକୁ ମୁଖ୍ୟ ଲକ୍ଷ୍ୟ

କରି ଯେ ଚଳନ୍ତି ପ୍ରତ୍ୟକ୍ଷ

କହ ତାଙ୍କର କି କାରଣ

ଆଇନଗତ ଆଚରଣ

ନ୍ୟାୟ ଅନ୍ୟାୟ ଯାହା ହେଉ

ଆଇନ ପାଳୁଥାନ୍ତି ସେହୁ

ମୁଁ ତାଙ୍କ ନ ଧରୁଚି ଦୋଷ

ତଥାପି ଏ ବଡ଼ ରହସ୍ୟ

ସେ ଯେଣୁ ବାହୁ ବଳାଶ୍ରୟୀ

ତାଙ୍କର ଅନ୍ୟ ପନ୍ଥା ନାହିଁ

ଏ ଦେଶୀ ଇଂରାଜୀଙ୍କୁ ଯେବେ

ବଳେ ସେ ହଟାଇଣ ଦେବେ

ସେ ତେବେ ତାଙ୍କ ଇଚ୍ଛା ମତେ

ଶାସନ କରିବେ ଭାରତେ

ନ୍ୟାୟ ଅନ୍ୟାୟ ନ ବିଚାରି

କରିବେ ଯେ ଆଇନ ଜାରି

ଆପଣା ଶାସନ ନିମନ୍ତେ

ଆଇନ କରି ନାନା ମତେ

କିପରି କହ ଦେବେ ଲଦି

ନିଜେ ସେ ନପାଳନ୍ତି ଯଦି

ଯେମନ୍ତ ନୀତି ଆପଣାର

ତେମନ୍ତେ କରନ୍ତି ପ୍ରଚାର

ସେ ଯେବେ ଆଇନ ନମାନି

କରନ୍ତି ଭଙ୍ଗ ଜାଣି ଜାଣି

କାଳେ ସେ ତାହା କଲେ ଜାରି

ଆନେ ତା ମାନିବେ କିପରି

ତେଣୁ ଚରମ ପନ୍ଥୀ ଦଳ

ଆଇନ ମାନନ୍ତି ସକଳ

ପୁଣି ତା’ ମାନିବାର ପାଇଁ

ଆନଙ୍କୁ କହନ୍ତି ବୁଝାଇ

କିନ୍ତୁ ଯେ ହେବେ ସତ୍ୟାଗ୍ରହୀ

ଅନ୍ୟାୟ ନ କରିବ ସେହି

ତେଣୁ ଅନ୍ୟାୟ କରିବାକୁ

କିମ୍ପା ସେ କହିବ କାହାକୁ

ମୋହର ବିବେକ ବିରୋଧ

ଯେଉଁ ଆଇନ ହେବେ ବୋଧ

ମୋ ଅନ୍ତରାତ୍ମା ନବଳିଲେ

ମୁଁ ତାହା ନପାଳିବି ତିଳେ

ତୋପ ମୁଁହରେ ମୋତେ ନେଇ

ଯଦ୍ୟପି ଦିଅନ୍ତି ଉଡ଼ାଇ

ତଥାପି ଅନ୍ୟାୟ ଆଇନି

ନମାନେ ପିଣ୍ଡେ ପ୍ରାଣ ଘେନି

ପୁଛିବି କଥାଏ ଆବର

ପାଠକ ଅବଧାନ କର

ସଂସାରେ ସାହାସୀ କେ ଜନ

କେ ଅବା ଭୀରୁ ହୁଏ ଗଣ୍ୟ

ପଚାରେ ଏବେ ତୁମ୍ଭେ ମତ

କେ ଅଟେ ସାହସୀର ପଥ

ଯେ ଜନ ଗୁଳି ଆଗେ ଯାଇ

ଛାତିକୁ ଦିଅଇ ପତାଇ

ମରଣ ବରେ ହସି ହସି

ନୁହଇ ସେହି କି ସାହସୀ

ଅପର ପକ୍ଷେ ଏବେ ଦେଖ

ଏମନ୍ତ ଅଛନ୍ତି ଅନେକ

ଗୁଳି ଚଳାଇ ଶତ ଶତ

ମାନବ କରନ୍ତି ନିହତ

କୁକର୍ମ ଯେତେ ଏତାଦୃଶ

କହିବା ତାହାକି ପୌରୁଷ

ଅନ୍ୟର କାଳପାଶ ହସ୍ତେ

ଘେନି ଯେ ଘୂରନ୍ତି ଜଗତେ

ବୋଲିକି ତାକୁ ରଣଧୀର

ସାହସୀ ସୁପୁରୁଷ ବୀର

ଅଥବା ଆପଣା ମସ୍ତକେ

ମରଣ ଘେନି ଯେଉଁ ଲୋକେ

ନିର୍ଭୟେ ଯାଉଥାନ୍ତି ଚାଲି

ବୋଲିବା ତାଙ୍କୁ ଶୌର୍ଯ୍ୟଶାଳୀ

ସାହସହୀନ ଯେ ମନୁଷ୍ୟ

ତାହାର କାହିଁ ପଉରୁଷ

ସେ ସତ୍ୟାଗ୍ରହୀ କଦାଚନ

ନୁହଇ ଏ ସତ୍ୟ ବଚନ

ତେଣୁ ଏ ସତ୍ୟାଗ୍ରହ ବ୍ରତ

ନୁ ହେତେ ଦୁର୍ବଳର ପଥ

ଶୁଣ ହୋ ପୁଣ ମୋର ଗୀର

ଯାହାର ଦୁର୍ବଳ ଶରୀର

ମନରେ ବଳଥିଲେ ରହି

ସେ ହୋଇପରେ ସତ୍ୟାଗ୍ରହୀ

ଏକ ବା ମିଳି ବହୁଜନ

କରିପାରନ୍ତି ଏହି ରଣ

ନାହିଁ ପାଇକ ନାହିଁ ଥାଟ

ସୈନ୍ୟ ସାମନ୍ତ ବ୍ୟୁହ ବାଟ

ପୁରୁଷ ଅବା ହେଉ ନାରୀ

ସେ ପାରେ ସତ୍ୟାଗ୍ରହ କରି

ହିଂସା ଯୁଦ୍ଧର କଟକଣା

ସତ୍ୟାଗ୍ରହରେ ସେ ଅଜଣା

ସୈନ୍ୟ ସାମନ୍ତ ସତ୍ୟାଗ୍ରହେ

କେବେହେ ପ୍ରୟୋଜନ ନୋହେ

ନହୁଏ କୁସ୍ତି କସରତ

ଦାଉ ବା ପେଞ୍ଚର ଆଘାତ

ନ ଥାଏ ଆଡ଼ଣ ତାଡ଼ଣ

ଅଲୋଡ଼ା ଅସ୍ତ୍ର ଶସ୍ତ୍ର ରଣ

ଲୋଡ଼ା କେବଳ ମନ ବଳ

ମନକୁ କରିବା କବଳ

ମନଟି ଯାହାର ଆୟତ୍ତ

ତାହାକୁ କେବା ସାମରଥ

ବନସ୍ତେ ସିଂହର ସମାନ

ସ୍ୱାଧୀନ ମୁକ୍ତ ସେହି ଜନ

ସେ ଯେବେ ଉଠଇ ପଲାସି

ଶତ୍ରୁ ହୃତକମ୍ପ ହୁଏ ଆସି

ସେ ଯେବେ ଛାଡ଼େ ଗରଜନ

ଭୟେ କାତର ଭୀରୁଜନ

ଚାହିଲେ ସେ ଆଖି ତରାଟି

ଶତ୍ରୁର ଛାତି ଯାଏ ଫାଟି

ଉଭୟ ପାଶେ ଖଣ୍ଡା ଧାର

ସମାନ ଏହି ହତିଆର

ଯେ ତାକୁ ଯେ ରୀତି ଚଳାଏ

ତେମନ୍ତେ ତାର ଫଳ ପାଏ

ଯେ କରେ ଏ ଅସ୍ତ୍ର ଧାରଣ

ଅବା ଯା ବିରୁଦ୍ଧେ ଚାଳନ

ବାଦୀ ବିବାଦୀ ଦୁଇ ଦଳ

ହୁଅଇ ସବୁରି ମଙ୍ଗଳ

ବିନ୍ଦୁଏ ରକ୍ତ ନୋହି ପାତ

ଫଳହିଁ ଫଳଇ ପର୍ଯ୍ୟାପ୍ତ

ତେଣୁ ଅଧିକ କାର୍ଯ୍ୟକାରୀ

ସେ ବୁଝେ ଯେ ଏ ଅସ୍ତ୍ରଧାରୀ

ଦେଖ ଏ ସତ୍ୟାଗ୍ରହ ଟେକ

ଏଥିରେ ନଲାଗେ କଳଙ୍କ

ଏ ଅସ୍ତ୍ର ଅଟଇ ଏପରି

ଚୋର ନ ପାରେ ଚୋରି କରି

ଏ ଥାଏ ଯାହା ସନ୍ନିକଟ

ଖରଚେ ନ ହୁଏ ନଖଟ

ସତ୍ୟାଗ୍ରହୀର ନାହିଁ ଥକା

ନ ଥାଏ ଡର ବା ଆଶଂକା

ଯେହୁବା ସତ୍ୟାଗ୍ରହେ ଭାଗୀ

କେ ନୁହେଁ କାର ପ୍ରତିଯୋଗୀ

ଏ ଅସ୍ତ୍ର ଏମନ୍ତରେ ଗଢ଼ା

ତା ପାଇଁ କୋଷ ନୁହେଁ ଲୋଡ଼ା

କାହାରିଠାରୁ ତାକୁ କେହି

ଛଡ଼ାଇ ନ ପାରଇ ନେଇ

ତେଣୁ ଦୁର୍ବଳ ଆଶ୍ରସ୍ଥଳ

ନୁହଇ ସତ୍ୟାଗ୍ରହୀ ବଳ

ତୁମ୍ଭେତ କହୁଛ ଏମନ୍ତ

ମୋତେ ଲାଗଇ ଆଚମ୍ବିତ

 

ପାଠକ ଉବାଚ

ଏବେ ହୋ ବୁଝାଇଣ କହ

କିପରି ଏହି ସତ୍ୟାଗ୍ରହ

କିପରି ସତ୍ୟାଗ୍ରହ ଅସ୍ତ୍ର

ଅଟେ ଭାରତେ ବିଶେଷତ୍ୱ

କେହି କି ଭାରତରେ କାହିଁ

ତୋପ ବନ୍ଧୁକ ଦେଖି ନାହିଁ

ଭାରତେ ଛନ୍ତି ଯେତେ ଲୋକ

କେହି କି ନଧରେ ବନ୍ଧୁକ

କେବେ କି ଏଥେ ଅସ୍ତ୍ର ଶସ୍ତ୍ର

ହୋଇଣ ନାହିଁ ବ୍ୟବହୃତ

 

ସମ୍ପାଦକ ଉବାଚ

ତୁମ୍ଭ କଥାରୁ ପଡ଼େ ଜଣା

ଭ୍ରମ ତୁମ୍ଭର ବୁଝାମଣା

ଏ ଦେଶ ତେଣୁ କହ ଖାଲି

ରାଜ ରାଜୁଡ଼ା ରାଜ୍ୟ ବୋଲି

ରାଜାଙ୍କୁ ଛାଡ଼ି ଏହି ଦେଶେ

ଜନ ମାନବ କି ନ ଦିଶେ

ରାଜାଙ୍କୁ ଘେନି ଏ ଭାରତ

ତୁମ୍ଭେ ହେ କହୁଛ କେମନ୍ତ

ଦେଖ ଭାରତେ କୋଟି କୋଟି

ଚାଷୀଏ କରନ୍ତି ବସତି

ଏ ଯେତେ ରାଜା ବଡ଼ଲୋକ

ପ୍ରଜାଙ୍କ ଲାଗି ତାଙ୍କ ଟେକ

ସେ ରାଜା ଅବା ତୁମ୍ଭେ ମୁହିଁ

ଭୋଗୁଛ ଚାଷୀଙ୍କର ଭୂଇଁ

ଚାଷୀଙ୍କ ଲାଗି ଏ ଜୀବନ

ଚାଷୀ ହିଁ ଏ ଦେଶର ଧନ

ତେଣୁ ଏ ଚାଷୀର ଭାରତ

ଅଟଇ ମୋର ଦୃଢ଼ ମତ

ଏ ରାଜା ମହାରାଜା ଯେତେ

ଧରନ୍ତି ହତିଆର ହାତେ

ଏ ତାଙ୍କ ରାଜୁଡ଼ା ପଦ୍ଧତି

ସହଜେ ଛାଡ଼ି ନ ପାରନ୍ତି

ତେଣୁ ତାହାର ନାହିଁ ଦୋଷ

ହେଲାଣି ଜନ୍ମଗତ ଦୋଷ

କରନ୍ତି ସଦା ଆଜ୍ଞା ଜାରି

ବାଧ୍ୟରେ ତେଣୁ ଅସ୍ତ୍ରଧାରୀ

କିନ୍ତୁ ଯେ ଆଜ୍ଞାକାରୀ ଜନ

କରନ୍ତି ଆଦେଶ ପାଳନ

ସେ ଆଜ୍ଞାକାରୀ ଶତ ଶତ

ପୂରି ଅଛନ୍ତି ଏ ଜଗତ

ତାଙ୍କରି ସଂଖ୍ୟା ଅଟେ ବେଶୀ

ହୁଅନ୍ତି ଦେଶୀ ବା ବିଦେଶୀ

ସେ କିମ୍ପା ଧରିବେ ବନ୍ଧୁକ

କି ଅବା ତାଙ୍କ ଆବଶ୍ୟକ

ସେ ଯେବେ ଅସ୍ତ୍ରଶସ୍ତ୍ର ଧରି

ହୁଅନ୍ତି ବାହୁବଳେ ବଳି

ଉଭୟେ ରାଜା ଆଉ ପ୍ରଜା

ଧରିବେ ଯେଝା ପଥ ଯେଝା

ଉଭୟେ ଧରି ପଶୁବଳ

ହୋଇବେ ଉନ୍ମତ୍ତ ପାଗଳ

ତେଣୁ ହୋଇବ ରାଜ୍ୟ ନାଶ

କାହରି ନ ରହିବ ବାସ

ଜଳେ ଦ୍ୱାରାକା ନାଶଯିବ

ନାମ ମାତ୍ରକେ କେ ନଥିବ

କିନ୍ତୁ ହେ ଯହିଁ ପ୍ରଜା ପ୍ରାଣ

ଆତ୍ମବଳରେ ହୁଏ ଟାଣ

ସତ୍ୟ ପଥକୁ ଆଶ୍ରା କରି

ସତ୍ୟାଗ୍ରହର ଶିକ୍ଷା ଧରି

ତହିଁ ରାଜାର ଅତ୍ୟାଚାର

କି କରେ ତରବାରୀ ଧାର

ହେଲେହେଁ ସେହି ତରବାରୀ

ଜଗତେ ଯେତେ ଶକ୍ତିଧାରୀ

ଆପଣା ପରିଧିରୁ ତାର

ନ ପାରେ ହୋଇଣ ବାହାର

ରାଜଦଣ୍ଡରେ ଯେତେ ଶକ୍ତି

କେହି ତ କାର୍ଯ୍ୟେ ନ ଲାଗନ୍ତି

ସେ ଦଣ୍ଡ ଯେତେ ବଳ ଧରେ

ରହଇ ଆପଣା ମଧ୍ୟରେ

ଯେ ସତ୍ୟ ମାର୍ଗେ ବଳବନ୍ତା

ସେ କିମ୍ପା କାହାକୁ ଡରନ୍ତା

ସେ ଯାହା ବୁଝିଥିବ ନ୍ୟାୟ

ସେ ପଥ କରଇ ଆଶ୍ରୟ

ରାଜାର ଦଣ୍ଡ ତରବାରୀ

ନ ପାରେ ପଥ ଭ୍ରଷ୍ଟ କରି

ତେଣୁ ରାଜାର ପଶୁବଳ

ତାହାର ନିକଟେ ବିଫଳ

ଦେଖ ଏ ଚାଷୀ ଏ ସମସ୍ତ

କେ ନୁହେଁ ରାଜଦଣ୍ଡ ତ୍ରସ୍ତ

ଅନ୍ୟାୟ ରାଜଦଣ୍ଡେ କେବେ

ଡରି ନାହାନ୍ତି ନ ଡରିବେ

ସେ କେବେ କ୍ଷତ୍ରିୟଙ୍କ ପରି

ଜାଣି ନାହାନ୍ତି ଖଣ୍ଡା ଧରି

ତଥାପି ଯେ ଧରେ ଖଡ଼ଗ

ନୁହନ୍ତି ତାକୁ ଅପାରଗ

ଭଡ଼ିଣ ପଞ୍ଚୁ ହତିଆର

ଅଥବା ଯେ ହୁଏ ବାହର

ଦେଖି ସେ ଅସ୍ତ୍ର ଶସ୍ତ୍ରଧାରୀ

ତିଳେ ତ ନ ଯାଆନ୍ତି ଡରି

ଯେଉଁ ଜାତିର ପ୍ରତିଜନ

ମୃତ୍ୟୁକୁ କରେ ଉପାଧାନ

ନିଶ୍ଚିନ୍ତ ଚିତ୍ତେ ଥାନ୍ତି ରହି

ସେ ଜାତି ସମ ଜାତି କାହିଁ

ମୃତ୍ୟୁକୁ କରିଛି ଯେ ଜୟ

ତାହାର ପୁଣି କେଉଁ ଭୟ

ଶସ୍ତ୍ର ବଳରେ ବଳିଆନ

ହୁଅନ୍ତି ଯେତେ ଅନୁଆନ

ପଶୁବଳର ମୋହ ଘାରେ

ମୋ ନିବେଦନ ତାଙ୍କଠାରେ

ସେ ପଶୁବଳଙ୍କର ପାଇଁ

ମୁଁ ଏହା ନ କହେ ବଢ଼ାଇ

ନୁହଇ ଏ ଅତିରଞ୍ଜନ

ଅଥବା ଅତି ବିସ୍ତାରଣ

ଦେଖ ହେ ତୁମ୍ଭେ ଏ ଭାରତେ

ନିରୀହ ପ୍ରଜାକୁଳ ସତେ

କରି ରହନ୍ତି ଗୃହସ୍ଥାଳି

ସତ୍ୟକୁ ବ୍ରତପ୍ରାୟ ପାଳି

ଯହିଁ ସେ ଦେଖନ୍ତି ଅନ୍ୟାୟ

କରନ୍ତି ତହିଁ ସତ୍ୟାଗ୍ରହ

ଘରେ ବାହାରେ ଯହି ତହିଁ

ଅଥବା ରାଜା ରାଜ୍ୟେ ରହି

ଯହିଁ ସେ ଦେଖନ୍ତି ଅନୀତି

ସତ୍ୟାଗ୍ରହହିଁ ଆଚରନ୍ତି

ଯେ ରାଜା କରେ ଅତ୍ୟାଚାର

ପ୍ରଜାଙ୍କୁ ଅତିଷ୍ଠ ଅସ୍ଥିର

ପ୍ରଜାଏ ଛାଡ଼ନ୍ତି ତା ସଙ୍ଗ

ସେ ରାଜା ଆଜ୍ଞା କରି ଭଙ୍ଗ

ଏହାରି ନାମ ସତ୍ୟାଗ୍ରହ

ଏହାହିଁ ସତ୍ୟରେ ଆଗ୍ରହ

ଶୁଣ ପାଠକ ଦେଇ ମନ

ମୁଁ ଦେବି ତା’ଉଦାହରଣ

ଏକ ରାଜ୍ୟରେ ରାଜା ଥିଲେ

ସେ ଏକ ଆଜ୍ଞା ଜାରି କଲେ

ସେ ଆଜ୍ଞା ଯେଣୁ ନୁହେଁ ନ୍ୟାୟ

ପ୍ରଜା ମଣିଲେ ବିଷପ୍ରାୟ

ଯେଣୁ ତା ନ ପାରିଲେ ସହି

ଉଚ୍ଛନ୍ନ ହୋଇ ଥାନ୍ତି ରହି

ଥିଲେ ବା ଅସ୍ତ୍ରଶସ୍ତ୍ର ଅଙ୍ଗେ

ଯୁଝି ଥାଆନ୍ତେ ରାଜା ସଙ୍ଗେ

ଏମନ୍ତେ ହୋଇ ଅସହାୟ

କଲେକ ଆବର ଉପାୟ

ଏକତ୍ର ମିଳନ ବିଚାର

ଛାଡ଼ି ଚାଲିଲେ ଗୃହ ଦ୍ୱାର

ବୋଇଲେ ଯହିଁ ତହିଁ ଯିବା

ଏ ରାଜ୍ୟ ରାଜ୍ୟେ ହେଁ ନ ଥିବା

ଏମନ୍ତେ ପ୍ରଜାମେଳି ଶୁଣି

ରାଜାଙ୍କୁ ପଡ଼ିଲା ଭାଳେଣି

ଯଦି ପ୍ରଜାଏ କୋଟି କୋଟି

ରାଜ୍ୟରୁ ଚାଲିଯିବେ ଉଠି

ଗ୍ରାମ ନଗର ଜନ ଶୂନ୍ୟ

ରାଜ୍ୟ ଦିଶିବ ଶିରୀହୀନ

ପ୍ରଜାଏ ଯଦି କଲେ ତେଜ୍ୟା

କା ଘେନି ରାଜ୍ୟେ ହେବି ରାଜା

ଏଥର ଦିଶିଲାକ ବୁଦ୍ଧି

ପ୍ରଜାଙ୍କୁ କହିଲେ ପ୍ରବୋଧି

ଆଜ୍ଞାକୁ କଲେ ପ୍ରତ୍ୟାହାର

କ୍ଷମା ମାଗିଲେ ପ୍ରଜା ଦ୍ୱାର

ଉଠିଲା ଅନ୍ୟାୟ ଆଇନି

ପ୍ରଜାଏ ଏବେ ହେଲେ ତୁନି

ସୁଖ ଶାନ୍ତିରେ କଲେ ବାସ

ଦେଖ ଏ ପ୍ରଜାଙ୍କ ସାହସ

ଏମନ୍ତେ ଅନେକ ଘଟଣା

ଘଟିବା ପୂର୍ବେ ଅଛି ଜଣା

ଯେ ଦେଶେ ଲୋକ ପାଞ୍ଜଜଣ

ଦେଖାନ୍ତି ଏମନ୍ତ ସାହସ

ଏ ସତ୍ୟାଗ୍ରହର ଆୟୁଧ

ଧରି ଯେ କରୁଥାନ୍ତି ଯୁଦ୍ଧ

ପ୍ରକୃତ ସ୍ୱାଧୀନ ସେ ରାଜ୍ୟ

ସମ୍ଭବ ତହିଁଟି ସ୍ୱରାଜ୍ୟ

ଯେ ଦେଶ ଏହି ଶକ୍ତିହୀନ

ସେ ଦେଶ ଚିର ପରାଧୀନ

ସ୍ୱରାଜ୍ୟ ନୁହେଁ ସେ ସମାଜ

କହିବା ତାକୁ ପରରାଜ୍ୟ

 

ପାଠକ ଉବାଚ

ତେବେ କି ଶରୀର ବଳିଷ୍ଠ

କରିବା କହ ନୁହେଁ ଇଷ୍ଟ

କି ହେବ ଦେହ ବଳ ଥାଇ

ମୋତେ ହୋ କହିବ ବୁଝାଇ

 

ସମ୍ପାଦକ ଉବାଚ

ମୁଁ ଏହା କହି ନାହିଁ କାହିଁ

କେବେ ତା କହବି ତ ନାହିଁ

ଶରୀର ସବଳ ଯାହାର

ସେ ମନ ବଳେ ବଳିଆର

ଅସୁସ୍ଥ ଲୋକେ ସତ୍ୟାଗ୍ରହୀ

ସହଜେ ହୋଇ ନ ପାରଇ

ମନ ମନ୍ଦିର ଏ ଶରୀର

ଯେ ଏହା ଶୁଦ୍ଧ ରଖେ ଚିର

ତାହାର ମନ ରହେ ସୁସ୍ଥ

ସୁସ୍ଥ ଚିନ୍ତାରେ ପରିପୁଷ୍ଟ

ଯେ ଭୋଗ ବିଳାସରେ ମାତି

ଶରୀର ସୁଖ ଭୋଗୁଥାନ୍ତି

କରନ୍ତି ଦେହ ବଳ କ୍ଷୟ

ତେଣେ ଶରୀର ରୋଗମୟ

ଦୁର୍ବଳ ଦେହ ବ୍ୟାଧିଗ୍ରସ୍ତ

ମନକୁ କରୁଥାଏ ବ୍ୟସ୍ତ

ମନହିଁ ଯାହାର ଦୁର୍ବଳ

ତାହାର କାହିଁ ଆତ୍ମବଳ

ବାଳ ବିବାହ ଆଦି କରି

କ୍ଷୀଣରୁ କ୍ଷୀଣ ହେଲା ଶରୀ

ସେ ପାପୁ ହେଲୁ ଅଳ୍ପାୟୁଷ

ପାପେ ସକଳେ ଯାଉ ନାଶ

ପୁଣି କ୍ଷଣିକ ସୁଖ ଲାଗି

ହେଉଛୁ ନାନା ପାପ ଭୋଗି

ସେ ସୁଖେ ମଜି ଜାଣି ଜାଣି

କରୁଛୁ ଦେହ ବଳ ହାନି

ଏବେ ଛାଡ଼ିବା ସେ ଅଭ୍ୟାସ

ଏ ଯେତେ ବ୍ୟସନ ବିଳାସ

ରଖିବା ଦେହ ମନ ସୁସ୍ଥ

ଯେତେକ ଭାରତର ସୂତ

ଯଦି କେ ଅତି କ୍ଷୀଣକାୟ

ଦୁର୍ବଳ ଦେହ ଅସହାୟ

କମାଣ ମୁଖେ ଯିବା ପାଇଁ

ଦେବି ମୁଁ ତାକୁ ପଠିଆଇ

ସେ ଦୃଶ୍ୟ ଦେଖିଣ ସମସ୍ତେ

ହସିବେ ସିନା ବୃଥା ମୋତେ

ତେଣୁଟି ସବଳ ଶରୀର

ଲୋଡ଼ଇ ସତ୍ୟାଗ୍ରହୀ ବୀର

 

ପାଠକ ଉବାଚ

ତୁମ୍ଭ କଥାରୁ ପଡ଼େ ଜଣା

ଏଥିରେ ବଡ଼ କଟକଣା

ସେ ସବୁ ମାନି ଜଣେ କେହି

ସହଜେ ନୁହେଁ ସତ୍ୟାଗ୍ରହୀ

ଏଣୁ ହେ ମୋତେ ଏବେ କହ

କଲେଟି କେବଣ ଉପାୟ

କି ବିଧିମାନ ଆଚରିଲେ

ହୋଇବୁ ସତ୍ୟାଗ୍ରହୀ ଭଲେ

ଯେତିକି ସହଜ ଏ ବାଟ

ସେତିକି କାଠିକର ପାଠ

ଅତି ସହଜେ ସତ୍ୟାଗ୍ରହୀ

ଇଚ୍ଛିଲେ ଜଣେ ପାରେ ହୋଇ

ପୁଣି ସେତିକି ଏ ବିଷମ

ଭୟେ ଭାଜନ୍ତି ଯୋଗୀ ଜନ

ଚଉଦ ବର୍ଷର ବାଳୁତ

ପାଳିଚି ସତ୍ୟାଗ୍ରହ ବ୍ରତ

ଦେଖିଛି ରୋଗ ଗ୍ରସ୍ତ ହୋଇ

ହେବାର ପୁଣି ସତ୍ୟାଗ୍ରହୀ

ଆବର ଦେଖିଛି ଏମନ୍ତ

ସୁସ୍ଥ ସବଳ ଦେହବନ୍ତ

ସୁଖ ସଂଭୋଗେ ଥାଏ ରହି

ନ ହୋଇ ପାରେ ସତ୍ୟାଗ୍ରହୀ

ଏ ମୋର ନିଜ ଅଭିଜ୍ଞତା

ଶୁଣ ମୁଁ କହୁଛି ସେ କଥା

ଯେ ଜନ ଦେଶସେବା ପାଇଁ

ହେବାକୁ ଚାହେଁ ସତ୍ୟାଗ୍ରହୀ

ଅବଶ୍ୟ ରହି ବ୍ରହ୍ମଚାରୀ

ହେବ ଦାରିଦ୍ର୍ୟ ବ୍ରତଧାରୀ

ସର୍ବଦା ପାଳୁଥିବ ସତ୍ୟ

ପୁଣି ନିର୍ଭୟ କରି ବିତ୍ତ

ପୁଣି ମୁଁ କହୁଛି ଫିଟାଇ

କେମନ୍ତେ ହୋଇ ସତ୍ୟାଗ୍ରହୀ

ଶୁଣହେ ସୁଧୀର ପାଠକେ

ମୁଁ ତାହା କହେ ଠିକେ ଠିକେ

ପ୍ରଥମେ ଦୃଢ଼ କରି ମନ

ବୀର୍ଯ୍ୟକୁ କରିବ ସାଧନ

ଏ ବ୍ରହ୍ମଚର୍ଯ୍ୟ ଏଡ଼େ ବିତ୍ତ

ତା ବିନୁ ଦୃଢ଼ ନୁହେ ଚିତ୍ତ

ଯେ ଏହା ନ ପାରଇ ସାଧି

ତା ମନ ତାହାର ବିବାଦୀ

ବିଷୟ ବାସନାରେ ଦୋଳି

ସେ ନିତ୍ୟେ ମରୁଥାଏ ଭାଳି

ପୋତକୁ ଯେହ୍ନେ ପ୍ରଭଞ୍ଜନ

ମନକୁ ବିଷୟ ତେସନ

ମନ ଯାହାର ନୁହେ ସ୍ଥିର

ସେ ସର୍ବ କାର୍ଯ୍ୟରେ ଅଧୀର

ବିଷୟ ଭୋଗେ ଯାର ମନ

ସକଳ କାର୍ଯ୍ୟେ ଅକର୍ମଣ୍ୟ

ଉଦାହରଣ ଶତ ଶତ

ମିଳଇ ବହୁତ ଏମନ୍ତ

ଏବେ ହୋ ତୁମ୍ଭ ପଚାରିବ

ଗୃହୀର କେବଣ କର୍ତ୍ତବ୍ୟ

ତା’ର ଉତ୍ତର ତୁମ୍ଭେ ଜାଣ

ପ୍ରଶ୍ନ କେବଳ ଅକାରଣ

ପତି ପତ୍ନୀର ସହବାସ

ନୁହେ କି ବିଷୟ ବିଳାସ

ପୁତ୍ରର ଅର୍ଥେ ଭାର୍ଯ୍ୟା କରି

ସେ ସିନା ନୁହେଁ ଦୁରାଚାରୀ

ସନ୍ତାନ ଉତ୍ପତ୍ତି କାରଣ

ଯେଣୁ ଏ ବିବାହ ବିଧାନ

ପତି ପତ୍ନୀର ଯେ ସଂବନ୍ଧ

ହୋଇଛି ତେଣୁ ସୀମାବଦ୍ଧ

ଅନ୍ୟଥା ସଙ୍ଗମ କାମନା

ବିଧିରେ ହୋଇଅଛି ମନା

ତଥାପି ଯେହୁଁ ସତ୍ୟାଗ୍ରହୀ

ଏହାକୁ ତ୍ୟାଗ ସେ କରଇ

ପୁତ୍ରେ ତା ନାହିଁ ପ୍ରୟୋଜନ

ତେଣୁ ସଙ୍ଗମ ତା ବର୍ଜନ

ତେଣୁ ସେ କଲେହେଁ ବିବାହ

ବରଜେ ସ୍ତିରୀ ରତି ମୋହ

ହୋଇ ସେ ଶୁଦ୍ଧ ବ୍ରହ୍ମଚାରୀ

ଏ ସତ୍ୟାଗ୍ରହ ବ୍ରତଧାରୀ

ଏଥିରେ ନାହିଁନା ସଂଶୟ

ଏମନ୍ତ ଏହି ସତ୍ୟାଗ୍ରହ

ଏକଥା ବିସ୍ତାରି ବହୁତ

କହିବା ହେବ ଅସଙ୍ଗତ

ଏଥିରେ ପ୍ରଶ୍ନ ବହୁବିଧ

ଉଠି ସଂଶୟ ହେବ ବୋଧ

କେ କହେ ଦାରା ପରିଗ୍ରହ

କରି କିମ୍ପାଇ ଏ ନିଗ୍ରହ

କି ହେତୁ ପତ୍ନୀକୁ କଷଣ

ଦେବାକୁ ଚଳାଇବା ମନ

ବିବାହ ଜୀବନେ ତାହାର

ଅଛଇ ପୁଣି ଅଧିକାର

ତାହାକୁ ତହିଁରୁ ବଞ୍ଚିତ

କରିବା ଅଟେ ଅବାଞ୍ଛିତ

ବ୍ରହ୍ମଚାରିଣୀ ହେବାପାଇଁ

ତାହାର ଯଦି ଇଚ୍ଛା ନାହିଁ

କେମନ୍ତେ ତାକୁ ବାଧ୍ୟ କରି

କରିବା କହ ବ୍ରହ୍ମଚାରୀ

ଏମନ୍ତେ ପ୍ରଶ୍ନ ଶତ ଶତ

ଉଠିବ ଦାଶେ ଅବିରତ

ତଥାପି ଯେ ଜନ ନିଶ୍ଚନ୍ତେ

ପାଳିବ ଏହି ମହାବ୍ରତେ

ଏ ଯେତେ ଯେତେ ପ୍ରଶ୍ନମାନ

ନିଜେ କରିବ ସମାଧାନ

ତେବେ ସେ ହେବ ସତ୍ୟାଗ୍ରହୀ

ଅନ୍ୟାଥା ଗତ୍ୟନ୍ତର ନାହିଁ

ସତ୍ୟାଗ୍ରହୀର ବ୍ରହ୍ମଚାର୍ଯ୍ୟ

ଅଟେ ଯେପରି ଅନିବାର୍ଯ୍ୟ

ତେମନ୍ତେ ଦରିଦ୍ରତା ବ୍ରତ

ପାଳନ କରିବା ନିୟତ

ଅର୍ଥ ପିପାସା ଯାର ଥାଏ

ସେ କେବେ ସତ୍ୟାଗ୍ରହୀ ନୁହେ

ଧନ ସଙ୍ଗରେ ସତ୍ୟାଗ୍ରହ

ବିରୋଧ ଉଭୟେ ଉଭୟ

ଏକ ସଙ୍ଗର ଦୁଇ ଭାବ

କଦାପି ନୁହଇ ସମ୍ଭବ

ଯା ପାଶେ ଥିବ ଧନ ରତ୍ନ

ସେ ତାହା କରିପାରେ ଯତ୍ନ

ସତ୍ୟାଗ୍ରହୀ ସେ ହେବାଲାଗି

ନ ଦେବ ସବୁ ଫିଙ୍ଗି ଫାଙ୍ଗି

ମାତ୍ର ତହିଁକୁ ଉଦାସୀନ

ମନକୁ କରିବ ଅଧୀନ

ଆରମ୍ଭ କଲେ ସେ ସତ୍ୟାଗ୍ରହ

କାଳେ ସେ ଧନ ହେବ କ୍ଷୟ

ତହିଁରେ ନ କରିବ ଦୁଃଖ

ସୁଧର୍ମେ ନୋହିବ ବିମୁଖ

ସମସ୍ତ ସମ୍ପତ୍ତି ଉଝାଇ

ରହିଣ ଥିବ ସତ୍ୟାଗ୍ରହୀ

ଯେ ସତ୍ୟାଗ୍ରହରେ ନିପୁଣ

ଦ୍ୱିତୀୟ ଗୁଣ ତାର ଶୁଣ

ସତ୍ୟରେ ବଳେ ସତ୍ୟାଗ୍ରହ

ମୁଁ ଏହା କହିଛି ନିଶ୍ଚୟ

ତେଣୁ ଯେ ନ ପାଳିବ ସତ୍ୟ

ବୃଥା ତା ସତ୍ୟାଗ୍ରହ ବ୍ରତ

ଯାହାର ନାହିଁ ସତ୍ୟବଳ

ସେ ସତ୍ୟାଗ୍ରହରେ ଦୁର୍ବଳ

ସତ୍ୟକୁ ନ କଲେ ପାଳନ

କହ ସଂସାରେ କେଉଁ ଜନ

ଦେଖାଇ ପାରେ ସତ୍ୟବଳ

ତେଣୁଟି ଏ ହୁଏ ବିଫଳ

ଅବଶ୍ୟ ସତ୍ୟାଗ୍ରହୀ ପାଶେ

ସତ୍ୟହିଁ ଥିବଟି ବିଶେଷେ

ଯାହା ଯିବାର ପଛେ ଯାଉ

ସତ୍ୟ ମୋ ପାଶେ ରହିଥାଉ

ସତ୍ୟାଗ୍ରହର ଏ ବିଚାର

ନ କରେ ସତ୍ୟ ପରିହାର

ସତ୍ୟ ତ କେବେ କାର ମନେ

ଦୁଃଖ ନ ଦିଏ କଦାଚନେ

ଏମନ୍ତ ସତ୍ୟବ୍ରତ ପାଇଁ

ପରେ କେ ଦୁଃଖ ଦିଏ ନାହିଁ

ତେଣୁଟି ସତ୍ୟାଗ୍ରହୀ ମନେ

ନଥାଏ ଗୁପ୍ତ ଭାବ କ୍ଷଣେ

ଗୁପତ ସେନା ତେଣୁ ତାର

କିମ୍ପା ହୁଅନ୍ତା ଦରକାର

ଏମନ୍ତେ ଲୋକଥାନ୍ତି କେତେ

ମିଥ୍ୟା ସେ କହନ୍ତି ସତତେ

ମିଥ୍ୟାକୁ କର ସମର୍ଥନ

ବାଢ଼ନ୍ତି ନାନା ଯୁକ୍ତି ମାନ

କହନ୍ତି ଯଦି ମିଥ୍ୟା କହି

ପରକୁ ପାରିଲୁ ବଞ୍ଚାଇ

ସେ ମିଥ୍ୟା ବାକ୍ୟ କେଉଁ ପାପ

କିବା ତହିଁକି ଅନୁତାପ

ଯୁକ୍ତି କରିବା ଏ ପ୍ରକାର

ସତ୍ୟକୁ ଖାଲି ଆଖିଠାର

ଯେ ସତ୍ୟ ପଥର ପଥିକ

ତାହାର ସତ୍ୟ ପଥ ଏକ

ତେଣୁ ଏ ଧରମ ସଂକଟ

ନ ଆସେ ତାହାର ନିକଟ

ଯଦି ସନ୍ଦେହ ହୁଏ ତାର

ପାଏ ସେ ତହିଁରୁ ଉଦ୍ଧାର

ତୃତୀୟ ଗୁଣ ଏବେ ଶୁଣ

ସତ୍ୟାଗ୍ରହୀର ଯେ ଲକ୍ଷଣ

ସେ ସଦା ହୋଇବ ନିର୍ଭୟ

ତା ବିନୁ ନୋହେଁ ସତ୍ୟାଗ୍ରହ

ଭୀତ ହୋଇଲେ ସତ୍ୟାଗହୀ

ଏ ରଥ ତିଳେ ନ ଚଳଇ

ପ୍ରତି କଥାରେ ପ୍ରତିକ୍ଷେତ୍ରେ

ଭୟ ବରଜି ଯେତେ ଯେତେ

କର୍ମ ନିରତ ସତ୍ୟାଗ୍ରହୀ

କାହିଁରେ କିଛି ଚିନ୍ତା ନାହିଁ

ଧନ ସଂପତ୍ତି ଗୃହ ବସ୍ତୁ

ଏମନ୍ତେ ଯେତେ ଯେତେ ବସ୍ତୁ

ରୂପ ଯୌବନ ଶୋଭାବନ

ସମ୍ମାନ ମାନ ଅପମାନ

ବନ୍ଧୁ କୁଟୁମ୍ବ ଦାରା ସୁତ

ପ୍ରିୟା ପ୍ରୀତିର ମୋହମତ

ସଭା ସମାଜ ରାଜଗାଦି

ଘାତ ସଂଘାତ ମୃତ୍ୟୁ ଆଦି

କାହିଁରେ ଯାର ନାହିଁ ଭୟ

ସେ କରିପାରେ ସତ୍ୟାଗ୍ରହ

ଯେ ନର ଏ ସବୁରୁ ମୁକ୍ତ

ସେ ସତ୍ୟାଗ୍ରହୀ ଉପଯୁକ୍ତ

କଠିଣ ବୋଲି ଏ ସାଧନ

ଅସାଧ୍ୟ ନୁହେଁ କଦାଚନ

ଈଶ୍ୱର ଅତି ଦୟାମୟ

ସକଳ କର୍ମରେ ସହାୟ

ଘଟ ଘଟରେ ସେ ଶକତି

ସଦୟେ ଘଟାଇ ଅଛନ୍ତି

ତେଣୁ ମନୁଷ୍ୟ କ୍ଷୁଦ୍ରକୀଟ

କଟାଇ ଅସଂଖ୍ୟ ସଂକଟ

ପଙ୍ଗୁ ଲଂଘଇ ଗିରିବର

ମୁକ ଯେ ହୁଅଇ ମୁଖର

ତାହାରି ଆଜ୍ଞାରେ ପର୍ବତ

ଜଳେ ଭାଷଇ ଶୋଲବତ

ଏଣୁ ଈଶ୍ୱର ଇଚ୍ଛାମତେ

କି ଅସମ୍ଭବ ଏ ଜଗତେ

ଦୁଃଖ ବିପଦ ଶତ ଶତ

ଯେହ୍ନେ ଦିଶଇ ପରବତ

ମନୁଷ୍ୟ ହରି ନାମ ଧରି

ହେଳେ ସେ ସବୁ ହୁଏ ପାରି

ସକଳ ଦୁଃଖ ଦେହେ ସହି

ଆପଣା ପଥେ ସେ ଚଳଇ

ତେଣୁ ଏ ସାଧନର ପଥେ

ସଙ୍କଟ ଆସେ ନାନାମତେ

ସାଧକ ପ୍ରଭୁ ଦୟାବଳେ

ପାରି ହୁଅଇ ଅବହେଳେ

ସତ୍ୟାଗ୍ରହୀର ଗୁଣମାନ

ବୋଇଲି ତୁମ୍ଭ ସନ୍ନିଧାନ

ଯେ ଦେଶ ସେବା ଅଭିପ୍ରାୟୀ

ନୁହେ ଏ କେବଳ ତାପାଇଁ

ଗୃହୀ ସଂସାରୀ ଲୋକ ଯେତେ

ଏହାକୁ ପାଳିବେ ସମସ୍ତେ

ଏ ଯେତେ ଯେତେ ଗୁଣମାନ

ସାଧନ୍ତି ଯେଉଁ ଗୁଣୀଜନ

ସେ ଜନ ବଡ଼ ଭାଗ୍ୟବନ୍ତ

ସେ ଜନ ସର୍ବଦା ମୁକତ

ଆବର ଶୁଣସି ବଚନ

ଶସ୍ତ୍ର ବଳେ ଯେ ବଳିଆନ

ପଶୁ ବଳରେ ଯା ବିଶ୍ୱାସ

ଏ ଗୁଣ ଲୋଡ଼ା ତାହା ପାଶ

ଏ ଗୁଣ ଅଳପ ବହୁତ

ମଣ୍ଡନେ ତାର ହୁଏ ହିତ

ଏବେ ହୋ ମନ ଦେଇ ଶୁଣ

ମୁଁ ତାର କରିବି ପ୍ରମାଣ

କେହି କି ଇଚ୍ଛା କଲାକ୍ଷଣି

ପାରଇ ରଣେ ଶତ୍ରୁ ଜିଣି

ଇଚ୍ଛା ମାତ୍ରକେ କେଉଁ ନର

ନୁହେ ବିଜୟୀ ବୀରବର

ବୀର ପୁଙ୍ଗବ ଯେତେ ଥିବେ

ଅବଶ୍ୟ ସେ ଏହା ସାଧିବେ

ପ୍ରଥମେ ବ୍ରହ୍ମଚାର୍ଯ୍ୟ ପାଳି

ହେବେ ଶରୀର ଶକ୍ତିଶାଳୀ

ବୀର୍ଯ୍ୟ ଧାରଣ ବିନା କେହି

ଶୌର୍ଯ୍ୟ ସମ୍ବଳ ପାଏ ନାହିଁ

ଦେଇଛେ ହେବାପାଇଁ ଯୋଦ୍ଧା

ଦାରିଦ୍ର୍ୟେ ତାର ଥିବ ଶ୍ରଦ୍ଧା

ଯେ ସ୍ଥାନେ ଯେମନ୍ତେ ମିଳିବ

ସନ୍ତୋଷ ବିଧି ସେ ପାଳିବ

ଅନ୍ୟଥା ରଣ କଉଶଳ

ନୁହଇ କଦାପି ସଫଳ

ତେଣୁ ଅଭୟ ବିନା କେହି

ସମରେ ପଶି ନ ପାରଇ

ଯଦିବା କହିଣ ଆପଣ

ସତ୍ୟର କିବା ପ୍ରୟୋଜନ

ଯେ ଅସ୍ତ୍ରବଳ ଥିବ ଧରି

ସେ କିମ୍ପା ଅସତ୍ୟକୁ ଡରି

ଅସତ୍ୟ କହିଲେ କି ତାର

ଅସ୍ତ୍ରର ମରିଯାଏ ଧାର

ଅଥବା ସତ୍ୟହିଁ କହିଲେ

ନ ବଢ଼େ ଅସ୍ତ୍ରବଳ ତିଳେ

ତେଣୁ ହେ ଧୀର ଚିତ୍ତେ ଶୁଣ

ଏ ସତ୍ୟ ଏମନ୍ତେକ ଗୁଣ

ବୀରର କଣ୍ଠେ ସଦା ବସେ

ନ ଯାଏ କାପୁରୁଷ ପାଶେ

ବୀରର ଏ ଅଟେ ଭୂଷଣ

ନ ପାନ୍ତି କାପୁରୁଷଗଣ

ନିର୍ଭୟ ଯେ ସ୍ଥାନେ ବିରାଜ

ମିଥ୍ୟାର ତହିଁ କିବା କାର୍ଯ୍ୟ

ଆପଣା ଛାଏଁ ସତ୍ୟ ଧନ

ହୁଅଇ ତହିଁ ବିଦ୍ୟମାନ

ଭୟରେ ହୋଇଣ କାତର

ସତ୍ୟକୁ ସିନା ଛାଡ଼େ ନର

ଯେ ନର ମିଥ୍ୟାକୁ ଆଚରେ

ସେ ତାହା କରିଥାଏ ଡରେ

ତେଣୁ ଏ ଯେଉଁ ଗୁଣ ଚାରି

କହିଲି ତୁମ୍ଭଙ୍କୁ ବିଚାରି

ଦାରିଦ୍ର୍ୟ ବ୍ରହ୍ମଚାର୍ଯ୍ୟ ବ୍ରତ

ନିର୍ଭୟ ଭାବ ପୁଣ ସତ୍ୟ

ଏ ସବୁ ମନୁଷ୍ୟହିଁ ପାଳେ

ଭୟରେ କଦାପି ନ ଛାଡ଼େ

ତେଣୁ ହେ ନ କରିବ ଭୟ

ପାଳିବାପାଇଁ ସତ୍ୟାଗ୍ରହ

ପୁଣି କଥାଏ ମନେ ରଖ

ଏ ଯେତେ ଅସ୍ତ୍ରଧାରୀ ଲୋକ

ଏ ଚାରିଗୁଣ ଛଡ଼ା ପୁଣି

ଆନ ଗୁଣରେ ହେବେ ଗୁଣୀ

ଏହାକୁ ବଳି କେତେ କେତେ

ନିୟମ ପାଳନ୍ତି ସଂଯତେ

ସତ୍ୟାଗ୍ରହୀ ସେ ନୀତିମାନ

ପାଳନେ ନାହିଁ ପ୍ରୟୋଜନ

ତାହାର କାରଣ ବିଚିତ୍ର

କହିବି ଶୁଣ ସ୍ଥିର ଚିତ୍ତ

ଏ ଯେତେଯେତେ ଅସ୍ତ୍ରଧାରୀ

ନାନା ବିଧାନମାନ କରି

ପାଳନ୍ତି ଯେତକ ଶୃଙ୍ଖଳା

ଭୟହିଁ ତାର ମୂଳ ହେଲା

ସମରେ ଯେଉଁ କଉଶଳ

ଜୀବନ ଭୟ ସେ କେବଳ

ଯେତେ କପଟ କୂଟ ନୀତି

ଅଣାଏ ତାହା ଭୟ ଭୀତି

ଜୀବନ ଭୟେ ନାନା ବିଧି

ଉପାୟ ସମରେ ପ୍ରସିଦ୍ଧି

ଯେଉଁ ମୁହୂର୍ତ୍ତେ ଯୋଦ୍ଧାଗଣେ

ନିର୍ଭୟ ହୋଇଯିବେ ରଣେ

ସେହି ମୁହୂର୍ତ୍ତେ କରୁ ଅସୀ

ପଡ଼ିବ ଆପେ ଆପେ ଖସି

ତେଣିକି ଅସ୍ତ୍ରର ସାହାଯ୍ୟ

କହ ହେ ଆଉ କେଉଁ କାର୍ଯ୍ୟ

ଯା ଦେହେ ନାହିଁ ଘୃଣା ଦ୍ୱେଷ

ଅଥବା ବଇର ଉଦ୍ଦେଶ୍ୟ

ତାହାର ଖଡ଼ଗ ଧାରଣ

ଅଟଇ ସିନା ଅକାରଣ

ଏକଦା ପଥ ଚାରି ଏକ

ଏକାକୀ ଚାଲଇ ନିର୍ଭୀକ

ଚାଲିଛି ଗହନ ବନସ୍ତେ

କାଷ୍ଠ ଖଣ୍ଡିଏ ଅଛି ହସ୍ତେ

ପଥ ମଧ୍ୟରେ ଏତେବେଳେ

ଦେଖିଲା ଚାହିଁ ସେ ନିରୋଳେ

ବ୍ୟାଘ୍ର ଗୋଟିଏ ଅଛି ଶୋଇ

ହାବୁଡ଼ି ଗଲା ମୁହାଁମୁହିଁ

ତକ୍ଷଣେ ଉଠିଲା ତା ହାତ

କାଷ୍ଠ ଖଣ୍ଡିକ ଅକସ୍ମାତ୍

କିନ୍ତୁ ସେ ପର ମୃହୂର୍ତ୍ତରେ

ବିଚାରି ଦେଖିଲା ଚିତ୍ତରେ

ଏ ମୋ ଅତି ଭୀରୁପଣ

ଦୁର୍ବଳ ମନର ଲକ୍ଷଣ

ଦାମ୍ଭିକ ବୋଲି କହେ ବଡ଼ି

ସେ ଖାଲି ମୁହଁରେ ଭୁରୁଡ଼ି

ଏମନ୍ତେ କହି ସେ ପାଥୁକୀ

ହାତୁଁ ଫାଳିଆ ଦେଲା ଫିଙ୍କି

ବ୍ୟାଘ୍ରକୁ କାଠ ଫାଳିଆରେ

ତଡ଼ନ୍ତା କେମନ୍ତ ପ୍ରକାରେ

ତେଣୁ ସେ ହୋଇଲା ନିର୍ଭୟ

କଲାକ ମରଣକୁ ଜୟ

 

Unknown

ଅଷ୍ଟାଦଶ ଅଧ୍ୟାୟ

ଶିକ୍ଷା

ପାଠକ ଉବାଚ

ଅନେକ କଲ ଆଲୋଚନା

ବହୁତ କଥା ଗଲା ଜଣା

ମାତ୍ରକେ ଆରେକ ବିଷୟ

ବୁଝାଇ ଏବେ ମୋତେ କହ

ଏ ଦେଶେ ଯେଉଁ ଶିକ୍ଷା ଚଳେ

ଶାସନ ଚଳୁଛି ଯା ବଳେ

ତାହା ସମ୍ୱନ୍ଧେ ତୁମ୍ଭ ମତ

ବୁଝାଇ କହ ମୋ ଅଗ୍ରତ

ଯେ ଦୀକ୍ଷା ଶିକ୍ଷାର ଅଭାବ

ସର୍ବଦା କରୁ ଅନୁଭବ

ଯେ ଶିକ୍ଷା ବାଧ୍ୟତାମୂଳକ

କରିବା ପାଇଁ ଦେଶ ଲୋକ

କରନ୍ତି ସଦା ଆନ୍ଦୋଳନ

କହ ହେ ତାହାର ବିଧାନ

ସାକ୍ଷର ହୋଇବେ ସଭିଏ

ମୂରୁଖ ନ ରହିବେ କିଏ

ଏହା କି ଅଣଆବଶ୍ୟକ

ବୁଝାଇ କହ ସଂପାଦକ

ବରୋଦା ରାଜ୍ୟେ ମହାରାଜା

ପ୍ରଜା ମଙ୍ଗଳେ ପାଳି ପ୍ରଜା

କରିଅଛନ୍ତି ପ୍ରଚଳନ

ବାଧ୍ୟତାମୂଳକ ପଠନ

ପିଲାରୁ ବଡ଼ଯାଏ ସର୍ବେ

ବାଧ୍ୟରେ ବିଦ୍ୟା ଅଭ୍ୟାସିବେ

ତେଣୁଟି ସମସ୍ତଙ୍କ ଆଖି

ସେଠାରେ ଯାଉଅଛି ଲାଖି

ଆଜ ସେ ବରୋଦା ରାଜନ

ସଭିଙ୍କ ପ୍ରଶଂସା ଭାଜନ

ଏବେହେ ତୁମ୍ଭେ କହମୋତେ

ସେଠାରେ ଯାଉଅଛି ଯେତେ

କର କି ତୁମ୍ଭେ ସମର୍ଥନ

ଅଥବା ବ୍ୟର୍ଥ ବୋଲି ମଣ

ମୋତେ ହେ କହିବି ବୁଝାଇ

ମୁଁ ତୁମ୍ଭ ମତ ଜାଣ ନାହିଁ

 

ଗାନ୍ଧି ଉବାଚ

ଯେବଣ ସଭ୍ୟତା ଆମ୍ଭର

ସେ ଯେବେ ସଭ୍ୟତାର ସାର

ଯେବେ ଏ ଦେଶ ଶିକ୍ଷା କୃଷ୍ଟି

ନାହିଁ ନୋହିଛି କାହିଁ ସୃଷ୍ଟି

ସକଳ ସଭ୍ୟତାର ସାର

ଏହାକୁ କଲେଟି ସ୍ୱୀକାର

ଏ ଯେତେ ନୂଆ ଶିକ୍ଷା ଦାନ

କି ହେବ ତହିଁ ପ୍ରୟୋଜନ

ଏ ଯେତେ ଶିକ୍ଷାର ଉଦ୍ୟମ

ସକଳ ହେବ ପଣ୍ଡ ଶ୍ରମ

ବରୋଦା ମହାରାଜା ଆଦି

ନେତାଏ ଯେ ଶିକ୍ଷା ସଂପାଦି

କରନ୍ତି ବୃଥା ପରିଶ୍ରମ

ହେଲେହେଁ ଉଦ୍ଦେଶ୍ୟ ଉତ୍ତମ

ତାଙ୍କର ଯେତେ ଚେଷ୍ଟା ନିଷ୍ଠା

ନିର୍ମଳ ଚିତ୍ତରେ ପ୍ରତିଷ୍ଠା

ତେଣୁ ସେ ପ୍ରଂଶସା ଭାଜନ

କହିବା ତାଙ୍କୁ ଧନ୍ୟ ଧନ୍ୟ

ମାତର ଏ ଯତ୍ନ ସକଳ

ଅନ୍ତେଟି ବିଷମୟ ଫଳ

ସେ ସବୁ ବୁଝି ଶୁଣି ଦେଖି

କିପରି ବୁଜିଦେବା ଆଖି

ତୁମ୍ଭର ଏହି ଶିକ୍ଷାଦାନ

ସେ ଯେବେ ଖାଲି ବର୍ଣ୍ଣଜ୍ଞାନ

ତେବେ ତ ପ୍ରୟୋଗ ତାହାର

ହୋଇବ ଦୁଇ ପରକାର

ଉତ୍ତମ ଅଥବା ଅଧମ

ଯେ ଜନ ଯେଉଁଥିକି କ୍ଷମ

ଏ ଶିକ୍ଷା ଅସ୍ତ୍ର ସେ ପ୍ରକାର

କରନ୍ତି ଲୋକେ ବ୍ୟବହାର

ଯେସନେ ଅସ୍ତ୍ର ଉପଚାରେ

ଆରୋଗ୍ୟ ରୋଗୀ ଲାଭ କରେ

ପୁଣି ସେ ଅସ୍ତ୍ରର ପ୍ରୟୋଗ

ନର ମରଣ ଦଶାଭୋଗ

ଯେ ଅସ୍ତ୍ର ପ୍ରାଣୀରକ୍ଷା କରେ

ସେ ପୁଣି ନରହତ୍ୟା କରେ

ତେମନ୍ତ ବର୍ଣ୍ଣ ପରିଚୟ

ଅଟଇ ଅସ୍ତ୍ରର ପରାୟ

କେ କରେ ସଜ-ବ୍ୟବହାର

କେହୁ ବା ବିପରୀତ ତାର

ସେହି ପ୍ରକାରେ ସାକ୍ଷରତା

କେବେ ଅଯଥା କେବେ ଯଥା

ଏମନ୍ତେ ଭଲ ମନ୍ଦ ଦ୍ୱନ୍ଦ

ଭଲରୁ ବେଶୀ ଭାଗ ମନ୍ଦ

ତେଣୁଟି ହୋଇବା ସାକ୍ଷର

ଲାଭୁଁ ଅଧିକ ହାନିକର

ଏ ଶିକ୍ଷା ତେଣୁ ଅକାରଣ

ମୁଁ ତାର କହିବି କାରଣ

ଏ ଶିକ୍ଷା ଆମର ସମୀପେ

ପ୍ରଧାନେ ଦିଶେ ଦୁଇ ରୂପେ

ପ୍ରଥମେ ପ୍ରାଥମିକ ଶିକ୍ଷା

ଦ୍ୱିତୀୟେ ଉଚ୍ଚ ଶିକ୍ଷା ଦୀକ୍ଷା

କେବଳ ମାତ୍ର ବର୍ଣ୍ଣ ଜ୍ଞାନ

ହିସାବ ଫେଡ଼ାଣ ମିଶାଣ

ଏ ହେଲା ଶିକ୍ଷା ପ୍ରାଥମିକ

ପ୍ରଥମେ ଶିଖନ୍ତି ବାଳକ

ଏ ବର୍ଣ୍ଣବୋଧ ଶିକ୍ଷା ପାଇଁ

ବିଶେଷ ଲାଭ ହୁଏ ନାହିଁ

ଏ ଦେଶବାସୀ ଚାଷୀ ପୁଅ

ମୂରୁଖ ବୋଲି ଯାକୁ କୁହ

ଚିହ୍ନି ନାହିଁ ସେ ବର୍ଣ୍ଣମାଳା

ମାଡ଼ି ନ ଥିବ ପାଠଶାଳା

ଖରାତରାରେ ଜମି ଚଷେ

ଧର୍ମକୁ ଚାହିଁ ପେଟ ପୋଷେ

ସଂସାର ଜ୍ଞାନ ଥାଏ ତାର

ଆବର ଆଚାର ବିଚାର

ନିଜର ଜନନୀ ଜନକ

ସାଇପଡ଼ିଶା ଭଲଲୋକ

ଅଥବା ପୁତ୍ରକନ୍ୟା ଜାୟା

ଯାହାର ପ୍ରାପ୍ୟ ଅଟେ ଯାହା

ଯାହାକୁ ଯେମନ୍ତ ମର୍ଯ୍ୟାଦା

ଦେବାର ତାର ନାହିଁ ବାଧା

କାହାକୁ ମାନ୍ୟ କାରେ ଭକ୍ତି

କାହାକୁ ପ୍ରୀତି ଅନୁରକ୍ତି

ଯେ ବ୍ୟକ୍ତି ଯହିଁକି ଭାଜନ

ସେ କରେ ତାହା ସମର୍ପଣ

ଧରମ ନ୍ୟାୟ ସଦାଚାର

କରଇ ଉଚିତ ବିଚାର

ଆଚରେ ତାହା ଭକ୍ତିଭରେ

କେବେହେଁ ଅନ୍ୟଥା ନକରେ

ମାତର ନାହିଁ ବର୍ଣ୍ଣଜ୍ଞାନ

ନ ଘେନେ ତୁମ୍ଭ ବିଦ୍ୟା ଦାନ

ଏବେ ହେ ତୁମ୍ଭେ ଭାବି ଦେଖ

ପ୍ରକୃତ ସେହି କି ମୂରୁଖ

ତୁମ୍ଭର ବିଦ୍ୟାଦାନ ପାଇ

କି ଲାଭ ତାରେ ପାରେ ହୋଇ

ଏ ବର୍ଣ୍ଣ ଜ୍ଞାନେ କହ ସେ କି

ଅଧିକ ହୋଇଯିବ ସୁଖୀ

ବରଞ୍ଚ ଏହି ବିଦ୍ୟା ଫଳେ

ଅଧିକ ପଡ଼ିବ ଜଞ୍ଜାଳେ

ଆପଣା ସାମର୍ଥ୍ୟକୁ ବଳି

ତୋଳିବ ଆକାଶେ ଅଟ୍ଟାଳୀ

ଶିକ୍ଷିତ ବାବୁ ବଡ଼ଲୋକ

ହେବାକୁ ମନ ସକ ସକ

ଏ ଯେତେ ଶିକ୍ଷିତ ପାଠୁଆ

କରମ କୋଢ଼ି ଅଳସୁଆ

ସେ ତାଙ୍କୁ କରିବ ନମୁନା

ନିଜ ଧନ୍ଦାକୁ କରି ଘୃଣା

ଆପଣା କୁଡ଼ିଆ ଖଣ୍ଡିକ

କେବେଟି ନ ଲାଗିବ ସୁଖ

ଘୂମିତ ହୋଇବ ମାନସ

ବଢ଼ିବ ମନେ ଅସନ୍ତୋଷ

ଏମନ୍ତେ ଯେ ଶିକ୍ଷା ପ୍ରଭାବ

ଉଚିତ ବୋଲି କି ତା ଭାବ

ପାଶ୍ଚାତ୍ୟ ସଭ୍ୟତାର ସ୍ରୋତେ

ଭାସୁଛୁ ଆମ୍ଭେ ସର୍ବେ ଯେତେ

ବିଚାରୁ ନାହୁଁ ଆଗପଛ

ମଣୁ ଏ ସଭ୍ୟତାକୁ ସ୍ୱଚ୍ଛ

ଏ ଶିକ୍ଷା କରିବାକୁ ଦାନ

ମଣୁଛୁ କର୍ତ୍ତବ୍ୟ ପ୍ରଧାନ

କିନ୍ତୁ ଏହାର ବିଷଫଳ

ବିଚାରୁ ନାହିଁଟି ସକଳ

ଏବେ ହୋ ଉଚ୍ଚ ଶିକ୍ଷା କଥା

କହିବି ସେ କେଡ଼େ ଅଯଥା

ଉଚ୍ଚ ଶିକ୍ଷାର ଅନ୍ତର୍ଗତ

ଜ୍ୟାମିତି ଭୂମିତି ଗଣିତ

ଭୂଗୋଳ ଖଗୋଳ ବିଜ୍ଞାନ

ଦର୍ଶନ ନ୍ୟାୟ ତର୍କମାନ

କାବ୍ୟ କବିତା ଆଦି ଯେତେ

ମୁଁ ତାହା କହିବଇଁ କେତେ

ଏ ସବୁ କଲେ ମୁଁ ଅଭ୍ୟାସ

ଯେତେ ଯାହାର ଟିକା ଭାଷ୍ୟ

କହ ହେ ଏଥୁଁ କିବା ଲାଭ

ମୋତେ ବା ଦେଶକୁ ମିଳିବ

ପ୍ରକୃତ ଶିକ୍ଷାର କି ଅର୍ଥ

ବିଷୟ କରିବା ମୁଖସ୍ଥ

ଯେଉଁ ପାଶ୍ଚାତ୍ୟ ଶିକ୍ଷା ଘେନି

ଆମ୍ଭେ ହେ ମିଥ୍ୟା ଅଭିମାନୀ

ସେ ଶିକ୍ଷା ଦୀକ୍ଷାରେ ପଣ୍ଡିତ

ହକ୍‌ସଲେ ନାମେ ଅଭିହିତ

ଶିକ୍ଷାର ଯାହା କଲେ ଟୀକା

ଶୁଣିବା ହେଉ ସେ ଭୂମିକା

ବାଳୁତ କାଳୁଁ ଯେଉଁ ଜନ

କରଇ ଏମନ୍ତ ସାଧନ

ଶରୀର ଯେହ୍ନେ ବଳେ ବଳେ

ରହଇ ମନର ଶୃଙ୍ଖଳେ

ଯେ କାର୍ଯ୍ୟ ତାରେ ସମର୍ପିତ

ଆନନ୍ଦ ଚିତ୍ତେ ତା ସାଧିତ

ଅତି ଯତନେ ସରଳରେ

ଯେ ଜନ ନିଜ କାର୍ଯ୍ୟ କରେ

ବୁଦ୍ଧି ଯାହାର ଶୂଦ୍ଧପୂତ

ନ୍ୟାୟ –ତରଣୀ ସ୍ଥିର ଚିତ୍ତ

ପ୍ରକୃତ ନିୟମ ପାଳନ

ଜ୍ଞାନରେ ପୂର୍ଣ୍ଣ ଯାର ମନ

ଇନ୍ଦ୍ରିୟ ଯା’ର ରହେ ବଶେ

ସଂଯତ ବିଷୟରେ ରସେ

ସଂଯତ ଆହାର ବିହାର

ଅନ୍ତର ବୃତ୍ତି ଶୁଦ୍ଧ ଯାର

ନୀଚ କାର୍ଯ୍ୟରେ ସଦା ଖେଦ

ପର ଆପଣା ନାହିଁ ଭେଦ

ପରକୁ ମଣଇ ଆପଣା

ନୀଚ କାର୍ଯ୍ୟକୁ କରେ ଘୃଣା

ଏମନ୍ତ କରେ ଯେଉଁ ଜନ

ପ୍ରକୃତି ନିୟମ ପାଳନ

ସେ ଜନ ଉଚ୍ଚ ଶିକ୍ଷାର ପ୍ରାପ୍ତ

ଅଟଇ ସର୍ବବାଦି ମତ

ଏମନ୍ତ ଶିକ୍ଷିତ ଯେ ଜନ

ପ୍ରକୃତି ତାହାର ଅଧୀନ

କରି ତାହାକୁ ଉପଯୋଗ

ସେ କରେ ପ୍ରକୃତିକୁ ଭୋଗ

ପ୍ରକୃତି ପୁଣି ଅନ୍ୟ ପକ୍ଷେ

ଛତ୍ର ଛାୟାରେ ତାକୁ ରଖେ

ତେଣୁ ସେ ନିଜ କାର୍ଯ୍ୟ ଲାଗି

କରଇ ତାକୁ ଉପଯୋଗୀ

ପାଶ୍ଚାତ୍ୟ ପଣ୍ଡିତଙ୍କ ମତ

ଏ ଯଦି ହୋଇଥାଏ ସତ

ତୁମ୍ଭର ଯେ ଶିକ୍ଷା ଅନ୍ତର୍ଗତ

ବିଷୟ ହୋଇଛି ଉକତ

ତହିଁରେ ହେଲେ ଧୂରନ୍ଦର

ଚରିତ୍ର ନହୁଏ ସୁନ୍ଦର

ସେ ବିଦ୍ୟା ଯେ କରେ ଅଭ୍ୟାସ

ତା ଦେହ ତା’ର ନୁହେଁ ଦାସ

ଯେ ଜନ ଏ ବିଦ୍ୟା ଅଧ୍ୟାୟୀ

ତା ମନ ତା ଆୟତ୍ତେ ନାହିଁ

ଏ ବିଦ୍ୟା ନ କରଇ ବୃଦ୍ଧି

ଚରିତ୍ର ଆଉ ମନ ଶୁଦ୍ଧି

ତେଣୁ ଏ ନବ ବିଦ୍ୟା ଘେନି

ଉଚ୍ଚ ବା ପ୍ରାଥମିକ ଶ୍ରେଣୀ

ଜୀବନେ ଯାହା ପ୍ରୟୋଜନ

ନ ପାରେ କରି କେ ସାଧନ

ଏହାର ଯେତେ ଯେତେ ତତ୍ତ୍ୱ

ନ ଦିଏ ଆଣି ମନୁଷ୍ୟତ୍ୱ

ଯେଡ଼େ ଏ ବିଦ୍ୟା କଲେ ଦାନ

ନ ଆଣେ କର୍ତ୍ତବ୍ୟର ଜ୍ଞାନ

 

ପାଠକ ଉବାଚ

ଏ କଥା ଯେବେ ହୁଏ ସତ୍ୟ

ଏ ବିଦ୍ୟା ସିନା ହେଲା ବ୍ୟର୍ଥ

ତୁମ୍ଭେ ହେ ତେବେ କାହାବଳେ

ଭାଷଣ ଭାଷୁଛ ଏ ସ୍ଥଳେ

ନ ଥିଲେ ତୁମ୍ଭ ବର୍ଣ୍ଣ ଜ୍ଞାନ

ଅଥବା ଉଚ୍ଚ ଅଧ୍ୟୟନ

କେମନ୍ତେ ହୋଇଲ ପାରଗ

ବୁଝାଇ ମୋତେ କହ ଆଗ

 

ଗାନ୍ଧି ଉବାଚ

ତୁମ୍ଭେ ଯା କହିଲ ଉଚିତ

ମୁଁ ନୁହେଁ ତିଳେ ଆଚମ୍ବିତ

ଶୁଣ ତା ଉତ୍ତର ମୁଁ ଦିଏଁ

ରହସ୍ୟ ତାହାର ଗୋଟିଏ

ଏ ଶିକ୍ଷା ନ ପାଇଲେ ଲୋକ

ଉଚ୍ଚ ଅଥବା ପ୍ରାଥମିକ

ନ ଯାଏ ଅକର୍ମା ସେ ହୋଇ

ମୁଁ ଅବା ହୁଅନ୍ତି କିପାଇଁ

ଯେ ଯାହା କହୁ କହିବାର

ମୁଁ ତାହା ନ କରେ ସ୍ୱୀକାର

ତୁମ୍ଭ ନିକଟ ଏବେ ଆଣି

ମୁଁ ଯାହା କହିଲି ବଖାଣି

ସେ ସବୁ ଜ୍ଞାନ ଏକା ଥରେ

ନଲାଗେ ଦେଶ ଉପକାରେ

ଅବଶ୍ୟ ଦେଶ ସେବାପାଇଁ

ଇଚ୍ଛା ମୁଁ ଅଛିଟି ବଳାଇ

ଏ ଦେଶେ ସେବାର ବାସନା

ମୋ ମନେ ଦେବାରୁ ପ୍ରେରଣା

ଯାହା ବା ପଢ଼ା ଲେଖା କଲି

ଦେଶ ସେବାରେ ଲଗାଇଲି

ଏମନ୍ତେ ତାହା ଦେଶ କାର୍ଯ୍ୟେ

ଲଗାଇ ପାରିଲି ସହଜେ

ତଥାପି କୋଟି କୋଟି ଭାଇ

ସେ ସେବା ପାଆନ୍ତି ବା କାହିଁ

ମୋର ଏ ଶିକ୍ଷା ସାହାଯ୍ୟରେ

କିଞ୍ଚିତ ମାତ୍ରକେ ଯା’ କରେଁ

ଶିକ୍ଷିତ ଯେ ତୁମ୍ଭ ସମାନ

ତହିଁରେ ହେଲେ ଲାଭବାନ

ଗରିବ ଜନ – ସାଧାରଣ

ତାହାଙ୍କୁ ନୋହିଲା କାରଣ

ତେଣୁ ଏ ଶିକ୍ଷା ସମ୍ବନ୍ଧରେ

ଯେତେ ମୁଁ କହିଲି ବା ତୋର

କରୁଛି ଦୃଢ଼ ସେହି ମତ

ଏ ଶିକ୍ଷା ଅଟେ ବଡ଼ ବ୍ୟର୍ଥ

ତୁମ୍ଭ ସହିତ ମୁହଁ ମଧ୍ୟ

ଏ ଶିକ୍ଷା ଜାଲରେ ଆବଦ୍ଧ

ମୁଁ ଏବେ ତାହା ପାରେ ବୁଝି

ତୁମ୍ଭେ ରହିଛ ଆଖି ବୁଜି

ମୁଁ ତହୁଁ ଲଭିଅଛି ମୁକ୍ତି

ତେଣୁ କହୁଛି ଅନୁଭୂତି

ପୁଣି ମୁଁ ଆଶା ଅଛି ପୋଷି

ତୁମ୍ଭେ ହେ ହୋଇବ ଦରଶୀ

ବୁଝି ଏ ଶିକ୍ଷାର ଦୁର୍ଭାବ

ବଦଳି ଯିବ ମନଭାବ

ଏମନ୍ତ ମୋ ମତ ପ୍ରଚାର

କରିବ ତୁମ୍ଭ ଉପକାର

ଯେ ମନ୍ଦ ଶିକ୍ଷା କଲି ଲାଭ

ତାହାକୁ କରି ଉପଯୋଗ

ଦେଖାଇ ଦେବି ପରିଷ୍କାର

ପ୍ରକୃତ କି ରୂପ ତାହାର

ତହିଁରେ ଯେତକ ଅସନା

ତୁମ୍ଭଙ୍କୁ କରାଇବି ଜଣା

ମୋହର ସବୁ କଥା ଶୁଣି

ଭ୍ରମରେ ନ ପଡ଼ିବ ପୁଣି

ସବୁ ସ୍ଥଳରେ ସବୁଠାରେ

ସକଳ ଲୋକ ବ୍ୟବହାରେ

ଏ ବର୍ଣ୍ଣ ଜ୍ଞାନକୁ ତେଜିବ

ଏମନ୍ତ କେଭେଁ ନ ହେଜିବ

ମୋହର କହିବାର ଅର୍ଥ

କଦାପି ନୁହଇ ଏମନ୍ତ

ଏ ଶିକ୍ଷା ପାଇଁକି ପାଗଳ

ହୋଇବ ମାତ୍ର ଅମଙ୍ଗଳ

ଏ ନୁହେଁ ସକଳ ସଂପଦ

ନୁହଇ ଆମ ମୋକ୍ଷପଦ

ଏ ଭାବ ଦୂର କର ମନୁ

ଏ ନୁହେଁ ଆମ କାମଧେନୁ

ଧରମ ଅର୍ଥ କାମ ମୋକ୍ଷ

ନ ଦିଏ ଏହାତ ପ୍ରତ୍ୟକ୍ଷ

ମନୁଷ୍ୟ ଜୀବନରେ ତାର

ଉଚିତ ସ୍ଥାନେ ବ୍ୟବହାର

ତା ସ୍ଥାନେ ସେହି ପାଏ ଶୋଭା

ସର୍ବଦା ନୁହେଁ ମନଲୋଭା

ଶିକ୍ଷାର ଅର୍ଥେ କେଉଁ କାର୍ଯ୍ୟ

ମନୁଷ୍ୟ ଜୀବନେ ନିଧାର୍ଯ୍ୟ

ବୁଝାଇ କହିବି ମୁଁ ଯାହା

ଶୁଣ ହେ ସ୍ଥିର ଭାବେ ତାହା

ଯେ ଜନେ ଇନ୍ଦ୍ରିୟକୁ ରୋଧି

କରଇ ସ୍ଥିର ଶୁଦ୍ଧ ବୁଦ୍ଧି

କୃଷ୍ଟ ଆଚାର ନୀତି ବଳ

ସ୍ୱସ୍ଥାନେ ଅଚଳ ଅଟଳ

ଏ ଜ୍ଞାନ ପାଇଁ ସେ ଭାଜନ

ସେ ବଡ଼ ଉପଯୁକ୍ତ ଜନ

ସେ ବ୍ୟକ୍ତି ଏହି ବିଦ୍ୟା ପାଇ

ସଦୁପଯୋଗ ତା’ କରଇ

ତା ଦେହେ ଆଭୂଷଣ ସମ

ଏ ବିଦ୍ୟା ଦିଶେ ଶୋଭାବନ

ସୁଗଠ ଦେହେ ଅଳଙ୍କାର

ସୁନ୍ଦର ଯେମନ୍ତ ପ୍ରକାର

ଚରିତ୍ରବନ୍ତ ଜନଠାରେ

ଏ ଶୋଭେ ତେମନ୍ତ ପ୍ରକାରେ

ଚରିତ୍ରହୀନ ଯେ ସାକ୍ଷର

କାଣୀ ଆଖିକି ସେ କଜଳ

ସଦବେଭାର ତାର ସେହି

କଦାପି କରିପାରେ ନାହିଁ

ତେଣୁଟି ଜାଣ ଏହି ଶିକ୍ଷା

ନୁହଇ ଗୁରୁଦାନ ଦୀକ୍ଷା

ନ ହେଲେ ନରହେ ଜୀବନ

ଏମନ୍ତ ନୁହେଁ କଦାଚନ

ଏ ବର୍ଣ୍ଣ ଜ୍ଞାନର ନିମନ୍ତେ

ଗାଁ ଚାହାଳି ଅଛି ଯତେ

ମୋ ମତେ ସେ ସବୁ ଯଥେଷ୍ଟ

ସେ ଯେଣୁ ଚରିତ୍ରର ପୀଠ

ପ୍ରଥମେ ସଦାଚାର ଜ୍ଞାନ

କରନ୍ତି ଗୁରୁ ତହିଁ ଦାନ

ପ୍ରକୃତ ପ୍ରାଥମିକ ଶିକ୍ଷା

ଅଟଇ ସଦାଚାର ଦୀକ୍ଷା

ସେ ହେଲେ ଦୃଢ଼ ମୂଳଦୁଆ

ତାପରେ ଅଟ୍ଟାଳିକା ଠିଆ

ଏମନ୍ତେ ଗଢ଼ା ଯେଉଁ ପୁର

ରହଇ ଚିରଦିନ ଦୃଢ଼

 

ପାଠକ ଉବାଚ

ତେବେ କି ତୁମ୍ଭେ ହୋ କହୁଛ

ଇଂରାଜୀ ପାଠ ଅଟେ ତୁଚ୍ଛ

ସ୍ୱରାଜ୍ୟ ସାଧନର ପାଇଁ

ଇଂରାଜୀ ଶିକ୍ଷା ଲୋଡ଼ା ନାହିଁ

ସେ ମତ ଅଟେ କି ଏମନ୍ତ

କହହେ ମୋତେ ସେ ଉଦନ୍ତ

 

ସଂପାଦକ ଉବାଚ

କହନ୍ତି ଗାନ୍ଧି ସଂପାଦକ

ଶୁଣ ହେ ସୁଧୀର ପାଠକ

ଅସ୍ତି ନାସ୍ତି ଏ ବେନି ଗୀର

ଅଟଇ ଉତ୍ତର ଏଥିର

ଅନ୍ୟାୟ ନୁହେଁ କଲେ ଅସ୍ତି

ଅଥବା ଯଦି କରେ ନାସ୍ତି

ଅସ୍ଥିର କଥା କହେଁ ଶୁଣ

ଇଂରାଜୀ ପାଠର ଯେ ଗୁଣ

ଲକ୍ଷ ଲକ୍ଷ ଏ ଲୋକ ଯେବେ

ଇଂରାଜୀ ପାଠ ଅଭ୍ୟାସିବେ

ସମସ୍ତେ ଦାସ ହେବେ ତାର

ଏଥରେ ସନ୍ଦେହ ନ କର

ଇଂରାଜୀ ଶିକ୍ଷାର ପଦ୍ଧତି

ମେକଲ ସାହେବଙ୍କ କୃତି

ସେ ଶିକ୍ଷା ଦୃଢ଼ ମୋ ବିଶ୍ୱାସ

କଲା ଆମ୍ଭଙ୍କୁ କ୍ରୀତଦାସ

ସେ ଏହା ପାଞ୍ଚ କରି କିନ୍ତୁ

କରନ୍ତୁ ଅବା ନ କରନ୍ତୁ

ତାଙ୍କର ଏହି ଶିକ୍ଷା ଦ୍ୱାରା

ଦାସ ହୋଇଲା ଦେଶସାରା

ଦେଖ ହେ ଆମ୍ଭ ଦୁରବସ୍ଥା

କି କହୁଁ ସେହି ଦୁଃଖ ବ୍ୟଥା

କର୍ମ ଆମର ଏଡ଼େ ବାମ

ହେଲୁ ଏ ଶିକ୍ଷାର ଗୋଲାମ

କହିଲେ ସ୍ୱରାଜ୍ୟର କଥା

କଲେ ବା ଦାବୀ ସ୍ୱାଧୀନତା

ଆପଣା ଭାଷାକୁ ପାଶୋରି

କହୁ ଇଂରାଜୀ ମୁଖେ ଭରି

ଏଥକୁ ଚଳିଣ ନିଲଠା

କହିଲ ଅଛି କେଉଁ କଥା

ପାଠକ କର ଅବଧାନ

ଆଉ କଥାକୁ ଦିଅ ଧ୍ୟାନ

ନିଜେ ଇଂରାଜେ ଏହି ଶିକ୍ଷା

କଲେଣି ଏବକୁ ଉପେକ୍ଷା

ଅଳିଆ ଗଦାକୁ ଫୋପାଡ଼ି

ଦିଅନ୍ତି ଏ ଶିକ୍ଷାକୁ କାଢ଼ି

ତା ପୁଣି କରି ଆପଣାର

ଆମ୍ଭର ଗରବ ଅପାର

ସେ ଦେଶେ ବସି ସାଧୁବର୍ଗ

କାଢ଼ନ୍ତି ଶିକ୍ଷା ନୂଆ ମାର୍ଗ

କରନ୍ତି ଶିକ୍ଷାର ସଂସ୍କାର

ଜୀର୍ଣ୍ଣ ପଦ୍ଧତି ବହିଷ୍କାର

ଆମ୍ଭେ ସେ ପୁରୁଣାକୁ ଧରି

ରହିଛୁଁ ଏବେ ଜୋକପରି

ଇଂଲଣ୍ଡ ଅବା କେଡ଼େ ଦେଶ

ତହିଁରେ ଯେତେ ଯେତେ ଅଂଶ

ଯେଝା ଭାଷାରେ ଯେ ଉନ୍ନତି

କରିବା ଦିଗେ ଲାଗିଛନ୍ତି

ଯେଡ଼େ ବା ଦ୍ୱୀପ ଏ ଇଂଲଣ୍ଡ

ଓ୍ୱେଲସ ତା ପଶ୍ଚିମ ଖଣ୍ଡ

ସେ ଦେଶ ଭାଷା ଅନୁନ୍ନତ

ବୋଲିଣ କହନ୍ତି ସମସ୍ତ

ଏ ଦେଶେ ଭାଷାଭାଷୀ ନର

କରନ୍ତି ତାର ଜୀର୍ଣ୍ଣୋଦ୍ଧାର

ସେ ଦେଶେ ବାଳକ ବାଳିକା

ମାତୃଭାଷାରେ ପାନ୍ତି ଶିକ୍ଷା

ଏବେ ହୋ ଚେଷ୍ଟା ଅଛି ଚାଲି

କହିବା ପାଇଁ ନିଜ ବୋଲି

ଇଂଲଣ୍ଡ ରାଜ୍ୟ କୋଷାଧ୍ୟକ୍ଷ

ଏ ଆନ୍ଦୋଳନେ ହେଲେ ମୁଖ୍ୟ

ଲଏଡ଼ ଜର୍ଜ ତାଙ୍କ ମତି

ନୁହେଁକି ଆମର ଦୁର୍ଗତି

ନିଜ ଭାଗ୍ୟକୁ କରି ଘୃଣା

ଦେଉଛୁ ନାନା ଉଲୁଗୁଣା

ଆପଣା ବୋଲିକି ଇଂରାଜୀ

ମାନି ନେଉଛୁ ହୋଇରାଜି

ବନ୍ଧୁ ବାନ୍ଧବ ମିତ୍ର ପାଶେ

ଲେଖୁଛୁଁ ଇଂରାଜୀର ଭାଷେ

ଏମେ ବା ବିଏ ପାସ କରି

ଅଛନ୍ତି କେତେ ନରନାରୀ

ଭ୍ରମ ହୋଇଲେ ହେଁ ଇଂରାଜୀ

ଲେଖନ୍ତି ପଢ଼ୁଛନ୍ତି ଆଜି

ତଥାପି ବଡ଼ ବଡ଼ ମଥା

ବଡ଼ ବିଚାର ବଡ଼ କଥା

ଇଂରାଜୀ ଭାଷାରେ ବ୍ୟକତ

ଇଂରାଜୀ ହେଲା ମୋକ୍ଷ ପଥ

ଆମ୍ଭର ଜାତୀୟ କଂଗ୍ରେସ

ଇଂରାଜୀ ତାର ମୁଖ୍ୟ ଭାଷ

 

ଏ ଦେଶ ସଂବାଦ ପତ୍ରିକା

ହେଉଛି ଇଂରାଜୀରେ ଲେଖା

ମୋହର ଏହା ଦୃଢ଼ ମତ

ଏ ସ୍ଥିତି ରହିଲେ ଏମନ୍ତ

ଅଧିକ ଦିନ ଏହିପରି

ଇଂରାଜୀ ଭାଷା ହେଲେ ଜାରି

ଆମ୍ଭର ସନ୍ତାନ ସନ୍ତତି

ନିନ୍ଦା କରିବେ ଆମ୍ଭ ପ୍ରତି

ଆମ୍ଭର ଭାବୀ ବଂଶଧର

କରିବେ ବହୁ ତିରଷ୍କାର

ତାଙ୍କର ଅଭିଶାପ ଲାଗି

ଆତ୍ମା ହୋଇବ ନର୍କଭୋଗୀ

ଏହି ଇଂରାଜୀ ଶିକ୍ଷା ପାଇ

ଗୋଲାମ ଦେଶ ଗଲା ହୋଇ

ଏଡ଼େ ଏହାର ପ୍ରାଦୁର୍ଭାବ

ନଷ୍ଟ ସେ କରଇ ସ୍ୱଭାବ

ଛନ୍ଦ କପଟେ ଛଦ୍ମବେଶ

ହିଂସା ଜୁଲମ ରାଗ ଦ୍ୱେଷ

ଏହି ଇଂରାଜୀ ଶିକ୍ଷା ଫଳେ

ବଢ଼ଇ ଦିନୁ ଦିନୁ ବଳେ

ଦେଖ ଏ ଶିକ୍ଷା କରାମତି

କି କରେ ଭାଇ ଭାଇ ପ୍ରତି

ଦୁଇ ଅକ୍ଷର ଇଞ୍ଜିମିଞ୍ଜି

ଯେହୁବା ଲେଖିଛି ପଢ଼ିଛି

ଲୋକଙ୍କୁ ଠକିବାର ପାଇଁ

ସେ କିଛି ବାକି ରଖେ ନାହିଁ

ଆମ୍ଭ ସଦୃଶ୍ୟ କେହି ହେଜି

ପଢ଼ିଣ ଯଦ୍ୟପି ଇଂରାଜୀ

ସରବସାଧାରଣ ହିତେ

ସେବା ବା କରଇ କିଞ୍ଚିତେ

ସେ ନୁହେଁ ପର ଉପକାର

ଅଥବା ଉଦାରତା ତା’ର

ଏହା ଯେ ଥାଏ ପଢ଼ି ଶୁଣି

ଲୋକଙ୍କଠାରେ ସେହି ଋଣୀ

ଏ ଯେତେ ଇଂରାଜୀ ପାଠୁଆ

ଲୋକଙ୍କଠାରେ ସେ ଧାରୁଆ

ତେଣୁ ଏ ଯେତେ ଉପକାର

ଆଶିଂକ ପରିଶୋଧ ତା’ର

ସମାଜ ମଧ୍ୟେ ବାସ କରି

ଅଛନ୍ତି କେତେ ନରନାରୀ

ନାନା କାରଣେ ନାନା ଲୋକ

ଭୋଗି ଅନ୍ୟାୟ ଦୁଃଖ ଶୋକ

ଆସନ୍ତି ଅଦାଲତ ଦ୍ୱାରେ

ନ୍ୟାୟ ବା ନିଶାପ ଆଶାରେ

ନ ନେଲେ ଇଂରାଜୀ ସହାୟ

ତାହାଙ୍କୁ ନମିଳେଟି ନ୍ୟାୟ

ଯେତେ ମିଶଲ ଅଦାଲତ

ସବୁଠି ଇଂରାଜୀ ଚଳିତ

ମୁଁ ଏବେ ବାରିଷ୍ଟର ହେଲି

ଆପଣା ଭାଷା ପାଶୋରିଲି

ତେଣୁ ମୋହର ଭାଷାଭାଷୀ

ଯେ ମହୋକିଲ ଦେଶ ବାସୀ

ଯେବେ ସେ ମୋ ଭାଷା କହନ୍ତି

ବୁଝି ନପାରି ହୁଏ ମନ୍ଥି

ତେଣୁ ମଧ୍ୟସ୍ଥ ଲୋକ ଏକ

ଉଭୟ ଭାଷାରେ ଯେ ଦକ୍ଷ

କରେ ଇଂରାଜୀ ଅନୁବାଦ

ତେବେ ସେ କଥା ହୁଏ ବୋଧ

ସେ ଯେବେ ନକରେ ତର୍ଜମା

ମୁଁ ବୁଝି ନପାରନ୍ତି ଜମା

ତହିଁରେ ପୁଣି ମୋ ଦମ୍ଭ

ଏଥିରୁ ଗୋଲାମି ଆରମ୍ଭ

ଏମନ୍ତ ଯେଉଁ ମନୋବୃତ୍ତି

ଦାସତ୍ୱ ଚିହ୍ନତା କହନ୍ତି

ଇଂରାଜୀ ଭାଷାର ଏଥିରେ

ଦୋଷତ ଦିଶୁନାହିଁ ତିଳେ

ଆମ୍ଭେ ଇଂରାଜୀ-ପଢ଼ା ଯେତେ

ଦୋଷୀତ ହୋଇଛୁ ସମସ୍ତେ

ଆମ୍ଭରି କାର୍ଯ୍ୟ ଆମ୍ଭ କାମ

କରିଛି ଦେଶକୁ ଗୋଲାମ

ତେଣୁ ଏ ଅଟେ ଆମ୍ଭ ପାପ

ଭୋଗିବା ଦେଶ ଅଭିଶାପ

ଇଂରେଜମାନେ ସେଥିପାଇଁ

ନୁହନ୍ତି କେଭେ ହେଲେ ଦାୟୀ

ତୁମ୍ଭେ ହେ ମୋତେ ପୁଚ୍ଛା କଲ

ଏ ଶିକ୍ଷା ମନ୍ଦ କିମ୍ବା ଭଲ

ଭଲ ମନ୍ଦ ଏ ଦୁଇମତ

ମନ୍ଦ ମୁଁ କହଲି ସମସ୍ତ

ଭଲର କଥା ଏବେ ଶୁଣ

ଇଂରାଜୀ ଶିକ୍ଷାର ଯେ ଗୁଣ

ଏହି ଶିକ୍ଷାର ଯେତେ କ୍ଷତି

ମୁଁ ତାହା କହିଛି ସଂପ୍ରତି

ଏବେ ହୋ ଶୁଣ କି ପ୍ରକାରେ

ଇଂରାଜୀ ଆସେ ଉପକାରେ

କିପରି ସଦ ବ୍ୟବହାର

କରି ପାଇବା ଉପକାର

ତାହା ମୁଁ କହିବି ଏଠେଁଇ

ଶୁଣ ପାଠକେ ମନ ଦେଇ

ଦେଖ ହେ ଏହି ଶିକ୍ଷା ବ୍ୟାଧି

ଆମ୍ଭ ଉପରେ କରେ ଆଧି

ତାହାକୁ ଛାଡ଼ି ଦଣ୍ଡେ ହେଲେ

କାମ ତ ଚଳୁ ନାହିଁ ବଳେ

ତେଣୁ ହେ ଜାଣେ ଏହି ବିଦ୍ୟା

ସେ ତାର କରିବ ସୁବିଧା

ଯେମନ୍ତେ ତା’ର ଉପଯୋଗ

ଉଚିତ ସ୍ଥାନରେ ପ୍ରୟୋଗ

ଯେମନ୍ତ ହେବ ଯେଉଁ ସ୍ଥାନେ

ପ୍ରୟୋଗ ଉଚିତ ବିଧାନେ

ଶୁଣ ହେ ଏବେ ଏକେ ଏକେ

ମୁଁ ତାହା କହିବି ସଂକ୍ଷେପେ

ଏ ଦେଶେ ଯେତେ ଇଙ୍ଗିରାଜ

ଆସନ୍ତି ରହନ୍ତି ବା ଆଜ

ବୁଝି ନାହାନ୍ତି ଆମ୍ଭ କଥା

ତେଣୁ ଭୋଗନ୍ତି ଅସୁବିଧା

ଯେବେ ତାହାଙ୍କ ସହିତରେ

ମିଶିବା ଆବଶ୍ୟକ ପଡ଼େ

ତାଙ୍କର ସୁବିଧା ସକାଶେ

କହିବା ଇଙ୍ଗିରାଜୀ ଭାଷେ

ଆବର ଚାହିଁ ଦେଖେ ତୁହି

ବିଶାଳ ଏ ଭାରତ ଭୂଇଁ

ନଈକେ ଯେହ୍ନେ ବାଙ୍କ ବାଙ୍କ

ଦେଶ ଦେଶକେ ତେହ୍ନ ଫାଙ୍କ

ଓଡ଼ିଆ ତେଲୁଗୁ ତାମିଲ

ବଙ୍ଗଳା ମହାରାଷ୍ଟ୍ର ମିଳି

ହିନ୍ଦୀ ବା ଉର୍ଦ୍ଧୁ ଗୁଜୁରାଟୀ

ଏମନ୍ତେ ଭାଷା ନାନା ଜାତି

ଏକ ପ୍ରଦେଶେ ଭାଷା ଯାହା

ଅନ୍ୟ ପ୍ରଦେଶେ ନୁହେଁ ତାହା

ତେଣୁ କାହାର ଭାଷା କେହି

ସହଜେ ବୁଝି ନ ପାରଇ

ମାତ୍ର ଇଂରାଜ ରାଜ୍ୟ ବଳେ

ଇଂରାଜୀ ସର୍ବତ୍ର ପ୍ରଚଳେ

ଏଣୁ ବିଭିନ୍ନ ଭାଷାଭାଷୀ

ବିଭିନ୍ନ ପ୍ରଦେଶରୁ ଆସି

ଯଦିବା ପରସ୍ପର କଥା

ବୁଝିବା ନ ଥାଏ କ୍ଷମତା

ସେ ଦୁହେଁ ଏବେ ଇଙ୍ଗିରାଜୀ

ପାରିଲେ ଭଲଭାବେ ବୁଝି

ତେବେ ଇଂରାଜୀ ଦୁହେଁ ଯାକ

କହିବେ ନରହି ଅବାକ

ପୁଣି ଏ ଭାଷାର ସାହାଯ୍ୟ

ଘେନି ଅନେକ ହେବ କାର୍ଯ୍ୟ

ଜାଣିବ ପଢ଼ିଲେ ଏ ଭାଷା

ଇଂରାଜୀ ମାନଙ୍କ ନିରାଶା

ଆପଣା ସଭ୍ୟତାକୁ ଚାହିଁ

ହତାଶେ ହୋ ହାଇଁ ପାଇଁ

ଏବେ ଆପଣା ଶିକ୍ଷା ପ୍ରତି

ଆସିଛି ତାଙ୍କ ଅନାଶକ୍ତି

ଆମ୍ଭେ ଇଂରାଜୀ ଭାଷା ପଢ଼ି

ବୁଝିବା ତାହା ଭଲ କରି

ତେଣୁ ଇଂରାଜୀ ଶିକ୍ଷା ପ୍ରଥା

ସର୍ବଦା ନୁହଇ ଅଯଥା

ଇଂରାଜୀ ଜାଣିଥିଲେ ଲୋକ

ବେଳେ ତା ପଡ଼େ ଆବଶ୍ୟକ

ଉଚିତ କ୍ଷେତ୍ରେ ତା ବେଭାର

କଲେ ହୋଇବ ଉପକାର

ତେଣୁଟି ମୋର ଏହି ମତ

ଇଂରାଜୀ ଶିଖିବା ବିହିତ

କିନ୍ତୁ ଏ ଶିକ୍ଷା ଚିରଦିନ

ନୋହିବ କେଭେଁ ପ୍ରୟୋଜନ

ଯେଉଁ କ୍ଷେତ୍ରରେ ଯେଉଁଠାରେ

ଏହା ଲାଗିବ ବ୍ୟବହାରେ

ତାହାତ ଚିରଦିନ ଧରି

ରହିବ ନାହିଁ ସେହିପରି

ସେପୁଣି ଆବଶ୍ୟକ କାଳେ

ଲୋପ ପାଇବ ଆମ୍ଭ ଆଳେ

ତେଣୁ ଇଂରାଜୀ ପଢ଼ା ଲୋକ

ଏବହୁଁ କରନ୍ତୁ ଏତକ

ଆପଣା ପୁଅ ବା ପୁତୁରା

ଛଡ଼ାଇ ଇଙ୍ଗିରାଜୀ ପୂରା

ଧରାନ୍ତୁ ନିଜ ମାତୃଭାଷା

ମାତୃଭାଷାରେ ରଖି ଆଶା

ନିଜ ଭାଷାରେ ପଢ଼ି ପାଢ଼ି

ଶିଖିବେ ନିଜ ଧାଡ଼ି ସାଡ଼ି

ପୁଣି ଶିଖିବେ ସଦାଚାର

ଶିକ୍ଷା ମଧ୍ୟରେ ସେହି ସାର

ତା ପରେ ବଡ଼ ହେବେ ଯେବେ

ଲୋଡ଼ିଲେ ଇଂରାଜୀ ପଢ଼ିବେ

ମାତ୍ର ପଢ଼ିବେ ଏ ଉଦ୍ଦେଶ୍ୟ

ଯେମନ୍ତେ ଛାଡ଼ି ଦେବେ ଶେଷ

ଯେମନ୍ତେ ଭବିଷ୍ୟତେ ଆଉ

ଇଂରାଜୀ ଲୋଡ଼ାହିଁ ନ ହେଉ

କହିଣ ଇଂରାଜୀ ବଚନ

ନ କରୁ କେହି ଅରଜନ

ପୁଣି ହୋ ଏହି ଭାଷା ଧରି

କେ ଯଦି କିଛି ପାରେ କରି

ଧୀରେ ତା କରିଣ ବିଚାର

ଏହାକୁ କରି ହତିଆର

ଏହି ଇଂରାଜୀ ଭାଷ ବଳେ

ବୁଝି ସେ ପାରିବ କୌଶଳେ

କେଉଁ ବିଦ୍ୟା ସେ ଅରଜିବ

ଅଥବା କାହାକୁ ବର୍ଜିବ

ଲୋଡ଼ା ତା କେବଣ ବିଷୟ

କି ଅବା ନୁହେଁ ସାରମୟ

ଏଥିରେ ଅଛି ନାନା ଗ୍ରନ୍ଥ

କେ ପଢ଼ି ପାରେ ତା ସମସ୍ତ

ଇଂରାଜୀ ପଢ଼ା ଇଚ୍ଛା ଯାର

ଏହା ସେ କରିବ ବିଚାର

ଖଟାଇ ଆପଣା ପସନ୍ଦ

ଧରିବ ଭଲ ଛାଡ଼ି ମନ୍ଦ

କିନ୍ତୁ ଏ ଇଂରଜି ଡ଼ିଗିରୀ

ଇଂରାଜୀ ପଢା ବାବୁ ଗିରି

ବି:ଏ:ବା ଏ:ମେ କଲେ ପାସ

ଜାଣ ଏ କରେ ସର୍ବନାଶ

ଛାଡ଼ିଲେ ଏ ଡ଼ିଗିରୀ ମୋହ

ନିଶ୍ଚୟ ହୋଇବ ବିଜୟ

ଇଂରାଜୀ ଶାସକେ ତା ଦେଖି

ଅବଶ୍ୟ ପଡ଼ିବେ ଚମକି

 

ପାଠକ ଉବାଚ

ଏବେ ହୋ ମୋତେ କହ ଭାଳି

କି ହେବ ଶିକ୍ଷାର ପ୍ରଣାଳୀ

 

ଗାନ୍ଧି ଉବାଚ

ଶିକ୍ଷା ପ୍ରଣାଳୀ ଗବେଷଣା

କିଞ୍ଚିତେ କଲୁ ଆଲୋଚନା

ଏବେ ହୋ କହିବା ବିସ୍ତାରି

ଶିକ୍ଷାର ଉଚିତ ପ୍ରଣାଳୀ

କିବା ତା ରୂପ କି ପ୍ରକାର

କରିବା ତାହାର ବିଚାର

ଶୁଣ ହେ ଏବେ ମୋର ମତେ

ଯେତେ ପ୍ରଦେଶ ଏ ଭାରତେ

ଯେଝାର ଭାଷାର ଉନ୍ନତି

କରିବା ପ୍ରୟୋଜନ ଅତି

ନିଜ ଭାଷାକୁ ମୂଳ କରି

କି କି ବିଷୟ ଶିକ୍ଷା କରି

ତାହାର ଆଲୋଚନା ସ୍ଥାନ

ନୁହଁଇ ଏଠି ବର୍ତ୍ତମାନ

ଆମ୍ଭ କର୍ତ୍ତବ୍ୟ ଅଟେ ଆଦ୍ୟ

ଇଂରାଜୀ ଭାଷା ଅନୁବାଦ

 

ଯେଉଁ ଜରୁରୀ କଥାମାନ

ଇଂରାଜୀ ଭାଷାରେ ପ୍ରଧାନ

ଆମ୍ଭର ହେଲେ ଦରକାରୀ

ଯିବା ତା ଅନୁବାଦ କରି

ଏ ଭଳି ବିଷୟ ଅନେକ

ଯାହାର ନାହିଁ ଆବଶ୍ୟକ

ତାହାକୁ କରି ବହିଷ୍କାର

ଶିକ୍ଷାକୁ କରିବ ସରଳ

ପ୍ରତ୍ୟେକ ହିନ୍ଦୁସ୍ଥାନ ଭାଷୀ

ହୋଇବ ନିଜ ଭାଷାଭାଷୀ

ନିଜ ଭାଷାର ପୂର୍ଣ୍ଣଜ୍ଞାନ

ଅର୍ଜନ ପ୍ରଥମେ ନିଦାନ

ହିନ୍ଦୁ ସଂସ୍କୃତ ଶିକ୍ଷା ଲାଭ

ମୁସଲମାନର ଆରବୀ

ପାରସୀମାନେ ପାରସୀୟ

ଭାଷା ଶିଖିବା ବାଞ୍ଛନୀୟ

ସମସ୍ତେ ଏକ ସଙ୍ଗେ ଆଣି

ଶିକ୍ଷା କରିବେ ହିନ୍ଦୁସ୍ଥାନୀ

ପୁଣି କେତେକ ହିନ୍ଦୁ ବସି

ଶିଖିବେ ଆରବୀ ପାରସୀ

ମୁସଲମାନଟି ତେମନ୍ତ

ସଂସ୍କୃତ କରିବେ ଆୟତ୍ତ

ଏମନ୍ତ ଉଭୟେ ଉଭୟ

ପାଇବେ ଆତ୍ମ ପରିଚୟ

ଉତ୍ତର ପଶ୍ଚିମ ଭାରତେ

ସେଠାରେ ପୁଣି ଜଣ କେତେ

ଶିଖିବେ ତେଲଗୁ ତାମିଲ

ଦକ୍ଷିଣ ସଙ୍ଗେ ମିଶି ମିଳି

ଏମନ୍ତ ପରସ୍ପର ଠାରେ

ସଂପର୍କ ଯଦି ରହିପାରେ

ସମଗ୍ର ଦେଶର ମଙ୍ଗଳ

ଅବଶ୍ୟ ହେବ ଶୁଭ ଫଳ

ସାରା ଭାରତେ ମୁଖ୍ୟ ଭାକା

ହୋଇବ ହିନ୍ଦୁସ୍ଥାନୀ ଏକା

ଉର୍ଦ୍ଦୁ ନାଗରୀ ଲିପି ଦୁଇ

ରହିବ ସେ ଭାଷାର ହୋଇ

ଯାହାର ଯେଉଁଥିରେ ଖୁସି

ସେ ଲିପି ଲେଖିବେ ସେ ବସି

ଭାରତ ଯେତେ ଲୋକ ଦେଖ

ଏ ଦୁଇ ଶିଖିବେ ପ୍ରତ୍ୟେକ

ହିନ୍ଦୁ ମୁସଲମାନ ଦୁହେଁ

ଏହାକୁ ଶିଖିବେ ଉଭୟେ

ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ

ଚିର ଦିନକୁ ହେବ ବଦ୍ଧ

ଏଣୁ ଇଂରାଜୀ ବ୍ୟବହାର

ଅଚିରେ ହୋଇଯିବ ଦୂର

ଏ ଶିକ୍ଷା ସଭ୍ୟତାର ଦାସ

ଆମ୍ଭେଟି ଯେତକ ମନୁଷ୍ୟ

ବିଶେଷେ କରିବେଟି ଏହା

ସେ ଯେଣୁ ଅଟନ୍ତି ଦୁରେହା

ଶିକ୍ଷିତେ ହୋଇବାରୁ ଦାସ

ଦାସ ହୋଇଲେ ଏହି ଦେଶ

ସେ ପୁଣି ହୋଇଲେ ମୁକତ

ମୁକ୍ତ ହୋଇବ ଭୂଭାରତ

 

ପାଠକ ଉବାଚ

ଧରମ ନୀତି ଶିକ୍ଷା ଆଦି

ତୁମ୍ଭେ କହିଲ ଯେଉଁ ବିଧି

ତେଡ଼େ ସହଜ କଥା ସେହି

ବୋଲିତ ମୋତେ ଦିଶୁନାହିଁ

 

ଗାନ୍ଧି ଉବାଚ

ସହଜ ହେଉ ବା କଠିନ

ତା ବିନୁ ଗତି ନାହିଁ ଆନ

ଭାରତ କଦାପି ନାସ୍ତିକ

ନୋହିବ ସୃଷ୍ଟି ଥିବା ଯାକ

ଆମ୍ଭର ଏହି ଜନ୍ମଭୂଇଁ

ନଥିଲା ଏହି ଭାବ ଛୁଇଁ

ନାସ୍ତିକ ଭାବ ଏ ଭୂଇଁରେ

ଉଧେଇ ନ ପାରିବ ତିଳେ

ତଥାପି ଏହି ଧର୍ମ ଶିକ୍ଷା

ଅଟଇ କଠିନ ପରୀକ୍ଷା

ସେ କଥା କରିଲେ ବିଚାର

ଘୂରି ଯାଉଛି ମୋର ଶିର

ଧର୍ମଯାଜକ ଧର୍ମାଚାର୍ଯ୍ୟ

ଏ ଦେଶେ ଯେତେ ଛନ୍ତି ଆଜ

ପଣ୍ଡିତ ପଣ୍ଡା ପଢ଼ିହାରୀ

ମୁଲା ମୌଲବୀ ଆଦି କରି

ଧର୍ମ ଶିକ୍ଷାର କଞ୍ଚି କାଠି

ତାଙ୍କରି ନିକଟେ ଏକାଠି

ସେ ହେଲେ ଭଣ୍ଡ ସ୍ୱାର୍ଥପର

ତେଣୁ ଏ କଠିଣ ବ୍ୟାପାର

ସେ ଏବେ ନ ପାରିଣ ବୁଝି

ଧର୍ମ ମାର୍ଗରୁ ଗଲେ ଘୁଞ୍ଚି

ଯେଉଁ ଅଧର୍ମ ନାସ୍ତିକତା

ଏ ଦେଶେ ଟେକିଲାଣି ମଥା

ନ କରି ତା’ର ପ୍ରତିକାର

ହୋଇଲେ ସହାୟକ ତାର

ସକଳ ଜନ ଘୃଣା ପାତ୍ର

ହୋଇବେ ସେ ତେଣୁ ସର୍ବତ୍ର

ଧର୍ମର ତହିଁ ନାହିଁ ଦୋଷ

ଏ କଥା ବୁଝୁଛୁ ଅବଶ୍ୟ

ତେଣୁ ଏ ଧର୍ମାଧୀଶ ଯେତେ

ରହିଲେ ଅନ୍ଧ ଏହି ମତେ

ଆମ୍ଭେ ଶିକ୍ଷିତ ଯେତେ ଜଣ

ସେ କାର୍ଯ୍ୟ କରିବା ଗ୍ରହଣ

ଆମ୍ଭେ ଯେତେକ ନର-ନାରୀ

ଇଂରେଜ ଶିକ୍ଷା ଲାଭ କରି

ତହିଁରୁ ଯାହା ବା ଉତ୍ସାହ

ଶକତି କରୁଛୁ ସଂଗ୍ରହ

ଖଟାଇ ଶକ୍ତି ଅନୁସାରେ

ଲାଗିବା ଧର୍ମର ପ୍ରଚାରେ

ଏପାଇଁ ଦୃଢ଼ ହେଲେ ମନ

କିଞ୍ଚିତେ ନୋହିବ କଠିନ

ଭାରତ ଯେହ୍ନେ ମହୋଦଧି

ଅଟଇ ପ୍ରକାଣ୍ଡ ଜଳଧି

କେବଳ ତାର ବେଳା ଭୂମି

ରହିଛି ଆବର୍ଜନା ଜମି

ପାଶ୍ଚାତ୍ୟ ଶିକ୍ଷାର ଗଲିଜି

ଦୁର୍ଗନ୍ଧ ଭରି ରହିଅଛି

ସଭ୍ୟ ବୋଲାନ୍ତି ଯେତେ ଲୋକ

ସେ ଏହି ନର୍ଦମାର ପୋକ

ଆମେ ଯେତକ ସଭ୍ୟ ପ୍ରାଣୀ

ତହିଁରେ ଘାଣ୍ଟି ହେଉ ଜାଣି

ତେଣୁଟି ଉଚିତ ସଂସ୍କାର

ହୋଇବା ଆମ୍ଭେ ପରିଷ୍କାର

ଆମ୍ଭରି ପାଇଁ ନୀତି ଧର୍ମ

ଅଟଇ ସିନା ପ୍ରୟୋଜନ

ଆମ୍ଭ ବ୍ୟତୀତ ଆଉ ଯେତେ

ଅସଂଖ୍ୟ ଲୋକ ଏ ଭାରତେ

ଚାଷୀ ମୂଲିଆ ମଳି ମୁଣ୍ଡ

ଯାହାର ଫିଟେ ନାହିଁ ତୁଣ୍ଡ

ଲକ୍ଷ ସହସ୍ର ନରନାରୀ

ସଭ୍ୟତା ଯାଙ୍କୁ ନାହିଁ ଘାରି

ଧରମ ଶିକ୍ଷା ତାଙ୍କ ପାଇଁ

ତିଳେତ ଆବଶ୍ୟକ ନାହିଁ

ସେ କେବେ ଧରମକୁ ଛାଡ଼ି

ନାହାନ୍ତି ପଦେ ପାଦ କାଢ଼ି

ଆମେଇ ହୋଇଛୁ ମଡ଼ଛି

ଆପଣା ସଭ୍ୟତାକୁ ଲଚ୍ଛି

ପାଶ୍ଚାତ୍ୟ ସଭ୍ୟତାର ମୋହେ

ମନ୍ତେ ଯେହୁ ଘାଣ୍ଟି ହୁଏ

ସେ ଯେତେ ଭାରତର ସୁତ

ଉଚିତ ହେବା ଶୁଚିପୂତ

ଆମ୍ଭେ ଏ ଶିକ୍ଷିତ ସମାଜ

ଧର୍ମରେ ମତି ଦେଲେ ଆଜ

କଦାପି ଧର୍ମ ଶିକ୍ଷା ଦାନ

ନୋହିବ ତିଳେହେଁ କଠିନ

ଏ ଯେତେ ଭଣ୍ଡ ଧର୍ମଗୁରୁ

ତାହାଙ୍କୁ କେତେକେ ପଚାରୁ

ପୁଣି ତାହାଙ୍କ ଦୋଷ ପାଇଁ

ଧର୍ମକୁ ନିନ୍ଦାବାଦ ନାହିଁ

ତେଣୁ ଏ କଥା ମନେ ରଖ

ଇଚ୍ଛିଲେ ଭାରତର ଟେକ

ଯଦି ଏ ଭାରତକୁ ପୁଣି

ସ୍ୱସ୍ଥାନେ ବସାଇବ ଆଣି

ତାହାର ଗୌରବ ଆସନେ

ଥାପିବା ଇଚ୍ଛା ଥିଲେ ମନେ

ଆମେ ଯେତେକ ସଭ୍ୟ ବାବୁ

ଫେରିବା ନିଜ ସ୍ଥାନେ ସବୁ

ଆମେ ଶିକ୍ଷିତ ଜଣେ ଜଣେ

ଦୃଢ଼ ରହିଲେ ନିଜ ସ୍ଥାନେ

ଧର୍ମରେ ମନ କଲେ ନିଷ୍ଠା

ରହିବ ଭାରତ ପ୍ରତିଷ୍ଠା

ଭାରତ ତାର ସିଂହାସନ

ପାଇବା ନୋହିବ କଠିନ

ବାକି ଅସଂଖ୍ୟ ନାରୀନର

ଆପଣା ସ୍ଥାନେ ଛନ୍ତି ଦୃଢ଼ି

ଆମ୍ଭେ ଶିକ୍ଷିତ ତାଙ୍କ ପାଶେ

ଆସିବା ଆପଣା ସକାଶେ

ତାହାଙ୍କ ପାଶେ ଯିବା ଫେରି

ଏମନ୍ତେ ପ୍ରାୟଶ୍ଚିତ କରି

ତେବେଟି ପୁଣି ଏ ଭାରତ

ହୋଇବ ବିଳାସ ଉନ୍ନତ

ତାର ସଭ୍ୟତା ଧୀରେ ଧୀରେ

ଚାଲିବ ଉନ୍ନତି ପଥରେ

କେବେ ବା ଆମ୍ଭ ଭ୍ରମ ଯୋଗେ

ଖସିଲେ ଅବନତି ମାର୍ଗେ

ପୁଣି ଉନ୍ନତି ହେବ ତାର

ଏକଥା ଲାଗିଛି ସଂସାର

ଉନ୍ନତି ଅବନତି ଦୁଇ

ପ୍ରକୃତି ବଶେ ଥାଏ ହୋଇ

ଅବନତିର ଯେଉଁ ଅନ୍ଧାର

ଖଳେ ସେ ହୁଏ ପରିଷ୍କାର

ତହିଁକି ତିଳେ ନୁହଁ ଭୀତ

ଅନ୍ତିମେ ଜୟ ସୁନିଶ୍ଚିତ

ଲକ୍ଷ୍ୟ ଯାହାର ଥିବ ସ୍ଥିର

ଭୟ ଆଶଙ୍କା ନାହିଁ ତା’ର

ତେଣୁଟି ଆମ୍ଭର କେବଳ

ଲୋଡ଼ା ଅଟଇ ଆତ୍ମବଳ

ଏକଇ ଚେଷ୍ଟା ଏକ କଥା

ତଡ଼ିବା ପଶ୍ଚିମ ସଭ୍ୟତା

ଯେମନ୍ତେ ଏ ଦେଶରେ କ୍ଷୀଣ

ନରହେ ତା’ର ଚିହ୍ନ ବର୍ଣ୍ଣ

ତେଣିକି ନିଜ ଛାଏଁ ନିଜେ

କରିବ ସଫଳତା ବିଜେ

କେବଳ ଏହି ମାର୍ଗ ଭଜ

ସବୁ ଅସଜ ହେବ ସଜ

ଊନ୍ନବିଂଶ ଅଧ୍ୟାୟ

କଳକାରଖାନା

ପାଠକ ଉବାଚ

ତୁମ୍ଭେ ପଶ୍ଚିମ ସଭ୍ୟତାର

ନିନ୍ଦାତ କଲ ବାରମ୍ବାର

ସେ ସଭ୍ୟତାର ମୂଳପୋଛ

କରିବା ପାଇଁ କହୁଅଛ

ମାତ୍ର ଏହାର ଅବୟବ

ଅଟଇ ଏ ଯନ୍ତ୍ର ଦାନବ

ତେଣୁକି କଳ କାରଖାନା

ସକଳ କରିଦେବ ମନା

ନାହିଁକି ତା’ର ପ୍ରୟୋଜନ

ବୁଝାଇ କହ ହୋ ବହନ

 

ଗାନ୍ଧି ଉବାଚ

ଏ କଳ କାରଖାନା ଘେନି

ତୁମ୍ଭେ ଯେ କହିଲ ଏକ୍ଷଣି

କଟା ଘାଆରେ ଦେଲେ ଚୂନ

ଦୁଃଖେ ମୋ ଘାରୁଅଛି ମନ

ରମେଶ ଦତ୍ତ ମହାଶୟ

ଲେଖି ଅଛନ୍ତି ଏ ବିଷୟ

ଭାରତ ଅର୍ଥ ଇତିହାସ

ନାମେ ସେ ପୁସ୍ତକ ପ୍ରକାଶ

ଏକଳ କାରଖାନା ଗୁଣ

ଲେଖା ହୋଇଛି ବିସ୍ତାରେଣ

ଏ କାରଖାନା ଶୋଷଣରେ

ଅସ୍ଥିର ଭାରତର ନରେ

ସେ ବିବରଣୀ ପାଠକରି

ଆଖିରେ ଲୁହ ଯାଏ ଭରି

ଏବେ ତା ପଡ଼ିଗଲେ ମନେ

ଲାଗଇ ବଡ଼ କଷ୍ଟ ପ୍ରାଣେ

ଏ ଯେତେ କଳ କାରଖାନା

ମାଡ଼ଇ ଯେହ୍ନେ ମାଡ଼େ ବନ୍ୟା

ସେ ବନ୍ୟା ଜଳ ମାଡ଼ି ଆସି

ସର୍ବ ସମ୍ପଦ ଗଲା ଭାସି

ଫାଟିଲା ଭାରତ କପାଳ

ଏ କଳ ତାର ହେଲା କାଳ

ବିଲାତ ଦେଶେ ମାଞ୍ଚେଷ୍ଟର

ନାମକେ ରହିଛି ସହର

କପଡ଼ା ବୁଣିବାର ପାଇଁ

ବହୁତ କଳ ତହିଁ ଥାଇ

ଏ ମାଞ୍ଚେଷ୍ଟର ଯେ ବସତି

ଆମ୍ଭର ଯେତେ କରେ କ୍ଷତି

ତାହାର ନାହିଁତ ଇୟତ୍ତା

କେତେ କହିବି ସେହି କଥା

ଆମ ଦେଶରେ କାରିଗରୀ

ଆଜି ସେ ଲୋପ ହେଲାପରି

ସବୁ ଏ ମାଞ୍ଚେଷ୍ଟର କୃତି

ଏହାଟି ସତ୍ୟ ଅନୁଭୂତି

ପ୍ରକୃତ ତଥ୍ୟ ବିଚାରିଲେ

ତାର ବା କି ଦୋଷ ଏଥିରେ

ମୁଁ କଲି ଯେବଣ ପ୍ରମାଦ

ଅନ୍ୟର କିମ୍ପା ଅପରାଧ

ମାଞ୍ଚେଷ୍ଟରର ଲୁଗା ସରୁ

ଅତି ଆଦର ଆମ୍ଭେ କରୁଁ

ସେ ତାହା କରିଣ ତିଆରି

ସାତ ସମୁଦ୍ର କରି ପାରି

ବିକଇ ଆଣି ଆମ ଦେଶେ

ଦେଖ ତା’ ସାହସ ବିଶେଷେ

ମୁଁ ଯେବେ ବଙ୍ଗର କାହାଣୀ

ପ୍ରଥମେ ପଢ଼ିଥଲି ଆଣି

ଶୁଣି ତାହାର ବାହାଦୂରୀ

ଆନନ୍ଦ ହୋଇଥିଲା ଭୁରି

ବଙ୍ଗ ଦେଶରେ ଲୁଗା କଳ

ପ୍ରଥମେ ନଥିଲା ପ୍ରଚଳ

ତେଣୁ ସେ ଦେଶେ ହସ୍ତ କର୍ମ

ପାଇଲା ନୂତନ ଜୀବନ

ଛାଡ଼ି ବିଦେଶୀ ସରୁ ଯଥା

ପିନ୍ଧିଲେ ମୋଟା ହାତ କଟା

ଏମନ୍ତେ ଇଂରାଜୀ ପ୍ରକୋପ

ଯେ ଧନ୍ଦା କରିଥିଲେ ଲୋପ

ପୁନରୁଦ୍ଧାର ହେଲା ତାର

ଜନ୍ମିଲେ ନୂଆ କାରିଗର

ନୂଆ କଟାଳୀ ନୂଆ ତନ୍ତୀ

ବଙ୍ଗରେ ହୋଇଲା ବଢ଼ିନ୍ତି

ସେକାଳେ ଲୁଗାକଳ କେତେ

ଥିଲା ବମ୍ବାଇ ଅନ୍ତର୍ଗତେ

ଏ ବଙ୍ଗବାସୀ ନର-ନାରୀ

ବିଦେଶୀ ବହିଷ୍କାର କରି

କିଣି ବମ୍ବାଇ କଳ ଲୁଗା

ବଜାରେ ତାକୁ ଦେଲେ ଜାଗା

କଳର ଦେହେ ଯେତେ ଗୁଣ

ତାହାର ଯେତେ ବଦ ଗୁଣ

ବଙ୍ଗବାସୀଏ ବୁଝିଥିଲେ

କରି ନଥାନ୍ତେ ଏହା ତିଳେ

ସେ ଯେବେ ତାହା ବୁଝି ପାରି

ଯାବତ କାଳ ଖଦୀ ଶାଢ଼ୀ

କରି ଥାଆନ୍ତେ ବହିଷ୍କାର

ଦିଶନ୍ତା କେମନ୍ତେ ବାହାର

ଏ କଳ କାରଖାନା ବଢ଼ି

ୟୁରୋପ ଯାଉଛି ଉଜୁଡ଼ି

ତାହାର ହାଉଆ ବତାସେ

ଆମ ଦେଶକୁ ବହି ଆସେ

ଏହାଟି ସଭ୍ୟତା ନିର୍ବାଣ

ପାଠକେ ଭଲ ରୂପେ ଜାଣ

ଏ ଘୋର ପାପ ରୂପୀ କାଳ

ମୋତେ ତ ଦିଶେ ଜଳ ଜଳ

ବମ୍ବାଇ କଳରେ ଯେ କୁଲି

ଖଟନ୍ତି ଜୀବନକୁ ଭୁଲି

ସଭିଏଁ ହେଲେଣି ଗୋଲାମ

ଏହାକୁ ମନୁଷ୍ୟର ନାମ

ମାଲିକ ତାର ଇଚ୍ଛା ମତେ

ଖଟାଏ ଯେତେ ପାରେ ସେତେ

କରଇ ମନ ଇଚ୍ଛା ଲାଭ

ସେ ଦେଶେ କୁଲିଙ୍କ ଅଭାବ

ହୁଅନ୍ତି ସେ ଯେତେ ଅବସ୍ଥା

କେ କହେ ତୁଣ୍ଡ ଖୋଲି କଥା

ତହିଁ ଖଟନ୍ତି ଯତେ ନାରୀ

ଦେଖିଲେ ନୁହେ ଦେହ ଧରି

ତାହାଙ୍କ ଦୁର୍ଦ୍ଦଶା କାହାଣୀ

କେହି ତ ନ ପାରିବ ବର୍ଣ୍ଣି

ଯେତେ ଏ ଦେଶେ କଳମାନ

ପାଇ ନଥିଲା ଠୂଳେ ସ୍ଥାନ

ତେବେ ବି ଉପାସରେ ସଢ଼ି

ସଭିଏ ଯାଉଥିଲେ ମରି

ଏବେ ହୋ ଆସି ଅଛି ଝଡ଼

ବସୁଛି କଳ ବଡ଼ ବଡ଼

ବଢ଼ିଲେ ଏହାର ଗରିମା

ଦୁଃଖର ନ ରହିବ ସୀମା

ଏ କଳ କାରଖାନା କୋଠା

ଏ ଯେହ୍ନେ ବ୍ୟାଧି ଓଲାଉଠା

ଭାରତ ମଧ୍ୟରେ ସ୍ଥାପନ

ନ କର ଏହା କଦାଚନ

ମାଞ୍ଚେଷ୍ଟରର ଯେ କପଡ଼ା

ହେଲେହେଁ ଯେତେ ପଚାସଢା

ବିଲାତି ଖଦୀ ବା ଚାଦର

କିଣିବା ପଛେ ଶ୍ରେୟସ୍କର

ମାତ୍ର ଏ ଦେଶ ଥାପି କଳ

ନ କିଣି ଅଶେଷ ଜଞ୍ଜାଳ

ବିଦେଶୀ ଲୁଗା ହେଲେ କିଣା

ଅଯଥା ଅପବ୍ୟୟ ସିନା

ସେ ଅର୍ଥ ନ ପାରଇ ରହି

ସେ ଯାଏ ବିଦେଶକୁ ବହି

ତେଣୁ ସେ ନୋହିଲେ ହେ ଭଲ

ତହୁଁ ଖରାପ ଦେଶୀ କଳ

ଯେତେ ଏ କଳ ଶତେ ଶତେ

ବସି ଚାଲିବ ଭୂଭାରତେ

ଭାରତ ହେବ ମାଞ୍ଚେଷ୍ଟର

ଲୁଗା ତ ହୋଇବ ବିସ୍ତର

ସେ ଲୁଗା କିଣିବାର ଫଳେ

ପଇସା ରହିବ ଦେଶରେ

କିନ୍ତୁ ତା ସଙ୍ଗେ ଏହା ସତ୍ୟ

ଚୋଷି ସେ ପିଇବ ରକତ

ଏ ଯେତେ କଳ କାରଖାନା

ସାକ୍ଷାତେ ଅସୁରୀ ପୁତନା

ଦରିଦ୍ର ଜୀବର ଜୀବନ

ଚୋଷି ସେ ନେବ ଅକାରଣ

ଚରିତ୍ର ବଳ ହେବ ନଷ୍ଟ

ଏହାଟି ଦିଶୁଅଛି ସ୍ପଷ୍ଟ

ଏଥିରେ ସନ୍ଦେହଟି କଲେ

କଳ କୁଲିଙ୍କୁ ପୁଛ ଭଲେ

ଯେହୁ ବା କଳକାରଖାନା

ବସାଇ ଅର୍ଥ କରେ ଜମା

ହେଲେ ସେ ଧନୀ ବଡ଼ଲୋକ

ଦେଶର କିହୋ ଯିବ ଦୁଃଖ

ଯେତେ ଏ ବଡ଼ ଲୋକ ଶ୍ରେଣୀ

ନାନା ପ୍ରକାର ଲୋକ ଘେନି

ସକଳ ଅଟନ୍ତି ସମାନ

ସକଳେ ନିଷ୍ଠୁର ପାଷାଣ

ଯେମନ୍ତେ ଉପାୟରେ ଧନ

ଯେ ଯେତେ କରୁ ଉପାର୍ଜନ

ଭଲ ସେ କଦାପି ନୁହନ୍ତି

କଳ ମାଲିକ ସେହି-ମନ୍ତି

ଯେ ହେବ କଳର ମାଲିକ

ସେ କାହୁଁ ହେବ ଭଲ ଲୋକ

ରାକ୍‌ଫେଲର ନାମେ ବ୍ୟକ୍ତି

ଆମେରିକାର କୋଟିପତି

ଭାରତେ ଜନମିଲେ ସେହି

ଅଧିକ ଭଲ ହେବ ନାହିଁ

ଦେଖ ଏ ଭାରତ ଧରିତ୍ରୀ

ଦରିଦ୍ର ହେଲେ ନାହିଁ କ୍ଷତି

ତଥାପି ଏ ଭାରତ ସ୍ୱାଧୀନ

ନିଶ୍ଚୟ ଆସିବ ସେ ଦିନ

କିନ୍ତୁ ଚରିତ୍ର ବଳ ହାରି

ଭାରତ ହେଲେ ଧନଶାଳୀ

ସେ ପୁଣି ହୋଇବ ସ୍ୱାଧୀନ

ତା ତହୁଁ କଠିନୁ କଠିନ

ଶୁଣ ମୁଁ ଯାଏ ଯାହା ଭଣି

ଦେଶରେ ଛନ୍ତି ଯେତେ ଧନୀ

ତାଙ୍କରି ଯୋଗେଟି କେବଳ

ଚାଲେ ଇଂରାଜୀ ରାଜ୍ୟ କଳ

ତାଙ୍କର ସ୍ୱାର୍ଥ ଆତ୍ମହିତ

ଇଂରାଜୀ ରାଜ୍ୟରେ ନିହତ

ତେଣୁ ଇଂରାଜୀ ରାଜଛତି

ଧନୀଏ ଟେକି ଧରିଛନ୍ତି

ଭାରତେ ଇଂରାଜୀ ଶାସନ

ରହିଣ ଥିବ ଯେତେ କ୍ଷଣ

ଧନୀଙ୍କ ସରବ ସମ୍ପଦ

ଥିବଟି ରହି ନିରାପଦ

ଅର୍ଥଟି ଅନର୍ଥର ମୂଳ

ଅର୍ଥ ଯେଠାରେ ଏକା ଠୂଳ

ଏ ଅର୍ଥ ମହାକାଳ ସମ

ପୃଥିବୀ ପ୍ରଳୟକୁ କ୍ଷମ

ଯା ମୁହେଁ ଲାଗିଥାଏ ଟଙ୍କା

ସେ ସିନା ଟଙ୍କାପାଇଁ ରଙ୍କା

ତା ତହୁଁ ନାହିଁ କେ କୃପଣ

ତେଣୁ ତାହାର ହୀନପଣ

ସମ୍ପଦ ସହିତରେ ବସେ

ବିଳାସ ବାସନା ମାନସେ

କାମିନୀ କାଞ୍ଚନ ଉଭୟ

ଅଟନ୍ତି ହଳାହଳମୟ

ଗରଳୁଁ ଅଧିକ ବିଷାନ

ଅଟନ୍ତି କାମିନୀ କାଞ୍ଚନ

ସର୍ପ ଦଂଶିଲେ ଦେହ ନାଶ

ଏ ଦୁଇ ସର୍ବ କରେ ଗ୍ରାସ

ଦେହ ଜୀବନ ଆତ୍ମା ମନ

ସକଳ କରଇ ଦହନ

ତଥାପି ଝଡ଼େ ନାହିଁ ବିଷ

ପୁଣି ରହଇ ଅବଶେଷ

ତେଣୁ ଏ କଳ କାରଖାନା

ଉଡ଼ାଏ ପାପ ଜୟବାନା

ବଢ଼ିଏ କଳ ମାଳେ ମାଳେ

ପାପର ମାତ୍ରା ବଢ଼ିଚାଲେ

ତେଣୁ ଏ ପ୍ରସାର କଳର

ଫଳ ନୁହଇଁ ସୁଖକର

ଏଥିରେ ହୋଇବା ଆନନ୍ଦ

ମୋତେ ଲାଗୁଛି ଅପସନ୍ଦ

 

ପାଠକ ଉବାଚ

ତୁମ୍ଭେ କି କହୁଅଛ ତେବେ

ଲୋକେ ତ ବନ୍ଦ କରି ଦେବେ

କଳ କବଜା ନ ରହିବ

ଏହାକି ସମ୍ଭବ ହୋଇବ

 

ଗାନ୍ଧି ଉବାଚ

ପାଠକ ଯୁକତି ଯୁକତ

କହିଲ ତୁଲେ ଏହି ତଥ୍ୟ

ଯେ ବୃକ୍ଷ ଚେର ଯାଏ ମାଡ଼ି

ସହଜେ ନ ହୁଏ ଉପାଡ଼ି

ତେମନ୍ତ ଏହି କଳ ମାନ

ଜମାଇ ବସିଲେ ଆସ୍ଥାନ

ପୁଣି କରିବା ତାକୁ ବନ୍ଦ

ନ ହେବ ସହଜ ସ୍ୱଚ୍ଛନ୍ଦ

ତେଣୁ ଏ ବିଷମୟ ବସ୍ତୁ

ନ ହେଉ ତାର ସିଦ୍ଧ ବସ୍ତୁ

ଏ ଯେତେ କଳ କାରଖାନା

ମୂଳରୁ ନ କର ସ୍ଥାପନା

ଯଦି ବା କଳ ଅଛି କା’ର

ନକର ତାକୁ ତିରସ୍କାର

ତାହାଙ୍କୁ ନ ହୋଇ ନିର୍ମାୟା

କରିବ ତାଙ୍କ ପ୍ରତି ଦୟା

ସମସ୍ତ କଳକୁ ସେ କେବେ

ଉଠାଇ ଦେଇ ନ ପାରିବେ

ଏକାଥରକେ ଯେତେ କଳ

ତାଙ୍କର ଯେ ଅବା ସମ୍ବଳ

ତେଜି କି ଦେବେ ସେ ସରବ

ଏକଥା ଅଟେ ଅସମ୍ଭବ

କିନ୍ତୁଟି ଆଉ ନୂଆ କଳ

ଖୋଲବା ହେବ ଅମଙ୍ଗଳ

ଏକଥା ତାଙ୍କ ପାଶେ ଯାଇ

କହିବା ସକଳେ ବୁଝାଇ

କରିବା ତାହାଙ୍କୁ ପ୍ରାର୍ଥନା

ନ ଖୋଲ ନୂଆ କାରଖାନା

ସେ ଯେବେ ଆମ୍ଭ କଥା ଶୁଣି

ନଖୋଲି କଳ ନୂଆ ପୁଣି

ଯେତିକି ଅଛି ତହିଁ ତୋଷ

ହେବଟି ସେ ଭଲ ମନୁଷ୍ୟ

ଯେବେ ଏ କଳର ମାଲିକ

ଏମନ୍ତେ ହେବ ଭଲ ଲୋକ

ତାଙ୍କର କଳ ବ୍ୟବସାୟ

କ୍ରମେ ସେ କରିଦେବେ କ୍ଷୟ

ସେ ପୁଣି ଯାଇ ଘରଘର

କରବେ ଚରଖା ପ୍ରଚାର

ସେ ପୁଣି କରିବେ ଏମନ୍ତ

ତନ୍ତୀ ହାତରେ ଦେବେ ତନ୍ତ

ତହୁଁ ଯେତକ ଆମଦାନୀ

ସେ ସବୁ ନିଜେ କିଣି ଆଣି

ଯେତେ ସ୍ୱଦେଶୀ ମାଲମତା

ବିକ୍ରିର କରିବେ ବ୍ୟବସ୍ଥା

କରିବେ କାଟତି ଉପାୟ

ଚାଲିବ ତାଙ୍କ ବ୍ୟବସାୟ

କଳ ମାଲିକ କଳ ଛାଡ଼ି

ହୋଇଲେ ଏମନ୍ତ ବେପାରୀ

ତାଙ୍କ ପକ୍ଷରେ କଷ୍ଟ କିଛି

ନୁହେଁ ଏ ଭଲେ ମୁଁ ଜାଣିଛି

କଳମାଲିକ ଲୋକ ଯେବେ

ଏ ଦେଶେ ସେବା ନକରିବେ

ଲୋକଟି ତେବେ ଇଚ୍ଛା କରି

ବରଜି କଳର ତିଆରି

ଛାଡ଼ିଲେ ସବୁ କଳ ଚିଜ

ଏ କାର୍ଯ୍ୟ ହୋଇବ ସହଜ

ଆଉଟି ନରହିବ କଳ

ଘୁଞ୍ଚିବ ସର୍ବ ଅମଙ୍ଗଳ

 

ପାଠକ ଉବାଚ

ଏ ଗଲା କଳଲୁଗା କଥା

ଅନ୍ୟ ବସ୍ତୁର କି ବ୍ୟବସ୍ଥା

ଆହୁରି ନାନା ପରକାର

ଦରବ କଳରୁ ବାହାର

ସେସବୁ ବଡ଼ ଦରକାରୀ

ବର୍ଜନ ନ ହେବ ତା କରି

ହୁଏତ ଆଣିବା ବିଦେଶୁଁ

ଆପଣା ଅକ୍ଷମତା ବଶୁ

ଅଥବା କରିବା ତିଆରି

କଳ ସ୍ଥାପନା ଦେଶେ କରି

ଅନ୍ୟଥା ସେହିସବୁ ଦ୍ରବ୍ୟ

ମିଳିବା ହେବ ଅସମ୍ଭବ

 

ଗାନ୍ଧି ଉବାଚ

ତୁମ୍ଭେ ଯା ବୋଲୁଅଛ ସତ

ଏମନ୍ତ ଅନେକ ପଦାର୍ଥ

କାଚ କଲମ ଦଆସିଲି

ଚୁଲିକି ପଛେ ଗଲା ଚାଲି

ଆମ ଠାକୁର ଦିଅଁ ଦେବେ

ଜରମାନୀରୁ ଗଢ଼ାହେବେ

ଆଉ ଚିଜର ଛାଡ଼ କଥା

ଠାକୁରଙ୍କର ଏ ଅବସ୍ଥା

ଏ ସବୁ ନ ହେଲେ ନଚଳେ

ତୁମ୍ଭେ ତ କହିଅଛ ଭଲେ

ଏବେ ହୋ ତୁମ୍ଭେ କହ ଫେଇ

ଏ ସବୁ ଯେବେ ଥିଲା ନାହିଁ

କଳ ପ୍ରସ୍ତୁତ ଯେ ଜିନିଷ

ଦେଖି ନଥିଲୁ ଯେବେ କିସ

କଳ ପାନିଆ ଦରପଣ

କଳ ଖେଳଣା ପଣ ପଣ

କଳର ଛୁଞ୍ଚି କଳ ସୂତା

କଳ ଚାମୁଚ କଳ ଫିତା

କଳ ଫାନସୁ କଳବାତୀ

ଏମନ୍ତେ ଦ୍ରବ୍ୟ ନାନା ଜାତି

ନଥିଲା ଯେବେ ଏ ଭାରତେ

ଚଳୁ ସେ ଥିଲା କେଉଁ ମନ୍ତେ

ଏ ସବୁ ସାମଗ୍ରୀର ବିନେ

ଚଳିତ ଯାଉଁଥିଲୁ ଦିନେ

ଆଜି ଚଳିବା ସେ ପ୍ରକାର

ଅସଜ ନୋହିବ କାହାର

ଯେ ଆଲପିନ କଣ୍ଟା ମୁନେ

କାଗଜ ଗୁନ୍ଥୁଛ ଯତନେ

ସେ କଣ୍ଟା ଯେତେ ଦିନଯାଏ

ହାତରେ ତିଆରି ନଥାଏ

ସେତିକି ଦିନ ପରିଯନ୍ତେ

କାର୍ଯ୍ୟ ଚଳିବ ପୂର୍ବେ ମନ୍ତେ

ଝାଡ଼ ଫାନସୁ ଆଦକରି

ବିଦେଶୀ ବାତୀ ମନୋହାରୀ

ସେ ସବୁ କରି ଦେବା ଦୂର

ନହେବ ଅସୁନ୍ଦର ପୁର

ବାଡ଼ରୁ କପା ନେବା ତୋଳି

ତହିଁରେ ବଳିତାକୁ ବଳି

ଜାଳିଣ ଦେବା ସଞ୍ଜ ବତୀ

ଆଲୁଅ କରି ଅମା ରାତି

ଅଥବା କନାର ମଶାଲ

ତେଲ ଢାଲିଣ ତାକୁ ଜାଳ

ନତୁବା ଲାଗିଲେ ଦିହୁଡ଼ି

ଆଲୁଏ ସବୁ ଯିବ ବୁଡ଼ି

ଯେମନ୍ତେ ଚଳୁଥିଲେ ଆଗେ

ଏବେ ଚଳିବା ସେହି ବାଗେ

ଏ ଦେଶୀ ଆଲୁଅ ରୋଷଣୀ

ଆଖିକୁ ନକରଇ ହାନି

ଅଯଥା ଅର୍ଥ ଅବବ୍ୟୟ

ହେବାର ଏଥେଁ ନାହିଁ ଭୟ

ଏ ଯେଣୁ ସ୍ୱଦେଶୀ ଦରବ

ରହିଛି ସ୍ୱଦେଶୀର ଭାବ

ସ୍ୱରାଜ୍ୟ ମାର୍ଗେ ଅଗ୍ରସର

କରଇ ସ୍ୱଦେଶୀ ପ୍ରଚାର

ଅବଶ୍ୟ ଏ ସବୁ ବିଧାନ

ଏ ଯେତେ ଯେତେ କଥା ମାନ

ଏକାଥରକେ ଏକକାଳେ

ନୋହିବା କରି ଏକା ଢାଳେ

ଅଥବା ଅଳ୍ପ ଲୋକ ବାକ

କଳ ତିଆରି ଦ୍ରବ୍ୟ ଯାକ

ଏକା ଥରକେ ଏକା ଭାବେ

ଛାଡ଼ି ନ ଦେବେ ଏକଠାବେ

ତଥାପି ଶୁଣ ମୋର ଗିର

ଏକଥା ମନେ କଲେ ସ୍ଥିର

ତେବେତ ଅତି ଧୀରେ ଧୀରେ

ଛାଡ଼ିବା ଏସବୁ ବିଧିରେ

ପ୍ରଥମେ ଛୋଟ ଛୋଟ ଚିଜେ

ତେଜିବା ସହଜଟି ନିଜେ

କ୍ରମେ ଛାଡ଼ିଣ ବେଶୀ ବେଶୀ

ବର୍ଜିବା ସମସ୍ତ ବିଦେଶୀ

ଆମ୍ଭ ଛାଡ଼ିଣ ଦେଖା ଦେଖି

ଅପରେ ଦେବେ ତା ଉପେକ୍ଷି

ଏଣୁ ପ୍ରଥମେ ଛାଡ଼ି ଭୟ

ଲକ୍ଷଟି କରିବ ନିଶ୍ଚୟ

ତଦନୁସାରେ ତାର କାର୍ଯ୍ୟ

ହୋଇବ ପୁଣି ଅନିବାର୍ଯ୍ୟ

ପ୍ରଥମେ ଆରମ୍ଭିଲେ ଜଣେ

ଦଶୋଟି କରବେ ତେସନେ

ଦଶରୁ ହେବ ଶହେ ଜଣ

ବଢ଼ି ଚାଲିବେ ପଣ ପଣ

ବଡ଼ ବଡ଼ିଆ ସମାଜର

ଯେମନ୍ତେ ଆଚରଣ କର

ତେମନ୍ତେ ସର୍ବ ସାଧାରଣ

ଅବଶ୍ୟ କରନ୍ତି ପାଳନ

ମହତେ ଯାହା ଆଚରିବେ

ଇତରେ ତାହାହିଁ କରିବେ

ସେ ଯାହା କରିବେ ପ୍ରମାଣ

ଲୋକେ ତା କରିବେଟି ଆନ

ସେ ତାଙ୍କ ପଛେ ପଛେ ଥିବେ

ତାଙ୍କରି ପଥେ ପ୍ରବର୍ତ୍ତିବେ

ଏ ମୋତେ ଦିଶେ ଜଳ ଜଳ

ନିର୍ମଳ ଯେହ୍ନେ ଝର ଜଳ

କାର୍ଯ୍ୟ ପୁଣି ଦିନୁ ଦିନ

ନୁହଇ ନୋହିବ କଠିନ

ଏଥିରେ ନାହିଁ ଗୋଳମାଳ

ନାହିଁଟି ଅଡ଼ୁଆ ଜଞ୍ଜାଳ

ଯେ କାର୍ଯ୍ୟ ଆସିବଟି ଆଗେ

ପରଖି ଦେଖିବ ସେ ଲାଗେ

ସେ କାର୍ଯ୍ୟ ମଣିଲେ ଉଚିତ

ନିଶ୍ଚିନ୍ତ କରି ନେବ ଚିତ୍ତ

ଆରମ୍ଭ କରିବ ତକ୍ଷଣେ

ଦ୍ୱିଧାଟି ନ ଆଣିବ ମନେ

ଏ ଯେତେ କାର୍ଯ୍ୟର ସାଧନେ

ଅପେକ୍ଷା ନ କରିବ ଅନ୍ୟେ

ଆପଣା କର୍ତ୍ତବ୍ୟ ସକାଶେ

ପରେ ଚାହିଁବା କେଉଁ ଆଶେ

ପର ହାତକୁ ଯେହୁ ଚାହେଁ

ପଛେ ସେ ଝୁରି ହେଉଥାଏ

ହାତୁଁ ସୁବିଧା ଦିଏ ଛାଡ଼ି

ତା ତହୁଁ ବଳିନାହିଁ କୋଢ଼ି

ଯେ ଏହା ବୁଝିବା ବିଚାରି

ସମୟ ଦେଉଥାଏ ଟାଳି

କର୍ତ୍ତବ୍ୟ ବୋଲି ଜାଣି ଶୁଣି

ନ କରି ରହିଥାଏ ତୁନି

ସେ ଅଟେ ଭୀରୁ ଦଣ୍ଡଲୋକ

ଏ କଥା ଜାଣ ହେ ପ୍ରତ୍ୟକ୍ଷ

 

ପାଠକ ଉବାଚ

ଦେଖଛ ବିଜୁଳିର ବତୀ

କେଡ଼େ ତାହାର କରାମତି

ରାତିକୁ କରଇ ଦିବସ

ଟ୍ରାମକୁ ଟାଣେ କି ସାହସ

ସେ ସଂବନ୍ଧରେ ତୁମ୍ଭ ମତ

କିଞ୍ଚିତେ କହିବ ହୋ ତଥ୍ୟ

 

ଗାନ୍ଧି ଉବାଚ

ଏବେ ହୋ ଯେ କଥା ପଚାର

ଥିଲା ପୂର୍ବରୁ ପୁଚ୍ଛିବାର

ମୁଁ ଯେତେ କହୁଛି ବୁଝାଇ

ଅଧିକ କହିବାର ନାହିଁ

ତହିଁରେ ତୁମ୍ଭର ଉତ୍ତର

କହିଛି ମୁହିଁ ଥର ଥର

ତେଣୁ ଏ ପ୍ରଶ୍ନ ସାର ଶୂନ୍ୟ

ପୁଣ ମୁଁ କହିବଇଁ ଶୁଣ

ରେଲ ଯେମନ୍ତ କରେ କ୍ଷତି

ଟ୍ରାମରେ ତେମନ୍ତ ଦୁର୍ଗତି

ଏ ଯେତେ କଳ କାରଖାନା

କି ଅବା କରିବି ବର୍ଣ୍ଣନା

ଏ ଯେହ୍ନେ ଅଟେ ସାପ ଗାତ

ଏଥିରେ ନ ଦେବଟି ହାତ

ଏକଇ ବିଳେ ଶତ ଶତ

ନିବାସ କରୁଥାନ୍ତି ସେତ

ଏକଇ ପରକୁ ଆରେକ

ଥାଆନ୍ତି ଅସଂଖ୍ୟ ଅସଂଖ୍ୟ

ତେମନ୍ତେ କଳ ପାଶେ କଳ

ଲାଗି ଥାଆନ୍ତି ଅବିକଳ

ଯେଉଁଠି କଳ କାରଖାନା

ସେଇଠି ସହର ସ୍ଥାପନା

ତାହାରି ପାଶେ ରେଳଗାଡ଼ି

ଟ୍ରାମ ମଟର ଧାଡ଼ି ଧାଡ଼ି

ତା ପାଶେ ବିଜୁଳିର ବତୀ

ସମାନେ କିବା ଦିବା ରାତି

ଯେ କରେ ସହରରେ ବାସ

ସେ ହୁଏ ଏ ସବୁରି ଦାସ

ଯେତକ ଏ କଳ କବଜା

ଗାଆଁରେ ନ ଥାଏଟି ଖଞ୍ଜା

ଇଂଲଣ୍ଡ ପରା ଦେଶ ଦେଖ

କଳ ଜନକ ସେ ମୁଲକ

ସେଠାରେ ଗ୍ରାମ ମୂଲକରେ

ଏ କଳ ରାଜୁତି ନକରେ

ଏ କଳ କାରଖାନା ଯୋଗେ

ମନୁଷ୍ୟ ନାନା ରୋଗ ଭୋଗେ

ଏହାର ଯେବଣ କାରଣ

କିମ୍ପା ଏ ବ୍ୟାଧି ପ୍ରସାରଣ

ଯେ ସାଧୁ ବୈଦ୍ୟ ଡାକତର

ସେ ଦେବ ତାହାର ଉତ୍ତର

ଯେ ଠାବେ ଟ୍ରାମ ରେଳଗାଡ଼ି

କଳ କବଜା ଯାଏ ମାଡ଼ି

ତହିଁ ଯେ ନିବସନ୍ତି ପ୍ରାଣୀ

ଘଟେ ତାଙ୍କର ସ୍ୱାସ୍ଥ୍ୟହାନି

ମନରେ ପଡ଼ୁଅଛି ମୋର

ୟୁରୋପେ ଗୋଟିଏ ସହର

ତହିଁ ଆର୍ଥିକ ଅନାଟକ

ଘଟିଲା ଅଘଟ ଘଟନ

ଟ୍ରାମେ ନ ଗଲେ ଲୋକବାକ

ଖାଲି ସେ ପଡ଼ିଲା ବିବାକ

ଓକିଲ ଡାକ୍ତରଙ୍କ ଆୟ

ଛିଡ଼ି ବୁଡ଼ିଲା ବ୍ୟବସାୟ

ଏବେ ହୋ ଲୋକେ ହେଲେ ସୁସ୍ଥ

ସ୍ୱାସ୍ଥ୍ୟରେ ଉନ୍ନତି ବହୁଳ

ପ୍ରକୃତ ଯେତେ ହେଲା କଳ

କାହିଁରେ ନାହିଁଟି ମଙ୍ଗଳ

ଦୋଷ ଛାଡ଼ିତ ଗୁଣ କାହିଁ

ଆଖିରେ ମୋର ପଡ଼ୁନାହିଁ

 

ପାଠକ ଉବାଚ

କଳର ଏକ ଭଲ ଗୁଣ

ମୁଁ ଏବେ କହୁଅଛି ଶୁଣ

ତୁମ୍ଭର ନୂଆ ନୂଆ ମତ

ଯେବେଟି ଲେଖିବ ସମସ୍ତ

ସେ ସବୁ ନେଇ ଛାପାକଳ

ପ୍ରଚାର କରିବ ବହୁଳ

ଏ ଛାପା କଳର ବିହୁନେ

କେବା ପ୍ରଚାର କରେ ଶୁଣେ

ତା ବିନୁ ନୋହିବ ପ୍ରକାଶ

ଶେଷରେ କୀଟ ମୁଖେ ନାଶ

 

ଗାନ୍ଧି ଉବାଚ

କଳର ବିରୁଦ୍ଧରେ ଯାଇଁ

ଯାହା ବା ମୁହିଁ ଲେଖୁଥାଇ

କଳର ଅଙ୍ଗ ଛାପା କଳ

ପ୍ରଚାର କରିବ ସକଳ

କଣ୍ଟକେ ଉପାଡ଼ି କଣ୍ଟକ

ହୋଇବ ନିଷ୍କଣ୍ଟକ ଲୋକ

ବିଷର ବିଷ ଅଉଷଧି

ଏ କଥା ସତ୍ୟ ହୁଏ ଯଦି

ଯେ ହୁଏ କାଳ ଆପଣାର

ସେ କେବେ ଗୁଣ ନୁହେଁ ତାର

ଏ ଯେତେ ଯେତେ ଛାପାଖାନା

ମହୀରେ ରହିଅଛି ନାନା

ତାହାର ଭଲ ମନ୍ଦ ବାଣୀ

ମରଣ କାଳେ ତାହା ଜାଣି

ମରଣ କାଳେ ନିଜେ ତାର

କରଇ ଦୁର୍ଗୁଣ ପ୍ରଚାର

ସେ ଏବେ ଦେଖ ନିଜ ମୁଖେ

ପ୍ରଚାର କରୁଛି ଭୂଲୋକେ

ଶୁଣ ସକଳ ଭାଇମାନେ

ଶୁଣ ସକଳେ ଏକ ଧ୍ୟାନେ

ମୁଁ ନୁହେଁ ତୁମ୍ଭ ଉପକାରୀ

ମୋଠାରୁ ଯାଅ ଅପସରି

ମୋ ନାମ ଯେଣୁ ଅଟେ କଳ

ମୁଁ କା’ର ନ କଲେ କୁଶଳ

ଏ ଛାପା କଳ ଯଦି କା’ର

କରୁଣ ଥାଏ ଉପକାର

ଯେ ଜନ ଯନ୍ତ୍ରର କବଳେ

ପଡ଼ିଣ ରହିଥାଏ ଭୋଳେ

କେବଳ ତାର ଉପକାର

ଅନ୍ୟଥା ନୁହଇ କାହାର

କଳର ଏହି କଥା ଶୁଣି

ଗୁଣ ବୋଲି କି କହ ପୁଣି

ନ ଭୁଲ ତେଣୁ ମୂଳ କଥା

ଅନିଷ୍ଟକାରୀ ଏ ସର୍ବଥା

ଏ ଯନ୍ତ୍ରପାତି କଳ ଆଦି

ଅଟଇ ଏକ ମନ୍ଦ ବ୍ୟାଧି

ଏକଥା ଭଲରୂପେ ହେଜି

ଧରେ ହୋ ଦେବ ତା ବରଜି

ଏ ନର ଦେହରେ ପ୍ରକୃତି

ଦେଇଛି ଯେତେ ଯତେ ଶକ୍ତି

ମନୁଷ୍ୟ ସେହି ଶକ୍ତି ବଳେ

ସିଦ୍ଧ ନୁହଇ ଏକାବେଳେ

ଏକାଥରକେ କେବେ କେହି

ଲକ୍ଷେ ପହଞ୍ଚି ନ ପାରଇ

ପଥର ଧୀର ପାଣି କାଟେ

ତେଣୁ ହେ ଧୀରେ ଚାଲ ବାଟେ

କଲେ ହେ ସବୁ ଧୀରେ ଧୀରେ

ସଫଳ ହୋଇବ ବିଧିରେ

ଯେ ଦିନ ଆମ୍ଭେଟି ସରବେ

କଳକୁ ନିନ୍ଦିବା ଏ ଭବେ

କଳ ତିଆରି ଚିଜ ଯେତେ

ବର୍ଜନ କରିବା ସମସ୍ତେ

ଏ କଳ ଅତି ସହଜରେ

ମହୀରୁ ଲୋପ ହେବ ଖରେ

ଆପଣାଛାଏଁ ହେବେ ଶେଷ

ରହିବ ନାହିଁ ଅବଶେଷ

 

Unknown

ବିଂଶ ଅଧ୍ୟାୟ ଉପସଂହାର

ପାଠକ ଉବାଚ

ତୁମ୍ଭର ଏକ ନୂଆ ଗୋଠ

ବୁଝୁଛି ଏହା ମୋଟାମୋଟ

ଗରମ ନରମ ଏ ଦୁଇ

ଦଳ ଭାରତେ ଜାଣ ତୁହି

ତୁମ୍ଭେତ ଗଢ଼ୁଛ ତୃତୀୟ

ସତ୍ୟ କି ମିଛ କହିଦିଅ

 

ଗାନ୍ଧି ଉବାଚ

ଭ୍ରାନ୍ତ ତୁମର କଳପଣା

ତେମନ୍ତ ନାହିଁ ମୋ ଧାରଣ

ଦେଖୁଛ ତୁମ୍ଭେ ଏ ଜଗତ

ନାନା ମୁନିର ନାନା ମତ

ଏକଇ ଦେଶେ ନାନା ଦଳ

ଦଳର ମଧ୍ୟରେ କନ୍ଦଳ

ତେଣୁ ଏ ଯେତେ ଦଳାଦଳି

ମତ ଅମତ ଏହିଭଳି

ସେବା କାର୍ଯ୍ୟରେ ଯା’ର ମନ

ତାହାର କିବା ପ୍ରୟୋଜନ

ସେବାକାରୀର ନାହିଁ ଦଳ

ତାହାର ସମାନ ସକଳ

ନରମ ଦଳର ଯେପରି

ଅଟଇ ମୁହିଁ ସେବାକାରୀ

ଗରମ ଦଳ ଯେତେ ଲୋକ

ଯେମନ୍ତେ ମୁଁ ତାଙ୍କ ସେବକ

ଗରମ ନରମ ସରବେ

ସମାନ ଭାବରେ ମୁଁ ସେବେ

ଯଦି ବା ଏହାଙ୍କ ସଙ୍ଗତ

ହୋଇବି କାହିଁ ଭିନ୍ନ ମତ

ମୋହର ମତ ଯାହା ଯାହା

ବିନୟ ଭାବେ କହି ତାହା

ବୁଝାଇ ଦେବି ମୋର କଥା

ମୋହର ପ୍ରକୃତ ଅବସ୍ତା

କିନ୍ତୁ ମୁଁ ଦୃଢ଼ ନିଜ ମତେ

ଚାଲିବି ଆପଣାର ପଥେ

 

ପାଠକ ଉବାଚ

ଏ ଦୁଇ ଭିନ୍ନ ଭିନ୍ନ ଦଳ

ନରମ ଗରମ ସକଳ

ଏକ କହିଲେ ଏକ କଥା

ଆନ ତ ବୁଝଇ ଅନ୍ୟଥା

କହ କାହାକୁ କହି କିସ

କରିଣ ପାରିବା ସନ୍ତୋଷ

 

ଗାନ୍ଧି ଉବାଚ

ଗରମ ଦଳକୁ ମୁଁ ରାଇ

କହିବି ତାହାଙ୍କୁ ବୁଝାଇ

ତୁମ୍ଭର ଅଟଇ ଉଦ୍ଦେଶ୍ୟ

ସ୍ୱାଧୀନ ହେଉ ଆମ୍ଭ ଦେଶ

କିନ୍ତୁଟି ଜାଣ ସ୍ୱାଧୀନତା

ନ ଆସେ କହିଦେଲେ କଥା

ନ ଆସେ ବସିଥିଲେ ଚାହିଁ

ମାଗିଲେ କିଏ ଦାଏ ନାହିଁ

ଏ ଦେଶବାସୀ ଜଣେ ଜଣେ

ପ୍ରତ୍ୟେକ ଧାଇଁଲେ ଆପଣେ

ଖଟାଇ ନିଜ ନିଜ ବଳ

ସ୍ୱରାଜ୍ୟ ହୋଇବ ହାସଲ

ଦାନରେ ମିଳେ ଯେ ସ୍ୱରାଜ୍ୟ

ନୁହେଁ ସ୍ୱରାଜ୍ୟ ପଦବାଚ୍ୟ

ପର ରାଜ୍ୟ ତା ଅନ୍ୟ ନାମ

ତହିଁରେ ଆମ୍ଭର କି କାମ

ଇଂରାଜୀମାନେ ବଳେ ବଳେ

ଯାଚି ସ୍ୱରାଜ୍ୟ ଦେଇ ଗଲେ

ଅଥବା ସେହି ଯଦି ହୁଡ଼ି

ଏ ଦେଶୁ ଯାଆନ୍ତି ବାହୁଡ଼ି

ବିଦେଶୀ ଦେଶୁ ଚାଲିଗଲେ

ସ୍ୱରାଜ୍ୟ ନ ଆସିବ ଭଲେ

କିଭଳି ପ୍ରକୃତ ସ୍ୱରାଜ୍ୟ

ଆସିବ ସତ୍ୟ ରାମରାଜ୍ୟ

କହିଛି ବିସ୍ତାରିତ କରି

ଆଚର ସର୍ବେ ସେହିପରି

ତେବେଟି ହୋଇବା ହୋ ଯୋଗ୍ୟ

ସ୍ୱରାଜ୍ୟ ଆମ୍ଭ ହେବ ଭୋଗ୍ୟ

 

ଏମନ୍ତ ମିଳିବ ସ୍ୱରାଜ୍ୟ

ଅଟଇ ଏହା ଅନିବାର୍ଯ୍ୟ

କିନ୍ତୁ ଏ ଗୋଳାଗୁଳି ଆଦି

ପଶୁ ବଳରେ କାର୍ଯ୍ୟ ସାଧି

ସ୍ୱରାଜ୍ୟ ନପାରିବ ଆଣି

ଏହା ମୁଁ ଭଲେ ଅଛି ଜାଣି

ଭାରତ ପକ୍ଷେ ପଶୁ ବଳ

କଦାପି ନୁହଇ ମଙ୍ଗଳ

ଭାରତେ ପଶୁ ବଳଧାରୀ

ନ ହେବେ କେବେ କାର୍ଯ୍ୟକାରୀ

ତେଣୁ ତା ଭରସାର ସ୍ଥଳ

ଅଟଇ ଅହିଂସା କେବଳ

ଏକଇ ଅସ୍ତ୍ର ସତ୍ୟାଗ୍ରହ

ଏଥିରେ ନକର ସଂଶୟ

ଭାରତ ସ୍ୱାଧୀନତା ପାଇଁ

ଗୋଳା ବାରୁଦ ଲୋଡ଼ା ନାହିଁ

ସେ କଥା ମନରେ ନ ଆଣ

ବିଷମ ତାର ପରିଣାମ

ପୁଣି ନରମ ଦଳ ପାଶେ

କହିବି ବନ୍ଧୁର ବିଶ୍ୱାସେ

ଶୁଣ ହେ ମୋର ମାନ୍ଦାଭାଇ

ଦରଖାସ୍ତରେ କାର୍ଯ୍ୟ ନାହିଁ

ଗୃହାରି କରି କେଉଁ ଜାତି

କହ ହେ ପାଇଛି ମୁକତି

ହାରି ନେହୁରା କଲାଠାରୁ

କି ଅପମାନ ଅଛି ଗରୁ

ସେଥିରେ ନିଜ ନୀଚପଣ

ପ୍ରମାଣ ହୋଇଥାଏ ଜାଣ

କେ କହେ ଇଂରାଜୀ ଶାସନ

ବିନୁଟି ନାହିଁ ଗତି ଆନ

ତେଜିଲେ ଇଂରାଜୀ ସଂବନ୍ଧ

ଭାଙ୍ଗି ପଡ଼ିବ ସବୁ ବନ୍ଧ

ରଥଟି ହୋଇବ ଅଚଳ

ଇଂରାଜୀ ଦୁର୍ବଳର ବଳ

ଏମନ୍ତେ ଯେହୁଁ କରେ ଜ୍ଞାନ

ନାସ୍ତିକ ସେ ଅଟେ ପ୍ରମାଣ

ସଂସାର ଈଶ୍ୱର ଆୟତ୍ତେ

କାଷ୍ଠ ପିତୁଳୀ ଯେହ୍ନେ ହସ୍ତେ

ଈଶ୍ୱର ବିନୁ ଏ ସଂସାରେ

ସେ ଶକ୍ତି କିଏ ଧରିପାରେ

ଈଶ୍ୱର ନ ଥିଲେ ଜଗତ

ରହନ୍ତା ମୃତ ପିଣ୍ଡ ବତ

ତେଣୁ ଏ ଈଶ୍ୱରଙ୍କ ବିନା

ପତ୍ରହିଁ ନ ଟଳଇ ସିନା

ଈଶ୍ୱର ଶକ୍ତି ନର ପରେ

ଯେ ମୂଢ଼ ଆରୋପହିଁ କରେ

ତାର ଜନମ ଧିକ ଧିକ

ସେ ଅଟେ ନିରୁତା ନାସ୍ତିକ

ପୁଣି ହୋ ଇଂରାଜୀ ସହାୟ

ବିନୁଟି ଆମ୍ଭେ ନିରୁପାୟ

ଏମନ୍ତ କଲେକ ବର୍ଣ୍ଣନ

ଇଂରାଜୀ ଗୁଣ ସଂକୀର୍ତ୍ତନ

ତାଙ୍କ ଦରପ ହେବ ଗୁରୁ

ଫୁଲା ପଣରେ ଭାଜେ ମେରୁ

ଇଂରାଜୀମାନେ ଆଜି ଯେବେ

ଗଣ୍ଠିର ଧରି ବିଦା ହେବେ

ଅନାଥ ନ ହେବ ଭାରତ

ଏ କଥା ଜାଣ ସତ୍ୟ ସତ୍ୟ

ଯଦି ଇଂରାଜ ରାଜ ଭୟେ

କେହି ବା ଦବି ରହିଥାଏ

ଇଂରାଜୀ ଯିବା କ୍ଷଣି ଚଳି

ସେ ପୁଣି ଉଠିଲେ ପ୍ରଜ୍ୱଳି

ସେ ପୁଣି ଭେଇଲେ ଅଶାନ୍ତି

ଆପେ ଆପଣା ଆତ୍ମଘାତୀ

ତଥାପି ବିଦ୍ରୋହ ତାଙ୍କର

ପର ରାଜ୍ୟରୁ ଶ୍ରେୟସ୍କର

ଅନଳ ତଳର ବାରୁଦ

ଲୁଚି ରହିଲେ ଅବରୁଦ୍ଧ

ହୋଇଲେ ତା’ର ବିସ୍ଫୋରଣ

ସେ କାଳେ ଆଣିବ ମରଣ

ସର୍ବଦା ତେଣୁ ହନ୍ତସନ୍ତ

ଜୀବନ ରହିବ କେମନ୍ତେ

ସେ ଦାରୁ ଅନଳ ସଂଘାତେ

ଯେବେଟି ଲାଗେ ଅକସ୍ମାତେ

ଜଳି ତା ହୋଇଗଲେ ଶେଷ

ଭୟଟି ନ ରହଇ ଲେଶ

ଯହିଁ ଅନଳ ଉଦ୍‌ଗୀରଣ

ହେବାର ଥିବଟି କାରଣ

ତାହାକୁ ରଖିଲେ ଦବାଇ

ଦବି ସେ ରହିପାରେ ନାହିଁ

ତେଣୁ ସେ ଜଳି ଯିବା ଭଲ

ଉଭୟ ପକ୍ଷରେ ମଙ୍ଗଳ

ଯେ ଡରି ସେହି ବିତପାତେ

ପ୍ରାଣ ସମର୍ପେ ପର ହାତେ

ଅନ୍ୟର ଛତ୍ର ଛାୟାତଳେ

ଆଶ୍ରୟ ନିଏ ଏ ଶୟଳେ

ତା ତହୁଁ ନାହିଁ ହୀନପଣ

ବଡ଼ ଭୟାର୍ତ୍ତ ସେହି ଜନ

ତାର ଅଧୀନେ ଶାନ୍ତିଠାରୁ

ଅଶାନ୍ତି ଶ୍ରେୟହିଁ ବିଚାରୁ

ଆମ୍ଭ ଭିତରେ ଯେ ଦୁର୍ବଳ

ତାହାର ରକ୍ଷା କରି ଛଳ

ପରେ କିମ୍ପାଇଁ ସେହିଠାରେ

ଆସିଣ ପଡ଼ିବେ ପିଠିରେ

ଆମ ଭିତରେ ଟଣା ଭିଡ଼ା

ଇତରେ କିମ୍ପା ଶିର ପୀଡ଼ା

ବୋଲାଇ ଦୁର୍ଗତିର ଗତି

ଇଂରାଜୀ ରାଜ୍ୟ କରୁଛନ୍ତି

ଆରତ ତ୍ରାଣର ବାହାନା

ବୋଲି ଉଡ଼ଇ ତାଙ୍କ ବାନା

ଏ ଯେଉଁ ସଂରକ୍ଷଣ ଫଳ

ଆମ୍ଭଙ୍କୁ କରୁଛି ଦୁର୍ବଳ

ଯେ ବଞ୍ଚେ ପର ବାହୁତଳେ

ମୃତ ପରାୟେ ଏ ଶୟଳେ

ଏ ବୁଦ୍ଧି ତା’ର ନ ଜନ୍ମିଲେ

ସ୍ୱରାଜ୍ୟ କଦାପି ନ ମିଳେ

ଥିଲେକ ଇଂରାଜୀ ପାଦରୀ

ସେ ଗଲେ ଯେଉଁ ବାକ୍ୟଧରି

ସେ ମୁଖ ନିସୃତକୁ ରଟି

କହିବି ଶୁଣ କଥା ଗୋଟି

ସ୍ୱରାଜ ପାଇବାର ପାଇଁ

ଯଦି ଅଶେଷ ଦୁଃଖ ଦାହି

ଗଭୀର ଅନ୍ଧକାର ମଧ୍ୟେ

ରହିଲେ ରହିବାହିଁ ସଧେ

କିନ୍ତୁ ଏ ପର ରାଜ୍ୟ ଭାର

ଯେତେ ହିଁ କଲେଟି ସଂସ୍କାର

ସେତିକି ଆମ୍ଭ ଦରିଦ୍ରତା

ବଢ଼ିବା ହେବ ସାର କଥା

କିନ୍ତୁ ସେ ପାଦିରୀଙ୍କ ମତେ

ସ୍ୱରାଜ୍ୟେ ଅଟଇ ଯେମନ୍ତେ

ସ୍ୱରାଜ୍ୟ କଳପନା ମୋର

ନୁହଁଇ ତେମନ୍ତ ପ୍ରକାର

ମୋହର ସ୍ୱରାଜ୍ୟର ଅର୍ଥ

ଅଟଇ ସ୍ୱାଧୀନ ଭାରତ

ତେଣୁ ଏ ଭାରତ କାହାର

ସହିବ ନାହିଁ ଅତ୍ୟାଚାର

ହେଉ ସେ କଳା ଅବା ଗୋରା

କା ଫାନ୍ଦେ ନ ଦେବ ସେ ଧରା

କାହାରି ପ୍ରଭାବ ବିସ୍ତାର

ଭାରତେ ନୋହୁ ପରଚାର

ଏମନ୍ତ ସିଦ୍ଧାନ୍ତକୁ ଥୋଇ

ଗରମ ନରମ ଏ ଦୁଇ

ମିଶି ପାରିବେ ଅନୁମାନେ

ସମସକନ୍ଦର ସମାନେ

ଘୁଞ୍ଚିବ ମନୁ ଅବିଶ୍ୱାସ

ସ୍ୱରାଜ୍ୟ ହୋଇବ ବିକାଶ

 

ପାଠକ ଉବାଚ

ଗରମ ନରମ ଯେ ଦଳ

ଅଛନ୍ତି ଭାରତେ ସକଳ

ତାହାଙ୍କୁ ଯେଉଁ କଥା କହି

ବୁଝାଇବ ତା ବୁଝିଲଇଁ

ଇଂରାଜୀମାନଙ୍କୁ କେବଣ

କଥା କହିବ କହ ପୁଣ

 

ଗାନ୍ଧି ଉବାଚ

ଇଂରାଜୀମାନଙ୍କୁ ମୁଁ ଯାହା

କହିବି ଏବେ ଶୁଣ ତାହା

ମୁଁ ତାଙ୍କ ପାଶେ ଧୀର ସ୍ଥିର

ଭାଷିବି ସବିନୟ ଗିର

ଆହେ ଇଂରାଜ ଭ୍ରାତାମାନେ

ବସିଛ ଶାସକ ଆସନେ

ଆମ୍ଭର ଅନୁଗ୍ରହ ଫଳେ

ଅବା ତୁମ୍ଭର ଶାସ୍ତ୍ରବଳେ

ତାହାର କରିବା ବିଚାର

ନାହିଁ ଏଠାରେ ଦରକାର

ସେ ହେଉ ନ୍ୟାୟ ବା ଅନ୍ୟାୟ

କହବା ନୁହେଁ ଅଭିଶ୍ରାୟ

ଯାଅ ନ ଯାଅ ରାଜ୍ୟ ଛାଡ଼ି

ପଡ଼ ବା ମାଟିକି କାମୁଡ଼ି

ରହ ବା ନରହ ଏ ଦେଶେ

ଆପତ୍ତି ନାହିଁ ମୋ ବିଶେଷେ

ମାତର ହେଲେଟି ଶାସକ

ସେବକ ହେବା ଆବଶ୍ୟକ

ଏ ଦେଶୁଁ ଯେତେ ଯେତେ ଧନ

ଶୋଷିଣ କଲଣି ହଜମ

ଛାଡ଼ିବ ସେ ଶୋଷଣ ନୀତି

ସେ ପାଠ ନପଟିବ ନିତି

ହୋଇ ଏ ଦେଶ ଜଗୁଆଳୀ

ରହିବ କରି ଗୃହସ୍ଥଳି

କିନ୍ତୁ ହେ କରିଣ ବଣିଜ

ଆମକୁ ଶୋଷିବାର ଖଞ୍ଜ

ପଟିବ ନାହିଁ ଏବେ ଆଉ

ସେ ନୀତି ପାଶୋରହିଁ ଯାଉ

ତୁମ୍ଭର ଯେବଣ ସଭ୍ୟତା

ଆମ୍ଭର ନ କୁହ ସେ କଥା

ମନ୍ଦ ସଭ୍ୟତା ତାକୁ କହି

ଆମର ଲୋଡ଼ା ନାହିଁ ତହିଁ

ଆମ୍ଭ ସଭ୍ୟତା ଅତି ବଡ଼

ନିକୃଷ୍ଟ ସଭ୍ୟତା ତୁମ୍ଭର

ଏ ସବୁ ଚେତ ହୃଦଗତେ

ଆପଣା ମଙ୍ଗଳ ନିମନ୍ତେ

ମାନ ବା ନମାନ ଏ ପଦ

ହେଉ ବା ନୋହୁ ହୃଦବୋଧ

ତୁମ୍ଭର କଥା ଅନୁସାରେ

ଲେଖିଲି ଯା ନିଜ ଭାଷାରେ

କହିଲ ଯେ ଦେଶେ ଯେ ଜନ୍ମ

ଯେ ଖାଏ ଯେଉଁ ଦେଶ ଅନ୍ନ

ଲୋକଙ୍କ ସଙ୍ଗେ ମିଳି ମିଶି

ସେ ହେବ ସେହି ଦେଶବାସୀ

ରହିବା ଇଚ୍ଛା ଏ ଦେଶରେ

ଥିଲେଟି ତୁମ୍ଭ ମାନସରେ

ଏ ଦେଶେ ବାସିନ୍ଦାଙ୍କ ପରି

ରହିବ ସୁଖେ ବାସକରି

ଏମନ୍ତ ନ କରିବ କର୍ମ

ଯହିଁ ଆମର ନାଶ ଧର୍ମ

ଧର୍ମ ବିରୁଦ୍ଧ ଯା ଆମ୍ଭର

ସେ ସବୁ କର ପ୍ରତିହାର

ରହିଲେ ଶାସକ ଆସନେ

ବସିଣ ରାଜ ସିଂହାସନେ

ହିନ୍ଦୁ ମୁସଲମାନ ଭାଇ

ତାହାଙ୍କ ଧରମକୁ ଚାହିଁ

କରିବ କାର୍ଯ୍ୟ ଯଥାବିଧି

ଯଦି ବସିବ ରାଜଗାଦି

ଏହାଟି ତୁମ୍ଭର କର୍ତ୍ତବ୍ୟ

ବିଶେଷେ ଏହା ପାଳୁଥିବ

ତୁମ୍ଭେ ତ ଖାଅ ଗୋରୁ ମାଂସ

ଯହିଁ ହିନ୍ଦୁର ଧର୍ମ ନାଶ

ହିନ୍ଦୁଙ୍କ ଧର୍ମ ରକ୍ଷା ଲାଗି

ସେ ଖାଦ୍ୟ ତେଣୁ ଦେବ ତ୍ୟାଗି

ଘୁସୁରି ମାଉଁସଟି ଜାଣ

ମୁସଲମାନଙ୍କୁ ହାରାମ

ତେଣୁ ତାଙ୍କର ଧର୍ମପ୍ରତି

ଦେଖାଇ ତୁମ୍ଭ ଶୁଦ୍ଧ ମତି

ତାହାର ସତ୍ୱରେ ଛାଡ଼ିଦେବ

ଏ ରାଜ୍ୟେ ଯଦି ରାଜା ହେବ

ଧର୍ମ ବିଚାର ଯେ ଆମ୍ଭର

ବିରୁଦ୍ଧେ ତାର ଯାହା କର

ସେ ସବୁ ଆମ୍ଭେ ଅଛୁ ସହି

ନିସର୍ତ୍ତେ ତୁଣ୍ଡ ନ ଫିଟାଇ

ତା ବୋଲି ନଭାବ କିଞ୍ଚିତେ

ନ ଲାଗେ ତାହା ଆମ୍ଭ ଚିତ୍ତେ

କେହୁବା ଜଗି ନିଜ ସ୍ୱାର୍ଥ

କେହୁବା ହୋଇ ଭୟେ ଭ୍ରାନ୍ତ

ତୁମ୍ଭର କୁକର୍ମ ସରବେ

ସହିଣ ଅଛନ୍ତି ନିରବେ

କହି ନାହାନ୍ତି ତୁଣ୍ଡ ଖୋଲି

କହିବେ ନାହିଁକି ତା ବୋଲି

ଏବେତ ଆସିଛି ସମୟ

କହିବୁଁ ଆମ୍ଭେ ତେଜି ଭୟ

କହିବୁଁ ଆମ୍ଭେ ସଫା ସଫା

ତୁମ୍ଭ ବିଚାର ତୁମ୍ଭ ରଫା

ତୁମ୍ଭ ଆଇନ ଅଦାଲତ

ଅଟଇ ବେକାର ସମସ୍ତ

ତୁମ୍ଭର ପାଠ ତୁମ୍ଭ ଶିକ୍ଷା

ଅଟଇ ସବୁ ଅକାମିକା

ତେଣୁ ଆମ୍ଭର ଚାଟଶାଳୀ

ପୂରୁବେ ଥିଲା କେଉଁ ଭଳି

ଆମ୍ଭର ଗ୍ରାମ ପଞ୍ଚାୟତ

କରିବୁ ପ୍ରତିଷ୍ଠା ନିୟତ

ପୁଣି ମୁଁ ଥରେ ଶୁଣ କହେ

ଇଂରାଜ ଆମ୍ଭ ଭାଷା ନୁହେଁ

ଆମ୍ଭର ଭାଷା ହିନ୍ଦୁସ୍ଥାନୀ

ହୁଅ ହେ ସେ ଭାଷାରେ ଜ୍ଞାନୀ

କେବଳ ସେହି ଭାଷା ଭାଷୀ

ଆମ୍ଭେ ଯେତେକ ଦେଶବାସୀ

କହିବୁଁ ତୁମ୍ଭ ସଙ୍ଗେ କଥା

ଏଥିରେ ନୋହିବା ଅନ୍ୟଥା

ତୁମ୍ଭର ସଙ୍ଗରେ ଇଂରେଜି

କହିବୁ ନାହିଁ ଆଉ ଆଜି

ତେଣୁ ଆମ୍ଭର ଭାଷା ଶିଖ

ଯେତେ ହୋଇବ ବେଶୀ ଲୋକ

ତୁମ୍ଭେ କରୁଛ ରେଳ ଗାଡ଼ି

ଦେଉଛ ଫଉଜଙ୍କୁ ଧାଡ଼ି

ବହୁ ଟଙ୍କାଏ ଦୁଇବାଟେ

ଲୁଟି ହେ ନେଉଛ ପକେଟେ

ସେ ସୈନ୍ୟ ସେହି ରେଳ ଚଢ଼ା

ଆମ୍ଭର ଆଉ ନାହିଁ ଲୋଡ଼ା

ତୁମ୍ଭର ଅଛି ରୁଷ ଡର

ଜର୍ମାନୀ ଅବା ଜାପାନର

ଥିଲେ ତା ତୁମ୍ଭଠାରେ ଥାଉ

ଆମ୍ଭର ଭୟ ନାହିଁ ଆଉ

ଋଷିଆ ଯଦି ଆଣିଥାଟ

ଏ ଦେଶେ କରିବ ମୁରାଟ

ଆମ୍ଭେ କରିବୁ ପରିତାଳ

ତୁମ୍ଭେ ତହିଁକି କି କେଁ ଭାଳ

ତୁମ୍ଭେଟି ଦେଲେ ଆମ୍ଭ ପଟ

କରିବା ତାହାଙ୍କୁ ନିପଟ

ଆବର ଶୁଣ ସାବଧାନ

ତୁମ୍ଭେ ଯେ ଲୁଗା ବହିଆଣ

ବିଲାତି ବିଦେଶୀ ଯେ ଲୁଗା

ଏହାକୁ ରଖ ହେ ଅଲଗା

ଏ ଦେଶେ ଯେତକ ତିଆରି

ଆମ୍ଭର କାର୍ଯ୍ୟ ଯିବ ଚଳି

ତୁମ୍ଭେ ବିଲାତିବାସୀ ଯେତେ

ବେପାର କରୁଅଛ ଏଥେ

ତୁମ୍ଭ ଦେଶରେ ମାଞ୍ଚେଷ୍ଟର

ବସାଇ ତହିଁ ଲୁଗା କଳ

ସେ ଲୁଗା ଆଣି ତୁମ୍ଭ ଦେଶେ

ରହିଛି ପଟାଇବା ଆଶେ

ମାଞ୍ଚେଷ୍ଟରରେ ଏକ ଆଖି

ଆନେଟି ଆମ୍ଭଙ୍କୁ ନିରେଖି

ଯେହୁଟି ନିଜ ସ୍ୱାର୍ଥ ଦେଖେ

ଆମ୍ଭେବା ସହିବୁ କେତେକେ

ତୁମ୍ଭ ଆମ୍ଭର ସମ ସ୍ୱାର୍ଥ

ଯେ ଦିନ ହୋଇବ ଯଥାର୍ଥ

ସେ ଦିନ ଜାଣି ତୁମ୍ଭ ସହ

ହୋଇବ ଆମ୍ଭର ନିର୍ବାହ

ମୁଁ ଏହା ମନେ ବହି କୋପ

ନ କହେ ତୁମ୍ଭର ସମୀପ

ତୁମ୍ଭର ପାଶେ ଶସ୍ତ୍ରବଳ

ଘେରି ରହିଛି ଜଳ ସ୍ଥଳ

ଆମ୍ଭର କି ଅବା ଶକତି

ଠିଆ ହୋଇବୁ ତାହା କତି

ତଥାପି ଆମ୍ଭର ଉକତ

ନ କଲେ ତହିଁ କର୍ଣ୍ଣ ପାତ

ନ ଶୁଣ ଯଦି ସେ ଗୁହାରୀ

ତୁମ୍ଭର ସାଙ୍ଗ ଦେବୁ ଛାଡ଼ି

ସେ ପାଇଁ ଯା ଇଚ୍ଛା ତୁମ୍ଭର

କରିବ ତାହା କରିପାର

ପିଟ ବା ମାରି କର ଖୁଣି

ଅଥବା ତୋପ ମୁଖେ ଝୁଣି

ତଥାପି ନ ଦେବୁ ସାହାଯ୍ୟ

ତୁମ୍ଭର ଯେତେବେଳେ କାର୍ଯ୍ୟ

ଆମ୍ଭର ଇଚ୍ଛା ବିରୁଦ୍ଧରେ

ହୁଏ ଯା ଏହି ଭୂମିପରେ

ତୁମ୍ଭେ ତା ନ ପାରିବ କରି

ଆମ୍ଭର ସାହାଯ୍ୟ ନ ଧରି

ଆମ୍ଭେତ ଏହା ଜାଣୁ ଭଲେ

ଆମ୍ଭେଟି ସାହାଯ୍ୟ ନ କଲେ

ଏକଇ ପାଦ ଆଗ ଭର

ହୋଇବା ହେବ ଲକ୍ଷ ଭାର

ମୁଁ ଏବେ ଯାହା କହିଲଇଁ

ଶୁଣ ବା ନ ଶୁଣିଲେ ନାହିଁ

କ୍ଷମତା ମଦ ଅଛି ଗ୍ରାସି

ତେଣୁବା ମୋତେ ଦେବ ହସି

ଏ ଭ୍ରମ ସହଜେ ତୁମ୍ଭର

କରି ମୁଁ ନ ପାରିବି ଦୂର

ମାତର ଏ ଆମ୍ଭ ପରାଣ

ଯଦ୍ୟପି ରହିଥିବ ଟାଣ

ଦିନେ ତୁମ୍ଭଙ୍କୁ ଯିବ ଜଣା

ତୁମ୍ଭର ବ୍ୟର୍ଥ ବୁଝାମଣା

ବ୍ୟର୍ଥ ତୁମ୍ଭର ଅଧିକାର

ବ୍ୟର୍ଥ ଏ ଗର୍ବ କ୍ଷମତାର

ବ୍ୟର୍ଥ ତୁମ୍ଭର ପରିହାସ

ଯେଣୁ ହେଲାଣି ବୁଦ୍ଧି ନାଶ

ଏ ତୁମ୍ଭ ବିପରୀତ ବୁଦ୍ଧି

ତୁମ୍ଭରି ପଥ ଅଛି ରୋଧି

ମୁଁ ଏହା ଭଲେ ଜାଣିଛଇଁ

ପବିତ୍ର ତୁମ୍ଭ ଜନ୍ମଭୂଇଁ

ଧରମ ପ୍ରିୟ ରାଷ୍ଟ୍ରତବ

ତମ୍ଭେ ତାହାର ଅବୟବ

ପୁଣି ଏ ଧର୍ମକ୍ଷେତ୍ର ଆସି

ହୋଇଛ ଆମ୍ଭ ପ୍ରତିବେଶୀ

ଏ ଗଙ୍ଗା ଯମୁନା ସଙ୍ଗମ

କେମନ୍ତେ ହୋଇଲା ସୁଗମ

ସେ କଥା ବିଚାରିବା ବ୍ୟର୍ଥ

ତହିଁରେ କାର ନାହିଁ ସ୍ୱାର୍ଥ

କିନ୍ତୁ ହେ ଆମ୍ଭେ ଇଚ୍ଛାକଲେ

ଏହି ପ୍ରୟାଗ ପୁଣ୍ୟଜଳେ

ଆମ୍ଭର ହୋଇଛି ଯେ ମେଳ

ଫଳନ୍ତା ବହୁ ଶୁଭଫଳ

ଇଂଲଣ୍ଡ ଯେତେ ଇଂଗିରାଜୀ

ଆସିଛି ଏହି ଦେଶେ ଆଜି

ଇଂରାଜ ଦେଶର ନମୁନା

ବୋଲିତ ନ ହୋଇବ ଗଣା

ତେମନ୍ତେ ଯେ ଭାରତ ବାସୀ

ଅଧା ସାହେବ ହେଲେ ଆସି

ଭାରତବାସୀଙ୍କ ପ୍ରମାଣ

ବୋଲିଟି ନ କରିବ ଜ୍ଞାନ

ତୁମ୍ଭେ ଏ ଦେଶେ ନିତି ନିତି

କରୁଛ ଯେତେ ଅପକୀର୍ତ୍ତି

ଇଂଲଣ୍ଡବାସୀ ଇଂରେଜର

ସେ ସବୁ ହେଲେଟି ଗୋଚର

ତରଳିଯିବା ତାଙ୍କ ହୃଦ

ସେ ତାର କରିବେ ବିରୋଧ

ତେସନେ ଆମ୍ଭର ମୁଲକେ

ଯେତେକ ସାଧରଣ ଲୋକେ

ତୁମ୍ଭ ସହିତ କେଉଁଥିରେ

ସମ୍ବନ୍ଧ ନ ରଖନ୍ତି ତିଳେ

ତୁମ୍ଭର ଯେବେଣ ସଭ୍ୟତା

ବସ୍ତୁତଃ ଅଟେ ଅସଭ୍ୟତା

ସେ ଅସଭ୍ୟତା ଛାଡ଼ି କେହି

ଦେଖିଲେ ତୁମ୍ଭେ ଚକ୍ଷୁ ଫେଇ

ତୁମ୍ଭ ଧରମ ଯେ ପୁରାଣ

ସେ ଦେବ ଯେଉଁ ଧର୍ମଜ୍ଞାନ

ବୁଝିବେ ତହୁଁ ଅନିର୍ବାର୍ଯ୍ୟ

ଆମ୍ଭର ଦାବୀ କେଡ଼େ ନ୍ୟାଯ୍ୟ

ଆମ୍ଭର ଏ ଦାବୀ ପୂରଣ

ପ୍ରଥମେ କରିବେ ଆପଣ

ତେବେ ହୋଇ ଏ ଦେଶବାସୀ

ରହିବ ଆମ୍ଭର ପଡ଼ୋଶୀ

ଏମନ୍ତ ମିଳି ମିଶି ଯାଇ

ରହିବା ହୋଇ ଭାଇ ଭାଇ

ତୁମ୍ଭର ଯାହା ଭଲ ଗୁଣ

ଆମ୍ଭେ ତା ଶିଖିବାଟି ପୁଣ

ଆମ୍ଭଠୁଁ ଶିଖିବାର ଯାହା

ଶିକ୍ଷା କରିବ ତୁମ୍ଭେ ତାହା

ମାତାର ଏହି ଅନୁଭବ

କେବଳ ହୋଇବ ସମ୍ଭବ

ଯଦି ଧରମ କ୍ଷେତ୍ରପରେ

ଏହାର ମୂଳଦୁଆ ପଡ଼େ

ଧରମ ଉପରେ ପ୍ରତିଷ୍ଠା

ହୋଇଲେ ଏ ମିଳନ ନିଷ୍ଠା

ଏ ଭ୍ରାତୃଭାବ ହେବ ସ୍ଥାୟୀ

ଏଥିରେ ସନ୍ଦେହଟି ନାହିଁ

 

ପାଠକ ଉବାଚ

ଆପଣା ରାଷ୍ଟ୍ରେ ନିଜ ଦେଶେ

କି କଥା କହିବ ବିଶେଷେ

ତାଙ୍କର କି ଅବା କର୍ତ୍ତବ୍ୟ

କହ ହୋ ଉପଦେଶ ତବ

 

ଗାନ୍ଧି ଉବାଚ

ରାଷ୍ଟ୍ର ବୋଲି ସେ କିବା ଚିଜ

ବୁଝାଅ ତୁମ୍ଭେ ଅର୍ଥ ନିଜ

ତୁମ୍ଭେ ତା ପରିଷ୍କାର କର

ମୁଁ ତେବେ ଦେବଇଁ ଉତ୍ତର

ରାଷ୍ଟ୍ର କହିଲେ ଯେଉଁ ଅର୍ଥ

ଯେହୁ ତାହାର ଅନ୍ତର୍ଗତ

ତୁମ୍ଭର ଯାହା ମତ ସାର

ମୁଁ ତହୁଁ ନୁହଇ ବାହାର

ଯେ ଜନ ଜନମି ଭାରତେ

ଶିକ୍ଷିତ ନବ୍ୟ ସଭ୍ୟମତେ

ପାଶ୍ଚାତ୍ୟ ବିଧାନରେ ସର୍ବ

ପାଳନ୍ତି ଆପଣା କର୍ତ୍ତବ୍ୟ

ଦେଶରେ ସ୍ୱରାଜ୍ୟର ଗୋଳ

ଲଗାଇଛନ୍ତି ଯେ ଚହଳ

ତାହାଙ୍କୁ ଘେନି ରାଷ୍ଟ୍ର କହି

ନାହିଁ ମୋ ଆନ ଅର୍ଥ ତହିଁ

 

ପାଠକ ଉବାଚ

ଯାହାଙ୍କୁ ଘେନି ଏ ବିରାଟ

ପ୍ରଘଟ କରୁଅଛି ରାଷ୍ଟ୍ର

ସେ ନବ୍ୟ ସଭ୍ୟମାନେ ଡାକି

କହିବି ମୁଁ ଅବା ଯାହାକି

ତାଙ୍କର କର୍ତ୍ତବ୍ୟ ଯେବଣ

କହୁଛି କର ଶରବଣ

କହିବି ତାଙ୍କୁ ଶୁଣ ବାବୁ

ମୁଁ ଯେତେ କହିଗଲି ସବୁ

ଇଂରାଜୀମାନଙ୍କ ଛାମୁରେ

ଯାହା ମୁଁ କହନ୍ତି ବା ଦୃଢେ

ସ୍ୱରାଜ୍ୟ ନିଶାରେ ଯେ ଭୋଳ

ସେ କହି ପାରେଟି କେବଳ

ମୁଁ ଯାହା ପୂର୍ବେ କହିଗଲି

ଯେ କହିପାରେ ସେହିଭଳି

କହିବ ନ କରିଣ ଭୟ

ହୃଦୟେ ନ ରଖି ସଂଶୟ

ଇଂରାଜୀମାନଙ୍କୁ ହକାରି

ଯେ ରଖିପାରେ ତାହା ଜାରି

ଧନ୍ୟ ସେ ଜନ ଧନ୍ୟ ଧନ୍ୟ

ସ୍ୱରାଜ୍ୟ ଭୋଳ ତାର ମନ

ଯେ ଜନ ପରିଷ୍କାର ରୂପେ

ଜାଣିଛି ସ୍ୱରାଜ୍ୟେ ସ୍ୱରୂପେ

ଜାଣିଛି ଭାରତ ସଭ୍ୟତା

ଅଟେ ସଂସାରେ ଜଗଜ୍ଜିତା

ସକଳ ସଭ୍ୟତା ଉପରି

ନାହିଁ କେ ତାର ସମପରି

ନବ୍ୟ ଅସଭ୍ୟ ଆଡ଼ମ୍ବର

ତିନି ଦିନର ଖେଳଘର

ଏଯେଉଁ ସଭ୍ୟତା ୟୁରୋପେ

ଦିଶଇ ଚମତ୍କାର ରୂପେ

ଏମନ୍ତେ ତେତେ ସଭ୍ୟତା ତ

ନିତି ହୁଅନ୍ତି ଆତଯାତ

ଏମନ୍ତେ କେତେ ଆସୁଥାନ୍ତି

ସକାଳେ ଫୁଟି ସଞ୍ଜେ ଯାନ୍ତି

ଏକଥା ଜାଣେ ଯେ ପ୍ରତ୍ୟକ୍ଷ

ସେ ଜାଣ ବଡ଼ ବିଜ୍ଞ ଲୋକ

ତାହାକୁ କହିବା କେବଳ

ସ୍ୱରାଜ୍ୟ ଅମଳରେ ଭୋଳ

ତେଣୁ ସେ ଇଂରାଜୀଙ୍କୁ ଡାକି

ଏମନ୍ତେ କହିପାରେ ହାଙ୍କି

ଯେ ନିଜେ ନିଜକୁ ନିରୋଧ

କରେ ଆତ୍ମାକୁ ଉପଲବ୍‌ଧି

ଆତ୍ମବଳକୁ ମଣେ ଶ୍ରେୟ

ନାହିଁ ଯାହାର ଭ୍ରାନ୍ତି ଭୟ

ଶରୀର ବଳ ପାଶେ ହଟି

ନ ଯାଏ ଯେ ଜନ କେଉଁଠି

ପଶୁ ବଳକୁ ନାହି ଡର

ତାହାକୁ କହି ବୀର ନର

ତୋପ ବନ୍ଧକୁ ତରବାରୀ

ନ ହୋଇ ଏହି ଅସ୍ତ୍ରଧାରୀ

ସକଳ ଅସ୍ତ୍ରର ଧାରଣ

ନ ଦେଖେ ସପନେ ଯେ ଜନ

ସେହିଟି ଜାଣିବ କେବଳ

ସ୍ୱରାଜ୍ୟ ନିଶା ଲାଗି ଭୋଳ

ଆଜି ଏ ଭାରତ ଦୁର୍ଦ୍ଦଶା

ଦେଖିଲ ଯାର ଉଡ଼େ ହଂସା

ସେ ଘେନି ଘୋର ଅସନ୍ତୋଷ

ଯେ ଜନ ପିଇଛି ସେ ବିଷ

ସେହିଟି ଜାଣିବ କେବଳ

ସ୍ୱରାଜ୍ୟ ନିଶା ପିଇ ଭୋଳ

ଏମନ୍ତ ଭାବେ ବୀର ପଣେ

ଯଦି କେ ପୁଅ ଥିବ ଜଣେ

ସେ ଯେବ ଇଂରାଜୀଙ୍କୁ ପାଇଁ

କହିବ ଏ କଥା ବୁଝାଇ

ଶୁଣିବେ ସିଏ ହୋଇ ବାଧ୍ୟ

ନ ଶୁଣି ତାଙ୍କ କାହିଁ ସାଧ୍ୟ

ମୁଁ ଯାହା ଯାହା କଲି ଦାବୀ

ଦାବୀ ବୋଲିଣ ତା ନ ଭାବି

ଅଥବା ନୁହେଁ ସେ ମାଗଣ

ମାଗିବା ଯାଇ ଜଣ ଜଣ

ମୁଁ ଏବେ କହେ ଯେତେ କଥା

ସେ ଆମ ମନର ଅବସ୍ଥା

ଆମ୍ଭ ମନରେ ଯେଉଁ ଭାବ

ଠିକେ ସେ ତାହା କହିଦେବ

ମାଗିଲେ ନ ମିଳଇ କିଛି

ଏ କଥା ଭଲେ ମୁଁ ବୁଝିଛି

ଆମ୍ଭେ ତହିଁରେ ହେବୁ ତୋଷ

ଦେବାକୁ ହେବ ତା ଅବଶ୍ୟ

ତା ପାଇଁ ଲୋଡ଼ାଟି ଶକତି

ତେବେଟି ହେବ ପରାପତି

ସେ ଶକ୍ତି ଆସିବ କେମନ୍ତେ

ମୁଁ ଏବେ କହିବଇଁ ତୋତେ

ଶୁଣ ପାଠକ ଦେଇ ମନ

ସ୍ୱରାଜ୍ୟେ ପ୍ରାପ୍ତିର ବିଧାନ

ଏକେ ଇଂରାଜୀ ଭାଷା ଘୋଷା

ଛାଡ଼ିଣ ତାହାର ପ୍ରଶଂସା

କେବଳ କହିବା ତା ଆମ୍ଭେ

ନ ହେଲେ ନ ଚଳେ ଯେ ଠାବେ

ଏ ଅଟେ ପ୍ରଥମ କର୍ତ୍ତବ୍ୟ

ଯେବେ ଏ ଶକ୍ତି ହେବ ଲାଭ

ଦୁଯେ ଏ ଯେତେକ ଓକିଲ

ଭୁଲି ମିଶଲ ମହକିଲ

ଛାଡ଼ିବେ ବୃତ୍ତି ଓକାଲାତି

ପେଟ ପାଳିବେ ସୂତା କାଟି

ଲୁଗା ବୁଣିବେ ଧରି ତନ୍ତ

ହୋଇବେ ସରି ଶ୍ରମବନ୍ତ

ତୃତୀୟେ ଓକିଲଙ୍କ ଜ୍ଞାନ

ନ୍ୟାୟ ତରକ ଯୁକ୍ତିମାନ

ଲାଗିବ ଲୋକ ଉପକାରେ

କର୍ତ୍ତବ୍ୟ ସୁଜ୍ଞାନ ଦେବାରେ

ଆବର ତାଙ୍କ କର୍ମ ଦେଖି

ଖୋଲିବ ଇଂରାଜର ଆଖି

ଦେଖାଇ ଦେବେ ଆଖି ଖୋଲି

ଭାବ ଯା ଆମ୍ଭ ଦାବୀ ବୋଲି

ଚତୁର୍ଥେ ମୁଦେଇ ମୁଦାଲା

ଯେହୁ ବା ନିକଟେ ଆସିଲା

ନ ନେବେ ସେ କାହାର ପକ୍ଷ

ମିଳାଇଦେବେ ସେ ପ୍ରତ୍ୟକ୍ଷ

ଛାଡ଼ି କଚେରୀ ଅଦାଲତ

ଅନ୍ୟକୁ କହିବେ ସମସ୍ତ

ଆପଣା କଟୁ ଅନୁଭବ

ଓକିଲାତର ପରାଭବ

ପଞ୍ଚମେ ଓକିଲାତି ପରି

ଜଜ ପଣକୁ ତେଜ୍ୟା କରି

ଏମନ୍ତେ ବଢ଼ିବ ଶକତ

ହେବ ସ୍ୱରାଜ୍ୟ ପରାପତ

ଷଷ୍ଠରେ ଯେତେ ଡାକତର

ଛାଡ଼ିଣ ଔଷଧ ପତର

ଲୋକଙ୍କ ଶରୀରକୁ ସୁସ୍ଥ

କରିବେ ନ ହୋଇ କାକୁସ୍ଥ

ଦେହ ବଦଳେ ଆତ୍ମା ଶୁଚି

ପାଇଁ ସେ ବଢାଇବେ ରୁଚି

ସପ୍ତମେ ଡାକତରମାନେ

ଯେ ତାର ଯେଉଁ ଧର୍ମ ମାନେ

ତାହାର ନ କରି ବିଚାର

ଛାଡ଼ିବେ ସବୁ ହାସ୍ପାତାଳ

ଯେବଣ ହାସପାତାଳରେ

ପରୀକ୍ଷା ପ୍ରୟୋଗହିଁ ଚାଲେ

ଜିଆଁନ୍ତେ ଜୀବମାନ ଧରି

ନିର୍ଦ୍ଦୟେ ତାକୁ ଚିରି ଫାଡ଼ି

କରିଣ ନାନାଦି ପରୀକ୍ଷା

କରନ୍ତି ସ୍ୱାସ୍ଥ୍ୟ ରକ୍ଷା ଶିକ୍ଷା

ଛାଡ଼ିବେ ସେ ଉପାୟମାନ

ଏ ଯେତେ ଆରୋଗ୍ୟ ବିଧାନ

ନିରୋଗ ରହିବା ନିମନ୍ତେ

ଉଚିତ ନୁହଇ ଏମନ୍ତେ

ହୋଇ ଅନ୍ୟର ଆତ୍ମଘାତୀ

ସେ ନିଜେ ଆରୋଗ୍ୟ ଲଭନ୍ତି

ରୋଗ ଭୋଗିବା ତହୁଁ ଶ୍ରେୟ

ଏଥିରେ ନାହିଁଟି ସଂଶୟ

ପୁଣିଟି ଶୁଣସି ଅଷ୍ଟମେ

ଏ ଯେତେ ଡାକ୍ତର ଗଣେ

ସମସ୍ତ ଧରିବେ ଅରଟ

ଅରଟ ମୁକତିର ବାଟ

ତୁଚ୍ଛାରେ ନ ଦେଇ ଦବାଇ

ରୋଗ ଆରୋଗ୍ୟ ହେବାପାଇଁ

ରୋଗର ବଡ଼ାଇବେ ଜଡ଼

ଉପାୟ ତାର ବିନାଶର

ବାଜେ ଔଷଧ ଯେତେ ଯେତେ

ଦିଅନ୍ତି ସେହି ନାନାମତେ

ରୋଗର ମଞ୍ଜିହିଁ ନ ଯାଏ

ଉପରେ ମାତ୍ର ଚପିଥାଏ

ସେ ପୁଣି ଆଣେ ନାନା ରୋଗ

କ୍ରମେ ସେ ହୁଏ ଦୁରାରୋଗ

ତହୁଁ ଅଟଇ ଶ୍ରେୟସ୍କର

ଔଷଧ ସେବା ପରିହାରେ

ଔଷଧ ସେବନ ନ କରି

ରୋଗୀ ଯଦ୍ୟାପି ଯାଏ ମରି

ସଂସାରେ କାର ଅପକାର

ନୋହିବା କୌଣସି ପ୍ରକାର

ଏମନ୍ତ ମରେ ଯେଉଁ ଜନ

ସେ ସିନା ଦୟାର ଭାଜନ

ମାତ୍ର ସେଥିରେ ଲେଶ କ୍ଷତି

ସଂସାରେ କେହି ନ ଭୋଗନ୍ତି

ଔଷଧ ଖାଇ ପ୍ରାଣ ଗଲେ

ପ୍ରକୃତ ଦରଦ କେ କରେ

ଭିତରୁ ବ୍ୟଥା ହୁଏ ହ୍ରାସ

ମୁଖେ କେବଳ ପରକାଶ

ନବମେ ଧନବନ୍ତ ଜନ

ଧନକୁ ନ ମଣି ଜୀବନ

ମନରୁ ଧନ ଭୟ ତେଜି

ଯାହା ଉଚିତ ଥିବେ ହେଜି

କହିବେ ଖୋଲିଣ ହୃଦୟ

କାହାକୁ ନ କରିବେ ଭୟ

ଦଶମେ ଧନଶାଳୀ ପ୍ରାଣୀ

ଆପଣା ଧନ ଜନ ଆଣି

ଚରଖା ତନ୍ତୁ ସ୍ଥାପି ନାନା

କରିବେ ହସ୍ତ କାରଖାନା

ଯେ ବସ୍ତୁ ତହିଁରେ ପ୍ରସ୍ତୁତ

କେବଳ ହେବ ବ୍ୟବହୃତ

କୁଟୀର ଶିଳ୍ପର ଉତ୍ସାହ

ଦେଉ ସେ ଥିବେ ଅହରହ

ଏକାଦଶରେ ଏ ଭାରତେ

ଯେତେକ ଲୋକ ମୋର ମତେ

ଭାବିବ ଆସିଛି ସମୟ

କରିବା ପାଇଁ ପାପ କ୍ଷୟ

ମଣିବେ ଆମ୍ଭର ଉଚିତ

କରିବା ପାଇଁ ପ୍ରାୟଶ୍ଚିତ୍ତ

ଏ ଶୋକ ଅନୁତାପ ବେଳ

ଏମନ୍ତେ ଭାବିବ ସକଳ

ଆପଣା ଦୋଷ ପ୍ରତି ଦୃଷ୍ଟି

ଦେଇଣ ସୁଧାରିବେ ତ୍ରୁଟି

ଦ୍ୱାଦଶେ ଆମ୍ଭ ଦେଶବାସୀ

ନ କରି ଇଂରେଜୀକୁ ଦୋଷୀ

ସକଳେ ବୁଝିବେ ଏ କଥା

ତାହାଙ୍କୁ ଦୋଷ ଦେବା ବୃଥା

ଆମ୍ଭରି ଦୋଷରୁ ସେ ପୁଣ

ଜମାଇ ଅଛନ୍ତି ଆସନ

ସର୍ବେ ଏକଥା ଯେବେ ବୁଝି

ଆପଣା ଦୋଷ ନେବ ମାଜି

ଇଂରାଜେ ବାନ୍ଧିଣ ବୁଜୁଳି

ଏ ଦେଶୁ ବେଗେ ଯାନ୍ତେ ଚଳି

ତାଙ୍କର ଯେତେ ପ୍ରଭୁପଣ

ଛାଡ଼ନ୍ତେ ତାହା ତତକ୍ଷଣ

ତ୍ରୟୋଦଶରେ ସର୍ବଜନେ

ଏ କଥା ବୁଝନ୍ତୁ ଯେସନେ

ଦୁଃଖ ନିଉନ ଅବସ୍ଥାରେ

ଆନନ୍ଦ କାହିଁନା ସଂସାରେ

ତା ପକ୍ଷେ ଆରାମ ଅଏସ

ଜାଣିବ ଯେସନେକ ବିଷ

ତେଣୁଟି ଯେତେ ଦିନଯାକେ

ପଡ଼ିଣଥିବା ଏ ବିପାକେ

କାରା ନିବାସ ଶ୍ରେୟସ୍କର

ଅଥବା ରାଜ୍ୟରୁ ବାହାର

ଚତୁର୍ଦ୍ଦଶରେ କହେ ଶୁଣ

ଏ ଦେଶବାସୀ ଜଣ ଜଣ

କେହିଟି ବୁଝାଇବା ପାଇଁ

ତା ବିନୁ କାର୍ଯ୍ୟ କେହି ନାହିଁ

ତା ବିନୁ ଅନ୍ୟ କେ ପାରଗ

ଲୋକଙ୍କୁ ବତାଇବ ବାଗ

ସେ ଯଦି କରେ କାରାବାସ

ଲୋକେତ ହୋଇବେ ନିରାଶ

ତେଣୁ ରହିବ ସାବଧାନେ

ଯେହ୍ନେ ସେ କାରା ନ ବରଣେ

ଏମନ୍ତେ କରିବା ବିଚାର

ଉଚିତ ନୁହଇଟି କାର

ପଞ୍ଚଦଶର ସର୍ବ ପ୍ରାଣୀ

କଥାହୁଁ କାର୍ଯ୍ୟ ବଡ଼ ମାନି

କଥାରେ ପ୍ରକାଶ ଯେ ଭାବ

କାର୍ଯ୍ୟ ତା ଅଧିକ ପ୍ରଭାବ

ତେଣୁ ସେ ସର୍ବେ ଅଳ୍ପଭାଷୀ

କାର୍ଯ୍ୟରେ ତାହାକୁ ପ୍ରକାଶି

ମନରେ ଯା ହେବ ଉଦୟ

କରିବ କାର୍ଯ୍ୟ ତେଜି ଭୟ

ତାହାର ଯେବା ପରିମାଣ

ସହିବା ପାଇଁ ଥିବ ଟାଣ

ତେବେଟି ଆମ୍ଭ ଉପଦେଶ

ଫଳିବ ଫଳିଟି ବିଶେଷ

କଥା ସହିତେ କାର୍ଯ୍ୟ କରି

ସେ କଥା ହୁଏ କାର୍ଯ୍ୟକାରୀ

ଷୋଡ଼ଦଶରେ ଏ ଭାରତେ

ଅଛନ୍ତି ନର ନାରୀ ଯେତେ

ଚେତି ସେ ବୋଲିବେ ସକଳେ

ଆମ୍ଭର ଦୁଃଖ କଷ୍ଟ ବଳେ

ଆମ୍ଭେଟି ଆଣିବା ସ୍ୱରାଜ୍ୟ

ଭିକ୍ଷାରେ କହି କିବା କାର୍ଯ୍ୟ

ସପ୍ତଦଶରେ କହେ ଶୁଣ

ଆମ୍ଭର କର୍ତ୍ତବ୍ୟ ଯେ ପୁଣ

ଏ ଦେଶବାସୀ ଯେତେଲୋକେ

ବୁଝିବେ ଯେମନ୍ତେ ପ୍ରତ୍ୟେକେ

ଇଂରାଜୀ ସଭ୍ୟତାର ଫାସ

ଆମ୍ଭର କଲା ସର୍ବନାଶ

ତାହାକୁ ଦେଇଣ ଉତ୍ସାହ

ସେ ତୃଷା ନଳେ ହେଉ ଦାହ

ଏ ଅତି ଘୋର ମହାପାପ

ଏହାର ଭୀଷଣ ପ୍ରତାପ

ଏ ପାପ ପାଇଁ ପ୍ରାୟଶ୍ଚିତ

କରିବା ଆମ୍ଭର ଉଚିତ୍

ଏ ପାପ ବିମୋଚନ ପାଇଁ

ଯାବତ ଦୁଃଖ କଷ୍ଟ ଦାହି

ସାରା ଜୀବନ କଳାପାଣି

ଭୋଗିବା ପଛେ ଜାଣି ଜାଣି

ଏ ପାପ ଆମ୍ଭ ଯାଉ ଧୋଇ

ଅନ୍ୟଥା ସ୍ୱାଧୀନତା ନୋହି

ବିନା କଷ୍ଟରେ ଯେଉଁ ଜାତି

କରିଛି କହ ହେ ଉନ୍ନତି

କୃଷ୍ଣ ନ ମିଳେ କଷ୍ଟ ବିନା

ଏ କଥା ଜାଣିଅଛ ସିନା

ଶସ୍ତ୍ରାସ୍ତ୍ର ସଂଗ୍ରାମ କିମିଟି

ଅଟେ କଷଣ ସହିବାଟି

ରଣେ କରିବା ଶତ୍ରୁକ୍ଷୟ

ନୁହଇ ପ୍ରକୃତ ବିଜୟ

ଯେ ସହିପାରେ ଯେତେ କଷ୍ଟ

ସେ ପ୍ରାପ୍ତ ହୋଇପାରେ ଇଷ୍ଟ

ଶସ୍ତ୍ର ସଂଗ୍ରାମେ ଏହି ତଥ୍ୟ

ସତ୍ୟାଗ୍ରହରେ ଅଟେ ସତ୍ୟ

ଏହା କହିଲି ଅଷ୍ଟାଦଶେ

ଆବର ଶୁଣ ଊନବିଂଶେ

ଯଦି ସକଳ ଦେଶବାସୀ

ଅନ୍ୟକୁ ଚାହିଁଥିବେ ବସି

ଅପରେ ଆଗେ ଯାନ୍ତୁ କରି

ମୁଁ ତାଙ୍କୁ ଯିବ ଅନୁସରି

ଏମନ୍ତେ କହିବାର ଅର୍ଥ

ବୁଝାଏ ନିଜ ଅସାମର୍ଥ୍ୟ

ଏକଦା ଥିଲେ ଏକ ରାଜା

ସେ ସୁଖେ ପାଳନ୍ତି ପରଜା

ସେ ଦିନେ କଲେକ ଘୋଷଣା

ସକଳ ପରଜାଙ୍କୁ ଜଣା

ଖୋଳାଇ ଅଛି ପୁଷ୍କରିଣୀ

ତହିଁଲେ ଭରିନାହିଁପାଣି

ତୁମ୍ଭେ ସକଳ ପ୍ରଜା ଯେତେ

ମିଳିଣ ଏକତ୍ର ସମସ୍ତେ

ଗୋରସେ ତାହା ଦେବ ଭରି

ଏମନ୍ତ ଆଜ୍ଞା କଲେ ଜାରି

ରାତି ନପାହୁଁ ଭାର ଭାର

ଗୋରସ ନେଇଣ ବାହାର

ଯେମନ୍ତେ ଉଠି ପ୍ରଭାତରେ

ଦେଖିବି ଦୁଗ୍‌ଧ ପୂର୍ଣ୍ଣ ସରେ

ତା ଶୁଣି ସର୍ବ ପ୍ରଜାଗଣ

ଭାଳନ୍ତି ବସି ମନେ ମନେ

ଯେଝାର ବସି ଭାଳୁଥାଏ

ମୁଁ ଯେବେ ସେଠାକୁ ନଯାଏ

ଲକ୍ଷ ଲକ୍ଷ ଏ ପ୍ରଜାଗଣେ

ମୁଁ ଛାର ତହିଁ ଏକ ଜଣ

ସକଳେ ଖିର ଭାର ଧରି

ସହଜେ ଭରିବେ ପୋଖରୀ

ମୁଁ ଯେବେ ନ ଯିବି ଏକାକୀ

କାର୍ଯ୍ୟ କି ରହିଯିବି ବାକି

ଏମନ୍ତ ସର୍ବ ଦେଶବାସୀ

ଭାଳନ୍ତି ମନେ ମନେ ବସି

କ୍ଷୀର ତା ଭରିବାର ପାଇଁ

କେହି ସେ ଠାବେ ଗଲେ ନାହିଁ

କ୍ରମଶଃ ହୋଇଲା ସକାଳ

ପୁରିଲା ରଜନୀର କାଳ

ଏକକୁ ଆରେକ ଅପେକ୍ଷା

କେହି ନ ଦେଲେ ତହିଁ ଦେଖା

ସେ ରାଜା ରଜନୀର ଶେଷେ

ମିଳିଲେ ପୁଷ୍କରିଣୀ ପାଶେ

ଦେଖିଲେ ଶୁଷ୍କ ପୁଷ୍କରିଣୀ

ନୋହିଲା ଦୁଗ୍‌ଧରେ ଭରଣି

ତେଣୁ ହୋ ଶୁଣସି ପାଠକ

ଏମନ୍ତେ ଅଟନ୍ତି ଯେ ଠକ

କରନ୍ତି ଆତ୍ମ ପ୍ରତାରଣା

ମୂର୍ଖ ତାଙ୍କର ବୁଝାମଣା

ଚାହିଁ ବସିବା ଅନୁମାନେ

ଅଟଇ ନକଲା ସମାନେ

ଯାହାର କାର୍ଯ୍ୟେ ନାହିଁ ମନ

କହନା ତାହାର ଏସନ

ଯେ ଜନ ଅଟଇ କର୍ମଠ

ତା ପାଇଁ ଚିର ମୁକ୍ତ ପଥ

ଅପେକ୍ଷା ନ କରି କାହାରି

ନିଜ କାର୍ଯ୍ୟ ସେ ଯାଏ କରି

ମୋତେ ଯା ଲାଗିବଟି ସୁଖ

ମୁଁ ତାହା କରିବି ପ୍ରତ୍ୟକ୍ଷ

ଅନ୍ୟକୁ ଭଲ ସେ ଲାଗିଲେ

ସେ ତାହା କରିବେଟି ଭଲେ

ମୋର ପସନ୍ଦ ଅନୁଯାୟୀ

ଖାଦ୍ୟ ମୁଁ ଦେଇ ଥାଏ ଖାଇ

କରିବା ପାଇଁ ତା ଆହାର

ଅପେକ୍ଷା ନକରେ ମୁଁ କାର

ତେମନ୍ତେ ସ୍ୱାଧୀନତା ହେତୁ

କଷ୍ଟ କରିଣ ବାନ୍ଧ ସେତୁ

ସ୍ୱାଦିଷ୍ଟ ଭୋଜନ ସମାନ

ତାହାକୁ କରିବଟି ଜ୍ଞାନ

ଅନ୍ୟର ବାଧ୍ୟ ବାଧକତା

ପାଇଁ ସେ ସହିଥାଏ ବ୍ୟଥା

ସେ ବ୍ୟଥା ହେଇଥାଏ ବୋଝ

ଏହାକି ପାଠକ ନବୁଝ

ତେଣୁ ସକଳେ ସୁଖମନେ

ଲାଗହେ ସ୍ୱରାଜ୍ୟ ସାଧନେ

ତା ପାଇଁ ଆସୁ ଯେତେ ଦୁଃଖ

କେବେହିଁ ନୋହିବ ବିମୁଖ

 

ପାଠକ ଉବାଚ

ତୁମ୍ଭେତ କହିଲ ଅନେକ

ଶୁଣିଲି ସବୁ ଏକ ଏକ

ମାତ୍ରକ ଏମନ୍ତ ସକଳ

କରିବେ କହ କେତେକାଳ

 

ଗାନ୍ଧି ଉବାଚ

ପୁଣି ପଡ଼ୁଛ ପରମାଦେ

ତେଣୁ କହିବି ପଦେଅଧେ

କହ ତୁମ୍ଭର ଅବା ମୋର

ଅନ୍ୟଙ୍କ ପାଇଁ କି ଫିକର

ଆପଣା ପାଦେ ଆପେ ଦେଖ

ଆନେକୁ କିମ୍ପାଇଁ ନିରେଖ

ଏ କଥା ପୁଣ୍ୟ ପରମାର୍ଥ

ଏହାକୁ ନମଣିବ ସ୍ୱାର୍ଥ

ଯାହାର ହୁଏ ଊର୍ଦ୍ଧ୍ୱଗତି

ଆନେକୁ କରେ ସେ ମୁକତି

ଯେ ନିଜେ ନିଜେ ପଡ଼ିଥାଏ

ସେ କାହି ଆନେକୁ ଉଠାଏ

ତେଣୁ ମୋହର କରତବ୍ୟ

କରିବି ଯେତିକି ସମ୍ଭବ

ତହିଁ ସକଳ କର୍ମସିଦ୍ଧି

ଜାଣିବ ଏହା ମହାବିଧି

କହିଲି ତୋତେ ସମୁଦାୟ

ଏବେ ମୁଁ ନେଉଛି ବିଦାୟ

ମେଲାଣି ହେବା ଆଗେ ଭାଇ

ପୁଣି ହେ ଦେଉଛି ଚେତାଇ

ପ୍ରଥମେ ପ୍ରକୃତ ସ୍ୱରାଜ୍ୟ

ଅଟଇ ନିଜ ମନରାଜ

ସ୍ୱରାଜ୍ୟ ପାଇଁ ଥିଲେ ମନ

ଅବଶ୍ୟ ମିଳବ ସେ ଧନ

ତା ମନ ଅଟଇ ଯେମନ୍ତେ

ସେ ଫଳ ପାଏ ସେହିମନ୍ତେ

ମନରେ କଲେଟି ନିଶ୍ଚୟ

ସ୍ୱରାଜ୍ୟ ପ୍ରାପ୍ତି ନିଶଂସୟ

ଆପଣା ମନ ଅନୁସାରେ

ସ୍ୱରାଜ୍ୟ ମିଳିବ ଅଚିରେ

ଦ୍ୱିତୀୟେ ସ୍ୱରାଜ୍ୟର କଞ୍ଚି

ସତ୍ୟାଗ୍ରହରେ ରହିଅଛି

ଦୟାର ବଳ ଆତ୍ମବଳ

ସ୍ୱରାଜ୍ୟ ପାଇବାର କଳ

ତୃତୀୟେ ଏହାର କାରଣ

ସର୍ବଦା ସ୍ୱଦେଶୀରେ ମନ

ବିଦେଶୀ କରି ପରିହାର

ସ୍ୱଦେଶୀ କରିବ ବେଭାର

ଚତୁର୍ଥ କଥା ଗୋଟିମାନ

ଆମ୍ଭର ଯେତେ କାର୍ଯ୍ୟମାନ

ଗୋରାମାନଙ୍କ ପ୍ରତି ଦ୍ୱେଷ

ତହିଁରେ ନ ରହିବ ଲେଶ

କେବଳ କର୍ତ୍ତବ୍ୟ ପାଳନ

ଉଦ୍ଦେଶ୍ୟ କାର୍ଯ୍ୟରେ ସାଧନ

ଇଂରାଜୀ ଯେବେ ଲୁଣକର

ଉଠାଇ ନେବେ ସେ ସତ୍ୱର

ଯେ ଧନ ତହିଁ ନେଲେ ଲୁଟି

ଯେବେ ତା ପାଇବା ଲେଉଟି

ଉଚ୍ଚ ଆସନେ ଉଚ୍ଚ ସ୍ଥାନ

ଉଚ୍ଚ ପଦବୀ ପଦମାନ

ଗୋରାଏ ଯେବେ ଦେବେ ଛାଡ଼ି

କଳାଙ୍କ ଶିରେ ବାନ୍ଧି ଶାଢ଼ି

ଗୋରା ଫଉଜେ ଛନ୍ତି ଯେତେ

ବାହୁଡ଼ି ଗଲେକ ସମସ୍ତେ

ତଥାପି ଆମ୍ଭର କର୍ତ୍ତବ୍ୟେ

ହେଳା ହୋ ନ କରିବା ଲବେ

ତଥାପି କଳକାରଖାନା

ପଦାର୍ଥ କରିଦେବା ମନା

ତାଙ୍କର କଳର ବସନ

କରିବୁ ନିଶ୍ଚେ ବରଜନ

ତାଙ୍କ ଉଦ୍‌ଯୋଗ ଶିଳ୍ପ ଯେତେ

ଆଶ୍ରୟ ନଦେବୁ କିଞ୍ଚିତେ

ତାଙ୍କର ଭାଷାଟି କାହାର

ମୁଖରୁ ନୋହିବ ବାହାର

ଏସବୁ ଯେଣୁ ଆମ୍ଭ ପ୍ରତି

ଅଟଇ କ୍ଷତିକାର ଅତି

ଏହାକୁ କଦାପି ସ୍ୱୀକାର

କରିବୁ ନାହିଁ ଆପଣାର

ପଡ଼ିବୁ ନାହିଁ ତାର ଫାନ୍ଦେ

ଏ କଥା ବୁଝିବୁ ସ୍ୱଚ୍ଛନ୍ଦେ

ମୋହର ଗୋରାଙ୍କ ସହିତେ

ବଇରି ଭାବ ନାହିଁ ଚିତ୍ତେ

ମୁଁ ତାଙ୍କ ସଭ୍ୟତା ବିରୋଧି

ନାହିଁ ମୋ ଆନ ଅଭିସନ୍ଧି

କେବଳ ତାଙ୍କର ସଭ୍ୟତା

ନିନ୍ଦି ମୁଁ କହିଲି ଏ କଥା

ମୁଁ ଏହା ପାରୁଅଛି ଦେଖି

ସ୍ୱରାଜ୍ୟ ଏହି ନାମ ଶିଖି

ନ ବୁଝି ଏହାର ସ୍ୱରୂପେ

ପଡ଼ି ରହିଛି ଅନ୍ଧକୂପେ

ମୁଁ ତାହା ବୁଝିଛି ଯେମନ୍ତେ

କହିଲି ତୋତେ ସେହିମନ୍ତେ

ଅବଶ୍ୟ ସ୍ୱରାଜ୍ୟ ସ୍ଥାପନ

କରିବି କହୁଅଛି ମନ

ସ୍ୱରାଜ୍ୟ ସାଧନ ନିମନ୍ତେ

ମୋ ମନ ଡାକୁଅଛି ମୋତେ

ତେଣୁ ସମର୍ପି ଦେଲି ଦେହୀ

ସ୍ୱରାଜ୍ୟ ଲଭୁ ମାତୃଭୂଇଁ

ସ୍ୱରାଜ୍ୟ ଲଭୁ ମୋର ଦେଶ

କହେ ମୋହନଚାନ୍ଦ ଦାସ

 

ବନ୍ଦେ ମାତରଂ